Unknown

 

 

 

 

 

ଭାରତର ସ୍ଵାଧୀନତା ସଂଗ୍ରାମ

 

ବିପନ ଚନ୍ଦ୍ର

ଅମଲେଶ ତ୍ରିପାଠୀ

ବରୁଣ ଦେ

 

ଅନୁବାଦକ

ଖଗେଶ୍ଵର ମହାପାତ୍ର

ଲକ୍ଷ୍ମୀନାରାୟଣ ମିଶ୍ର

 

ମୁଖବନ୍ଧ

 

ଆମ ସ୍ଵାଧୀନତାପ୍ରାପ୍ତିର ପଚିଶବର୍ଷ ହୋଇଗଲା । ଭାରତର ଜନସାଧାରଣ ଯେଉଁ ଆନ୍ଦୋଳନ ମାଧ୍ୟମରେ ଆମକୁ ଏହି ସ୍ଵାଧୀନତା ଦେଇଯାଇଛନ୍ତି, ତା’ର ଇତିହାସ ସମ୍ୟକରୂପେ ପର୍ଯ୍ୟାଲୋଚନା କରିବାର ଏହାହିଁ ଉପଯୁକ୍ତ ଅବସର । ଆଜି ଭାରତର ପ୍ରତ୍ୟେକ ସ୍ଵାଧୀନ ନାଗରିକ ଜାଣିବା ଉଚିତ ଯେ ଏହି ସୁଫଳ ହାସଲ ଲାଗି କେତେ ଲହୁ ଓ ଲୁହ ଦରକାର ହୋଇଛି-। ଦେଶର ସ୍ଵାଧୀନତାର ପୂଜାବେଦୀ ନିକଟରେ ଆତ୍ମୋତ୍ସର୍ଗ କରିଥିବା ସେହି ଲକ୍ଷ ଲକ୍ଷ ଜନସାଧାରଣ ଓ ସେମାନଙ୍କର ସ୍ମରଣୀୟ ନେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ ଏହି ପୁସ୍ତକର ପରିକଳ୍ପନା ।

 

କିନ୍ତୁ କାମଟି ଏତେ ସହଜ ନଥିଲା । ମୋଟାମୋଟିଭାବେ ସ୍ଵାଧୀନତା ଆନ୍ଦୋଳନ ବିଷୟରେ ଅଧିକାଂଶ ଜାଣନ୍ତି; କିନ୍ତୁ ଏକ ସୁପରିକଳ୍ପିତ, କ୍ଷୁଦ୍ର ଅଥଚ ପୂର୍ଣ୍ଣାଙ୍ଗ ଇତିହାସରୂପେ ବିଷୟବସ୍ତୁକୁ ସଜ୍ଜିତ କରିବାକୁ ହେଲେ, ଆନ୍ଦୋଳନର ବ୍ୟାପକ ଦିଗ, ଆଭିମୁଖ୍ୟ ଓ ଅନ୍ୟାନ୍ୟ ଅନେକ ଆନୁଷଙ୍ଗିକ ବିଭାଗକୁ ସଠିକରୂପେ ପ୍ରତିପାଦିତ କରିବାକୁ ହେଲେ, ଏ ସମ୍ପର୍କରେ ବ୍ୟାପକ ଜ୍ଞାନ ଓ ପରିକଳ୍ପନା ଏକାନ୍ତ ଆବଶ୍ୟକ । ପୁନଶ୍ଚ ପୁସ୍ତକଟି ସାଧାରଣ ପାଠକ ଲାଗି ସୁଖପାଠ୍ୟ ହେବା ସଙ୍ଗେ ସଙ୍ଗେ ସଂପୃକ୍ତ ବିଷୟରେ ଗବେଷକମାନଙ୍କ ପାଇଁ ମଧ୍ୟ ସହାୟକ ହେବ–ଏହି ଲକ୍ଷ୍ୟ କାର୍ଯ୍ୟଟିକୁ ଆହୁରି ଦୁରୂହ କରିଦେଲା ।

 

ତେଣୁ ଏହି କାର୍ଯ୍ୟଟିର ଦାୟିତ୍ଵ ନେବା ଲାଗି ଆମ ଦେଶର କେତେଜଣ ଖ୍ୟାତନାମା ଐତିହାସିକଙ୍କୁ ମୁଁ ଅନୁରୋଧ କରିଥିଲି । ଡକ୍ଟର ସର୍ବପଲ୍ଲୀ ଗୋପାଳଙ୍କ ଅଧ୍ୟକ୍ଷତାରେ ଏଥିଲାଗି ଏକ ସମିତି ଗଠିତ ହେଲା ଓ ଏହାର ସଭ୍ୟ ଥିଲେ ଡକ୍ଟର ସତିଶ୍‍ଚନ୍ଦ୍ର, ଡକ୍ଟର ଅମଲେଶ ତ୍ରିପାଠୀ, ଡକ୍ଟର ବିପିନଚନ୍ଦ୍ର, ଡକ୍ଟର ବରୁଣ ଦେ, ଡକ୍ଟର ଶେଖ୍ ଅଲ୍ଲୀ ଓ ଡକ୍ଟର ଏସ.ଆର. ମେହରୋତ୍ରା । ପ୍ରଥମ ଓ ଦ୍ଵିତୀୟ ଅଧ୍ୟାୟ ଲେଖିବା ଲାଗି ଡକ୍ଟର ବିପିନଚନ୍ଦ୍ରଙ୍କୁ, ତୃତୀୟ ଓ ଚତୁର୍ଥ ଅଧ୍ୟାୟ ଲେଖିବାଲାଗି ଡକ୍ଟର ଅମଲେଶ ତ୍ରିପାଠୀଙ୍କୁ ଓ ଶେଷ ଦୁଇ ଅଧ୍ୟାୟ ଲେଖିବା ଲାଗି ଡକ୍ଟର ବରୁଣ ଦେଙ୍କୁ ସମିତି ଅନୁରୋଧ କରିଥିଲା । ସେମାନଙ୍କଦ୍ଵାରା ପ୍ରସ୍ତୁତ ପାଣ୍ଡୁଲିପି ସମିତିରେ ସବିଶେଷ ଆଲୋଚିତ ହୋଇଥିଲା ଓ ସଭ୍ୟମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ସେ ସବୁକୁ ଦୃଷ୍ଟିରେ ରଖି ପାଣ୍ଡୁଲିପିର ସମ୍ପାଦନା କଲେ ଶ୍ରୀ କେ.ପି. ରଙ୍ଗାଚାରୀ । ସମୟର ସ୍ୱଳ୍ପତା ସତ୍ତ୍ୱେ କାର୍ଯ୍ୟଟିକୁ ସୂଚାରୁରୂପେ ସମ୍ପାଦନା କରିଥିବାରୁ ଏହି ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ ।

 

ପୁସ୍ତକରେ ସନ୍ନିବେଶିତ ବିଷୟବସ୍ତୁ ସଭ୍ୟମାନଙ୍କଦ୍ଵାରା ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି । କ୍ଷୁଦ୍ର ହେଲେବି ଏକ ପ୍ରାମାଣିକ ପୁସ୍ତକରୂପେ ଏହା ଯେ ସମାଦୃତ ହେବ, ସେ ବିଶ୍ଵାସ ମୋର ରହିଛି । ଆମ ଦେଶର ଶିକ୍ଷକ ଓ ଗ୍ରନ୍ଥମାନେ ପୁସ୍ତକଟିଦ୍ଵାରା ଉପକୃତ ହେବେ ବୋଲି ଆଶା ।

 

ଏସ. ନୁରୁଲ୍ ହାସାନ୍

କେନ୍ଦ୍ର ମନ୍ତ୍ରୀ

(ଶିକ୍ଷା, ସମାଜକଲ୍ୟାଣ ଓ ସଂସ୍କୃତି)

Image

 

ସୂଚିପତ୍ର

 

୧.

ବ୍ରିଟିଶ ଶାସନର ପ୍ରଭାବ

୨.

ପ୍ରାଥମିକ ପର୍ଯ୍ୟାୟ

୩.

ଉଗ୍ର ଜାତୀୟତାବାଦୀ ଯୁଗ

୪.

ସ୍ଵରାଜ ସଂଗ୍ରାମ

୫.

ସ୍ଵାଧୀନତାର ସନ୍ଦେଶ

୬.

ସ୍ଵାଧୀନତାର ଉପଲବ୍ଧି

Image

 

Unknown

ବ୍ରିଟିଶ ଶାସନର ପ୍ରଭାବ

 

“ବହୁବର୍ଷ ପୂର୍ବେ ଆମେ ଆମ ଭାଗ୍ୟର ପରିବର୍ତ୍ତନ ଲାଗି ଯେଉଁ ସଂକଳ୍ପ ଗ୍ରହଣ କରିଥିଲେ, ସେହି ପ୍ରତିଜ୍ଞା ପୂର୍ଣ୍ଣମାତ୍ରାରେ ନହେଲେହେଁ, ପର୍ଯ୍ୟାପ୍ତଭାବରେ ପାଳନ କରି ସେଥିରୁ ମୁକ୍ତ ହେବାର ସମୟ ଆସିଛି; ଯେତେବେଳେ ସମଗ୍ର ପୃଥିବୀ ସୁସୁପ୍ତ, ମଧ୍ୟରାତ୍ରିର ପ୍ରଥମ ଚମକରେ ଭାରତ ଭିତରେ ଜୀବନ ଓ ମୁକ୍ତି ଚେଇଁଉଠିବ ।’’

 

୧୯୪୭ ମସିହା ଅଗଷ୍ଟ ପନ୍ଦର ତାରିଖ ଦିନ ଭାରତୀୟ ରାଷ୍ଟ୍ର ଓ ସମ୍ବିଧାନ ପ୍ରଣୟନ ସଭା ଉଦ୍ଦେଶ୍ୟରେ ଭାଷଣ ଦେଇ ଜବାହରଲାଲ ନେହେରୁ ଏହା କହିଥିଲେ । ସେ ଏକଥା କହିଥିଲେ ସ୍ଵାଧୀନ ଭାରତର ପ୍ରଧାନମନ୍ତ୍ରୀ ଭାବରେ । ମୁକ୍ତି–ସଂଗ୍ରାମ ଶେଷ ହୋଇଥିଲା । ଭାରତବର୍ଷ ହୋଇଥିଲା ସ୍ଵାଧୀନ ।

 

କିନ୍ତୁ ଭାଗ୍ୟଚକ୍ରର କେଉଁ ସଂଘଠନ ବିଷୟରେ କହୁଥିଲେ ନେହୁରୁ ?

 

ଭାରତର ସ୍ଵାଧୀନତାପ୍ରାପ୍ତିର ସତରବର୍ଷ ପୂର୍ବରୁ ୧୯୨୯ ମସିହା ଡିସେମ୍ବର ୩୧ ତାରିଖର ସେହିପରି ଆଉ ଏକ ଅର୍ଦ୍ଧରାତ୍ରିରେ, ଘଣ୍ଟାର ଧ୍ୱନି ଯେତେବେଳେ ନୂତନ ବର୍ଷର ଆଗମନୀ ବାର୍ତ୍ତା ଶୁଣାଇଥିଲା, ଠିକ୍ ସେତିକିବେଳେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ନେହେରୁ ରାବୀ ନଦୀକୂଳରେ ତ୍ରିରଙ୍ଗ ପତାକା ଉତ୍ତୋଳନ କରିଥିଲେ ଏବଂ ଉପସ୍ଥିତ ଅଗଣିତ ଜନତା ସମ୍ମୁଖରେ ଘୋଷଣା କରି କହିଥିଲେ ଯେ, ମୁକ୍ତି ଆନ୍ଦୋଳନର ଉଦ୍ଦେଶ୍ୟ ହେଲା ପୂର୍ଣ୍ଣ ସ୍ଵରାଜ ବା ସମ୍ପୂର୍ଣ୍ଣ ସ୍ଵାଧୀନତା ।

 

ସେଦିନ ଏକ ଶପଥ ବାଣୀ ଘୋଷଣା କରାଗଲା ଏବଂ ସ୍ଥିର ହେଲା ଯେ ୧୯୩୦ ମସିହା ଜାନୁଆରୀ ୨୬ ତାରିଖ ଦିନ ସମଗ୍ର ଦେଶବାସୀ ସାଧାରଣ ସଭାମାନଙ୍କରେ ଉକ୍ତ ଶପଥ ଗ୍ରହଣ କରି ଦେଶର ସ୍ଵାଧୀନତା ଆନ୍ଦୋଳନରେ ପୂର୍ଣ୍ଣପ୍ରାଣରେ ନିଜକୁ ଉତ୍ସର୍ଗ କରିବେ ।

 

ସେହି ଦିବସକୁ ସ୍ଵାଧୀନତା ଦିବସ ଭାବରେ ମଧ୍ୟ ଘୋଷଣା କରାଗଲା । ଛବିଶ ତାରିଖରେ ଏହି ଐତିହାସିକ ମହତ୍ତ୍ଵ ଦୃଷ୍ଟି ରୂପରେ ୧୯୫୦ ମସିହାରେ ଯେତେବେଳେ ଭାରତୀୟ ଗଣତାନ୍ତ୍ରିକ ସମ୍ବିଧାନ ପ୍ରଣୟନ ଶେଷ ହେଲା, ସେହି ଜାନୁଆରୀ ଛବିଶ ତାରିଖ ଦିନ ତାହାକୁ କାର୍ଯ୍ୟକାରୀ କରାଗଲା । ସେହିଦିନଠାରୁ କ୍ରମାଗତ ପ୍ରତ୍ୟେକ ବର୍ଷ ଏହି ଦିବସକୁ ‘ଗଣତନ୍ତ୍ର ଦିବସ’ ଭାବରେ ପାଳନ କରାଯାଉଛି ।

 

ନେହୁରୁ ଯେତେବେଳେ ଆମର ଭାଗ୍ୟଚକ୍ରର ସଂଗଠନ ବିଷୟରେ କହୁଥିଲେ, ତାଙ୍କର ସ୍ମୃତିପଥରେ ୧୯୨୯–୧୯୩୦ ମସିହାର ଏହି ଘଟଣାଗୁଡ଼ିକହିଁ ଜାଗରୁକ ଥିଲା । ସେଦିନ ଯେଉଁ ସଂକଳ୍ପ ଗ୍ରହଣ କରାଯାଇଥିଲା, ତାହା ସମ୍ପୂର୍ଣ୍ଣ ହେଲା । ୧୯୪୭ ମସିହା ଅଗଷ୍ଟ ପନ୍ଦର ତାରିଖ ଦିନ ଭାରତ ସ୍ଵାଧୀନ ହେଲା ।

 

କିନ୍ତୁ ପ୍ରକୃତ ପକ୍ଷେ ଭାରତର ମୁକ୍ତିଯୁଦ୍ଧ ୧୯୨୯ ମସିହାରେ ଆରମ୍ଭ ହୋଇ ନଥିଲା; ହୋଇଥିଲା ତା’ର ବହୁ ବର୍ଷ ପୂର୍ବରୁ । ଭାରତର ମୁକ୍ତି ଲାଗି ଏ ଯେଉଁ ଐତିହାସିକ ସ୍ଵାଧୀନତା ସଂଗ୍ରାମ ଚାଲିଥିଲା, ତା’ର କାହାଣୀ ଶୁଣାଇବା ହେଉଛି ଏହି ପୁସ୍ତକର ଉଦ୍ଦେଶ୍ୟ ।

 

ଭାରତର ଇତିହାସ ବହୁ ପ୍ରାଚୀନ; ଖ୍ରୀଷ୍ଟଜନ୍ମର ବହୁ ଶତାବ୍ଦୀ ପୂର୍ବରୁ ଏହାର ଆରମ୍ଭ । ଏହି ସୁବିସ୍ତୃତ ଇତିହାସର ଘଟଣାପ୍ରବାହ ଯେ ଅସମ ଓ ଖଣ୍ଡିତ, ଏଥିରେ ଆଦୌ ଆଶ୍ଚର୍ଯ୍ୟ ହେବାର ନାହିଁ । ଏପରିକି ବହୁକାଳ ପର୍ଯ୍ୟନ୍ତ ଭାରତ ଗୋଟିଏ ସ୍ଵୟଂ ସମ୍ପୂର୍ଣ୍ଣ ଦେଶ ନଥିଲା । ଅନେକଗୁଡ଼ିଏ ରାଜ୍ୟର ସମଷ୍ଟିକୁ କୁହାଯାଉଥିଲା ଭାରତବର୍ଷ । ଅବଶ୍ୟ ସମୟ ଥିଲା, ଯେତେବେଳେ କି ଏହି ଉପମହାଦେଶର ବିଶାଳ ଅଂଶ ଗୋଟିଏ ସାମ୍ରାଜ୍ୟର ଶାସନାଧୀନ ହୋଇଥିଲା । ବୈଦେଶିକମାନେ ବହୁବାର ଏ ଦେଶ ଉପରେ ଆକ୍ରମଣ କରିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଏଠାରେ ବସବାସ କରି ଭାରତୀୟ ହୋଇଯାଇଛନ୍ତି ଏବଂ ରାଜା ବା ସମ୍ରାଟ ଭାବରେ ଶାସନ କରିଛନ୍ତି । ଆଉ କେତେକ ଏ ଦେଶକୁ ଲୁଣ୍ଠନ କରି ବିପୁଳ ଐଶ୍ଵର୍ଯ୍ୟ ନେଇ ଫେରିଯାଇଛନ୍ତି । ବହୁ ଗୌରବାବହ ମହତ୍ୱପୂର୍ଣ୍ଣ ମୁହୂର୍ତ୍ତ ସଙ୍ଗେ ସଙ୍ଗେ ଦୁଃଖ, ଦାରିଦ୍ର୍ୟ ଓ ଅବନତିର ସମୟ ଅତିବାହିତ ହୋଇଯାଇଛି । କିନ୍ତୁ ସ୍ଵାଧୀନତା ସଂଗ୍ରାମ ବିଷୟ କହିଲାବେଳେ ଆମର ମନେପଡ଼େ, ଭାରତ ଇତିହାସର ନିକଟ ଅତୀତର ଗୋଟିଏ ପର୍ଯ୍ୟାୟ; ଯେତେବେଳେ ଭାରତ ଇଂରେଜ ଶାସନାଧୀନ ଥିଲା ଏବଂ ଭାରତୀୟ ଜନତା ବିଦେଶୀ ଶାସନକୁ ହଟାଇ ସ୍ଵାଧୀନ ହେବାପାଇଁ ଅବିରତ ସଂଗ୍ରାମ କରୁଥିଲା ।

 

ଭାରତରେ ବ୍ରିଟିଶ ଶାସନ ୧୭୫୭ ମସିହାରୁ ଆରମ୍ଭ ହେଲା ବୋଲି କୁହାଯାଇପାରେ-। କାରଣ ସେହି ବର୍ଷ ଇଷ୍ଟ ଇଣ୍ଡିଆ କମ୍ପାନୀର ସୈନ୍ୟବାହିନୀ ପଲାସୀ ଯୁଦ୍ଧକ୍ଷେତ୍ରରେ ବଙ୍ଗଳାର ନବାବ ସିରାଜ୍‍ଉଦ୍ଦୌଲାଙ୍କୁ ପରାସ୍ତ କରିଥିଲେ । କିନ୍ତୁ ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ଓ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଭାରତରେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ପ୍ରବଳ ଜାତୀୟ ଆନ୍ଦୋଳନର ଅଭ୍ୟୁଦୟ ହେଲା । ବ୍ରିଟିଶ ଶାସକ ଓ ଭାରତୀୟ ଜନତାର ସ୍ଵାର୍ଥର ସଂଘର୍ଷ ଫଳରେହିଁ ଏହି ଆନ୍ଦୋଳନର ଜନ୍ମ । ବ୍ରିଟିଶ ଓ ଭାରତୀୟ ସ୍ଵାର୍ଥର ଏହି ସଂଘର୍ଷକୁ ଭଲ ଭାବରେ ବୁଝିବାକୁ ହେଲେ ଭାରତରେ ବ୍ରିଟିଶ ଶାସନର ଚରିତ୍ରଗତ ବୈଶିଷ୍ଟ୍ୟ ଏବଂ ଭାରତୀୟ ସମାଜ ଉପରେ ତା’ର ପ୍ରଭାବକୁ ଅନୁଧ୍ୟାନ କରିବା ଆବଶ୍ୟକ । ବିଦେଶୀ ଶାସନ ନୀତି ଏପରି ଥିଲା ଯେ ତା’ର ଫଳସ୍ୱରୂପ ଭାରତୀୟ ଲୋକଙ୍କ ମଧ୍ୟରେ ଜାତୀୟ ଭାବଧାରାର ଉଦ୍ରେକ ହେଲା ଏବଂ ପ୍ରବଳ ଜାତୀୟ ଆନ୍ଦୋଳନର ଅଭ୍ୟୁଦୟ ତଥା ପ୍ରସାର ଲାଗି ଅନୁକୂଳ ଆର୍ଥିକ, ନୈତିକ, ବୌଦ୍ଧିକ ଓ ରାଜନୈତିକ ପରିସ୍ଥିତି ସୃଷ୍ଟି ହେଲା ।

 

ଭାରତରେ ବ୍ରିଟିଶ ଶାସନର ବିଭିନ୍ନ ପର୍ଯ୍ୟାୟ

 

୧୭୫୭ ମସିହାଠାରୁ ଇଂରେଜମାନେ ଭାରତକୁ ସେମାନଙ୍କର ନିୟନ୍ତ୍ରଣାଧୀନ ରଖି ତାହାକୁ ନିଜ ସ୍ଵାର୍ଥସାଧନରେ ବ୍ୟବହାର କରି ଆସିଥିଲେ । କିନ୍ତୁ ତା’ ସଙ୍ଗେ ସଙ୍ଗେ ସେମାନଙ୍କ ଶାସନର ସ୍ୱରୂପ ଓ ବୈଶିଷ୍ଟ୍ୟ ସବୁ ସମୟରେ ସେହି ଗୋଟିଏ ପ୍ରକାର ଥିଲା ବୋଲି ଭାବିବା ମଧ୍ୟ ଭୁଲ ହେବ । ବ୍ରିଟିଶ ଶାସନର ଏହି ଦୁଇଶହ ବର୍ଷ ଇତିହାସର ବହୁ ସ୍ତର ବା ପର୍ଯ୍ୟାୟ ରହିଛି । ବ୍ରିଟେନରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପଦ୍ଧତିର ପରିବର୍ତ୍ତନ ସହିତ ବ୍ରିଟିଶ ଶାସନର ଓ ବ୍ରିଟିଶ ସାମ୍ରାଜ୍ୟବାଦର ରୂପରେଖ, ନୀତି ଓ ପ୍ରଭାବରେ ମଧ୍ୟ ପରିବର୍ତ୍ତନ ଘଟିଛି ।

 

ପ୍ରାରମ୍ଭରୁହିଁ, ଏପରିକି ୧୭୫୭ ମସିହା ପୂର୍ବରୁ, ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ କେବଳ ଦୁଇଟି ବିଷୟରେ ଆଗ୍ରହୀ ଥିଲା । ପ୍ରଥମେ କମ୍ପାନୀ ଭାରତ ଓ ପ୍ରାଚ୍ୟ ଦେଶଗୁଡ଼ିକ ସହିତ ବାଣିଜ୍ୟ କ୍ଷେତ୍ରରେ ଏକଚାଟିଆ ଅଧିକାର ଚାହୁଁଥିଲା; ଯାହାଫଳରେ ଅନ୍ୟ ଇଂରେଜ କମ୍ପାନୀ ବା ୟୁରୋପୀୟ ବଣିକମାନେ ତାହା ସହିତ ପ୍ରତିଯୋଗିତା କରିବାକୁ ସମର୍ଥ ହେବେ ନାହିଁ । ଦ୍ଵିତୀୟରେ, ଭାରତୀୟ ବଣିକମାନେ ଭାରତରେ ଉତ୍ପାଦିତ ଦ୍ରବ୍ୟ ଏ ଦେଶରେ କିଣିବା ବା ବିଦେଶରେ ବିକ୍ରୟ କରିବା ଦିଗରେ ପ୍ରତିଯୋଗିତା ନ କରନ୍ତୁ ।

 

ମୋଟାମୋଟି କମ୍ପାନୀ ନିଜ ପଣ୍ୟଦ୍ରବ୍ୟଗୁଡ଼ିକୁ ଯେତେ ଇଚ୍ଛା ସେତେ ଅଧିକ ଦରରେ ବିକି, ଭାରତରେ ଉତ୍ପାଦିତ ପଣ୍ୟଦ୍ରବ୍ୟଗୁଡ଼ିକୁ ଯେତେ ଇଚ୍ଛା ସେତେ କମ୍ ଦରରେ କିଣି ସର୍ବାଧିକ ଲାଭବାନ ହେବାପାଇଁ ଇଚ୍ଛା କରୁଥିଲା । କିନ୍ତୁ ସାଧାରଣ ବାଣିଜ୍ୟ ପରିସ୍ଥିତିରେ ବିଭିନ୍ନ କମ୍ପାନୀ ଓ ବଣିକମାନେ ପ୍ରତିଯୋଗିତା କରୁଥିବାରୁ ଏହା ସମ୍ଭବ ହେଲାନାହିଁ । ଅଥଚ ଅର୍ଥ ଲାଞ୍ଚ ଦେଇ ଓ ବିଭିନ୍ନ ପ୍ରକାର ଆର୍ଥିକ ତଥା ରାଜନୈତିକ କୌଶଳଦ୍ଵାରା ବ୍ରିଟିଶ ସରକାରଙ୍କୁ ପ୍ରରୋଚିତ କରି ଭାରତ ଏବଂ ପ୍ରାଚ୍ୟ ଦେଶଗୁଡ଼ିକ ସହିତ ବାଣିଜ୍ୟ କରିବାରେ ଅନ୍ୟ ବ୍ରିଟିଶ କମ୍ପାନୀଙ୍କୁ ହଟାଇ ଏକଚାଟିଆ ଅଧିକାର ପାଇବା ଇଷ୍ଟ ଇଣ୍ଡିଆ କମ୍ପାନୀ ପକ୍ଷରେ ଖୁବ୍ ସହଜ ଥିଲା । କିନ୍ତୁ ବ୍ରିଟିଶ ସରକାରଙ୍କ ଆଇନଦ୍ଵାରା ଅନ୍ୟ ଇଉରୋପୀୟ ଦେଶଗୁଡ଼ିକର ବଣିଜ ବା ବାଣିଜ୍ୟ କମ୍ପାନୀଗୁଡ଼ିକୁ ତ ହଟାଇ ଦିଆଯାଇପାରିବ ନାହିଁ ! ଏହିସବୁ କାରଣରୁ ନିଜ ଲକ୍ଷ୍ୟ ପୂରଣଲାଗି ଇଷ୍ଟ ଇଣ୍ଡିଆ କମ୍ପାନୀକୁ ବହୁଦିନଧରି ଘୋର ଯୁଦ୍ଧରେ ବ୍ୟାପୃତ ରହିବାକୁ ପଡ଼ିଥିଲା । ଏହି ବାଣିଜ୍ୟ ଅଞ୍ଚଳଗୁଡ଼ିକ, ବହୁଦୂରରେ ସାଗର ମହାସାଗର ପରପାରରେ ଅବସ୍ଥିତ ଥିବାରୁ କମ୍ପାନୀକୁ ଗୋଟିଏ ଶକ୍ତିଶାଳୀ ସାମୁଦ୍ରିକ ବାହିନୀ ରଖିବାକୁ ପଡ଼ୁଥିଲା ।

 

ଭାରତୀୟ ବଣିକମାନେ ମହାପରାକ୍ରମୀ ମୋଗଲ ସାମ୍ରାଜ୍ୟର ଛତ୍ରଛାୟାତଳେ ନିରାପଦ ଥିଲେ । ତେଣୁ ସେମାନଙ୍କୁ ମଧ୍ୟ ପ୍ରତିଯୋଗିତାରୁ ହଟାଇବା ସହଜସାଧ୍ୟ ନଥିଲା । ପ୍ରକୃତପକ୍ଷେ ସପ୍ତଦଶ ଶତାବ୍ଦୀ ଓ ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରେ ମୋଗଲ ସମ୍ରାଟମାନଙ୍କୁ ଓ ତାହାଙ୍କର ପ୍ରାନ୍ତୀୟ ଶାସକମାନଙ୍କୁ ବିନୀତ ପ୍ରାର୍ଥନା କରି ଭାରତବର୍ଷ ଭିତରେ ବାଣିଜ୍ୟ ଅଧିକାର ପାଇବାକୁ ହେଉଥିଲା । କିନ୍ତୁ ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରେ ମୋଗଲ ସାମ୍ରାଜ୍ୟ ଦୁର୍ବଳ ହୋଇପଡ଼ିଲା ଏବଂ ଦୂର ଦୂରାନ୍ତର ଉପକୂଳବର୍ତ୍ତୀ ଅଞ୍ଚଳ ମୋଗଲ ନିୟନ୍ତ୍ରଣାଧୀନରୁ ମୁକ୍ତ ହେବାକୁ ଲାଗିଲା । ଏତେବେଳେ କମ୍ପାନୀ ଉପକୂଳବର୍ତ୍ତୀ ଓ ବହିର୍ବାଣିଜ୍ୟ କ୍ଷେତ୍ରରୁ ଭାରତୀୟ ବଣିକମାନଙ୍କୁ ହଟାଇବା ପାଇଁ ଏବଂ ଭାରତୀୟ ଉପକୂଳରେ ନିଜ ବାଣିଜ୍ୟ–ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଲାଗି ଆହୁରି ଅଧିକ ଶକ୍ତିଶାଳୀ ସାମୁଦ୍ରିକ ଶକ୍ତିର ପ୍ରୟୋଗ କରିବାରେ ଲାଗିଲା ।

 

ଏହି ଅବସ୍ଥାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବିଚାରକୁ ନିଆଯାଇପାରେ । ଭାରତରେ ଓ ସମୁଦ୍ର ଭିତରେ ଯୁଦ୍ଧ କରିବାପାଇଁ ଏବଂ ସାମୁଦ୍ରିକ ବାହିନୀ, ସ୍ଥଳ ବାହିନୀ, ବିଭିନ୍ନ ଦୁର୍ଗ ତଥା ବାଣିଜ୍ୟ କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ କମ୍ପାନୀ ପ୍ରଚୁର ଅର୍ଥ ଦରକାର କରୁଥିଲା । ବ୍ରିଟିଶ ସରକାର କିମ୍ବା ଇଷ୍ଟ ଇଣ୍ଡିଆ କମ୍ପାନୀ କାହାରି ପାଖରେ ଆବଶ୍ୟକତା ପୂରଣ ଲାଗି ଏତେ ପରିମାଣର ଅର୍ଥ ନଥିଲା । ଭାରତରୁହିଁ ଏହି ଟଙ୍କା ସଂଗ୍ରହ କରିବାର ଉଦ୍ଦେଶ୍ୟ ଥିଲା । ସେଥିପାଇଁ କମ୍ପାନୀ କଲିକତା, ମାନ୍ଦ୍ରାଜ ଓ ବମ୍ବେ ଭଳି ସୁରକ୍ଷିତ ସହରଗୁଡ଼ିକ ଉପରେ ସ୍ଥାନୀୟ କର ଧାର୍ଯ୍ୟ କଲେ । କ୍ରମଶଃ କମ୍ପାନୀକୁ ତା’ର ଆର୍ଥିକ ସମ୍ବଳ ବୃଦ୍ଧି କରିବାପାଇଁ ଓ ଅନ୍ୟାନ୍ୟ ବହୁଅଞ୍ଚଳରେ କର ବସାଇବା ପାଇଁ ଭାରତରେ ରାଜ୍ୟ ବିସ୍ତାର କରିବା ଆବଶ୍ୟକ ହେଲା ।

 

ସେତେବେଳକୁ ଇଂରେଜ ପୁଞ୍ଜିବାଦ ବିକାଶର ଚରମ ପର୍ଯ୍ୟାୟରେ ଉପନୀତ ହେବାକୁ ଯାଉଥାଏ । ତେଣୁ ଅଧିକତର ବିକାଶଲାଗି ପ୍ରଚୁର ସମ୍ବଳ ବିନିଯୋଗ କରିବା ଦରକାର ପଡ଼ୁଥାଏ-। ମାତ୍ର ସେତେବେଳେ ବ୍ରିଟେନରେ ସେପରି ବିନିଯୋଗ ଲାଗି ସମ୍ବଳର ଅଭାବ-। ଏଥିପାଇଁ ପୁଞ୍ଜିବାଦୀମାନେ ବ୍ରିଟିଶ ପୁଞ୍ଜିବାଦର ବିକାଶ ଲାଗି ସମ୍ବଳ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଅନ୍ୟ ଦେଶଗୁଡ଼ିକୁ ଲୁଣ୍ଠନ କରିବାକୁ ଚାହିଁଲେ । ଭାରତ ଧନଶାଳୀ ଦେଶ ଭାବରେ ଖ୍ୟାତ ଥିବାରୁ ଏପରି ଉଦ୍ଦେଶ୍ୟ ସାଧନରେ ଅଧିକ ଉପଯୋଗୀ ମନେହେଲା ।

 

୧୭୫୦ ମସିହା ପରେ ପରେ ଯେତେବେଳେ ବଙ୍ଗ ଓ ଦକ୍ଷିଣ–ଭାରତ ଖୁବ୍ ଶୀଘ୍ର କମ୍ପାନୀର ରାଜନୈତିକ ଅଧୀନତା ସ୍ଵୀକାର କଲେ, ଏକଚାଟିଆ ବାଣିଜ୍ୟ ଓ ଆର୍ଥିକ ସମ୍ବଳର ନିୟନ୍ତ୍ରଣ–କମ୍ପାନୀର ଏଇ ଦୁଇଟିଯାକ ଲକ୍ଷ୍ୟ ପୂର୍ଣ୍ଣ ହେଲା । ଏତେ ଶୀଘ୍ର ଏହା ସମ୍ଭବ ହେବ, ଏ କଥା ଇଷ୍ଟ ଇଣ୍ଡିଆ କମ୍ପାନୀର ଡିରେକ୍ଟର୍‍ମାନେ ସ୍ଵପ୍ନରେ ସୁଦ୍ଧା ଭାବିପାରି ନଥିଲେ ।

 

ତା’ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ, ନିଜ ଅଧିକୃତ ଅଞ୍ଚଳର ରାଜସ୍ୱ ଉପରେ ପ୍ରତ୍ୟକ୍ଷ ନିୟନ୍ତ୍ରଣ ଜାରି କଲା ଓ ତା’ ସଙ୍ଗେ ସଙ୍ଗେ ସ୍ଥାନୀୟ ଶାସକ, ଜମିମାଲିକ ତଥା ଜମିଦାରମାନଙ୍କର ସଞ୍ଚିତ ବିପୁଳ ଅର୍ଥକୁ କରଗତ କରିବା ଅବସ୍ଥାକୁ ଆସିଗଲା । କମ୍ପାନୀ ନିଜପାଇଁ, କର୍ମଚାରୀମାନଙ୍କ ପାଇଁ ଏବଂ ଭାରତରେ ରାଜ୍ୟବିସ୍ତାର ଖର୍ଚ୍ଚ ତୁଲାଇବାପାଇଁ ଏହି ସମୁଦାୟ ଅର୍ଥ ତଥା ରାଜସ୍ୱକୁ ଆତ୍ମସାତ କଲା । ଉଦାହରଣସ୍ୱରୂପ ୧୭୬୫ ଓ ୧୭୭୦ ମସିହା ଭିତରେ କମ୍ପାନୀ ବଙ୍ଗରାଜସ୍ଵର ଶତକଡ଼ା ୩୩ ଭାଗ ଜିନିଷ ଆକାରରେ ବାହାରକୁ ରପ୍ତାନି କରିଥିଲା । ଏହା ବ୍ୟତୀତ କମ୍ପାନୀର ଅଫିସରମାନେ ଭାରତୀୟ ବ୍ୟବସାୟୀ, କର୍ମଚାରୀ ଓ ଜମିଦାରମାନଙ୍କଠାରୁ ବଳାତ୍କାରପୂର୍ବକ ପ୍ରଚୁର ଅର୍ଥ ଆଦାୟ କରି ସେହି ବେଆଇନ ଆୟକୁ ବାହାରକୁ ପଠାଉଥିଲେ । ବ୍ରିଟେନର ଶିଳ୍ପ ବିକାଶପାଇଁ ସମ୍ବଳ ଯୋଗାଇବା ଦିଗରେ ଭାରତରୁ ବାହାରକୁ ବହିଚାଲିଥିବା ଏହି ବିପୁଳ ସମ୍ପଦ ମୁଖ୍ୟ ଅଂଶଗ୍ରହଣ କରିଥିଲା । ହିସାବ କରି ଦେଖାଯାଇଛି ଯେ ଭାରତର ଏହି ଅର୍ଥ ତତ୍କାଳୀନ ବ୍ରିଟେନର ସମଗ୍ର ଜାତୀୟ ଆୟର ଶହେ ଭାଗରୁ ଦୁଇଭାଗ ଥିଲା ।

 

ଏସବୁ ସଙ୍ଗେ ସଙ୍ଗେ ଭାରତରେ ଉତ୍ପାଦନ ତଥା ବାଣିଜ୍ୟ–ବ୍ୟବସାୟ କ୍ଷେତ୍ରରେ ଏକଚାଟିଆ ଅଧିକାର ଲାଭ କରିବା ଦିଗରେ କମ୍ପାନୀ ନିଜର ରାଜନୈତିକ ଶକ୍ତିକୁ ପ୍ରୟୋଗ କଲା-। କ୍ରମେ ଭାରତୀୟ ବଣିକମାନେ ବ୍ୟବସାୟ ଛାଡ଼ିବାକୁ ବାଧ୍ୟହେଲେ ଏବଂ ଲୁଗାବୁଣାଳି ତଥା ଅନ୍ୟାନ୍ୟ କାରିଗରମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଆଶାତୀତ ଅଳ୍ପ ମୂଲ୍ୟରେ ବିକ୍ରି କରିବାପାଇଁ ବାଧ୍ୟ ହେଲେ । ତା’ ନକଲେ ସେମାନଙ୍କୁ କମ୍ ମଜୁରି ହାରରେ କମ୍ପାନୀର ମଜୁରିଆଭାବେ କାମ କରିବାକୁ ପଡ଼ିଲା । ବ୍ରିଟିଶ ଶାସନର ଏହି ପ୍ରଥମ ପର୍ଯ୍ୟାୟରେ ମୁଖ୍ୟତଃ ଶାସନ, ବିଚାର ପ୍ରଣାଳୀ, ପରିବହନ ଓ ସରବରାହ, କୃଷି ଓ ଶିଳ୍ପ ଉତ୍ପାଦନ ବ୍ୟବସ୍ଥା, ବ୍ୟବସାୟ ପରିଚାଳନା କିମ୍ବା ଶିକ୍ଷା ଓ ଜ୍ଞାନାର୍ଜନ କ୍ଷେତ୍ରରେ କୌଣସି ମୌଳିକ ପରିବର୍ତ୍ତନ ଘଟି ନଥିଲା-। ସେହି ପ୍ରଥମ ଅବସ୍ଥାରେ ବ୍ରିଟିଶ ଶାସନ ପାରମ୍ପରିକ ସାମ୍ରାଜ୍ୟଠାରୁ କୌଣସି ପ୍ରକାରେ ଭିନ୍ନ ନଥିଲା । ସାମ୍ରାଜ୍ୟ ଯେପରି ବାହାରର ଉପନିବେଶଗୁଡ଼ିକରୁ କେବଳ କର ଆଦାୟ କରି ସନ୍ତୁଷ୍ଟ ରହେ, ବ୍ରିଟିଶ ଶାସନ ଅତ୍ୟନ୍ତ ନିପୁଣଭାବରେ ତାହାହିଁ କରୁଥିଲା ।

 

ପୂର୍ବବର୍ତ୍ତୀ ଆଉ ଔପନିବେଶିକମାନଙ୍କୁ ଅନୁସରଣ କରି ବ୍ରିଟିଶମାନେ ମଧ୍ୟ ଗ୍ରାମାଞ୍ଚଳକୁ ପ୍ରବେଶ କରିବା ଆବଶ୍ୟକତା ଅନୁଭବ କଲେନାହିଁ; କାରଣ ପାରମ୍ପରିକ ରାଜସ୍ୱ ଆଦାୟ ସଂସ୍ଥା ଜରିଆରେ ସେମାନେ ଗ୍ରାମାଞ୍ଚଳର ବଳକା ଅର୍ଥକୁ ସଫଳତା ସହିତ ଶୋଷଣ କରିପାରିଲେ । ଫଳରେ ଶାସନ କ୍ଷେତ୍ରରେ ଯାହା ବା ପରିବର୍ତ୍ତନ କରାଗଲା, ତାହା କେବଳ ଏଇ ରାଜସ୍ୱ ଆଦାୟ ସଂଗଠନର ଆକୃତିରେ ପରିବର୍ତ୍ତନ ଏବଂ ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଦକ୍ଷ କରି ଗଢ଼ିବା ଥିଲା ଏସବୁ ପରିବର୍ତ୍ତନର ଏକମାତ୍ର ଉଦ୍ଦେଶ୍ୟ ।

 

ଜ୍ଞାନ ଆଉ ବିଦ୍‍ବତ୍ତା କ୍ଷେତ୍ରରେ ମଧ୍ୟ ପାଶ୍ଚାତ୍ୟ ଚିନ୍ତାଧାରାର ପ୍ରସାର ଲାଗି ଚେଷ୍ଟା କରାଗଲା ନାହିଁ । ଅଷ୍ଟାଦଶ ଶତାବ୍ଦୀର ଦ୍ଵିତୀୟ ଭାଗରେ କେବଳ ଦୁଇଟି ମାତ୍ର ନୂତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଗଲା–ଗୋଟିଏ କଲିକତାରେ ଏବଂ ଅନ୍ୟଟି ବାରାଣସୀରେ । ସେଗୁଡ଼ିକ ହେଲା ପାରମ୍ପରିକ ପାର୍ଶି ଓ ସଂସ୍କୃତ ସମ୍ବନ୍ଧୀୟ ଶିକ୍ଷାର ଦୁଇଟି କେନ୍ଦ୍ର । ଏପରିକି ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କୁ କମ୍ପାନୀ ଅଧିକୃତ ଅଞ୍ଚଳଠାରୁ ଦୂରରେ ରଖାଗଲା ।

 

ଏହା ମଧ୍ୟ ମନେରଖିବା ଉଚିତ ଯେ ବ୍ରିଟେନରେ ବିପୁଳ ଯୌଥ ବାଣିଜ୍ୟ ବ୍ୟବସାୟ ଯୁଗର ଠିକ୍ ଅବସାନ ହେଲାବେଳକୁ ଭାରତ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ଵାରା ଅଧିକୃତ । ତେଣୁ ବ୍ରିଟିଶ ସମୟରେ ମଧ୍ୟ କମ୍ପାନୀ ନୂତନ ସାମାଜିକ ଜାଗୃତିର ପ୍ରତିନିଧିତ୍ଵ କରିବା ପରିବର୍ତ୍ତେ ପୁରାତନ ଚିନ୍ତାଧାରାର ପ୍ରତୀକ ହୋଇ ରହିଗଲା ।

 

ଶିଳ୍ପ–ପୁଞ୍ଜିବାଦ ଓ ଅବାଧ ବାଣିଜ୍ୟର ଯୁଗ

 

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ରାଜ୍ୟ ପ୍ରତିଷ୍ଠା କରିବାମାତ୍ରେ ଏହି ନୂତନ ଅଧିକୃତ ସାମ୍ରାଜ୍ୟ କାହାର ସ୍ଵାର୍ଥସାଧନ ଦିଗରେ ସାହାଯ୍ୟ କରିବ, ସେ ବିଷୟ ନେଇ ବ୍ରିଟେନରେ ତୁମୂଳ ସଂଘର୍ଷ ଆରମ୍ଭ ହୋଇଗଲା । ବର୍ଷକୁ ବର୍ଷ କମ୍ପାନୀ ବ୍ରିଟେନର ଅନ୍ୟାନ୍ୟ ଶିଳ୍ପ ଓ ବାଣିଜ୍ୟିକ ସଂସ୍ଥାଗୁଡ଼ିକୁ ଏହି କ୍ଷେତ୍ରରେ ଅଧିକରୁ ଅଧିକ ସୁଯୋଗ ଦେବାକୁ ବାଧ୍ୟ ହେଲା । ୧୮୧୩ ଖ୍ରୀଷ୍ଟାବ୍ଦବେଳକୁ କମ୍ପାନୀ ଭାରତରେ ଅର୍ଥନୈତିକ ଓ ରାଜନୈତିକ ଶକ୍ତିର ଗୋଟିଏ ଛାୟା ହୋଇ ରହିଯାଇଥିଲା ମାତ୍ର । ବ୍ରିଟିଶ ପୁଞ୍ଜିବାଦୀ ଗୋଷ୍ଠୀର ସମୂହ ସ୍ଵାର୍ଥରକ୍ଷା ଉଦ୍ଦେଶ୍ୟରେ ପ୍ରକୃତ କ୍ଷମତାର ପ୍ରୟୋଗ କରିଥିଲେ ବ୍ରିଟିଶ ସରକାର ।

 

ଇତିମଧ୍ୟରେ ବ୍ରିଟେନରେ ଶିଳ୍ପ–ବିପ୍ଳବ ଆରମ୍ଭ ହୋଇଗଲା; ଫଳରେ ବ୍ରିଟେନ ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ପୃଥିବୀରେ ମୁଖ୍ୟସ୍ଥାନ ଅଧିକାର କଲା । ଦେଶ ଭିତରେ ମଧ୍ୟ ଗୋଟିଏ ବିରାଟ ପରିବର୍ତ୍ତନ ଆଣିଦେଲା ଶିଳ୍ପ–ବିପ୍ଳବ । କାଳକ୍ରମେ ପୁଞ୍ଜିବାଦୀ ଶିଳ୍ପପତିମାନେ ବ୍ରିଟେନର ଅର୍ଥନୀତି ଉପରେ କୃତିତ୍ଵ ବିସ୍ତାର କରିବା ସଙ୍ଗେ ସଙ୍ଗେ ରାଜନୈତିକ କ୍ଷେତ୍ରରେ ମଧ୍ୟ ଶକ୍ତିଶାଳୀ ହୋଇଉଠିଲେ । ତଦନୁଯାୟୀ ଭାରତରେ ଔପନିବେଶିକ ଶାସନକଳ ଓ ନୀତିକୁ ସେମାନଙ୍କ ସ୍ଵାର୍ଥରକ୍ଷାଲାଗି କାର୍ଯ୍ୟ କରିବାକୁ ପଡ଼ିଲା । ଏହି ସାମ୍ରାଜ୍ୟରେ ସେମାନେ ସ୍ୱାର୍ଥ ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ଗୋଟିଏ ବ୍ୟବସାୟ ସଂସ୍ଥାର ସ୍ଵାର୍ଥଠାରୁ ଅନେକ ଭିନ୍ନ ଥିଲା; ଫଳରେ ଭାରତରେ ବ୍ରିଟିଶ ଶାସନ ତା’ର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରବେଶ କଲା ।

 

ଭାରତୀୟ ହସ୍ତଶିଳ୍ପ ରପ୍ତାନି କ୍ଷେତ୍ରରେ ଏକଚାଟିଆ ଅଧିକାର ପାଇ କିମ୍ବା ଭାରତୀୟ ରାଜସ୍ୱ ପ୍ରତ୍ୟକ୍ଷଭାବେ ଉପଭୋଗ କରି ବ୍ରିଟିଶ ଶିଳ୍ପପତିମାନେ ବିଶେଷ ଲାଭବାନ ହେଲେନାହିଁ । ଅନ୍ୟ ପାଖରେ ସେମାନେ ସେମାନଙ୍କର ବଢ଼ିଚାଲିଥିବା ଉତ୍ପାଦିତ ଦ୍ରବ୍ୟର ବିକ୍ରିପାଇଁ ବିଦେଶରେ କାରବାର କରୁଥିଲେ । ଭାରତ ଭଳି ଗୋଟିଏ ବିରାଟ ଜନବହୁଳ ଦେଶ ସେମାନଙ୍କ ପାଇଁ ଲୋଭନୀୟ ଥିଲା । ଏହା ସଙ୍ଗେ ସଙ୍ଗେ ବ୍ରିଟେନରେ କଳକାରଖାନା ପାଇଁ କଞ୍ଚାମାଲ ଦରକାର ଥିଲା ଓ ବ୍ରିଟିଶ ଶ୍ରମିକମାନଙ୍କ ପାଇଁ ଖାଦ୍ୟଦ୍ରବ୍ୟର ଆବଶ୍ୟକତା ମଧ୍ୟ ରହିଥିଲା । ସେମାନେ ଏସବୁ ବିଦେଶରୁ ଆମଦାନୀ କରୁଥିଲେ । କହିବାକୁ ଗଲେ, ବ୍ରିଟେନ ସେତେବେଳେ ଭାରତକୁ ବାଣିଜ୍ୟ କ୍ଷେତ୍ରରେ ଗୋଟିଏ ଅଧସ୍ତନ ଅଂଶୀଦାର ଭାବରେ ଚାହିଁଲା; ଫଳରେ ଭାରତ କେବଳ ଯେ ଗୋଟିଏ ଶୋଷଣ ଉପଯୋଗୀ ‘ମାର୍କେଟ’ ଭାବରେ ବ୍ୟବହୃତ ହୋଇପାରିବ କେବଳ ସେତିକି ନୁହେଁ, ଗୋଟିଏ ପରାଧୀନ ଉପନିବେଶ ଭାବରେ ବ୍ରିଟେନପାଇଁ ଦରକାରୀ ଖାଦ୍ୟ ପଦାର୍ଥ ଓ କଞ୍ଚାମାଲ ମଧ୍ୟ ଉତ୍ପାଦନ କରି ଯୋଗାଇବ ।

 

କିନ୍ତୁ ଅନ୍ୟ ଗୋଟିଏ ସମସ୍ୟା ଦେଖାଦେଲା । ଭାରତକୁ ଯେତେ ମାଲ ଆମଦାନୀ ହେଉଥିଲା, ତା’ର ମୂଲ୍ୟ ଭାରତକୁ ଦେବାକୁ ପଡ଼ୁଥିଲା । କମ୍ପାନୀ ଅଂଶୀଦାରଙ୍କୁ ଲାଭାଂଶ ଦେବାପାଇଁ ଓ ବ୍ରିଟିଶ ବେସାମରିକ ତଥା ସାମରିକ କର୍ମଚାରୀମାନଙ୍କ ପେନ୍‍ସନ୍ ଭତ୍ତା ଆଦି ଦେବାଲାଗି ଭାରତକୁ ବିପୁଳ ସମ୍ପଦ ବିଦେଶକୁ ପଠାଇବାକୁ ପଡ଼ୁଥିଲା । ଏହା ବ୍ୟତୀତ ଏହି ବ୍ରିଟିଶ କର୍ମଚାରୀମାନେ ନିଜ ଦେଶକୁ ଫେରିଗଲାବେଳେ ସେମାନଙ୍କ ସଞ୍ଚିତ ଧନ ସାଙ୍ଗରେ ନେଇଯିବା ଲାଗି ମଧ୍ୟ ଅନୁମତି ଦେବାକୁ ହେଲା । ବ୍ରିଟିଶ ବ୍ୟବସାୟୀ ଓ ଚା’ ବଗିଚା ମାଲିକମାନଙ୍କର ଲାଭଧନ ମଧ୍ୟ ଭାରତରୁ ବାହାରକୁ ପଠାଇବା ଦରକାର ପଡ଼ିଲା । କେବଳ ଏତିକି ନୁହେଁ, ଭାରତରେ ଯେତେ ବ୍ରିଟିଶ ପୁଞ୍ଜି ଖଟାଯାଇଥିଲା, ତା’ର ଲାଭାଂଶ ତଥା ସୁଧ ମଧ୍ୟ ଭାରତକୁ ଦେବାକୁ ହେଲା । ଏସବୁପାଇଁ ଭାରତ କେତେକ ଉତ୍ପାଦିତ ଦ୍ରବ୍ୟ ବ୍ରିଟେନ ଓ ଅନ୍ୟ ଦେଶକୁ ରପ୍ତାନି କରିବାକୁ ପଡ଼ିଲା; କିନ୍ତୁ ଭାରତର ପରମ୍ପରାଗତ ହସ୍ତଶିଳ୍ପ ରପ୍ତାନି ବ୍ୟବସାୟ ସେତେବେଳକୁ ବନ୍ଦ ହୋଇଯାଇଥାଏ । ତା’ଛଡ଼ା ସବୁଠାରୁ ବଡ଼ ସମସ୍ୟା ହେଲା, ଭାରତକୁ ଏପରି ମାଲ ରପ୍ତାନି କରିବାକୁ ଦିଆଯିବ ନାହିଁ; ଯାହାକି ବ୍ରିଟେନର ଗୃହଶିଳ୍ପ ଯେପରିକି ସୂତାଲୁଗା ପ୍ରଭୃତି ସହିତ ପ୍ରତିଯୋଗିତା କରିବ । ସେଥିପାଇଁ ଭାରତରୁ କେବଳ କୃଷି ଉତ୍ପାଦନ ଓ ଅନ୍ୟାନ୍ୟ ଅନୁତ୍ପାଦିତ କଞ୍ଚାମାଲ ରପ୍ତାନି କରାଯାଇପାରିବ ବୋଲି ସ୍ଥିର ହେଲା । ସେତେବେଳକୁ ଚୀନ କଟକଣା ଜାରିକରି ଅଫିମ ଆମଦାନୀ ସମ୍ପୂର୍ଣ୍ଣରୂପେ ବନ୍ଦ କରିଥିଲେ ସୁଦ୍ଧା ଭାରତରେ ଅଫିମ ଉତ୍ପାଦନ ଓ ଚୀନ ଦେଶକୁ ତା’ର ରପ୍ତାନି ଆହୁରି ବୃଦ୍ଧି ପାଇଥାଏ । ତାହା ବ୍ୟତୀତ ଭାରତ ସରକାର ତୂଳା, ଝୋଟ, ରେଶମ, ତୈଳବୀଜ, ଗହମ, ହାଡ଼ ଓ ଚମଡ଼ା, ନୀଳ ଓ ଚା’ ପ୍ରଭୃତିର ରପ୍ତାନି ବ୍ୟବସାୟ ବୃଦ୍ଧି କରିବାରେ ଲାଗିପଡ଼ିଲେ । ଏହିପରି ଭାବରେ ଭାରତର ବୈଦେଶିକ ବାଣିଜ୍ୟର ପ୍ରଣାଳୀ ନାଟକୀୟ ରୀତିରେ ସମ୍ପୂର୍ଣ୍ଣରୂପେ ବଦଳିଗଲା; କିନ୍ତୁ ତାହା କୌଣସିମତେ ଏ ଦେଶର ସ୍ଵାର୍ଥର ଅନୁକୂଳ ନଥିଲା । ଭାରତ ଶହ ଶହ ବର୍ଷ ଧରି ସୂତା ଲୁଗା ଓ ଅନ୍ୟାନ୍ୟ ହସ୍ତଶିଳ୍ପ ଦ୍ରବ୍ୟର ରପ୍ତାନିକାରୀ ଦେଶ ଭାବରେ ପରିଚିତ ଥିଲାବେଳେ ଊନବିଂଶ ଶତାବ୍ଦୀରେ କପାତୂଳା ଓ ଅନ୍ୟ କଞ୍ଚାମାଲ ରପ୍ତାନି କରି ସୂତାଲୁଗା ଆମଦାନୀ କରିବାକୁ ଆରମ୍ଭ କଲା ।

 

ସେତେବେଳର ଆର୍ଥିକ, ରାଜନୈତିକ ଓ ସାଂସ୍କୃତିକ ପରିବେଷ୍ଟନୀ ଏପରି ଥିଲା ଯେ ସେହି ପରିସ୍ଥିତି ଭିତରେ ଭାରତ ଏସବୁ ନୂଆପ୍ରକାର କାର୍ଯ୍ୟ କରିବାପାଇଁ ଅସମର୍ଥ ହେଲା । ତେଣୁ ବ୍ରିଟିଶ ଅର୍ଥନୀତିର ବିକାଶ ଦିଗରେ ନିଜର ନୂତନ ଦାୟିତ୍ଵ ସୂଚାରୁରୂପେ ସଂପନ୍ନ କରିବା ଲାଗି ଭାରତକୁ ତା’ର ଅଭ୍ୟନ୍ତରୀଣ ପରିସ୍ଥିତିରେ ପରିବର୍ତ୍ତନ ଆଣିବାକୁ ପଡ଼ିଲା । ତା’ର ପରମ୍ପରାଗତ ଅଣପୁଞ୍ଜିବାଦୀ ଅର୍ଥନୀତିକୁ ଭାଙ୍ଗିଦେବାକୁ ପଡ଼ିଲା ୧୮୧୩ ଖ୍ରୀଷ୍ଟାବ୍ଦ ପରେ ଏଇ ସବୁ ଲକ୍ଷ୍ୟ ପୂରଣ ଲାଗି ଭାରତର ବ୍ରିଟିଶ ସରକାର ଭାରତୀୟ ସମାଜ, ଶାସନ ଓ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବାପାଇଁ ଆୟୋଜନ କଲେ ।

 

ଅର୍ଥନୈତିକ କ୍ଷେତ୍ରରେ ବ୍ରିଟିଶ ପୁଞ୍ଜିପତିମାନଙ୍କୁ ବିନା କଟକଣାରେ ଭାରତରେ ପ୍ରବେଶାଧିକାର ଦିଆଗଲା ଏବଂ ସେମାନଙ୍କୁ ଇଚ୍ଛାନୁସାରେ କାର୍ଯ୍ୟ କରିବାପାଇଁ ଅନୁମତି ମିଳିଲା-। ଏହା ବ୍ୟତୀତ ଶୁଳ୍କବିହୀନ ବାଣିଜ୍ୟର ପ୍ରବର୍ତ୍ତନ କରାଗଲା ଏବଂ ଭାରତୀୟ ବଜାର ଓ ପୋତାଶ୍ରୟଗୁଡ଼ିକ ବ୍ରିଟିଶ ଉତ୍ପାଦନକାରୀମାନଙ୍କ ପାଇଁ ଅବାରିତ ଉନ୍ମୁକ୍ତ ହେଲା । ତେଣୁ ବ୍ରିଟିଶ ଦ୍ରବ୍ୟଗୁଡ଼ିକ ଭାରତୀୟ ବଜାରକୁ ସାମାନ୍ୟ ଶୁଳ୍କ କିମ୍ବା ବିନା ଶୁଳ୍କରେ ପ୍ରବେଶ କଲା । ଶାସନ କାର୍ଯ୍ୟ କେବଳ ବାଣିଜ୍ୟପଥର ନିରାପତ୍ତା ପାଇଁ, ଶାନ୍ତିଶୃଙ୍ଖଳା ରକ୍ଷା ଓ ଖଜଣା ଆଦାୟରେ ଆବଦ୍ଧ ନରହି ଆହୁରି ଅନେକ ପ୍ରକାର କାର୍ଯ୍ୟକୁ ନେଇ ବିସ୍ତୃତ ହୋଇପଡ଼ିଲା । ପ୍ରଶାସନ ବ୍ୟାପକ ହେବାଦ୍ଵାରା କ୍ରମଶଃ ତାହା ଗ୍ରାମଗୁଡ଼ିକୁ ସ୍ପର୍ଶ କଲା; ଫଳରେ ବ୍ରିଟେନରୁ ଆସୁଥିବା ବିଭିନ୍ନ ଦ୍ରବ୍ୟ ଦେଶର ଆଭ୍ୟନ୍ତରରେ ଥିବା ଛୋଟ ଛୋଟ ସହର ଓ ଗାଁରେ ପହଞ୍ଚି ପାରିଲା ଏବଂ ଗ୍ରାମାଞ୍ଚଳରୁ ରପ୍ତାନିପାଇଁ କୃଷିଜାତ ଦ୍ରବ୍ୟ ମଧ୍ୟ ସଂଗୃହୀତ ହୋଇପାରିଲା ଏବଂ ଗ୍ରାମାଞ୍ଚଳରୁ ରପ୍ତାନିପାଇଁ କୃଷିଜାତ ଦ୍ରବ୍ୟ ମଧ୍ୟ ସଂଗୃହୀତ ହୋଇପାରିଲା । ଊନବିଂଶ ଶତାବ୍ଦୀରେ ଭାରତରେ ବ୍ରିଟିଶ ଶାସନର ରୂପରେଖ ଏହିପରି ଶୀଘ୍ର ପରିବର୍ତ୍ତିତ ହେବାକୁ ଲାଗିଲା ।

 

ଭାରତର ବ୍ୟବସାୟ ବାଣିଜ୍ୟକୁ ପୁଞ୍ଜିବାଦର ଭିତ୍ତି ଉପରେ ପ୍ରତିଷ୍ଠା କରିବାକୁ ହେଲେ ଭାରତୀୟ ସମାଜର, ଆଇନ ବ୍ୟବସ୍ଥାର ବ୍ୟାପକ ପରିବର୍ତ୍ତନ ଆବଶ୍ୟକ । ଉଦାହରଣସ୍ୱରୂପ, ଆମଦାନୀ–ରପ୍ତାନି ବାଣିଜ୍ୟର ବିକାଶପାଇଁ ଦୈନିକ ଲକ୍ଷଲକ୍ଷବାର ଅର୍ଥନୈତିକ ଆଦାନ–ପ୍ରଦାନ ଦରକାର ଏବଂ ସେଥିପାଇଁ ବ୍ୟବସାୟ ସଂକ୍ରାନ୍ତୀୟ ଚୁକ୍ତିର ଅଲଙ୍ଘନୀୟତା ଦେଶର ମୌଳିକ ନୀତି ଓ ଆଇନ ବୋଲି ଘୋଷିତ ହେବା ଉଚିତ । ତେଣୁ ଭାରତୀୟ ଦଣ୍ଡ ବ୍ୟବସ୍ଥା ଭଳି ସମ୍ପୂର୍ଣ୍ଣ ନୂଆ ପ୍ରକାର ଆଇନ ଓ ବିଧିବିଧାନକୁ ଭିତ୍ତି କରି ନ୍ୟାୟ ବିଚାରର ଗୋଟିଏ ନୂତନ ପ୍ରଣାଳୀ ପ୍ରବର୍ତ୍ତିତ ହେଲା ।

 

ଦେଶର ଏହି ନୂତନ ଏବଂ ସୁବିସ୍ତୃତ ଶାସନ ତଥା ବିଚାର ବିଭାଗ ସହିତ ବ୍ରିଟିଶ ବ୍ୟବସାୟ ସଂସ୍ଥାଗୁଡ଼ିକର ତଳ ପାହ୍ୟାପାଇଁ ମଧ୍ୟ ବହୁସଂଖ୍ୟକ ଶିକ୍ଷିତ ଲୋକଙ୍କର ନିଯୁକ୍ତି ଆବଶ୍ୟକ ହେଲା । ବ୍ରିଟେନର ଲୋକସଂଖ୍ୟାଦୃଷ୍ଟିରୁ ଏଥିପାଇଁ ଏତେ ସଂଖ୍ୟକ ଲୋକ ମିଳିବା ତ ସମ୍ଭବ ନଥିଲା, ତା’ ଛଡ଼ା ଅନୁକୂଳ ଜଳବାୟୁ ନଥିବା ଏକ ଦୂରବର୍ତ୍ତୀ ଉପନିବେଶକୁ ଇଂରେଜ ଲୋକଙ୍କୁ ଆକର୍ଷିତ କରିବାକୁ ହେଲେ ଯେଉଁ ଉଚ୍ଚ ହାରରେ ବେତନ ଦେବାକୁ ପଡ଼ନ୍ତା, ଭାରତ ସରକାର କିମ୍ବା ବ୍ରିଟିଶ ବ୍ୟବସାୟୀ କେବେହେଲେ ସେତେ ଟଙ୍କା ଖର୍ଚ୍ଚ କରିବାପାଇଁ ପ୍ରସ୍ତୁତ ନଥିଲେ; ଫଳରେ ୧୮୩୩ ଖ୍ରୀଷ୍ଟାବ୍ଦ ପରେ ବ୍ରିଟିଶ ସରକାର ଭାରତରେ ଆଧୁନିକ ଶିକ୍ଷାର ପ୍ରବର୍ତ୍ତନ କଲେ ଓ ତା’ର ପ୍ରସାର ଦିଗରେ ମଧ୍ୟ ଯତ୍ନବାନ ହେଲେ ।

 

ବହୁ ପରିମାଣର ଆମଦାନୀ ଓ ତା’ଠାରୁ ଅଧିକ ପରିମାଣର କଞ୍ଚାମାଲ ରପ୍ତାନିପାଇଁ ସହଜ ଓ ଶସ୍ତା ପରିବହନ ବ୍ୟବସ୍ଥା ଦରକାର ପଡ଼ିଲା । ସେଥିପାଇଁ ସରକାର ରାସ୍ତାଗୁଡ଼ିକର ଉନ୍ନତି କରିବା ସଙ୍ଗେ ସଙ୍ଗେ ନଦୀରେ ବାଷ୍ପୀୟ ପୋତ ଯାତାୟାତ ବ୍ୟବସ୍ଥା ପ୍ରବର୍ତ୍ତନ କଲେ । ଏହା ଛଡ଼ା ୧୮୫୩ ମସିହା ପରେ ସୁବିସ୍ତୃତ ରେଳପଥ ନିର୍ମାଣ କରି ଦେଶର ପ୍ରଧାନ ପ୍ରଧାନ ସହର ଓ ବ୍ୟବସାୟ କେନ୍ଦ୍ରଗୁଡ଼ିକୁ ପୋତାଶ୍ରୟ ସହିତ ସଂଯୁକ୍ତ କଲେ । ୧୯୦୫ ମସିହାବେଳକୁ ପ୍ରାୟ ୩୫୦ କୋଟି ଟଙ୍କା ଖର୍ଚ୍ଚରେ ୨୮,୦୦୦ ମାଇଲବ୍ୟାପୀ ରେଳପଥ ନିର୍ମିତ ହୋଇଥିଲା । ସେହିପରି ଆଧୁନିକ ଡାକତାର ବ୍ୟବସ୍ଥା ପ୍ରବର୍ତ୍ତନ କରାଗଲା; ଯାହା ଫଳରେ ବାଣିଜ୍ୟ–ବ୍ୟବସାୟ ସମ୍ପର୍କୀୟ ଯୋଗାଯୋଗ ସହଜ ଓ ସୁବିଧାଜନକ ହେଲା ।

 

ଏହି ସମୟରେ ବ୍ରିଟିଶ ରାଷ୍ଟ୍ରନାୟକ ଓ ଭାରତରେ ଥିବା ବ୍ରିଟିଶ ଶାସକବର୍ଗଙ୍କ ମଧ୍ୟରେ ଉଦାର ସାମ୍ରାଜ୍ୟବାଦୀ ରାଜନୈତିକ ଚିନ୍ତାଧାରାର ଅଭ୍ୟୁଦୟ ହେଲା । ଊନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ବ୍ରିଟେନ ଏକମାତ୍ର ସମ୍ପୂର୍ଣ୍ଣ ଶିଳ୍ପୋନ୍ନତ ରାଷ୍ଟ୍ର ଥିଲା; ଫଳରେ ବ୍ରିଟେନକୁ ପୃଥିବୀର କଳକବଜା ଘର ବୋଲି କୁହାଯାଉଥିଲା । ପୃଥିବୀର ଅଧିକାଂଶ ଜଳପଥ ବ୍ରିଟିଶ ନିୟନ୍ତ୍ରଣାଧୀନ ଥିଲା । ଏସବୁ ଦେଶ ଏବଂ ସାରା ପୃଥିବୀ ଭିତରେ ବ୍ରିଟେନର ବିଭିନ୍ନ ଦ୍ରବ୍ୟ ନିର୍ମାଣ କରିବାର ଏକଚାଟିଆ ଅଧିକାର ଉପରେ ଗଭୀର ଆସ୍ଥା ସ୍ଥାପନ କରି ଉକ୍ତ ଶାସକବର୍ଗ ବିଶ୍ଵାସ କରୁଥିଲେ ଯେ, ଯେତେଦିନ ପର୍ଯ୍ୟନ୍ତ ଶୁଳ୍କବିହୀନ ବାଣିଜ୍ୟର ସୁବିଧା ରହିଥିବ, ସେତେଦିନ ପର୍ଯ୍ୟନ୍ତ ବ୍ରିଟେନ ପରୋକ୍ଷରେ ହେଉପଛେ ଶାସନକାଳର ସାହାଯ୍ୟ ନେଇ ଭାରତରେ ନିଜର ଅର୍ଥନୈତିକ ଶୋଷଣ କାର୍ଯ୍ୟ ଚାଲୁରଖିପାରିବ । ଅନ୍ୟାନ୍ୟ ଦେଶ ପ୍ରତି ମଧ୍ୟ ଏହା ପ୍ରଯୁଜ୍ୟ ବୋଲି ସେମାନେ ଭାବୁଥିଲେ-। ସେଥିପାଇଁ ସେମାନେ ସ୍ୱାୟତ୍ତ ଶାସନ ବିଷୟରେ ଭାରତୀୟମାନଙ୍କୁ ତାଲିମ ଦେବା କଥା କହୁଥିଲେ; ଯାହା ଫଳରେ କି କାଳକ୍ରମେ ଭାରତୀୟମାନଙ୍କ ହାତକୁ ରାଜନୈତିକ କ୍ଷମତା ହସ୍ତାନ୍ତର କରାଯାଇପାରିବ । ପରବର୍ତ୍ତୀ କାଳରେ ଭାରତୀୟ ଜାତୀୟବାଦୀମାନେ ସେମାନଙ୍କ ରାଜନୈତିକ ଆନ୍ଦୋଳନ ଚାଲିଥିଲାବେଳେ ଘୋଷଣାକୁ ଉଦ୍ଧାର କରୁଥିଲେ ।

 

ବ୍ରିଟିଶ ଶାସନର ଦ୍ଵିତୀୟ ପର୍ଯ୍ୟାୟରେ ଏକ ନୂତନ ଅର୍ଥନୈତିକ ଶୋଷଣ ପ୍ରଣାଳୀ ପ୍ରବର୍ତ୍ତନ କରାଗଲା; ତା’ର ଅର୍ଥ ନୁହେଁ ଯେ ପୂର୍ବରୁ ଯେଉଁ ପ୍ରକାରର ଶୋଷଣ ଚାଲିଥିଲା ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ସେତେବେଳଯାଏ ଅନଧିକୃତ ରହିଯାଇଥିବା ଭାରତର ଅବଶିଷ୍ଟ ଅଞ୍ଚଳକୁ କବଳିତ କରି ବ୍ରିଟିଶ ଶାସନକୁ ସୁଦୃଢ଼ କରିବାରେ ଭାରତର ରାଜସ୍ୱ ଖର୍ଚ୍ଚ ହେଉଥିଲା । ହଜାର ହଜାର ପ୍ରଶାସନ ଓ ସାମରିକ ଇଂରେଜ ଅଫିସରମାନଙ୍କୁ ଉଚ୍ଚ ହାରରେ ବେତନ ଦେବାରେ ଏବଂ ଭାରତୀୟ ବାଣିଜ୍ୟାଞ୍ଚଳକୁ ଉପନିବେଶବାଦଦ୍ଵାରା ଅଧ୍ୟୁଷିତ କରିବାଲାଗି ଆବଶ୍ୟକୀୟ ଅର୍ଥନୈତିକ ଓ ପ୍ରଶାସନିକ ପରିବର୍ତ୍ତନର ଖର୍ଚ୍ଚ ଯୋଗାଇବାରେ ମଧ୍ୟ ଭାରତୀୟ ରାଜସ୍ଵର ଆବଶ୍ୟକତା ପଡ଼ୁଥିଲା । ଫଳସ୍ୱରୂପ ବ୍ରିଟିଶ ଶାସନର ନୂତନ ପର୍ଯ୍ୟାୟରେ ଭାରତୀୟ କୃଷିଜୀବୀମାନଙ୍କ ଉପରେ ଟିକସଭାର ଶୀଘ୍ର ଶୀଘ୍ର ବୃଦ୍ଧି ପାଇବାକୁ ଲାଗିଲା ।

 

ସେ ସମୟରେ ନୀଳ, ଅଫିମ ଓ ଚା’ ଭଳି କେତେକ ଭାରତୀୟ ଜିନିଷ ଯାହାକି ବ୍ରିଟିଶ ଉତ୍ପାଦନକାରୀମାନଙ୍କ ସହିତ ପ୍ରତିଯୋଗିତା କରୁ ନଥିଲା, ସେସବୁର ଉତ୍ପାଦନ ବୃଦ୍ଧି ଲାଗି ଯତ୍ନ କରାଗଲା; ମାତ୍ର ସରକାର କିମ୍ବା ଭାରତରେ ଥିବା ବ୍ରିଟିଶ ପୁଞ୍ଜିପତିମାନଙ୍କ ନିୟନ୍ତ୍ରଣାଧୀନ ରହିଲା-। ଏହା ବ୍ୟତୀତ ଭାରତ ଉପରେ ଯେଉଁ ଶୁଳ୍କବିହୀନ ବାଣିଜ୍ୟ ବ୍ୟବସ୍ଥା ଚପାଇ ଦିଆଯାଇଥିଲା, ତାହା ଏକପକ୍ଷୀୟ ଥିଲା । ଯେଉଁସବୁ ଭାରତୀୟ ଜିନିଷ, କାରିଗରୀ ବୁଦ୍ଧି ସଂପନ୍ନ ଇଂରେଜମାନଙ୍କ ଉତ୍ପାଦିତ ଦ୍ରବ୍ୟ ବା ସେମାନଙ୍କ ନିୟନ୍ତ୍ରଣାଧୀନ ଉପନିବେଶର ଦ୍ରବ୍ୟଗୁଡ଼ିକ ସହିତ ପ୍ରତିଯୋଗିତା କରିବାଲାଗି ସମର୍ଥ ଥିଲା, ବ୍ରିଟେନରେ ସେସବୁ ଜିନିଷ ଉପରେ ସର୍ବାଧିକ ଆମଦାନୀ ଶୁଳ୍କ ଧାର୍ଯ୍ୟ କରାଯାଇଥିଲା । ଉଦାହରଣସ୍ୱରୂପ, ୧୮୨୪ ମସିହାରେ ଭାରତୀୟ ସୂତାଲୁଗା ଉପରେ ଶତକଡ଼ା ୩୦ ଭାଗରୁ ୭୦ ଭାଗ ପର୍ଯ୍ୟନ୍ତ ଶୁଳ୍କ ଧାର୍ଯ୍ୟ କରାଯାଇଥିଲା । ଭାରତୀୟ ଚିନିର ପ୍ରକୃତ ମୂଲ୍ୟର ତିନିଗୁଣ କେବଳ ଥିଲା ଆମଦାନୀ ଶୁଳ୍କ । ବ୍ରିଟେନରେ କେତେକ ଜିନିଷ ଉପରେ ଶତକଡ଼ା ୪୦ ଭାଗ କର ଦେବାକୁ ପଡ଼ୁଥିଲା । ଯେତେବେଳେ ବ୍ରିଟେନକୁ ସେସବୁ ଜିନିଷର ରପ୍ତାନି ସମ୍ପୂର୍ଣ୍ଣରୂପେ ବନ୍ଦ ହୋଇଯାଉଥିଲା, ସେତେବେଳେ ତା’ ଉପରୁ ଆମଦାନୀ ଶୁଳ୍କ ମଧ୍ୟ ଉଠାଇ ଦିଆଯାଉଥିଲା । ଏହା ବ୍ୟତୀତ ସରକାରଙ୍କର ନିଷ୍ପତ୍ତି ଅନୁସାରେ ଭାରତରେ ମଧ୍ୟ ବହୁପ୍ରକାର ଅଭ୍ୟନ୍ତରୀଣ ଅସମ ବାଣିଜ୍ୟ ଶୁଳ୍କ ପ୍ରବର୍ତ୍ତନ କରାଯାଇଥିବାରୁ ବ୍ୟବସାୟ କ୍ଷେତ୍ରରେ ଗୋଟିଏ ସର୍ବଭାରତୀୟ ବଜାର ପ୍ରତିଷ୍ଠିତ ହୋଇପାରୁ ନଥିଲା ଏବଂ ଫଳରେ ଭାରତୀୟ ଉତ୍ପାଦନକାରୀମାନେ ତାହାର ସୁବିଧା ଲାଭ କରିବାରୁ ବଞ୍ଚିତ ଥିଲେ । ଭାରତ ଏପରି ଗୋଟିଏ ବିପରୀତାତ୍ମକ ଅବସ୍ଥାରେ ପଡ଼ି ନିଜ ଦ୍ରବ୍ୟଗୁଡ଼ିକର ପରିବହନ ଉପରେ କରଧାର୍ଯ୍ୟକୁ ଗ୍ରହଣ କରୁଥିଲାବେଳେ ବିଦେଶୀ ଜିନିଷ ବିନା ଶୁଳ୍କରେ ଭାରତୀୟ ବଜାରରେ ବିକ୍ରି ହେଉଥିଲା । ୧୮୪୦ ଖ୍ରୀଷ୍ଟାବ୍ଦରେ ଏହି ଆଭ୍ୟନ୍ତରୀଣ ଶୁଳ୍କ ଉଠାଇ ଦିଆଗଲା; କିନ୍ତୁ ସେତେବେଳକୁ ବ୍ରିଟିଶ ଉତ୍ପାଦନକାରୀମାନେ ଭାରତୀୟ ବଜାରରେ ନିଶ୍ଚିତରୂପେ ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦନ କରି ସାରିଥିଲେ ।

 

ବୈଦେଶିକ ପୁଞ୍ଜି ବିନିଯୋଗ ଓ ଉପନିବେଶ ଲାଗି ଆନ୍ତର୍ଜାତିକ ପ୍ରତିଯୋଗିତା

 

ପୃଥିବୀର ଅର୍ଥନୈତିକ ପରିସ୍ଥିତିରେ ତିନିଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସଂଘଟିତ ହେବା ଫଳରେ ୧୮୬୦ ଖ୍ରୀଷ୍ଟାବ୍ଦରେ ଭାରତରେ ବ୍ରିଟିଶ ଶାସନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେଲା ବୋଲି କୁହାଯାଇପାରେ । କ୍ରମେ ପଶ୍ଚିମ ୟୁରୋପର ଅନ୍ୟାନ୍ୟ ଦେଶ ଓ ଉତ୍ତର ଆମେରିକାର ଶିଳ୍ପ–ବିକାଶ ଓ ଶିଳ୍ପୋନ୍ନତି ହେଲା । ତା’ ସହିତ ଆର୍ଥିକ କ୍ଷେତ୍ରରେ ତଥା ଉତ୍ପାଦନକାରୀ ଭାବରେ ବ୍ରିଟେନ ତାହାର ମହତ୍ତ୍ଵ ହରାଇ ବସିଲା । ଫ୍ରାନ୍‍ସ, ବେଲଜିୟମ୍, ଜର୍ମାନୀ, ଯୁକ୍ତରାଷ୍ଟ୍ର–ଆମେରିକା, ରୁଷିଆ ଓ ପରେ ଜାପାନରେ ବୃହତ ଓ ଶକ୍ତିଶାଳୀ ଶିଳ୍ପ ପ୍ରତିଷ୍ଠାନ ସବୁ ବିକାଶ ଲାଭ କଲା ଏବଂ ଏଇ ସବୁ ଦେଶ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ଲାଗି ବିଦେଶୀ ବଜାର ଅନୁସନ୍ଧାନରେ ଲାଗିପଡ଼ିଲେ । ବଜାରପାଇଁ ପୃଥିବୀବ୍ୟାପୀ ପ୍ରବଳ ପ୍ରତିଯୋଗିତା ଆରମ୍ଭ ହୋଇଗଲା ।

 

ଦ୍ଵିତୀୟରେ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ବିଜ୍ଞାନକୁ ଶିଳ୍ପୋନ୍ନତି ଦିଗରେ ବ୍ୟବହାର କରାଯିବାରୁ ଯାନ୍ତ୍ରିକ କାରିଗରୀ ବିଦ୍ୟାର ମଧ୍ୟ ପ୍ରଭୂତ ବିକାଶ ସାଧିତ ହେଲା । ଆଧୁନିକ ଇସ୍ପାତ ଶିଳ୍ପ ସେହି ସମୟରେହିଁ ଜନ୍ମଲାଭ କରିଥିଲା । ୧୮୫୦ ଖ୍ରୀଷ୍ଟାବ୍ଦରେ ପୃଥିବୀରେ ଇସ୍ପାତ ଉତ୍ପାଦନର ପରିମାଣ ଥିଲା ମାତ୍ର ୮୦,୦୦୦ ଟନ୍ । ଏପରିକି ୧୮୭୦ ଖ୍ରୀଷ୍ଟାବ୍ଦରେ ଉତ୍ପାଦନର ପରିମାଣ ସାତଲକ୍ଷ ଟନ୍‍ରୁ କମ୍ ଥିଲା । ୧୯୦୦ ଖ୍ରୀଷ୍ଟାବ୍ଦବେଳକୁ ଏହି ପରିମାଣ ଦୁଇକୋଟି ଅଶୀଲକ୍ଷ ଟନ୍‍ରେ ପହଞ୍ଚିଥିଲା । ଆଧୁନିକ ରସାୟନ ଶିଳ୍ପର ପ୍ରତିଷ୍ଠା ଆଭ୍ୟନ୍ତରୀଣ ଦହନ ଇଞ୍ଜିନ୍ (internal combustion engine)ମାନଙ୍କରେ ଇନ୍ଧନରୂପେ ପେଟ୍ରୋଲ୍‍ର ବ୍ୟବହାର ଏବଂ ଶିଳ୍ପ ଉଦ୍ଦେଶ୍ୟରେ ବିଦ୍ୟୁତର ଉପଯୋଗ ପ୍ରଭୃତି ଏହି ସମୟରେ ବିକାଶ ଲାଭ କଲା । ଅର୍ଥାତ୍ ଏକପକ୍ଷରେ ଶିଳ୍ପବିକାଶର ଗତି ଦ୍ରୁତତର ହେବାକୁ ଲାଗିଲା ଏବଂ ଅନ୍ୟପକ୍ଷରେ କଳକାରଖାନାଗୁଡ଼ିକ ପାଇଁ ପ୍ରଚୁର ପରିମାଣର କଞ୍ଚାମାଲ ଆବଶ୍ୟକ ପଡ଼ିଲା; ଯାହାର ଅଭାବରେ ଶିଳ୍ପାନୁଷ୍ଠାନଗୁଡ଼ିକ ସମ୍ପୂର୍ଣ୍ଣରୂପେ ବନ୍ଦ ହୋଇଯିବା ନିଶ୍ଚିତ । ଦ୍ରୁତ ଶିଳ୍ପବିକାଶଦ୍ଵାରା ସହରାଞ୍ଚଳର ଲୋକସଂଖ୍ୟା ବଢ଼ିବାରେ ଲାଗିଲା ଓ ଫଳରେ ଅଧିକରୁ ଅଧିକ ଖାଦ୍ୟ ମଧ୍ୟ ଦରକାର ହେଲା । ଏହାର ପରିଣତିସ୍ୱରୂପ ସମଗ୍ର ପୃଥିବୀରେ କଞ୍ଚାମାଲ ଓ ଖାଦ୍ୟଦ୍ରବ୍ୟର ନୂତନ ତଥା ନିଶ୍ଚିତ କୌଣସି ଉତ୍ସର ବ୍ୟାପକ ଅନୁସନ୍ଧାନ ଚାଲିଲା । ଆଫ୍ରିକା, ଏସିଆ ଓ ଆମେରିକୀୟ ଦ୍ଵୀପପୁଞ୍ଜର ବିଭିନ୍ନ ଦେଶରେ ଯେଉଁ କୃଷି ଓ ଖଣିଜ କଞ୍ଚାମାଲ ମହଜୁଦ୍ ଥିଲା, ସେସବୁକୁ ଦଖଲ କରି ତା’ ଉପରେ ଏକ କର୍ତ୍ତୃତ୍ଵ ପ୍ରତିଷ୍ଠା କରିବା ନେଇ ଏହି ଦେଶଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଗଲା ।

 

ତୃତୀୟରେ, ଶିଳ୍ପ ଓ ବାଣିଜ୍ୟର ଦ୍ରୁତ ବିକାଶ ଏବଂ ଉପନିବେଶ ଓ ସେଥିରେ ଥିବା ବଜାରଗୁଡ଼ିକର ଶୋଷଣ ଫଳରେ ଶିଳ୍ପୋନ୍ନତ ପୁଞ୍ଜିବାଦୀ ଦେଶମାନଙ୍କରେ ବହୁପରିମାଣରେ ଅର୍ଥ ଜମା ହେଲା । ସେଥିରେ ପୁଣି ଏହି ପୁଞ୍ଜି ଅଳ୍ପ କେତେକ ବ୍ୟାଙ୍କ୍, କର୍ପୋରେସନ, ଟ୍ରଷ୍ଟ୍ ଓ ବ୍ୟବସାୟୀ ସଂସ୍ଥା ହାତରେ ଅଧିକରୁ ଅଧିକ ବଢ଼ିବାକୁ ଲାଗିଲା । ଉକ୍ତ ପୁଞ୍ଜିର ବିନିଯୋଗ ପାଇଁ ଉପଯୁକ୍ତ ଉପାୟ ଖୋଜିବାକୁ ପଡ଼ିଲା । ସେହି ସବୁ ଉନ୍ନତ ଦେଶରେ ମଧ୍ୟ ବହୁ ଲୋକ ଦରିଦ୍ର ଥିଲେ ଏବଂ ସେଥିଯୋଗୁଁ ଏହି ଅର୍ଥର ବିନିଯୋଗ ପାଇଁ ଯଥେଷ୍ଟ ସୁବିଧା ଥିଲା । କିନ୍ତୁ ସେ ଦେଶଗୁଡ଼ିକର ଶ୍ରମିକ ଶ୍ରେଣୀ ସେତେବେଳକୁ ସଂଗଠିତ ହେବାକୁ ଆରମ୍ଭ କରିଥିଲା । ତେଣୁ ପ୍ରଚୁର ପୁଞ୍ଜିର ବିନିଯୋଗ ତଥା ତା’ର ଅଭିବୃଦ୍ଧି, ସଂଗଠିତ ଶ୍ରମିକଶ୍ରେଣୀର ବଳ ବଢ଼ାଇବାରେ ସାହାଯ୍ୟ କରିବ ବୋଲି ଆଶଙ୍କା କରାଯାଉଥିଲା । ଏପରିକି ସେତେବେଳକୁ ଯେଉଁ ସବୁ ଶିଳ୍ପ ଓ ଉଦ୍ୟୋଗ ରହିଥିଲା, ଏହାଦ୍ଵାରା ସେଥିରେ ମଧ୍ୟ ଲାଭାଂଶ ହ୍ରାସ ପାଇବା ପୁଞ୍ଜିବାଦୀମାନେ ଆଶଙ୍କା କରୁଥିଲେ । ଅନ୍ୟପକ୍ଷରେ ଯଦି ଖଣିଜପଦାର୍ଥ ଓ କୃଷି ସମ୍ପର୍କୀୟ କଞ୍ଚାମାଲ ଉତ୍ପନ୍ନ କରିବାପାଇଁ ଉକ୍ତ ସମ୍ବଳକୁ ବିଦେଶରେ ବିନିଯୋଗ କରାଯାଏ, ତେବେ ଗୋଟିଏ ପଥରଦ୍ଵାରା ବହୁତ ପକ୍ଷୀ ଶିକାର କରିବା ସମ୍ଭବ ହେବ ବୋଲି ଆଶା ପ୍ରକାଶ ପାଇଲା । ବଳକା ପୁଞ୍ଜିର ତ ବିନିଯୋଗ ହୋଇପାରିବ, ତା’ ଛଡ଼ା ଅନୁନ୍ନତ ଦେଶଗୁଡ଼ିକରେ ମଜୁରି ହାର ଖୁବ୍ କମ୍ ଥିବାରୁ ପ୍ରଚୁର ଅର୍ଥ ଲାଭ ହେବା ସୁନିଶ୍ଚିତ । ଏଥିସହିତ ନିଜ ଦେଶର ଶିଳ୍ପାନୁଷ୍ଠାନ ଓ କଳକାରଖାନାକୁ ସେଗୁଡ଼ିକର ସର୍ବପ୍ରଧାନ ଆବଶ୍ୟକତା ଅର୍ଥାତ୍ କଞ୍ଚାମାଲ ଯୋଗାଣ ମଧ୍ୟ ଚାଲୁରଖାଯାଇପାରିବ । ତେଣୁ ଶିଳ୍ପୋନ୍ନତ ପୁଞ୍ଜିବାଦୀ ଦେଶଗୁଡ଼ିକ ବଳକା ପୁଞ୍ଜିର ବିନିଯୋଗ ପାଇଁ ଅନୁକୂଳ ସ୍ଥାନ ନିରୂପଣ କରିବାରେ ଲାଗିପଡ଼ିଲେ ।

 

ସାମ୍ରାଜ୍ୟବାଦର ପ୍ରସାର ସେହି ସମୟରେ ସାମ୍ରାଜ୍ୟବାଦୀ ଦେଶମାନଙ୍କରେ ଏକ ନୀତିଗତ ଓ ରାଜନୈତିକ ଉଦ୍ଦେଶ୍ୟବି ସାଧନ କଲା । ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଜନସାଧାରଣଙ୍କ ଉପରେ ଗଣତାନ୍ତ୍ରିକ ମନୋଭାବର ପ୍ରବଳ ପ୍ରଭାବ ଦେଖାଦେଲା ଏବଂ ଯୁକ୍ତରାଷ୍ଟ୍ର–ଆମେରିକା ତଥା ପଶ୍ଚିମ ୟୁରୋପର ପ୍ରାୟ ସମସ୍ତ ଦେଶରେ ଜନସାଧାରଣ ଭୋଟ ଅଧିକାର ଲାଭ କଲେ । କୃଷକ ଓ ଶ୍ରମିକମାନେ ଏହି ଭୋଟ ଅଧିକାରକୁ ସେମାନଙ୍କ ନିଜ ଶ୍ରେଣୀର ସ୍ଵାର୍ଥରକ୍ଷା ଉଦ୍ଦେଶ୍ୟରେ ବ୍ୟବହାର କରି ପକେଇବାର ଆଶଙ୍କା ଧନଶାଳୀ ଶାସନଶ୍ରେଣୀକୁ ବିବ୍ରତ କଲା । ସେତେବେଳକୁ ସମାଜ ଉପରେ ଧନିକଶ୍ରେଣୀର ଅର୍ଥନୈତିକ ଓ ରାଜନୈତିକ ପ୍ରଭୁତ୍ଵ ପ୍ରାୟ ନିଶ୍ଚିହ୍ନ ହୋଇଯାଇଥିଲା । ଏହି ସମସ୍ୟାରୁ ଉଦ୍ଧାର ପାଇବାର ଉପାୟ ହେଲା ସାମ୍ରାଜ୍ୟବାଦ । ସାମ୍ରାଜ୍ୟବାଦୀ ଚିନ୍ତାଧାରାକୁ ବ୍ୟବହାର କରି ବାହ୍ୟ ପ୍ରତିଷ୍ଠା ଅର୍ଜନ, ଉଗ୍ର ଦେଶଭକ୍ତି ଓ ଜାତୀୟତାବାଦର ପ୍ରସାର ତଥା ଆତ୍ମସ୍ତୁତି ଓ ଆତ୍ମଶ୍ଳାଘା ମନୋବୃତ୍ତି ଇତ୍ୟାଦିଦ୍ଵାରା ଲୋକମାନଙ୍କର ଦୃଷ୍ଟିକୋଣ ନିବଦ୍ଧ ରଖିବାପାଇଁ ଚେଷ୍ଟା କରାଗଲା । ଏସବୁ କରାଯାଉଥିଲା କେବଳ ସେମାନଙ୍କ ସମାଜକୁ ପୁଞ୍ଜିବାଦର ଭିତ୍ତି ଉପରେ ଆହୁରି ସୁଦୃଢ଼ ଓ ସ୍ଥାୟୀ କରି ଗଢ଼ିତୋଳିବା ପାଇଁ । ଆବର୍ଜନାପୂର୍ଣ୍ଣ ବସ୍ତିରେ ବାସ କରୁଥିବା ଯେଉଁ ବ୍ରିଟିଶ ଶ୍ରମିକମାନଙ୍କର ଜୀବନଯାତ୍ରା ପଥ ଦିନେହେଲେ ସୂର୍ଯ୍ୟ ରଶ୍ମୀଦ୍ଵାରା ଆଲୋକିତ ହୁଏ ନାହିଁ, ସେମାନଙ୍କ ମନରେ ମିଥ୍ୟା ଆତ୍ମଗୌରବ ଓ ସନ୍ତୋଷ ଆଣିବା ଲାଗି ସ୍ଲୋଗାନ ଦିଆଗଲା ଯେ, “ବ୍ରିଟିଶ ସାମ୍ରାଜ୍ୟରେ କେବେହେଲେ ସୂର୍ଯ୍ୟ ଅସ୍ତ ହୁଏନାହିଁ ।’’ ଜର୍ମାନୀଲୋକେ ନିଜକୁ ଓ ନିଜ ଦେଶକୁ ଶ୍ରେଷ୍ଠ ବୋଲି ପ୍ରତିପାଦନ କଲେ । ଫ୍ରାନ୍‍ସର ଜନତା ନିଜକୁ ସଭ୍ୟତାର ଅଗ୍ରଦୂତ ବୋଲି ବିଶ୍ଵାସ କଲେ । ଜାପାନ ସମଗ୍ର ଏସିଆ ମହାଦେଶର ଓ ରୁଷିଆ ‘ସ୍ଲାଭ୍’ (slaves )ମାନଙ୍କର ରକ୍ଷାକାରୀ ବୋଲି ଦାବି କଲେ । ଉତ୍ତର ଆମେରିକୀୟମାନେ ନିଜକୁ ଲାଟିନ୍‍ ଆମେରିକାର ତତ୍ତ୍ଵାବଧାରକ ବୋଲି ଘୋଷଣା କଲେ । ଏହାଦ୍ଵାରାହିଁ ଲାଟିନ୍‍ ଆମେରିକାର ଭାଗ୍ୟୋଦୟ ଘଟିପାରେ । ସେମାନେ ମଧ୍ୟ ବିଶ୍ଵାସ କଲେ ଯେ, ବିଂଶ ଶତାବ୍ଦୀ ହେଉଛି “ଆମେରିକୀୟ ଶତାବ୍ଦୀ” । ରାଜ୍ୟବିସ୍ତାର, ସାମ୍ରାଜ୍ୟବାଦ ଓ ଜାତୀୟ ମହନୀୟତା ସମ୍ପର୍କୀୟ ଚିନ୍ତାଧାରାର ପ୍ରସାର ଫଳରେ ଭୋଟ ଅଧିକାର ମିଳିବା ପୂର୍ବରୁ ଯେଉଁ ପ୍ରକାର ଶାସନ ଚାଲିଥିଲା, ଭୋଟବେଳରେ ଲୋକମାନେ ଠିକ୍ ସେହି ପ୍ରକାରର ସରକାର ହାତରେ କ୍ଷମତା ଅର୍ପଣ କଲେ । ଏହି ସମସ୍ତ କାର୍ଯ୍ୟର ଉଦ୍ଦେଶ୍ୟ ଥିଲା–ସମ୍ପୂର୍ଣ୍ଣ କର୍ତ୍ତୃତ୍ଵାଧୀନରେ ରହିଲା ଭଳି ଉପନିବେଶର ଅନୁସନ୍ଧାନ କରିବା; ଯେଉଁ ଉପନିବେଶର କଞ୍ଚାମାଲ ଓ ବଜାର ଉପରେ ତଥା ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଔପନିବେଶିକ ସାମ୍ରାଜ୍ୟବାଦୀ ଦେଶ ପ୍ରଭୁତ୍ୱ ପ୍ରତିଷ୍ଠା କରି ପାରିବ । ଏପରି ଉପନିବେଶ ଭାବରେ ଔପନିବେଶିକ ରାଷ୍ଟ୍ରର ନିୟନ୍ତ୍ରଣାଧୀନରେ ରହିବା ଭଳି ଅଞ୍ଚଳ ଯେତେବେଳେ ବିରଳ ହେବାକୁ ଲାଗିଲା, ନୂତନ ଉପନିବେଶ ସ୍ଥାପନ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ଆହୁରି ତୀବ୍ରରୁ ତୀବ୍ରତର ହେଲା । ପୃଥିବୀକୁ ବିଭିନ୍ନ ଭାଗରେ ବିଭକ୍ତ କରି ଉପନିବେଶରେ ପରିଣତ କରିବା ଉଦ୍ଦେଶ୍ୟରେ ଯେଉଁ ସଂଗ୍ରାମ ଚାଲିଥିଲା, ତାହା ପରିବର୍ତ୍ତିତ ହୋଇ ଉପନିବେଶ ଜଗତକୁ ପୁନର୍ବିଭାଗ କରିବାର ସଂଘର୍ଷରେ ପରିଣତ ହେଲା-

 

ଏହି ସମୁଦାୟ ସମୟକୁ ବ୍ରିଟେନର ଦୁର୍ଗତି ଓ ଦୁର୍ବଳତାର ଏକ ପର୍ଯ୍ୟାୟ ବୋଲି କୁହାଯିବ । କାରଣ ନୂତନ–ଶିଳ୍ପୋନ୍ନତ ପୁଞ୍ଜିବାଦୀ ଦେଶଗୁଡ଼ିକ ବାଣିଜ୍ୟ ଓ ସମ୍ବଳ ବିନିଯୋଗ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କରି ବ୍ରିଟେନର ସ୍ଵାର୍ଥ ଓ ସମ୍ମାନ କ୍ଷୁଣ୍ଣ କଲେ । ଫଳରେ ବ୍ରିଟେନ ନିଜ ସାମ୍ରାଜ୍ୟ ଉପରେ କର୍ତ୍ତୃତ୍ଵକୁ ଆହୁରି ସୁଦୃଢ଼ ଓ ସ୍ଥାୟୀ କରିବା ସଙ୍ଗେ ସଙ୍ଗେ ସାମ୍ରାଜ୍ୟ ବିସ୍ତାର ଦିଗରେ ମଧ୍ୟ ପ୍ରବଳ ପ୍ରଚେଷ୍ଟା ଚଳାଇଲା ।

 

ଭାରତରେ ବ୍ରିଟିଶ ଶାସନର ତୃତୀୟ ପର୍ଯ୍ୟାୟରେ ସାମ୍ରାଜ୍ୟବାଦୀ ପ୍ରଭୁତ୍ୱ ପୁନର୍ବାର ଦୃଢ଼ୀଭୂତ ହେବାକୁ ଲାଗିଲା । ଏହା ଲିଟନ୍‍, ଡଫରିନ, ଲାନ୍ ସଡ଼ାଉନ୍ ଓ ସର୍ବୋପରି ଲର୍ଡ଼ କର୍ଜନ୍ ପ୍ରଭୃତି ତତ୍କାଳୀନ ଭାଇସ୍‍ରୟମାନଙ୍କର ପ୍ରତିକ୍ରିୟାଶୀଳ ନୀତିରୁ ସ୍ପଷ୍ଟ ଜଣାପଡ଼େ । ବ୍ରିଟେନ ପୃଥିବୀର ଚାରିଆଡ଼େ ପ୍ରବଳ ପ୍ରତିଦ୍ଵନ୍ଦ୍ୱିତାର ସମ୍ମୁଖୀନ ହୋଇ ବ୍ରିଟିଶ ପୁଞ୍ଜି ଖଟାଇବା ଦିଗରେ ଭାରତକୁ ସ୍ଵର୍ଗତୁଲ୍ୟ ମନେକଲେ ।

 

୧୮୫୦ ଖ୍ରୀଷ୍ଟାବ୍ଦପରେ ବ୍ରିଟିଶ ପୁଞ୍ଜିର ଅଧିକାଂଶ ରେଳ ଚଳାଚଳ ବ୍ୟବସ୍ଥାରେ ଓ ଭାରତ ସରକାରଙ୍କୁ ଋଣ ଦେବାରେ ବିନିଯୋଗ କରାଯାଇଥିଲା । ସେହି ସମ୍ବଳର ଅଳ୍ପାଂଶ ଚା’ ବଗିଚା, କୋଇଲା ଉତ୍ତୋଳନ, ଝୋଟକଳ, ଜଳପଥ ପରିବହନ, ବାଣିଜ୍ୟ ଓ ବ୍ୟାଙ୍କ୍ ବ୍ୟବସାୟରେ ମଧ୍ୟ ବିନିଯୋଗ କରାଯାଇଥିଲା । ଅର୍ଥନୈତିକ ଓ ରାଜନୈତିକ ଆପଦରୁ ଏହି ବ୍ରିଟିଶ ପୁଞ୍ଜିର ସୁରକ୍ଷାପାଇଁ ଭାରତରେ ବ୍ରିଟିଶ ଶାସନକୁ ଆହୁରି ଦୃଢ଼ଭାବରେ ଚପାଇ ଦିଆଯିବା ଆବଶ୍ୟକ ହେଲା । ଏହା ସମସାମୟିକ ବ୍ରିଟିଶ ନେତୃବୃନ୍ଦ ଓ ଅଫିସରମାନେ ମଧ୍ୟ ମୁକ୍ତକଣ୍ଠରେ ସ୍ଵୀକାର କରିଛନ୍ତି । ବେସାମରିକ ଅଫିସର ତଥା ବମ୍ବେର ଗଭର୍ଣ୍ଣର ରିଚାର୍ଡ଼ ଟେମ୍ପଲ୍ ୧୮୮୦ ମସିହାରେ ଲେଖିଥିଲେ ଯେ, ଇଂଲଣ୍ଡ ଭାରତକୁ ନିଶ୍ଚିତରୂପେ ନିୟନ୍ତ୍ରଣାଧୀନ ରଖିବ..., କାରଣ ସରଳଭାବେ କହିବାକୁ ଗଲେ ଭାରତରେ ବ୍ରିଟିଶ ଶାସନ ଚିରସ୍ଥାୟୀ ବୋଲି ପ୍ରତିଶ୍ରୁତି ଦିଆଯାଇଥିବାରୁ ଏ ଦେଶରେ ପ୍ରଚୁର ପରିମାଣରେ ବ୍ରିଟିଶ ପୁଞ୍ଜି ବିନିଯୋଗ କରାଯାଇଛି ।

 

ବ୍ରିଟିଶ ସାମ୍ରାଜ୍ୟବାଦର କାର୍ଯ୍ୟକ୍ରମ ଭିତରେ ଭାରତ ଅନ୍ୟ ଏକ ମୁଖ୍ୟ ଦାୟିତ୍ଵ ମଧ୍ୟ ଗ୍ରହଣ କରିଥିଲା । ଆଫ୍ରିକା ଓ ଏସିଆ ମହାଦେଶରେ ବ୍ରିଟିଶଶକ୍ତିକୁ ଆହୁରି ବିସ୍ତୃତ ଓ ସୁଦୃଢ଼ କରିବା ଦିଗରେ ଭାରତୀୟ ସ୍ଥଳବାହିନୀ ଥିଲା ପ୍ରଧାନ ଅସ୍ତ୍ର । ଏହା ସମଗ୍ର ପୃଥିବୀର ବିଭିନ୍ନ ଯୁଦ୍ଧକ୍ଷେତ୍ରରେ ବ୍ରିଟିଶ ସାମ୍ରାଜ୍ୟର ସହାୟତା କରୁଥିଲା । ଫଳରେ ଏହି ସ୍ଥାୟୀ ସ୍ଥଳବାହିନୀ ପାଇଁ ଭାରତର ପ୍ରଚୁର ଅର୍ଥ ଖର୍ଚ୍ଚ ହୋଇଯାଉଥିଲା । ଏପରିକି ୧୯୦୪ ମସିହାରେ ସୈନ୍ୟବାହିନୀ ଲାଗି ଭାରତକୁ ଶତକଡ଼ା ବାଉନ ଭାଗ ରାଜସ୍ୱ ଖର୍ଚ୍ଚ କରିବାକୁ ପଡ଼ିଥିଲା ।

 

ଭାରତୀୟମାନଙ୍କୁ ସ୍ୱାୟତ୍ତ ଶାସନ ସମ୍ପର୍କରେ ଶିକ୍ଷା ଦେବା ସମ୍ପର୍କରେ ଯେତେ କଥାବାର୍ତ୍ତା ପୂର୍ବରୁ ଚାଲିଥିଲା, ଏହି ସମୟରେ ସେ ସବୁ ପ୍ରାୟ ବନ୍ଦ ହୋଇଗଲା । ୧୯୧୮ ମସିହାରେ ଭାରତୀୟ ଜାତୀୟ ଆନ୍ଦୋଳନର ପ୍ରଭାବରେ ଏହାର ପୁନରାବୃତ୍ତି ହୋଇଥିଲା । ପ୍ରତିବଦଳରେ ବ୍ରିଟିଶ ଶାସନକୁ ‘ଭାରତର ଚିରସ୍ଥାୟୀ ତତ୍ତ୍ଵାବଧାନ’ ବା ‘ହିତୈଷୀ ଏକଛତ୍ର ଶାସନ’ (benevolent despotism) ରୂପେ ଘୋଷଣା କରାଗଲା । ଏ କଥା ମଧ୍ୟ କୁହାଗଲା ଯେ ଭୌଗୋଳିକ ଐତିହାସିକ, ସାମାଜିକ, ସାଂସ୍କୃତିକ ଓ ବର୍ଣ୍ଣଗତ ବିଭିନ୍ନ କାରଣ ଯୋଗୁଁ ଭାରତୀୟ ଲୋକେ ଚିରଦିନ ଲାଗି ସ୍ୱାୟତ୍ତ ଶାସନପାଇଁ ଅକ୍ଷମ । ସେଥିପାଇଁ ଆଗାମୀ ବହୁ ଶତାବ୍ଦୀ ପର୍ଯ୍ୟନ୍ତ ଇଂରେଜମାନଙ୍କୁ ସଭ୍ୟ ଓ ହିତୈଷୀ ଶାସନ ଯୋଗାଇଦେବାକୁ ପଡ଼ିବ ।

 

ଭାରତର ସମସ୍ତ ପରିବର୍ତ୍ତନ ଯାହାକି ପୂର୍ବବର୍ତ୍ତୀକାଳରେ ଆରମ୍ଭ ହୋଇଥିଲା, ତାହା ତୃତୀୟ ପର୍ଯ୍ୟାୟରେ ଅବ୍ୟାହତ ରହିଲା । ଏପରିକି ବ୍ରିଟିଶ ଶାସନ ଭାରତର ପ୍ରତ୍ୟେକ କୋଣ, ଅନୁକୋଣ ତଥା ଭାରତୀୟ ସମାଜକୁ ସ୍ପର୍ଶ କରିବାର ଆବଶ୍ୟକତା ଅଧିକ ପରିମାଣରେ ଅନୁଭବ କଲା । ବ୍ରିଟେନର ଲାଭପାଇଁ ଦେଶର ପ୍ରତ୍ୟେକ ପୋତାଶ୍ରୟ, ପ୍ରତ୍ୟେକ ସହର ଓ ଗ୍ରାମ ପୃଥିବୀର ଅର୍ଥନୀତି ସହିତ ସଂଯୁକ୍ତ ହେବା ଦରକାର ପଡ଼ିଲା । ମାତ୍ର ପୂର୍ବଥର ଭଳି ଏହି ପରିବର୍ତ୍ତନ ଅତ୍ୟନ୍ତ ସୀମିତ ଓ ଏକପକ୍ଷୀୟ ଥିଲା । ଏହି ପକ୍ଷପାତ ନୀତି ଭାରତର ବ୍ରିଟିଶ ଉପନିବେଶବାଦର ଚରିତ୍ରଗତ ଗୁଣ ଥିଲା ।

 

କେତେକ କାରଣ ମଧ୍ୟରୁ ପ୍ରଥମତଃ, ପୂର୍ବେ ଯେପରି ଭାରତରେ ଇଂରେଜମାନଙ୍କର ରାଜ୍ୟବିସ୍ତାର ପାଇଁ ଭାରତୀୟ ରାଜସ୍ଵରୁ ବ୍ୟୟ କରାଯାଉଥିଲା, ସେହିପରି ବର୍ତ୍ତମାନ ଭାରତର ପ୍ରଶାସନିକ, ଅର୍ଥନୈତିକ ଓ ସାଂସ୍କୃତିକ ପରିବର୍ତ୍ତନ ଲାଗି ଭାରତୀୟ ରାଜସ୍ଵରୁ ଖର୍ଚ୍ଚ କରାଗଲା । ମାତ୍ର ଭାରତ ଥିଲା ଗୋଟିଏ ଗରିବ ଦେଶ ଏବଂ ଉପନିବେଶବାଦ ତାକୁ ଆହୁରି ଗରିବ କରିଦେଲା । ଯେତେବେଳେ ଆର୍ଥିକ ଦୃଷ୍ଟିରୁ ଗୋଟିଏ ବିକାଶଶୀଳ ଦେଶ ଅଧିକରୁ ଅଧିକ ରାଜସ୍ୱ ସହଜରେ ଯୋଗାଇପାରିଥାନ୍ତା, ସେତେବେଳେ ଭାରତର ଅଧିକ ରାଜସ୍ଵର ଅର୍ଥ ହେଲା ଆହୁରି ଅଧିକ କରଧାର୍ଯ୍ୟ । ସେ ଯାହାହେଉ, ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଏପରି କରବୃଦ୍ଧିର ଗୋଟିଏ ସୀମା ଥିଲା । ଯଦି ଏକ ଅପରିବର୍ତ୍ତନୀୟ ସ୍ଥାଣୁ ଅର୍ଥନୈତିକ ପରିସ୍ଥିତିରେ ବର୍ଦ୍ଧିତ ହାରରେ କରଧାର୍ଯ୍ୟ କରାଯାଏ, ତାହାହେଲେ ପ୍ରାୟ ଗଣବିପ୍ଳବ ଦେଖାଦେଇଥାଏ । ଏହାବ୍ୟତୀତ ଭାରତ ଏକାଧାରରେ ବ୍ୟୟବହୁଳ ଶାସନ ଓ ସାମରିକ ସଂସ୍ଥା ଏବଂ ଶିକ୍ଷା, ଜଳସେଚନ, ପରିବହନ ଓ ଆଧୁନିକ ଶିଳ୍ପବିକାଶ ପାଇଁ ସମ୍ବଳ ଯୋଗାଇବାକୁ ଏକାନ୍ତ ଅସମର୍ଥ ଥିଲା । ପ୍ରକୃତପକ୍ଷେ, ଭାରତରେ ଉପନିବେଶବାଦର ଏହା ହେଉଛି ଏକ ବିପରୀତାତ୍ମକ ପରିସ୍ଥିତିର କେନ୍ଦ୍ରବିନ୍ଦୁ । ଯେତେବେଳେ ଔପନିବେଶିକ ଶୋଷଣ ଓ ଲୁଣ୍ଠନ ଆହୁରି ଅଧିକତର ବିସ୍ତାର ଲାଗି ଆଭ୍ୟନ୍ତରୀଣ ବିକାଶ ଦରକାର କରୁଥିଲା, ସେହି ଶୋଷଣ ଓ ଲୁଣ୍ଠନ ଯୋଗୁଁହିଁ ଭାରତ ଆର୍ଥିକ ଦୃଷ୍ଟିରୁ ପଛରେ ପଡ଼ିଗଲା ଏବଂ ଫଳରେ ଅଧିକତର ବିସ୍ତୃତ ଅସମ୍ଭବ ହୋଇପଡ଼ିଲା ।

 

ଦ୍ଵିତୀୟତଃ ଔପନିବେଶିକ କର୍ତ୍ତୃପକ୍ଷ, ଭାରତର ଆଧୁନିକୀକରଣର ଫଳାଫଳ ଦେଖିସାରିବାପରେ ତାହା ବନ୍ଦ କରିବା ଦିଗରେ ଚେଷ୍ଟିତ ହେଲେ । ଏପରିକି ସାମାନ୍ୟତମ ପରିବର୍ତ୍ତନ ଫଳରେ ସମାଜରେ ଯେଉଁ ନୂତନ ଶକ୍ତିର ସଂଚାର ହେଲା, ତାହା ସାମ୍ରାଜ୍ୟବାଦ ତଥା ତା’ର ଶୋଷଣର ତୀବ୍ର ବିରୋଧ କରିବାକୁ ଆରମ୍ଭ କଲା । ତେଣୁ ଔପନିବେଶିକ କର୍ତ୍ତୃପକ୍ଷ ଦୋଘାଇରେ ପଡ଼ି ଅନ୍ୟ ଏକ ବିଷମ ସଙ୍କଟର ସମ୍ମୁଖୀନ ହେଲେ । ଭାରତକୁ ଏକ ଲାଭପ୍ରଦ ଉପନିବେଶ କରି ରଖିବା ଲାଗି ଯେଉଁ ପରିବର୍ତ୍ତନ ଅତ୍ୟନ୍ତ ଆବଶ୍ୟକ ହେଲା, ସେହି ପରିବର୍ତ୍ତନ ସମ୍ଭୂତ ସାମାଜିକ ଶକ୍ତି ସଂଗଠିତହୋଇ ଉପନିବେଶବାଦ ବିରୁଦ୍ଧରେ ସଂଘର୍ଷ କରିବା ଫଳରେ ଶାସନବ୍ୟବସ୍ଥା ବିପଦଗ୍ରସ୍ତ ହେଲା ।

 

ଭାରତରେ ଉପନିବେଶବାଦର ମୌଳିକ ବିଭାବ

 

ଊନବିଂଶ ଶତାବ୍ଦୀ ଶେଷହେଲାବେଳକୁ, ବ୍ରିଟିଶ ଶାସନ ଫଳରେ ଭାରତ ଗୋଟିଏ ଉଦାହରଣଯୋଗ୍ୟ ଉପନିବେଶରୂପେ ପରିଚିତ ହୋଇସାରିଥିଲା । ବ୍ରିଟିଶ ଉତ୍ପାଦନକାରୀମାନଙ୍କର ଏହା ଥିଲା ଗୋଟିଏ ସୁବୃହତ ବଜାର; କଞ୍ଚାମାଲ ଓ ଖାଦ୍ୟଦ୍ରବ୍ୟର ଗୋଟିଏ ବିପୁଳ ଭଣ୍ଡାର ଏବଂ ବ୍ରିଟିଶ ପୁଞ୍ଜି ବିନିଯୋଗ ପାଇଁ ଏକ ପ୍ରକୃଷ୍ଟ କ୍ଷେତ୍ର । ସାମ୍ରାଜ୍ୟର ସ୍ଵାର୍ଥରକ୍ଷା ପାଇଁ ଏହାର କୃଷିଜାତ ଦ୍ରବ୍ୟ ଉପରେ ଅତ୍ୟଧିକ କରଧାର୍ଯ୍ୟ କରାଯାଇଥିଲା । ପରିବହନ ବ୍ୟବସ୍ଥା, ଆଧୁନିକ ଖଣି ଓ ଶିଳ୍ପ, ବୈଦେଶିକ ବାଣିଜ୍ୟ, ଉପକୂଳବର୍ତ୍ତୀ ତଥା ଆନ୍ତର୍ଜାତିକ ଜାହାଜ ଚଳାଚଳ ସଂସ୍ଥା, ବ୍ୟାଙ୍କ୍ ଓ ବୀମା କମ୍ପାନୀ ପ୍ରଭୃତିର ଅଧିକ ଭାଗ ବୈଦେଶିକ ନିୟନ୍ତ୍ରଣାଧୀନ ଥିଲା । ହଜାର ହଜାର ସଂଖ୍ୟକ ମଧ୍ୟବିତ୍ତ ଶ୍ରେଣୀର ଇଂରେଜ ଭାରତରେ ନିଯୁକ୍ତି ପାଇଥିଲେ ଓ କେବଳ ଇଂରେଜମାନଙ୍କୁ ବେତନ ଦେବାରେ ଏ ଦେଶର ଏକତୃତୀୟାଂଶ ରାଜସ୍ୱ ଖର୍ଚ୍ଚ ହେଉଥିଲା । ସୁବିସ୍ତୃତ ବ୍ରିଟିଶ ସାମ୍ରାଜ୍ୟର ରକ୍ଷଣାବେକ୍ଷଣ ଏବଂ ପ୍ରାଚ୍ୟ, ଦକ୍ଷିଣପୂର୍ବ, ମଧ୍ୟ ଓ ପଶ୍ଚିମ ଏସିଆ ତଥା ଉତ୍ତର, ପୂର୍ବ ଓ ଦକ୍ଷିଣ ଆଫ୍ରିକାରେ ବ୍ରିଟିଶ ସାମ୍ରାଜ୍ୟର ସ୍ଵାର୍ଥରକ୍ଷା ଉଦ୍ଦେଶ୍ୟରେ ଭାରତୀୟ ସ୍ଥଳବାହିନୀକୁ ପ୍ରଧାନ ଉପକରଣ ଭାବରେ ବ୍ୟବହାର କରାଯାଉଥିଲା ।

 

ସର୍ବୋପରି, ଭାରତୀୟ ଅର୍ଥନୀତି ଓ ସାମାଜିକ ବିକାଶ, ବ୍ରିଟିଶ ଅର୍ଥନୀତି ଓ ସାମାଜିକ ବିକାଶଠାରୁ ସମ୍ପୂର୍ଣ୍ଣ ନିମ୍ନ ଶ୍ରେଣୀର ବୋଲି ପ୍ରତିପାଦନ କରାଗଲା । ଭାରତୀୟ ଅର୍ଥନୀତି ପୃଥିବୀର ପୁଞ୍ଜିବାଦୀ ଅର୍ଥନୀତି ସହିତ ସମ୍ପୂର୍ଣ୍ଣରୂପେ ସାମିଲ ହୋଇଗଲା; କିନ୍ତୁ ନିମ୍ନ ଶ୍ରେଣୀୟଭାବେ । ୧୭୬୦ ଖ୍ରୀଷ୍ଟାବ୍ଦ ପରବର୍ତ୍ତୀ କେତେବର୍ଷ ଭିତରେ ଯେତେବେଳେ ବ୍ରିଟେନ ପୃଥିବୀର ସର୍ବଶ୍ରେଷ୍ଠ ଶିଳ୍ପୋନ୍ନତ ପୁଞ୍ଜିବାଦୀ ଦେଶରୂପେ ବିକାଶ ଲାଭ କରୁଥିଲା, ଭାରତ, ପୃଥିବୀର ସବୁଠାରୁ ଅଧିକ ଅନଗ୍ରସର ଓ ଅନୁନ୍ନତ ଉପନିବେଶଗୁଡ଼ିକ ମଧ୍ୟରେ ଅଗ୍ରଗଣ୍ୟ ହେବାକୁ ଯାଉଥିଲା । ବସ୍ତୁତଃ, କାରଣ ଓ ଫଳାଫଳ ଦୃଷ୍ଟିରୁ ଉଭୟ ପ୍ରକାରର ପ୍ରଗତି ପରସ୍ପର ନିର୍ଭରଶୀଳ ଥିଲା । ବିଭିନ୍ନ କ୍ଷେତ୍ରରେ ବ୍ରିଟେନ ଓ ଭାରତ ମଧ୍ୟରେ ଥିବା ଅର୍ଥନୈତିକ ସମ୍ବନ୍ଧର ସମ୍ପୂର୍ଣ୍ଣ ରୂପରେଖ ଭାରତର ଅନଗ୍ରସରତା ଓ ଔପନିବେଶିକ ନିର୍ଭରଶୀଳତାକୁ ନିରବଚ୍ଛିନ୍ନ ଭାବରେ ବୃଦ୍ଧି କରିବାରେ ଲାଗିଲା ।

 

ବ୍ରିଟିଶ ଶାସନର ପ୍ରଭାବ

 

ବ୍ରିଟିଶ ଶାସନ ଓ ଭାରତ ଉପରେ ତା’ର ପ୍ରଭାବ, ଏପରି ପରିସ୍ଥିତି ସୃଷ୍ଟିକଲା ଯାହା ଫଳରେ କି ଏକ ଶକ୍ତିଶାଳୀ ସାମ୍ରାଜ୍ୟବାଦ ବିରୋଧୀ ଆନ୍ଦୋଳନର ଅଭ୍ୟୁଦୟ ହେଲା ଏବଂ ଗୋଟିଏ ରାଷ୍ଟ୍ର ଗଠନ ଉଦ୍ଦେଶ୍ୟରେ ଭାରତୀୟ ଜନସାଧାରଣଙ୍କ ଭିତରେ ଐକ୍ୟ ପ୍ରତିଷ୍ଠିତ ହେଲା-। ବ୍ରିଟିଶ ଶାସକବର୍ଗ ଭାରତରେ ଯେଉଁ ସ୍ଵାର୍ଥପର ନୀତିର ପ୍ରବର୍ତ୍ତନ କଲେ ତାହାଦ୍ୱାରା ଭାରତର କୃଷି, କୃଷିଜୀବୀ ଏବଂ ଶିଳ୍ପ ଓ ବାଣିଜ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହେଲା । ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ଏହି ନୀତିର ପ୍ରବଳ କୁପ୍ରଭାବ ଅନୁଭୂତ ହେଲା ।

 

ଇଂରେଜମାନେ ଭାରତର କୃଷି ସଂକ୍ରାନ୍ତୀୟ ଅର୍ଥନୀତିରେ କେତେକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଲେ; ମାତ୍ର କୃଷି ଉତ୍ପାଦନ ବୃଦ୍ଧି କରି ତାହା ସହିତ ସଂଶ୍ଳିଷ୍ଟ ଭାରତୀୟମାନଙ୍କର ସମୃଦ୍ଧି ଓ ସମୂହ କଲ୍ୟାଣ ସାଧନ ଯେ ଏହାର ଲକ୍ଷ୍ୟ ଥିଲା ତାହା ନୁହେଁ, ବରଂ କୃଷିର ବଳକା ଅଂଶକୁ ଭୂରାଜସ୍ଵ ଭାବରେ ନିଜପାଇଁ ଆଦାୟ କରିବା ଏବଂ ଏକ ଔପନିବେଶିକ ଅର୍ଥନୀତିରେ ଭାରତର କୃଷି ଯେପରି ନିର୍ଦ୍ଦିଷ୍ଟ ଅଂଶଗ୍ରହଣ କରେ ସେ ଦିଗରେ ବାଧ୍ୟ କରିବା ଏହାର ଲକ୍ଷ୍ୟ । ପୁରାତନ ଅନୁଷ୍ଠାନ ଓ ପାରମ୍ପରିକ ସମ୍ପର୍କ ଧ୍ଵଂସ ହୋଇ ତା’ ସ୍ଥାନରେ ନୂତନ ସମ୍ପର୍କ ପ୍ରତୀତ ହେଲା ଓ ନୂତନ ଅନୁଷ୍ଠାନମାନ ଜନ୍ମଲାଭ କଲେ । କିନ୍ତୁ ନୂତନତାର ଏସବୁ ଦିଗ, ଦେଶର ଆଧୁନିକୀକରଣ ବା ଉପଯୁକ୍ତ ମାର୍ଗ ଦର୍ଶନପାଇଁ ଯେଉଁ ପରିବର୍ତ୍ତନ ଆବଶ୍ୟକ ତାହାର ପ୍ରତିନିଧିତ୍ଵ କରୁ ନଥିଲା ।

 

ଇଂରେଜମାନେ ପ୍ରଧାନତଃ ଦୁଇ ପ୍ରକାର ଭୂରାଜସ୍ଵ ଭୂସ୍ଵତ୍ଵ ତଥା ପ୍ରବର୍ତ୍ତନ କଲେ । ଗୋଟିଏ ତ ହେଲା ଜମିଦାରୀ ପ୍ରଥା (ପରେ ଉତ୍ତରଭାରତରେ ସେହି ଜମିଦାରୀ ପ୍ରଥା ସଂଶୋଧିତ ହୋଇ ମହଲୱାରୀ ପ୍ରଥା ନାମରେ ପ୍ରବର୍ତ୍ତନ କରାଗଲା ।) ଏବଂ ଅନ୍ୟଟି ହେଲା ରୟତୱାରୀ ପ୍ରଥା ।

 

ଜମିଦାରୀ ପ୍ରଥାଦ୍ଵାରା, ଖଜଣା ଦେଉଥିବା ପୂର୍ବତନ ଚାଷୀ, ସରବରାକାର ଓ ଜମିଦାରମାନଙ୍କର ଭୂସମ୍ପତ୍ତି ଉପରେ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଅଧିକାର ରହିଲା ନାହିଁ । ଜମିଦାରମାନେ କେବଳ ନିଜର ସେହି ବ୍ୟକ୍ତିଗତ ସମ୍ପତ୍ତିକୁ ନେଇ ଜମିଦାର ରହିଲେ । ଫଳରେ ରୟତଠାରୁ ଆଦାୟ ହେଉଥିବା ଖଜଣାର ଅଧିକାଂଶ ସରକାରଙ୍କ ପାଖରେ ପହଞ୍ଚିଲା । ତା’ ସଙ୍ଗେ ସଙ୍ଗେ ଗ୍ରାମ୍ୟ ସମାଜ ସେମାନଙ୍କର ସମ୍ପୂର୍ଣ୍ଣ କର୍ତ୍ତୃତ୍ଵାଧୀନରେ ରହିଲା । ସ୍ଵତ୍ଵଭୋଗୀ ଚାଷୀ ପରିବର୍ତ୍ତିତ ହୋଇ ହେଲା ଭଡ଼ାଟିଆ ପ୍ରଜା ।

 

ରୟତୱାରୀ ପ୍ରଥା ଅନୁସାରେ ସରକାର ବ୍ୟକ୍ତିଗତଭାବେ ଚାଷ କରୁଥିବା ଚାଷୀମାନଙ୍କଠାରୁ ସିଧାସଳଖ ଖଜଣା ଅସୁଲ କଲେ । ଏହି ଚାଷୀମାନେ ଆଇନ ଅନୁସାରେ ଜମିର ମାଲିକ ହେଲେ । ମାତ୍ର ଏହି ମାଲିକାନା ସୀମିତ ରହିଲା, ଦୁଇଟି କାରଣ ଯୋଗୁଁ । ପ୍ରଥମ କାରଣ ହେଲା, ଅସ୍ଥାୟୀ ଭୂରାଜସ୍ଵ ବନ୍ଦୋବସ୍ତ ଓ ଦ୍ଵିତୀୟ କାରଣ ହେଲା ଉଚ୍ଚ ହାରରେ କରଧାର୍ଯ୍ୟ, ଯାହାକି ଚାଷୀମାନେ ଦେବାପାଇଁ ଅସମର୍ଥ ହେଉଥିଲେ ଏବଂ ଖଜଣା ନ ଦେବାଦ୍ଵାରା ମାଲିକାନାସ୍ଵତ୍ଵ ହରାଇ ବସୁଥିଲେ ।

 

ଏହି ନୀତି ବା ବ୍ୟବସ୍ଥାକୁ ଯେକୌଣସି ନାମରେ ନାମିତ କରାଯାଉ ପଛକେ ଚାଷୀ ଓ କୃଷିଜୀବୀମାନେ ହେଲେ କ୍ଷତିଗ୍ରସ୍ତ । ସେମାନେ ଅତି ଉଚ୍ଚ ହାରରେ ଖଜଣା ଦେବାକୁ ବାଧ୍ୟ ହେଲେ ଓ ସ୍ଵତ୍ଵହୀନ ପ୍ରଜାଭଳି ରହିଲେ । ସେମାନଙ୍କୁ ବିଭିନ୍ନ ପ୍ରକାର ବେଆଇନ ପାଉଣା ଓ କର ଦେବା ସଙ୍ଗେ ସଙ୍ଗେ ବେଠି ବା ବେଗାରି କରିବାକୁ ମଧ୍ୟ ବାଧ୍ୟ କରାଗଲା । ରାଜସ୍ୱ ପ୍ରଥାର ନାମ ବା ସ୍ୱରୂପ ଯାହାହେଉ ନା କାହିଁକି, ଫଳରେ ସରକାର ଜମିଦାରଙ୍କ ସ୍ଥାନ ପୂରଣ କଲେ ଏବଂ ଏହାହିଁ ଥିଲା ଅସଲ ଉଦ୍ଦେଶ୍ୟ । ବହୁକାଳପରେ ବିଶେଷତଃ ୧୯୦୧ ମସିହା ପରେ ଖଜଣା ହାର ଧୀରେ ଧୀରେ ହ୍ରାସ କରାଗଲା । କିନ୍ତୁ ସେତେବେଳକୁ କୃଷି–ଅର୍ଥନୀତି ଶୋଚନୀୟ ଅବସ୍ଥାରେ ପହଞ୍ଚିଥିଲା ଏବଂ ଜମିଦାର, ଋଣଦାତା ଓ ବ୍ୟବସାୟୀମାନେ ଗ୍ରାମାଞ୍ଚଳରେ ପ୍ରବେଶ କରି ସେଗୁଡ଼ିକୁ ଅନ୍ତଃସାରଶୂନ୍ୟ କରି ପକାଇଥିଲେ । ଫଳରେ ଖଜଣା ହାର ହ୍ରାସ ହେବାଦ୍ଵାରା ପ୍ରକୃତ ପକ୍ଷେ କୃଷିଜୀବୀମାନଙ୍କର ବିଶେଷ ଉପକାର ସାଧିତ ହେଲାନାହିଁ ।

 

ଭାରତୀୟ କୃଷି–ଅର୍ଥନୀତି ସଂକ୍ରାନ୍ତରେ ଇଂରେଜମାନେ ଯେଉଁ ନୀତି ଅବଲମ୍ବନ କଲେ ତାହାର ପ୍ରଧାନ ବିଷମୟ ଫଳହେଲା–ଋଣଦାତାମାନେ ଏ ଦେଶର ଗୋଟିଏ ପ୍ରଭାବଶାଳୀ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ଭାବରେ ମୁଣ୍ଡ ଟେକିଲେ । ଉଚ୍ଚ ଖଜଣାହାର ଓ ତାହା ଆଦାୟ କରିବାରେ ଯେଉଁ କଠୋରତା ପ୍ରଦର୍ଶନ କରାଯାଉଥିଲା ତା’ଫଳରେ ଚାଷୀକୁ ଅଧିକାଂଶ ସମୟରେ ଋଣ ନେବାକୁ ପଡ଼ୁଥିଲା । ସେଥିପାଇଁ କେବଳ ଯେ ଅତ୍ୟଧିକ ସୁଧ ଦେବାକୁ ହେଉଥିଲା ତା’ ନୁହେଁ, ଶସ୍ୟ ଅମଳ କରିବା ମୁହୂର୍ତ୍ତରେହିଁ ଶସ୍ତା ଦରରେ ବିକ୍ରୟ କରିବାକୁ ପଡ଼ୁଥିଲା । କୃଷକର ନିରନ୍ତନ ଦରିଦ୍ରତା ତାକୁ ସାହୁକାର ପାଖକୁ ଋଣପାଇଁ ଯିବାକୁ ବାଧ୍ୟ କରୁଥିଲା ବିଶେଷତଃ ବଢ଼ି, ମରୁଡ଼ି ଓ ଦୁର୍ଭିକ୍ଷ ସମୟରେ । ଅନ୍ୟ ପକ୍ଷରେ ସାହୁକାର ନୂତନ ବିଚାର ପ୍ରଣାଳୀ ଓ ଶାସନ ସଂସ୍ଥାକୁ ନିଜ ସୁବିଧା ଉଦ୍ଦେଶ୍ୟରେ ବ୍ୟବହାର କରିପାରିଲା । ବସ୍ତୁତଃ ଏ ବିଷୟରେ ସରକାର ତାକୁ ସାହାଯ୍ୟ କରୁଥିଲେ । କାରଣ ସାହୁକାର ବ୍ୟତୀତ ନିର୍ଦ୍ଧାରିତ ସମୟରେ ଭୂରାଜସ୍ଵ ଆଦାୟ କରିବା ତ ସମ୍ଭବ ହେବନାହିଁ, ରପ୍ତାନିଲାଗି କୃଷିଜାତ ଦ୍ରବ୍ୟଗୁଡ଼ିକ ମଧ୍ୟ ପୋତାଶ୍ରୟରେ ପହଞ୍ଚି ପାରିବ ନାହିଁ । ଏପରିକି ଉତ୍ପାଦିତ ହେବା ପରେ ପରେ ପଣ୍ୟ ଶସ୍ୟକୁ ରପ୍ତାନିଲାଗି ପଠାଇବା ପାଇଁ ସାହୁକାରମାନେ କୃଷକକୁ ପ୍ରରୋଚିତ କରୁଥିଲେ । ଋଣ ମଧ୍ୟ ଦେଉଥିଲେ । ଏ ବିଷୟରେ ସାହୁକାର ଉପରେ ସରକାର ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ । ସେଥିଯୋଗୁଁ କାଳକ୍ରମେ ଗ୍ରାମାଞ୍ଚଳର ଅର୍ଥନୀତି ଯେ ଋଣଦାତାମାନଙ୍କ କର୍ତ୍ତୃତ୍ଵାଧୀନରେ ରହିଲା, ସେଥିରେ ଆଶ୍ଚର୍ଯ୍ୟ ହେବାର ନୁହେଁ । ଉଭୟ ଜମିଦାରୀ ଓ ରୟତୱାରୀ ପ୍ରଥା ପ୍ରଚଳିତ ଅଞ୍ଚଳରେ ବିପୁଳ ଭୂସମ୍ପତ୍ତି ପ୍ରକୃତ ଚାଷୀଠାରୁ ସାହୁକାର, ବ୍ୟବସାୟୀ, ସରକାରୀ କର୍ମଚାରୀ ଓ ଧନୀପ୍ରଜାମାନଙ୍କ ପାଖକୁ ହସ୍ତାନ୍ତର ହେବାକୁ ଲାଗିଲା । ଏହାଦ୍ଵାରା ସମଗ୍ର ଦେଶରେ ବଡ଼ବଡ଼ ଜମିଦାରଙ୍କର ଆବିର୍ଭାବ ହେଲା । ଜମିଦାରୀ ହେଲା ଭୂସମ୍ପତ୍ତିର ମୁଖ୍ୟ ଅଙ୍ଗ ।

 

ଖଜଣା ଆଦାୟ କରୁଥିବା ମଧ୍ୟସ୍ଵତ୍ଵଭୋଗୀମାନଙ୍କ ସଂଖ୍ୟା କ୍ରମେ ବୃଦ୍ଧିପାଇବାକୁ ଲାଗିଲା । ଏହାଦ୍ଵାରା ସରବରାକାର ଓ ମକଦ୍ଦମ ପ୍ରଭୃତି କ୍ଷୁଦ୍ର ଜମିଦାର ସୃଷ୍ଟିହେଲେ । ନୂଆ ଜମିଦାର ଓ ଜମି ମାଲିକମାନଙ୍କର ଜମି ସହିତ କୌଣସି ସମ୍ପର୍କ ନଥିଲା । ଖଜଣା ଆଦାୟ ଲାଗି ଗୋଟିଏ ସଂସ୍ଥା ଗଠନ କରିବା ପରିବର୍ତ୍ତେ ସେମାନେ ଏଥିଲାଗି ମଧ୍ୟବର୍ତ୍ତୀ ଜମିମାଲିକ ଓ ଅସୁଲକାରୀମାନଙ୍କୁ ପଟା ଦେଉଥିଲେ ।

 

ଏହିପରି ବ୍ରିଟିଶ ଶାସନର ପ୍ରଭାବରେ ଭୂସମ୍ପଦ ସମ୍ପର୍କୀୟ ଗୋଟିଏ ନୂତନ ଧରଣର ବ୍ୟବସ୍ଥା ଏ ଦେଶରେ ଗଢ଼ିଉଠିଲା ଯାହାକି ପ୍ରଗତିଶୀଳ ହେବା ପରିବର୍ତ୍ତେ ପଶ୍ଚାତ୍‍ଗାମୀ ହେଲା । ଏହି ନୂତନ ବ୍ୟବସ୍ଥା ଫଳରେ କୃଷି ବିକାଶ ବାଧାପ୍ରାପ୍ତ ହେଲା । ସମାଜରେ ସର୍ବୋଚ୍ଚ ଓ ସର୍ବନିମ୍ନ ସାମାଜିକ ଶ୍ରେଣୀଗୁଡ଼ିକର ସୃଷ୍ଟିହେଲା । ଉଚ୍ଚସ୍ତରରେ ଜମିଦାର ସାହୁକାର ଓ ମଧ୍ୟବର୍ତ୍ତୀ ଜମିମାଲିକ ଏବଂ ନିମ୍ନସ୍ତରରେ ସ୍ଵତ୍ଵହୀନପ୍ରଜା, ଭାଗଚାଷୀ ଓ କୃଷିଜୀବୀ ଶ୍ରମିକ ପ୍ରଭୃତି ରହିଲେ । ଏହି ନୂତନ ପ୍ରଣାଳୀ, ପୁଞ୍ଜିବାଦ ଓ ସାମନ୍ତବାଦଠାରୁ ଯେ କେବଳ ଭିନ୍ନ ତା’ ନୁହେଁ, ପୁରାତନ ମୋଗଲମାନଙ୍କ ଭୂସମ୍ପର୍କ ନୀତି ସହିତ ମଧ୍ୟ ଏହାର କୌଣସି ସାମ୍ୟ ନଥିଲା । ପ୍ରକୃତ ପକ୍ଷରେ ଏହା ଥିଲା ଉପନିବେଶବାଦର ଅବଦାନ । ଜଷ୍ଟିସ୍ ରାଣାଡ଼େ, ଜବାହରଲାଲ ନେହୁରୁ ଓ ରଜନୀ ପାମେଦତ୍ତଙ୍କ ଭଳି ବହୁ ଲେଖକ ଏହାକୁ ଅର୍ଦ୍ଧସାମନ୍ତବାଦୀ ଓ ଅର୍ଦ୍ଧ ଉପନିବେଶବାଦୀ ନୀତି ବୋଲି ବର୍ଣ୍ଣନା କରିଛନ୍ତି ।

 

ଏ ସବୁର ଫଳାଫଳ ହେଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କୃଷିତାଲିମ ବ୍ୟବସ୍ଥାର ଉନ୍ନତି ଦିଗରେ ତ କୌଣସି ଚେଷ୍ଟା କରାଗଲା ନାହିଁ, ଉତ୍ପାଦନ ବୃଦ୍ଧି ଉଦ୍ଦେଶ୍ୟରେ କୃଷିକାର୍ଯ୍ୟର ଆଧୁନିକୀକରଣ ମଧ୍ୟ ହେଲାନାହିଁ । କୃଷି ସଂକ୍ରାନ୍ତୀୟ କାର୍ଯ୍ୟ ପ୍ରଣାଳୀ ଅପରିବର୍ତ୍ତିତ ରହିଲା । ଉତ୍ତମ କୃଷି ଉପକରଣର ବ୍ୟବହାର, ଉତ୍କୃଷ୍ଟ ବୀଜ ଓ ବିଭିନ୍ନ ପ୍ରକାର ସାରର ପ୍ରୟୋଗ ଆଦୌ ପ୍ରଚଳନ କରାଗଲାନାହିଁ । କୃଷିକାର୍ଯ୍ୟର ଉନ୍ନତି ଲାଗି ଦରିଦ୍ର କୃଷକର ସମ୍ବଳ ନଥିଲା, ଜମିଦାରମାନେ ମଧ୍ୟ ଏ ଦିଗରେ ଆଗ୍ରହୀ ନଥିଲେ । ସେମାନେ କେବଳ ଉଚ୍ଚ ହାରରେ ଖଜଣା ଆଦାୟ କରିବା ବ୍ୟତୀତ, ଭାରତୀୟ କୃଷି ପ୍ରଣାଳୀର ଆଧୁନିକୀକରଣ ଓ ବିକାଶ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ ।

 

ଫଳରେ କୃଷି ଉତ୍ପାଦନର ପରିମାଣ ବହୁକାଳ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଲା । ବିଂଶ ଶତାବ୍ଦୀର କୃଷି ସମ୍ପର୍କୀୟ ପରିସଂଖ୍ୟାନକୁ ଦେଖିଲେ କୃଷିର ଶୋଚନୀୟ ଅବସ୍ଥା ଉତ୍ତମରୂପେ ଜଣାପଡ଼େ । ୧୯୦୧ରୁ ୧୯୩୯ ମସିହା ଭିତରେ ମୁଣ୍ଡପିଛା କୃଷି ଉତ୍ପାଦନ ଶତକଡ଼ା ୧୪ ଭାଗ ହ୍ରାସ ପାଇଥିଲାବେଳେ ଖାଦ୍ୟଶସ୍ୟ ଉତ୍ପାଦନର ହାର ମୁଣ୍ଡପିଛା ଶତକଡ଼ା ୨୪ ଭାଗ ହ୍ରାସ ପାଇଥିଲା । କୃଷିର ଏହି ଅବନତି ପ୍ରାୟ ୧୯୯୮ ମସିହା ପରେ ଘଟିଥିଲା ।

 

ଶିଳ୍ପ ଓ ବାଣିଜ୍ୟ ଉପରେ ପ୍ରଭାବ

 

ଭାରତର ଇଂରେଜ ସରକାର କେବଳ ସେମାନଙ୍କ ସ୍ଵାର୍ଥରକ୍ଷା ଦୃଷ୍ଟିରୁ କୃଷିଭଳି ଶିଳ୍ପ ଓ ବାଣିଜ୍ୟକୁ ମଧ୍ୟ କର୍ତ୍ତୃତ୍ଵାଧୀନ ରଖିଥିଲେ । ଉପନିବେଶବାଦର ପ୍ରଭାବରେ ଭାରତରେ ଯେ ଏକ ବାଣିଜ୍ୟ ବିପ୍ଳବ ସଂଘଟିତ ହେଲା ଓ ଭାରତ ପୃଥିବୀ ବଜାର ସହିତ ସଂଶ୍ଳିଷ୍ଟ ହୋଇଗଲା ଏଥିରେ ସନ୍ଦେହର ଅବକାଶ ନାହିଁ । ମାତ୍ର ତାହାର ସ୍ଥାନ ରହିଲା ବହୁ ନିମ୍ନରେ । ୧୮୫୮ ଖ୍ରୀଷ୍ଟାବ୍ଦ ପରେ ଭାରତର ବୈଦେଶିକ ବାଣିଜ୍ୟର ଅଭିବୃଦ୍ଧି ହେଲା । ୧୮୩୪ ମସିହାରୁ ୧୮୫୮ ମସିହା ଭିତରେ ଏହା ୧୫ କୋଟିରୁ ବଢ଼ି ୬୦ କୋଟି ଟଙ୍କା ଏବଂ ୧୮୯୯ ମସିହାବେଳକୁ ୨୧୩ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧିପାଇଥିଲା । ୧୯୨୪ ମସିହାରେ ଭାରତର ବୈଦେଶିକ ବାଣିଜ୍ୟ ଥିଲା ସର୍ବାଧିକ ଓ ତାହାର ମୂଲ୍ୟ ଥିଲା ୭୫୮ କୋଟି ଟଙ୍କା । କିନ୍ତୁ ଏହି ଅଭିବୃଦ୍ଧି ଭାରତୀୟ ଅର୍ଥନୈତିକ ଉନ୍ନତିର ତ ପରିଚାୟକ ନୁହେଁ; ଏହାଦ୍ଵାରା ଭାରତୀୟ ଜନସାଧାରଣଙ୍କର ମଧ୍ୟ ତିଳେମାତ୍ର କଲ୍ୟାଣ ସାଧିତ ହୋଇପାରିଲା ନାହିଁ । ଭାରତୀୟ ଅର୍ଥନିତୀକୁ ଏକ ଔପନିବେଶିକ ଅର୍ଥନୀତିରେ ପରିବର୍ତ୍ତନକରି, ତାହାକୁ ପୃଥିବୀର ପୁଞ୍ଜିବାଦ ସହିତ ସଂଯୋଗ କରିବା ଦିଗରେ ଏହି ବାଣିଜ୍ୟ କାରବାରକୁ ବ୍ୟବହାର କରାଗଲା । ତେଣୁ ଭାରତୀୟ ବୈଦେଶିକ ବାଣିଜ୍ୟର ଅଭିବୃଦ୍ଧି ଥିଲା ଅପ୍ରାକୃତିକ ଓ ଅସ୍ୱାଭାବିକ ସାମ୍ରାଜ୍ୟବାଦର ସ୍ଵାର୍ଥସିଦ୍ଧିପାଇଁ ଏପରି କୃତ୍ରିମ ଅବସ୍ଥା ସୃଷ୍ଟ କରାଯାଇଥିଲା ମାତ୍ର ଏହି ବୈଦେଶିକ ବାଣିଜ୍ୟର ଗଠନ ଓ ରୂପରେଖରେ ମଧ୍ୟ ସାମ୍ୟ ନଥିଲା । ବ୍ରିଟେନ ନିର୍ମିତ ବିଭିନ୍ନ ଦ୍ରବ୍ୟଦ୍ଵାରା ଭାରତୀୟ ବଜାରଗୁଡ଼ିକ ପରିପୂର୍ଣ୍ଣଥିଲା ଓ ସେଥିପାଇଁ ବ୍ରିଟେନ ତଥା ଅନ୍ୟାନ୍ୟ ଦେଶଗୁଡ଼ିକର ଆବଶ୍ୟକତା ଅନୁସାରେ ଭାରତ କଞ୍ଚାମାଲ ଉତ୍ପନ୍ନ କରି ରପ୍ତାନି କରିବାକୁ ବାଧ୍ୟ ହେଉଥିଲା ।

 

ଶେଷରେ ଏହିପରି ଅସ୍ଵାଭାବିକ ବୈଦେଶିକ ବାଣିଜ୍ୟ ଫଳରେ ଦେଶ ଭିତରେ ଜାତୀୟ ଆୟର ବଣ୍ଟନ ମଧ୍ୟ ବାଧାପ୍ରାପ୍ତ ହେଲା । ବ୍ରିଟିଶ ନୀତି, କୃଷିଜୀବୀ ଓ ହସ୍ତଶିଳ୍ପୀମାନଙ୍କର ସମ୍ବଳକୁ କେବଳ ବ୍ୟବସାୟୀ, ସାହୁକାର ଓ ବିଦେଶୀ ପୁଞ୍ଜିପତିଙ୍କୁ ହସ୍ତାନ୍ତର କରିବାରେ ସାହାଯ୍ୟ କରୁଥିଲା ।

 

ଏହି ସମୟରେ ଭାରତୀୟ ବୈଦେଶିକ ବାଣିଜ୍ୟର ଗୋଟିଏ ପ୍ରଧାନ ଲକ୍ଷ୍ୟ ଥିଲା ଆମଦାନୀ ପରିମାଣଠାରୁ ଧାରାବାହିକଭାବେ ବଳକା ପରିମାଣର ରପ୍ତାନି । କିନ୍ତୁ ଏହା ଭାରତର ଲାଭପାଇଁ କରାଯାଉଥିଲା ବୋଲି ମନେ କରିବା ଉଚିତ ନୁହେଁ । ଏହିସବୁ ରପ୍ତାନି ଫଳରେ ବାହାର ଦେଶଗୁଡ଼ିକ ଉପରେ ଯେ ଭବିଷ୍ୟତପାଇଁ ଏ ଦେଶର କୌଣସି ଦାବି ରହୁଥିଲା ତା’ ନୁହେଁ; ଏହାଦ୍ଵାରା କେବଳ ଭାରତର ସମ୍ବଳ ଓ ଧନସମ୍ପଦ ବିଦେଶକୁ ବହିଚାଲିଥିଲା । ଆମ୍ଭମାନଙ୍କର ସ୍ମରଣ ରଖିବା ଉଚିତ ଯେ ବୈଦେଶିକ ବାଣିଜ୍ୟର ଅଧିକାଂଶ ବୈଦେଶିକମାନଙ୍କଦ୍ଵାରାହିଁ ନିୟନ୍ତ୍ରିତ ହେଉଥିଲା ଏବଂ ପ୍ରାୟ ସମସ୍ତ ପରିବହନ ବିଦେଶୀ ଜାହାଜଦ୍ଵାରା କରାଯାଉଥିଲା ।

 

ବ୍ରିଟିଶ ଶାସନର ଅନ୍ୟ ଗୋଟିଏ ବିଷମୟ ଫଳହେଲା ସହର ଓ ଗ୍ରାମାଞ୍ଚଳର ହସ୍ତଶିଳ୍ପ ପ୍ରତିଷ୍ଠାନଗୁଡ଼ିକର କ୍ରମିକ ଅବନତି ଓ ଧ୍ଵଂସ । ଭାରତ ଯେ କେବଳ ଏସିଆ ଓ ଇଉରୋପର ବିଦେଶୀ ବଜାର ହରାଇ ବସିଲା ସେତିକି ନୁହେଁ, ଏପରିକି ଭାରତୀୟ ବଜାର ବିଦେଶର କଳକାରଖାନାଦ୍ଵାରା ଉତ୍ପାଦିତ ଶସ୍ତା ଜିନିଷରେ ପରିପୂର୍ଣ୍ଣ ହୋଇଗଲା । ସ୍ଥାନୀୟ ହସ୍ତଶିଳ୍ପର ପତନ ଘଟିଲା ।

 

ସ୍ଥାନୀୟ ଶିଳ୍ପାନୁଷ୍ଠାନଗୁଡ଼ିକର ପତନ ଫଳରେ ଏବଂ ନିଯୁକ୍ତିର ଅନ୍ୟ କୌଣସି ପନ୍ଥା ନଥିବା ହେତୁ ଲକ୍ଷ ଲକ୍ଷ କାରିଗର କୃଷିକୁ ଜୀବିକାରୂପେ ଗ୍ରହଣ କଲେ । ତେଣୁ ଭୂସମ୍ପତ୍ତି ଉପରେ ଜନସାଧାରଣଙ୍କର ନିର୍ଭରଶୀଳତା ତଥା ଚାପ ବୃଦ୍ଧିପାଇଲା ।

 

ଆଧୁନିକ ଶିଳ୍ପର ବିକାଶ

 

ବ୍ରିଟିଶ ଶାସନ ଆଧୁନିକ ପୁଞ୍ଜିବାଦୀ ଶିଳ୍ପର ବିକାଶ ଲାଗି ଏକ ପ୍ରକୃଷ୍ଟକ୍ଷେତ୍ର ପ୍ରସ୍ତୁତ କଲା । ଦେଶବ୍ୟାପୀ ପରିବହନ ବ୍ୟବସ୍ଥାର ସୁବିଧା ଯୋଗୁଁ ଆଭ୍ୟନ୍ତରୀଣ ଅସମତା ଦୂର ହୋଇ ସମଗ୍ର ଭାରତ ଗୋଟିଏ ବଜାରରେ ପରିଣତ ହେଲା । ବହୁ ପୂର୍ବରୁ ଭାରତରେ କୃଷି ଓ ଶିଳ୍ପ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଆସିଥିଲା । କିନ୍ତୁ ହସ୍ତଶିଳ୍ପ ସମେତ ଗ୍ରାମାଞ୍ଚଳର ଘରୋଇ ଉତ୍ପାଦନ ପ୍ରଣାଳୀ ଭାଙ୍ଗିପଡ଼ିବା ଓ ଧ୍ଵଂସ ହେବା ଫଳରେ ଗ୍ରାମ୍ୟଶିଳ୍ପ ଓ କୃଷିମଧ୍ୟରେ ଯେଉଁ ସମ୍ପର୍କ ଥିଲା ତାହା ବ୍ୟାହତହେଲା । ଲକ୍ଷ ଲକ୍ଷ କାରିଗର ବେକାର ହେଲେ । ନୂତନ ରାଜସ୍ଵନୀତିଦ୍ଵାରା ଲକ୍ଷ ଲକ୍ଷ ଚାଷୀ ସେମାନଙ୍କ ଭୂସ୍ଵତ୍ଵ ହରାଇଲେ । ଏହି ଦୁଇଟିଯାକ ବ୍ୟବସ୍ଥାଦ୍ଵାରା ଭଡ଼ାଟିଆ ମଜୁରିଆ ଶ୍ରେଣୀର ସୃଷ୍ଟିହେଲା । ଶ୍ରମିକମାନଙ୍କର ଜୀବିକାର୍ଜନର ଅନ୍ୟ କୌଣସି ପନ୍ଥା ନଥିବାରୁ ସେମାନେ ଦୈନିକ ମଜୁରି ନେଇ କାର୍ଯ୍ୟ କଲେ । ଏହିପରି ଆଧୁନିକ ପୁଞ୍ଜିବାଦୀ ଶିଳ୍ପର ପ୍ରତିଷ୍ଠାପାଇଁ ଯେଉଁ ଦୁଇଟି ମୌଳିକ ଆବଶ୍ୟକତା ରହିଥିଲା ଗୋଟିଏ ହେଉଛି ଅଖିଳଭାରତୀୟ ବଜାର ଓ ଅନ୍ୟଟି ହେଉଛି ନିମ୍ନ ମଜୁରି ହାରରେ ନିଯୁକ୍ତିପାଇଁ ବହୁସଂଖ୍ୟକ ଶ୍ରମିକ । ଦୁଇଟିଯାକ ପୂରଣ ହେଲା । ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ କେତେକ ଆଧୁନିକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠିତ ହେଲା ।

 

ବିଂଶ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ ଭାରତରେ ଚା’, କପାତୁଳା, ଝୋଟଜାତ ଦ୍ରବ୍ୟ ଓ କୋଇଲା ଉତ୍ତୋଳନ ପ୍ରଭୃତି କେବଳ ଚାରିପ୍ରକାର ଜିନିଷକୁ ନେଇ ଶିଳ୍ପ ବିକାଶ ସୀମିତ ଥିଲା । ତୁଳାରୁ ମଞ୍ଜିବାହାର କରିବା ଯନ୍ତ୍ର, ଛାପାକଳ, ଚାଉଳ ଓ ଅଟାମଇଦା କଳ, କରତକଳ, ଚମଡ଼ା କାରଖାନା, ପଶମବୟନ, କାଗଜ ଓ ଚିନିକଳ, ଏବଂ ଏହା ବ୍ୟତୀତ ଲୁଣ, ଅଭ୍ର, ଯବକ୍ଷାର, ଖଣିଜତୈଳ ଓ ଲୁହାର ଖଣିସବୁ ଆବିଷ୍କୃତ ହେଲା । କେତେକ ଯନ୍ତ୍ରପାତି, ରେଳଗାଡ଼ି, ଲୁହା ଓ ତମ୍ବା କାରଖାନା ମଧ୍ୟ ପ୍ରତିଷ୍ଠା କରାଗଲା ।

 

ଏହି ସବୁଥିରୁ ଆମେ ସ୍ଵପ୍ନରେ ସୁଦ୍ଧା ଭାବିବା ଉଚିତ ନୁହେଁ ଯେ ଭାରତରେ ଶିଳ୍ପ ବିପ୍ଳବପାଇଁ ସୁଦୃଢ଼ ଭିତ୍ତି ସ୍ଥାପିତ ହୋଇଗଲା ବୋଲି । କାରଣ, ପ୍ରଥମତଃ, ଯେତେ ଶିଳ୍ପ ବିକାଶଲାଭ କଲା, ସେଥିରୁ ଅଧିକାଂଶ ବିଦେଶୀ ପୁଞ୍ଜିପତିମାନଙ୍କଦ୍ଵାରା ନିୟନ୍ତ୍ରିତ ଓ ପରିଚାଳିତ ହେଉଥିଲା । ଦ୍ଵିତୀୟତଃ, ଏହି ପର୍ଯ୍ୟାୟରେ ଶିଳ୍ପ ବିକାଶର ଅଗ୍ରଗତି ସ୍ଥିର ଓ ନିରବଚ୍ଛିନ୍ନ ଭାବରେ ହୋଇଥିଲେହେଁ ଅତ୍ୟନ୍ତ ମନ୍ଥର ଥିଲା ।

 

ତତ୍କାଳୀନ ସୁବିସ୍ତୃତ ଭାରତବର୍ଷ ଓ ତା’ର ଜନସଂଖ୍ୟା ସହିତ ଶିଳ୍ପ ପ୍ରତିଷ୍ଠାଦିଗରେ ହେଉଥିବା ଉଦ୍ୟମକୁ ତୁଳନା କଲେ ଏହା ଏତେ ସାମାନ୍ୟଥିଲା ଯେ, ଏପରିକି ଏହାକୁ ଶିଳ୍ପ ବିକାଶ କହିବା ଅସଙ୍ଗତ ମନେ ହୁଏ । ୧୯୧୩ ଖ୍ରୀଷ୍ଟାବ୍ଦ ସୁଦ୍ଧା ‘କାରଖାନା ଆଇନ’ ଲାଗୁ ହେଉଥିବା ଶ୍ରମିକମାନଙ୍କ ସଂଖ୍ୟା ଦଶଲକ୍ଷରୁ ମଧ୍ୟ କମ୍‍ଥିଲା ।

 

ପ୍ରଥମ ମହାଯୁଦ୍ଧ ଓ ତା’ପରେ ବିଂଶ ଶତାବ୍ଦୀର ତୃତୀୟ ଦଶକରେ ଶିଳ୍ପ ବାଣିଜ୍ୟର ଯେଉଁ ଅଧଃପତନ ଘଟିଲା, ତା’ ଫଳରେ ଭାରତୀୟ ପୁଞ୍ଜିପତିମାନଙ୍କୁ ଅନ୍ତତଃ ପ୍ରଥମଥର ପାଇଁ ପରୀକ୍ଷାମୂଳକଭାବେ ଆଗକୁ ମାଡ଼ିଚାଲିଯିବାର ସୁଯୋଗ ମିଳିଲା । ପ୍ରତିଯୋଗିତା କରିବାପାଇଁ ବିଦେଶରୁ ଆମଦାନୀ ହୋଇଥିବା ଜିନିଷ ତ ନଥିଲା, ସରକାର ମଧ୍ୟ ଭାରତୀୟ ଶିଳ୍ପପତି, ବ୍ୟବସାୟୀ ଓ କଣ୍ଟ୍ରାକ୍ଟରମାନଙ୍କୁ ବହୁକାର୍ଯ୍ୟର ଓ ବହୁମୂଲ୍ୟର ବରାଦ ଦେବାପାଇଁ ବାଧ୍ୟ ହେଲେ । ଭାରତୀୟ ପୁଞ୍ଜିପତିମାନେ ବିପୁଳ ଅର୍ଥ ଉପାର୍ଜନ କଲେ । କିନ୍ତୁ ଯେତେବେଳେ ଯୁଦ୍ଧ ଶେଷ ହୋଇ ଆସିଲା ଓ ପୁନର୍ବାର ବୈଦେଶିକ ଦ୍ରବ୍ୟର ପ୍ରତିଯୋଗିତା ଆରମ୍ଭ ହୋଇଗଲା ସେତେବେଳେ ଭାରତୀୟ କଳକାରଖାନାଗୁଡ଼ିକ ପ୍ରାୟ ଅଚଳ ହୋଇ ପଡ଼ିଲା ।

 

ଏଥିରୁ ଜଣାପଡ଼େ ଯେ ୧୯୪୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଭାରତରେ ଶିଳ୍ପବିକାଶର ଅଗ୍ରଗତି ବାଧାପ୍ରାପ୍ତ ହେବାଦ୍ଵାରା ଧୀର ଓ ମନ୍ଥର ହୋଇଯାଇଥିଲା । ଏହାକୁ ଶିଳ୍ପ ବିପ୍ଳବ ତ କୁହାଯାଇପାରିବ ନାହିଁ, ଶିଳ୍ପାୟନର ପ୍ରଥମ ନିଦର୍ଶନ କହିବା ମଧ୍ୟ ଅସଙ୍ଗତ ହେବ । ଏହା ପ୍ରଥମେ ଉଲ୍ଲେଖଯୋଗ୍ୟ ଯେ, ଯେଉଁ ସୀମିତ ଶିଳ୍ପୋନ୍ନତି ସଂଘଟିତହେଲା ତାହା ମଧ୍ୟ ବୈଦେଶିକ ପୁଞ୍ଜିପତିମାନଙ୍କର ନିୟନ୍ତ୍ରଣାଧୀନରୁ ମୁକ୍ତ ନଥିଲା । ଦ୍ଵିତୀୟରେ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ରୂପରେଖ ଏପରି ଥିଲା, ଯାହା ଫଳରେ ସେଗୁଡ଼ିକର ସଂପ୍ରସାରଣ ଲାଗି ବ୍ରିଟେନ ଉପରେହିଁ ନିର୍ଭର କରିବାକୁ ପଡ଼ୁଥିଲା । ବୈଦେଶିକ ମୁଦ୍ରା ଅର୍ଜନ କରିବା ଭଳି ବୃହତ୍ ଶିଳ୍ପ କିମ୍ବା ରସାୟନ ଶିଳ୍ପର କାରଖାନା ଦେଶରେ ନଥିଲା ଏବଂ ଏହା ବ୍ୟତୀତ ନିୟନ୍ତ୍ରଣମୁକ୍ତ ଓ ଦ୍ରୁତ ଶିଳ୍ପ ବିକାଶ ସମ୍ଭବ ନଥିଲା । ମେସିନ୍, ଯନ୍ତ୍ରପାତି, ଇଞ୍ଜିନିୟରିଙ୍ଗ ଓ ଧାତୁ ପରିଷ୍କରଣ ସଂକ୍ରାନ୍ତୀୟ ଶିଳ୍ପ ପ୍ରାୟ ନଥିଲା କହିଲେ ଚଳେ । ଏହା ବ୍ୟତୀତ କାରିଗରୀକ୍ଷେତ୍ରରେ ଭାରତ ସାମ୍ରାଜ୍ୟବାଦୀ ଜଗତ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲା । ଦେଶ ଭିତରେ ଏଇ ଯନ୍ତ୍ରବିଦ୍ୟା ସଂକ୍ରାନ୍ତୀୟ କୌଣସି ଗବେଷଣା କାର୍ଯ୍ୟ ମଧ୍ୟ କରାଯାଉ ନଥିଲା ।

 

ମୋଟଉପରେ ଦେଖିବାକୁ ଗଲେ, ଭାରତରେ ଶିଳ୍ପ ବିପ୍ଳବ ନ ହୋଇ ବାଣିଜ୍ୟିକ ବିପ୍ଳବ ସଂଘଟିତ ହେଲା । କିନ୍ତୁ ଏହାଦ୍ଵାରା ଦେଶ ଏକ ଆତ୍ମନିର୍ଭରଶୀଳ ପୁଞ୍ଜିବାଦୀ ଶିଳ୍ପ ଅର୍ଥନୀତି ପ୍ରତିଷ୍ଠା ଦିଗରେ ଅଗ୍ରଗତି ନକରି ଅନୁନ୍ନତ ଓ ଆଶ୍ରିତ ଔପନିବେଶିକ ଅର୍ଥନୀତିର ନିକଟବର୍ତ୍ତୀ ହେଲା । ବ୍ରିଟିଶ ଶାସନକାଳରେ ଭାରତର ଶିଳ୍ପ ବିକାଶର ଅଗ୍ରଗତି ଅନ୍ୟ କେତେକ କାରଣଦ୍ଵାରା ମଧ୍ୟ ବାଧାପ୍ରାପ୍ତ ହେଉଥିଲା । ଶିଳ୍ପ କାରଖାନାଗୁଡ଼ିକ ଦେଶସାରା ସମାନଭାବେ ବାଣ୍ଟି ନହୋଇ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳ ଓ ସହରରେ କେନ୍ଦ୍ରୀଭୂତ ଥିଲା । ଏପରିକି ଜଳସେଚନ ଓ ବିଦ୍ୟୁତ ଶକ୍ତିର ସୁବିଧା ମଧ୍ୟ ସମସ୍ତଙ୍କୁ ସମାନ ଭାବରେ ଦିଆଯାଇ ନଥିଲା । ଏହାଫଳରେ ଆୟ, ଅର୍ଥନୈତିକ ବିକାଶ ଏବଂ ସାମାଜିକ ଶ୍ରେଣୀ ବିଭାଗ କ୍ଷେତ୍ରରେ ଆଞ୍ଚଳିକ ବ୍ୟବଧାନ ବୃଦ୍ଧି ପାଇଲା ।

 

ଭାରତରେ ବ୍ରିଟିଶ ଶାସନର ଗୁରୁତ୍ୱପୂର୍ଣ୍ଣ ପରିଣତି ହେଉଛି ଚରମ ଦାରିଦ୍ର୍ୟ । ସାଧାରଣ ଅବସ୍ଥାରେ, ଅଧିକାଂଶ ଲୋକ କେବଳ ଜୀବନରକ୍ଷା କରିବାରେ ଲାଗି ପଡ଼ିଥିଲେ ଏବଂ ମରୁଡ଼ି କିମ୍ବା ବାତ୍ୟା ସମୟରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଥିଲେ । ବଞ୍ଚି ରହିବାଲାଗି ଯତ୍‍ସାମାନ୍ୟ ଆବଶ୍ୟକ, ତାହା ଅଧିକାଂଶ ଲୋକଙ୍କ ପକ୍ଷରେ ପାଇବା ସମ୍ଭବ ନଥିଲା । ଜଣପିଛା ଆୟ ଅତ୍ୟନ୍ତ କମ୍‍ ଥିଲା ଓ ବହୁସଂଖ୍ୟକ ଲୋକ ବେକାର ଥିଲେ । ୧୮୮୦ ଖ୍ରୀଷ୍ଟାବ୍ଦରେ ଦାଦାଭାଇ ନାରୋଜୀ ପ୍ରମାଣ କରି ଦେଖାଇଦେଲେ ଯେ ସେତେବେଳେ କଏଦୀଖାନାରେ ଜଣେ ଅପରାଧୀର ଖାଦ୍ୟ ଓ ପୋଷାକପାଇଁ ଯେତେ ଟଙ୍କା ଖର୍ଚ୍ଚ କରାଯାଉଥିଲା, ତାହା ଜଣେ ଭାରତୀୟର ହାରାହାରି ଆୟଠାରୁ ଶତକଡ଼ା ୫୦ ଭାଗ ଅଧିକ । ଏପରି ଦାରିଦ୍ର୍ୟ ଫଳରେ ଦେଶବ୍ୟାପୀ ଦେଖାଦେଲା ସ୍ୱାସ୍ଥ୍ୟହୀନତା, ଆୟୁକ୍ଷୟ ଓ ଶିଶୁ ଅପମୃତ୍ୟୁ । ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଥରକୁଥର ବହୁବାର ଦୁର୍ଭିକ୍ଷ ପଡ଼ି ଏ ଦେଶର ଦାରିଦ୍ର୍ୟକୁ ଆହୁରି ସ୍ପଷ୍ଟ କରିଦେଲା । ୧୮୬୦ ଠାରୁ ୧୯୦୮ ଖ୍ରୀଷ୍ଟାବ୍ଦ ଭିତରେ କୋଡ଼ିଏବର୍ଷକୁ ଦୁର୍ଭିକ୍ଷ ବର୍ଷ ବୋଲି କୁହାଯାଇପାରେ । ହିସାବ କରି ଦେଖାଯାଇଛି ଯେ ୧୮୫୪ ରୁ ୧୯୦୧ ଖ୍ରୀଷ୍ଟାବ୍ଦ ମଧ୍ୟରେ ପ୍ରାୟ ଦୁଇକୋଟି ନବେଲକ୍ଷ ଲୋକ ଦୁର୍ଭିକ୍ଷ ହେତୁ ପ୍ରାଣ ହରାଇଥିଲେ । ଦୁର୍ଭିକ୍ଷ ଯୋଗୁଁ ଜଣାପଡ଼ିଲା ଯେ ଚିରନ୍ତନ ଅନାହାର ଓ ଦାରିଦ୍ର୍ୟର ଚେର ଔପନିବେଶିକ ଭାରତର ମାଟିରେ ଆହୁରି ସୁଦୃଢ଼ ଓ ସମ୍ପ୍ରସାରିତ ହୋଇ ଯାଇଛି । ଭାରତର ଏହି ଦାରିଦ୍ର୍ୟ, ତା’ର ଭୌଗୋଳିକ ଅବସ୍ଥିତି ବା ପ୍ରାକୃତିକ ସମ୍ପଦର ଅଭାବ ଯୋଗୁଁ ଯେ ଜନ୍ମନେଇଥିଲା ତା’ ନୁହେଁ । ଭାରତୀୟ ଜନସାଧାରଣଙ୍କ ଚରିତ୍ର ଓ କାର୍ଯ୍ୟ ଦକ୍ଷତାରେ ସେପରି କୌଣସି ସହଜାତ ତ୍ରୁଟି ଯେ ରହିଛି ଏବଂ ଏହା ତା’ର ଫଳ, ତାହା ମଧ୍ୟ ନୁହେଁ; ମୋଗଲ ଅମଳର ଅବଶେଷ ନୁହେଁ କିମ୍ବା ବ୍ରିଟିଶ ଆଗମନର ପ୍ରାକ୍‍କାଳର ନୁହେଁ । ଏହା ହେଉଛି ଗତ ଦୁଇ ଶତାବ୍ଦୀର ଇତିହାସର ଫଳ । ତା’ ପୂର୍ବରୁ ଭାରତ ପଶ୍ଚିମ ୟୁରୋପୀୟ ଦେଶଗୁଡ଼ିକଠାରୁ ଅଧିକତର ଅନୁନ୍ନତ ନଥିଲା । ସେତେବେଳେ ପୃଥିବୀର ବିଭିନ୍ନ ଦେଶରେ ଜୀବନଧାରଣର ମାନରେ ମଧ୍ୟ ବିଶେଷ ପ୍ରଭେଦ ନଥିଲା । ସଂକ୍ଷେପରେ ଏତିକି କୁହାଯାଇପାରେ ଯେ, ଯେଉଁ ସମୟରେ ପାଶ୍ଚାତ୍ୟ ଦେଶଗୁଡ଼ିକ ବିକାଶନ୍ମୁଖୀ ହୋଇ ସମୃଦ୍ଧିଶାଳୀ ହେଲେ, ସେତେବେଳେ ଭାରତ ଆଧୁନିକ ଉପନିବେଶବାଦର ଶରବ୍ୟ ହେବାରୁ ବିକାଶ ବାଧାପ୍ରାପ୍ତ ହେଲା-। ଆଜିର ଉନ୍ନତି ଦେଶଗୁଡ଼ିକ, ସେହି ସମୟରେ ଉନ୍ନତି ପଥରେ ଅଗ୍ରଗତି କରି ଚାଲିଥିଲେ, ସେ ସମୟରେ ଭାରତ ଇଂରେଜମାନଙ୍କଦ୍ଵାରା ଶାସିତ ହେଉଥିଲା । ପ୍ରାୟ ଅଧିକାଂଶ ରାଜ୍ୟ ୧୮୫୦ ଖ୍ରୀଷ୍ଟାବ୍ଦପରେ ଉନ୍ନତି ପଥରେ ଅଗ୍ରସର ହେଲେ । ୧୭୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ଭାଗରେ ଜୀବନଧାରଣ ମାନ ପ୍ରାୟ ସମାନ ଥିଲା । ବ୍ରିଟେନରେ ଶିଳ୍ପ ବିପ୍ଳବର ଆରମ୍ଭ ଓ ଇଂରେଜମାନଙ୍କର ବଙ୍ଗ ବିଜୟ ଏକ ସମୟରେ ସଂଘଟିତ ହୋଇଥିବା ବିଷୟ ଏ ସମ୍ପର୍କରେ ଉଲ୍ଲେଖଯୋଗ୍ୟ ।

 

ଗୋଟିଏ ମୌଳିକ ସତ୍ୟ ଏହି ଯେ, ଯେଉଁ ସାମାଜିକ, ରାଜନୈତିକ ଅର୍ଥନୈତିକ ପରିସ୍ଥିତି ଯୋଗୁଁ ବ୍ରିଟେନର ସାମାଜିକ ଓ ସାଂସ୍କୃତିକ ପ୍ରଗତି ତା’ ଶିଳ୍ପବିକାଶ ସମ୍ଭବ ହେଲା, ସେହି ପରିସ୍ଥିତି ଯୋଗୁଁ ଭାରତରେ ଅର୍ଥନୈତିକ ଅବନତି ସଙ୍ଗେ ସଙ୍ଗେ ସାମାଜିକ ସାଂସ୍କୃତିକ ଅଧଃପତନ ମଧ୍ୟ ଘଟିଲା । ଏହାର କାରଣ ଦିବାଲୋକ ପରି ସ୍ପଷ୍ଟ । ବ୍ରିଟେନ ନିଜର ଅର୍ଥନୀତିଦ୍ଵାରା ଭାରତର ଅର୍ଥନୀତିକୁ ଭାରାକ୍ରାନ୍ତ କରି ପକାଇବା ସଙ୍ଗେ ସଙ୍ଗେ ନିଜର ଆବଶ୍ୟକତା ଅନୁଯାୟୀ ସାମାଜିକ ଚେତନା ଓ ମୌଳିକ ଚିନ୍ତାଧାରାକୁ ମଧ୍ୟ ନିୟନ୍ତ୍ରଣ କଲା । ଏହାର ପରିଣତି ହେଲା ଭୟାଭୟ ଭାରତର କୃଷି ଓ ଶିଳ୍ପ ବିକାଶର ଗତି ରୁଦ୍ଧ ହେଲା; ଧନୀ, ଜମିଦାର, ଶାସକ, ସାହୁକାର, ବ୍ୟବସାୟୀ, ପୁଞ୍ଜିପତି ଓ ବିଦେଶୀ ସରକାର ତଥା ତା’ର କର୍ମଚାରୀମାନେ ଏ ଦେଶର କୃଷକ ଓ ଶ୍ରମିକମାନଙ୍କୁ ଶୋଷଣ ଓ ଲୁଣ୍ଠନ କରିବାରେ ଲାଗି ପଡ଼ିଲେ ଫଳରେ ଦାରିଦ୍ର୍ୟ ଓ ବ୍ୟାଧି ଓ ଅନାହାର ବ୍ୟାପିଗଲା ।

 

ସାମାଜିକ ଓ ସାଂସ୍କୃତିକ ଚେତନା ଉପରେ ପ୍ରଭାବ

 

ଭାରତ ଇଂରେଜ ଶାସନାଧୀନ ହେବା ସଙ୍ଗେ ସଙ୍ଗେ, ପାଶ୍ଚାତ୍ୟ ଦେଶ ସହିତ ତା’ର ଯୋଗସୂତ୍ର ସ୍ଥାପିତ ହେଲା । ପଶ୍ଚିମ ୟୁରୋପୀୟ ଆଧୁନିକ ଚିନ୍ତାଧାରା ଭାରତରେ ପ୍ରବାହିତ ହେଲା । ଯଦି ଇଂରେଜମାନେ କୌଣସି କାଳେ ଭାରତକୁ ଆସି ନଥାନ୍ତେ ତେବେ, ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ପାଶ୍ଚାତ୍ୟଦେଶଗୁଡ଼ିକରେ ଯେଉଁସବୁ ପରିବର୍ତ୍ତନ ଦେଖା ଦେଲା, ଭାରତ କ’ଣ ସେ ସବୁଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଥାନ୍ତା ? ଏପରି ଏକ ଜଟିଳ ପ୍ରଶ୍ନର ଉତ୍ତର ଏତେ ସହଜ ନୁହେଁ । ଯେହେତୁ ଭାରତ ବିଦେଶୀ ପ୍ରଭାବରୁ ମୁକ୍ତ ରହିବା ଲାଗି, କେତେବେଳେ ହେଲେ ଦ୍ଵାର ରୁଦ୍ଧ କରିନାହିଁ, ତେଣୁ ପରିବର୍ତ୍ତନର ବାର୍ତ୍ତା ଯେ ଆମ ଦେଶର ଉପକୂଳରେ ନିଶ୍ଚୟ ପହଞ୍ଚିଥାନ୍ତା ଏଥିରେ ସନ୍ଦେହ ନାହିଁ । ବାଣିଜ୍ୟ ଓ ପରିଭ୍ରମଣଦ୍ଵାରା ଶତାବ୍ଦୀ ଶତାବ୍ଦୀ ଧରି ଭାରତ କେବଳ ଏସିଆର ବିଭିନ୍ନ ଦେଶ ନୁହେଁ, ୟୁରୋପର ଦେଶଗୁଡ଼ିକ ସହିତ ମଧ୍ୟ ସମ୍ପର୍କ ପ୍ରତିଷ୍ଠା କରିଥିଲା । ଏହି ଘନିଷ୍ଠ ସମ୍ପର୍କ ଯୋଗୁଁ ୟୁରୋପ ଓ ଅନ୍ୟାନ୍ୟ ସ୍ଥାନର ସମ୍ବାଦ, ବିଭିନ୍ନ ଘଟଣା ଓ ନୂତନ ପାଶ୍ଚାତ୍ୟ ଚିନ୍ତାଧାରାର ବିଶଦ ବିବରଣୀ ଅଷ୍ଟାଦଶ ଶତାବ୍ଦୀରେ ମଧ୍ୟ ଭାରତରେ ପହଞ୍ଚିଥିଲା । ଏହି ପଦ୍ଧତି କିନ୍ତୁ ଅତ୍ୟନ୍ତ ଧୀର ଓ ସମୟସାପେକ୍ଷ ଥିଲା । ଇଂରେଜ ଶାସନରେ ପାଶ୍ଚାତ୍ୟ ଚିନ୍ତାଧାରା କେବଳ ଯେ ଶୀଘ୍ର ଆସି ପହଞ୍ଚିଲା ତା’ ନୁହେଁ, ବିଦେଶୀ କର୍ତ୍ତୃତ୍ଵବଳରେ ତାହାକୁ ସମୟୋପଯୋଗୀ ଓ ସ୍ଥାନୀୟ ପରିସ୍ଥିତିରେ ଅତ୍ୟନ୍ତ ଆବଶ୍ୟକ ବୋଲି ପ୍ରମାଣ କରାଯାଇପାରିଲା । ଫଳରେ ଏ ଦେଶର ଜନତା ଖୁବ୍ ଶୀଘ୍ର ପ୍ରଭାବିତ ହେଲେ ।

 

ଭାରତୀୟ ଲୋକଙ୍କର ବୌଦ୍ଧିକ ଜୀବନରେ ବିପ୍ଳବାତ୍ମକ ପରିବର୍ତ୍ତନ ଆସିଲା । ସେମାନେ ଗଣତନ୍ତ୍ର, ଗଣସାର୍ବଭୌମତ୍ଵ, ହେତୁବାଦ ଓ ମାନବବାଦ ପ୍ରଭୃତି ଚିନ୍ତାଧାରାଦ୍ଵାରା ପ୍ରଭାବିତ ହେବାକୁ ଲାଗିଲେ । ଏସବୁ ନୂତନ ଚିନ୍ତାଧାରା ସାହାଯ୍ୟରେ ସେମାନେ ଯେ କେବଳ ନିଜ ସମାଜ, ଅର୍ଥନୀତି ଓ ଶାସନ ସଂସ୍ଥାକୁ ସମୀକ୍ଷକର ଦୃଷ୍ଟିଭଙ୍ଗୀନେଇ ଦେଖିଲେ ତାହା ନୁହେଁ; ଭାରତରେ ବ୍ରିଟିଶ ସାମ୍ରାଜ୍ୟବାଦର ସ୍ୱରୂପ ସମ୍ପର୍କରେ ସେମାନଙ୍କର କୌଣସି ସନ୍ଦେହ ରହିଲା ନାହିଁ ।

 

ଆଧୁନିକ ଚିନ୍ତାଧାରା, ରାଜନୈତିକ ଦଳ, ସମ୍ବାଦପତ୍ର, ପ୍ରଚାରପତ୍ରିକା ଓ ସାଧାରଣସଭା ସମିତିଦ୍ଵାରା ପ୍ରଚାରିତ ଓ ପ୍ରସାରିତ ହେଲା । ୧୮୨୩ ଖ୍ରୀଷ୍ଟାବ୍ଦ ପରେ ସରକାର ଭାରତରେ ଯେଉଁ ଆଧୁନିକ ଶିକ୍ଷାର ପ୍ରବର୍ତ୍ତନ କରିଥିଲେ ତାହାର ପ୍ରସାର ଘଟିଲା । ଏ ଦିଗରେ ଖ୍ରୀଷ୍ଟିଆନ ଧର୍ମଯାଜକମାନଙ୍କର ଓ କେତେ ଭାରତୀୟଙ୍କର ବ୍ୟକ୍ତିଗତ ଉଦ୍ୟମ ଉଲ୍ଲେଖଯୋଗ୍ୟ । ଅବଶ୍ୟ ଶିକ୍ଷାପ୍ରସାର ଉଦ୍ୟମରେ ସେମାନେ ମୁଖ୍ୟ ଅଂଶଗ୍ରହଣ କରିଥିବା ବିଷୟ ଏକ ଜଟିଳ ପ୍ରଶ୍ନ ଓ ସେ ବିଷୟରେ ବହୁ ବାଦାନୁବାଦ ଦେଖାଯାଏ ।

 

ଆଧୁନିକ ଶିକ୍ଷାର ପ୍ରସାର ଅତ୍ୟନ୍ତ ସୀମିତ ଥିଲା । ତେଣୁ ଏ ଦେଶର ପରମ୍ପରାଗତ ଶିକ୍ଷା ପଦ୍ଧତିର ଯେଉଁ ଅଧଃପତନ ଘଟିଲା, ତାହାକୁ ପରିପୂରଣ କରିବାପାଇଁ ପ୍ରାୟ ଶହେ ବର୍ଷ ଲାଗିଗଲା । ବିଦେଶୀ ସରକାର ପ୍ରାଥମିକ ଓ ସ୍କୁଲ୍ ଶିକ୍ଷା ବିଷୟରେ ଅବହେଳା ପ୍ରଦର୍ଶନ କଲେ । କିନ୍ତୁ ଆରମ୍ଭରୁ ଅର୍ଥାତ୍ ୧୮୫୮ ଖ୍ରୀଷ୍ଟାବ୍ଦ ପରେ ପରେ ଉଚ୍ଚଶିକ୍ଷାର ବିରୋଧ କଲେ । ବହୁ ଶିକ୍ଷିତ ଭାରତୀୟ ନିକଟ ଅତୀତରେ ଆହରଣ କରିଥିବା ଆଧୁନିକ ଶିକ୍ଷା ଓ ଜ୍ଞାନ ପ୍ରୟୋଗ କରି ବ୍ରିଟିଶ ଶାସନର ସାମ୍ରାଜ୍ୟବାଦ ବିରୋଧୀ ରାଜନୈତିକ ଆନ୍ଦୋଳନର ସଙ୍ଗଠନ କାର୍ଯ୍ୟରେ ଲାଗିପଡ଼ିଲେ-। ଶାସନ ଦାୟିତ୍ଵରେ ଥିବା ଇଂରେଜ କର୍ମଚାରୀମାନେ ଉଚ୍ଚଶିକ୍ଷା ଖର୍ବ କରିବା ଲାଗି ଦାବି କଲେ-। ଅବଶ୍ୟ ସରକାର ଉଚ୍ଚଶିକ୍ଷାର ଅଭିବୃଦ୍ଧି ବନ୍ଦ କରିବାପାଇଁ ଚେଷ୍ଟାକରି ବିଫଳ ହେଲେ-। କାରଣ ଥରେ ଆରମ୍ଭ ହେବାପରେ, ଶିକ୍ଷାର ମାନ ନିରବଚ୍ଛିନ୍ନ ଭାବରେ ହ୍ରାସ ପାଉଥିଲେ ମଧ୍ୟ ଜନସାଧାରଣଙ୍କ ଦାବି ଫଳରେ ତାହା ଚାଲୁ ରହିଲା ।

 

ଯଦି ଶିକ୍ଷାପଦ୍ଧତି ଜାତୀୟତାବାଦ ଆଣିଥାଏ, ତେବେ ତାହା ପରୋକ୍ଷଭାବରେ ହୋଇଥିବ । ଶିକ୍ଷାପ୍ରାପ୍ତ ବ୍ୟକ୍ତିମାନଙ୍କୁ ଶରୀର ଓ ସମାଜ ବିଜ୍ଞାନ ତଥା କଳା ବିଷୟକ ମୂଳ ଶାସ୍ତ୍ର ପଢ଼ିବାପାଇଁ ସୁଯୋଗ ଦେଇ ଏହି ଶିକ୍ଷା ସେମାନଙ୍କ ଭିତରେ ସାମାଜିକ ସମୀକ୍ଷା ଲାଗି ଆଗ୍ରହ ଓ ସାମର୍ଥ୍ୟ ସୃଷ୍ଟିକଲା । ପ୍ରକୃତପକ୍ଷେ ଏହାର ବ୍ୟବସ୍ଥା, ଉଦ୍ଦେଶ୍ୟ, ପଦ୍ଧତି ଓ ପାଠ୍ୟକ୍ରମ, ସମସ୍ତ କେବଳ ଉପନିବେଶବାଦର ସ୍ଵାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା ।

 

ଭାରତୀୟ ଶିକ୍ଷାର ଔପନିବେଶିକ ଚରିତ୍ର ଯୋଗୁଁ ଯେଉଁ ଅନ୍ୟ କେତେକ ବିଭାବର ସୃଷ୍ଟି ହୋଇଛି ତାହା ଉଲ୍ଲେଖଯୋଗ୍ୟ । ଗୋଟିଏ ହେଉଛି ଆଧୁନିକ କାରିଗରୀ ଯାନ୍ତ୍ରିକ ବିଦ୍ୟାର ଚରମ ଅବହେଳା ଯାହାକି ଆଧୁନିକ ଶିଳ୍ପର ପ୍ରତିଷ୍ଠା ଓ ବିକାଶ ଲାଗି ଅତ୍ୟନ୍ତ ଆବଶ୍ୟକ । ଅନ୍ୟ ବିଭାବ ହେଉଛି ଶିକ୍ଷାଦାନର ମାଧ୍ୟମ ଭାବରେ ଭାରତୀୟ ଭାଷା ପରିବର୍ତ୍ତେ ଇଂରାଜୀ ଭାଷା ଉପରେ ଗୁରୁତ୍ଵ ଆରୋପ । ଏହା କେବଳ ଯେ ଜନସାଧାରଣଙ୍କ ଶିକ୍ଷାର ପ୍ରସାର ପଥରେ ପ୍ରତିବନ୍ଧକ ହୋଇ ଠିଆହେଲା, ସେତିକି ନୁହେଁ, ସାଧାରଣଲୋକ ଓ ଶିକ୍ଷିତ ବ୍ୟକ୍ତିମାନଙ୍କ ମଧ୍ୟରେ ଭାଷା ଓ ସଂସ୍କୃତିର ବ୍ୟବଧାନ ଆହୁରି ପ୍ରଶସ୍ତ ହେବାକୁ ଲାଗିଲା । ସରକାର ଶିକ୍ଷାପାଇଁ ଆବଶ୍ୟକୀୟ ଅର୍ଥ ମଞ୍ଜୁର କରିବାକୁ ମନା କରିଦେବା ଫଳରେ ଶିକ୍ଷାର ମାନ ଧୀରେ ଧୀରେ ନୀଚ ସ୍ତରକୁ ଖସିବାକୁ ଲାଗିଲା । ଏହାଛଡ଼ା ସ୍କୁଲ୍ ଓ କଲେଜରେ ଛାତ୍ରମାନଙ୍କୁ ଫିସ୍ ଦେବାକୁ ପଡ଼ୁଥିବାରୁ ଶିକ୍ଷା ପ୍ରକୃତପକ୍ଷେ ଉଚ୍ଚ ଓ ମଧ୍ୟବିତ୍ତ ଶ୍ରେଣୀ ତଥା ନଗର ଓ ସହରବାସୀମାନଙ୍କର ଏକଚାଟିଆ ଅଧିକାରରୂପେ ରହିଲା ।

 

ନୂତନ ଚିନ୍ତାଧାରା ନୂତନ ଅର୍ଥନୈତିକ ଓ ରାଜନୈତିକ ଜୀବନ ଏବଂ ଇଂରେଜଶାସ,ନ ଭାରତୀୟ ଲୋକଙ୍କର ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇଲା । ଏହି ପ୍ରଭାବ ପ୍ରଥମେ ସହରାଞ୍ଚଳରେ ଅନୁଭୂତ ହେଲା ଓ ପରେ ଗ୍ରାମଗୁଡ଼ିକ ମଧ୍ୟ ପ୍ରଭାବିତ ହେଲେ । ଆଧୁନିକ ଶିଳ୍ପ, ନୂତନ ପରିବହନ ବ୍ୟବସ୍ଥା ସହରାଞ୍ଚଳର ବୃଦ୍ଧି ଏବଂ କଳକାରଖାନା, ଅଫିସ୍, ଡାକ୍ତରଖାନା ତଥା ସ୍କୁଲ୍‍ମାନଙ୍କରେ ବହୁସଂଖ୍ୟକ ମହିଳାଙ୍କ ନିଯୁକ୍ତି ଯୋଗୁଁ ସାମାଜିକ ପରିବର୍ତ୍ତନ ସମ୍ଭବ ହେଲା-। ସାମାଜିକ ବିଭିନ୍ନତା ଓ ଜାତିପ୍ରଥାର କଠୋରତା କ୍ରମେ କ୍ଷୟହେବାକୁ ଲାଗିଲା । ପୁରାତନ ଭୂସମ୍ପଦ ବ୍ୟବସ୍ଥା ଓ ପଲ୍ଲୀ ଅଞ୍ଚଳର ପରସ୍ପର ସୁସମ୍ପର୍କ ସମ୍ପୂର୍ଣ୍ଣରୂପେ ନଷ୍ଟ ହେବାରୁ ଦେଶର ଆଭ୍ୟନ୍ତରରେ ଜାତି ଜାତି ମଧ୍ୟରେ ରହିଥିବା ଭାରସାମ୍ୟ ନଷ୍ଟ ହେଲା । ବହୁ ଦୋଷ ଦୁର୍ବଳତା ରହିଥିଲେହେଁ ପୁଞ୍ଜିବାଦ ପ୍ରବେଶ କରିବାଦ୍ଵାରା ସାମାଜିକ ପ୍ରତିଷ୍ଠା ମୁଖ୍ୟତଃ ଆର୍ଥିକ ସ୍ଥିତି ଉପରେ ନିର୍ଭର କଲା ଓ ଲାଭ ଉଠାଇବା ହେଲା ସବୁଠାରୁ ଅଧିକ ବାଞ୍ଛନୀୟ ସାମାଜିକ କାର୍ଯ୍ୟ-

 

ପ୍ରଥମେ ପ୍ରଥମେ ଔପନିବେଶିକ ଶାସନ ସମାଜସଂସ୍କାର ସଂକ୍ରାନ୍ତୀୟ କାର୍ଯ୍ୟକୁ ଉତ୍ସାହିତ କରିବାଲାଗି ବିଭିନ୍ନ ନୀତି ପ୍ରଣୟନ କଲା । ଏ ଦେଶର ଅର୍ଥନୈତିକ ଶୋଷଣପାଇଁ ଓ ଇଂରେଜଶାସନକୁ ଆହୁରି ସୁଦୃଢ଼ କରିବା ଲାଗି ଭାରତୀୟ ସମାଜକୁ ଆଧୁନିକ ଢାଞ୍ଚାରେ ଗଢ଼ିବା ଦିଗରେ ଉଦ୍ୟମ ଚାଲିଲା । ଭାରତର କଠୋର ଜାତି ପ୍ରଥାରେ ସାମାଜିକ ଅନ୍ୟାୟ ଯେପରି ସୁସ୍ପଷ୍ଟ, ତାହା ଦେଖି କେତେଜଣ ଇଂରେଜ ଅଫିସରଙ୍କର ସହଜାତ ମାନବିକ ପ୍ରବୃତ୍ତି ଉତ୍ତେଜିତ ହୋଇଉଠିଲା । ସମାଜରେ ନାରୀଜାତିର ନୀଚ ସ୍ଥାନ ମଧ୍ୟ ସେମାନଙ୍କୁ ବିଚଳିତ କଲା । ଏହି ସମୟରେ ଖ୍ରୀଷ୍ଟିଆନ ଧର୍ମପ୍ରଚାରକମାନେ ମଧ୍ୟ ଭାରତୀୟ ସମାଜର ସଂସ୍କାର ଦିଗରେ କାର୍ଯ୍ୟ କଲେ; କିନ୍ତୁ ଖୁବ୍ ଶୀଘ୍ର ଉପନିବେଶବାଦର ଭବିଷ୍ୟତ ସ୍ଵାର୍ଥରକ୍ଷା ଓ ରକ୍ଷଣଶୀଳ ମନୋବୃତ୍ତି ଔପନିବେଶିକ ଶାସନକୁ ବିଶେଷ ପ୍ରଭାବିତ କଲା । ସେ ଅନୁସାରେ ସମାଜସଂସ୍କାର ସମ୍ପର୍କୀୟ ନୀତିଗୁଡ଼ିକର ପରିବର୍ତ୍ତନ କରାଗଲା ଓ ଇଂରେଜ ସରକାର ସଂସ୍କାରକମାନଙ୍କଠାରୁ ସମର୍ଥନ ପ୍ରତ୍ୟାହାର କଲେ ଏବଂ କ୍ରମଶଃ ସମାଜର ରକ୍ଷଣଶୀଳ ଓ ପ୍ରାଚୀନପନ୍ଥୀମାନଙ୍କର ପକ୍ଷ ଗ୍ରହଣ କଲେ ।

 

ଇଂରେଜମାନେ ଯେଉଁ ସାମାଜିକ ନୀତି ଗ୍ରହଣ କରିଥିଲେ, ତାହା ଆଉ ନିଷ୍କ୍ରିୟ ରହିଲା ନାହିଁ । ଏ ଦେଶରେ ଧୀରେ ଧୀରେ ବୃଦ୍ଧିପାଉଥିବା ଜାତୀୟତାବାଦର ଆହ୍ଵାନର ସମ୍ମୁଖୀନ ହେବାଲାଗି ବ୍ରିଟିଶ ଶାସକମାନେ ଜାତୀୟ ଏକତାକୁ ଭାଙ୍ଗି ଦଳାଦଳି ସୃଷ୍ଟି କରିବାକୁ ଲାଗିଲେ । ପ୍ରତିକ୍ରିୟାଶୀଳ ସାମାଜିକ ଗୋଷ୍ଠୀଗୁଡ଼ିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସକ୍ରିୟଭାବେ ସାମ୍ପ୍ରଦାୟିକତା ଓ ଜାତିପ୍ରଥାକୁ ମଧ୍ୟ ଉତ୍ସାହିତ କଲେ ।

 

ଏତେବେଳେ ଲୋକମାନଙ୍କ ମଧ୍ୟରେ ଯେଉଁ ବୌଦ୍ଧିକ ତଥା ରାଜନୈତିକ ଆଲୋଡ଼ନ ଦେଖାଦେଲା, ତାହା ମଧ୍ୟ ସମାଜ ସଂସ୍କାର ଆନ୍ଦୋଳନକୁ ନେତୃତ୍ଵ ଦେଲା । କିନ୍ତୁ ସାମାଜିକ ପରିବର୍ତ୍ତନ ଓ ସଂସ୍କାରମୂଳକ ଆନ୍ଦୋଳନ ସେହି ସମୟରେ ବ୍ୟାପକ ଓ ଶକ୍ତିଶାଳୀ ହୋଇ ଉଠିଲା, ଯେଉଁ ସମୟରେ ନୀଚ ଜାତିର ଲୋକ ତଥା ମହିଳାମାନେ ସେମାନଙ୍କ ଦଳିତ ଅବସ୍ଥା ସମ୍ପର୍କରେ ସଚେତନ ହୋଇ ସାମାଜିକ ସଙ୍ଗଠନର ପୁନର୍ବିନ୍ୟାସ ଲାଗି ସଂଗ୍ରାମ ଆରମ୍ଭ କଲେ । ଊନବିଂଶ ଶତାବ୍ଦୀର ଶେଷ ସମୟକୁ ଜ୍ୟୋତିବା ଫୁଲେ ପ୍ରଭୃତି ସଂସ୍କାରକଙ୍କ ନେତୃତ୍ଵରେ ନୀଚ ଜାତିର ଲୋକମାନେ ଶକ୍ତିଶାଳୀ ଆନ୍ଦୋଳନର ସଂଗଠନ ଆରମ୍ଭ କଲେ । ସେହିପରି ବିଂଶ ଶତାବ୍ଦୀର ତୃତୀୟ ଦଶକରେ ଦାକ୍ଷିଣାତ୍ୟରେ ଉଚ୍ଚ ଶ୍ରେଣୀର ସାମାଜିକ ତଥା ଅର୍ଥନୈତିକ ନିଷ୍ପେଷଣ ବିରୁଦ୍ଧରେ ସଂଘର୍ଷ କରିବା ଲାଗି ନିମ୍ନ ଶ୍ରେଣୀର ଲୋକମାନଙ୍କର ସଙ୍ଗଠନ ଚାଲିଲା । ମହିଳା ଓ ଆଦିବାସୀମାନେ ମଧ୍ୟ ସେମାନଙ୍କ ସାମାଜିକ ମର୍ଯ୍ୟାଦାପାଇଁ ସଜାଗ ହେଲେ । ଏହି ସମସ୍ତ ଲୋକଙ୍କୁ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଙ୍ଗଠିତ କରିବାଲାଗି, ଜାତୀୟ ଆନ୍ଦୋଳନ ମଧ୍ୟ ଧର୍ମ, ଜାତି ଓ ସ୍ତ୍ରୀ–ପୁରୁଷ ନିର୍ବିଶେଷରେ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଦେବାକୁ ଉଦ୍ଦେଶ୍ୟରୂପେ ଗ୍ରହଣ କଲା । ଏହା ବ୍ୟତୀତ ବିକ୍ଷୋଭ ପ୍ରଦର୍ଶନ, ସାଧାରଣସଭା ସମିତି, ଜନ ଆନ୍ଦୋଳନ, ଶ୍ରମିକ ସଙ୍ଗଠନ ଓ କୃଷକ ସଭା ପ୍ରଭୃତିରେ ସମସ୍ତେ ଏକତ୍ର ଅଂଶଗ୍ରହଣ କଲେ; ଫଳରେ ଜାତି ପ୍ରଥା ଓ କୃତ୍ରିମ ସାମାଜିକ ଶ୍ରେଷ୍ଠତ୍ଵ ସମ୍ପର୍କୀୟ ମନୋଭାବ କ୍ରମେ ଭାଙ୍ଗିପଡ଼ିଲା ।

 

ଭାରତୀୟ ସଂସ୍କୃତିର ଆଧୁନିକୀକରଣର ଅନ୍ୟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଭାବ ମଧ୍ୟ ଥିଲା । ଭାରତୀୟ ସମାଜର ପ୍ରତିକ୍ରିୟାଶୀଳ ପ୍ରାଚୀନପନ୍ଥୀମାନେ ସେମାନଙ୍କର ବିପଦଗ୍ରସ୍ତ ସାମାଜିକ ତଥା ସାଂସ୍କୃତିକ ଉତ୍କର୍ଷର ରକ୍ଷା ଲାଗି ଆଧୁନିକ ସଂସ୍କୃତିର ଘୋର ବିରୋଧ କରୁଥିଲାବେଳେ କେତେକ ଉଚ୍ଚ ଓ ମଧ୍ୟବର୍ତ୍ତୀ ଶ୍ରେଣୀୟ ଭାରତୀୟ ଠିକ୍ ତା’ର ବିପରୀତ ଦିଗରେ ଚିନ୍ତା କରୁଥିଲେ । ସେମାନେ ପାଶ୍ଚାତ୍ୟ ଜୀବନ ଓ ସଂସ୍କୃତିକୁ ଅନ୍ଧଭାବରେ ଅନୁକରଣ କରିବାକୁ ଲାଗିଲେ; ମାତ୍ର ଭାରତୀୟ ଜୀବନ ସହିତ ପାଶ୍ଚାତ୍ୟ ଜୀବନର ବାସ୍ତବିକ, ମାନବିକ ଓ ବୈଜ୍ଞାନିକ ବିଭାବର ସମନ୍ଵୟ ସାଧନା କରିବା ଉଦ୍ଦେଶ୍ୟରେ ସେମାନେ କୌଣସି ପ୍ରଚେଷ୍ଟା କଲେନାହିଁ । ଆଧୁନିକତା ଯେ ଗୋଟିଏ ପରିସ୍ଥିତିର ସମ୍ମୁଖୀନ ହେବାର ଭଙ୍ଗୀ, ଗୋଟିଏ ଚିନ୍ତାଧାରା କିମ୍ବା ମୂଲ୍ୟାୟନ ଏବଂ ତାହା କଥା କହିବାର ଢଙ୍ଗ, ପୋଷାକ ପରିପାଟୀ ତଥା ଖାଇବାର ଆଦବକାଇଦା ଉପରେ ନିର୍ଭର କରେନାହିଁ, ଏହା ନ ବୁଝି ସେମାନେ ମର୍କଟପରି ୟୁରୋପୀୟ ଢଙ୍ଗଢ଼ାଙ୍ଗ ଓ ରୀତିନୀତିର ଅନୁକରଣ କରିବାକୁ ଲାଗିଲେ । ଆଧୁନିକ ଚିନ୍ତାଧାରା ଓ ସଂସ୍କୃତିକୁ ଭାରତୀୟ ସଂସ୍କୃତି ସହିତ ଏକୀଭୂତ କରି ଯେ ଗ୍ରହଣ କରାଯାଇପାରେ ଏବଂ ଏହା ସହଜପନ୍ଥା, ତାହା ମଧ୍ୟ ସେମାନେ ହୃଦୟଙ୍ଗମ କଲେ ନାହିଁ ।

 

ଔପନିବେଶିକ ନୀତିଗୁଡ଼ିକ ଭିତରେ ଅନ୍ତର୍ନିହିତ ଥିଲା ଏହି ପ୍ରକ୍ରିୟାର ମୂଳସତ୍ତା । ଭାରତୀୟମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ନିଶ୍ଚିତ ଗ୍ରାହକ କରିବାପାଇଁ ଓ ବ୍ରିଟିଶ ସାମ୍ରାଜ୍ୟର ରାଜଭକ୍ତ ପ୍ରଜା କରି ରଖିବାପାଇଁ ଇଂରେଜମାନେ ଭାରତ ଉପରେ ସେମାନଙ୍କ ଉପନିବେଶବାଦ, ସଂସ୍କୃତି ଓ ନଗର ଜୀବନ ପ୍ରତ୍ୟେକଟିର ପ୍ରଭାବ ପକାଇବା ଦିଗରେ ସବୁପ୍ରକାର ଚେଷ୍ଟା ଚଳାଇଲେ ।

 

ଇଂରେଜ ଲେଖକ ଓ ରାଜନୀତିଜ୍ଞମାନେ ମଧ୍ୟ ଭାରତ ଉପରେ ବ୍ରିଟିଶ ରାଜନୈତିକ ଓ ଅର୍ଥନୈତିକ କର୍ତ୍ତୃତ୍ଵର ଯଥାର୍ଥ୍ୟ ପ୍ରମାଣ କରିବାକୁ ଯାଇ ଭାରତୀୟ ସମାଜ ଓ ସଂସ୍କୃତିର ସମାଲୋଚନା କଲେ । ସେମାନେ ଘୋଷଣା କଲେ ଯେ ଭାରତୀୟମାନେ ସେମାନଙ୍କର ସହଜାତ ସାମାଜିକ ଓ ସାଂସ୍କୃତିକ ତ୍ରୁଟି କଥା ଅପୂର୍ଣ୍ଣତା ଯୋଗୁଁ ଚିରନ୍ତନଭାବେ ବିଦେଶୀ ଶାସକଙ୍କଦ୍ଵାରା ଶାସିତ ହେବା ସେମାନଙ୍କ ଭାଗ୍ୟଲିଖନ । ଉପରୋକ୍ତ ଦୁଇଟିଯାକ କାରଣ ଯୋଗୁଁ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଲା । ବହୁ ଭାରତୀୟ ସେମାନଙ୍କ ଗୌରବାବହ ଅତୀତର ସ୍ମୃତି ଗାନକରି ସ୍ଵ–ଶାସନ ଲାଗି ନିଜର ଯୋଗ୍ୟତା ପ୍ରମାଣିତ କରିବାର ଆବଶ୍ୟକତା ଅନୁଭବ କଲେ । ଅନ୍ୟମାନେ ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣକାରୀମାନଙ୍କୁ ବିଦ୍ରୂପ କରି ଆଧୁନିକ ଚିନ୍ତାଧାରା ଓ ସଂସ୍କୃତିର ଘୋର ବିରୋଧ କଲେ । ସେମାନେ ବିଶ୍ଵାସ କରୁଥିଲେ ଯେ ପୁନର୍ବାର ନିଜ ପ୍ରତି ଓ ଅତୀତ ପ୍ରତି ଦୃଷ୍ଟି ଫେରାଇବାଦ୍ଵାରାହିଁ ସାଂସ୍କୃତିକ ସ୍ଵାତନ୍ତ୍ର୍ୟର ସୁରକ୍ଷା କରାଯାଇପାରିବ । ଏ ପ୍ରକାର ଚିନ୍ତାଧାରା ଅଳ୍ପ ଲୋକଙ୍କ ମଧ୍ୟରେ ସୀମିତ ଥିଲେ ମଧ୍ୟ ଭାରତୀୟ ଲୋକମାନଙ୍କୁ ବିଶେଷତଃ ସହରାଞ୍ଚଳର ନିମ୍ନ ମଧ୍ୟବିତ୍ତ ଲୋକଙ୍କୁ କେତେକାଂଶରେ ପ୍ରଭାବିତ କରିଥିଲା ।

 

ଇଂରେଜଶାସନ ଫଳରେ ଦେଶର ସମସ୍ତ ଅଞ୍ଚଳ ଏକଶାସନାଧୀନ ହୋଇ ପାରିଲା । ଗୋଟିଏ ପ୍ରକାରର ଆଇନକାନୁନ ଓ ଗୋଟିଏ ପ୍ରକାରର ସରକାର ତଥା ଶାସନଦ୍ଵାରା ସମଗ୍ର ଦେଶର ଐକ୍ୟ ପ୍ରତିଷ୍ଠିତ ହେଲା । ରେଳ ସଂଯୋଗ, ଟେଲିଗ୍ରାଫ୍, ଆଧୁନିକ ଡାକସଂସ୍ଥା, ସଡ଼କ ଉନ୍ନୟନ ଓ ମୋଟର ପରିବହନ ଆଦି ନୂତନ ଯୋଗାଯୋଗ ବ୍ୟବସ୍ଥାର ପ୍ରବର୍ତ୍ତନ ମଧ୍ୟ ଦେଶର ଐକ୍ୟ ସ୍ଥାପନପାଇଁ ଅନେକାଂଶରେ ଦାୟୀ । ଗ୍ରାମାଞ୍ଚଳର ସ୍ଥାନୀୟ ଅର୍ଥନୈତିକ ସ୍ଵୟଂସମ୍ପୂର୍ଣ୍ଣତା ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ କାରବାର ଭାଙ୍ଗିପଡ଼ିବାଦ୍ଵାରା ଏକ ସମ୍ପୂର୍ଣ୍ଣ ନୂତନ ଅର୍ଥନୀତିର ଅଭ୍ୟୁଦୟ ଲାଗି ଅନୁକୂଳ ପରିସ୍ଥିତି ସୃଷ୍ଟିହେଲା । ଆଧୁନିକ ଶିଳ୍ପର ପରିସର ହେଲା ସମଗ୍ର ଭାରତବର୍ଷ । ଦେଶର ଯେକୌଣସି ସ୍ଥାନରୁ କଞ୍ଚାମାଲ ମିଳିପାରିଲା ଓ ଉତ୍ପାଦିତ ଦ୍ରବ୍ୟ ଦେଶବ୍ୟାପୀ ବଜାରରେ ବିକ୍ରି ମଧ୍ୟ କରାଯାଇପାରିଲା । ଏପରିକି ଶ୍ରମିକମାନେ ମଧ୍ୟ ବିଭିନ୍ନ ରାଜ୍ୟରୁ ନିଯୁକ୍ତ ହେଲେ । କ୍ରମଶଃ ଭାରତୀୟ ଲୋକଙ୍କର ଅର୍ଥନୈତିକ ପରିସ୍ଥିତି ପରସ୍ପର ସହିତ ସଂଯୁକ୍ତ ହେଲା ଏବଂ ଭାରତର ଅର୍ଥନୈତିକ ଜୀବନ ସର୍ବସ୍ପର୍ଶୀ ଓ କେନ୍ଦ୍ରୀତ ହେବାକୁ ଲାଗିଲା । ସମଗ୍ର ଦେଶର ଲୋକେ ଏକପ୍ରକାର ଶିକ୍ଷା ଓ ନୂତନଚିନ୍ତା ଗ୍ରହଣ କରିବାଦ୍ଵାରା ସର୍ବଭାରତୀୟ କ୍ଷେତ୍ରରେ ଗୋଟିଏ ବୌଦ୍ଧିକ ଶ୍ରେଣୀର ସୃଷ୍ଟି ହେଲା ଏବଂ ସମାଜକୁ ସମାନଦୃଷ୍ଟିରେ ଦେଖିବାର ତଥା ସମାନଭାବରେ ଗୋଟିଏ ପରିସ୍ଥିତିର ସମ୍ମୁଖୀନ ହେବାର ମନୋଭାବ ସେମାନଙ୍କ ଭିତରେ ଜାଗ୍ରତ ହୋଇ ଉଠିଲା । ସେହିପରି ସର୍ବଭାରତୀୟ କ୍ଷେତ୍ରରେ ଏହି ସମୟ ଭିତରେ ଅନ୍ୟ ଦୁଇଟି ଶ୍ରେଣୀର ଆବିର୍ଭାବ ହେଲା–ଶ୍ରମିକ ଓ ପୁଞ୍ଜିପତି ଶ୍ରେଣୀ । ପାରମ୍ପରିକ ଜାତି, ଧର୍ମ ତଥା ଆଞ୍ଚଳିକ ବିଭାଜନ ଏହାକୁ ସ୍ପର୍ଶ କରି ନଥିଲା ।

 

ଏସବୁ ସହିତ ସାମାଜିକ ଶ୍ରେଣୀ, ଜାତି, ଧର୍ମ ବା ଅଞ୍ଚଳ ନିର୍ବିଶେଷରେ ସମସ୍ତ ଭାରତୀୟ ଲୋକଙ୍କୁ ନିଷ୍ପେଷଣ କରୁଥିବା ସାଧାରଣ ଶତ୍ରୁ ବିରୁଦ୍ଧରେ ସମସ୍ତେ ଏକତ୍ରିତ ହେଲେ । ଏହା ବ୍ୟତୀତ ସାମ୍ରାଜ୍ୟବାଦୀ ବିରୋଧୀ ସଂଘର୍ଷ ଓ ନିବିଡ଼ ସାମାଜିକ ବନ୍ଧନ ଯୋଗୁଁ ଯେଉଁ ଭାବପ୍ରବଣତା ଓ ମାନସିକ ଐକ୍ୟ ଦେଖାଦେଲା ତଦ୍ଦ୍ଵାରା ଲୋକମାନେ ପରସ୍ପରର ଆହୁରି ନିକଟବର୍ତ୍ତୀ ହୋଇ ଆସିଲେ; ଫଳରେ ଗୋଟିଏ ସାଧାରଣ ଜାତୀୟ ଦୃଷ୍ଟିଭଙ୍ଗୀର ଅଭ୍ୟୁଦୟ ହେଲା ।

 

ଭାରତୀୟ ସମାଜରେ ଗୋଷ୍ଠୀ ଓ ଶ୍ରେଣୀବିଭାଗ ଏବଂ ବ୍ରିଟିଶ ଶାସନ

 

ସମୟ ଅତିବାହିତ ହେବା ସଙ୍ଗେ ସଙ୍ଗେ ବ୍ରିଟିଶ ଶାସନର ପ୍ରଭାବ ଆହୁରି ସ୍ପଷ୍ଟ ହବାକୁ ଲାଗିଲା । ବ୍ରିଟିଶ ଶାସନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସହିତ ଭାରତୀୟ ଲୋକଙ୍କ ସ୍ଵାର୍ଥର ଯେଉଁ ବ୍ୟବଧାନ, ଅସଙ୍ଗତ ତଥା ସଂଘର୍ଷ ରହିଥିଲା ତାହା ଯେ ସ୍ଵାଭାବିକ ଏ କଥା ମଧ୍ୟ ସ୍ପଷ୍ଟରୂପେ ଜଣାପଡ଼ିଲା । କ୍ରମେ ଅଧିକରୁ ଅଧିକ ସଂଖ୍ୟକ ଭାରତୀୟ ବୁଝିପାରିଲେ ଯେ ଇଂରେଜମାନେ ନିଜ ସ୍ଵାର୍ଥସାଧନ ନିମନ୍ତେ ଭାରତକୁ ଶାସନ କରୁଛନ୍ତି ଏବଂ ସେହି ଲକ୍ଷ୍ୟ ନେଇ ଶାସନ କଲାବେଳେ ବ୍ରିଟିଶ ଜାତିପାଇଁ ବିଶେଷତଃ ବ୍ରିଟିଶ ପୁଞ୍ଜିପତିମାନଙ୍କ ସ୍ଵାର୍ଥରକ୍ଷା ପାଇଁ ସେମାନେ ଭାରତୀୟ ସ୍ଵାର୍ଥକୁ ବଳି ପକାଇ ଦେବାକୁ ମଧ୍ୟ କୁଣ୍ଠାବୋଧ କରୁନାହାନ୍ତି । ସେମାନେ ଅନୁଭବ କଲେ ଯେ, ଭାରତର ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଅଧଃପତନ ତଥା ଅନୁନ୍ନତିର ପ୍ରଧାନ କାରଣ ହେଉଛି ଉପନିବେଶବାଦ । ଧୀରେ ଧୀରେ ଭାରତୀୟ ସମାଜର ବିଭିନ୍ନ ଶ୍ରେଣୀ ଓ ଗୋଷ୍ଠୀ ଆବିଷ୍କାର କଲେ ଯେ, ସେମାନଙ୍କ ବିଭିନ୍ନ ବିଭାଗର ମୌଳିକ ବିକାଶକୁ ବ୍ରିଟିଶ ଶାସନହିଁ ପ୍ରତିହତ କରୁଛି ।

 

ବ୍ରିଟିଶ ଉପନିବେଶବାଦର ବୋଧହୁଏ ପ୍ରଧାନ ଶରବ୍ୟ ହେଲେ କୃଷିଜୀବୀ । ସରକାର ସେମାନଙ୍କ ଉତ୍ପନ୍ନ ଶସ୍ୟର ଅଧିକାଂଶ ରାଜସ୍ୱ ଓ ଅନ୍ୟାନ୍ୟ କରରୂପେ ନେଇ ଯାଉଥିଲେ । ତେଣୁ କୃଷକସମାଜ ଖୁବ୍ ଶୀଘ୍ର ଜମିଦାର ତଥା ଋଣଦାତାମାନଙ୍କର ହାତରେ ପଡ଼ିଲା । ଚାଷୀ ଖୁବ୍ ଶୀଘ୍ର ଆବିଷ୍କାର କଲା ଯେ ତା’ର ଜମି, ଉତ୍ପନ୍ନ ଶସ୍ୟ, ଏପରିକି ତା’ର ନିଜ ଶ୍ରମ ଉପରେ ମଧ୍ୟ ତା’ର କୌଣସି କର୍ତ୍ତୃତ୍ଵ ନାହିଁ । ଯେତେବେଳେ କୃଷକମାନେ ଜମିଦାର, ଜମିମାଲିକ ଓ ସାହୁକାରମାନଙ୍କ ବିରୁଦ୍ଧରେ ରାଜନୈତିକ ଓ ଅର୍ଥନୈତିକ ସଂଘର୍ଷ ଲାଗି ସଂଗଠିତ ହେଲେ, ସେତେବେଳେ ସରକାର ଶାନ୍ତିଶୃଙ୍ଖଳାରକ୍ଷାର ଦ୍ଵାହି ଦେଇ ପୋଲିସ୍ ଓ ବିଚାରାଳୟ ସଂସ୍ଥାକୁ ସେମାନଙ୍କ ବିପକ୍ଷରେ ବ୍ୟବହାର କରି ସଂଘର୍ଷକୁ କଠୋରତାର ସହ ଦମନ କଲେ । ସମୟକ୍ରମେ କୃଷକମାନେ, ସାମ୍ରାଜ୍ୟବାଦ ଯେଉଁ ଭୂମିକା ଗ୍ରହଣ କରିଥିଲା, ତା’ର ପ୍ରକୃତ ରାଜନୈତିକ ମୂଲ୍ୟାୟନ କରି ଦେଖିବାକୁ ପାଇଲେ ଯେ ସେମାନଙ୍କର ଦୁଃସ୍ଥିତିପାଇଁ ମୁଖ୍ୟତଃ ସାମ୍ରାଜ୍ୟବାଦହିଁ ଦାୟୀ ।

 

ହସ୍ତଶିଳ୍ପୀ ଓ କାରିଗରମାନେ ମଧ୍ୟ ସାମ୍ରାଜ୍ୟବାଦ ଯୋଗୁଁ ବହୁଭାବରେ କ୍ଷତିଗ୍ରସ୍ତ ହୋଇଥିଲେ । କ୍ଷତିପୂରଣସ୍ୱରୂପ ରୋଜଗାରର କୌଣସି ନୂତନ ପନ୍ଥା ନଦେଇ ବା ନିଯୁକ୍ତିର ବ୍ୟବସ୍ଥା ନକରି ସରକାର ସେମାନଙ୍କର ଶହ ଶହ ବର୍ଷର ଜୀବିକା ନିର୍ବାହର ପନ୍ଥା ଅବରୋଧ କଲେ । ଊନବିଂଶ ଶତାବ୍ଦୀର ଶେଷାଂଶରେ ସେମାନଙ୍କର ଅବସ୍ଥା ଅତ୍ୟନ୍ତ ଦୀନହୀନ ଓ ଶୋଚନୀୟ ହୋଇ ପଡ଼ିଥିଲା; ଫଳରେ ସେମାନେ ବିଂଶ ଶତାବ୍ଦୀର ସାମ୍ରାଜ୍ୟବାଦ ବିରୋଧୀ ସଂଘର୍ଷରେ ସକ୍ରିୟ ଅଂଶଗ୍ରହଣ କଲେ ।

 

ଭାରତରେ ଆଧୁନିକ ଶିଳ୍ପର ଉନ୍ନୟନ ଓ ବିକାଶ ସଙ୍ଗେ ସଙ୍ଗେ ଗୋଟିଏ ନୂତନ ସାମାଜିକ ଶ୍ରେଣୀର ଉଦ୍ଭବ ହେଲା, ତାହା ହେଉଛି ଶ୍ରମିକ ଶ୍ରେଣୀ । ସମଗ୍ର ଜନସଂଖ୍ୟାର ଏକ କ୍ଷୁଦ୍ର ଅଂଶ ଏହି ଶ୍ରମିକ ଶ୍ରେଣୀ ଥିଲା ଅତ୍ୟଳ୍ପ ସଂଖ୍ୟକ ଲୋକଙ୍କର ସମାହାର । କିନ୍ତୁ ଏହା ଏକ ନୂତନ ସାମାଜିକ ଦୃଷ୍ଟିଭଙ୍ଗୀର ପ୍ରତିନିଧିତ୍ଵ କଲା । ଶତ ଶତ ବର୍ଷର ପରମ୍ପରା, ରୀତିନୀତି ଓ ଜୀବନଧାରଣ ପ୍ରଣାଳୀଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏହା ବ୍ୟତୀତ ଶ୍ରମିକମାନେ କାରଖାନା ତଥା ସହରଗୁଡ଼ିକରେ କେନ୍ଦ୍ରୀଭୂତ ଥିଲେ । ଏହିସବୁ କାରଣରୁ ସେମାନଙ୍କର ରାଜନୈତିକ କାର୍ଯ୍ୟାବଳୀର ତାତ୍ପର୍ଯ୍ୟ ତଥା ଗୁରୁତ୍ଵ ସେମାନଙ୍କ ସଂଖ୍ୟା ତୁଳନାରେ ଅଧିକ ମହତ୍ଵପୂର୍ଣ୍ଣ ଥିଲା ।

 

ଭାରତୀୟ ଶ୍ରମିକମାନେ ଅତ୍ୟନ୍ତ ଅସନ୍ତୋଷଜନକ ପରିସ୍ଥିତି ଭିତରେ କାର୍ଯ୍ୟ କରୁଥିଲେ ଏବଂ ବଞ୍ଚୁଥିଲେ । ୧୯୧୧ ମସିହା ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟର ସମୟ ଓ ନିର୍ଘଣ୍ଟ ସମ୍ପର୍କରେ କୌଣସି ନିୟମ କଟକଣା ନଥିଲା । ରୋଗ, ବୃଦ୍ଧାବସ୍ଥା, ବେକାର, ଦୁର୍ଘଟଣା ବା ଅକାଳମୃତ୍ୟୁଜନିତ ଦୁଃସ୍ଥିତିରୁ ରକ୍ଷା କରିବାପାଇଁ କୌଣସି ସାମାଜିକ ନିରାପତ୍ତା ବା ବୀମା ବ୍ୟବସ୍ଥା ନଥିଲା । ସେତେବେଳେ ପ୍ରଭିଡ଼େଣ୍ଟଫଣ୍ଡ ମଧ୍ୟ ନଥିଲା । ନାରୀ ଶ୍ରମିକମାନଙ୍କ ପାଇଁ କୌଣସି ପ୍ରକାର ମାତୃମଙ୍ଗଳ ବ୍ୟବସ୍ଥା ନଥିଲା । ଏ ସମ୍ପର୍କୀୟ ଏକ ପରିକଳ୍ପନା, କାରଖାନା ମାଲିକଙ୍କ ଲାଗି ଅସନ୍ତୋଷଜନକ ହେଲେ ମଧ୍ୟ ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ କାର୍ଯ୍ୟକାରୀ କରାଗଲା ।

 

୧୮୮୯ରୁ ୧୯୨୯ ମସିହା ଭିତରେ କାରଖାନା ଶ୍ରମିକମାନଙ୍କର ପ୍ରକୃତ ପାରିଶ୍ରମିକ ହ୍ରାସ ପାଇବାକୁ ଲାଗିଲା ଏବଂ ଗୋଟିଏ ସଂଘର୍ଷକ୍ଷମ ଟ୍ରେଡ଼ ୟୁନିୟନ୍‍ର ଆନ୍ଦୋଳନ ଆରମ୍ଭ ହେବାପରେ ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଶ୍ରମିକମାନଙ୍କର ମଜୁରିହାର ୧୮୮୦ ଓ ୧୮୯୦ ମସିହା ଭିତରେ ଯାହା ଥିଲା ସେତିକି ପର୍ଯ୍ୟନ୍ତ ବଢ଼ାଇ ଦିଆଗଲା । ସେତେବେଳକୁ ଶ୍ରମିକମାନଙ୍କର ଉତ୍ପାଦନ ଶକ୍ତି ଶତକଡ଼ା ୫୦ ଭାଗ ବୃଦ୍ଧି ପଇସାରିଥିଲା; ଫଳରେ ସାଧାରଣ ସ୍ତରର ଶ୍ରମିକକୁ ଜୀବନଧାରଣର ସର୍ବନିମ୍ନ ଆବଶ୍ୟକତାଠାରୁ ମଧ୍ୟ କମ୍‍ରେ ଚଳିବାକୁ ପଡ଼ୁଥିଲା । ବ୍ରିଟିଶ ଶାସନ ଅଧୀନରେ ଭାରତୀୟ ଶ୍ରମିକମାନଙ୍କ ଅବସ୍ଥା ବର୍ଣ୍ଣନା କରି ଜର୍ମାନୀର ସୁବିଖ୍ୟାତ ଅର୍ଥନୈତିକ ଇତିହାସ ପ୍ରଫେସର୍ ଜୁର୍ଗେନ କୁଜ୍‍ୟାସ୍କି ୧୯୩୮ ମସିହାରେ ଲେଖିଥିଲେ “ଅଳ୍ପଖାଦ୍ୟ ଖାଇବାକୁ ପାଉଥିବା, ପାଣି ପବନ ଓ ଆଲୋକ ବ୍ୟତୀତ ଜୀବଜନ୍ତୁଙ୍କ ପରି ବାସକରୁଥିବା ଭାରତୀୟ ଶିଳ୍ପାନୁଷ୍ଠାନଗୁଡ଼ିକର ଶ୍ରମିକ, ପୁଞ୍ଜିବାଦୀ ଶିଳ୍ପ ଜଗତର ସବୁଠାରୁ ଅଧିକ ଶୋଷିତ ଶ୍ରେଣୀ ।’

 

କଫି ଓ ଚା’ ବଗିଚାଗୁଡ଼ିକରେ ଅବସ୍ଥା ଆହୁରି ଶୋଚନୀୟ ଥିଲା । ଏହି ବଗିଚାଗୁଡ଼ିକ ଜନବିରଳ ଅଞ୍ଚଳରେ ଅବସ୍ଥିତ । ଜଳବାୟୁ ଅତ୍ୟନ୍ତ ଅସ୍ଵାସ୍ଥ୍ୟକର । ତଥାପି ମାଲିକମାନେ ବାହାର ଶ୍ରମିକମାନଙ୍କୁ ଆକର୍ଷଣ କରିବାଲାଗି ପର୍ଯ୍ୟାପ୍ତ ପାରିଶ୍ରମିକ ମଧ୍ୟ ଦେଉ ନଥିଲେ । ଏହା ପରିବର୍ତ୍ତେ ଶ୍ରମିକ ସଂଗ୍ରହ ଲାଗି ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରିତ କରୁଥିଲେ । ସେମାନଙ୍କୁ ସେହି ଚା’ ବଗିଚା ଥିବା ଅଞ୍ଚଳରେ କ୍ରୀତଦାସ କରି ସବୁଦିନ ଲାଗି ରଖିବା ଉଦ୍ଦେଶ୍ୟରେ ଯେଉଁ ଉପାୟ ଅବଲମ୍ବନ କରାଯାଉଥିଲା, ତା’ ଭିତରେ ବାଧ୍ୟ କରିବା ଓ ଶାରୀରିକ ପୀଡ଼ାଦେବା ଥିଲା ଅତ୍ୟନ୍ତ ସାଧାରଣ କଥା । ସରକାର ଚା’ ବଗିଚା ମାଲିକମାନଙ୍କୁ ଏ ଦିଗରେ ସବୁମତେ ସାହାଯ୍ୟ କରୁଥିଲେ ଏବଂ ସେମାନଙ୍କ ସୁବିଧାପାଇଁ ଆଇନ ମଧ୍ୟ ପ୍ରଣୟନ କରିଥିଲେ ।

 

ସମୟକ୍ରମେ ଭାରତୀୟ ଶ୍ରମିକଶ୍ରେଣୀ ମଧ୍ୟ ହିଂସ୍ର ସାମ୍ରାଜ୍ୟବାଦ ବିରୋଧୀ ମନୋଭାବ ଗ୍ରହଣ କଲେ ।

 

ସମାଜର ଅନ୍ୟ ଗୋଟିଏ ମୁଖ୍ୟ ଭାଗ ହେଲା ଜାତୀୟ ଆନ୍ଦୋଳନର ମେରୁଦଣ୍ଡ । ସେ ହେଉଛି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ । ଊନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଯେତେବେଳେ ଇଂରେଜମାନେ ବହୁସଂଖ୍ୟକ ତଳ ଶ୍ରେଣୀର ସରକାରୀ କର୍ମଚାରୀ ନିଯୁକ୍ତ କଲେ ଏବଂ ସ୍କୁଲ୍ ତଥା ବିଚାରାଳୟ ସ୍ଥାପନ କରି ବିଭିନ୍ନ ପ୍ରକାର ନୂଆ ଚାକିରି ଓ ବ୍ୟବସାୟର ସୁଯୋଗ ଦେଲେ, ସେହି ସୁଯୋଗର ସୁବିଧା ଗ୍ରହଣ କରିଥିଲେ ଏହି ମଧ୍ୟବିତ୍ତଶ୍ରେଣୀ । ଆଉ ମଧ୍ୟ ଅଭ୍ୟନ୍ତରୀଣ ତଥା ବୈଦେଶିକ ବାଣିଜ୍ୟର ଆକସ୍ମିକ ବୃଦ୍ଧି ଫଳରେ ପ୍ରତ୍ୟେକ ସ୍ତରରେ ବ୍ୟବସାୟୀ ଶ୍ରେଣୀର ସଂପ୍ରସାରଣ ଚାଲିଲା । କିନ୍ତୁ ଏକ ଅନୁନ୍ନତ ଔପନିବେଶିକ ଅର୍ଥନୀତିର ଫଳାଫଳ ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇଗଲା । ଊନବିଂଶ ଶତାବ୍ଦୀ ଶେଷ ହେବାବେଳକୁ ଅଳ୍ପସଂଖ୍ୟକ ଶିକ୍ଷିତ ଭାରତୀୟ ସମଗ୍ର ଦେଶରେ, ଯାହାଙ୍କ ସଂଖ୍ୟା ଆଜିର କ୍ଷୁଦ୍ର ଦିଲ୍ଲୀ ରାଜ୍ୟର ଶିକ୍ଷିତ ଲୋକଙ୍କ ସଂଖ୍ୟାଠାରୁ କମ୍ ଥିଲା, କ୍ରମଶଃ ବୃଦ୍ଧି ପାଉଥିବା ବେକାର ସମସ୍ୟାର ସମ୍ମୁଖୀନ ହେଲେ । ଏହା ବ୍ୟତୀତ ଯେଉଁମାନେ ଚାକିରି ପାଇଲେ, ସେମାନେ ଦେଖିଲେ ଯେ, ପ୍ରାୟ ଅଧିକାଂଶ ଉଚ୍ଚ ବେତନ ମିଳୁଥିବା ଚାକିରି ମଧ୍ୟମ ଓ ଉଚ୍ଚସ୍ତରର ଇଂରେଜମାନଙ୍କ ପାଇଁ ସଂରକ୍ଷିତ ରହୁଛି । ବିଶେଷତଃ ଯେଉଁମାନେ ବି.ଏ. ଡିଗ୍ରୀ ନ ପାଉଣୁ ବିଶ୍ଵବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ହେଉଥିଲେ, ସେମାନଙ୍କ ପାଇଁ ନିଯୁକ୍ତି ପ୍ରାୟ ମିଳୁ ନଥିଲା କହିଲେ ଚଳେ । ଭାରତର ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଲୋକ କ୍ରମଶଃ ବୁଝିପାରିଲେ ଯେ, କେବଳ ଅର୍ଥନୈତିକ ଦୃଷ୍ଟିରୁ ଉନ୍ନତ ଏବଂ ସାମାଜିକ ତଥା ସାଂସ୍କୃତିକ କ୍ଷେତ୍ରରେ ଆଧୁନିକ ଏକ ଦେଶ, ସେମାନଙ୍କୁ ଯଥାର୍ଥ ଜୀବନ ଲାଗି ଆବଶ୍ୟକ ଅର୍ଥନୈତିକ ଓ ସାଂସ୍କୃତିକ ସୁବିଧା–ସୁଯୋଗ ଦେଇପାରିବ । ଏହାଛଡ଼ା ସେମାନଙ୍କୁ ଦାରିଦ୍ର୍ୟ, ବେକାରି ଏବଂ ସାମାଜିକ ତଥା ଅର୍ଥନୈତିକ ଅଧଃପତନରୁ ରକ୍ଷାକରି ପାରିବ ।

 

୧୮୫୮ ଖ୍ରୀଷ୍ଟାବ୍ଦପରେ ଭାରତୀୟ ଶିଳ୍ପ ପୁଞ୍ଜିପତିଶ୍ରେଣୀର ଉଦ୍ଭବ ହେଲା । ଏହି ଶ୍ରେଣୀର ଲୋକେ ଖୁବ୍ ଶୀଘ୍ର ଇଂରେଜ ପୁଞ୍ଜିପତିମାନଙ୍କ ସହିତ ପ୍ରତିଯୋଗିତା କଲେ ଏବଂ ବୁଝିପାରିଲେ ଯେ ସରକାରୀ ବାଣିଜ୍ୟ, ଶିଳ୍ପ, ପରିବହନ ଓ ସରକାରଙ୍କର ଅର୍ଥନୀତିଦ୍ୱାରା ସେମାନଙ୍କର ଅଭିବୃଦ୍ଧି ପ୍ରତିହତ ହେଉଛି । ସ୍ଵାଧୀନଭାବରେ ଅର୍ଥନୈତିକ ସମୃଦ୍ଧିଲାଗି ସଂଘର୍ଷ କଲାବେଳେ, ପ୍ରାୟ ପ୍ରତ୍ୟେକ ମୌଳିକ ଅର୍ଥନୈତିକ ସମସ୍ୟାନେଇ ସାମ୍ରାଜ୍ୟବାଦ ସହ ଏହି ପୁଞ୍ଜିପତିମାନଙ୍କର ମତାନ୍ତର ଘଟିଲା ।

 

ପଶ୍ଚିମ ୟୁରୋପର ସୁପ୍ରତିଷ୍ଠିତ ଶିଳ୍ପଗୁଡ଼ିକ ସହିତ ପ୍ରତିଯୋଗିତା କରିବା ଦିଗରେ ଯେଉଁ ପ୍ରାଥମିକ ଦୁର୍ବଳତା ଏବଂ ଅସୁବିଧା ଓ କ୍ଷତି ରହିଥିଲା, ତାହାର ପରିପୂରଣ ଲାଗି, ଭାରତୀୟ ପୁଞ୍ଜିପତିଶ୍ରେଣୀ ସରକାରଙ୍କର ସକ୍ରିୟ ଓ ସିଧାସଳଖ ସାହାଯ୍ୟ ଦରକାର କରୁଥିଲେ । ଫ୍ରାନ୍‍ସ, ଜର୍ମାନୀ ଓ ଜାପାନର ତତ୍କାଳୀନ ଶିଳ୍ପାନୁଷ୍ଠାନଗୁଡ଼ିକର ବିକାଶ କେବଳ ସରକାରଙ୍କର ସକ୍ରିୟ ତଥା ବିପୁଳ ସାହାଯ୍ୟ ଯୋଗୁଁ ସମ୍ଭବ ହୋଇଥିଲା । ସେପରି ସାହାଯ୍ୟ ଭାରତୀୟ ପୁଞ୍ଜିପତିମାନଙ୍କୁ ମିଳିନାହିଁ । ଅଧିକାଂଶ ଅଖିଳ ଭାରତୀୟ ଶିଳ୍ପ ଶୁଳ୍କ–ମୁକ୍ତି ଚାହୁଁଥିଲେ; କାରଣ ବଜାରରେ ବିଦେଶୀ ଦ୍ରବ୍ୟ ଅତ୍ୟନ୍ତ ଅଳ୍ପ ମୂଲ୍ୟରେ ମିଳୁଥିବାରୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ଅବିକ୍ରିତ ରହୁଥିଲା । ସେପରି ସୁବିଧା ତ ଦିଆଗଲା ନାହିଁ; ବରଂ ଅନ୍ୟ ଦେଶ ଅପେକ୍ଷା ଏ ଦେଶରେ ସମ୍ପୂର୍ଣ୍ଣ ଅବାଧ ବାଣିଜ୍ୟର ପ୍ରବର୍ତ୍ତନ କରାଗଲା ।

 

ଏକ ସହାନୁଭୂତିଶୀଳ ଅମଲାତନ୍ତ୍ର, ଭାରତୀୟ ପୁଞ୍ଜିପତିମାନଙ୍କୁ ବହୁଦିଗରୁ ସାହାଯ୍ୟ କରିପାରିଥାନ୍ତା । ପଶ୍ଚିମ ୟୁରୋପରେ ଅମଲାତନ୍ତ୍ର ପୁଞ୍ଜିବାଦର ଏତେ ସପକ୍ଷରେ, ଯେତେ କି ନିଜେ ପୁଞ୍ଜିବାଦୀଶ୍ରେଣୀ । ଶତ ଶତ ସୂତ୍ର ଯୋଗୁଁ ସେମାନଙ୍କର ବନ୍ଧନ ଅଚ୍ଛେଦ୍ୟ ଥିଲା । ଭାରତରେ ଅମଲାତନ୍ତ୍ର ଥିଲା ବିଦେଶୀ । ଏମାନେ କେବଳ ବ୍ରିଟିଶ ପୁଞ୍ଜିବାଦୀମାନଙ୍କ ସହିତ ବନ୍ଧୁତ୍ଵସୂତ୍ରରେ ଆବଦ୍ଧ ଥିଲେ । ବ୍ରିଟେନରେ ହେଉ ବା ଭାରତରେ ହେଉ, ଅମଲାତନ୍ତ୍ରର ସହାନୁଭୂତି ତା’ର ନିଜ ଦେଶବାସୀଙ୍କ ସହିତ ଏବଂ ସେମାନଙ୍କ ଶିଳ୍ପର ସମୃଦ୍ଧି ସହିତହିଁ ରହିଥିଲା । ଅନ୍ୟ ପକ୍ଷରେ, ଏହା ଭାରତୀୟ ଶିଳ୍ପୋଦ୍ୟୋଗ ପ୍ରତି ଅଶ୍ରଦ୍ଧା ପ୍ରଦର୍ଶନ, ଏପରିକି ଶତ୍ରୁତା ଆଚରଣ ମଧ୍ୟ କରୁଥିଲା ।

 

ଭାରତୀୟ ପୁଞ୍ଜିବାଦୀମାନେ ଅଖଣ୍ଡ ଶକ୍ତିସଂପନ୍ନ ବୈଦେଶିକ ପୁଞ୍ଜିର ପ୍ରଭୃତ୍ଵ ତଥା ନିଷ୍ପେଷଣ ବିଷୟରେ ଭୟାତୁର ଥିଲେ । ୧୯୧୮ ଖ୍ରୀଷ୍ଟାବ୍ଦ ପରେ ଯେତେବେଳେ ଭାରତୀୟ ଶିଳ୍ପୋଦ୍ୟୋଗଗୁଡ଼ିକରେ ବିପୁଳ ବୈଦେଶିକ ପୁଞ୍ଜିର ବିନିଯୋଗ ଆରମ୍ଭ ହେଲା, ସେତେବେଳେ ସେମାନଙ୍କର ବଞ୍ଚିରହିବାର ଆକାଂକ୍ଷା ଆହୁରି ବଳବତୀ ହେଲା । ଭାରତରେ ୧୯୨୦ ଠାରୁ ୧୯୩୦ ମସିହା ମଧ୍ୟରେ ଦିଆଯାଇଥିବା ଶୁଳ୍କରିହାତି, ଅଳ୍ପ ମଜୁରି ନେଉଥିବା ଭାରତୀୟ ଶ୍ରମିକ ଓ ନିକଟବର୍ତ୍ତୀ ସୁବିସ୍ତୃତ ବିକ୍ରୟକ୍ଷେତ୍ର ସୁବିଧା ନେବା ଉଦ୍ଦେଶ୍ୟରେ, ସୁପ୍ରତିଷ୍ଠିତ ବ୍ରିଟିଶ ଶିଳ୍ପ କର୍ପୋରେସନଗୁଡ଼ିକ ଭାରତରେ ସେମାନଙ୍କର ସହ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କଲେ । ତେଣୁ ସେତେବେଳେ ଭାରତୀୟ ପୁଞ୍ଜିପତିମାନଙ୍କର ସ୍ଲୋଗାନ ହେଲା–ଭାରତୀୟ ବଜାର ଉପରେ ଭାରତୀୟ କର୍ତ୍ତୃତ୍ଵ ବଜାୟ ରହୁ ।

 

ଏହିପରି ଭାବରେ ଭାରତୀୟ ପୁଞ୍ଜିପତିମାନେ କ୍ରମେ ଦେଖିଲେ ଯେ ଔପନିବେଶିକ ଅର୍ଥନୈତିକ ସ୍ଥିତି, ଶାସନସଂସ୍ଥା ତଥା ପ୍ରଚଳିତ ନୀତିଗୁଡ଼ିକ ସହିତ ସେମାନଙ୍କର ପ୍ରବଳ ମତଭେଦ ରହିଛି । ସେମାନେ ଧୀରେ ଧୀରେ ବୁଝିପାରିଲେ, ସ୍ଥାନୀୟ ପୁଞ୍ଜିବାଦୀମାନଙ୍କ ପକ୍ଷ ସମର୍ଥନ କରୁଥିବା ଗୋଟିଏ ଜାତୀୟବାଦୀ ରାଷ୍ଟ୍ର ଓ ସରକାର ସେମାନଙ୍କର ଏକାନ୍ତ ଆବଶ୍ୟକ । ଯେତେଦିନ ପର୍ଯ୍ୟନ୍ତ ଏ ଦେଶ ବିଦେଶୀ ସାମ୍ରାଜ୍ୟବାଦର କର୍ତ୍ତୃତ୍ଵାଧୀନ ରହିଥିବ, ସେତେଦିନ ପର୍ଯ୍ୟନ୍ତ ବାଣିଜ୍ୟ ଓ ଶିଳ୍ପର ଦ୍ରୁତ ବିକାଶ ହୋଇପାରିବ ନାହିଁ ।

 

ଅବଶ୍ୟ, ବିକାଶଶୀଳ ହେଲେହେଁ ଏକ ଦୁର୍ବଳ ଓ ଧନଶୀଳ ଗୋଷ୍ଠୀ ଭାବରେ ବିଦେଶୀ ଶାସକମାନଙ୍କ ସହିତ ସିଧାସଳଖ ମୁହାଁମୁହିଁ ବାଦାନୁବାଦ କରିବା ସେମାନଙ୍କ ପକ୍ଷରେ ସମ୍ଭବ ନଥିଲା । କାରଣ ବହୁପ୍ରକାର ଶାସନଗତ ସୁବିଧା–ସୁଯୋଗଲାଗି ସେମାନଙ୍କୁ ବୈଦେଶିକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । କିନ୍ତୁ ୧୯୧୮ ଖ୍ରୀଷ୍ଟାବ୍ଦରେ ସେମାନେ ଦ୍ରୁତ ପ୍ରସାର ଲାଭ କରୁଥିବା ଜାତୀୟ ଆନ୍ଦୋଳନ ତଥା ବ୍ୟକ୍ତିଗତଭାବରେ ଜାତୀୟବାଦୀ ନେତାମାନଙ୍କୁ ବିଶେଷତଃ ଆର୍ଥିକ ସାହାଯ୍ୟ ଦେଇ ସମର୍ଥନ କରିବାକୁ ଲାଗିଲେ ।

 

ଜାତୀୟତାବାଦର ଅଭ୍ୟୁଦୟରେ ମୁଖ୍ୟ ଓ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲା ଆଧୁନିକ ଭାରତର ବୁଦ୍ଧିଜୀବୀଗୋଷ୍ଠୀ । ଦେଶର ଏହା ହେଉଛି ପ୍ରଥମ ସାମାଜିକ ଗୋଷ୍ଠୀ, ଯେ କି ଜାଣିପାରିଲା ଓ ସ୍ଵୀକାର କଲା ଯେ ଭାରତରେ ବ୍ରିଟିଶ ସାମ୍ରାଜ୍ୟର ପ୍ରତିଷ୍ଠାଦ୍ଵାରା ଅତୀତ ସହିତ ଏ ଦେଶର ଯୋଗସୂତ୍ର ଛିନ୍ନ ହୋଇଯାଇଛି ଏବଂ ଏକ ନୂତନ ଐତିହାସିକ ଯୁଗ ଆରମ୍ଭ ହୋଇଯାଇଛି-। ବ୍ରିଟିଶ ଶାସନ ପ୍ରତି ଏହି ଗୋଷ୍ଠୀର ପ୍ରଥମ ପ୍ରତିକ୍ରିୟା ଅବଜ୍ଞାସୂଚକ ନଥିଲା-। ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ରାଜା ରାମମୋହନ ରାୟ ପ୍ରଭୃତି ସ୍ପଷ୍ଟ ଜାଣିପାରିଲେ ଯେ ଅନ୍ଧ ଦେଶଭକ୍ତିଦ୍ଵାରା କିଛି କରାଯାଇପାରିବ ନାହିଁ । ଅଳ୍ପ କେତେକ ବୈଦେଶିକଙ୍କଦ୍ଵାରା ଏହି ବିରାଟ ଦେଶର ଯେଉଁ ପରାଜୟ ଘଟିଲା, ତାହାର କାରଣ ହେଉଛି–ଏହାର ଆଭ୍ୟନ୍ତରୀଣ, ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ବୌଦ୍ଧିକ ସଂଗଠନର ଦୁର୍ବଳତା ଏବଂ ଏହି ଦୁର୍ବଳତା ବ୍ୟତୀତ ବ୍ରିଟେନ ଥିଲା ଏକ ଉଚ୍ଚତର ସଭ୍ୟତା ଓ ସଂସ୍କୃତିର ତତ୍କାଳୀନ ପ୍ରତିନିଧି । ଆମ ସଂସ୍କାରକ ତତ୍କାଳୀନ ଭାରତୀୟ ସାମାଜିକ ସଂଗଠନ ପରିସ୍ଥିତିର ଏକ ନିଷ୍କପଟ ଅପ୍ରିୟ ତଥା କଠୋର ସମୀକ୍ଷା କରି କହିଲେ ଯେ, ଏଭଳି ସମାଜକୁ ଭିତ୍ତିକରି ଭାରତର ଭବିଷ୍ୟତର ବିକାଶ ସମ୍ଭବ ହୋଇ ନ ପାରେ । ସେଥିପାଇଁ ସେମାନେ ସେମାନଙ୍କ ସମାଜ ଓ ଦେଶର ଆଧୁନିକୀକରଣରେ ମନପ୍ରାଣ ଢାଳିଦେଲେ ।

 

ଅର୍ଥନୈତିକ କ୍ଷେତ୍ରରେ ସେମାନେ ଆଧୁନିକ ଶିଳ୍ପ ଓ ଅର୍ଥନୈତିକ ବିକାଶ ତଥା ସମୃଦ୍ଧିର ଉଜ୍ଜ୍ଵଳ ଭବିଷ୍ୟତଦ୍ଵାରା ଆକୃଷ୍ଟ ହେଲେ । ସେମାନେ ଆଶା କଲେ ଯେ, ଅର୍ଥନୈତିକ ଦୃଷ୍ଟିରୁ ସେତେବେଳେ ସର୍ବାଧିକ ବିକାଶପ୍ରାପ୍ତ ଦେଶ ବ୍ରିଟେନ, ଭାରତ ଓ ତା’ର ଅଧୀନସ୍ଥ ଅନ୍ୟାନ୍ୟ ରାଜ୍ୟରେ ଆଧୁନିକ ବିଜ୍ଞାନ ଓ କାରିଗରିବିଦ୍ୟା ତଥା ଅର୍ଥନୈତିକ ସଂଗଠନର ପ୍ରବର୍ତ୍ତନ ଆରମ୍ଭ କରିବ । ରାଜନୈତିକ କ୍ଷେତ୍ରରେ ଆଧୁନିକ ଚିନ୍ତାଧାରା ଓ ଜନତାର ସାର୍ବଭୌମ ଅଧିକାର ସଂକ୍ରାନ୍ତୀୟ ନୀତିପ୍ରତି ସେମାନେ ଆକୃଷ୍ଟ ହେଲେ । ଗଣତନ୍ତ୍ରର ପ୍ରତିଷ୍ଠା, ସଂଘ, ସମ୍ବାଦପତ୍ର ଓ ବାକ୍ ସ୍ଵାଧୀନତା ତଥା ଶାସକମାନଙ୍କୁ ସମାଲୋଚନା କରିବାର ଅଧିକାର ଉକ୍ତ ନୀତି ଉପରେହିଁ ପ୍ରତିଷ୍ଠିତ । ଭାରତର ଐକ୍ୟ ପ୍ରତିଷ୍ଠା ତଥା ଭାରତୀୟ ଜନତା ମଧ୍ୟରେ ରାଷ୍ଟ୍ରୀୟତା ମନୋଭାବର ପ୍ରତିଷ୍ଠା ପ୍ରାରମ୍ଭ ସେମାନଙ୍କ ଚକ୍ଷୁସମକ୍ଷରେ ଘଟିଲା ଏବଂ ସେମାନେ ତାହାର ସାକ୍ଷୀ ରହିଲେ । ସେମାନେ ଆଶା କଲେ ଯେ ବ୍ରିଟେନ ଏହି ବିକାଶକୁ ସମ୍ପୂର୍ଣ୍ଣ କରିବା ଦିଗରେ ସାହାଯ୍ୟ କରିବ । ପ୍ରତିଷ୍ଠିତ ବିଶ୍ଵାସ ବିରୁଦ୍ଧରେ ସେମାନେ ଆଧୁନିକ ଯୁକ୍ତିବାଦ ପ୍ରତି ଆକୃଷ୍ଟ ହେଲେ । ସେମାନେ ଚାହିଁଲେ ଯେ କଳା ଓ ସାହିତ୍ୟ ଜନତା ନିକଟରେ ପହଞ୍ଚିବା ଆବଶ୍ୟକ । ଏହା ଆଉ ଅଧିକ କାଳ ସଭ୍ୟ ଶିକ୍ଷିତ ଓ ଆଭିଜାତ୍ୟସମ୍ପନ୍ନ ଲୋକଙ୍କର ଏକଚାଟିଆ ଅଧିକାର ହୋଇ ରହିବା ଅନୁଚିତ । ଏହି ଉଦ୍ଦେଶ୍ୟରେ ସେମାନେ ଗୋଟିଏ ଦିଗରେ ଇଂରାଜୀ ଭାଷା ମାଧ୍ୟମରେ ଆଧୁନିକ ଶିକ୍ଷାର ପ୍ରସାର ଓ ଅନ୍ୟ ଦିଗରେ ଆଧୁନିକ ଭାରତୀୟ ଭାଷାଗୁଡ଼ିକର ବିକାଶ ଚାହୁଁଥିଲେ । ସାମାଜିକ କ୍ଷେତ୍ରରେ ସେମାନେ ସାମାଜିକ ସ୍ଵାଧୀନତା ଏବଂ ସମାଜର ମାନବିକ ବିଚାରଧାରା ପ୍ରତି ଆଗ୍ରହ ପ୍ରଦର୍ଶନ କଲେ । ସେମାନଙ୍କର ଚିନ୍ତାଧାରା ଥିଲା ବ୍ୟକ୍ତିକୈନ୍ଦ୍ରିକ ।

 

ଏହିପରି ଅର୍ଦ୍ଧଶତାବ୍ଦୀ ଧରି ଆଧୁନିକ ଭାରତର ବୁଦ୍ଧିଜୀବୀମାନେ ବିଶ୍ଵାସ କରୁଥିଲେ ଯେ, ଭାରତୀୟ ସମାଜର ସାଙ୍ଗଠନିକ ପରିବର୍ତ୍ତନ ତଥା ସଂସ୍କାର ଇଂରେଜଶାସନ କାଳରେହିଁ ସମ୍ଭବ ଓ ଘଟିବ ମଧ୍ୟ । କାରଣ ସେହି ସମୟରେ ବ୍ରିଟେନ ସବୁଠାରୁ ଅଧିକ ଉନ୍ନତ ରାଷ୍ଟ୍ର ଥିଲା । ଏଭଳି ବିଶ୍ଵାସ ଯୋଗୁଁ, ସେମାନେ ବ୍ରିଟିଶଶାସନକୁ ସମର୍ଥନ କଲେ ଏବଂ ଏହାକୁ ବିଧାତାର ନିର୍ଦ୍ଦେଶ ବୋଲି ମଧ୍ୟ କହିଲେ । ଏପରିକି ୧୮୫୭ ଖ୍ରୀଷ୍ଟାବ୍ଦର ବିଦ୍ରୋହ ସମୟରେ ମଧ୍ୟ ସେମାନେ ବ୍ରିଟିଶ ଶାସନର ସମର୍ଥକ ଥିଲେ ।

 

ସେ ଯାହାହେଉ, ଊନବିଂଶ ଶତାବ୍ଦୀର ତିନି–ଚତୁର୍ଥାଂଶ ବିତିଗଲେ ସୁଦ୍ଧା ସେମାନେ କୌଣସି କ୍ଷେତ୍ରରେ ମଧ୍ୟ ସେମାନଙ୍କ ଆଶା ଆକାଂକ୍ଷା ପୂରଣ ହେବାର ଦେଖିଲେ ନାହିଁ । ସମୟକ୍ରମେ ଧୀରେ ଧୀରେ ସେମାନଙ୍କ ଭ୍ରମ ଦୂର ହେଲା । ଏମାନେ ଅନୁଭବ କଲେ ଯେ ଇଂରେଜମାନଙ୍କଠାରୁ ଏଭଳି ଆଶା କରି ସେମାନେ ଭୁଲ କରିଛନ୍ତି । ସେମାନଙ୍କର ସମସ୍ତ ଆଶା ଆକାଂକ୍ଷା ଇଂରେଜ ଶାସନର ସ୍ୱରୂପ ଓ ଚରିତ୍ରର ଭୁଲ ବୁଝାମଣା ଉପରେ ପ୍ରତିଷ୍ଠିତ ଥିଲା ।

 

ପ୍ରକୃତପକ୍ଷେ ଇଂରେଜମାନେ ଆଧୁନିକ ଶିଳ୍ପ ଓ କାରିଗରିବିଦ୍ୟା ଭାରତରେ ପ୍ରୟୋଗ କଲେନାହିଁ । ୧୮୬୬ ଠାରୁ ୧୯୦୧ ମସିହା ପର୍ଯ୍ୟନ୍ତ କ୍ରମାନୁଯାୟୀ ଭାରତରେ ଯେତେଗୁଡ଼ିଏ ଧ୍ଵଂସକାରୀ ଉଭୟଙ୍କ ଦୁର୍ଭିକ୍ଷ ପଡ଼ିଲା, ତାହାଦ୍ଵାରା ସରକାରଙ୍କ ନିୟନ୍ତ୍ରିତ ବିକାଶର ଦିବାସ୍ଵପ୍ନ ମୁହୂର୍ତ୍ତକେ ଅନ୍ତର୍ହିତ ହେଲା । ଫଳରେ ବୁଦ୍ଧିଜୀବୀମାନେ ଜନସାଧାରଣଙ୍କର ଉତ୍କଟ ଦାରିଦ୍ର୍ୟ ଓ ଦେଶର ଅର୍ଥନୈତିକ ଅବନତିର କାରଣକୁ ଉତ୍ତମରୂପେ ହୃଦୟଙ୍ଗମ କଲେ । ସେମାନେ ବୁଝିପାରିଲେ ଯେ ଯେତେ ଦିନ ପର୍ଯ୍ୟନ୍ତ ସାମ୍ରାଜ୍ୟବାଦୀମାନେ ଭାରତୀୟ ଅର୍ଥନିତୀକୁ ନିୟନ୍ତ୍ରଣ କରୁଥିବେ, ସେତେଦିନ ପର୍ଯ୍ୟନ୍ତ ଭାରତର ଅର୍ଥନୈତିକ ବିକାଶ ସମ୍ଭବ ନୁହେଁ; ବରଂ ଅବନତି ଅପ୍ରତିହତ ରହିବ । ରାଜନୈତିକ କ୍ଷେତ୍ରରେ ବ୍ରିଟିଶ ସରକାରୀ କର୍ମଚାରୀ ଓ ରାଜନୈତିକ ନେତାମାନେ ସ୍ଵଶାସନ ଲାଗି ଭାରତୀୟମାନଙ୍କୁ ତାଲିମ ଦେବା ସ୍ଲୋଗାନ ଅଗ୍ରାହ୍ୟ କରି ଘୋଷଣା କଲେ ଯେ ବ୍ରିଟିଶ ଶାସନର ରାଜନୈତିକ ଲକ୍ଷ୍ୟ ହେଉଛି, ଭାରତରେ ଏକ ସ୍ଥାୟୀ ନିରଙ୍କୁଶ ହିତୈଷୀ ଶାସନର ପ୍ରତିଷ୍ଠା । ସେମାନେ କହିଲେ ଯେ ଭାରତୀୟମାନେ ସ୍ଵଶାସନ କିମ୍ବା ଗଣତନ୍ତ୍ର ଶାସନ ପରିଚାଳନା ଲାଗି ଅଯୋଗ୍ୟ । ସମ୍ବାଦପତ୍ରର ସ୍ଵାଧୀନତା–ଯାହା ପ୍ରତି ଭାରତର ଅଧିକାଂଶ ବୁଦ୍ଧିଜୀବୀ ଆକୃଷ୍ଟ ହୋଇପଡ଼ିଥିଲେ, ସେଥିରେ ମଧ୍ୟ ହସ୍ତକ୍ଷେପ କରାଗଲା । ଏପରିକି ଭାଷଣ, ଚିନ୍ତା ଓ ସଂଘ ନିର୍ମାଣର ସ୍ୱାଧୀନତା ଭଳି ସାଧାରଣ ନାଗରିକ ଅଧିକାର ଲଙ୍ଘନ କରିବା ସଙ୍ଗେ ସଙ୍ଗେ ସୀମିତ ରଖାଗଲା । ଶାନ୍ତି ଓ ଶୃଙ୍ଖଳା ଶାନ୍ତିପୂର୍ଣ୍ଣ ବିକାଶ ଓ ଆଧୁନିକୀକରଣର ମୁଖ୍ୟ କାରଣ ବୋଲି ପୂର୍ବରୁ ସେମାନଙ୍କର ଧାରଣା ଥିଲା । ପରେ ରାଜନୈତିକ କିମ୍ବା ଅର୍ଥନୈତିକ ଆପତ୍ତି ଅଭିଯୋଗକୁ ସେମାନେ ସିଧାସଳଖ ଶାନ୍ତିଶୃଙ୍ଖଳାଭଙ୍ଗ ଆଖ୍ୟା ଦେବାକୁ ଲାଗିଲେ । ଭାରତର ଐକ୍ୟ ସ୍ଥାପନ ସଂପନ୍ନ କରିବା ପରେ ଏହାକୁ ଗୋଟିଏ ରାଷ୍ଟ୍ରରେ ରୂପାୟିତ କରିବାର ପ୍ରଚେଷ୍ଟା ତ ଦୂରର କଥା; ଇଂରେଜମାନେ ତା’ ପରିବର୍ତ୍ତେ ସାମ୍ପ୍ରଦାୟିକତା, ଜାତିଗତ ବୈଷମ୍ୟ ଓ ଆଞ୍ଚଳିକତା ପ୍ରଭୃତି ମନୋଭାବକୁ ଉତ୍ସାହିତ କରି ଏ ଦେଶ ଉପରେ ସେମାନଙ୍କ କର୍ତ୍ତୁତ୍ଵ ଆହୁରି ଦୃଢ଼ କରିବାକୁ ଉଦ୍ୟମ କଲେ । ସେଥିପାଇଁ ସେମାନେ ଭ୍ରଷ୍ଟ ଓ ବିନଷ୍ଟ ରାଜକୀୟ ଶକ୍ତିକୁ ମଧ୍ୟ ଅବଲମ୍ବନରୂପେ ଗ୍ରହଣ କଲେ । ସାଂସ୍କୃତିକ କ୍ଷେତ୍ରରେ ପ୍ରଗତିଶୀଳ ମନୋବୃତ୍ତି ଖୁବ୍ ଶୀଘ୍ର ଭାଙ୍ଗିପଡ଼ୁଥିବା ମଧ୍ୟ ଏହି ବୁଦ୍ଧିଜୀବୀମାନେ ଲକ୍ଷ୍ୟ କଲେ । ଭାରତର ଇଂରେଜ ସରକାର ତା’ର ବଜେଟର ଶତକଡ଼ା ତିନି ଭାଗରୁ କିଛି କମ୍ ଶିକ୍ଷାଦିଗରେ ବ୍ୟୟ କରୁଥିଲେ । ସାଧାରଣ ଲୋକଙ୍କର ଓ ମହିଳାମାନଙ୍କ ଶିକ୍ଷାପ୍ରତି ଗଭୀର ଅବହେଳା ପ୍ରଦର୍ଶନ କରାଗଲା । ଏପରିକି ସରକାର ଉଚ୍ଚଶିକ୍ଷା ଓ ଆଧୁନିକ ଚିନ୍ତାଧାରାର ପ୍ରସାରର ବିରୋଧ କଲେ । ୧୮୫୮ ଖ୍ରୀଷ୍ଟାବ୍ଦ ପରେ ଇଂରେଜ ଶାସକମାନେ ସାମାଜିକ ସଂସ୍କାର ଦିଗରେ ସମସ୍ତ ଉଦ୍ୟମକୁ ରହିତ କରି ସବୁଠାରୁ ଅଧିକ ଅନୁନ୍ନତ, ପରମ୍ପରାଗତ ଅନ୍ଧବିଶ୍ଵାସୀ, ଧର୍ମ, ସମାଜ ଓ ସଂସ୍କୃତିର ପୁରାତନପନ୍ଥୀମାନଙ୍କ ସହିତ ମିତ୍ରତା ଆରମ୍ଭ କଲେ । ଫଳରେ ଆଧୁନିକ ଭାରତର ବୁଦ୍ଧିଜୀବୀମାନେ ଇଂରେଜ ଶାସନର ମୂଳସ୍ୱରୂପକୁ ପୁଣିଥରେ ବୁଝିବାପାଇଁ ସମୀକ୍ଷା ଆରମ୍ଭ କଲେ-। ସେମାନଙ୍କର ବୁଝିବାଲାଗି ସମୟ ଲାଗିଲା । କିନ୍ତୁ ଊନବିଂଶ ଶତାବ୍ଦୀର ଶେଷପାଦବେଳକୁ ସେମାନେ ଉତ୍ତମରୂପେ ହୃଦୟଙ୍ଗମ କରି ସାରିଥିଲେ ଯେ ପୂର୍ବରୁ ଯାହା ସେମାନଙ୍କୁ ଆଧୁନିକୀକରଣ ବୋଲି ଜଣାପଡ଼ୁଥିଲା ପ୍ରକୃତପକ୍ଷେ, ତାହା ଥିଲା ଉପନିବେଶ ସ୍ଥାପନ-। ସେମାନେ ସାମ୍ରାଜ୍ୟବାଦ ବିରୁଦ୍ଧରେ ଜାତୀୟ ରାଜନୈତିକ ଆନ୍ଦୋଳନ ସଂଗଠନରେ ଲାଗିପଡ଼ିଲେ ।

 

ଅନ୍ୟ ତିନୋଟି ସାମାଜିକ ଗୋଷ୍ଠୀ–ଜମିଦାର, ଜମିମାଲିକ ଓ ରାଜା–ମହାରାଜା, ଉଚ୍ଚତର ଅମଲାତନ୍ତ୍ର (ଉଚ୍ଚପଦସ୍ଥ ଭାରତୀୟ କର୍ମଚାରୀ) ଏବଂ ପାରମ୍ପରିକ ବୁଦ୍ଧଜୀବୀ ଶ୍ରେଣୀର ସାମ୍ରାଜ୍ୟବାଦ ପ୍ରତି ମଧ୍ୟ ଅନିଶ୍ଚିତ ଦ୍ଵିପକ୍ଷୀୟ ମନୋଭାବ ଥିଲା । ଜମିଦାର, ଜମିମାଲିକ ଓ ରାଜା–ମହାରାଜାଙ୍କର ସ୍ଵାର୍ଥ ଶାସକମାନଙ୍କ ସ୍ଵାର୍ଥ ସହିତ ସମାନ ଥିବାରୁ ସେମାନେ ସମସ୍ତେ ଇଂରେଜମାନଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥିଲେ । ସେହିପରି ଉଚ୍ଚପଦସ୍ଥ ଭାରତୀୟ କର୍ମଚାରୀମାନେ ଏପରି ଏକ ଦରିଦ୍ର ଦେଶରେ ଶାସକମାନଙ୍କ ସହିତ ଉଚ୍ଚ ଜୀବନଧାରଣର ମାନ ଉପଭୋଗ କରିବା ସଙ୍ଗେ ସଙ୍ଗେ ଶାସନ କ୍ଷମତା ତଥା ଉଚ୍ଚ ସାମାଜିକ ମର୍ଯ୍ୟାଦା ଲାଭ କରିଥିବା ଅନୁଭବ କଲେ । ବ୍ରିଟିଶ ଶାସନର ଅନ୍ତିମ ଦିବସ ପର୍ଯ୍ୟନ୍ତ ପ୍ରାୟ ସେମାନେ ସମସ୍ତେ ଅନୁରକ୍ତ ସେବାକାରୀ ଥିଲେ । କିନ୍ତୁ ଏପରିକି ଏହି ଦୁଇଟି ସାମାଜିକ ସ୍ତରର ଲୋକମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ଦେଶଭକ୍ତିଦ୍ଵାରା ପ୍ରଣୋଦିତ ହୋଇ ଜାତୀୟ ଆନ୍ଦୋଳନରେ ଯୋଗଦାନ କରିଥିଲେ ।

 

ଧର୍ମ ସମ୍ପର୍କରେ ଯେଉଁମାନେ ଗଭୀରଭାବେ ଚିନ୍ତା କରୁଥିଲେ, ଧର୍ମାଧ୍ୟକ୍ଷ ବା ଯେଉଁମାନେ ଧର୍ମ ଅନୁଷ୍ଠାନ ପରିଚାଳନା କରୁଥିଲେ, ଧର୍ମପ୍ରଚାରକ ତଥା ପାରମ୍ପରିକ ଶିକ୍ଷାନୁଷ୍ଠାନର ଅଧ୍ୟାପକ ପ୍ରଭୃତି ବୁଦ୍ଧିଜୀବୀମାନେ ମଧ୍ୟ ଦ୍ଵନ୍ଦ୍ୱରେ ପଡ଼ି ଦ୍ଵିମତବାଦୀ ହୋଇପଡ଼ିଥିଲେ । ସେମାନଙ୍କର ରକ୍ଷଣଶୀଳ ସାମାଜିକ ଓ ଧାର୍ମିକ ଦୃଷ୍ଟିଭଙ୍ଗୀ ସେମାନଙ୍କୁ ରାଜନୈତିକ ରକ୍ଷଣଶୀଳତା ଦିଗକୁ ଆକର୍ଷଣ କଲା । ରାଜଶକ୍ତି ପ୍ରତି ଅନୁରକ୍ତ ରହିବା ଥିଲା ସେମାନଙ୍କର ଦୀର୍ଘ ଐତିହାସିକ ପରମ୍ପରା । କିନ୍ତୁ ଏହି ସମୟରେ ଆଧୁନିକ ସ୍କୁଲ୍ ଓ କଲେଜ ଶିକ୍ଷାର ପ୍ରସାର ଫଳରେ ତଥା ପାଠଶାଳା, ମଦ୍ରାସା ଓ ଅନ୍ୟାନ୍ୟ ପାରମ୍ପରିକ ଉଚ୍ଚ ଶିକ୍ଷାୟତନ ସବୁ ବନ୍ଦ ହୋଇଯିବାଦ୍ଵାରା ନିମ୍ନସ୍ତରର ପାରମ୍ପରିକ ବୁଦ୍ଧିଜୀବିମାନଙ୍କ ସଂଖ୍ୟା ହ୍ରାସ ପାଇବାକୁ ଲାଗିଲା । ବହୁସଂଖ୍ୟକ ପୁରାତନପନ୍ଥୀ ବିଦ୍ଵାନ, ବିଚାରଧାରାର ପ୍ରଭେଦ ଯୋଗୁଁ ଓ ସେମାନଙ୍କର ସମାଜ ଉପରେ ପ୍ରଭାବ ହ୍ରାସ ପାଉଥିବା ଯୋଗୁଁ, ଆଧୁନିକ ଚିନ୍ତା ଓ ସଂସାର ଆନ୍ଦୋଳନର ତୀବ୍ର ବିରୋଧ କଲେ । ଖ୍ରୀଷ୍ଟଧର୍ମ ପ୍ରଚାରକମାନେ ଧର୍ମାନ୍ତର ଗ୍ରହଣ ନେଇ ଯେପରି ଆକ୍ରମଣାତ୍ମକ ପରିପ୍ରଚାର ଚଳାଇଥିଲେ ତାହା ସେମାନଙ୍କୁ ଆହୁରି ଉତ୍ତେଜିତ କଲା ।

 

ଏହା ଫଳରେ ପାରମ୍ପରିକ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଦୁଇଟି ପରସ୍ପର ବିପରୀତ ଚିନ୍ତାଧାରା ଦେଖାଦେଲା । କେତେକ ଆଧୁନିକ ଚିନ୍ତା ଓ ଆଦର୍ଶକୁ ଘୃଣା କରୁଥିଲେହେଁ ରାଷ୍ଟ୍ରୀୟ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣକୁ ସମର୍ଥନ କରିଥିଲେ । ଅନ୍ୟ କେତେକ ସମାଜ ଉପରେ ନିଜର ପରମ୍ପରାଗତ ଆଧିପତ୍ୟ ବଜାୟ ରଖିବାପାଇଁ ବିଦେଶୀ ଶାସନକୁ ସମର୍ଥନ କଲେ । ସରକାର ଏହି ଦ୍ଵିତୀୟ ଚିନ୍ତାଧାରା ପୋଷଣ କରୁଥିବା ଲୋକଙ୍କୁ ସକ୍ରିୟ ସାହାଯ୍ୟ କରୁଥିଲେ । ଏହି କାରଣରୁ ମନ୍ଦିର, ମଠ, ମସଜିଦ, ଦରଗାହ, ଗୁରୁଦ୍ଵାର ଏବଂ ଅନ୍ୟ ଧର୍ମ–ସଂସ୍ଥାଗୁଡ଼ିକର ନିୟନ୍ତ୍ରଣ ଅବାଧରୂପେ ଓ ଦୃଢ଼ତା ସହକାରେ ଏହି ପାରମ୍ପରିକ ଶିକ୍ଷିତ ଶ୍ରେଣୀର ଲୋକଙ୍କ ହାତକୁ ଆସିଗଲା । ସରକାର ମଧ୍ୟ ପେନ୍‍ସନ୍, ଆର୍ଥିକ ପୁରସ୍କାର, ବିଭିନ୍ନ ଉପାଧି ଓ ସମ୍ମାନ ଆଦି ମାଧ୍ୟମରେ ଏହି ଶ୍ରେଣୀର ଲୋକଙ୍କୁ ସୁରକ୍ଷିତ କରି ରଖିବା ଆରମ୍ଭ କରିଦେଲେ । ଏମାନେ ସନାତନ ଶିକ୍ଷା ପ୍ରଣାଳୀକୁ କେବଳ ଲୋକଦେଖାଣିଆ ଭାବରେ ବଞ୍ଚାଇ ରଖିବାକୁ ମଧ୍ୟ ପଦକ୍ଷେପ ନେଲେ । ପୂର୍ବରୁ ଆମେ ଦେଖିଛୁ ଯେ ସେମାନେ ସାମାଜିକ ଓ ସାଂସ୍କୃତିକ ସଂସ୍କାରବାଦୀମାନଙ୍କର ଉନ୍ନତିମୂଳକ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟିକରି ପୁରାତନ–ପନ୍ଥୀମାନଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ଜାତୀୟତା, ଗଣତନ୍ତ୍ର, ଏବଂ ଅର୍ଥନୈତିକ ବିକାଶର ସମସ୍ତ ଅତ୍ୟାଧୁନିକ ଚିନ୍ତାଧାରାର ପ୍ରସାର ରୋକିବା ଉଦ୍ଦେଶ୍ୟରେ ଇଂରେଜମାନେ ଏହା ମଧ୍ୟ ପ୍ରଚାର କରିବାକୁ ଆରମ୍ଭ କଲେ ଯେ ପାରମ୍ପରିକ ବିଚାର ଭାରତୀୟ ଲୋକମାନଙ୍କ ପାଇଁ ସର୍ବଦା ଅନୁକୂଳ । ଭାରତୀୟମାନେ ସେମାନଙ୍କର ଅର୍ଥନୀତି, ରାଜନୀତି ଓ ପ୍ରଶାସନ ବ୍ୟବସ୍ଥା ଇଂରେଜମାନଙ୍କ ଉପରେ ସମର୍ପି ଦେଇ ନିଜର ଧ୍ୟାନ ଭାରତର ଦାର୍ଶନିକତା, ଧାର୍ମିକ ଉତ୍ତରାଧିକାର ଓ ଜୀବନର ତଥାକଥିତ ଆଧ୍ୟାତ୍ମିକବାଦ ଉପରେ ଧ୍ୟାନ ଦେବା ଉଚିତ । ଏହି ଶ୍ରମବିଭାଜନ ମଧ୍ୟ ପାରମ୍ପରିକ ବୁଦ୍ଧିଜୀବୀମାନଙ୍କୁ ଆକର୍ଷିତ କରିଥିଲା ।

 

ଅନ୍ୟ ଏକ ବଡ଼ ତତ୍ତ୍ଵ ଯାହା ଧନୀ ଦରିଦ୍ର, ଜମିଦାର ପ୍ରଜା, ସାଧାରଣଠାରୁ ଉଚ୍ଚପଦସ୍ଥ କର୍ମଚାରୀ ମଧ୍ୟରେ ଜାତୀୟତା ଉନ୍ମାଦ ଖେଳାଇ ଦେଇଥିଲା, ତାହା ହେଉଛି ଶାସକଶ୍ରେଣୀଙ୍କର ବର୍ଣ୍ଣଭେଦ ସମ୍ବନ୍ଧୀୟ ଅହଂକାର ପ୍ରଦର୍ଶନ । ଭାରତରେ ଇଂରେଜମାନେ ସବୁବେଳେ ସ୍ଥାନୀୟ ସବୁଶ୍ରେଣୀର ଭାରତୀୟଙ୍କ ମଧ୍ୟରେ, ଲେଖକ ଧନୀ, ଗରିବ ଲୋକଙ୍କଠାରୁ ଦୂରରେ ରହୁଥିଲେ ଏବଂ ଜାତୀୟ ସ୍ତରରେ ସେମାନଙ୍କ ସ୍ଥାନ ସ୍ଵତନ୍ତ୍ର ବୋଲି ମନେ କରୁଥିଲେ । କିନ୍ତୁ ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଯେତେବେଳେ ଏ ଦୁହିଁଙ୍କ ଭିତରେ ସାମାଜିକ ଓ ଜାତିଗତ ପାର୍ଥକ୍ୟ ଖୁବ୍ ଦୂରେଇଗଲା, ସେତେବେଳେ ଏକ ଗୁଣାତ୍ମକ ପରିବର୍ତ୍ତନ ଆସିଲା । ସାମ୍ରାଜ୍ୟବାଦ ଓ ତା’ର ସମସ୍ତ ସିଦ୍ଧାନ୍ତକୁ ପୁନର୍ଜୀବିତ କରିବା ଏକ କାର୍ଯ୍ୟକ୍ରମରୂପେ ଇଉରୋପରେ ଜାତୀୟ ସିଦ୍ଧାନ୍ତରୂପେ ପ୍ରଚାରିତ ହେବାପାଇଁ ଏକ ସ୍ଵର ଉଠିଲା ଯେ ଗୋରାଲୋକମାନେ କଳାଲୋକଙ୍କଠାରୁ ଜନ୍ମଗତଭାବେ ମହତ୍ତର ଅଟନ୍ତି । ଭାରତରେ ଇଂରେଜମାନେ ଖୋଲାଖୋଲି ଭାବରେ ଘୋଷଣା କଲେ, ଭାରତୀୟମାନେ ଏକ ହୀନ ଜାତି ଅଟନ୍ତି । ଏମାନେ ବିଜେତା ଶକ୍ତିର ଏକ ଅଂଶରୂପେ ବିଶେଷ ଅଧିକାରମାନଙ୍କ ପାଇଁ ଆଗ୍ରହ ପ୍ରକାଶ କଲେ । ଭାଇସ୍‍ରୟ ମେୟୋଙ୍କ ଭଳି ଜଣେ ଉଚ୍ଚପଦସ୍ଥ ବ୍ୟକ୍ତି ୧୮୭୦ରେ ପଞ୍ଜାବର ଉଚ୍ଚ ରାଜ୍ୟପାଳ (ଲେପଟନାଣ୍ଟ ଗଭର୍ଣ୍ଣର)ଙ୍କୁ ଲେଖିଲେ “ନିଜର ଅନୁଚରଙ୍କୁ ଶିଖାଅ ଯେ ଆମେ ସମସ୍ତେ ସମ୍ଭ୍ରାନ୍ତ ଇଂରେଜ ଅଟୁ ଏବଂ ଏକ ହୀନ ଜାତିକୁ ଶାସନ କରିବା ଦାୟିତ୍ଵ ଆମ ଉପରେ ନିହିତ । ଜାତୀୟ ଅହଂକାରର ଏହି ନିର୍ଲଜ୍ଜଭାବ ପ୍ରଦର୍ଶନ ଯୋଗୁଁହିଁ ବିଚାର–ବୁଦ୍ଧିସମ୍ପନ୍ନ, ଆତ୍ମସମ୍ମାନୀ ଭାରତୀୟ ନିଜକୁ ଅପମାନିତ ଓ ତୁଚ୍ଛ ମନେ କଲେ । ସେମାନଙ୍କୁ ରାଷ୍ଟ୍ରୀୟ କ୍ରିୟାକଳାପରେ ଭାଗ ନେବାପାଇଁ ଉତ୍ତେଜିତ କରି ଦିଆଗଲା ।

 

ସଂକ୍ଷେପରେ ବ୍ରିଟିଶ ଶାସନର ଏହି ମୂଳ ଔପନିବେଶିକ ଚରିତ୍ର ଏବଂ ଭାରତୀୟଙ୍କ ଉପରେ ଏହାର ହାନିକାରକ ପ୍ରଭାବ ଯୋଗୁଁ ଭାରତରେ ଏକ ଶକ୍ତିଶାଳୀ ସାମ୍ରାଜ୍ୟବାଦ ବିରୋଧୀ ଆନ୍ଦୋଳନର ଉଦ୍ଭବ ଓ ବିକାଶ ଲାଭ କରିବାର ରୂପ ଦେଇଥିଲା । ଯେହେତୁ ଏହି ଆନ୍ଦୋଳନରେ ସବୁ ଶ୍ରେଣୀର ଓ ଦଳର ଭାରତୀୟମାନେ ଏକତ୍ରିତ ହୋଇ ଯୋଗ ଦେଇଥିଲେ, ତେଣୁ ତାହା ଏକ ରାଷ୍ଟ୍ରୀୟ ଆନ୍ଦୋଳନରୂପେ ପରିଚିତ । ଏହି ଶ୍ରେଣୀ ଓ ଦଳ ରାଷ୍ଟ୍ରୀୟ ଆନ୍ଦୋଳନରେ ପରସ୍ପର ହାତ ମିଳାଇ ପାରିଥିବାରୁ ସାମ୍ରାଜ୍ୟବାଦ ସହିତ ଅନ୍ତର୍ବିରୋଧୀ ଥିଲେ । ସେମାନେ ପରସ୍ପର ହିତପାଇଁ ଦୃଷ୍ଟି ଦେଇଥିଲେ; କିନ୍ତୁ ଏକ ଶତ୍ରୁ ବିରୁଦ୍ଧରେ ସେମାନେ ସମସ୍ତ ମତଭେଦ ଭୁଲି ଏକତାବଦ୍ଧ ହେଲେ ।

Image

 

Unknown

ପ୍ରାଥମିକ ପର୍ଯ୍ୟାୟ

ପାରମ୍ପରିକ ବିରୋଧ

 

ଭାରତରେ ଇଂରେଜ ଶାସନର ପ୍ରାରମ୍ଭରୁହିଁ ଭାରତୀୟ ଜନସାଧାରଣ ତା’ର ବିରୋଧ କରିଥିଲେ । ୧୮୫୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପ୍ରତିବର୍ଷ ଭାରତର କୌଣସି ନା କୌଣସି ଅଞ୍ଚଳରେ ସାମରିକ ବିଦ୍ରୋହ ଚାଲିଥିଲା । ଏହି ବିଦ୍ରୋହ ଲାଗିରହିଥିଲା ଓ ଏହାର ବୈଶିଷ୍ଟ୍ୟ ହେଉଛି, ଏହା ଥିଲା ପରମ୍ପରାଗତ । ଏହି ପାରମ୍ପରିକ ବିଦ୍ରୋହର ତିନୋଟି ବିଶେଷ ଅବସ୍ଥା ଥିଲା–ବେସାମରିକ ବିଦ୍ରୋହ, ଆଦିବାସୀ ବିପ୍ଳବ ଓ କୃଷକ ଆନ୍ଦୋଳନ ।

 

ବେସାମରିକ ବିଦ୍ରୋହ

 

ଭାରତରେ ଇଂରେଜମାନଙ୍କର ରାଜ୍ୟ ବିସ୍ତାର ଏବଂ ସାମ୍ରାଜ୍ୟ ଓ ଶାସନ ପ୍ରତିଷ୍ଠା ବିରୁଦ୍ଧରେ ଭାରତୀୟମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଓ ଆକ୍ରୋଶମୂଳକ ମନୋଭାବ ଦେଖାଦେଲା । ଏପରିକି ଇଂରେଜମାନଙ୍କ ଭାରତୀୟ ସୈନ୍ୟବାହିନୀରେ କାର୍ଯ୍ୟ କରୁଥିବା ଭାରତୀୟମାନେ ମଧ୍ୟ ଅସନ୍ତୁଷ୍ଟ ହେଲେ । ପ୍ରାୟ ଶହେବର୍ଷ କାଳ ଏହି ବ୍ୟାପକ ଅସନ୍ତୋଷ ପରବର୍ତ୍ତୀ ଅବସ୍ଥାରେ ସାମରିକ ବିଦ୍ରୋହର ରୂପ ଗ୍ରହଣ କଲା । କ୍ଷମତାଚ୍ୟୁତ ସାମରିକ ଦଳପତି ବା ସେମାନଙ୍କର ଭାଇବନ୍ଧୁ ତଥା ବଂଶଧର, ଜମିଦାର ଓ ଜାଗିର୍‍ଦାର, ପୂର୍ବତନ ସୈନିକ, କର୍ମଚାରୀ ଓ ଭାରତୀୟ ରାଜ୍ୟଗୁଡ଼ିକର ରାଜବଂଶୀୟ ଲୋକେ ଏହିସବୁ ବିଦ୍ରୋହରେ ନେତୃତ୍ଵ ନେଉଥିଲେ । ବହୁସଂଖ୍ୟକ କୃଷିଜୀବୀ ଓ ହସ୍ତଶିଳ୍ପୀ ମଧ୍ୟ ଏହି ବିଦ୍ରୋହରେ ଯୋଗଦାନ କଲେ । ମୁଖ୍ୟତଃ ସେମାନଙ୍କର ଦୁଃଖ–କଷ୍ଟ, ଅଭାବ ଓ ଅଭିଯୋଗହିଁ ଥିଲା ବିଦ୍ରୋହର ମୂଳକାରଣ । ବଙ୍ଗ ଓ ବିହାରରେ ଇଂରେଜଶାସନ ପ୍ରତିଷ୍ଠା ହେବା ସଙ୍ଗେ ସଙ୍ଗେ ଏହି ବେସାମରିକ ବିଦ୍ରୋହ ଆରମ୍ଭ ହୋଇଯାଇଥିଲା । ଅଧିକତର ଭୂରାଜସ୍ଵ ଦାବି, ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ତା’ର କର୍ମଚାରୀମାନେ ହସ୍ତଶିଳ୍ପୀଙ୍କୁ ଶୋଷଣ କରିବାଦ୍ଵାରା ଏବଂ ପୂର୍ବତନ ଜମିଦାରମାନେ ଗାଦିଚ୍ୟୁତ ହେବାଦ୍ଵାରା ପରିସ୍ଥିତି ଆହୁରି ଗୁରୁତର ହୋଇଉଠିଲା । ପ୍ରାୟ ପ୍ରତ୍ୟେକ ରାଜ୍ୟ ଓ ପ୍ରତ୍ୟେକ ଜିଲ୍ଲାରେ ଗଣବିପ୍ଳବ ଦେଖାଦେଲା । ସେହି ଗଣ–ବିକ୍ଷୋଭ କିପରି ସୁଦୂରପ୍ରସାରୀ ଥିଲା ତାହା ଜାଣିବାପାଇଁ ଏଠାରେ ଅଳ୍ପ କେତେକ ବିଶିଷ୍ଟ ଗଣବିପ୍ଳବର ଉଦାହରଣ ଦିଆଯାଇପାରେ ।

 

ବଙ୍ଗଳାର ଯୁଦ୍ଧରୁ ନିବୃତ୍ତଥିବା ସୈନ୍ୟ ତଥା ଉଦ୍‍ବାସ୍ତୁ କୃଷକମାନେ ଧାର୍ମିକ, ସାଧୁ ଓ ଗାଦିଚ୍ୟୁତ ଜମିଦାରମାନଙ୍କଦ୍ଵାରା ସଂଗଠିତ ବିଖ୍ୟାତ ‘ସନ୍ନ୍ୟାସୀ ବିଦ୍ରୋହ’ରେ ଯୋଗଦେଲେ । ସନ୍ନ୍ୟାସୀ ବିଦ୍ରୋହ ୧୭୬୩ରୁ ୧୮୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଚାଲିଥିଲା । ତା’ପରେ ୧୭୬୬ରୁ ୧୭୭୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବଙ୍ଗଳା ଓ ବିହାରର ପାଞ୍ଚଟି ଜିଲ୍ଲାରେ ଚୁଆର୍ (chuar) ବିଦ୍ରୋହ ସଂଗଠିତ ହେଲା । ୧୭୯୫ରୁ ୧୮୧୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଅନ୍ୟ ଏକ ଚୁଆର୍ ବିଦ୍ରୋହ ମଧ୍ୟ ଲାଗିରହିଲା ।

 

ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଇଂରେଜଶାସନ ପ୍ରସାର ଲାଭ କଲା, ସେଥି ସଙ୍ଗେ ସଙ୍ଗେ ବିଦ୍ରୋହ ମଧ୍ୟ । ଓଡ଼ିଶା ଜମିଦାରମାନଙ୍କର ବିଦ୍ରୋହ ୧୮୦୪ରୁ ୧୮୧୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଲାଗିରହିଲା । ଦକ୍ଷିଣ–ଭାରତରେ ୧୭୯୪ ଖ୍ରୀଷ୍ଟାବ୍ଦରେ ବିଜୟନଗର ରାଜା ବିଦ୍ରୋହ କଲେ । ଅଷ୍ଟାଦଶ ଶତାବ୍ଦୀର ଶେଷ ଦଶକରେ ତାମିଲନାଡ଼ୁ, ୧୮୦୧ରେ ମାଲାବାର୍ ଓ ଡିଂଡ଼ଗୁଲ୍, ୧୮୦୧ରୁ ୧୮୦୫ ମସିହା ମଧ୍ୟରେ ଉପକୂଳବର୍ତ୍ତୀ ଆନ୍ଧ୍ରାଞ୍ଚଳ ଏବଂ ୧୮୧୩ରୁ ୧୮୩୪ ମସିହା ପର୍ଯ୍ୟନ୍ତ ପାରଳାଖେମୁଣ୍ଡିର ଛୋଟ ଛୋଟ ଜମିଦାରମାନେ ବିଦ୍ରୋହ କଲେ । ମହୀଶୂର ଜମିଦାରମାନେ ୧୮୦୦ ଏବଂ ପୁନର୍ବାର ୧୮୩୧ ମସିହାରେ ବିଦ୍ରୋହ କରିଥିଲେ । ୧୮୩୦–୩୪ ମସିହାରେ ବିଶାଖାପାଟଣା ବିଦ୍ରୋହ ସଂଗଠିତ ହେଲା । ୧୮୦୫ ମସିହାରେ ତ୍ରିବାଙ୍କୁଡ଼ ରାଜ୍ୟର ଦେୱାନ୍ ଭେଲୁତାଂପି ବିଦ୍ରୋହ କଲେ । ୧୮୧୬ରୁ ୧୮୩୨ ଖ୍ରୀଷ୍ଟାବ୍ଦ ମଧ୍ୟରେ ପଶ୍ଚିମ ଭାରତରେ ସୌରାଷ୍ଟ୍ର ରାଜ୍ୟର କେତେକ ଦଳପତି ବାରମ୍ବାର ବିଦ୍ରୋହ କରିବାକୁ ଲାଗିଲେ । ଗୁଜୁରାଟର କୋଲିମାନେ ୧୮୨୪, ୧୮୨୫, ୧୮୨୮, ୧୮୩୯ ଓ ୧୮୪୯ ମସିହାରେ ତାହାହିଁ କଲେ । ମହାରାଷ୍ଟ୍ରରେ ମଧ୍ୟ ସେଇ ଅବସ୍ଥା ଦେଖାଦେଲା । ପ୍ରକୃତପକ୍ଷେ ମହାରାଷ୍ଟ୍ର ଥିଲା ଚିରନ୍ତନ ବିଦ୍ରୋହର ସ୍ଥଳୀ । ସେଠାରେ କିଟ୍ଟୁର ବିଦ୍ରୋହ (୧୮୨୪–୨୯), କୋହ୍ଲାପୁର ବିଦ୍ରୋହ (୧୮୨୪), ସତାରା ବିଦ୍ରୋହ (୧୮୪୧) ଓ ଗାଦକାରୀମାନଙ୍କର ରକ୍ତାକ୍ତ ବିପ୍ଳବ (୧୮୪୪ ) ବିଶେଷଭାବେ ଉଲ୍ଲେଖଯୋଗ୍ୟ । ଉତ୍ତର ଭାରତ କମ୍ ବିକ୍ଷୁବ୍ଧ ନଥିଲା । ୧୮୨୪ ମସିହାରେ ପଶ୍ଚିମ ଉତ୍ତର ପ୍ରଦେଶ ଓ ହରିଆନାର ଜାଠମାନେ ଗୁରୁତର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟିକଲେ । ୧୮୦୫ ମସିହାରେ ବିଳାସପୁର ରାଜପୁତମାନଙ୍କର ବିଦ୍ରୋହ ୧୮୧୪–୧୭ ମସିହା ମଧ୍ୟରେ ଆଲିଗଡ଼ ତାଲୁକ୍‍ଦାରମାନଙ୍କ ବିଦ୍ରୋହ ତଥା ୧୮୪୨ ମସିହାରେ ଜବଲପୁରର ବୁନ୍ଦେଲ୍‍ମାନଙ୍କ ବିଦ୍ରୋହ ମଧ୍ୟ ଉଲ୍ଲେଖନୀୟ ।

 

ଏହି ସମସ୍ତ ବିଦ୍ରୋହ ଭାରତରେ ଇଂରେଜଶାସନର ପ୍ରଥମ ଶହେ ବର୍ଷର ଇତିହାସର ଏକ ସଂଯୋଗ ସୂତ୍ର । କୃଷକ, ଜମିଦାର ଓ କ୍ଷୁଦ୍ର କ୍ଷୁଦ୍ର ଦଳପତିମାନଙ୍କ ମଧ୍ୟରେ ପରସ୍ପର ପ୍ରତି ରହିଥିବା ପାରମ୍ପରିକ ଅନୁରକ୍ତିହିଁ ଥିଲା ଏଇସବୁ ବିଦ୍ରୋହର ମୂଳକାରଣ । ଏଗୁଡ଼ିକ ସ୍ଥାନୀୟ ସମସ୍ୟାକୁ ନେଇ ସଂଘଟିତ ହୋଇଥିଲା ଓ ପରସ୍ପରଠାରୁ ବିଚ୍ଛିନ୍ନ ଥିଲା । ଏଗୁଡ଼ିକ ମଧ୍ୟ ପ୍ରଗତିଶୀଳ ନଥିଲା । ଆଧୁନିକ ଜାତୀୟବାଦୀ ମନୋଭାବ, ଉପନିବେଶବାଦର ଚରିତ୍ର ଓ ସ୍ୱରୂପ ସମ୍ପର୍କରେ ଆଧୁନିକ ଚିନ୍ତା ଓ ବୁଝାମଣା କିମ୍ବା ନୂତନ ସାମାଜିକ ସମ୍ପର୍କକୁ ଭିତ୍ତିକରି ନୂତନ ସମାଜର ପ୍ରତିଷ୍ଠା ପ୍ରଭୃତି ଏହି ବିଦ୍ରୋହର ଲକ୍ଷ୍ୟ ନଥିଲା । ସେଗୁଡ଼ିକର ନେତୃତ୍ଵ ଥିଲା ପାରମ୍ପରିକ, ଏବଂ ବିଦ୍ରୋହର ନେତା ଓ ଦଳପତିମାନେ ଚତୁର୍ଦ୍ଦିଗରେ ଘଟିଯାଉଥିବା ପରିବର୍ତ୍ତନ ପ୍ରତି ଆଦୌ ସଚେତନ ନଥିଲେ । ସେମାନଙ୍କୁ ଦମନ କରିବା ଲାଗି ଇଂରେଜମାନଙ୍କୁ ସମୟ ସମୟରେ ବହୁସଂଖ୍ୟକ ସୈନ୍ୟଚାଳନା କରିବାକୁ ପଡ଼ୁଥିଲେହେଁ, ସେମାନେ ବ୍ରିଟିଶ ଶକ୍ତିକୁ ହଟାଇବା ଭଳି କୌଣସି ଉଦ୍ୟମ କରିପାରି ନଥିଲେ । ତେବେ ବିଦେଶୀ ଶାସନ ବିରୁଦ୍ଧରେ ସଂଘର୍ଷ କରିବାଲାଗି ସେମାନେ ଯେଉଁ ଆହ୍ଵାନ ଦେଲେ ଓ ତଦ୍ଦ୍ଵାରା ସ୍ଥାନେ ସ୍ଥାନେ ଯେଉଁ ଉଜ୍ଜ୍ଵଳ ପରମ୍ପରା ସୃଷ୍ଟି କରିଦେଇଗଲେ, ତାହା ହେଉଛି ଦେଶପ୍ରତି ସେମାନଙ୍କର ବିରାଟ ଅବଦାନ । ଇଂରେଜଶାସନ ବିରୁଦ୍ଧରେ ଏହି ପାରମ୍ପରିକ ବିରୋଧରେ ଚରମ ପରିଣତି ହେଲା ୧୮୫୭ ଖ୍ରୀଷ୍ଟାବ୍ଦର ବିପ୍ଳବ । ସେହି ବିପ୍ଳବରେ ଅଂଶଗ୍ରହଣ କଲେ ଲକ୍ଷ ଲକ୍ଷ କୃଷକ, ହସ୍ତଶିଳ୍ପୀ ଓ ସୈନିକ । ୧୮୫୭ ଖ୍ରୀଷ୍ଟାବ୍ଦର ବିପ୍ଳବ ଫଳରେ ବ୍ରିଟିଶ ଶାସନର ମୂଳପିଣ୍ଡ ଦୋହଲିଗଲା ।

 

ଏହି ବିପ୍ଳବ ଆରମ୍ଭ ହେଲା ଇଷ୍ଟ ଇଣ୍ଡିଆ କମ୍ପାନୀର ପଦାତିକବାହିନୀରେ ନିଯୁକ୍ତ ଥିବା ସିପାହିମାନଙ୍କ ବିଦ୍ରୋହ ଯୋଗୁଁ । ଏହା ଖୁବ୍ ଶୀଘ୍ର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଗଲା । ବହୁଦିନ ଧରି ବିଦେଶୀ ସରକାରଙ୍କ ବିରୁଦ୍ଧରେ ଜନସାଧାରଣଙ୍କର ଯେଉଁସବୁ ଆପତ୍ତି ଅଭିଯୋଗ ଠୁଳ ହୋଇ ରହିଥିଲା, ତା’ର ଫଳ ହେଲା ଏଇ ଗଣବିପ୍ଳବ । ସରକାରଙ୍କ ଭୂରାଜସ୍ଵ ନୀତି ଫଳରେ ଚାଷୀମାନେ ଜମିବାଡ଼ି ହରାଇ ବସିଥିଲେ । ତଳପାହ୍ୟାର କୋର୍ଟ, ସରକାରୀ କର୍ମଚାରୀ ଓ ପୋଲିସ୍‍ର ଦୁର୍ନୀତିମୂଳକ ଆଚରଣ ଯୋଗୁଁ ଲୋକେ ନିଷ୍ପେଷିତ ହେଉଥିଲେ । ଫଳରେ ଚାଷୀମାନଙ୍କ ଭିତରେ ଗଭୀର ଅସନ୍ତୋଷ ଦେଖାଦେଲା । ବିଶେଷତଃ ଉତ୍ତାରାଂଶରେ ଉଚ୍ଚ ଓ ମଧ୍ୟବିତ୍ତ ଶ୍ରେଣୀୟ ଭାରତୀୟମାନେ, ଉଚ୍ଚବେତନଭୋଗୀ ପ୍ରଶାସନିକ ଚାକିରି ନିଯୁକ୍ତିରୁ ବଞ୍ଚିତ ହୋଇ ଅତ୍ୟକ୍ତ କ୍ଷତିଗ୍ରସ୍ତ ହେଲେ । ସେତେବେଳେ ଭାରତୀୟ ଶାସକ, ରାଜା ଓ ଜମିଦାରମାନଙ୍କ ସମସ୍ତ କର୍ତ୍ତୃତ୍ଵ ଚାଲିଗଲା । ଫଳରେ ସେମାନଙ୍କ ପୃଷ୍ଠପୋଷକତାଦ୍ଵାରା ଧାର୍ମିକ ତଥା ସାଂସ୍କୃତିକ ବୃତ୍ତି ଓ ପରମ୍ପରାକୁ ନେଇ ଯେଉଁ ପୁରୋହିତ, ବ୍ରାହ୍ମଣ, ବିଦ୍ଵାନ ଓ ମୌଲବୀମାନେ ବଞ୍ଚୁଥିଲେ, ସେମାନଙ୍କ ଆୟର ପନ୍ଥା ବନ୍ଦ ହୋଇଗଲା । ୧୮୫୬ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ଅଉଧ୍‍କୁ ନିଜ ସାମ୍ରାଜ୍ୟରେ ମିଶାଇଦେଲେ । ଏହାଦ୍ୱାରା ଅଉଧ୍‍ରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଲା । କମ୍ପାନୀର ସୈନ୍ୟବାହିନୀରେ ଅଧିକାଂଶ ଅଉଧ୍ ଅଞ୍ଚଳର ସୈନ୍ୟ ଥିଲେ ଓ ସେମାନେ ଏପରି କାର୍ଯ୍ୟଦ୍ଵାରା ଅତ୍ୟନ୍ତ କ୍ରୋଧାନ୍ଵିତ ହେଲେ । ଏହା ବ୍ୟତୀତ ଅଉଧ୍‍ରେ ଥିବା ସେମାନଙ୍କର ପରିବାରବର୍ଗଙ୍କୁ ଉଚ୍ଚ ହାରରେ ଭୂରାଜସ୍ଵ ଦେବାକୁ ପଡ଼ିଲା । ଇଂରେଜମାନେ ମଧ୍ୟ ବହୁସଂଖ୍ୟକ ଜମିଦାର ତଥା ତାଲୁକ୍‍ଦାରମାନଙ୍କ ଭୂସମ୍ପତ୍ତି ବ୍ୟାଜ୍ୟାପ୍ତ କରିନେଲେ । ସମ୍ପତ୍ତିରୁ ବେଦଖଲ ହୋଇଥିବା ଏଇ ତାଲୁକ୍‍ଦାରମାନେ ବ୍ରିଟିଶ ଶାସନର ଘୋର ବିରୋଧ କଲେ । ବ୍ରିଟିଶ ଭାଇସ୍‍ରୟ ଲର୍ଡ଼ ଡାଲହାଉସି ଅନ୍ୟମାନଙ୍କ ଭୂସମ୍ପତ୍ତି ନିଜ ସାମ୍ରାଜ୍ୟରେ ମିଶାଇବାର ଯେଉଁ ନୀତି ଅନୁସରଣ କଲେ, ତାହାଦ୍ୱାରା ସ୍ଵଦେଶୀ ରାଜ୍ୟଗୁଡ଼ିକର ବହୁ ଶାସକ ମଧ୍ୟ ଆତଙ୍କିତ ହୋଇପଡ଼ିଲେ । ସେତେବେଳେ ଏଇ ଶାସକମାନେ ମଧ୍ୟ ବୁଝିପାରିଲେ ଯେ, ବୈଦେଶିକ ଶକ୍ତିର ସମ୍ପୂର୍ଣ୍ଣ ବଶ୍ୟତା ସ୍ଵୀକାରପୂର୍ବକ, ପଦମର୍ଯ୍ୟାଦା ହରାଇ ହୀନମାନଭାବରେ ନିଜର ଅନୁରକ୍ତି ଘୋଷଣା କରିବା ସତ୍ତ୍ୱେ ସେମାନଙ୍କ ସ୍ଥିତି ସନ୍ଦେହମୁକ୍ତ ବା ନିରାପଦ ହୋଇପାରିଲା ନାହିଁ । ନାନାସାହେବ, ଝାନ୍‍ସିରାଣୀ ଓ ବାହାଦୁରସାହ୍ ପ୍ରଭୃତି ଇଂରେଜମାନଙ୍କର ଘୋର ବିରୋଧୀ ହେଲେ ଏଇ ରାଜ୍ୟ–ସ୍ଵତ୍ଵ–ଲୋପ ନୀତି ଯୋଗୁଁ । କମ୍ପାନୀର ସୈନ୍ୟ ବା ସିପାହିମାନେ ସ୍ୱଳ୍ପ ବେତନ, କଷ୍ଟକର ଜୀବନଯାପନ ଓ ଇଂରେଜ ଅଫିସରମାନଙ୍କ ଘୃଣାବ୍ୟଞ୍ଜକ ବ୍ୟବହାର ତଥା ନିର୍ଯାତନା ଫଳରେ ଅତ୍ୟନ୍ତ ଅସନ୍ତୁଷ୍ଟ ଥିଲେ । ଜଣେ ସମସାମୟିକ ଇଂରେଜ ପର୍ଯ୍ୟବେକ୍ଷକ ଲେଖିଛନ୍ତି–‘ସିପାହି ସୃଷ୍ଟିର ଗୋଟିଏ ନିମ୍ନତର ଜୀବ ଭାବରେହିଁ ଆଦର ପାଏ । ସେ ଗାଳିଗୁଲଜ ଶୁଣେ, ଖରାପ ବ୍ୟବହାର ପାଏ । ତାକୁ ଘୃଣା ସହିତ କୁହାଯାଏ କଳାଲୋକ । ଶୁଅର ବା ଘୁଷୁରି ବୋଲି ସମ୍ବୋଧନ ମଧ୍ୟ କରାଯାଏ । ଯୁବଗୋଷ୍ଠୀ ତାକୁ ଗୋଟିଏ ନିମ୍ନତର ପ୍ରାଣୀ ମନେକରି ତା’ ସହିତ ବ୍ୟବହାର କରନ୍ତି । ଏହା ବ୍ୟତୀତ ସିପାହିର ପଦୋନ୍ନତିର ଆଶା ମଧ୍ୟ ଅତ୍ୟନ୍ତ କମ୍ । କୌଣସି ଭାରତୀୟ ମାସିକ ଷାଠିଏ କିମ୍ବା ସତୁରି ଟଙ୍କା ଦରମା ପାଉଥିବା ସୁବେଦାରଠାରୁ ଆଉ ଉପର ପାହ୍ୟାକୁ ଯାଇପାରୁନଥିଲେ ।

 

ଏହିପରିଭାବରେ ୧୮୫୭ ମସିହାବେଳକୁ ଗୋଟିଏ ଗଣବିପ୍ଳବ ପାଇଁ ପରିସ୍ଥିତି ଅନୁକୂଳ ହୋଇଯାଇଥିଲା । ଚର୍ବିନିର୍ମିତ ଗୁଳି ଟୋଟା ସମ୍ପର୍କୀୟ ଉପାଖ୍ୟାନ ଅଗ୍ନିସଂଯୋଗ କରିବାରେ ସାହାଯ୍ୟ କଲା । ନୂତନ ପ୍ରଚଳିତ ଏନ୍‍ଫିଲ୍‍ଡ଼୍ ରାଇଫଲର ଗୁଳିସବୁ ଚର୍ବିଦିଆ କାଗଜଖୋଳ ଭିତରେ ଆସୁଥିଲା । ଏହି ଗୁଳି ବ୍ୟବହାର କରିବା ପୂର୍ବରୁ ଖୋଲର ଶେଷାଂଶଟିକୁ ଦନ୍ତରେ କାମୁଡ଼ିବାକୁ ପଡ଼ୁଥିଲା । କେତେକ କ୍ଷେତ୍ରରେ ଏଇ କାଗଜଖୋଳରେ ଦିଆଯାଇଥିବା ଚର୍ବି ଗୋରୁ ଓ ଘୁଷୁରିର ବୋଲି ଜଣାପଡ଼ିଲା । ସିପାହିମାନେ ସେମାନଙ୍କ ଧର୍ମବିଶ୍ଵାସ ବିରୁଦ୍ଧରେ ହେଉଥିବା ଏ କାର୍ଯ୍ୟ ଯୋଗୁଁ କ୍ରୋଧାନ୍ଵିତ ହେଲେ । ସେମାନେ ବିଦ୍ରୋହ ଲାଗି ପ୍ରସ୍ତୁତ ହୋଇଗଲେ ଏବଂ ତଦ୍ଦ୍ଵାରା ଭାରତୀୟ ସମାଜର ଅନ୍ୟାନ୍ୟ ଗୋଷ୍ଠୀ ମଧ୍ୟ ବିପ୍ଳବର ଝଡ଼ ସୃଷ୍ଟି କରିବା ଲାଗି ସୁଯୋଗ ପାଇଲେ ।

 

୧୮୫୭ ମସିହା ମେ ମାସ ୧୦ ତାରିଖ ଦିନ ଦିଲ୍ଲୀଠାରୁ ଛତିଶ ମାଇଲ ଦୂରବର୍ତ୍ତୀ ମିରଟ୍‍ଠାରେ ପ୍ରଥମେ ସୈନ୍ୟମାନଙ୍କର ବିଦ୍ରୋହ ଆରମ୍ଭ ହେଲା । କ୍ରମେ ଏହି ବିଦ୍ରୋହ ଉତ୍ତରରେ ପଞ୍ଜାବରୁ ଦକ୍ଷିଣରେ ନର୍ମଦା ପର୍ଯ୍ୟନ୍ତ ଓ ପୂର୍ବରେ ବିହାରରୁ ପଶ୍ଚିମରେ ରାଜପୁତାନା ପର୍ଯ୍ୟନ୍ତ ପ୍ରବଳଭାବରେ ବ୍ୟାପିଗଲା । ମିରଟ୍‍ଠାରେ ସୈନ୍ୟମାନେ ଅଫିସରମାନଙ୍କୁ ହତ୍ୟା କଲେ ଓ ଦିଲ୍ଲୀ ଅଭିମୁଖେ ଅଭିଯାନ ଚଳାଇଲେ । ପରଦିନ ସକାଳେ ଦିଲ୍ଲୀରେ ସେମାନଙ୍କ ଉପସ୍ଥିତି ଦିଲ୍ଲୀର ସୈନ୍ୟମାନଙ୍କୁ ପ୍ରେରଣା ଯୋଗାଇଲା ଓ ସେମାନେ ମଧ୍ୟ ବିଦ୍ରୋହରେ ଯୋଗଦେଲେ । ସେମାନେ ଦିଲ୍ଲୀ ସହର ଦଖଲ କରି ବୃଦ୍ଧ ବାହାଦୁରସାହଙ୍କୁ ଭାରତର ସମ୍ରାଟ ଘୋଷଣା କଲେ । ଏହିପରିଭାବେ ସୈନ୍ୟମାନେ ଏକ ସୀମିତ ବିଦ୍ରୋହକୁ ବିପ୍ଳବାତ୍ମକ ସଂଘର୍ଷରେ ପରିଣତ କରିଦେଲେ । ତା’ପରଠାରୁ ଯେଉଁ ଭାରତୀୟ ସୈନ୍ୟ ଦଳପତି ଓ ଜମିଦାରମାନେ ବିଦ୍ରୋହରେ ଅଂଶଗ୍ରହଣ କଲେ, ସେମାନେ ମୋଗଲ ସମ୍ରାଟଙ୍କ ବଶ୍ୟତା ସ୍ଵୀକାର କଲେ । ସେତେବେଳକୁ ମୋଗଲ ସମ୍ରାଟ ଭାରତୀୟ ଏକତାର ପ୍ରତୀକ ହୋଇସାରିଥିଲେ ।

 

ଉତ୍ତର ଓ ମଧ୍ୟଭାରତର ପ୍ରତ୍ୟେକ ସ୍ଥାନରେ ସିପାହିମାନଙ୍କ ବିଦ୍ରୋହ ସଙ୍ଗେ ସଙ୍ଗେ ବେସାମରିକ ଲୋକଙ୍କଦ୍ଵାରା ଗଣବିପ୍ଳବ ତେଜିଉଠିଲା । ସାଧାରଣ ଲୋକେ ଫାର୍ସା, କୁରାଢ଼ି, କରତ, ଧନୁ ତୀର, ଠେଙ୍ଗାବାଡ଼ି ଓ ଏପରିକି ପୁରାତନ ନଳିବନ୍ଧୁକ ଧରି ଯୁଦ୍ଧରେ ପ୍ରବୃତ୍ତ ହେଲେ । ବିଶେଷତଃ ବର୍ତ୍ତମାନର ଉତ୍ତରପ୍ରଦେଶ ଓ ବିହାରରେ କୃଷିଜୀବୀ ଓ କାରିଗରମାନଙ୍କର ବିଦ୍ରୋହରେ ବ୍ୟାପକ ଯୋଗଦାନ ଫଳରେ ବିଦ୍ରୋହର ଆତ୍ମବଳ ବିଶେଷଭାବେ ବୃଦ୍ଧି ପାଇଲା । ଏକ ହିସାବରୁ ଜଣାଯାଇଛି ଯେ, ଅଉଧ୍ ଅଞ୍ଚଳରେ ଇଂରେଜମାନଙ୍କ ବିରୁଦ୍ଧରେ ସଂଘର୍ଷ ଚଳାଇ ଯେଉଁ ଦେଢ଼ଲକ୍ଷ ଲୋକ ପ୍ରାଣ ହରାଇଥିଲେ, ସେଥିରୁ ବେସାମରିକ ଲୋକ ଥିଲେ ପ୍ରାୟ ଏକଲକ୍ଷ-

 

୧୮୫୭ ଖ୍ରୀଷ୍ଟାବ୍ଦ ବିପ୍ଳବ ଯେ ଅତ୍ୟନ୍ତ ଶକ୍ତିଶାଳୀ ଥିଲା, ତା’ର ଗୋଟିଏ ମୁଖ୍ୟ କାରଣ ହେଲା ହିନ୍ଦୁ ମୁସଲମାନ ଏକତା । ସୈନ୍ୟବାହିନୀ, ଜନସାଧାରଣ ତଥା ନେତୃବର୍ଗ ମଧ୍ୟରେ ହିନ୍ଦୁ ମୁସଲମାନମାନଙ୍କ ଭଳି ସମ୍ପୂର୍ଣ୍ଣ ସହଯୋଗ ରହିଥିଲା । ବିଦ୍ରୋହୀମାନେ ସମସ୍ତେ ବାହାଦୁରଶାହ ଭଳି ଜଣେ ମୁସଲମାନଙ୍କୁ ସେମାନଙ୍କର ସମ୍ରାଟ ବୋଲି ସ୍ଵୀକାର କରିନେଲେ । ହିନ୍ଦୁ ଓ ମୁସଲମାନ ବିଦ୍ରୋହୀ ତଥା ସିପାହିମାନେ ପ୍ରତ୍ୟେକେ ପ୍ରତ୍ୟେକଙ୍କର ଧର୍ମପ୍ରତି ସମ୍ମାନ ପ୍ରଦର୍ଶନ କଲେ । ଉଦାହରଣସ୍ୱରୂପ, ଯେତେ ସ୍ଥାନରେ ବିଦ୍ରୋହ ସଫଳ ହେଲା, ହିନ୍ଦୁ ଧର୍ମପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସେ ସବୁ ସ୍ଥାନରେ ଗୋବଧକୁ ଅବୈଧ ବୋଲି ଘୋଷଣା କରି ଆଦେଶ ଜାରି କରାଗଲା । ଏହା ବ୍ୟତୀତ, ବିଭିନ୍ନ ପର୍ଯ୍ୟାୟର ନେତୃମଣ୍ଡଳୀ ଭିତରେ ହିନ୍ଦୁ ଓ ମୁସଲମାନମାନେ ସମାନଭାବରେ ପ୍ରତିନିଧିତ୍ଵ କରୁଥିଲେ । ପରେ ଜଣେ ଉଚ୍ଚ ଇଂରେଜ ଅଫିସର ଅଭିଯୋଗ କଲେ ଯେ, ‘ଏଇ ଘଟଣାରେ ଆମେ ମୁସଲମାନମାନଙ୍କୁ ହିନ୍ଦୁମାନଙ୍କ ବିରୁଦ୍ଧରେ ନିୟୋଜିତ କରିପାରିଲୁ ନାହିଁ ।’ ପ୍ରକୃତପକ୍ଷେ ୧୮୫୭ ଖ୍ରୀଷ୍ଟାବ୍ଦର ଘଟନାବଳିଦ୍ଵାରା ଏହା ସ୍ପଷ୍ଟ ଜଣାପଡ଼ିଲା ଯେ, ୧୮୫୮ ଖ୍ରୀଷ୍ଟାବ୍ଦ ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ଭାରତର ଜନସାଧାରଣ ଓ ରାଜନୀତି ମୂଳତଃ ସାମ୍ପ୍ରଦାୟିକ ନଥିଲେ ।

 

ପରିଶେଷରେ ସମଗ୍ର ପୃଥିବୀରେ ଅତୁଳନୀୟ ଶକ୍ତିର ଅଧିକାରୀ ବ୍ରିଟିଶ ସାମ୍ରାଜ୍ୟବାଦ, ଭାରତର ଅଧିକାଂଶ ରାଜାମହାରାଜା ତଥା ଉପଜାତୀୟ ଦଳପତିମାନଙ୍କ ସମର୍ଥନ ଲାଭକଲା ଏବଂ ଅସ୍ତ୍ରଶସ୍ତ୍ର, ସଂଗଠନ ଓ ଏକ ସଂକଳ୍ପବଦ୍ଧ ମିଳିତ ନେତୃତ୍ଵବିହୀନ ବିଦ୍ରୋହୀମାନଙ୍କଠାରୁ ସାମରିକ ଦୃଷ୍ଟିରୁ ଅଧିକତର ଶକ୍ତିଶାଳୀ ପ୍ରମାଣିତ ହେଲା । ସେମାନେ ଏସବୁ ଅଭାବ–ଅସୁବିଧାର ପରିପୂରଣ କରିବା ପୂର୍ବରୁ ଇଂରେଜସରକାର ତାଙ୍କର ସମସ୍ତ ସମ୍ବଳ ବିନିଯୋଗ କରି ସେମାନଙ୍କୁ କଠୋରଭାବେ ଦମନ କଲେ । ୧୮୫୭ ଖ୍ରୀଷ୍ଟାବ୍ଦ ସେପ୍‍ଟେମ୍ବର ମାସ ୨୦ ତାରିଖ ଦିନ–ଯେଉଁ ଦିନ ଇଂରେଜ ସରକାର, ଦିଲ୍ଲୀ ସହରକୁ ପୁନର୍ବାର ଦଖଲ କରି ସମ୍ରାଟ ବାହାଦୁରଶାହଙ୍କୁ ବନ୍ଦୀ କଲେ, ସେଦିନହିଁ ବିଦ୍ରୋହ ପତନର ସମ୍ମୁଖୀନ ହେଲା । ଅନ୍ୟାନ୍ୟ ବିଦ୍ରୋହୀ ନେତାମାନେ ସାହସର ସହିତ ସଂଗ୍ରାମ ଚଳାଇଲେ ମଧ୍ୟ ଜଣକ ପରେ ଜଣେ ଟଳିପଡ଼ିଲେ । ନାନାସାହେବ କାନପୁରଠାରେ ପରାସ୍ତ ହେଲେ । ତାଙ୍କର ଅନୁରକ୍ତ ସେନାପତି ତାନ୍ତିଆଟୋପେ ୧୮୫୯ ମସିହା ଏପ୍ରିଲ ମାସ ପର୍ଯ୍ୟନ୍ତ ବୀରତ୍ୱର ସହ ପ୍ରବଳ ଗରିଲାଯୁଦ୍ଧ ଚଳାଇଲେ । ତାଙ୍କର ଜଣେ ଜମିଦାର ବନ୍ଧୁ ବିଶ୍ଵାସଘାତକତା କରି ତାଙ୍କୁ ଶତ୍ରୁ ହାତରେ ସମର୍ପଣ କଲେ । ଝାନ୍‍ସୀର ରାଣୀ ୧୮୫୮ ମସିହା ଜୁନ୍ ମାସ ୧୭ ତାରିଖ ଦିନ ଯୁଦ୍ଧ କରୁ କରୁ ହାତରେ ତରବାରି ଥିବା ଅବସ୍ଥାରେ ମୃତ୍ୟୁମୁଖରେ ପତିତ ହେଲେ । ୧୮୫୯ ଖ୍ରୀଷ୍ଟାବ୍ଦ ସୁଦ୍ଧା ବିହାରର କନ୍‍ୱାର ସିଂ, ସାମାନ୍ୟ ସିପାହିରୁ ଦିଲ୍ଲୀ ବିଦ୍ରୋହୀ ସୈନ୍ୟବାହିନୀର ସେନାପତି ପଦକୁ ଉନ୍ନୀତ ହୋଇଥିବା ବଖ୍‍ତ୍ ଖାଁ, ବରେଲିର ଖାଁ ବାହାଦୁର ଖାଁ ଓ ଫଇଜାବାଦ୍‍ର ମୌଲବୀ ଅହମ୍ମଦୁଲ୍ଲା ପ୍ରଭୃତି ମୃତ୍ୟୁବରଣ କଲେ । ଅଉଧ୍‍ର ବେଗମ୍ ରାଜ୍ୟ ଛାଡ଼ି ନେପାଳ ପଳାଇଗଲେ ।

 

୧୮୫୯ ଖ୍ରୀଷ୍ଟାବ୍ଦ ସୁଦ୍ଧା ଭାରତରେ ଇଂରେଜ ଶାସନ ଦୃଢ଼ଭାବେ ପ୍ରତିଷ୍ଠିତ ହେଲା । ତଥାପି ବିଦ୍ରୋହ ନିଷ୍ଫଳ ଗଲା ନାହିଁ । ପୁରାତନ ରୀତିରେ, ପାରମ୍ପରିକ ନେତୃତ୍ଵାଧୀନରେ ଭାରତକୁ ବୈଦେଶିକମାନଙ୍କ କବଳରୁ ଉଦ୍ଧାର କରିବାଲାଗି ଏହା ଏକ ନୈରାଶ୍ୟଜନକ ପ୍ରଚେଷ୍ଟା ହୋଇଥିଲେହେଁ ବ୍ରିଟିଶ ସାମ୍ରାଜ୍ୟବାଦର ଶୃଙ୍ଖଳ କାଟି ସ୍ଵାଧୀନତା ପାଇଁ ଏହା ଥିଲା ଭାରତୀୟ ଲୋକଙ୍କର ପ୍ରଥମ ସଂଗ୍ରାମ । ବିଦ୍ରୋହୀ ନେତାମାନଙ୍କ ନାମ ଶୁଣିଲାମାତ୍ରେ ଶାସକଗୋଷ୍ଠୀ ଅଗ୍ନିଶର୍ମା ହୋଇଯାଉଥିଲେହେଁ, ଏ ଦେଶର ଘରେ ଘରେ ସେମାନଙ୍କ ନାମ ଆଦରଣୀୟ ଓ ସ୍ମରଣୀୟ ହୋଇଗଲା ।

 

ଆଦିବାସୀ ବିପ୍ଳବ

 

ଭାରତର ଅଧିକାଂଶ ଅଞ୍ଚଳରେ ପରିବ୍ୟାପ୍ତ ହୋଇ ରହିଥିବା ଆଦିବାସୀମାନେ ମଧ୍ୟ ଶହ ଶହ ବିଦ୍ରୋହ ଓ ବିପ୍ଳବରେ ଅଂଶଗ୍ରହଣ କରିଥିଲେ । ଇଂରେଜମାନଙ୍କ କର୍ତ୍ତୃତ୍ଵ ବିସ୍ତାର ଓ ଔପନିବେଶିକ ଶାସନର ବିଭିନ୍ନ କ୍ଷେତ୍ରରେ ହସ୍ତକ୍ଷେପ ବିରୁଦ୍ଧରେ ସେମାନେ ଗଭୀର ଅସନ୍ତୋଷ ପ୍ରକାଶ କଲେ । ସେମାନଙ୍କର ସରଳ ନିରାପଦ ଜୀବନ ଭିତରକୁ ଋଣଦାତା ସାହୁକାର, ବ୍ୟବସାୟୀ ଓ ରାଜସ୍ୱ ଦେଇପାରୁଥିବା ସ୍ୱଚ୍ଛଳ କୃଷକମାନଙ୍କର ଅନୁପ୍ରବେଶ ବିରୁଦ୍ଧରେ ସେମାନେ ଆପତ୍ତି ଉଠାଇଲେ । କାରଣ ଆଦିବାସୀମାନଙ୍କୁ ଔପନିବେଶିକ ଅର୍ଥନୀତି ଓ ଶୋଷଣର ପରିସର ଭିତରକୁ ଟାଣିଆଣିବା ଦିଗରେ ଏମାନେ ଇଂରେଜମାନଙ୍କର ସହାୟତା କରୁଥିଲେ । ଆଦିବାସୀମାନଙ୍କର ବିଦ୍ରୋହ, ଅଭୂତପୂର୍ବ ସାହସ, ବୀରତ୍ଵ ଓ ତ୍ୟାଗର ଅତୁଳନୀୟ କାହାଣୀ ଥିଲା-। ସେଥିସହିତ ଅଙ୍ଗାଙ୍ଗୀ ଜଡ଼ିତ ଥିଲା ସରକାରୀ କଳର ଚରମ ନିଷ୍ପେଷଣ ତଥା ବ୍ୟାପକ ହତ୍ୟାକାଣ୍ଡ । ଏକ ପକ୍ଷରେ ଫାର୍ସା ଓ ଧନୁତୀର ପ୍ରଭୃତି ପ୍ରାଚୀନ ଅସ୍ତ୍ରଶସ୍ତ୍ରସଜ୍ଜିତ କ୍ରୁଦ୍ଧ ଓ ବିଶୃଙ୍ଖଳ ଜନତା ଏବଂ ଅନ୍ୟ ପକ୍ଷରେ ଆଧୁନିକ ଯୁଦ୍ଧାସ୍ତ୍ରଦ୍ଵାରା ସଜ୍ଜିତ ବ୍ରିଟିଶ ନିୟନ୍ତ୍ରଣାଧୀନ ଭାରତୀୟ ସୈନ୍ୟବାହିନୀ ମଧ୍ୟରେ ଯେଉଁ ଅସମ ସଂଘର୍ଷ ସଂଘଟିତ ହେଲା, ସେଥିରେ ଲକ୍ଷ ଲକ୍ଷ ଲୋକଙ୍କର ପ୍ରାଣହାନି ଘଟିଲା । ଆଦିବାସୀ ବିଦ୍ରୋହଗୁଡ଼ିକ ମଧ୍ୟରୁ ୧୮୨୦ରୁ ୧୮୩୭ ମସିହା ପର୍ଯ୍ୟନ୍ତ କୋହ୍ଲ, ୧୮୫୫–୫୬ରେ ସାନ୍ତାଳ, ୧୮୭୯ରେ ରମ୍ପା ଓ ୧୮୯୫ରୁ ୧୯୦୧ ମସିହା ଭିତରେ ହୋଇଥିବା ମୁଣ୍ଡା ବିଦ୍ରୋହ ଉଲ୍ଲେଖଯୋଗ୍ୟ ।

 

କୃଷକ ଆନ୍ଦୋଳନ ଓ ବିଦ୍ରୋହ

 

ଔପନିବେଶିକ ଶୋଷଣଦ୍ଵାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଲେ ଭାରତୀୟ କୃଷକସମାଜ । ସେଥିଲାଗି ସେମାନେ ପ୍ରତି ପଦକ୍ଷେପରେ ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ । ପରିତାପର ବିଷୟ, ବ୍ରିଟିଶ ଉପନିବେଶବାଦ ବିରୁଦ୍ଧରେ କୃଷକମାନଙ୍କର ସଂଘର୍ଷ ସମ୍ପର୍କୀୟ ବିଷଦ ବିବରଣୀ ସହଜରେ ମିଳିପାରୁନାହିଁ । ଭାରତରେ ଐତିହାସିକ ଗବେଷଣାର ଅପୂର୍ଣ୍ଣତା ଯୋଗୁଁ ସେଗୁଡ଼ିକ ଏପର୍ଯ୍ୟନ୍ତ ସରକାରୀ ସଂରକ୍ଷଣାଳୟ ଓ ଆଧୁନିକ ଇତିହାସର ଅନ୍ୟାନ୍ୟ ଗନ୍ତାଘରଗୁଡ଼ିକରେ ଅନାବିଷ୍କୃତ ଅବସ୍ଥାରେ ପଡ଼ିରହିଛି । ଏହା ବ୍ୟତୀତ, ସରକାରୀ କାଗଜପତ୍ରରେ କୃଷକମାନଙ୍କର ବିଦ୍ରୋହକୁ ବେଆଇନ କାର୍ଯ୍ୟ, ବିଶୃଙ୍ଖଳା ଓ ଡକାୟତ ବୋଲି ଅଭିହିତ କରାଯାଇଛି । କେବଳ ଗତ ଅଳ୍ପ କେତେ ବର୍ଷ ହେଲା, ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ କୃଷକମାନଙ୍କ ସଂଘର୍ଷ ସମ୍ପର୍କୀୟ କେତେକ ତଥ୍ୟ ଆମ୍ଭେମାନେ ଜାଣିବାକୁ ପାଇଛୁ ।

 

ପୂର୍ବରୁ କୁହାଯାଇଛି ଯେ, ଜମିଦାର ଓ କ୍ଷୁଦ୍ର କ୍ଷୁଦ୍ର ଦଳପତିମାନଙ୍କ ନେତୃତ୍ଵରେ ଯେଉଁସବୁ ବେସାମରିକ ବିଦ୍ରୋହ ସଂଘଟିତ ହୋଇଥିଲା, କୃଷକମାନେ ଥିଲେ ସେଗୁଡ଼ିକର ମୂଳପିଣ୍ଡ । ଏହାର ସତ୍ୟତା ୧୮୫୭ ଖ୍ରୀଷ୍ଟାବ୍ଦର ବିଦ୍ରୋହରୁ ସ୍ପଷ୍ଟ ଜଣାପଡ଼େ । ଅନ୍ୟ କେତେକ କୃଷକ–ବିଦ୍ରୋହ ଉପରେ ଧର୍ମର ରଙ୍ଗ ଚଢ଼ାଇ ଦିଆଯାଇଥିଲା । ସେଗୁଡ଼ିକ ଧର୍ମ ଓ ସାମାଜିକ ସଂସ୍କାର ନେଇ ଆରମ୍ଭ ହୋଇଥିଲେ ମଧ୍ୟ ସେଗୁଡ଼ିକର ମୂଳକାରଣ ଯେ କୃଷିସଂକ୍ରାନ୍ତୀୟ ସମସ୍ୟା, ଏହା ଖୁବ୍ ଶୀଘ୍ର ଜଣାପଡ଼ିଗଲା । ତାହା ହେଲା ଜାତି–ଧର୍ମ–ନିର୍ବିଶେଷରେ ନୂଆ ଜମିଦାର, ଜମିମାଲିକ ଓ ଋଣଦାତାମାନଙ୍କ ବିରୁଦ୍ଧରେ ସେମାନଙ୍କର ପ୍ରବଳ ଆକ୍ରମଣ । ପରିଶେଷରେ ସେମାନେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଂଘର୍ଷ କଲେ । ଗୋଟିଏ ଅବସ୍ଥାରେ ବଙ୍ଗ, ବିହାର, ପଞ୍ଜାବ, ଓ ମାନ୍ଦ୍ରାଜରେ ପ୍ରସାରଲାଭ କରିଥିବା ୱାହାବି ଆନ୍ଦୋଳନ, ବଙ୍ଗର ଫରାଜି ଆନ୍ଦୋଳନ, ତଥା ପଞ୍ଜାବର କୁକା ବିଦ୍ରୋହକୁ ଉଦାହରଣସ୍ୱରୂପ ଉଲ୍ଲେଖ କରାଯାଇପାରେ ।

 

୧୮୫୮ ଖ୍ରୀଷ୍ଟାବ୍ଦ ପରେ ଇଂରେଜଶାସନ ବିରୁଦ୍ଧରେ କୃଷକମାନଙ୍କ ବିଦ୍ରୋହର ରୂପରେଖ କେତେକ ପରିମାଣରେ ପରିବର୍ତ୍ତିତ ହୋଇଗଲା । କୃଷକମାନେ ସେମାନଙ୍କ ଦାବି ପୂରଣ ଲାଗି ସରକାର, ଚା’ ବଗିଚାର ବିଦେଶୀ ମାଲିକ, ସ୍ଥାନୀୟ ଜମିଦାର ଓ ସାହୁକାରମାନଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ସଂଘର୍ଷ ଆରମ୍ଭ କଲେ ।

 

ଆଧୁନିକ ଯୁଗର ଏକ ସର୍ବବୃହତ୍ କୃଷକ ଆନ୍ଦୋଳନ ହେଉଛି ୧୮୫୯–୬୦ ମସିହାରେ ବଙ୍ଗବ୍ୟାପୀ ସଂଘଟିତ ହୋଇଥିବା ନୀଳଚାଷୀ ଆନ୍ଦୋଳନ । ନୀଳଚାଷ ଉପରେ ୟୁରୋପୀୟମାନଙ୍କର ଏକଚାଟିଆ ଅଧିକାର ରହିଥିଲା । ବିଦେଶୀ ନୀଳ ଉତ୍ପାଦନକାରୀମାନେ କୃଷକମାନଙ୍କୁ ନୀଳଚାଷ କରିବାକୁ ବାଧ୍ୟ କଲେ ଓ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କଲେ । ନୀଳ ଉତ୍ପାଦନକାରୀ ମାଲିକମାନେ ଚାଷୀମାନଙ୍କୁ ଶସ୍ତା ଦରରେ ନୀଳ ଚାଷ କରିବାକୁ ବାଧ୍ୟ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ବେଆଇନ ଭାବରେ ଅଟକ ରଖି ମାଡ଼ଦେଲେ । ପ୍ରଖ୍ୟାତ ବଙ୍ଗୀୟ ଲେଖକ ଦୀନବନ୍ଧୁ ମିତ୍ରଙ୍କର ୧୮୬୦ ମସିହାରେ ‘ନୀଳଦର୍ପଣ’ ନାମକ ଏକ ନାଟକ ପ୍ରକାଶିତ ହେଲା । ଏଥିରେ ନୀଳଚାଷୀମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ମର୍ମନ୍ତୁଦ ଚିତ୍ର ରୂପାୟିତ ହୋଇଥିଲା । କୃଷକମାନେ କ୍ରୋଧରେ ଉତ୍ତେଜିତ ହୋଇଉଠିଲେ । ହଜାର ହଜାର ଚାଷୀ ସ୍ଵେଚ୍ଛାକୃତଭାବେ ନୀଳ ଉତ୍ପାଦନ କରିବାକୁ ମନାକଲେ ଏବଂ ସେମାନେ ନୀଳଉତ୍ପନ୍ନକାରୀ ମାଲିକ ତଥା ସେମାନଙ୍କ ଭଡ଼ାଟିଆ ଅସ୍ତ୍ରଶସ୍ତ୍ରଧାରୀ ରକ୍ଷୀମାନଙ୍କ ଅତ୍ୟାଚାର ଓ ଶାରୀରିକ ନିର୍ଯାତନାର ଘୋର ବିରୋଧ କଲେ । ବଙ୍ଗର ନୂତନ ବୌଦ୍ଧିକଶ୍ରେଣୀ ପରିସ୍ଥିତିର ସମ୍ମୁଖୀନ ହେବାଲାଗି ଅଗ୍ରସର ହେଲେ ଏବଂ ବିଦ୍ରୋହୀ ଚାଷୀମାନଙ୍କ ସପକ୍ଷରେ ପ୍ରବଳ ପ୍ରଚାର ଲାଗି ସଙ୍ଗଠନ କଲେ । ନୀଳଚାଷ ସମ୍ପର୍କୀୟ ଅବ୍ୟବସ୍ଥାକୁ ସୁଧାରିବା ଉଦ୍ଦେଶ୍ୟରେ ସରକାର ଗୋଟିଏ କମିଶନ ବସାଇବାକୁ ବାଧ୍ୟ ହେଲେ; କିନ୍ତୁ ନୀଳମାଲିକମାନଙ୍କ ନିଷ୍ପେଷଣ ଓ ଚାଷୀମାନଙ୍କ ବିରୋଧ ଅବ୍ୟାହତ ରହିଲା । ୧୮୬୬–୬୮ ମସିହାରେ ବିହାରର ନୀଳଚାଷୀମାନେ ବହୁସଂଖ୍ୟାରେ ଦରଭଙ୍ଗା ଓ ଚମ୍ପାରଣଠାରେ ବିଦ୍ରୋହ କଲେ । ସେହିପରି ୧୮୮୩ ଓ ୧୮୮୯–୯୦ ମସିହାରେ ବଙ୍ଗଳାର ଯଶୋରରେ ଚାଷୀମାନଙ୍କ ବିଦ୍ରୋହ ଆରମ୍ଭ ହେଲା ।

 

୧୮୭୦–୮୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ପୂର୍ବବଙ୍ଗରେ ମଧ୍ୟ କୃଷକ ଆନ୍ଦୋଳନ ଦେଖାଦେଲା-। ବଙ୍ଗର ଶକ୍ତିଶାଳୀ ଜମିଦାରମାନେ ନିରୀହ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଜମିରୁ ବହିଷ୍କାର କରିବା, ନାନାପ୍ରକାର ଦୁଃସ୍ଥିତିରେ ପକାଇବା, ବେଆଇନଭାବେ ଫସଲ ସମେତ ସ୍ଥାବର–ଅସ୍ଥାବର ସମ୍ପତ୍ତି ଅଟକ କରି ରଖିବା ଏବଂ ଚାଷୀମାନଙ୍କୁ ଦଖଲସ୍ଵତ୍ଵରୁ ବଞ୍ଚିତ କରିବା ତଥା ଖଜଣା ବୃଦ୍ଧି ଇତ୍ୟାଦି ସେମାନେ ସ୍ୱଇଚ୍ଛାରେ କରିପାରୁଥିଲେ । ଆବଶ୍ୟକ ହେଲେ, ସେମାନେ ଏଥିପାଇଁ ଯଥେଷ୍ଟ ବଳପ୍ରୟୋଗ କରୁଥିଲେ । ବଙ୍ଗୀୟ କୃଷକମାନଙ୍କ ମଧ୍ୟରେ ସରକାର–ବିରୋଧୀ ପରମ୍ପରା ସୃଷ୍ଟି ହୋଇଯାଇଥିଲା । ୧୭୮୨ ଖ୍ରୀଷ୍ଟାବ୍ଦରୁ; ଯେତେବେଳେ କି ଉତ୍ତରବଙ୍ଗର କୃଷକମାନେ ଇଷ୍ଟ ଇଣ୍ଡିଆ କମ୍ପାନୀର ରାଜସ୍ୱଭୋଗୀ ଜମିଦାର ଦେବୀ ସିଂହ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ୧୮୭୨ରୁ ୧୮୭୬ ମସିହା ପର୍ଯ୍ୟନ୍ତ ସେମାନେ ଖଜଣା ବନ୍ଦ ସଂଘ ଗଠନ କରି ସମ୍ମିଳିତ ଭାବରେ ପୂର୍ବବଙ୍ଗର ବିଭିନ୍ନ ସ୍ଥାନରେ ଜମିଦାର ଓ ସେମାନଙ୍କ ଏଜେଣ୍ଟମାନଙ୍କ ଉପରେ ଆକ୍ରମଣ ଚଳାଇଲେ । କୃଷକମାନଙ୍କ ପ୍ରବଳ ବିରୋଧକୁ ଦମନ କରିବା ଉଦ୍ଦେଶ୍ୟରେ ଯେତେବେଳେ ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କଲେ, ସେତେବେଳେ ଏହି ଆନ୍ଦୋଳନ ପ୍ରଶମିତ ହେଲା । ଏପରିକି, ପରବର୍ତ୍ତୀ କେତେ ବର୍ଷ ପର୍ଯ୍ୟନ୍ତ ଏପରି ବିରୋଧ ପ୍ରାୟ ଦେଖାଦେଉଥିଲା ଏବଂ ଜମିଦାରମାନଙ୍କ ଅତ୍ୟାଚାରରୁ ଚାଷୀମାନଙ୍କୁ ରକ୍ଷାକରିବା ଲାଗି ଆଇନ ପ୍ରଣୟନ କରାଯିବାର ପ୍ରତିଶ୍ରୁତି ସରକାରଙ୍କଠାରୁ ମିଳିବା ପରେ ଆନ୍ଦୋଳନ ବନ୍ଦ ହେଉଥିଲା-। ଏଇ ସମୟରେ ନୂତନ ବୌଦ୍ଧିକ ଶ୍ରେଣୀ ପୁନର୍ବାର କୃଷକମାନଙ୍କ ଦାବିକୁ ସମର୍ଥନ ଜଣାଇଲେ-

 

୧୮୭୫ ଖ୍ରୀଷ୍ଟାବ୍ଦରେ ମହାରାଷ୍ଟ୍ର ପୁନା ଓ ଅହମ୍ମଦନଗର ଜିଲାରେ ଏକ ବିରାଟ କୃଷକ ଆନ୍ଦୋଳନ ତେଜିଉଠିଲା । ମହାରାଷ୍ଟ୍ରରେ ସରକାର କୃଷକମାନଙ୍କ ସହିତ ପ୍ରତ୍ୟକ୍ଷଭାବେ ଭୂରାଜସ୍ଵ ଧାର୍ଯ୍ୟ କରିଦେଇଥିଲେ । ତା’ ସଙ୍ଗେ ସଙ୍ଗେ ସରକାରଙ୍କ ଭୂରାଜସ୍ଵ ଏତେ ଅଧିକ ଥିଲା ଯେ, ଅଧିକାଂଶ କୃଷକ ଋଣ ନକରି ରାଜସ୍ୱ ଦାଖଲ କରିବା ଅସମ୍ଭବ ମନେକଲେ । ସାହୁକାରମାନେ ଋଣ ଦେଇ ଏତେ ସୁଧ ଦାବି କରୁଥିଲେ ଯେ ତାହା ପରିଶୋଧ କରିବା ମଧ୍ୟ ସେମାନଙ୍କ ପକ୍ଷେ ସମ୍ଭବ ନଥିଲା । ସାହୁକାରମାନେ ପ୍ରତ୍ୟେକ ପ୍ରକାର ଆଇନଗତ ଓ ବେଆଇନ କୌଶଳ ଅବଲମ୍ବନ କରି ଚାଷୀ ଓ ତା’ର ଜମିକୁ ନିଜ ଅକ୍ତିଆରକୁ ଆଣିବାପାଇଁ ଚେଷ୍ଟା କରୁଥିଲେ-। କ୍ରମଶଃ ଅଧିକରୁ ଅଧିକ ଜମି ସାହୁକାରମାନଙ୍କ ପାଖରେ ବନ୍ଧକ ରହିଲା ବା ସେମାନଙ୍କୁ ଯଥେଷ୍ଟ କମ୍ ମୂଲ୍ୟରେ ବିକ୍ରି ହେଲା । ୧୮୭୪ ମସିହାବେଳକୁ କୃଷକମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟିଥିଲା । ପୁନା ଓ ଅହମ୍ମଦନଗର ଜିଲାରେ କୃଷକମାନେ ଋଣଦାତାମାନଙ୍କୁ ସାମାଜିକ ଅଟକ ବା ବାସନ୍ଦ କଲେ । ଶୀଘ୍ର ତାହା କୃଷିଜୀବୀମାନଙ୍କ ଦଙ୍ଗା ମାରପିଟରେ ପରିଣତ ହେଲା । ପ୍ରତ୍ୟେକ ସ୍ଥାନରେ ସେମାନେ ବଳ ପ୍ରୟୋଗ କରି ସେମାନଙ୍କ ଋଣପତ୍ର, ସାହୁକାର ସପକ୍ଷରେ ମିଳିଥିବା ଡିକ୍ରି ଓ ଋଣ ସମ୍ପର୍କୀୟ ଅନ୍ୟାନ୍ୟ ସମସ୍ତ ପ୍ରମାଣପତ୍ର ନେଇଗଲେ ଓ ଜନସାଧାରଣଙ୍କ ଉପସ୍ଥିତିରେ ସେ ସବୁ ଜଳାଇଦିଆଗଲା । ପୋଲିସ୍ କୃଷକମାନଙ୍କର ଏପରି ପ୍ରଚଣ୍ଡ କ୍ରୋଧ ଓ ତୀବ୍ର ବିରୋଧକୁ ଦମନ କରିବାକୁ ସମ୍ପୂର୍ଣ୍ଣ ଅସମର୍ଥ ହେଲା । ପୁନାର ପଦାଦିକବାହିନୀ, ଅଶ୍ୱବାହିନୀ ଓ ଶସ୍ତ୍ରବାହିନୀ ପ୍ରଭୃତି ସମଗ୍ର ସାମରିକବାହିନୀ ସାହାଯ୍ୟରେ କୃଷକମାନଙ୍କ ବିଦ୍ରୋହକୁ ଦମନ କରାଗଲା । ସେ ଥରକ ମଧ୍ୟ ମହାରାଷ୍ଟ୍ରର ବୁଦ୍ଧିଜୀବୀମାନେ କୃଷକମାନଙ୍କ ଦାବିକୁ ସମର୍ଥନ ଜଣାଇଥିଲେ । ତା’ ସଙ୍ଗେ ସଙ୍ଗେ ସେମାନେ ଜଣାଇଥିଲେ ଯେ, କୃଷକମାନଙ୍କ ଦୁଃଖର ମୂଳକାରଣ ହେଉଛି ଉଚ୍ଚ ହାରରେ ଧାର୍ଯ୍ୟ କରାଯାଇଥିବା ଭୂରାଜସ୍ଵ ଏବଂ କୃଷକମାନଙ୍କୁ କମ୍ ସୁଧହାରରେ ଋଣ ଯୋଗାଇଦେବାରେ ସରକାରଙ୍କ ଅସାମର୍ଥ୍ୟ ।

 

ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କୃଷକମାନଙ୍କ ବିଦ୍ରୋହ ତେଜିଉଠିଲା । ଏ ସମ୍ପର୍କରେ ଆଉ ଦୁଇଟି ଉଦାହରଣ ଦିଆଯାଇପାରେ । ୧୮୩୬ରୁ ୧୮୫୪ ମସିହା ମଧ୍ୟରେ ଉତ୍ତର କେରଳ ଅନ୍ତର୍ଗତ ମାଲବାରର ‘ମାପିଲା’ କୃଷକମାନେ ଜମିଦାର (ଜେନ୍‍ମିସ୍)ଙ୍କଦ୍ଵାରା ଅତ୍ୟାଚାରିତ ହୋଇ ୨୨ଥର ବିଦ୍ରୋହ କରିଥିଲେ । ‘ମାପିଲା’ମାନଙ୍କ ଗଭୀର ଅସନ୍ତୋଷ ପୁନରାୟ ୧୮୭୩ରୁ ୧୮୮୦ ମସିହା ମଧ୍ୟରେ ପାଞ୍ଚ ଥର ବିଦ୍ରୋହାତ୍ମକ କାର୍ଯ୍ୟକଳାପ ମାଧ୍ୟମରେ ପ୍ରକାଶ ପାଇଥିଲା । ସେହିପରି ଉଚ୍ଚ ହାରରେ ଭୂରାଜସ୍ଵ ଧାର୍ଯ୍ୟ କରାଯିବା ହେତୁ ଆସାମର ସମତଳ ଅଞ୍ଚଳରେ ୧୮୯୩–୯୪ ମସିହାରେ ଭୂରାଜସ୍ଵ ବହୁବାର ବିଶୃଙ୍ଖଳ ପରିସ୍ଥିତି ଉପୁଜିଥିଲା । କୃଷକମାନେ ଅତ୍ୟଧିକ ହାରରେ ଦେବାପାଇଁ ମନା କରିଦେଲେ ଏବଂ ସେମାନଙ୍କର ଜମି ଅଟକ କରାଯିବା ପାଇଁ ହେଉଥିବା ସରକାରୀ ଉଦ୍ୟମର ପ୍ରବଳ ପ୍ରତିରୋଧ କଲେ । ରାଜସ୍ୱ ଆଦାୟକାରୀମାନଙ୍କ ସହିତ ସେମାନଙ୍କର ବରାବର ସଂଘର୍ଷ ଚାଲିଲା । ଏହି କୃଷକ ଆନ୍ଦୋଳନକୁ ଦମନ କରିବା ଲାଗି ସରକାର ବହୁସଂଖ୍ୟକ ସୈନ୍ୟ ଓ ସାମରିକ ପୋଲିସ୍ ନିଯୁକ୍ତ କଲେ । ନିଷ୍ଠୁର ଗୁଳିଚାଳନା ଫଳରେ ଓ ସଙ୍ଗିନମୁନରେ ବହୁ ନିରୀହ କୃଷକଙ୍କ ପ୍ରାଣହାନି ଘଟିଲା । ତତ୍କାଳୀନ ସୈନ୍ୟବାହିନୀ ଓ ପୋଲିସ୍‍ର ନିଷ୍ଠୁର ପାଶବିକ ବ୍ୟବହାର ଆଜି ପର୍ଯ୍ୟନ୍ତ ଆସାମର ଲୋକମାନେ ଭୁଲିପାରିନାହାନ୍ତି ।

 

କିନ୍ତୁ ଊନବିଂଶ ଶତାବ୍ଦୀର କୃଷକ ଆନ୍ଦୋଳନ ଓ ଗଣବିକ୍ଷୋଭ କୌଣସି ପରିସ୍ଥିତିରେ ମଧ୍ୟ ଭାରତ ଉପରେ ଥିବା ବ୍ରିଟିଶ ସାର୍ବଭୌମତ୍ଵକୁ କ୍ଷୁଣ୍ଣ କରିପାରି ନଥିଲା । ଭାରତୀୟ ଅର୍ଥନୀତି ଉପନିବେଶବାଦଦ୍ଵାରା ପ୍ରଭାବିତ ହେବା ଫଳରେ କୃଷିଜୀବୀ ତଥା ଆଦିବାସୀମାନଙ୍କ ଉପରେ ଯେଉଁ ଅସହ୍ୟ ଅତ୍ୟାଚାର ଚାଲିଲା ଓ ସେମାନଙ୍କୁ ହଜାର ହଜାର ସଂଖ୍ୟାରେ ଜମିରୁ ବେଦଖଲ କରିଦିଆଗଲା, ଏହି ଆନ୍ଦୋଳନ ବା ବିଦ୍ରୋହ ସବୁ ଥିଲା ତାହାରି ସ୍ଵାଭାବିକ ପ୍ରତିକ୍ରିୟା । ବହୁ ସମୟରେ ଲୋକମାନେ ନୀଳଉତ୍ପନ୍ନକାରୀ ମାଲିକ, ଜମିଦାର ବା ଋଣଦାତା ପ୍ରଭୃତି ଯେଉଁମାନେ ସେମାନଙ୍କ ଦୁଃଖ–କଷ୍ଟର କାରଣ, ସେମାନଙ୍କ ଉପରେ ଅସନ୍ତୁଷ୍ଟ ଓ କ୍ରୁଦ୍ଧ ହେଉଥିଲେ । ଶାନ୍ତିଶୃଙ୍ଖଳାରକ୍ଷା ନାମରେ ସରକାର, ଔପନିବେଶିକ କୃଷି–ବ୍ୟବସ୍ଥାକୁ ଜନତା ଉପରେ ଲଦିଦେବାକୁ ଯେଉଁ ଉଦ୍ୟମ ଚଳାଇଥିଲେ, ସେମାନେ ତାହାର ମଧ୍ୟ ଘୋର ବିରୋଧ କରୁଥିଲେ । ଏହିପରି ଭାବରେ ନବ୍ୟ ଶିକ୍ଷିତ ଉଚ୍ଚଶ୍ରେଣୀୟ ଭାରତୀୟଙ୍କ ଅପେକ୍ଷା ଭାରତର ଅଜ୍ଞ ଅଶିକ୍ଷିତ ଜନସାଧାରଣ ଉପନିବେଶବାଦ କିପରି ଏକ ଭୟଙ୍କର ବିପଦ ତାହା ଉତ୍ତମରୂପେ ହୃଦୟଙ୍ଗମ କରିପାରିଥିଲେ । ତା’ ସଙ୍ଗେ ସଙ୍ଗେ ସେମାନଙ୍କର ସମସ୍ତ ସଂଘର୍ଷ ବିଫଳ ହେବ ବୋଲି ମଧ୍ୟ ପୂର୍ବରୁ ସେମାନେ ଜାଣିପାରୁଥିଲେ । ପୃଥିବୀ–ବ୍ୟାପୀ ସାମ୍ରାଜ୍ୟର ସମ୍ବଳ ଓ ଆଧୁନିକ ଅସ୍ତ୍ର–ଶସ୍ତ୍ର ସଜ୍ଜିତ ପ୍ରବଳ ପରାକ୍ରାନ୍ତ ସାମ୍ରାଜ୍ୟବାଦ ସହିତ ସେମାନଙ୍କର ଗଭୀର ବିଶ୍ଵାସ, ସାହସ ଓ ବୀରତ୍ଵ ତଥା ଚରମ ତ୍ୟାଗ ସ୍ଵୀକାର କରିବାର ଯେଉଁ ସଂକଳ୍ପ, ତା’ର କୌଣସି ତୁଳନା କରାଯାଇପାରିବ ନାହିଁ । ସେମାନେ କୌଣସି ନୂତନ ଆଦର୍ଶଦ୍ଵାରା ଅନୁପ୍ରାଣିତ ହୋଇ ନଥିଲେ କିମ୍ବା ସାମ୍ରାଜ୍ୟବାଦଦ୍ଵାରା ଯେଉଁ ନୂତନ ସାମାଜିକ ଶକ୍ତିର ସଞ୍ଚାର ହୋଇଥିଲା, ତାହାର ତାତ୍ପର୍ଯ୍ୟ ମଧ୍ୟ ହୃଦୟଙ୍ଗମ କରିପାରି ନଥିଲେ । ଏହି ନୂତନ ସାମାଜିକ ଶକ୍ତିର ସମୀକ୍ଷା କରି ତାହାରି ଭିତ୍ତି ଉପରେ ନୂତନ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ମଧ୍ୟ ସେମାନଙ୍କର ଲକ୍ଷ୍ୟ ନଥିଲା । ସମାଜର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଓ ଜୀବନଯାତ୍ରାର ନୂତନ ପ୍ରଣାଳୀ ସମ୍ପର୍କରେ ସେମାନେ ସଚେତନ ନଥିବାରୁ ବିଭିନ୍ନ ଅଞ୍ଚଳର ଲୋକଙ୍କ ଭିତରେ ଏକତା ପ୍ରତିଷ୍ଠା କରିବା ଅସମ୍ଭବ ହୋଇପଡ଼ିଲା । ତେଣୁ ସଂଗଠିତ ହୋଇ ନଥିବା ବହୁଲୋକ ଏପରି ସ୍ଥାନେ ସ୍ଥାନେ ବିକ୍ଷିପ୍ତ ଭାବରେ ବହୁବାର ବିଦ୍ରୋହ କଲେହେଁ ତାହା ଆଧୁନିକ ଉପନିବେଶବାଦକୁ ହଟାଇ ପାରିଲା ନାହିଁ । ନୂତନ ଚିନ୍ତାଧାରା ଓ ସମୀକ୍ଷା, ନୂତନ ସାମାଜିକ ଦୃଷ୍ଟିଭଙ୍ଗୀ ଏବଂ ରାଜନୈତିକ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ଦେଶବ୍ୟାପୀ ଜନସାଧାରଣଙ୍କୁ ସଙ୍ଗଠିତ କରିପାରିବା ଭଳି ନୂତନ ଆଦର୍ଶ ଓ ରାଜନୈତିକଦଳ ଏସବୁକୁ ଭିତ୍ତିକରି ସରକାର ଉପରେ ପ୍ରବଳ ଆକ୍ରମଣ ଚଳାଇବା ଥିଲା ସେତେବେଳର ପ୍ରକୃତ ଆବଶ୍ୟକତା । ଏହା ସମ୍ଭବ ହେଲା ବିଂଶ ଶତାବ୍ଦୀରେ, ଯେତେବେଳେ କୃଷକମାନଙ୍କ ଅସନ୍ତୋଷ ସାମ୍ରାଜ୍ୟବାଦବିରୋଧୀ ସାଧାରଣ ଅଶାନ୍ତି ସହିତ ସମ୍ମିଳିତ ହେଲା ଏବଂ ସେମାନଙ୍କ ରାଜନୈତିକ କାର୍ଯ୍ୟକଳାପ ବ୍ୟାପକ ଜାତୀୟ ଆନ୍ଦୋଳନ ଓ ଆଧୁନିକ କୃଷକ ଆନ୍ଦୋଳନର ଭିତର ଦେଇ ଆତ୍ମପ୍ରକାଶ କଲା । ଊନବିଂଶ ଶତାବ୍ଦୀର ଏହି ସମସ୍ତ ଗଣଆନ୍ଦୋଳନ ଓ ବିଦ୍ରୋହଦ୍ଵାରା ଭାରତୀୟ ଲୋକଙ୍କ ଭିତରେ ସାମ୍ରାଜ୍ୟବାଦର ପ୍ରବଳ ପ୍ରତିରୋଧ କରିବାପାଇଁ ଯେ ବିପୁଳ ଶକ୍ତି ଓ ସାହସ ରହିଛି, ଏହା ସୁସ୍ପଷ୍ଟ ହୋଇଉଠିଲା ।

 

ଆଧୁନିକ ରାଜନୀତି ଓ ନୂତନ ରାଜନୈତିକ ସଂଘ

 

ଏ ଦେଶରେ ଜାତୀୟ ରାଜନୈତିକ ଚେତନାର ଅଭ୍ୟୁଦୟ ଏବଂ ଏକ ସୁସଙ୍ଗଠିତ ଜାତୀୟ ଆନ୍ଦୋଳନର ଭିତ୍ତି ସ୍ଥାପନ ତଥା ତାହାର ଅଭିବୃଦ୍ଧି ସାକ୍ଷୀ ହେଉଛି ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧ । ଏହି ସମୟରେ ଦେଶରେ ରାଜନୈତିକ ଶିକ୍ଷାର ପ୍ରସାର ତଥା ରାଜନୈତିକ କାର୍ଯ୍ୟକଳାପର ସୂତ୍ରପାତ କରିବା ଉଦ୍ଦେଶ୍ୟରେ ଭାରତର ବୁଦ୍ଧିଜୀବୀ ଶ୍ରେଣୀ ବହୁ ରାଜନୈତିକ ସଂଘ ବା ସମ୍ମିଳନୀ ଗଠନ କଲେ । ନୂତନ ରାଜନୈତିକ ଚିନ୍ତା, ବୌଦ୍ଧିକ ଦୃଷ୍ଟିରୁ ପରିସ୍ଥିତିର ସମୀକ୍ଷା, ନୂତନ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଲକ୍ଷ୍ୟ, ପ୍ରତିରୋଧ ଓ ସଂଘର୍ଷପାଇଁ ନୂତନ ଶକ୍ତିର ପ୍ରୟୋଗ ତଥା ରାଜନୈତିକ ସଙ୍ଗଠନର ବିଭିନ୍ନ ଅଭିନବ ଉପାୟକୁ ଭିତ୍ତି କରି ଏହା କାର୍ଯ୍ୟକାରୀ କରାଗଲା । ରାଜନୈତିକ ଆଦର୍ଶ, ନୀତି ସଙ୍ଗଠନ ଓ ନେତୃତ୍ଵରେ ଯେଉଁ ଅଭୂତପୂର୍ବ ପରିବର୍ତ୍ତନ ସଂଘଟିତ ହେଉଥିଲା, ଏହି ସମ୍ମିଳନୀ ବା ସଂଘ ତାହାରି ପ୍ରତିନିଧିତ୍ଵ କରୁଥିଲା । ଏ ଦାୟିତ୍ଵ କିନ୍ତୁ ଥିଲା ଅତ୍ୟନ୍ତ ଦୁରୂହ; କାରଣ ଭାରତୀୟମାନେ ଆଧୁନିକ ରାଜନୈତିକ କାର୍ଯ୍ୟକଳାପ ସହିତ ଆଦୌ ପରିଚିତ ନଥିଲେ । ଏପରିକି ସାଧାରଣ ଲୋକେ ଯେ ସେମାନଙ୍କ ଶାସକଙ୍କ ବିରୁଦ୍ଧରେ ରାଜନୈତିକ ଦୃଷ୍ଟିରୁ ସଙ୍ଗଠିତ ହୋଇପାରନ୍ତି, ଏପ୍ରକାର ଧାରଣା ମଧ୍ୟ ଲୋକଙ୍କ ନିକଟରେ ସମ୍ପୂର୍ଣ୍ଣ ନୂତନ ଥିଲା । ଫଳରେ ସେହି ସମୟର ସଂଘ ଓ ସମ୍ମିଳନୀ ଏବଂ ରାଜନୈତିକ କର୍ମୀମାନଙ୍କର କାର୍ଯ୍ୟକଳାପର ଅଗ୍ରଗତି ଅତ୍ୟନ୍ତ ଧୀର ଥିଲା । ସେଥିଲାଗି ଆଧୁନିକ ରାଜନୀତିର ପରିବେଷ୍ଟନୀ ଭିତରକୁ ସାଧାରଣଲୋକଙ୍କୁ ଆଣିବାପାଇଁ ପ୍ରାୟ ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ଲାଗିଲା ।

 

ରାଜନୈତିକ ସଂସ୍କାର ଲାଗି ଯେଉଁ ଭାରତୀୟ ନେତାମାନେ ଆନ୍ଦୋଳନ ଆରମ୍ଭ କଲେ, ସେମାନଙ୍କ ମଧ୍ୟରେ ରାଜା ରାମମୋହନ ରାୟ ହେଉଛନ୍ତି ସର୍ବପ୍ରଥମ । ସମ୍ବାଦପତ୍ରର ସ୍ଵାଧୀନତା, ଜୁରିମାନଙ୍କଦ୍ଵାରା ବିଚାର ବ୍ୟବସ୍ଥା, ଶାସନ ଓ ବିଚାର ବିଭାଗର ପୃଥକୀକରଣ, ଉଚ୍ଚ ଚାକିରିରେ ଭାରତୀୟମାନଙ୍କ ନିଯୁକ୍ତି, ଜମିଦାରମାନଙ୍କ ଶୋଷଣ ଓ ଅତ୍ୟାଚାରରୁ ରୟତମାନଙ୍କ ସୁରକ୍ଷା ଏବଂ ଭାରତୀୟ ଶିଳ୍ପ ଓ ବାଣିଜ୍ୟର ବିକାଶ ଲାଗି ସେ ଅଦ୍ୟମ ଚେଷ୍ଟା ଚଳାଇଲେ । ସେ ଆଶା କରୁଥିଲେ ଯେ ଇଂରେଜଶାସନ ପରେ ପରେ ସ୍ୱାଧୀନ ଭାରତର ଅଭ୍ୟୁଦୟ ଘଟିବ ଏବଂ ତାଙ୍କର ସମସ୍ତ ସାଧାରଣ କାର୍ଯ୍ୟକଳାପ ଏହି ଆଶା ଉପରେହିଁ ପ୍ରତିଷ୍ଠିତ ଥିଲା । ସେ ଆନ୍ତର୍ଜାତିକ ବ୍ୟାପାର ସମ୍ପର୍କରେ ଅତ୍ୟଧିକ ଆଗ୍ରହ ପ୍ରକାଶ କରୁଥିଲେ ଏବଂ ପ୍ରତ୍ୟେକ ସ୍ଥଳରେ ସ୍ଵାଧୀନତା, ଗଣତନ୍ତ୍ର, ଓ ଜାତୀୟତାବାଦୀ ଚିନ୍ତାଧାରାକୁ ସମର୍ଥନ କରୁଥିଲେ ।

 

ରାମମୋହନଙ୍କ ମୃତ୍ୟୁ ପରେ ‘ଡିରୋଜୀୟ’ ନାମକ ଏକ ପ୍ରଗତିପନ୍ଥୀ ବଙ୍ଗୀୟ ଯୁବକଦଳ ତାଙ୍କ ପ୍ରତିଷ୍ଠିତ ପରମ୍ପରା ଅନୁସରଣ କଲେ । ପ୍ରଖ୍ୟାତ ଆଂଗ୍ଲୋଇଣ୍ଡିଆନ ଅଧ୍ୟାପକ ହେନ୍‍ରୀ ଭିଭିୟାନ୍ ଡିରୋଜିଓଙ୍କ ନାମାନୁସାରେ ଏହି ଯୁବଗୋଷ୍ଠୀର ନାମକରଣ ହୋଇଥିଲା । ଡିରୋଜିଓ ତାଙ୍କର ଛାତ୍ରମାନଙ୍କୁ, ଟମାସପେନ୍ ଓ ଜେରେମି ବେନ୍‍ଥାମଙ୍କ ଚିନ୍ତାଧାରା ଏବଂ ଫରାସୀ–ବିପ୍ଳବ କାଳରେ ଦେଖାଦେଇଥିବା ସ୍ଵାଧୀନ ଚେତନା ଓ ପ୍ରଗାଢ଼ ଦେଶପ୍ରେମରେ ଅନୁପ୍ରାଣିତ କରିଥିଲେ । ଡିରୋଜିଓମାନେ ଆଧୁନିକ ଚିନ୍ତାଧାରାର ଅନୁଶୀଳନ ଲାଗି ଓ ଭାରତ ପ୍ରତି ତାହା କିପରି ଲାଗୁହୋଇପାରିବ ସେ ସମ୍ବନ୍ଧରେ ଆଲୋଚନା କରିବା ଲାଗି ବହୁସଂଖ୍ୟକ ସାଧାରଣ ସଂଘ ଗଠନ କଲେ । ଏହା ବ୍ୟତୀତ ଏହି ଚିନ୍ତାଧାରାର ପ୍ରଚାର ଉଦ୍ଦେଶ୍ୟରେ ବହୁ ପତ୍ରପତ୍ରିକା ମଧ୍ୟ ପ୍ରକାଶ ପାଇଲା । ଏହିପରି ଭାବରେ ୧୮୨୦ରୁ ୧୮୩୦ ମସିହା ମଧ୍ୟରେ ରାଜା ରାମମୋହନ ରାୟ ଓ ଡିରୋଜିଓମାନେ ଭାରତରେ ନୂତନ ରାଜନୈତିକ ଚେତନାର ବୀଜବପନ କଲେ ।

 

୧୮୩୭ ମସିହାରେ କଲିକତାରେ ସ୍ଥାପିତ, ‘ଲ୍ୟାଣ୍ଡ୍ ହୋଲ୍‍ଡ଼ରସ୍ ସୋସାଇଟି’ ହେଉଛି ଭାରତର ପ୍ରଥମ ରାଜନୈତିକ ସଂଘ । କିନ୍ତୁ ବଙ୍ଗ, ବିହାର ଓ ଓଡ଼ିଶାର ଜମିଦାରଶ୍ରେଣୀର ସ୍ଵାର୍ଥରକ୍ଷା ଭଳି ସୀମିତ ଲକ୍ଷ୍ୟ ହାସଲ କରିବା ଥିଲା ଏହାର ଅସଲ ଉଦ୍ଦେଶ୍ୟ । ୧୮୪୩ ମସିହାରେ ବଙ୍ଗ ବ୍ରିଟିଶ ଭାରତୀୟ ସମିତି (Bengal British Indian society) ବ୍ୟାପକ ରାଜନୈତିକ ଉଦ୍ଦେଶ୍ୟ ସାଧନ ଲାଗି ସଙ୍ଗଠିତ ହେଲା । ଉଭୟ ସଙ୍ଗଠନ ୧୮୫୧ ମସିହାରେ ସମ୍ମିଳିତ ହେବାରୁ ‘ବ୍ରିଟିଶ ଭାରତୀୟ ସଂଘ’ (British Indian Association) ଜନ୍ମଲାଭ କଲା । ସେହି ସମୟରେ ମଧ୍ୟ ୧୮୫୨ ମସିହାରେ, ‘ମାଡ଼୍ରାସ୍ ନେଟିଭ୍ ଆସୋସିଏସନ୍’ ଓ ‘ବମ୍ବେ ଆସୋସିଏସନ୍’ ପ୍ରତିଷ୍ଠିତ ହେଲା । ସମଗ୍ର ଦେଶର ବହୁ ଛୋଟବଡ଼ ସହରରେ ସେହିପ୍ରକାର କ୍ଳବ୍ ଓ ସଂଘ ସ୍ଥାପିତ ହେଲା । ସ୍ୱରୂପ ଓ ସ୍ୱଭାବରେ ସେଗୁଡ଼ିକ ସ୍ଥାନୀୟ ହୋଇଥିଲେ ମଧ୍ୟ ପ୍ରାୟ ଧନୀ ବ୍ୟବସାୟୀ ଓ ଜମିଦାରଶ୍ରେଣୀୟ ଲୋକଙ୍କର କର୍ତ୍ତୃତ୍ଵାଧୀନରେ ଥିଲା । ଏହି ସବୁ ସଂଘ ଓ ସମ୍ମିଳନୀ ବହୁ ରାଜନୈତିକ ଓ ଅର୍ଥନୈତିକ ଦାବି ବ୍ରିଟିଶ ପାର୍ଲିଆମେଣ୍ଟ୍ ସମକ୍ଷରେ ଉପସ୍ଥାପିତ କଲେ । ଶାସନ ସଂସ୍କାର, ଶାସନକାଳ ଭିତରେ ଅଧିକସଂଖ୍ୟକ ଭାରତୀୟଙ୍କ ନିଯୁକ୍ତି ଓ ଶିକ୍ଷାର ପ୍ରସାର, ସରକାରଙ୍କ ସହିତ ଭାରତୀୟମାନଙ୍କର ସହଯୋଗ ଏବଂ ଭାରତୀୟ ଶିଳ୍ପ ଓ ବାଣିଜ୍ୟକୁ ଉତ୍ସାହିତ କରିବା ଥିଲା ଏହି ସଂଘଗୁଡ଼ିକର ପ୍ରଧାନ କାର୍ଯ୍ୟ ।

 

୧୮୫୭ ଖ୍ରୀଷ୍ଟାବ୍ଦର ବିଦ୍ରୋହ ବିଫଳ ହେବା ଫଳରେ ଏହା ସ୍ପଷ୍ଟ ଜଣାପଡ଼ିଗଲା ଯେ ରାଜାମହାରାଜା, ଜମିଦାର ଓ ଜମିମାଲିକ ପ୍ରଭୃତି ବିପୁଳ ଭୂସମ୍ପତ୍ତି ଥିବା ଉଚ୍ଚଶ୍ରେଣୀୟ ଲୋକଙ୍କ ନେତୃତ୍ଵରେ ଇଂରେଜ ଶାସନ ବିରୁଦ୍ଧରେ ଯେଉଁ ପାରମ୍ପରିକ ରାଜନୈତିକ ଦ୍ଵନ୍ଦ୍ୱ ଓ ପ୍ରତିରୋଧ ଚାଲିଥିଲା, ତାହା ସଫଳତା ହାସଲ କରିପାରିବ ନାହିଁ । ତେଣୁ ନୂତନ ଉପାୟରେ ସାମ୍ରାଜ୍ୟବାଦୀବିରୋଧୀ ସଂଘର୍ଷ ଚାଲିବା ଉଚିତ । ଅନ୍ୟପକ୍ଷରେ ୧୮୫୮ ଖ୍ରୀଷ୍ଟାବ୍ଦ ପରେ ଇଂରେଜ ଶାସନର ନୀତି ଓ ସ୍ୱଭାବରେ ବ୍ୟାପକ ପରିବର୍ତ୍ତନ ଦେଖାଦେଲା । ତାହା ଅଧିକରୁ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠିଲା । ଭାରତୀୟ ବୁଦ୍ଧିଜୀବୀଶ୍ରେଣୀ ଇଂରେଜ ଶାସନର ଶୋଷଣ ନୀତିକୁ ଉତ୍ତମରୂପେ ହୃଦୟଙ୍ଗମ କଲେ ଓ ଧୀରେ ଧୀରେ ଅଧିକରୁ ଅଧିକତର ବ୍ରିଟିଶ ନୀତିର ତୀବ୍ର ସମାଲୋଚନା କରିବାକୁ ଲାଗିଲେ । କିନ୍ତୁ ଏହା ଉଲ୍ଲେଖଯୋଗ୍ୟ ଯେ, ସାମ୍ରାଜ୍ୟବାଦ ବିରୁଦ୍ଧରେ ଆଧୁନିକ ଭାରତୀୟ ବୌଦ୍ଧିକଶ୍ରେଣୀର ପ୍ରତିକ୍ରିୟାକୁ କୃଷକ ସମାଜର ସ୍ଵତଃସ୍ଫୂର୍ତ୍ତ ପ୍ରତିକ୍ରିୟା ସହିତ ତୁଳନା କଲେ ଏହା ଇତସ୍ତତଃ, ଦୋଳାୟମାନ, ଅପେକ୍ଷାକୃତ କମ୍ ସାମରିକ ଓ ବୈଜ୍ଞାନିକ ଗୁଣସମ୍ପନ୍ନ ଥିଲା ବୋଲି ମନେ ହୁଏ । ପ୍ରକୃତ ପରିସ୍ଥିତି ହୃଦୟଙ୍ଗମ କରିବାପାଇଁ ଭାରତୀୟ ବୁଦ୍ଧିଜୀବୀଶ୍ରେଣୀକୁ ବହୁ ବର୍ଷ ଲାଗିଗଲା । କିନ୍ତୁ ଏମାନେ ଥରେ ଉତ୍ତମରୂପେ ଉପଲବ୍ଧି କରିବାକୁ ଆରମ୍ଭ କଲା ପରେ ସେମାନଙ୍କର ସମୀକ୍ଷା ଯେହେତୁ ଆଧୁନିକ ଚିନ୍ତାଧାରା ଉପରେ ଆଧାରିତ, ସାମ୍ରାଜ୍ୟବାଦର ପ୍ରକୃତ ସ୍ଵଭାବ ପଦାରେ ପଡ଼ିଗଲା । ସେମାନଙ୍କର ଗଭୀର ଅନୁସନ୍ଧାନ କାର୍ଯ୍ୟ ପରିଶେଷରେ ଆଧୁନିକ ରାଜନୈତିକ କାର୍ଯ୍ୟକଳାପରେ ପରିଣତ ହେଲା ।

 

ରାଜନୈତିକ ଚେତନଶୀଳ ଭାରତୀୟମାନେ ଅନୁଭବ କଲେ ଯେ, ତତ୍କାଳୀନ ରାଜନୈତିକ ସଂଘ ବା ସମ୍ମିଳନୀଗୁଡ଼ିକ ସୀମିତ ଉଦ୍ଦେଶ୍ୟ ନେଇ ପ୍ରତିଷ୍ଠା କରାଯାଇଥିବାରୁ ପରିବର୍ତ୍ତିତ ପରିସ୍ଥିତିରେ ସେଗୁଡ଼ିକ ପ୍ରାୟ ମୂଲ୍ୟହୀନ । ଉଦାହରଣସ୍ୱରୂପ, ବ୍ରିଟିଶ ଭାରତୀୟ ସଂଘ କ୍ରମଶଃ ଜମିଦାରଶ୍ରେଣୀର ସ୍ଵାର୍ଥ ସହିତ ଜଡ଼ିତ ହୋଇପଡ଼ିଲା ଓ ଫଳରେ ଶାସକମାନଙ୍କର ମଧ୍ୟ ସ୍ଵାର୍ଥରକ୍ଷା ଦିଗରେ ସାହାଯ୍ୟ କଲା । କିନ୍ତୁ ନୂତନ ରାଜନୀତି, ଇଂରେଜ ଶାସନ ପ୍ରତି ଦୃଢ଼ ସମାଲୋଚନାତ୍ମକ ଦୃଷ୍ଟିଭଙ୍ଗୀ ଉପରେ ପର୍ଯ୍ୟବସିତ ହେଲା । ସେଥିଲାଗି ଗୋଟିଏ ନୂଆ ପ୍ରକାର ଜାତୀୟ ରାଜନୈତିକ ସଙ୍ଗଠନ ପ୍ରତିଷ୍ଠା ଦିଗରେ ଉଦ୍ୟମ ଚାଲିଲା ।

 

୧୮୬୬ ଖ୍ରୀଷ୍ଟାବ୍ଦରେ ଭାରତୀୟ ସମସ୍ୟାଗୁଡ଼ିକର ଆଲୋଚନା ପାଇଁ ବ୍ରିଟିଶ ଜନମତକୁ ପ୍ରଭାବିତ କରିବାପାଇଁ ଦାଦାଭାଇ ନାରୋଜୀ ଲଣ୍ଡନରେ ପୂର୍ବ–ଭାରତୀୟ ସଂଘ ନାମକ ଏକ ଅନୁଷ୍ଠାନ ଗଠନ କଲେ । ଭାରତର ବହୁ ବଡ଼ବଡ଼ ସହରରେ ଏହାର ଶାଖା ଅନୁଷ୍ଠାନ ସ୍ଥାପନ କରାଗଲା । ଖୁବ୍ ଶୀଘ୍ର ଦାଦାଭାଇ ନାରୋଜୀ ତାଙ୍କର ସମସାମୟିକ ତଥା ପରବର୍ତ୍ତୀ ଭାରତୀୟ ନେତୃବର୍ଗଙ୍କ ନିକଟରେ ଭାରତର କୁଳବୃଦ୍ଧ ବା ‘grand old man’ ଭାବରେ ପରିଚିତ ହେଲେ । ୧୮୨୫ ଖ୍ରୀଷ୍ଟାବ୍ଦରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିଥିଲେ । ମାତ୍ର ସେ ତାଙ୍କର ସମସ୍ତ ଜୀବନ ତଥା ଧନ–ସମ୍ପତ୍ତି ଜାତୀୟ ଆନ୍ଦୋଳନ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦେଇଥିଲେ । ଇଂରେଜ ଶାସନର ଅର୍ଥନୈତିକ ସମୀକ୍ଷା ଥିଲା ଦେଶପ୍ରତି ତାଙ୍କର ଅନବଦ୍ୟ ଅବଦାନ । ସେ ପ୍ରମାଣ କଲେ ଯେ, ଭାରତର ଦାରିଦ୍ର୍ୟ ଓ ଅର୍ଥନୈତିକ ଅନଗ୍ରସରତା ସ୍ଥାନୀୟ ପରିସ୍ଥିତିର ସହଜାତ ଅବସ୍ଥା ନୁହେଁ; ଏହାର ପ୍ରକୃତ କାରଣ ହେଉଛି ଔପନିବେଶିକ ଶାସନ, ଯାହା ଫଳରେ ଭାରତର ଆର୍ଥିକ ସମ୍ବଳ ଓ ଧନସମ୍ପଦ ବିଦେଶକୁ ବହିଚାଲିଛି । ଦାଦାଭାଇ ଜୀବନବ୍ୟାପୀ ଯୁବସମ୍ପ୍ରଦାୟ ସହିତ ଘନିଷ୍ଠରୂପେ ସଂପୃକ୍ତ ଥିଲେ ଏବଂ ତାଙ୍କର ପ୍ରଗତିପନ୍ଥୀ ରାଜନୀତି ତଥା ଚିନ୍ତାଧାରା ଦ୍ରୁତ ବିକାଶ ଲାଭ କରୁଥିଲା ।

 

ଜଷ୍ଟିସ୍ ରାଣାଡ଼େ, ଗଣେଶ ବାସୁଦେବ ଯୋଷୀ, ଏସ୍.ଏଚ୍. ଚିପ୍‍ଲୁଣକର ଓ ଅନ୍ୟମାନେ ୧୮୭୦ ଖ୍ରୀଷ୍ଟାବ୍ଦରେ ପୁନାରେ ସାର୍ବଜନୀନ ସଭା ପ୍ରତିଷ୍ଠା କଲେ । ଏହି ସଭା ପରବର୍ତ୍ତୀ କୋଡ଼ିଏବର୍ଷ ପର୍ଯ୍ୟନ୍ତ ସକ୍ରିୟ ରାଜନୈତିକ ଶିକ୍ଷା ପ୍ରଦାନ କରୁଥିଲା ।

 

୧୮୭୦ ଠାରୁ ୧୮୮୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଭାଇସ୍‍ରୟ ଲିଟନ୍‍ଙ୍କ ସମୟରେ ଯେଉଁ ପ୍ରତିକ୍ରିୟାଶୀଳ ଭାରତବିରୋଧୀ ଆଇନଗୁଡ଼ିକର ପ୍ରବର୍ତ୍ତନ କରାଗଲା, ତା’ ଫଳରେ ଭାରତୀୟ ଜାତୀୟ କାର୍ଯ୍ୟକଳାପର ମନ୍ଥରଗତି ଦ୍ରୁତତର ହୋଇଉଠିଲା । ଭାରତୀୟ ବୟନଶିଳ୍ପର ବିକାଶ ଫଳରେ ଲଙ୍କାସାୟାର ଲୁଗାକଳ–ମାଲିକମାନଙ୍କର ସ୍ଵତଃ ଈର୍ଷା ଜାତ ହେଲା । ସେମାନଙ୍କ ପାରିତୋଷଲାଗି ବ୍ରିଟିଶ–ବସ୍ତ୍ରାଦି ଉପରୁ ଆମଦାନୀ ଶୁଳ୍କ ଉଠାଇ ଦିଆଗଲା । ଇଂରେଜମାନେ ସଂପ୍ରସାରଣବାଦୀ ଆକ୍ରମଣାତ୍ମକ ମନୋବୃତ୍ତି ନେଇ ଆଫଗାନିସ୍ଥାନ ସହିତ ଯୁଦ୍ଧରେ ପ୍ରବୃତ୍ତ ହେଲେ ଏବଂ ଭାରତକୁ ତା’ର ବ୍ୟୟ ବହନ କରିବାକୁ ପଡ଼ିଲା । ଭାରତୀୟମାନଙ୍କର ପ୍ରତିରୋଧ କରିବାର ଶକ୍ତିକୁ ସମୂଳେ ଧ୍ଵଂସ କରିବାପାଇଁ, ଏପରିକି ସେମାନଙ୍କୁ ପ୍ରତିରକ୍ଷା ଦିଗରେ ତାଲିମ ନ ଦେବା ଉଦ୍ଦେଶ୍ୟରେ, ‘ସାମରିକ ଆଇନ’ ପ୍ରଣୟନ କରାଗଲା । ଇଂରେଜ ଶାସନ ବିରୁଦ୍ଧରେ ସମାଲୋଚନା ପ୍ରକାଶ ପାଉଥିବା ଲକ୍ଷ୍ୟ କରି, ତାହାକୁ ଖର୍ବ କରିବା ଉଦ୍ଦେଶ୍ୟରେ, ମାତୃଭାଷା ସମ୍ବାଦପତ୍ର ଆଇନ (Vernacular Press Act) ପାସ୍ ହେଲା । ଯେତେବେଳେ ଏ ଦେଶରେ ଦୁର୍ଭିକ୍ଷର ଉତ୍ପୀଡ଼ନରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ୁଥିଲେ, ସେତେବେଳେ ଦିଲ୍ଲୀ ନଗରୀରେ ରାଜକୀୟ ଦରବାର ଆହୂତ ହେଲା । ପରିଶେଷରେ ଭାରତୀୟ ସିଭିଲ୍ ସର୍ଭିସ ପ୍ରତିଯୋଗିତା ପାଇଁ ସର୍ବୋଚ୍ଚ ବୟସ ସୀମା ୨୧ ବର୍ଷରୁ ୧୯ ବର୍ଷକୁ କମାଇଦିଆଗଲା । ଫଳରେ ବହୁ ଭାରତୀୟ ଏହି ଉଚ୍ଚ ଚାକିରିରେ ଯୋଗଦାନ କରିବା ସୁଯୋଗରୁ ବଞ୍ଚିତ ହେଲେ । ଉପରୋକ୍ତ ସମସ୍ତ ପଦକ୍ଷେପ, ଭାରତରେ ଇଂରେଜ ଶାସନର ଔପନିବେଶିକ ଚରିତ୍ର ତଥା ଶୋଷଣବାଦୀ ମନୋବୃତ୍ତିର ସ୍ପଷ୍ଟ ପରିଚାୟକ । ଏହିସବୁ ଆଇନ ବିରୁଦ୍ଧରେ ପ୍ରତିବାଦ ଜଣାଇବାଲାଗି ଦେଶବ୍ୟାପୀ ସଂଗଠନ କାର୍ଯ୍ୟ ଚାଲିଲା । ଭାରତୀୟ ଶିଳ୍ପକୁ ବ୍ରିଟିଶ ଉତ୍ପାଦନକାରୀମାନଙ୍କ କବଳରୁ ରକ୍ଷାକରିବା ଉଦ୍ଦେଶ୍ୟରେ ୧୮୭୦ ଠାରୁ ୧୮୮୦ ମସିହା ମଧ୍ୟରେ ପ୍ରଥମ ଥରପାଇଁ ‘ସ୍ଵଦେଶୀ’ ନୀତି ପ୍ରଚାର କରାଗଲା ।

 

ଭାରତୀୟ ଯୁବସମ୍ପ୍ରଦାୟର ନୂତନ ରାଜନୈତିକ ମନୋଭାବର ପ୍ରଥା ପରିଚୟ ମିଳିଲା ବଙ୍ଗଳାରେ । ବ୍ରିଟିଶ ଭାରତ ସଂଘର ରକ୍ଷଣଶୀଳ, ଜମିଦାର ସପକ୍ଷବାଦୀ ରାଜନୀତିକୁ ନୂତନ ସଂଗଠିତ ମଧ୍ୟବିତ୍ତଶ୍ରେଣୀ ଓ ବୌଦ୍ଧିକଗୋଷ୍ଠୀ ସମର୍ଥନ କଲେନାହିଁ । ସାଧାରଣ ଜନତା ଓ ଜମିଦାରମାନଙ୍କ ମଧ୍ୟରେ ଚାଲିଥିବା ପ୍ରତିଦ୍ଵନ୍ଦ୍ୱିତାରେ ସେମାନେ ସାଧାରଣ ଲୋକଙ୍କ ସ୍ଵାର୍ଥରକ୍ଷା ଦିଗରେ କାର୍ଯ୍ୟ କଲେ । ଭାରତ ଚିରନ୍ତନଭାବେ ଇଂରେଜମାନଙ୍କ ଦ୍ଵାରା ନିଶ୍ଚୟ ଶାସିତ ହେବ ବୋଲି ଯାହା ପ୍ରଚାର କରାଯାଉଥିଲା, ତାହା ସେମାନେ ଗ୍ରହଣ କଲେନାହିଁ । ୧୮୭୬ ମସିହା ଜୁଲାଇ ମାସରେ ଆନନ୍ଦମୋହନ ବୋଷ ଓ ସୁରେନ୍ଦ୍ର ନାଥ ବାନାର୍ଜୀଙ୍କ ନେତୃତ୍ୱରେ ସେମାନେ ଭାରତୀୟ ସଂଘ (Indian Association) ଗଠନ କଲେ । ଏହି ସଂଘ ସର୍ବପ୍ରଥମେ ସିଭିଲ୍ ସର୍ଭିସ ପରୀକ୍ଷା ସଂକ୍ରାନ୍ତୀୟ ସମସ୍ୟାକୁ ନେଇ ଆନ୍ଦୋଳନ ଆରମ୍ଭ କଲେ । ଆନ୍ଦୋଳନ ପାଇଁ ଭାରତର ବିଭିନ୍ନ ଅଞ୍ଚଳର ସମର୍ଥନ ଆବଶ୍ୟକ ହେଲା ଓ ସଂଘ ତରଫରୁ ସୁରେନ୍ଦ୍ରନାଥ ବାନାର୍ଜୀ ଏହି ପ୍ରଚାର ଦାୟିତ୍ଵ ଗ୍ରହଣ କଲେ । ତେଣୁ ସର୍ବଭାରତୀୟ କ୍ଷେତ୍ରରେ ଲୋକପ୍ରିୟତା ଅର୍ଜନ କରିବା ଦିଗରେ ସେ ହେଉଛନ୍ତି ସର୍ବପ୍ରଥମ ଆଧୁନିକ ଭାରତୀୟ । ସାଧାରଣ ଲୋକଙ୍କୁ ବ୍ୟାପକ ରାଜନୈତିକ ଆନ୍ଦୋଳନର ପରିସର ଭିତରକୁ ଆଣିବା ଉଦ୍ଦେଶ୍ୟରେ, ଭାରତୀୟ ସଂଘର ନେତୃବୃନ୍ଦ, ଜମିଦାର ବିରୁଦ୍ଧରେ ପ୍ରଜାର ସ୍ଵତ୍ଵରକ୍ଷା ଓ ଚା’ ବଗିଚାର ବିଦେଶୀ ମାଲିକମାନଙ୍କ ବିରୁଦ୍ଧରେ ଶ୍ରମିକମାନଙ୍କ ସ୍ଵାର୍ଥରକ୍ଷା ନେଇ ଆନ୍ଦୋଳନର ସଂଗଠନ କାର୍ଯ୍ୟ ଆରମ୍ଭ କଲେ । ସଂଘର ଶାଖା କାର୍ଯ୍ୟାଳୟ ବଙ୍ଗଳାର ବହୁ ଗ୍ରାମ ଓ ସହରରେ ତଥା ବଙ୍ଗ ବାହାରେ ମଧ୍ୟ ସ୍ଥାପିତ ହେଲା ।

 

ସେତେବେଳକୁ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଯୁବକଗୋଷ୍ଠୀ ସକ୍ରିୟ ଥିଲେ । ୧୮୮୪ ଖ୍ରୀଷ୍ଟାବ୍ଦରେ ଏମ୍. ବୀରରାଘବାଚାରୀ, ଜି. ସୁବ୍ରମନିଆ ଆୟାର୍, ଆନନ୍ଦ ଚାର୍‍ଲୁ ଓ ଅନ୍ୟମାନେ ‘ମାଡ଼୍ରାସ ମହାଜନ ସଭା’ ଏବଂ ସେହିପରି ୧୮୮୫ ଖ୍ରୀଷ୍ଟାବ୍ଦରେ ଫିରୋଜ୍ ସାହ ମେହେଟା ଓ କେ. ଟି. ତେଲାଙ୍ଗ୍ ପ୍ରଭୃତି ‘ବମ୍ବେ ପ୍ରେସିଡ଼େନସ୍ ଆସୋସିଏସନ୍’ ଗଠନ କଲେ ।

 

ଜାତୀୟ କଂଗ୍ରେସର ଭିତ୍ତି ସ୍ଥାପନ

 

ରାଜନୈତିକ ଚେତନାଶୀଳ ଭାରତୀୟମାନେ ଏକ ଅଖିଳ ଭାରତୀୟ ସଂଗଠନର ଆବଶ୍ୟକତା କ୍ରମେ ଅଧିକରୁ ଅଧିକ ଅନୁଭବ କରିବାକୁ ଲାଗିଲେ । ମନର ମେଳପାଇଁ ସଭାସମିତି କରିବା ବା ସାଧାରଣ କାର୍ଯ୍ୟକ୍ରମ ସ୍ଥିର କରିବା ଉଦ୍ଦେଶ୍ୟରେ ଯେ କେବଳ ଏପରି ସଂଗଠନ ଦରକାର ପଡ଼ୁଥିଲା ତା’ ନୁହେଁ; ବରଂ ମୁକ୍ତି–ସଂଗ୍ରାମକୁ ଆହୁରି ବ୍ୟାପକ କରିବାପାଇଁ ଲୋକମାନଙ୍କୁ ରାଜନୈତିକ ଶିକ୍ଷା ଦେବା ଦିଗରେ ଏହାର ଆବଶ୍ୟକତା ଥିଲା । ଏପରି ଏକ ସଂଗଠନର ସାମାଜିକ ଭିତ୍ତି ତ ବହୁପୂର୍ବରୁ ପଡ଼ିସାରିଥିଲା; ବହୁ ଅନୁଭୂତି ମଧ୍ୟ ଅର୍ଜନ କରାଯାଇଥିଲା । ପଶ୍ଚିମ–ଭାରତରେ ଦାଦାଭାଇ ନାରୋଜୀ, ଜଷ୍ଟିସ୍ ରାଣାଡ଼େ, ଫିରୋଜ୍‍ସାହ ମେହେଟା, କେ. ଟି. ତେଲାଙ୍ଗ୍, ରହିମତୁଲ୍ଲା ମୁହମ୍ମଦ ସାୟାନୀ, ଜାଭେରୀଲାଲ୍ ଉମାଶଙ୍କର ଯାଜ୍ଞିକ ଓ ବଦ୍‍ରୁଦ୍ଦିନ ତୟାବ୍‍ଜୀ; ଦକ୍ଷିଣ–ଭାରତରେ ଜି. ସୁବ୍ରମନିଆ ଆୟାର୍ ଓ ଆନନ୍ଦ ଚାର୍‍ଲୁ ଏବଂ ପୂର୍ବଭାରତରେ ରମେଶ ଚନ୍ଦ୍ର ବାନାର୍ଜୀ, ସୁରେନ୍ଦ୍ର ନାଥ ବାନାର୍ଜୀ, ଆନନ୍ଦମୋହନ ବୋଷ, ଲାଲମୋହନ ଘୋଷ ତଥା କାଳୀଚରଣ ବାନାର୍ଜୀ ପ୍ରଭୃତି ବିଭିନ୍ନ ଅଞ୍ଚଳର ବହୁ ଭାରତୀୟ ଗୋଟିଏ ଅଖିଳ ଭାରତୀୟ ଜାତୀୟବାଦୀ ସଂଗଠନ ପ୍ରତିଷ୍ଠା ଲାଗି ଏକ ସମୟରେ ପରିକଳ୍ପନା ଆରମ୍ଭ କଲେ । ୧୮୮୩ ଖ୍ରୀଷ୍ଟାବ୍ଦ ଡିସେମ୍ବର ମାସରେ ଭାରତୀୟ ସଂଘ ଏକ ଅଖିଳ ଭାରତୀୟ ଜାତୀୟ ସମ୍ମିଳନୀ ଆହ୍ଵାନ କରିଥିଲା; କିନ୍ତୁ ଉକ୍ତ ପ୍ରଚେଷ୍ଟା ପୂର୍ଣ୍ଣ ସଫଳତା ଲାଭ କରିପାରିଲା ନାହିଁ-। ବମ୍ବେର ଜାତୀୟବାଦୀ ରାଜନୈତିକ କର୍ମୀମାନେ ଏହି ପରିକଳ୍ପନାକୁ ବାସ୍ତବରୂପ ଦେଲେ-। ଅବସରପ୍ରାପ୍ତ ପଦସ୍ଥ ଇଂରେଜ କର୍ମଚାରୀ ଏ. ଓ. ହ୍ୟୁମ୍ ୧୮୮୫ ମସିହା ଡିସେମ୍ବର ମାସରେ ଭାରତର ବିଭିନ୍ନ ଅଞ୍ଚଳରୁ ରାଜନୈତିକ ନେତାମାନଙ୍କୁ ନେଇ ବମ୍ବେରେ ଯେଉଁ ସମ୍ମିଳନୀ ଡାକିବା ଲାଗି ଉଦ୍ୟମ କରୁଥିଲେ, ଉକ୍ତ କର୍ମୀମାନେ ସେଥିରେ ସହଯୋଗ କଲେ । ବମ୍ବେରେ ସମବେତ ନେତୃବର୍ଗ ପ୍ରଥମେ ଉମେଶ ଚନ୍ଦ୍ର ବାନାର୍ଜୀଙ୍କ ସଭାପତିତ୍ଵରେ ଭାରତୀୟ ଜାତୀୟ କଂଗ୍ରେସ ଆରମ୍ଭ କରିବାଲାଗି ନିଷ୍ପତ୍ତି ଗ୍ରହଣ କଲେ ।

 

କୁହାଯାଏ, ଶିକ୍ଷିତ ଭାରତୀୟମାନଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ଓ ରୁଦ୍ଧ ମାନସିକ ଆବେଗକୁ ସଭା–ସମ୍ମିଳନୀରେ ପରିପ୍ରକାଶର ସୁଯୋଗ ଦେଇ ଭାରତରେ ରାଜନୈତିକ ଅବସ୍ଥାକୁ ନିରାପଦ ରଖିବା ଥିଲା ଜାତୀୟ କଂଗ୍ରେସ ପ୍ରତିଷ୍ଠା ପଛରେ ହ୍ୟୁମ୍‍ଙ୍କର ଅସଲ ଉଦ୍ଦେଶ୍ୟ । ଅସନ୍ତୁଷ୍ଟ ଜାତୀୟବାଦୀ ବୁଦ୍ଧିଜୀବୀଶ୍ରେଣୀ ସହିତ ଅସନ୍ତୁଷ୍ଟ କୃଷକସମାଜକୁ ସମ୍ମିଳିତ ହେବାକୁ ନ ଦେବା, ସେ ଚାହୁଁଥିଲେ । ସେ ଏପରି ଗୋଟିଏ ମୃଦୁ ରାଜନୈତିକ ଆନ୍ଦୋଳନର ପୃଷ୍ଠପୋଷକତା କରିବା ଫଳରେ ପରିସ୍ଥିତି ଆୟତ୍ତାଧୀନ ରହିବ ବୋଲି ଆଶା କରୁଥିଲେ । ପରବର୍ତ୍ତୀ କାଳରେ ହ୍ୟୁମ୍ ଲେଖିଥିଲେ : “ଯେଉଁମାନେ ଆନ୍ଦୋଳନଲାଗି ପ୍ରାଥମିକ ପ୍ରେରଣା ଯୋଗାଇଥିଲେ ସେମାନଙ୍କ ପାଇଁ ଅନ୍ୟ ରାସ୍ତା ନଥିଲା । ଉତ୍ତେଜନା......କାର୍ଯ୍ୟ କରୁଥିଲା ଓ ବେଳକୁ ବେଳ ପ୍ରବଳ ହୋଇଉଠୁଥିଲା । ଏପରି ଉତ୍ତେଜନାର ପରିଣତି ବାତାବରଣକୁ ଅପ୍ରକାଶ୍ୟ ଭାବରେ ବିଷାକ୍ତ କରିବାକୁ ଆରମ୍ଭ କରିଥିଲା । ତେଣୁ ସେତେବେଳେ ସେହି ଉତ୍ତେଜନାର ପ୍ରଶମନ ଲାଗି ସାମ୍ବିଧାନିକ ପନ୍ଥା ସ୍ଥିର କରିବା ଥିଲା ସର୍ବପ୍ରଧାନ ସମସ୍ୟା ।’’

 

ଜାତୀୟ କଂଗ୍ରେସ ପ୍ରତିଷ୍ଠାର ଏପରି କାରଣ ଦର୍ଶାଇବା ଭ୍ରମପ୍ରମାଦପୂର୍ଣ୍ଣ । ଖୁବ୍ ବେଶୀ ହେଲେ ଏ ବିଷୟରେ ହ୍ୟୁମ୍‍ଙ୍କ ଭୂମିକା କ’ଣ ଥିଲା, କେତେକାଂଶରେ ତାହାହିଁ ଉପରୋକ୍ତ ଉଦ୍ଧୃତିରୁ ଜଣାପଡ଼େ । ଯେଉଁ ଭାରତୀୟମାନେ ଗୋଟିଏ ଅଖିଳ ଭାରତୀୟ ରାଜନୈତିକ ସଂଗଠନର ପ୍ରତିଷ୍ଠା ଲାଗି ସକ୍ରିୟଭାବେ ଉଦ୍ୟମ କରୁଥିଲେ, ସେମାନେ ଇଂରେଜ ସ୍ୱାର୍ଥରକ୍ଷା ଲାଗି ଭାରତକୁ ଯେପରି ଶୋଷଣ କରାଯାଉଥିଲା ତା’ର ମଧ୍ୟ ଘୋର ବିରୋଧୀ ଥିଲେ । ସେମାନେ ଥିଲେ ନୂତନ ସାମାଜିକ ଶକ୍ତିର ପ୍ରତିନିଧି । ଭାରତର ରାଜନୈତିକ ଓ ଅର୍ଥନୈତିକ ଅଗ୍ରଗତି ଉଦ୍ଦେଶ୍ୟରେ ସଂଘର୍ଷ କରିବାଲାଗି ଏହିପରି ଏକ ଦେଶବ୍ୟାପୀ ସଂଗଠନ ସେମାନେ ଚାହୁଁଥିଲେ । ସେମାନେ ବିଦେଶୀ ସରକାରର ସ୍ତାବକ ନଥିଲେ; ବରଂ ଥିଲେ ଦେଶମାତୃକାର ପବିତ୍ର ପୀଠରେ ଚରିତ୍ରବାନ୍ ସାଧକ । ଯେହେତୁ ଏହା ଥିଲା ସେମାନଙ୍କର ପ୍ରାଥମିକ ରାଜନୈତିକ ପ୍ରଚେଷ୍ଟା ଓ ଅକାରଣେ ସରକାରୀ ଶତ୍ରୁତା ଅର୍ଜନ କରିବାକୁ ସେମାନେ ଚାହୁଁ ନଥିଲେ; ତେଣୁ ହ୍ୟୁମ୍‍ଙ୍କ ସହିତ ସହଯୋଗ କଲେ । ସେମାନେ ଆଶା କଲେ ଯେ, ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସକ୍ରିୟ ଉପସ୍ଥିତି ଯୋଗୁଁ ସରକାରୀ ସନ୍ଦେହ ଦୂର ହେବ । ଯଦି ହ୍ୟୁମ୍ କଂଗ୍ରେସକୁ ଗୋଟିଏ ନିରାପଦ ଦିଗ୍‍ଦର୍ଶକ ଭାବରେ ବ୍ୟବହାର କରିବାକୁ ଚାହୁଁଥିଲେ, ପୂର୍ବତନ କଂଗ୍ରେସ ନେତାମାନେ ମଧ୍ୟ ତାଙ୍କୁ ବିଦ୍ୟୁତ–ସମ୍ବାହକ ତାରରୂପେ ବ୍ୟବହାର କରିବେ ବୋଲି ଆଶା କରୁଥିଲେ । ପରେ ୧୮୧୩ ଖ୍ରୀଷ୍ଟାବ୍ଦରେ ଗୋପାଳକୃଷ୍ଣ ଗୋଖ୍‍ଲେ କହିଥିଲେ :

 

“ଭାରତୀୟ ଜାତୀୟ କଂଗ୍ରେସକୁ କୌଣସି ଭାରତୀୟ ଆରମ୍ଭ କରିପାରି ନଥାନ୍ତେ...ଯଦି କେହି ଭାରତୀୟ ସମଗ୍ର ଭାରତବ୍ୟାପୀ ଏପରି ଏକ ଆନ୍ଦୋଳନ ଆରମ୍ଭ କରିବାକୁ ଅଗ୍ରସର ହୋଇଥାନ୍ତେ, ତାହାହେଲେ ସରକାରୀ କର୍ମଚାରୀମାନେ ସେପରି ସଙ୍ଗଠନକୁ ବଞ୍ଚିରହିବାକୁ ଦେଇ ନଥାନ୍ତେ । ସେତେବେଳେ ରାଜନୈତିକ ଆନ୍ଦୋଳନକୁ ଏପରି ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଦେଖାଯାଉଥିଲା ଯେ, ଯଦି କଂଗ୍ରେସର ପ୍ରତିଷ୍ଠାତା ଜଣେ ମହାନ୍ ଇଂରେଜ ଓ ପୂର୍ବତନ ସରକାରୀ କର୍ମଚାରୀ ହୋଇ ନଥାନ୍ତେ, ତେବେ କର୍ତ୍ତୃପକ୍ଷ ଯେକୌଣସି ଉପାୟରେ ଉକ୍ତ ଆନ୍ଦୋଳନକୁ ଦମନ କରିଥାନ୍ତେ ।

 

ଯାହାହେଉ ୧୮୮୫ ଖ୍ରୀଷ୍ଟାବ୍ଦରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ହେବାପରେ ଭାରତୀୟ ସ୍ଵାଧୀନତା ସଂଗ୍ରାମ କ୍ଷୁଦ୍ର, ଇତସ୍ତତଃ ଓ ମୃଦୁ ହେଲେ ମଧ୍ୟ ସଂଗଠିତ ଭାବରେ ଯେ ଅଗ୍ରଗତି କଲା, ଏଥିରେ ସନ୍ଦେହ ନାହିଁ । ବର୍ଷକୁ ବର୍ଷ ଏହାର ଶକ୍ତି ବୃଦ୍ଧି ପାଇଲା ଏବଂ ପରିଶେଷରେ ବିଦେଶୀ ଶାସକମାନଙ୍କ ବିରୁଦ୍ଧରେ ଶକ୍ତିଶାଳୀ ସାମରିକ ଅଭିଯାନ ଚଳାଇବାଲାଗି ଭାରତୀୟ ଜନସାଧାରଣ ଏଥି ସହିତ ସଂଶ୍ଳିଷ୍ଟ ହୋଇପଡ଼ିଲେ ।

 

୧୮୮୫ ଠାରୁ ୧୯୦୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ଭାରତରେ ଜାତୀୟବାଦୀ ଚେତନା ଓ ମନୋଭାବ ପରିପ୍ରସାରର ଏକମାତ୍ର ମାଧ୍ୟମ ଭାରତୀୟ ଜାତୀୟ କଂଗ୍ରେସ ଥିଲା ବୋଲି କହିବା ଅତ୍ୟନ୍ତ ଅସଙ୍ଗତ । ସେତେବେଳେ ଜାତୀୟବାଦର ବିକାଶ ଓ ପ୍ରସାର ଲାଗି ଅନ୍ୟାନ୍ୟ ବହୁ ପନ୍ଥା ଉନ୍ମୁକ୍ତ ଥିଲା । ବହୁ ସ୍ଥାନୀୟ ଓ ପ୍ରାନ୍ତୀୟ ରାଜନୈତିକ ସଂଘ ବା ସମ୍ମିଳନୀଦ୍ଵାରା ପ୍ରତିଦିନର ରାଜନୈତିକ ଆଲୋଡ଼ନ ଚାଲୁରହିଥିଲା । ପ୍ରତିବର୍ଷ ପ୍ରାଦେଶିକ ସମ୍ମିଳନୀ ଅନୁଷ୍ଠିତ ହେଉଥିଲା ଏବଂ ସେଥିରେ ବହୁସଂଖ୍ୟକ ଲୋକ ଅଂଶଗ୍ରହଣ କରୁଥିଲେ । ଜାତୀୟବାଦୀ ସମ୍ବାଦପତ୍ରଗୁଡ଼ିକ ମଧ୍ୟରୁ ଅଧିକାଂଶ ଜାତୀୟବାଦର ସଂଗଠକ ତଥା ପ୍ରଚାରକ ଭାବରେ କାର୍ଯ୍ୟ କରୁଥିଲେ । ତାତ୍କାଳୀନ ବହୁ ସମ୍ବାଦପତ୍ର ଲାଭଜନକ ବ୍ୟବସାୟ ଭାବରେ ଆରମ୍ଭ ନ ହୋଇ ଜାତୀୟବାଦୀ କାର୍ଯ୍ୟକଳାପର ଅଙ୍ଗରୂପେ ପରିଚାଳିତ ହେଉଥିଲା । ସେଗୁଡ଼ିକର ମାଲିକ ଓ ସମ୍ପାଦକମାନଙ୍କୁ ବହୁସମୟରେ ବ୍ୟକ୍ତିଗତଭାବେ ଅସୀମ ତ୍ୟାଗ ସ୍ଵୀକାର କରିବାକୁ ପଡ଼ୁଥିଲା । ଭାରତୀୟ ଜାତୀୟ କଂଗ୍ରେସ ଗଠିତ ହେବା ପୂର୍ବରୁ ଦେଶର ପ୍ରାୟ ସମସ୍ତ ମୁଖ୍ୟ ଜାତୀୟବାଦୀ ସମ୍ବାଦପତ୍ରଗୁଡ଼ିକ ପ୍ରକାଶିତ ହେଉଥିଲା । ବଙ୍ଗ ପ୍ରଦେଶରେ ଅମୃତବଜାର ପତ୍ରିକା, ଇଣ୍ଡିଆନ୍ ମିରର୍, ସଞ୍ଜୀବନୀ ଓ ବେଙ୍ଗଲୀ; ମାନ୍ଦ୍ରାଜର ହିନ୍ଦୁ, ସ୍ଵଦେଶମିତ୍ରନ୍, ଆନ୍ଧ୍ର ପ୍ରକାଶିକା, ଓ କେରଳ ପତ୍ରିକା; ବମ୍ବେର ମରାଠା, କେଶରୀ, ଇନ୍ଦୁ ପ୍ରକାଶ ଓ ସୁଧାରକ; ଉତ୍ତରପ୍ରଦେଶର ଆଡ଼୍‍ଭୋକେଟ ହିନ୍ଦୁସ୍ଥାନୀ ଓ ଆଜାଦ୍ ଏବଂ ପଞ୍ଜାବର ଟ୍ରିବ୍ୟୁନ୍, ଆକ୍‍ବର–ଇ–ଆମ୍, ତଥା କୋହିନୁର ପ୍ରଭୃତି ତତ୍କାଳୀନ ଜାତୀୟବାଦୀ ସମ୍ବାଦପତ୍ର ମଧ୍ୟରେ ସୁପରିଚିତ ଥିଲେ ।

 

ପୂର୍ବବର୍ତ୍ତୀ ଜାତୀୟବାଦୀମାନଙ୍କର ଯୋଜନା ଓ କାର୍ଯ୍ୟାବଳୀ

 

ଭାରତର ପୂର୍ବବର୍ତ୍ତୀ ଜାତୀୟବାଦୀ ନେତାମାନେ ସେତେବେଳେ ବିଶ୍ଵାସ କରୁଥିଲେ ଯେ, ଦେଶର ରାଜନୈତିକ ମୁକ୍ତି ଉଦ୍ଦେଶ୍ୟରେ ପ୍ରତ୍ୟକ୍ଷ ସଂଗ୍ରାମ ଚଳାଇବାର ସମୟ ସେଯାଏ ଆସି ନଥିଲା । ସେମାନଙ୍କ ମତରେ, ଜାତୀୟ ପ୍ରେମ ଜାଗ୍ରତ କରି ସେଥିରେ ଲୋକଙ୍କୁ ଉଦ୍‍ବୁଦ୍ଧ କରିବା, ବହୁସଂଖ୍ୟକ ଭାରତୀୟ ଲୋକଙ୍କୁ ଜାତୀୟବାଦୀ ରାଜନୀତିର ଅବେଷ୍ଟନୀ ଭିତରକୁ ଆଣିବା ଏବଂ ରାଜନୈତିକ ଉତ୍ତେଜନା ସୃଷ୍ଟି କରି ସଂଘର୍ଷ ଚଳାଇବା ତତ୍କାଳୀନ ପରିସ୍ଥିତିରେ ସମ୍ଭବ ନଥିଲା । ଏ ସମ୍ପର୍କରେ ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ଥିଲା, ରାଜନୈତିକ ସମସ୍ୟା ପ୍ରତି ଜନସାଧାରଣଙ୍କର ଆଗ୍ରହ ସୃଷ୍ଟି କରିବା ଓ ଦେଶରେ ଜନମତକୁ ସଂଗଠିତ କରିବା । ଦ୍ଵିତୀୟ କର୍ତ୍ତବ୍ୟ ହେଲା, ରାଷ୍ଟ୍ରୀୟ ଭିତ୍ତିରେ ଜନସାଧାରଣଙ୍କ ଦାବିକୁ ଉପସ୍ଥାପିତ କରି, ସଂଗଠିତ ଜନମତକୁ ସର୍ବଭାରତୀୟ କ୍ଷେତ୍ରରେ ପ୍ରତିଷ୍ଠା କରିବା । ଏହା ବ୍ୟତୀତ, ଅନ୍ୟତମ କାର୍ଯ୍ୟ ଥିଲା, ରାଜନୀତି–ସଚେତନ ଭାରତୀୟ ଏବଂ ରାଜନୈତିକ ନେତା ତଥା କର୍ମୀମାନଙ୍କ ମଧ୍ୟରେ ଜାତୀୟ ଐକ୍ୟ ପ୍ରତିଷ୍ଠା କରିବା । ପୂର୍ବବର୍ତ୍ତୀ ଜାତୀୟବାଦୀମାନେ ସ୍ପଷ୍ଟ ଜାଣିଥିଲେ ଯେ, ଭାରତ ଗୋଟିଏ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ ହେବାକୁ ଯାଉଛି ଏବଂ ଭାରତୀୟ ଜାତୀୟତା ଧୀରେ ଧୀରେ ଦୃଢ଼ୀଭୂତ ହେଉଛି । ଜାତୀୟ ଐକ୍ୟ ନିଶ୍ଚିତଭାବେ ପୂର୍ବରୁ ରହିଛି ବା ସର୍ବାଙ୍ଗ–ସମ୍ପୂର୍ଣ୍ଣ ବୋଲି ସେମାନେ ମନେକରୁ ନଥିଲେ । ତେଣୁ ରାଜନୈତିକ ନେତାମାନଙ୍କୁ ପ୍ରାନ୍ତ, ଜାତି ଓ ଧର୍ମ ନିର୍ବିଶେଷରେ ଜାତୀୟ ଐକ୍ୟର ପ୍ରତିଷ୍ଠା ଓ ବିକାଶ ଦିଗରେ ଅହରହ କାର୍ଯ୍ୟ କରିବାକୁ ପଡ଼ିବ–ଏକଥା ସେମାନେ ବୁଝିପାରିଥିଲେ । ଉଦାହରଣସ୍ୱରୂପ, ଭାରତୀୟ ଜାତୀୟ କଂଗ୍ରେସ, ଦେଶର ବିଭିନ୍ନ ଅଞ୍ଚଳର ସକ୍ରିୟ ଜାତୀୟବାଦୀମାନଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ କରି ଏ ଦିଗରେ କ୍ଷୀଣ ପ୍ରଚେଷ୍ଟା ଆରମ୍ଭ କଲା । ସାଧାରଣ ଅର୍ଥନୈତିକ କାର୍ଯ୍ୟକ୍ରମ ଭିତ୍ତିରେ ଭାରତୀୟ ଲୋକଙ୍କୁ ଏକତ୍ରିତ କରିବା ଥିଲା ଏହାର ଉଦ୍ଦେଶ୍ୟ ଓ ସେଥିପାଇଁ ଏହି ପୂର୍ବବର୍ତ୍ତୀ ଜାତୀୟବାଦୀମାନଙ୍କର ଅର୍ଥନୈତିକ ଓ ରାଜନୈତିକ ଦାବିଗୁଡ଼ିକୁ ପ୍ରଥମେ ସାମୂହିକଭାବେ ଜନତା ସମ୍ମୁଖରେ ଉପସ୍ଥାପିତ କରାଗଲା ।

 

ସାମ୍ରାଜ୍ୟବାଦର ନିଗୂଢ଼ ଅର୍ଥନୈତିକ ସମାଲୋଚନା

 

ପୂର୍ବବର୍ତ୍ତୀ ଜାତୀୟବାଦୀମାନଙ୍କ ରାଜନୈତିକ କାର୍ଯ୍ୟକଳାପର ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ଅଂଶ ହେଉଛି ଅର୍ଥନୈତିକ ଦୃଷ୍ଟିକୋଣରୁ ସାମ୍ରାଜ୍ୟବାଦର ସମାଲୋଚନା । ସେତେବେଳେ ଯେଉଁ ତିନିଟି ଉପାୟରେ ଅର୍ଥନୈତିକ ଶୋଷଣ କରାଯାଉଥିଲା, ସେଗୁଡ଼ିକୁ ସେମାନେ ଉତ୍ତମରୂପେ ଜାଣିପାରିଥିଲେ । ସେଗୁଡ଼ିକ ହେଲା ଶିଳ୍ପ, ବାଣିଜ୍ୟ ଓ ଆର୍ଥିକ ସମ୍ବଳ । ସେମାନଙ୍କୁ ଏହା ମଧ୍ୟ ଜଣାଥିଲା ଯେ, ଭାରତୀୟ ଅର୍ଥନୀତିକୁ ବ୍ରିଟିଶ ଅର୍ଥନୀତିର କର୍ତ୍ତୃତ୍ଵାଧୀନରେ ରଖିବାହିଁ ହେଉଛି ବ୍ରିଟିଶ ଅର୍ଥନୈତିକ ସାମ୍ରାଜ୍ୟବାଦର ସାରତତ୍ତ୍ଵ । ଭାରତର ଔପନିବେଶିକ ଅର୍ଥନୀତିର ବିକାଶ ଲାଗି ଇଂରେଜମାନେ ଯେଉଁ ଉଦ୍ୟମ କରୁଥିଲେ, ସେମାନେ ତା’ର ବିରୋଧ କଲେ । ଇଂରେଜମାନେ କଞ୍ଚାମାଲ ଯୋଗାଣକାରୀ ଭାରତକୁ ବ୍ରିଟିଶର ଉତ୍ପାଦିତ ଦ୍ରବ୍ୟର ବଜାର ଓ ବିଦେଶୀ ପୁଞ୍ଜିର ବିନିଯୋଗ କ୍ଷେତ୍ର ଭାବରେ ତା’ର ରୂପରେଖର ପରିବର୍ତ୍ତନ କରି ତାକୁ ବ୍ୟବହାର କରିବାକୁ ଚାହୁଁଥିଲେ । ଔପନିବେଶିକ ଢାଞ୍ଚା ଉପରେ ଭିତ୍ତି କରି ସରକାର ଯେଉଁ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ନୀତି ଓ ନିଷ୍ପତ୍ତି ଗ୍ରହଣ କରିଥିଲେ, ଜାତୀୟବାଦୀମାନେ ସେସବୁର ପ୍ରବଳ ପ୍ରତିରୋଧ ପାଇଁ ସଂଗଠନ ଆରମ୍ଭ କଲେ । ସର୍ବୋପରି, ଅର୍ଥନୈତିକ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଭାରତ ଇଂଲଣ୍ଡ ଉପରେ ନିର୍ଭର କରିବା ଆବଶ୍ୟକ ବୋଲି ସେମାନେ ଯୁକ୍ତି କଲେ ।

 

ପୂର୍ବବର୍ତ୍ତୀ ଜାତୀୟବାଦୀମାନେ ଭାରତର ଦାରିଦ୍ର୍ୟ ବୃଦ୍ଧି ପାଉଥିବା କଥା, ଅହରହ କହିବା ଓ ଲେଖିବାକୁ ଆରମ୍ଭ କଲେ । ଭାରତରେ ଇଂରେଜମାନଙ୍କର ଯେଉଁ ଅର୍ଥନୈତିକ ଶୋଷଣ ଚାଲିଥିଲା ତା’ ସହିତ ଏହାର ସମ୍ପର୍କ ରହିଛି ବୋଲି ସେମାନେ କହୁଥିଲେ, ଭାରତୀୟମାନେ ‘କେବଳ ମାତ୍ର ଗୋଲାମ’ ବୋଲି ଦାଦାଭାଇ ନାରୋଜୀ ମତ ବ୍ୟକ୍ତ କଲେ । ଆମେରିକୀୟ କ୍ରୀତଦାସମାନଙ୍କଠାରୁ ମଧ୍ୟ ଭାରତୀୟଙ୍କ ଅବସ୍ଥା ଆହୁରି ଶୋଚନୀୟ; କାରଣ କ୍ରୀତଦାସମାନେ ମାଲିକମାନଙ୍କ ସମ୍ପତ୍ତିଭାବେ ଉପଯୁକ୍ତ ଯତ୍ନ ତ ପାଉଥିଲେ, ଭାରତୀୟମାନଙ୍କୁ ତାହା ମଧ୍ୟ ମିଳୁ ନଥିଲା । ସେ କହିଲେ ଯେ, ବ୍ରିଟିଶ ଶାସନ ହେଉଛି ଦିନକୁଦିନ ବୃଦ୍ଧି ପାଉଥିବା ଚିରସ୍ଥାୟୀ ବୈଦେଶିକ ଆକ୍ରମଣ; ଯାହାକି ଦେଶକୁ ଧୀରେ ଧୀରେ ହେଲେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଧ୍ଵଂସ କରୁଅଛି ।

 

ଭାରତର ପାରମ୍ପରିକ ହସ୍ତଶିଳ୍ପର ଅଧଃପତନ ଓ ଆଧୁନିକ ଶିଳ୍ପବିକାଶର ଗତିରୋଧ ପାଇଁ ଜାତୀୟବାଦୀମାନେ ସରକାରୀ ଅର୍ଥନୀତିକୁ ଦାୟୀ କଲେ ଓ ତାହାର ବିରୋଧ କଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ରେଳ ବିଭାଗ, ଚା’ ଓ କଫି ଚାଷ ତଥା ଶିଳ୍ପ ଦିଗରେ ଯେଉଁ ବିପୁଳ ବୈଦେଶିକ ପୁଞ୍ଜି ବିନିଯୋଗ କରାଯାଉଥିଲା, ତାହାର ପ୍ରତିବାଦ କଲେ । ତାହାଦ୍ୱାରା ଭାରତୀୟ ପୁଞ୍ଜିପତିମାନେ ଦବିଯିବା ଫଳରେ ଭାରତର ଅର୍ଥନୀତି ତଥା ରାଜନୀତି ଉପରେ ଇଂରେଜମାନଙ୍କର କର୍ତ୍ତୃତ୍ଵ ଆହୁରି ବୃଦ୍ଧି ପାଇବାର ଆଶଙ୍କା ଥିଲା । ଏଭଳି ବିଦେଶୀ ପୁଞ୍ଜିର ବିନିଯୋଗଦ୍ଵାରା କେବଳ ସେହି ସମୟପାଇଁ ନୁହେଁ, ଭବିଷ୍ୟତ ବଂଶଧରମାନଙ୍କ ପାଇଁ ମଧ୍ୟ ଗୁରୁତର ଅର୍ଥନୈତିକ ତଥା ରାଜନୈତିକ ବିପଦ ସୃଷ୍ଟି ହେଉଛି ବୋଲି ସେମାନେ ମନେକରୁଥିଲେ । ବିଦେଶୀ ସମ୍ବଳର ବିନିଯୋଗ ନ ହେବା ଉଦ୍ଦେଶ୍ୟରେ ସକ୍ରିୟ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବା ଲାଗି ସେମାନେ ଦାବି ଜଣାଇଲେ ।

 

ଜାତୀୟବାଦୀମାନେ ଦେଶରୁ ଦାରିଦ୍ର୍ୟ ହଟାଇବା ଦିଗରେ ଯେଉଁସବୁ ଉପାୟର ସୂଚନା ଦେଇଥିଲେ, ତା’ ମଧ୍ୟରେ ମୁଖ୍ୟ ହେଉଛି ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ଜୀବନର ଆଧୁନିକୀକରଣ ଓ ଆଧୁନିକ ଶିଳ୍ପର ବିକାଶ । କିନ୍ତୁ ଦ୍ରୁତ ଶିଳ୍ପବିକାଶ ଲାଗି ସକ୍ରିୟ ସରକାରୀ ସାହାଯ୍ୟ ଯେତେ ଦରକାର, ସେତିକି ଦରକାର ଶୁଳ୍କ ଛାଡ଼ ବ୍ୟବସ୍ଥା । ଭାରତୀୟ ଶିଳ୍ପଗୁଡ଼ିକୁ ପ୍ରତ୍ୟକ୍ଷ ଭାବରେ ଋଣ କିମ୍ବା ଋଣର ଗ୍ୟାରେଣ୍ଟି ଦେଇ, ସରକାରୀ ସାହାଯ୍ୟପ୍ରାପ୍ତ ବା ସରକାରୀ କର୍ତ୍ତୃତ୍ଵାଧୀନରେ ଥିବା ବ୍ୟାଙ୍କ୍ ଜରିଆରେ ଋଣ ଯୋଗାଇ ଏବଂ ବିଦେଶରୁ ଋଣ ଉଠାଇ ଏଠାରେ ତାହାକୁ ଋଣ ଆକାରରେ ଦେଇ, ସରକାର ସବୁମତେ ଶିଳ୍ପାନୁଷ୍ଠାନକୁ ସାହାଯ୍ୟ କରନ୍ତୁ ବୋଲି ସେମାନେ ଦାବି କଲେ । ଇସ୍ପାତ ଓ ଖଣିଜ ଶିଳ୍ପ ଦେଶରେ ଶିଳ୍ପବିକାଶ ଲାଗି ଅତ୍ୟନ୍ତ ଆବଶ୍ୟକ । ମାତ୍ର ଏହା ଜଣାଶୁଣା କଥା ଯେ, କୌଣସି ଭାରତୀୟ ପୁଞ୍ଜିପତି ସେଥିରେ ପୁଞ୍ଜି ବିନିଯୋଗ କରିବାପାଇଁ ସମର୍ଥ ହେବେ ନାହିଁ । ତେଣୁ ସରକାର ଏ ସମ୍ପର୍କୀୟ ଶିଳ୍ପ ଓ ବାଣିଜ୍ୟିକ ତଥ୍ୟ ସଂଗ୍ରହ କରି, ତା’ର ସମୀକ୍ଷା କରି, ତାକୁ ସାହାଯ୍ୟ କଲାଭଳି କାରିଗରି ଶିକ୍ଷାର ପ୍ରସାର ଦିଗରେ ଯତ୍ନ କରି ରାଷ୍ଟ୍ରାୟତ୍ତ ଶିଳ୍ପ ପ୍ରତିଷ୍ଠା ଦିଗରେ ପ୍ରଥମ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମଧ୍ୟ ଜାତୀୟବାଦୀମାନେ ସରକାରଙ୍କୁ ଅନୁରୋଧ କଲେ ।

 

ଭାରତୀୟ ଶିଳ୍ପର ଅଗ୍ରଗତି ପାଇଁ ଗୋଟିଏ ଉପାୟ ହେଲା ‘ସ୍ଵଦେଶୀ’ ଭାବନା । ପୂର୍ବବର୍ତ୍ତୀ ଜାତୀୟବାଦୀମାନଙ୍କଦ୍ଵାରା ‘ସ୍ଵଦେଶୀ’ ଲୋକପ୍ରିୟତା ଅର୍ଜନ କଲା । ବହୁସଂଖ୍ୟକ ସ୍ଵଦେଶୀ ଭଣ୍ଡାର ଖୋଲିଗଲା । ୧୮୭୭ ମସିହାରେ ଗଣେଶ ବାସୁଦେବ ଯୋଷୀ ହାତବୁଣା ଖଦିର ପୋଷାକ ପିନ୍ଧି ସମ୍ରାଟଙ୍କ ଦରବାରରେ ଯୋଗଦାନ କଲେ । ୧୮୯୬ ଖ୍ରୀଷ୍ଟାବ୍ଦରେ ମହାରାଷ୍ଟ୍ରରେ ଶକ୍ତିଶାଳୀ ‘ସ୍ଵଦେଶୀ’ ଅଭିଯାନ ସଂଗଠିତ ହେଲା । ଏହି ଆନ୍ଦୋଳନର ସଂଗଠନ ଚାଲିଥିଲାବେଳେ ଛାତ୍ରମାନେ ପ୍ରକାଶ୍ୟ ଭାବରେ ବିଦେଶୀ ଲୁଗା ପୋଡ଼ିଲେ ।

 

ଜାତୀୟବାଦୀମାନେ ୧୮୭୫ରୁ ୧୮୮୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଛାଡ଼ ଅବସ୍ଥା ବିରୁଦ୍ଧରେ ଏବଂ ୧୮୯୪ରୁ ୧୮୯୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କପା ଓ ସୂତାଲୁଗା ଉପରେ ଧାର୍ଯ୍ୟ ହୋଇଥିବା ଅବକାରୀ ଶୁଳ୍କ ବିରୁଦ୍ଧରେ ଏକ ଶକ୍ତିଶାଳୀ ସର୍ବଭାରତୀୟ ଆନ୍ଦୋଳନର ସଂଗଠନରେ ଲାଗିପଡ଼ିଲେ । ଦେଶବ୍ୟାପୀ ଜାତୀୟ ପ୍ରେମର ଉତ୍ସ ବୁହାଇବାରେ ଏବଂ ଭାରତରେ ଇଂରେଜ ଶାସନର ପ୍ରକୃତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ଦିଗରେ ଉକ୍ତ ଆନ୍ଦୋଳନ ମୁଖ୍ୟ ଭୂମିକା ଗ୍ରହଣ କଲା । ୧୮୯୬ ଖ୍ରୀଷ୍ଟାବ୍ଦ ଜାନୁଆରୀ ୨୮ ତାରିଖ ଦିନ ପୁନାରୁ ପ୍ରକାଶିତ ‘କେଶରୀ’ ଲେଖିଥିଲା : ‘ୟୁରୋପୀୟମାନଙ୍କ ଖାଦ୍ୟସଂସ୍ଥାନ ଲାଗି ଭାରତକୁ ନିଶ୍ଚୟ ଗୋଟିଏ ସଂରକ୍ଷିତ ଚାରଣଭୂମି ଭାବରେ ବ୍ୟବହାର କରାଯାଉଛି ।’ ଭାରତୀୟ ଜାତୀୟ କଂଗ୍ରେସର ଅନ୍ୟତମ ପୂର୍ବତନ ସଭାପତି ପି. ଆନନ୍ଦ ଚାର୍‍ଲୁ କହିଥିଲେ : ‘ଭାରତ ପ୍ରବଳ ବ୍ରିଟିଶ–ଶକ୍ତିଦ୍ଵାରା ବୈଦେଶିକ ଆକ୍ରମଣରୁ ସୁରକ୍ଷିତ ଥିଲେହେଁ, ଯେଉଁ ବିଷୟରେ ଇଂରେଜ ଓ ଭାରତୀୟ ସ୍ଵାର୍ଥ ବିପରୀତମୁଖୀ, ସେ ବିଷୟରେ ଭାରତ ସମ୍ପୂର୍ଣ୍ଣ ଅରକ୍ଷ ଓ ଅସହାୟ । ତାମିଲ ଭାଷାରେ କଥା ଅଛି ବାଡ଼ହିଁ କିଆରିର ଫସଲ ଖାଇବାକୁ ଆରମ୍ଭ କଲା ।’

 

ପୂର୍ବବର୍ତ୍ତୀ ଜାତୀୟବାଦୀମାନେ ଉଚ୍ଚ ଭୂରାଜସ୍ଵ ହାର ହ୍ରାସ ଲାଗି ଅହରହ ଆନ୍ଦୋଳନ ଚଳାଇଲେ । କୃଷିଜୀବୀମାନଙ୍କୁ ସରକାରୀ ଉଦ୍ୟମରେ ପ୍ରତିଷ୍ଠିତ କୃଷି ବ୍ୟାଙ୍କ୍‍ରୁ ଅଳ୍ପ ସୁଧରେ ଋଣ ଓ ଜଳସେଚନର ବ୍ୟାପକ ସୁବିଧା ଦେବା ନିମନ୍ତେ ସେମାନେ ସରକାରଙ୍କ ନିକଟରେ ଦାବି ଉପସ୍ଥାପିତ କଲେ । ଇଂରେଜମାନେ କୃଷି ସଂକ୍ରାନ୍ତରେ ଯେଉଁ ଅର୍ଦ୍ଧ–ସାମନ୍ତବାଦୀ ସ୍ଥିତି ବଜାୟ ରଖିବାକୁ ଚାହୁଁଥିଲେ, ଉକ୍ତ ଜାତୀୟବାଦୀମାନଙ୍କ ମଧ୍ୟରୁ କେତେକ ସେହିପରି ନୀତିର ସମାଲୋଚନା କଲେ । ଚା’, କଫି ବଗିଚା ଶ୍ରମିକମାନଙ୍କ କାର୍ଯ୍ୟ–ନିର୍ଘଣ୍ଟ ଓ ଅବସ୍ଥାର ଉନ୍ନତି ଲାଗି ମଧ୍ୟ ସେମାନେ ଆନ୍ଦୋଳନ ଚଳାଇଲେ । ସେତେବେଳେ କରଧାର୍ଯ୍ୟ କରିବା ଓ ବ୍ୟୟ କରିବାର ଯେଉଁ ପଦ୍ଧତି ଅନୁସୂତ ହେଉଥିଲା, ତାହାର ସମୂଳ ପରିବର୍ତ୍ତନ ଦାବି କରି ସେମାନେ ପ୍ରମାଣ କଲେ ଯେ, ତତ୍କାଳୀନ କରଧାର୍ଯ୍ୟ ବ୍ୟବସ୍ଥାଦ୍ଵାରା ଦରିଦ୍ର ଲୋକ ଭାରାକ୍ରାନ୍ତ ହୋଇପଡ଼ୁଥିଲାବେଳେ ଧନୀ ଓ ବିଶେଷତଃ ବୈଦେଶିକମାନଙ୍କ ଉପରେ କରଭାର ନାମମାତ୍ର ଥିଲା । ସେଥିପାଇଁ ସେମାନେ ଲୁଣ ଓ ଅନ୍ୟାନ୍ୟ କେତେକ ଦ୍ରବ୍ୟ ଉପରୁ ଶୁଳ୍କ ଉଠାଇଦେବା ଲାଗି ଦାବି କଲେ । ଏହି ସମସ୍ତ ଦ୍ରବ୍ୟ ଉପରେ କରଧାର୍ଯ୍ୟ କରାଯିବାଦ୍ଵାରା ନିମ୍ନ–ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକେ କ୍ଷତିଗ୍ରସ୍ତ ହେଉଥିଲେ । ସେମାନଙ୍କ ମତରେ ତତ୍କାଳୀନ ବ୍ୟୟ ପଦ୍ଧତି, ଭାରତୀୟମାନଙ୍କର ବିକାଶ ଓ କଲ୍ୟାଣ ସାଧନ କରିବା ପରିବର୍ତ୍ତେ ବ୍ରିଟେନର ସାମ୍ରାଜ୍ୟବାଦୀ ଆବଶ୍ୟକତା ପରିପୂରଣ କରୁଥିଲା । ଏସିଆ ଓ ଆଫ୍ରିକା ଉପରେ ଇଂରେଜମାନଙ୍କର କର୍ତ୍ତୃତ୍ୱକୁ ବଜାୟ ରଖିବାଲାଗି ଯେଉଁ ସୈନ୍ୟବାହିନୀ ମୁତୟନ କରାଯାଇଥିଲା, ତାହାର ବ୍ୟୟ ଭାରତ ବହନ କରୁଥିଲା । ଏହାର ମଧ୍ୟ ଘୋର ସମାଲୋଚନା ହେଲା । ସେତେବେଳେ ସିଭିଲ ସର୍ଭିସ ଚାକିରି ସର୍ବୋଚ୍ଚ ଥିଲା ଓ ସେଥିରେ ଯେଉଁମାନେ ନିଯୁକ୍ତ ଥିଲେ ମାସିକ ବେତନ ଏ ଦେଶର ଅର୍ଥନୈତିକ ବିକାଶର ସ୍ତର ତୁଳନାରେ ଯଥେଷ୍ଟ ଅଧିକ ଥିଲା । ଏହି ଉଚ୍ଚ ବେସାମରିକ ସର୍ଭିସ୍‍ର ବ୍ୟୟବହୁଳତା ବିରୁଦ୍ଧରେ ମଧ୍ୟ ଦୃଢ଼ ପ୍ରତିବାଦ କରାଗଲା । ବିଦେଶରେ ଉତ୍ପାଦିତ ବିଭିନ୍ନ ଦ୍ରବ୍ୟର ଆମଦାନୀ ଓ ଏ ଦେଶରୁ କଞ୍ଚାମାଲ ରପ୍ତାନିର ଅଭିବୃଦ୍ଧି ଯେପରି ହେବ ସେଥିପ୍ରତି ଦୃଷ୍ଟିଦେଇ ବୈଦେଶିକ ବାଣିଜ୍ୟର ବିକାଶ ଓ ରେଳପଥର ପ୍ରସାର ଲାଗି ସରକାର ଉଦ୍ୟମ କରୁଥିଲେ । ଏହି ସରକାରୀ ନୀତିର ତୀବ୍ର ସମାଲୋଚନା ହେଲା । ପୂର୍ବବର୍ତ୍ତୀ ଜାତୀୟବାଦୀ ନେତାମାନେ ଦାବି କଲେ ଯେ ବାଣିଜ୍ୟ ଓ ପରିବହନ ବ୍ୟବସ୍ଥାର ଯେଉଁ ଉନ୍ନତି କରାଯାଉଛି ତାହାର ଉଦ୍ଦେଶ୍ୟ ହେବା ଉଚିତ ଦେଶର ଆଭ୍ୟନ୍ତରୀଣ ଅର୍ଥନୈତିକ ବିକାଶ ।

 

ଜାତୀୟବାଦୀମାନଙ୍କ ସମାଲୋଚନାର ମୁଖ୍ୟ ବିଷୟ ଇଂରେଜମାନଙ୍କ ସ୍ଵାର୍ଥ ଲାଗି ଏ ଦେଶରୁ ବିଦେଶକୁ ବହିଚାଲିଥିବା ପ୍ରତ୍ୟେକ ପ୍ରକାର ଦ୍ରବ୍ୟ । ସେମାନେ ଦେଖାଇଦେଲେ ଯେ, ଭାରତର ଅଧିକାଂଶ ସମ୍ବଳ ଓ ସମ୍ପତ୍ତି, ବିଦେଶୀ ଋଣର ସୁଧ ଭାବରେ, ଭାରତରେ ଇଂରେଜମାନଙ୍କ ବିନିଯୁକ୍ତ ସମ୍ବଳର ଲାଭାଂଶ ଭାବରେ କିମ୍ବା ଭାରତରେ ନିଯୁକ୍ତ ସାମରିକ ଓ ବେସାମରିକ ଗୋରା ଅଫିସରମାନଙ୍କ ବେତନ ଓ ପେନ୍‍ସନ୍ ଭାବରେ ଇଂଲଣ୍ଡକୁ ବହିଚାଲିଥିଲା । ବୈଦେଶିକ ବାଣିଜ୍ୟ କହିଲେ କେବଳ ବ୍ରିଟିଶ ଦ୍ରବ୍ୟର ରପ୍ତାନି ବୁଝାଉଥିଲା । ଭାରତରେ ବିଦେଶୀ ଅର୍ଥନୈତିକ ଶୋଷଣର ଏହାଥିଲା ଏକ ଜ୍ଵଳନ୍ତ ଦୃଷ୍ଟାନ୍ତ । ଜାତୀୟବାଦୀମାନେ ଏହି ବିଦେଶକୁ ବହିଚାଲିଥିବା ଧନସମ୍ପଦ ସଂକ୍ରାନ୍ତୀୟ ସରକାରୀ ନୀତି ଉପରେ ଆକ୍ରମଣ କରିବାଦ୍ଵାରା ସାମ୍ରାଜ୍ୟବାଦୀ ଅର୍ଥନୀତିର ମୂଳତତ୍ତ୍ଵ ଉପରେ କୁଠାରାଘାତ କଲେ । ଏହିପରିଭାବେ ସାଧାରଣ ଲୋକେ ଉପନିବେଶର ଶୋଷଣମୂଳକ ନୀତିକୁ ହୃଦୟଙ୍ଗମ କରିପାରିଲେ ।

 

ସେତେବେଳେ କୁହାଯାଉଥିଲା ଯେ, ଇଂରେଜ ଶାସନଦ୍ଵାରା ଭାରତରେ ଜୀବନ ଓ ଧନସମ୍ପତ୍ତିର ନିରାପତ୍ତା ସୁରକ୍ଷିତ ହେଲା । ଦାଦାଭାଇ ନାରୋଜୀ ଏପ୍ରକାର ଦାବିର ଅଯୌକ୍ତିକତା ପ୍ରମାଣ କରି କହିଥିଲେ :

 

“ଭାରତରେ ଜୀବନ ଓ ସମ୍ପତ୍ତିର ନିରାପତ୍ତା ରହିଥିବା କଥା ଉଦ୍ଭଟ ଓ କପୋଳକଳ୍ପିତ । ବାସ୍ତବିକ ସେପରି କୌଣସି ନିରାପତ୍ତା ନାହିଁ । ଜୀବନ ଓ ସମ୍ପତ୍ତିର ନିରାପତ୍ତା ଗୋଟିଏ ଦୃଷ୍ଟିରୁ ରହିଛି–ତା’ ହେଉଛି ପ୍ରତିହିଂସ୍ର ଆଚରଣ ତଥା ଏକଛତ୍ରବାଦୀ ଦେଶୀୟ ଶାସକମାନଙ୍କ ସ୍ଵେଚ୍ଛାଚାର ବିରୁଦ୍ଧରେ ସୁରକ୍ଷା । କିନ୍ତୁ ଇଂଲଣ୍ଡର ସର୍ବଗ୍ରାସୀ ଉପନିବେଶବାଦୀ କବଳରୁ ତ ସମ୍ପତ୍ତିର ଉଦ୍ଧାର ନାହିଁ ବା ନିରାପତ୍ତା ନାହିଁ; ଫଳରେ ଜୀବନର ମଧ୍ୟ ସୁରକ୍ଷା ନାହିଁ । ଭାରତର ଧନସମ୍ପତ୍ତି ମଧ୍ୟ ସୁରକ୍ଷିତ ନୁହେଁ । ପ୍ରକୃତରେ କିଏ ସୁରକ୍ଷିତ ? ଇଂଲଣ୍ଡ ସୁରକ୍ଷିତ ଓ ସମ୍ପୂର୍ଣ୍ଣରୂପେ ସୁରକ୍ଷିତ ରହି ପୂର୍ଣ୍ଣ ନିରାପତ୍ତା ସହିତ ପ୍ରତିବର୍ଷ ତିନିକୋଟି ବା ଚାରିକୋଟି ପାଉଣ୍ଡ୍ ହାରରେ ଭାରତୀୟ ସମ୍ପତ୍ତି ଭାରତରୁ ନେଇ ଚାଲିଯାଉଛି ଓ ଭାରତରେ ରହି ଭାରତକୁ ଗ୍ରାସ କରୁଛି । ତେଣୁ ମୁଁ ସାହସର ସହିତ କହିପାରେ, ଭାରତରେ କୌଣସି ପ୍ରକାର ଧନଜୀବନର ନିରାପତ୍ତା ନାହିଁ । ଭାରତରେ ଲକ୍ଷ ଲକ୍ଷ ଲୋକଙ୍କପାଇଁ ଜୀବନର ଅର୍ଥ ହେଉଛି କେବେଳ ଅର୍ଦ୍ଧାହାର, ଅନାହାର, ଦୁର୍ଭିକ୍ଷ ଓ ବ୍ୟାଧି ।’’

 

ଇଂରେଜମାନେ ଏହାର ମଧ୍ୟ ସୂଚନା ଦେବାକୁ ଉଦ୍ୟମ କଲେ ଯେ ସେମାନେ ଆସିବା ଫଳରେ ଏ ଦେଶରେ ଦକ୍ଷତାର ସହ ଶାନ୍ତି–ଶୃଙ୍ଖଳା ରକ୍ଷା କରାଯାଇପାରିଲା । ଦାଦାଭାଇ ଏହାକୁ ଘୃଣା ଓ ବ୍ୟଙ୍ଗ କରି କହିଛନ୍ତି :

 

“ଭାରତରେ କୁହାଯାଇଥାଏ, ‘ହାତରେ ମାର ପଛକେ ଭାତରେ ମାର ନାହିଁ ।’ ଏ ଦେଶର ଏକଛତ୍ରବାଦୀ ଶାସକମାନଙ୍କ ଅଧୀନରେ ସମୟ ସମୟରେ ଲୋକମାନଙ୍କ ପିଠିରେ କୋରଡ଼ାମାଡ଼ ବାଜୁଥିଲେ ସୁଦ୍ଧା, ଲୋକମାନେ ଯାହା ଉତ୍ପନ୍ନ କରୁଥିଲେ ତାହା ରଖିପାରୁଥିଲେ ବା ଖାଇପାରୁଥିଲେ । ଭାରତରେ ଇଂରେଜ ଏକଛତ୍ରବାଦୀମାନଙ୍କ ଅଧୀନରେ ମନୁଷ୍ୟ ଶାନ୍ତିପୂର୍ଣ୍ଣ ଭାବରେ ବସବାସ କରୁଛି । ହିଂସ୍ର ମନୋଭାବ ବା ଆଚରଣ ନାହିଁ । କିନ୍ତୁ ତା’ର ସମସ୍ତ ସାରବତ୍ତା ବିଦେଶକୁ ବହିଚାଲିଛି–ଅଦୃଶ୍ୟ ଭାବରେ, ଶାନ୍ତିପୂର୍ଣ୍ଣ ଭାବରେ, ଚତୁରତାର ସହ । ତା’ର ଅନାହାର ଶାନ୍ତିପୂର୍ଣ୍ଣ । ଶାନ୍ତିପୂର୍ଣ୍ଣ ଭାବରେ ତା’ର ପ୍ରାଣବାୟୁ ଉଡ଼ିଯାଏ ଆଇନ ଶୃଙ୍ଖଳାର ଚୌହଦୀ ଭିତରେ-।’’

 

ମୋଟଉପରେ କହିବାକୁ ଗଲେ, ଅର୍ଥନୈତିକ ପ୍ରଶ୍ନ ନେଇ ଯେଉଁ ଆନ୍ଦୋଳନ ଚାଲିଲା, ତା’ ଫଳରେ ଇଂରେଜଶାସନ ଯେ ଭାରତକୁ ଶୋଷଣ କରିବାପାଇଁ ପ୍ରତିଷ୍ଠିତ, ଏ ସମ୍ପର୍କରେ ଏକ ସାର୍ବଜନୀନ ମତ ଭାରତବ୍ୟାପୀ ପ୍ରକାଶ ପାଇଲା । ସମସ୍ତେ ଏକମତ ହେଲେ ଯେ ଇଂରେଜ ଶାସନଦ୍ଵାରା ଭାରତରେ ଦାରିଦ୍ର୍ୟ ଆହୁରି ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଅର୍ଥନୈତିକ ଅଧଃପତନ ଓ ଅବନତି ମଧ୍ୟ ଘଟୁଅଛି । ଇଂରେଜ ଶାସନଦ୍ଵାରା ଯଦି ଭାରତରେ କୌଣସି ପ୍ରକାର ଲାଭ ହୋଇଥାଏ, ଏହି ପ୍ରଭୂତ କ୍ଷତି ତୁଳନାରେ ତାହା ନଗଣ୍ୟ ।

 

ଶାସନ ସଂସ୍କାର

 

ପୂର୍ବବର୍ତ୍ତୀ ଜାତୀୟବାଦୀମାନେ ତତ୍କାଳୀନ ଶାସନ ବ୍ୟବସ୍ଥାର ନିର୍ଭୀକ ସମାଲୋଚକ ଥିଲେ । ଅବ୍ୟବସ୍ଥିତ ଓ ଦୁର୍ନୀତିଗ୍ରସ୍ତ ଶାସନ ପଦ୍ଧତିର ସଂସ୍କାର ଲାଗି ସେମାନେ ଅହରହ ଉଦ୍ୟମ କରୁଥିଲେ । ଶାସନ ସଂସ୍କାର ଆନ୍ଦୋଳନ ଯେଉଁ ସବୁ କାରଣ ଯୋଗୁଁ ହୋଇଥିଲା, ତନ୍ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା ପ୍ରଶାସନିକ ଚାକିରିରେ ଥିବା ଉଚ୍ଚ ବେତନ ହାରର–ସମୀକରଣ । ଅର୍ଥାତ୍ ଭାରତର ଆର୍ଥିକ ପରିସ୍ଥିତି ପ୍ରତି ଦୃଷ୍ଟିରଖି ଏହି ବେତନହାରର ପରିବର୍ତ୍ତନ । ଅବଶ୍ୟ ଏହି ଦାବି ଅର୍ଥନୈତିକ, ରାଜନୈତିକ, ଓ ନୈତିକତାର ଭିତ୍ତି ଉପରେ ଆଧାରିତ ଥିଲା । ଅର୍ଥନୈତିକ ଦୃଷ୍ଟିକୋଣରୁ ବିଚାର କଲେ, ଏହି ବେତନର ଅଧିକା ଭାଗ ବ୍ରିଟେନକୁ ଚାଲିଯାଉଥିବାରୁ ଭାରତୀୟ ଅର୍ଥନୀତିକୁ ଏହା ଗୁରୁତରଭାବେ ଭାରାକ୍ରାନ୍ତ କରିପକାଉଥିଲା । ରାଜନୈତିକ ଦୃଷ୍ଟିରୁ ଶାସନବିଭାଗୀୟ ୟୁରୋପୀୟ କର୍ମଚାରୀମାନେ ଭାରତୀୟ ଆବଶ୍ୟକତା ପ୍ରତି ଗଭୀର ଅବହେଳା ପ୍ରଦର୍ଶନ କରୁଥିଲେ । ବିଶେଷତଃ ସେମାନେ ଭାରତୀୟ ପୁଞ୍ଜିପତିଙ୍କ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରି ୟୁରୋପୀୟ ପୁଞ୍ଜିପତିଙ୍କ ସ୍ଵାର୍ଥକୁ ଜଗୁଥିଲେ । ନୈତିକତା ଦୃଷ୍ଟିରୁ, ଗୌରବୋନ୍ନତ ଭାରତୀୟର ଆସନ ତା’ର ନିଜ ଦେଶରେ ମଧ୍ୟ ସ୍ଥାୟୀଭାବେ ନିମ୍ନରେ ରହିଲା ଓ ଫଳରେ ପୃଥିବୀ ସମକ୍ଷରେ ଭାରତୀୟ ଚରିତ୍ରର ଅଧଃପତନ ଘଟିଲା । ଏହା ସଙ୍ଗେ ସଙ୍ଗେ ଜାତୀୟବାଦୀମାନେ ସ୍ୱଳ୍ପବେତନଭୋଗୀ ତଳଶ୍ରେଣୀର ସରକାରୀ କର୍ମଚାରୀମାନଙ୍କୁ ଅଧିକ ବେତନ ଦିଆଯାଉ ବୋଲି ଦାବି ଜଣାଇଲେ । ତଳ ସ୍ତରରେ ଯେଉଁ ବ୍ୟାପକ ଅଯୋଗ୍ୟତା, ଦୁର୍ନୀତି ଦେଖାଯାଉଥିଲା, ତାହାର ମୂଳକାରଣ ଅତ୍ୟନ୍ତ ଅଳ୍ପ ହାରର ବେତନ ବୋଲି ସେମାନେ ବିଶ୍ଵାସ କରୁଥିଲେ ।

 

ସାଧାରଣ ଲୋକେ ସରକାରୀ ଏଜେଣ୍ଟ ଓ ପୋଲିସ୍‍ଦ୍ଵାରା ଯେଭଳି ଅତ୍ୟାଚାରିତ ଓ ଉତ୍ପୀଡ଼ିତ ହେଉଥିଲେ ତଥା ସେମାନଙ୍କ ପ୍ରତି ଯେଭଳି ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିଲା, ଜାତୀୟବାଦୀମାନେ ତାହା ବିରୁଦ୍ଧରେ ମଧ୍ୟ ଆନ୍ଦୋଳନ ଚାଲୁରଖିଲେ । ଜାତୀୟବାଦୀ ସମ୍ବାଦପତ୍ରଗୁଡ଼ିକରେ ଏପରି ଅତ୍ୟାଚାରର ବହୁ ଦୃଷ୍ଟାନ୍ତ ପ୍ରତିଦିନ ପ୍ରକାଶ ପାଇଲା । ଜାତୀୟବାଦୀମାନେ ଶାସନ ବିଭାଗରୁ ବିଚାର ବିଭାଗକୁ ପୃଥକ୍ କରାଯିବା ଲାଗି ଦାବି ଜଣାଇଲେ-। ସେମାନେ ବିଚାର ପଦ୍ଧତିର ବ୍ୟୟବହୁଳତା ତଥା ବିଳମ୍ବର ସମାଲୋଚନା କଲେ-। କୌଣସି ଜଣେ ଭାରତୀୟ ଓ ଜଣେ ୟୁରୋପୀୟ ମଧ୍ୟରେ ଫଉଜଦାରି ମାମଲା ଘଟିବାମାତ୍ରେ ପ୍ରତିଥର ସେମାନେ ଜଷ୍ଟିସ୍‍ଙ୍କ ପକ୍ଷପାତିତାର ଘୋର ନିନ୍ଦା କରୁଥିଲେ ଏବଂ ଆଇନ ସମ୍ମୁଖରେ ୟୁରୋପୀୟମାନଙ୍କୁ ସ୍ଵତନ୍ତ୍ର ସ୍ଥାନ ନଦେଇ ନିରପେକ୍ଷ ଆଇନ–ଶାସନ ଲାଗି ଦାବି ଜଣାଉଥିଲେ-। ଲୋକମାନଙ୍କୁ ନିରସ୍ତ୍ର କରିଦେବା ନୀତିରେ ସେମାନେ ବିରୋଧ କରୁଥିଲେ ଓ ସମସ୍ତଙ୍କର ଅସ୍ତ୍ରଶସ୍ତ୍ର ରଖିବା ଅଧିକାର ସାବ୍ୟସ୍ତ କରୁଥିଲେ । ଭାରତର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ଯେଉଁ ଆକ୍ରମଣାତ୍ମକ ନୀତି ଅନୁସୃତ ହେଉଥିଲା, ସେମାନେ ତାହାର ବିରୋଧ କଲେ ଏବଂ ଭାରତସହ ବ୍ରହ୍ମଦେଶର ମିଶ୍ରଣ, ଆଫଗାନୀସ୍ଥାନ ଉପରେ ଆକ୍ରମଣ ତଥା ଉତ୍ତର–ପଶ୍ଚିମ ଭାରତର ଆଦିବାସୀ ଲୋକଙ୍କ ପ୍ରତି ଯେଉଁ ଦମନମୂଳକ ନୀତି ଲାଗୁକରାଯାଉଥିଲା ତାହା ବିରୁଦ୍ଧରେ ତୀବ୍ର ପ୍ରତିବାଦର ସ୍ଵର ତୋଳିଲେ ।

 

ଭାରତରେ ଜନକଲ୍ୟାଣର କାର୍ଯ୍ୟ ପ୍ରାୟ ହେଉ ନଥିଲା କହିଲେ ଚଳେ । ଜାତୀୟବାଦୀମାନେ ତାହାର ସମାଲୋଚନା କରି ଦେଶରେ ଜନକଲ୍ୟାଣ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ହାତକୁ ନେବାଲାଗି ସରକାରଙ୍କୁ ଅନୁରୋଧ କଲେ । ବିଶେଷତଃ ଜନସାଧାରଣଙ୍କ ମଧ୍ୟରେ ଶିକ୍ଷା ପ୍ରସାରର ଆବଶ୍ୟକତା ଉପରେ ସେମାନେ ଅଧିକ ଗୁରୁତ୍ଵ ଆରୋପ କରୁଥିଲେ । ସେମାନେ କାରିଗରୀ ଶିକ୍ଷା ଓ ଉଚ୍ଚଶିକ୍ଷାର ଅଧିକ ସୁବିଧା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ଓ ଔଷଧପତ୍ର ସଂକ୍ରାନ୍ତୀୟ ଅଧିକ ସୁବିଧା–ସୁଯୋଗ ଦାବି କଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ କୃଷି ଓ ଶିଳ୍ପ ବିକାଶ ଉଦ୍ଦେଶ୍ୟରେ ସକ୍ରିୟ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯିବା ଲାଗି ଦାବି ଜଣାଇଲେ ।

 

ଯେଉଁ ଭାରତୀୟ ଶ୍ରମିକମାନେ ଦକ୍ଷିଣଆଫ୍ରିକା, ମାଳୟ, ମରିସସ୍, ଫିଜି, ପଶ୍ଚିମଭାରତୀୟ ଦ୍ଵୀପପୁଞ୍ଜ ତଥା ବ୍ରିଟିଶ ଗାଏନା ପ୍ରଭୃତି ବ୍ରିଟିଶ ଉପନିବେଶଗୁଡ଼ିକୁ ସ୍ଥାୟୀଭାବରେ ଚାଲିଯାଇଥିଲେ, ସେମାନଙ୍କ ସ୍ଵାର୍ଥରକ୍ଷା ପାଇଁ ମଧ୍ୟ ଜାତୀୟବାଦୀ ନେତାମାନେ ଆନ୍ଦୋଳନ କଲେ । ସେମାନଙ୍କୁ ଏହି ଉପନିବେଶଗୁଡ଼ିକରେ ଉତ୍କଟ ଧରଣର ବର୍ଣ୍ଣବୈଷମ୍ୟ ତଥା ଅନ୍ୟାନ୍ୟ ବହୁ ପ୍ରକାର ଅତ୍ୟାଚାରର ଶରବ୍ୟ ହେବାକୁ ପଡ଼ୁଥିଲା । ପ୍ରାୟ ପ୍ରତ୍ୟେକ ସ୍ଥାନରେ ସେମାନଙ୍କୁ କ୍ରୀତଦାସ ଭଳି ବ୍ୟବହାର କରାଯାଉଥିଲା । ୧୮୯୩ ଖ୍ରୀଷ୍ଟାବ୍ଦ ପରେ ମୋହନଦାସ କରମଚାନ୍ଦ ଗାନ୍ଧି ଦକ୍ଷିଣଆଫ୍ରିକାରେ ମାନବିକ ଅଧିକାର ଲାଗି ଯେଉଁ ଜନସଂଗ୍ରାମ ଚଳାଇଲେ, ଜାତୀୟବାଦୀମାନେ ତାହାକୁ ସମ୍ପୂର୍ଣ୍ଣରୂପେ ସମର୍ଥନ ଜଣାଇଲେ ।

 

ଚା’ ବଗିଚାର ଶ୍ରମିକମାନେ ସେତେବେଳେ ଅତ୍ୟନ୍ତ କମ୍ ମଜୁରିରେ ପ୍ରାୟ କ୍ରୀତଦାସ ଭଳି ବିଦେଶୀ ମାଲିକମାନଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ । ଭାରତୀୟ ନେତୃବୃନ୍ଦ ସେମାନଙ୍କ ପାଇଁ ମଧ୍ୟ ସଂଘର୍ଷ ଆରମ୍ଭ କଲେ । କିନ୍ତୁ ଏହା ଉଲ୍ଲେଖଯୋଗ୍ୟ ଯେ, ସେତେବେଳେ ଭାରତୀୟ ଶ୍ରମିକମାନେ ଖଣି ଓ କଳକାରଖାନାଗୁଡ଼ିକରେ କଠୋର ଦମନମୂଳକ ନୀତି ଓ ଶୋଷଣର ଶିକାର ହେଉଥିଲେହେଁ ନେତାମାନେ ସେମାନଙ୍କ ସପକ୍ଷରେ ସାମାନ୍ୟତମ ସ୍ଵର ମଧ୍ୟ ଉତ୍ତୋଳନ କରି ନଥିଲେ । ଏ କ୍ଷେତ୍ରରେ ସେମାନେ ଭାରତୀୟ ପୁଞ୍ଜିପତିମାନଙ୍କର ସ୍ଵାର୍ଥରକ୍ଷା ଉପରେ ଅଧିକ ଗୁରୁତ୍ଵ ଆରୋପ କରିଥିଲେ । ସେମାନେ ବୋଧହୁଏ ମନେକରୁଥିଲେ ଯେ ବୈଦେଶିକ କର୍ତ୍ତୃତ୍ୱରୁ ମୁକ୍ତ ହେବାପରେ ଭାରତୀୟ ପୁଞ୍ଜିପତି ନିଜେହିଁ ଶ୍ରମିକମାନଙ୍କ ଭାଗ୍ୟୋନ୍ନତି ଲାଗି ସଚେଷ୍ଟ ହେବେ ।

 

ବେସାମରିକ ଅଧିକାରର ପ୍ରତିରକ୍ଷା

 

ରାଜନୀତି–ସଚେତନ ଭାରତୀୟମାନେ ପ୍ରାରମ୍ଭରୁ ଭାଷଣ, ସମ୍ବାଦପତ୍ର ଚିନ୍ତାଧାରା ସଂଘ ସମିତି ଗଠନର ସ୍ଵାଧୀନତା ପ୍ରଭୃତି ଆଧୁନିକ ବେସାମରିକ ଅଧିକାରଗୁଡ଼ିକ ପ୍ରତି ଅତ୍ୟନ୍ତ ଆକୃଷ୍ଟ ଥିଲେ । ଫଳରେ, ଯେତେବେଳେ ସରକାର ଏହି ଅଧିକାରକୁ ଲଙ୍ଘନ କରୁଥିଲେବି ସେଗୁଡ଼ିକୁ ଖର୍ବ କରିବାପାଇଁ ଉଦ୍ୟମ କରୁଥିଲେ, ସେମାନେ ତା’ର ପ୍ରବଳ ପ୍ରତିରୋଧ କରୁଥିଲେ । ଭାରତୀୟ ଭାଷାରେ ପ୍ରକାଶିତ ସମ୍ବାଦପତ୍ରଗୁଡ଼ିକର ମୁହଁ ବନ୍ଦ କରିବା ଉଦ୍ଦେଶ୍ୟରେ ୧୮୭୮ ଖ୍ରୀଷ୍ଟାବ୍ଦରେ ଭର୍ଣ୍ଣାକୁଲାର ପ୍ରେସ୍ ଆଇନ ପ୍ରଣୟନ କରାଗଲା । ୧୮୮୦ ଖ୍ରୀଷ୍ଟାବ୍ଦରେ ତାହାକୁ ପ୍ରତ୍ୟାହାର କରିନିଆଯିବା ପର୍ଯ୍ୟନ୍ତ ସେମାନେ ତାହାର ପ୍ରବଳ ବିରୋଧ କରିଥିଲେ । ସେହିପରି ୧୮୯୦ ଖ୍ରୀଷ୍ଟାବ୍ଦରେ ସରକାରୀ କାଗଜପତ୍ରର ଗୋପନୀୟତା ରକ୍ଷା କରିବା ଆଳରେ ସମ୍ବାଦପତ୍ରର ସମାଲୋଚନାକୁ ଦମନ କରିବା ଲାଗି ଯେତେବେଳେ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଗଲା, ସେମାନେ ନିର୍ଭୀକଭାବେ ତାହାର ବିରୋଧ କଲେ ।

 

ଏ ସମ୍ପର୍କରେ ବାଳଗଙ୍ଗାଧର ତିଳକଙ୍କ ସମେତ ଅନ୍ୟାନ୍ୟ ବହୁ ନେତା ତଥା ସମ୍ବାଦପତ୍ର ସମ୍ପାଦକଙ୍କୁ ଗିରଫ୍ କରାଯାଇଥିଲା । ସେମାନେ ଲୋକଙ୍କୁ ଇଂରେଜ ସରକାରଙ୍କ ପ୍ରତି ବିମୁଖ ଓ ଅସନ୍ତୁଷ୍ଟ କରାଉଥିଲେ ବୋଲି ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଥିଲା । ସେତେବେଳକୁ ତିଳକ ଜଣେ ନିର୍ଭୀକ ଜାତୀୟବାଦୀ ନେତା ଭାବରେ ସୁଖ୍ୟାତ ଅର୍ଜନ କରିସାରିଥାନ୍ତି । ସେପରି ନେତାଙ୍କୁ ଅଠରମାସ ସଶ୍ରମ କାରାଦଣ୍ଡ ଦିଆଗଲା । ପୁନାର ଦୁଇଜଣ ନେତା ନାଟୁ ଭ୍ରାତୃଦ୍ୱୟଙ୍କୁ ବିନା ବିଚାରରେ ଦ୍ୱୀପାନ୍ତର ଦଣ୍ଡ ଦିଆଗଲା । ଅନ୍ୟାନ୍ୟ ବହୁ ସମ୍ବାଦପତ୍ର ସମ୍ପାଦକଙ୍କୁ ମଧ୍ୟ ସେହିପରି ଦଣ୍ଡ ଭୋଗିବାକୁ ପଡ଼ିଲା । ବ୍ୟକ୍ତି–ସ୍ଵାତନ୍ତ୍ର୍ୟ ଓ ନାଗରିକ ଅଧିକାର ଉପରେ ଏହି ଯେଉଁ ହସ୍ତକ୍ଷେପ କରାଗଲା, ତା’ ବିରୁଦ୍ଧରେ ଜାତୀୟବାଦୀ ସମ୍ବାଦପତ୍ର ତଥା ବିଭିନ୍ନ ରାଜନୈତିକ ସଙ୍ଗଠନ ଅସ୍ତ୍ର ଉତ୍ତୋଳନ କଲେ । ଏହାର ପ୍ରତିରୋଧ ଲାଗି ଦେଶବ୍ୟାପୀ ଆନ୍ଦୋଳନ ମଧ୍ୟ ଆରମ୍ଭ ହେଲା । ଦିନକ ଭିତରେ ତିଳକ ସମଗ୍ର ଭାରତର ଜନପ୍ରିୟ ନେତା ହୋଇଉଠିଲେ ଏବଂ ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ‘ଲୋକମାନ୍ୟ’ ଉପାଧିରେ ଭୂଷିତ କରାଗଲା-

 

ବାକ୍–ସ୍ଵାଧୀନତା ଓ ସମ୍ବାଦପତ୍ର ସ୍ଵାଧୀନତାକୁ ଖର୍ବ କରିବା ତଥା ପୋଲିସ୍‍ର କ୍ଷମତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାର ଆଇନ ପ୍ରଣୟନ କଲେ । ଫଳରେ ଜାତୀୟବାଦୀ କର୍ମୀମାନଙ୍କୁ ଗୁଣ୍ଡା, ଦାଗୀ ଓ ଚରିତ୍ରଭ୍ରଷ୍ଟ ଲୋକମାନଙ୍କ ଭଳି ବ୍ୟବହାର କରାଗଲା । ଏହି ଆଇନ ବିରୁଦ୍ଧରେ ମଧ୍ୟ ଦେଶବ୍ୟାପୀ ସଙ୍ଗଠନ ଚାଲିଲା । ପ୍ରକୃତପକ୍ଷେ, ବେସାମରିକ ଅଧିକାରର ସୁରକ୍ଷା ଲାଗି ଯେଉଁ ସଂଘର୍ଷ ଆରମ୍ଭ ହେଲା, ତାହା ସ୍ଵାଧୀନତା ସଂଗ୍ରାମର ଏକ ଅବିଚ୍ଛେଦ୍ୟ ଅଂଶ ହୋଇପଡ଼ିଲା ।

 

ସାମ୍ବିଧାନିକ ସଂସ୍କାର ଏବଂ ସ୍ୱାୟତ୍ତ ଶାସନ

 

ପ୍ରଥମରୁ ଜାତୀୟବାଦୀମାନେ ବିଶ୍ଵାସ ରଖିଥିଲେ ଯେ ଭାରତ କ୍ରମଶଃ ଗଣତାନ୍ତ୍ରିକ ସ୍ୱାୟତ୍ତ ଶାସନ ଦିଗକୁ ନିଶ୍ଚୟ ଅଗ୍ରଗତି କରିବ । କିନ୍ତୁ ଏହି ଲକ୍ଷ୍ୟ ପୂରଣପାଇଁ ସେମାନେ ତୁରନ୍ତ ଦାବି କରି ନଥିଲେ, ବରଂ ବିଭିନ୍ନ ସ୍ତର ଓ ପର୍ଯ୍ୟାୟ ଦେଇ ସ୍ଵାଧୀନତା ଲାଭ ଦିଗରେ ଅଗ୍ରଗତି କରିବା ଲାଗି ପ୍ରସ୍ତାବ ଦେଇଥିଲେ । ସେମାନେ ଯେଉଁ ରାଜନୈତିକ ଦାବିଗୁଡ଼ିକ ତୁରନ୍ତ ପୂରା ହେଉ ବୋଲି ଦାବି କରୁଥିଲେ ସେଗୁଡ଼ିକ ମାମୁଲିଧରଣର ଥିଲା । ସେମାନେ କହିଲେ ଯେ, ତତ୍କାଳୀନ ବିଧାନପରିଷଦଗୁଡ଼ିକର ସଂସ୍କାର ତଥା ସମ୍ପ୍ରସାରଣ କରାଯାଇ ରାଷ୍ଟ୍ର ପରିଚାଳନା ଦିଗରେ ଭାରତକୁ ଆହୁରି ଅଧିକ ଅଂଶଗ୍ରହଣ କରିବାକୁ ଦିଆଯାଉ । ୧୮୬୧ ଖ୍ରୀଷ୍ଟାବ୍ଦରେ ‘ଇଣ୍ଡିଆନ୍ କାଉନ୍‍ସିଲ୍‍ସ ଆକ୍ଟ’ ଅନୁଯାୟୀ ପରିଷଦଗୁଡ଼ିକୁ କେତେକ ବେସରକାରୀ ଲୋକ ମନୋନୀତ ହେଉଥିଲେ । ଏହି ସମସ୍ତ ବେସରକାରୀ ମନୋନୀତ ସଦସ୍ୟମାନେ ସାଧାରଣତଃ ଥିଲେ ଜମିଦାର ବା ବଡ଼ ବ୍ୟବସାୟୀ । ସେମାନେ ସରକାରୀ ନୀତିକୁ ସମ୍ପୂର୍ଣ୍ଣରୂପେ ସମର୍ଥନ କରୁଥିଲେ । ଉଦାହରଣସ୍ୱରୂପ କୁହାଯାଇପାରେ ଯେ, ୧୮୮୮ ଖ୍ରୀଷ୍ଟାବ୍ଦରେ ସେମାନେ ଲୁଣ ଉପରେ ଟିକସ ବୃଦ୍ଧିକୁ ଦ୍ଵିଧାହୀନଭାବେ ସମର୍ଥନ ଜଣାଇଥିଲେ । କଂଗ୍ରେସ ମଞ୍ଚ ଉପରେ ସେମାନଙ୍କୁ ବିଦ୍ରୂପ ଛଳରେ ବହୁବାର ‘ସୁନାପାଣିଦିଆ ନକଲି ଟଙ୍କା’ ଓ ‘ଗୋବର ଗଣେଶ’ ବୋଲି କୁହାଯାଉଥିଲା । ଜାତୀୟବାଦୀମାନେ ବିଧାନପରିଷଦଗୁଡ଼ିକର କ୍ଷମତା ପରିସର ବୃଦ୍ଧିଲାଗି ଦାବି କଲେ । ବଜେଟ ଆଲୋଚନା ଏବଂ ଦୈନନ୍ଦିନ ଶାସନ କାର୍ଯ୍ୟର ସମାଲୋଚନା ତଥା ପ୍ରଶ୍ନ ପଚାରିବା କ୍ଷମତା ମଧ୍ୟ ଦାବି କରାଗଲା । ପରିଷଦର ଅଧିକାଂଶ ସଦସ୍ୟ ନିର୍ବାଚିତ ଲୋକପ୍ରତିନିଧି ହେବା ଉଚିତ ବୋଲି ଜାତୀୟବାଦୀମାନେ ମତ ପ୍ରକାଶ କଲେ ।

 

ଜନସାଧାରଣଙ୍କ ଦାବି ଫଳରେ ସରକାର ପୁରାତନ ନୀତି ନିୟମର ସଂଶୋଧନ କଲେ ଓ ନୂଆକରି ଇଣ୍ଡିଆନ୍ କାଉନ୍‍ସିଲ୍ ଆକ୍ଟ ୧୮୯୨ ଖ୍ରୀଷ୍ଟାବ୍ଦରେ ଗୃହୀତ ହେଲା । ଏହି ଆଇନ ବଳରେ ବେସରକାରୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇଲା ଓ ସେମାନଙ୍କ ମଧ୍ୟରୁ କେତେକ ପରୋକ୍ଷଭାବରେ ନିର୍ବାଚିତ ହେଲେ । ସଦସ୍ୟମାନଙ୍କୁ ବଜେଟ ଉପରେ ଭାଷଣ ଦେବାଲାଗି ଅଧିକାର ମିଳିଲା, ମାତ୍ର ସେମାନେ ବଜେଟ ଉପରେ ଭୋଟ ଦେଇପାରିଲେ ନାହିଁ । ଏହି ସାମାନ୍ୟ ପରିବର୍ତ୍ତନଦ୍ଵାରା ଭାରତୀୟମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଲା । ସେମାନଙ୍କ ଦାବିପତ୍ର ବିଦ୍ରୂପ କରାଯାଉଛି ବୋଲି ସେମାନେ ମନେକଲେ । ତା’ପରେ ଆନ୍ଦୋଳନ ଚାଲିଲା ପରିଷଦର ସର୍ବାଧିକ ସଦସ୍ୟ ବେସରକାରୀ ଲୋକପ୍ରତିନିଧି ହେବାକୁ ଦାବି ନେଇ । ବିଶେଷତଃ ସରକାରୀ ଟଙ୍କାପଇସା ଉପରେ ବେସରକାରୀ ଭାରତୀୟମାନଙ୍କ ନିୟନ୍ତ୍ରଣ ଲାଗୁ କରିବା ଥିଲା ଆନ୍ଦୋଳନର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ । ଜାତୀୟବାଦୀମାନେ ସ୍ଲୋଗାନ୍‍ଦେଲେ–ପ୍ରତିନିଧିତ୍ଵ ବିନା ଟିକସ ଦେବାର ପ୍ରଶ୍ନ ଉଠୁନାହିଁ । ଏସବୁ ସତ୍ତ୍ୱେ ସେମାନେ କିନ୍ତୁ ସେମାନଙ୍କ ଗଣତାନ୍ତ୍ରିକ ଦାବିର ମୂଳଭିତ୍ତିକୁ ଆହୁରି ବ୍ୟାପକ କରିପାରିଲେ ନାହିଁ । ସାବାଳକ ଭୋଟ ପ୍ରଥା ଓ ନାରୀମାନଙ୍କଲାଗି ଭୋଟ ଅଧିକାର ଦାବି କରାଯାଇ ନଥିଲା । ତେଣୁ ଏହା ସ୍ଵାଭାବିକ ଯେ ସେମାନଙ୍କ ଦାବି ଫଳରେ କେବଳ ଉଚ୍ଚ ତଥା ମଧ୍ୟବିତ୍ତ ଶ୍ରେଣୀର ଲୋକେ ଉପକୃତ ହେଲେ ।

 

ପୂର୍ବବର୍ତ୍ତୀ ଜାତୀୟବାଦୀମାନେ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ସେମାନଙ୍କ ରାଜନୈତିକ ଲକ୍ଷ୍ୟ ପଥରେ ଦ୍ରୁତ ଅଗ୍ରଗତି କଲେ । ସେତେବେଳକୁ ସେମାନଙ୍କର ଦାବି ସଂସ୍କାର ବା ସଂଶୋଧନରେ ଆବଦ୍ଧ ନଥିଲା । ସେମାନେ ଦାବି କଲେ, ସମ୍ପୂର୍ଣ୍ଣ ସ୍ୱାୟତ୍ତ ଶାସନ, କାନାଡ଼ା ଓ ଅଷ୍ଟ୍ରେଲିଆ ଭଳି ସ୍ଵଶାସିତ ଉପନିବେଶ; ଯେଉଁଥିରେ ଆଇନ ପ୍ରଣୟନ ତଥା ଆର୍ଥିକ ଆୟବ୍ୟୟ ଭାରତୀୟମାନଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିବ । ମୋଟାମୋଟି ସେମାନଙ୍କ ଦାବି ହେଲା, ସମଗ୍ର ପଦ୍ଧତିର ଆମୂଳ ପରିବର୍ତ୍ତନ । ୧୯୦୪ ଖ୍ରୀଷ୍ଟାବ୍ଦରେ ଦାଦାଭାଇ ନାରୋଜୀଙ୍କ ଦାବି ତଥା ୧୯୦୫ ଖ୍ରୀଷ୍ଟାବ୍ଦରେ ଗୋପାଳକୃଷ୍ଣ ଗୋଖଲେ କଂଗ୍ରେସ ସଙ୍ଗଠନରେ ଯେଉଁ ସଭାପତି ଅଭିଭାଷଣ ଦେଇଥିଲେ, ତାହାକୁ ଏ ସମ୍ପର୍କରେ ଉଦାହରଣ ଦିଆଯାଇପାରେ । ଦାଦାଭାଇ ନାରୋଜୀ ହେଉଛନ୍ତି ପ୍ରଥମ ଭାରତୀୟ ଯେ କି ୧୯୦୬ ଖ୍ରୀଷ୍ଟାବ୍ଦରେ କଂଗ୍ରେସର କଲିକତା ଅଧିବେଶନରେ ପ୍ରଥମଥର ପାଇଁ ଏହି ଦାବିକୁ ବର୍ଣ୍ଣନା କରିବାକୁ ଯାଇ ‘ସ୍ଵରାଜ୍ୟ’ ଶବ୍ଦର ପ୍ରୟୋଗ କଲେ । ଏହିପରି ଭାବରେ ଦେଖିବାକୁ ଗଲେ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଜାତୀୟବାଦୀମାନଙ୍କ ମଧ୍ୟରେ, ଜାତୀୟବାଦୀ ରାଜନୈତିକ ଲକ୍ଷ୍ୟର ସଂଜ୍ଞା ନେଇ କୌଣସି ମୌଳିକ ମତଭେଦ ନଥିଲା-। ଲକ୍ଷ୍ୟ ହାସଲପାଇଁ ସଂଘର୍ଷର ପଦ୍ଧତି ଏବଂ ସାମାଜିକ ଶ୍ରେଣୀ ତଥା ଗୋଷ୍ଠୀ ଯାହାଙ୍କୁ ଭିତ୍ତି କରି ସଂଘର୍ଷ ଚାଲିବ–ଏସବୁ ନେଇ ପ୍ରକୃତ ମତଭେଦ ରହିଥିଲା । ଅନ୍ୟ ଭାବରେ କହିଲେ, ଉଦ୍ଦେଶ୍ୟ ନେଇ କୌଣସି ମତାନୈକ୍ୟ ନଥିଲା, କେବଳ ତାକୁ ବାସ୍ତବ ରୂପରେଖ ଦେବାର ପଦ୍ଧତି ନେଇ ମତଦ୍ଵୈଧ ରହିଥିଲା ।

 

ରାଜନୈତିକ କାର୍ଯ୍ୟ ପଦ୍ଧତି

 

ରାଜନୈତିକ କାର୍ଯ୍ୟର ପଦ୍ଧତି ଓ ପ୍ରତିବାଦର ସ୍ୱରୂପ ଯୋଗୁଁହିଁ ପୂର୍ବବର୍ତ୍ତୀ ଜାତୀୟବାଦୀମାନଙ୍କୁ ନରମପନ୍ଥୀ ବୋଲି କୁହାଯାଉଥିଲା । ସେମାନଙ୍କ ପଦ୍ଧତିକୁ ସଂକ୍ଷେପରେ ଆଇନସମ୍ମତ ସାମ୍ବିଧାନିକ ଆନ୍ଦୋଳନ ତଥା, ଧୀର, ଶୃଙ୍ଖଳିତ, ରାଜନୈତିକ ପ୍ରଗତି ବୋଲି କୁହାଯାଇପାରେ । ଲୋକମାନଙ୍କୁ ଆଧୁନିକ ରାଜନୀତି ସମ୍ପର୍କୀୟ ଶିକ୍ଷା ଦେବା, ଜାତୀୟ ରାଜନୈତିକ ଚେତନା ଉଦ୍ଦୀପ୍ତ କରିବା ଏବଂ ରାଜନୈତିକ ସମସ୍ୟା ଉପରେ ସମ୍ମିଳିତ ଜନମତ ସୃଷ୍ଟି କରିବା ସେମାନଙ୍କର ମୁଖ୍ୟ ଦାୟିତ୍ଵ ବୋଲି ସେମାନେ ବିଶ୍ଵାସ କରୁଥିଲେ । ସେଥିପାଇଁ ସେମାନଙ୍କୁ ବିଭିନ୍ନ ପଦ୍ଧତି ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ସେମାନେ ସାଧାରଣସଭା କରୁଥିଲେ ଏବଂ ସେଥିରେ ଉଚ୍ଚ ସ୍ତରର ରାଜନୈତିକ ତଥା ବୌଦ୍ଧିକ ଭାଷଣ ଶୁଣିବାକୁ ମିଳୁଥିଲା । ଜନସାଧାରଣଙ୍କ ଦାବି ସମ୍ବଳିତ ପ୍ରସ୍ତାବ ସବୁ ଗୃହୀତ ହେଉଥିଲା । ଜାତୀୟବାଦୀମାନେ ସମ୍ବାଦପତ୍ର ମାଧ୍ୟମରେ ସରକାରକୁ ତୀବ୍ର ସମାଲୋଚନା କରୁଥିଲେ । ସେମାନେ ଉଚ୍ଚ ସରକାରୀ କର୍ମକର୍ତ୍ତାଙ୍କୁ ଏବଂ ବ୍ରିଟିଶ ପାର୍ଲିଆମେଣ୍ଟ୍‍କୁ ମଧ୍ୟ ବହୁ ସ୍ମାରକପତ୍ର ତଥା ଆବେଦନପତ୍ର ପଠାଉଥିଲେ । ଏହି ସ୍ମାରକପତ୍ର ଓ ଆବେଦନଗୁଡ଼ିକ ବିଶେଷ ଯତ୍ନର ସହ ଲେଖାଯାଉଥିଲା । ଘଟଣା ସହିତ ଯୁକ୍ତି ବା କାରଣ ବର୍ଣ୍ଣନା କରାଯାଇ ସେଗୁଡ଼ିକ ପ୍ରାମାଣିକ ତଥ୍ୟ ଭାବରେ ଉପସ୍ଥାପିତ କରାଯାଉଥିଲା । ବାହ୍ୟତଃ ସେଗୁଡ଼ିକ ସରକାରଙ୍କ ପ୍ରତି ଉଦ୍ଦିଷ୍ଟ ଥିଲେହେଁ, ସେଗୁଡ଼ିକର ଅସଲ ଉଦ୍ଦେଶ୍ୟ ଥିଲା ଏ ଦିଗରେ ଭାରତୀୟ ଲୋକଙ୍କୁ ଶିକ୍ଷା ଦେବା । ଏ ସମ୍ପର୍କୀୟ ଉଦାହରଣ ମଧ୍ୟ ବିରଳ ନୁହେଁ । ୧୮୯୧ ଖ୍ରୀଷ୍ଟାବ୍ଦରେ ଯୁବକ ଗୋଖଲେ ପୁନା ସାର୍ବଜନୀକ ସଭାଦ୍ଵାରା ଯତ୍ନର ସହିତ ଲିଖିତ ସ୍ମାରକପତ୍ରର ଦୁଇଟି ବାକ୍ୟ ସମ୍ବଳିତ ଗୋଟିଏ ଉତ୍ତର ସରକାରଙ୍କଠାରୁ ପାଇଲେ ଏବଂ ସେଥିରେ ସେ ହତାଶ ହୋଇ ପଡ଼ିଲେ, ଅସନ୍ତୋଷ ମଧ୍ୟ ପ୍ରକାଶ କଲେ । ସେତେବେଳେ ଜଷ୍ଟିସ୍ ରାଣାଡ଼େ ତାଙ୍କ ପାଖକୁ ଲେଖିଥିଲେ–

 

“ଆମ ଦେଶର ଇତିହାସରେ ଆମର ସ୍ଥାନ କେଉଁଠି, ତାହା ତୁମେ ବୁଝିପାରି ନାହଁ । ଏଇ ସବୁ ସ୍ମାରକପତ୍ର ନାମମାତ୍ର ସରକାରଙ୍କ ନିକଟକୁ ପଠାଯାଉଛି, ପ୍ରକୃତ ପକ୍ଷେ ସେଗୁଡ଼ିକ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ । ଫଳରେ ସେମାନେ ଏହିସବୁ ବିଷୟରେ କିପରି ଚିନ୍ତା କରିବାକୁ ହୁଏ, ତାହା ଶିକ୍ଷା କରିପାରିବେ । କୌଣସିପ୍ରକାର ଫଳାଫଳର ଆଶା ନରଖି ବହୁ ବର୍ଷ ପର୍ଯ୍ୟନ୍ତ ଏପରି କାର୍ଯ୍ୟ କରିବାକୁ ପଡ଼ିବ, କାରଣ ଏ ପ୍ରକାର ରାଜନୀତି ଏ ଦେଶରେ ସମ୍ପୂର୍ଣ୍ଣ ନୂତନ ।’’

 

ପୂର୍ବବର୍ତ୍ତୀ ଜାତୀୟବାଦୀମାନଙ୍କ ରାଜନୈତିକ କାର୍ଯ୍ୟକଳାପର ଦ୍ଵିତୀୟ ଲକ୍ଷ୍ୟ ଥିଲା, କେତେକ ଈପ୍‍ସିତ ପରିବର୍ତ୍ତନର ପ୍ରବର୍ତ୍ତନ ଲାଗି ଇଂରେଜ ସରକାର ତଥା ବ୍ରିଟିଶ ଜନମତକୁ ପ୍ରଭାବିତ କରିବା । ପ୍ରଥମେ ଜାତୀୟବାଦୀମାନେ ବିଶ୍ଵାସ କରିଥିଲେ ଯେ, ଇଂରେଜମାନେ ଭାରତର ପ୍ରକୃତ ଅବସ୍ଥା ସମ୍ପର୍କରେ ଅବହିତ ନୁହନ୍ତି । ସେଥିପାଇଁ ସେମାନେ ବ୍ରିଟିଶ ଜନତା ଓ ବ୍ରିଟେନରେ ସକ୍ରିୟ ରାଜନୈତିକ ପରିପ୍ରଚାର ମାଧ୍ୟମରେ ଏଠାକାର ପରିସ୍ଥିତି ବିଷୟରେ ଅବହିତ ରଖିବାପାଇଁ ଉଦ୍ୟମ କରୁଥିଲେ । ପ୍ରଖ୍ୟାତ ଭାରତୀୟ ନେତାମାନଙ୍କ ପ୍ରତିନିଧି ଦଳ ବ୍ରିଟେନକୁ ପଠାଗଲା । ୧୮୮୯ ଖ୍ରୀଷ୍ଟାବ୍ଦରେ ଜାତୀୟ କଂଗ୍ରେସରେ ଗୋଟିଏ ‘ବ୍ରିଟିଶ କମିଟି’ ଗଠନ କରାଗଲା । ୧୮୯୦ ଖ୍ରୀଷ୍ଟାବ୍ଦରେ ଏହି କମିଟି ତରଫରୁ ‘ଇଣ୍ଡିଆ’ ନାମକ ଗୋଟିଏ ପତ୍ରିକା ପ୍ରକାଶ ପାଇଲା । ଦାଦାଭାଇ ନାରୋଜୀ ବ୍ରିଟେନର ଜନସାଧାରଣ ଓ ରାଜନୈତିକ ନେତାମାନଙ୍କ ମଧ୍ୟରେ ପ୍ରଚାର କାର୍ଯ୍ୟ କରିବାକୁ ଯାଇ ତାଙ୍କ ଜୀବନକାଳ ତଥା ଆୟର ଅଧିକାଂଶ ଭାଗ ବ୍ରିଟେନରେହିଁ ବ୍ୟୟ କରିଥିଲେ ।

 

ପୂର୍ବବର୍ତ୍ତୀ ଜାତୀୟବାଦୀମାନେ ଆଇନଗତ ଆନ୍ଦୋଳନ ଉପରେ ଆସ୍ଥା ସ୍ଥାପନ କରିଥିଲେହେଁ, କେବଳ ସମ୍ବାଦପତ୍ରକୁ ଆୟୁଧରୂପେ ବ୍ୟବହାର କରି ସେମାନେ ଦେଶ ବ୍ୟାପୀ ଆନ୍ଦୋଳନ ସଙ୍ଗଠିତ କରି ପାରି ନଥିଲେ । ଏହି ସୀମିତ ଭିତ୍ତି ଉପରେ ନିର୍ଭର କରି ଯାହା ବା ଆନ୍ଦୋଳନ କରାଗଲା ତାକୁ ଅବ୍ୟାହତ ଚଳାଇ ରଖିବାରେ ମଧ୍ୟ ସେମାନେ ବିଫଳ ହେଲେ । ଅର୍ଥାଭାବ ଅବଶ୍ୟ ସେଥିପାଇଁ କେତେକ ଅଂଶରେ ଦାୟୀ । ସେମାନଙ୍କର ଟଙ୍କାପଇସାର ଅଭାବ ଲାଗି ରହିଥିଲା । ବ୍ୟବସାୟୀ, ଶିଳ୍ପପତି ଓ ଜମିଦାର ପ୍ରଭୃତି ଧନଶାଳୀ ଭାରତୀୟମାନେ ସେ ପର୍ଯ୍ୟନ୍ତ ଜାତୀୟ ଆନ୍ଦୋଳନକୁ କୌଣସି ପ୍ରକାର ଆର୍ଥିକ ସାହାଯ୍ୟ ଦେଇ ନଥିଲେ । ବହୁସଂଖ୍ୟକ ରାଜନୈତିକ ନେତାଙ୍କୁ ସେମାନଙ୍କର ସ୍ୱଳ୍ପ ଆୟରେ ଚଳିବାକୁ ହେଉଥିଲା । ଉଦାହରଣସ୍ୱରୂପ, ସୁରେନ୍ଦ୍ରନାଥ ବାନାର୍ଜୀ ଓ ଗୋପାଳକୃଷ୍ଣ ଗୋଖଲେ ଶିକ୍ଷକତାଦ୍ଵାରା ଯେଉଁ ସାମାନ୍ୟ ଉପାର୍ଜନ କରୁଥିଲେ, ସେଥିରେ ଚଳିଯାଉଥିଲେ । ତିଳକ ଏହି ଉଦ୍ଦେଶ୍ୟରେ ବ୍ୟକ୍ତିଗତଭାବେ କେତେକ ଆଇନ ଛାତ୍ରଙ୍କୁ ପଢ଼ାଉଥିଲେ । ପୂର୍ବବର୍ତ୍ତୀ ଜାତୀୟବାଦୀ ନେତାମାନଙ୍କ ମଧ୍ୟରେ କାହିଁକି ବହୁସଂଖ୍ୟକ ଓକିଲ ଓ ସାମ୍ବାଦିକ ଥିଲେ ତାହା ବିଶ୍ଳେଷଣ କଲେ ଜଣାପଡ଼େ ଯେ, ଏହି ଦୁଇଟି ଥିଲା ସମ୍ପୂର୍ଣ୍ଣ ସ୍ଵାଧୀନ ବୃତ୍ତି ଏବଂ ସଙ୍ଗଠନଗୁଡ଼ିକ ଥିଲା ଘୋର ଅଭାବଗ୍ରସ୍ତ । ତେଣୁ ଅନ୍ୟମାନେ ସେଥିରେ ଯୋଗଦେଇ ପାରୁ ନଥିଲେ ।

 

ଜନସାଧାରଣଙ୍କ ଭୂମିକା

 

ପ୍ରଥମ ପର୍ଯ୍ୟାୟରେ ଜାତୀୟ ଆନ୍ଦୋଳନର ପ୍ରଧାନ ଦୁର୍ବଳତା ଥିଲା ତାହାର ଅତ୍ୟନ୍ତ ସୀମିତ ସାମାଜିକ ଭିତ୍ତି । ସେ ପର୍ଯ୍ୟନ୍ତ ବହୁସଂଖ୍ୟକ ଲୋକ ଆନ୍ଦୋଳନ ପ୍ରତି ଆଗ୍ରହ ପ୍ରକାଶ କରି ନଥିଲେ । ପ୍ରଧାନତଃ ସହରାଞ୍ଚଳରେ ବାସ କରୁଥିବା ଶିକ୍ଷିତ ଭାରତୀୟଙ୍କ ମଧ୍ୟରେ ଏହାର ପ୍ରଭାବ ସୀମାବଦ୍ଧ ଥିଲା । ନେତୃତ୍ଵ ମଧ୍ୟ ଓକିଲ, ଡାକ୍ତର, ସାମ୍ବାଦିକ, ଶିକ୍ଷକ ଏବଂ କେତେକ ବ୍ୟବସାୟୀ ତଥା ଜମି ମାଲିକ ପ୍ରଭୃତି ଜୀବିକାନିର୍ବାହ ଗୋଷ୍ଠୀ ମଧ୍ୟରେ ସୀମିତ ଥିଲା ।

 

ଜନସାଧାରଣଙ୍କ ଉପରେ ନେତାମାନଙ୍କ ଆସ୍ଥା ନଥିଲା । ସେମାନେ ମନେ କରୁଥିଲେ ଯେ, ଆଧୁନିକ ରାଜନୀତିରେ ଅଂଶଗ୍ରହଣ କରି ତତ୍କାଳୀନ ସର୍ବମୟ କ୍ଷମତା ସମ୍ପନ୍ନ ସାମ୍ରାଜ୍ୟବାଦୀ ଶକ୍ତି ବିରୁଦ୍ଧରେ ସଫଳତା ସହ ସଂଗ୍ରାମ ଚଳାଇବା ଲାଗି ଯେଉଁ ଯୋଗ୍ୟତା ଓ ଚାରିତ୍ରିକ ଉତ୍କର୍ଷ ଆବଶ୍ୟକ, ଭାରତୀୟ ଲୋକଙ୍କ ମଧ୍ୟରେ ତାହାର ଅଭାବ ରହିଛି । ସକ୍ରିୟ ରାଜନୈତିକ ସଂଘର୍ଷପାଇଁ ଯାହା ସବୁ ସାଙ୍ଗଠନିକ ଅସୁବିଧା ରହିଛି ତା’ର ବର୍ଣ୍ଣନା କରି ଗୋଖଲେ କହିଥିଲେ ଯେ, “ଦେଶରେ ଅଗଣିତ ବିଭାଜନ ଓ ଉପବିଭାଜନ ରହିଛି । ବହୁସଂଖ୍ୟକ ଲୋକ ଅଜ୍ଞ ଏବଂ ପୁରାତନ ଚିନ୍ତାଧାରା ତଥା ମନୋଭାବକୁ ଜାବୁଡ଼ି ଧରି ରଖିଛନ୍ତି । ଏହି ମନୋଭାବ ସବୁ ପ୍ରକାର ପରିବର୍ତ୍ତନର ବିରୋଧୀ; ଲୋକେ ମଧ୍ୟ ପରିବର୍ତ୍ତନ କ’ଣ ତା’ ଜାଣନ୍ତି ନାହିଁ ।’’ ନରମପନ୍ଥୀ ନେତୃବର୍ଗଙ୍କର ଏହାହିଁ ହେଲା ଗୁରୁତର ଭୁଲ । ସେମାନେ ଜନସାଧାରଣଙ୍କର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଅନୁନ୍ନତିକୁ ସ୍ପଷ୍ଟରୂପେ ଦେଖିପାରୁଥିଲେହେଁ, ଦୀର୍ଘକାଳ ବ୍ୟାପୀ ସାମ୍ରାଜ୍ୟବାଦ ବିରୋଧୀ ସଂଘର୍ଷ ଲାଗି ଯେଉଁ ସାହସ ଓ ତ୍ୟାଗ ଦରକାର ତାହା ଯେ କେବଳ ଜନସାଧାରଣଙ୍କଠାରୁ ମିଳିପାରିବ ଏବଂ କେବଳ ଯେ ଜନସାଧାରଣଙ୍କ ସମର୍ଥନଦ୍ଵାରା ସେମାନଙ୍କ ରାଜନୈତିକ ଦାବିର ପୂରଣ ସମ୍ଭବ ତାହା କଳ୍ପନା ସୁଦ୍ଧା କରିପାରୁ ନଥିଲେ । ଏପରିକି, କେବଳ ଜନତାର ସଂଘର୍ଷ ଭିତର ଦେଇ ସେମାନଙ୍କ ସାଂସ୍କୃତିକ ଓ ରାଜନୈତିକ ଅନୁନ୍ନତି ଯେ ଘୁଞ୍ଚିପାରେ, ସେ ଧାରଣା ମଧ୍ୟ ସେମାନଙ୍କର ନଥିଲା । ଏଇ ନରମପନ୍ଥୀ ନେତାମାନେ ମଧ୍ୟ ଭାବୁଥିଲେ ଯେ, ଭାରତୀୟ ସମାଜର ଭିନ୍ନ ଭିନ୍ନ ଗୋଷ୍ଠୀଗୁଡ଼ିକୁ ଏକତ୍ରିତ କରି ଗୋଟିଏ ରାଷ୍ଟ୍ରରେ ପରିଣତ ନ କଲା ପର୍ଯ୍ୟନ୍ତ ସାମ୍ରାଜ୍ୟବାଦ ବିରୁଦ୍ଧରେ ଗଣ ଯୁଦ୍ଧ ଚଳାଇବା ଅସମ୍ଭବ । କିନ୍ତୁ ପ୍ରକୃତ କଥା ହେଲା ଏପରି ଏକ ସଂଘର୍ଷ ଭିତରେହିଁ ଭାରତୀୟ ରାଷ୍ଟ୍ର ଗଠନ ସମ୍ଭବ । ଏଇ ନେତାମାନେ ଜନସାଧାରଣଙ୍କଠାରୁ ବିଚ୍ଛିନ୍ନ ହୋଇଯିବାର ପରିଣତି ଥିଲା ଜନତା ପ୍ରତି ସେମାନଙ୍କର ଏଇ ଧାରଣା ଏବଂ ଏହା ଫଳରେ ଜାତୀୟତାବାଦର ପ୍ରାରମ୍ଭିକ ପର୍ଯ୍ୟାୟରେ ଜନତାକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ ଭୂମିକା ଗ୍ରହଣ କରିବା ଲାଗି ଦିଆଯାଇଥିଲା । ଏହାଦ୍ୱାରା ରାଜନୈତିକ ଉଦାରତା ଦେଖାଦେଲା । ନେତୃବୃନ୍ଦ ଜନସାଧାରଣଙ୍କ ସମର୍ଥନ ନ ପାଇବାରୁ ଅନୁଭବ କଲେ ଯେ, ବିଦେଶୀ ଶାସକମାନଙ୍କର ସମ୍ମୁଖୀନ ହେବାପାଇଁ ପ୍ରକୃତ ସମୟ ଆସିନାହିଁ । ତାହା କଲେ, ଅକାଳରେ କେବଳ ନିଷ୍ପେଷଣ ବରଣ କରିବା ସାର ହେବ । ଗୋଖଲେଙ୍କ ଭାଷାରେ–“ସରକାରଙ୍କ ପଛରେ ଯେଉଁ ଅପରିସୀମ ଶକ୍ତି ଠୁଳ ହୋଇ ରହିଛି ତାହା ତୁମେ ହୃଦୟଙ୍ଗମ କରିପାରି ନାହଁ । ତୁମେ ଯେପରି ପ୍ରସ୍ତାବ ଦେଇଛ କଂଗ୍ରେସ ଯଦି ସେପରି କିଛି କରିଥାନ୍ତା, ତାହାହେଲେ ପାଞ୍ଚ ମିନିଟ ଭିତରେ ତା’ର ତଣ୍ଟି ଚିପି ହତ୍ୟା କରିବାପାଇଁ ସରକାରଙ୍କୁ କୌଣସି ପ୍ରକାର ଅସୁବିଧା ହୋଇ ନଥାନ୍ତା । ସଂକ୍ଷେପରେ କହିବାକୁ ଗଲେ, ପରବର୍ତ୍ତୀ କାଳରେ ଜାତୀୟବାଦୀମାନେ, ଉଦାରପନ୍ଥୀମାନଙ୍କ ସହିତ ଏ ବିଷୟରେ ଆଦୌ ଏକମତ ନଥିଲେ । ଭାରତୀୟ ଲୋକମାନଙ୍କର ସଂଗ୍ରାମ ଚଳାଇବା ଦକ୍ଷତା ଉପରେ ସମ୍ପୂର୍ଣ୍ଣ ଆସ୍ଥା ସ୍ଥାପନ କରି ସେମାନେ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଶସ୍ତ୍ର ଗଣ ଯୁଦ୍ଧ ସପକ୍ଷରେ ପ୍ରଚାର କଲେ । ସରକାରଙ୍କ ଦମନମୂଳକ ନୀତି ଫଳରେ ଆନ୍ଦୋଳନର ତ ତଣ୍ଟି ଚିପି ହୋଇଯିବ ନାହିଁ, ବରଂ ତା’ଦ୍ଵାରା ଲୋକମାନେ ଶିକ୍ଷାଲାଭ କରିବେ ଏବଂ ସେମାନଙ୍କର ସାମ୍ରାଜ୍ୟବାଦକୁ ହଟାଇବାର ସଂକଳ୍ପ ଆହୁରି ଦୃଢ଼ୀଭୂତ ହେବ ।

 

ଏକ ସଂକୀର୍ଣ୍ଣ ସାମାଜିକ ଭିତ୍ତି ଉପରେ ଜାତୀୟ ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟ ନିର୍ଭର କରିଥିବାରୁ ଆମେ ଏଇ ସିଦ୍ଧାନ୍ତରେ ପହଞ୍ଚିବା ଉଚିତ ନୁହେଁ ଯେ, ସେଥି ସହିତ ଯୋଗଦେଇଥିବା ବିଭିନ୍ନ ସାମାଜିକ ଶ୍ରେଣୀ ଓ ଗୋଷ୍ଠୀଗୁଡ଼ିକର ସଂକୀର୍ଣ୍ଣ ସ୍ଵାର୍ଥପାଇଁ ଏ ସଂଘର୍ଷ ଚାଲିଥିଲା । ଏହାର ନୀତି ଓ କାର୍ଯ୍ୟକ୍ରମ ଭାରତୀୟ ଲୋକଙ୍କ ବିଭିନ୍ନ ଗୋଷ୍ଠୀର ସ୍ଵାର୍ଥ ରକ୍ଷା ଲାଗି ଉଦ୍ଦିଷ୍ଟ ଥିଲା ଏବଂ ଏହା ଔପନିବେଶିକ ଶୋଷଣ ବିରୁଦ୍ଧରେ ସମଗ୍ର ଦେଶର ସମୂହ ସ୍ଵାର୍ଥର ପ୍ରତିନିଧିତ୍ଵ କରୁଥିଲା । କେବଳ ସାମ୍ରାଜ୍ୟବାଦ ବିରୋଧୀ ସଂଘର୍ଷ ଉଦ୍ଦେଶ୍ୟରେ ସବୁ ଲୋକଙ୍କୁ ସଙ୍ଗଠିତ କରିବାରେ ବିଫଳ ହେବାରୁ ଏଇ ପୂର୍ବବର୍ତ୍ତୀ ଜାତୀୟବାଦୀମାନେ ସାମ୍ରାଜ୍ୟବାଦ ସହିତ ସାଲିସ୍ କରିବାପାଇଁ ବାଧ୍ୟ ହେଲେ । ଏପରିକି ସମୟ ସମୟରେ ବ୍ରିଟିଶ ଶାସନ ପ୍ରତି ଅନୁରକ୍ତି ପ୍ରକାଶ କଲେ ।

 

ସରକାରୀ ମନୋଭାବ

 

ଆରମ୍ଭରୁ ସରକାର, ଜାତୀୟବାଦ ଓ ତା’ର ପ୍ରସାରର ବିରୋଧ କରୁଥିଲେ । କିନ୍ତୁ ୧୮୭୮ ମସିହାରେ ଭାରତୀୟ ସମ୍ବାଦପତ୍ରଗୁଡ଼ିକରେ ଏହାର ପ୍ରବଳ ପ୍ରଚାର ଚାଲିଲା । କାରଣ ସେତେବେଳେ ଔପନିବେଶିକ ନୀତି ଓ ତା’ର ସମାଲୋଚନା ମାଧ୍ୟମରେ ଜାତୀୟ ଚେତନାର ଉଦ୍ରେକ ତଥା ପ୍ରସାର ଲାଗି ଚେଷ୍ଟା କରାଯାଉଥିଲା । ଡଫ୍‍ରିନ୍, ଭାରତୀୟ ଜାତୀୟ କଂଗ୍ରେସର ଗଠନକୁ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିଲେ । ସେତେବେଳେ ସେ ଲେଖିଛନ୍ତି–ସରକାରୀ ନୀତି ଓ କାର୍ଯ୍ୟକଳାପ ସମ୍ପର୍କରେ ଉତ୍‍ଥାପିତ ଦାବିଗୁଡ଼ିକୁ ପୂରଣ କରିବା ଅସମ୍ଭବ । କଂଗ୍ରେସ ରାଜନୈତିକ ଦୃଷ୍ଟିକୋଣ ଛାଡ଼ି ସାମାଜିକ କାର୍ଯ୍ୟକଳାପ ସହିତ ଅଧିକ ସଂପୃକ୍ତ ହେବା ଦରକାର ବୋଲି ହ୍ୟୁମ୍‍ଙ୍କୁ ପ୍ରସ୍ତାବ ଦେଇ ସେ ଆନ୍ଦୋଳନର ଉଦ୍ଦେଶ୍ୟ ଓ ମାର୍ଗ ପରିବର୍ତ୍ତନ କରିଦେବାପାଇଁ ଚେଷ୍ଟା କରିଥିଲେ । କିନ୍ତୁ କଂଗ୍ରେସ ନେତୃବୃନ୍ଦ କୌଣସି ପରିବର୍ତ୍ତନ କରିବାପାଇଁ ମନା କରିଦେଇଥିଲେ । ତଥାପି ସେ ପର୍ଯ୍ୟନ୍ତ ଇଂରେଜ କର୍ତ୍ତୃପକ୍ଷ ପ୍ରକାଶ୍ୟରେ କୌଣସି ପ୍ରକାର ବିରୋଧୀ ମନୋଭାବ ପ୍ରଦର୍ଶନ କରି ନଥିଲେ । ସେମାନେ ଆଶା କରିଥିଲେ ଯେ ଜାତୀୟ କଂଗ୍ରେସ କେବଳ ଅଳ୍ପ କେତେଜଣ ରାଜନୈତିକ ସଚେତନ ଭାରତୀୟଙ୍କୁ ନେଇ ଶିକ୍ଷାଗତ ଆଲୋଚନାରେହିଁ ସୀମିତ ରହିବ । ଏପରିକି ଜାତୀୟବାଦୀ ନେତାମାନଙ୍କ ମଧ୍ୟରେ ଯେଉଁମାନେ ଅଧିକ ବୁଦ୍ଧିମାନ ଓ ମେଧାବୀ ସେମାନଙ୍କୁ ଲେଜିସ୍ଲେଟିଭ କାଉନ୍‍ସିଲ୍‍ରେ ସ୍ଥାନ ଦେଇ କିମ୍ବା ବିଚାର ବହୁଳ ପ୍ରଚାରିତ ମତ ହେଉଛି ଯେ କଂଗ୍ରେସ, ଡଫ୍‍ରିନ୍‍ଙ୍କ ପରାମର୍ଶକ୍ରମେ ସାମାଜିକ ବିଷୟ ଛାଡ଼ି ରାଜନୀତି ସହିତ ଜଡ଼ିତ ହେଲା । ଏ ପ୍ରକାର ଭୁଲ ମତାମତର ସଂଶୋଧନ ଅତ୍ୟନ୍ତ ଆବଶ୍ୟକ । ପ୍ରଥମେ ୧୮୯୮ ଖ୍ରୀଷ୍ଟାବ୍ଦରେ ଗୋଟିଏ ପୁସ୍ତକର ମୁଖବନ୍ଧରେ ଉମେଶଚନ୍ଦ୍ର ବାନାର୍ଜୀ ଏହି ତ୍ରୁଟିପୂର୍ଣ୍ଣ ମତାମତ ବ୍ୟକ୍ତ କରିଥିଲେ । ପରେ ଅନ୍ୟ ଲେଖକମାନେ ଏହି ମତାମତକୁ ଉଦ୍ଧାର, ପୁନରୁଦ୍ଧାର ଓ ପ୍ରଚାର କରିଛନ୍ତି । ଡଫ୍‍ରିନ୍‍ଙ୍କ ବ୍ୟକ୍ତିଗତ କାଗଜପତ୍ରରୁ ଦେଖାଯାଇଛି ଯେ ବାନାର୍ଜୀ ସତ୍ୟ ଘଟଣାକୁ ସମ୍ପୂର୍ଣ୍ଣରୂପେ ଭୁଲିଯାଇଥିଲେ । ତେଣୁ ଠିକ୍ ଓଲଟା କଥା ଲେଖିଛନ୍ତି ।୪୬ ବିଭାଗ ବା ଅନ୍ୟ ଉଚ୍ଚବେତନର ଚାକିରିରେ ନିଯୁକ୍ତି ଦେଇ ସେମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ଇଂରେଜ ସରକାର ରାଜି ଥିଲେ ।

 

କିନ୍ତୁ ଏହା ଖୁବ୍ ଶୀଘ୍ର ଜଣାପଡ଼ିଗଲା ଯେ ଜାତୀୟ କଂଗ୍ରେସ ଏବଂ ଅନ୍ୟ ଜାତୀୟବାଦୀ ସଂଗଠନ, ବିଶିଷ୍ଟ ଭାରତୀୟ ତଥା ସମ୍ବାଦପତ୍ରଗୁଡ଼ିକ ଏପରି ସୀମିତ ଲକ୍ଷ୍ୟ ନେଇ କାମ କରିବାକୁ ଆଦୌ ପ୍ରସ୍ତୁତ ନୁହନ୍ତି । ସମ୍ବାଦପତ୍ର ଲୋକଙ୍କ ପାଖରୁ ଦୂରେଇ ରହିପାରିଲା ନାହିଁ-। କଂଗ୍ରେସ ଭାରତୀୟ ଭାଷାରେ ଲୋକପ୍ରିୟ ପ୍ରଚାର ପୁସ୍ତିକା ପ୍ରକାଶ କରିବାକୁ ଆରମ୍ଭ କଲା-। ସାଧାରଣସଭା ମାଧ୍ୟମରେ ମଧ୍ୟ ଜାତୀୟବାଦର ବାର୍ତ୍ତା ପ୍ରଚାରିତ ହେଲା । ସାଧାରଣ ଲୋକଙ୍କ ଭିତରେ ରାଜନୈତିକ ଚେତନାର ପ୍ରସାର ଇଂରେଜ ସରକାରଙ୍କ ପକ୍ଷରେ ଅସହ୍ୟ ହୋଇ ଉଠିଲା-। କୁହାଗଲା ଯେ, ଏହା ହେଉଛି ରାଜଦ୍ରୋହ । ଜାତୀୟବାଦୀ ଅର୍ଥନୈତିକ ବିକ୍ଷୋଭଦ୍ଵାରା ସାମ୍ରାଜ୍ୟବାଦର ଶୋଷଣ ଓ ତା’ର ପ୍ରକୃତସ୍ୱରୂପ ପ୍ରକାଶ ପାଇଗଲା । ୧୯୦୦ ଖ୍ରୀଷ୍ଟାବ୍ଦରେ ଭାରତ–ବ୍ୟାପାର ସଂକ୍ରାନ୍ତୀୟ ମନ୍ତ୍ରୀ ଜର୍ଜ ହାମିଲ୍‍ଟନ୍ ଦାଦାଭାଇ ନାରୋଜୀଙ୍କ ପାଖକୁ ଅଭିଯୋଗ କରି ଲେଖିଥିଲେ : ଆପଣ ନିଜକୁ ଇଂରେଜ ଶାସନର ଜଣେ ସଚ୍ଚା ସମର୍ଥକ ବୋଲି ଘୋଷଣା କରନ୍ତି; ଇଂରେଜ ଶାସନର ଆନୁଷଙ୍ଗିକ ଅବସ୍ଥା ଓ ଫଳାଫଳକୁ ତୀବ୍ର ନିନ୍ଦା କରୁଛନ୍ତି-। ଏହି ଶାସନ ପରିଚାଳନାରୁ ଏହାର ଆନୁଷଙ୍ଗିକ ଅବସ୍ଥା ଓ ଫଳାଫଳକୁ ଅଲଗା କରିହେବ ନାହିଁ-। ପୂର୍ବରୁ ୧୮୮୬ ଖ୍ରୀଷ୍ଟାବ୍ଦରେ ଡଫ୍‍ରିନ୍‍ ଜାତୀୟବାଦୀ ସମ୍ବାଦପତ୍ରଗୁଡ଼ିକର ଭୂମିକା ବିଷୟରେ ଲେଖିଥିଲେ ଯେ, “ଯେଉଁମାନେ ଏହି ସମ୍ବାଦପତ୍ରଗୁଡ଼ିକ ପଢ଼ନ୍ତି, ଏକାନ୍ତ ନିଃସନ୍ଦେହରୂପେ ସେମାନଙ୍କ ମନରେ ଏକପ୍ରକାର ଦୃଢ଼ବିଶ୍ଵାସ ଜନ୍ମାଇ ଦିଆଯାଉଛି ଯେ ଆମେ ସମସ୍ତେ ମାନବ ସମାଜର ଏବଂ ବିଶେଷତଃ ଭାରତର ଘୋର ଶତ୍ରୁ ।’’

 

ୟା’ପରେ ଇଂରେଜ କର୍ମଚାରୀମାନେ, ଜାତୀୟ କଂଗ୍ରେସ ଏବଂ ଅନ୍ୟାନ୍ୟ ଜାତୀୟବାଦୀ ପ୍ରବକ୍ତାମାନଙ୍କର ପ୍ରକାଶ୍ୟରେ ସମାଲୋଚନା ଓ ନିନ୍ଦା କରିବାକୁ ଆରମ୍ଭ କରିଦେଲେ-। ଜାତୀୟବାଦୀମାନେ ‘ଅନୁରକ୍ତିହୀନ ବାବୁ’, ‘ରାଜଦ୍ରୋହୀ ବ୍ରାହ୍ମଣ’ ଓ ‘ଭୟଙ୍କର ଦୁର୍ବୃତ୍ତ’ ପ୍ରଭୃତି ନାମରେ ଅଭିହିତ ହେଲେ । କଂଗ୍ରେସକୁ ‘ରାଜଦ୍ରୋହ କାରଖାନା’ ଏବଂ କଂଗ୍ରେସୀଲୋକଙ୍କୁ ‘ହତାଶ ଚାକିରି ପାର୍ଥୀ ଓ ନିଜ ବ୍ୟତୀତ ଅନ୍ୟ କାହାରି ପ୍ରତିନିଧିତ୍ଵ କରୁ ନଥିବା ଓକିଲ’ ଭାବରେ ବର୍ଣ୍ଣନା କରାଗଲା । ୧୮୮୭ ଖ୍ରୀଷ୍ଟାବ୍ଦରେ ଡଫ୍‍ରିନ୍, ସାଧାରଣସଭାରେ ଜାତୀୟ କଂଗ୍ରେସ ବିରୁଦ୍ଧରେ ଭାଷଣଦେଇ କଂଗ୍ରେସ ମୁଷ୍ଟିମେୟ ସଂଖ୍ୟାଲଘୁଲୋକଙ୍କର ପ୍ରତିନିଧିତ୍ଵ କରୁଛି ବୋଲି ବିଦ୍ରୂପ କରିଥିଲେ । କଂଗ୍ରେସୀ ନେତାମାନେ ରାଷ୍ଟ୍ରଦ୍ରୋହୀ ଓ ସେମାନଙ୍କର ଚରିତ୍ରର ଦୁଇ ପ୍ରକାର ରୂପ ରହିଛି ବୋଲି ଜର୍ଜ ହାମିଲ୍‍ଟନ୍‍ ଦୋଷାରୋପ କରିଥିଲେ-। ଇଂରେଜ ଶାସନର ଅସଲ ରୂପକୁ ପଦାରେ ପକାଇ ଦେଇଥିବା ଯୋଗୁଁ ସେ ଦାଦାଭାଇ ନାରୋଜୀଙ୍କ ଉପରେ ଏତେ ବିରକ୍ତ ହୋଇଥିଲେ ଯେ, ଇତରଭାବେ ଏଇ ବିଖ୍ୟାତ ନେତାଙ୍କୁ ଗାଳିଗୁଲଜ କରିବା ସ୍ତରକୁ ଓହ୍ଲାଇ ଆସି ଘୋଷଣା କଲେ ଯେ, ଇଂଲଣ୍ଡରେ ବାସ କରିବାଦ୍ୱାରା ଓ ବିପ୍ଳବାତ୍ମକ ପରିବର୍ତ୍ତନ ଚାହୁଁଥିବା ସମାଜବାଦୀ ବ୍ରିଟିଶ ନେତାମାନଙ୍କ ସଂସ୍ପର୍ଶରେ ଆସିବାଦ୍ଵାରା ‘ତାଙ୍କର ପ୍ରଥମରୁ ଯାହା କିଛି ବୁଦ୍ଧି ଓ ବିଦ୍‍ବତ୍ତା ଥିଲା ସେ ତାହା ହରେଇ ବସିଛନ୍ତି ।’ ୧୯୦୦ ଖ୍ରୀଷ୍ଟାବ୍ଦରେ ଭାଇସ୍‍ରୟ କର୍ଜନ୍ ଘୋଷଣା କଲେ ଯେ; ‘କଂଗ୍ରେସର ବର୍ତ୍ତମାନ ପତନୋନ୍ମୁଖୀ ଅସ୍ଥିର ଅବସ୍ଥା ଏବଂ ଭାରତରେ ରହିବା ଭିତରେ ତାକୁ ତା’ର ଶାନ୍ତିପୂର୍ଣ୍ଣ ଅବସାନ ଦିଗରେ ସାହାଯ୍ୟ କରିବା ହେଉଛି ମୋର ଏକ ବିରାଟ ଆକାଂକ୍ଷା ।’ ସେ କଂଗ୍ରେସକୁ ଖତଗଦା ବୋଲି କହୁଥିଲେ । ଏପରିକି କେତେକ ଇଂରେଜ ରାଜନୈତିକ ଟିପ୍ପଣୀକାର କଂଗ୍ରେସ ରୁଷିଆରୁ ସୁନା ପାଉଥିବାର ଅଭିଯୋଗ କରିଥିଲେ ।

 

ବର୍ଦ୍ଧିଷ୍ଣୁ ଜାତୀୟ ଆନ୍ଦୋଳନ ବିରୁଦ୍ଧରେ ବ୍ରିଟିଶ କର୍ତ୍ତୃପକ୍ଷ ଆଭ୍ୟନ୍ତରୀଣ ବିଭେଦ ସୃଷ୍ଟିକରି ଶାସନ ଚଳାଇବା (Divide and Rule Policy) ନୀତି ଅବଲମ୍ବନ କଲେ । ସେମାନେ ଜାଣିପାରିଲେ ଯେ ଭାରତୀୟ ଲୋକମାନଙ୍କ ମଧ୍ୟରେ ବଢ଼ୁଥିବା ଏକତା, ସେମାନଙ୍କ ଶାସନ ଓ କ୍ଷମତା ପ୍ରତି ପ୍ରଧାନ ବିପଦ । ୧୮୯୭ ଖ୍ରୀଷ୍ଟାବ୍ଦରେ ଜର୍ଜ ହାମିଲ୍‍ଟନ୍ ଭାଇସ୍‍ରୟ ଏଲ୍‍ଗିନ୍‍ଙ୍କ ପାଖକୁ ଲେଖିଥିଲେ ଯେ, “ସ୍ଥାନୀୟ ଅଧିବାସୀମାନେ ବର୍ଣ୍ଣ, ଧର୍ମ ଓ ମତାମତର ବୈଷମ୍ୟ ଭୁଲି ଆମ ଶାସନର ବିରୋଧ କରିବାଲାଗି ଯେପରି ଏକଜୁଟ ହେଉଛନ୍ତି ଓ ସେମାନଙ୍କର ଏହି ଏକତା ଯେପରି ବଢ଼ିବାରେ ଲାଗିଛି, ତା’ଦ୍ୱାରା ମୁଁ ଭବିଷ୍ୟତ ସମ୍ପର୍କରେ ଆତଙ୍କିତ । ସେଥିପାଇଁ ଇଂରେଜ କର୍ମଚାରୀମାନେ, ଏକ କଂଗ୍ରେସ–ବିରୋଧୀ ଆନ୍ଦୋଳନ ଆରମ୍ଭ କରିବା ଉଦ୍ଦେଶ୍ୟରେ ସୟିଦ୍ ଅହମ୍ମଦ୍ ଖାଁ, ରାଜା ଶିବପ୍ରସାଦ ଓ ଅନ୍ୟ ବ୍ରିଟିଶ ସମର୍ଥକମାନଙ୍କୁ ପ୍ରରୋଚିତ ଓ ଉତ୍ସାହିତ କଲେ । ସେମାନେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ମଧ୍ୟ ଚେଷ୍ଟା କଲେ । ସରକାରୀ ଚାକିରି ପାଇବା ବିଷୟ ନେଇ ସେମାନେ ଶିକ୍ଷିତ ଭାରତୀୟମାନଙ୍କ ଭିତରେ ସାମ୍ପ୍ରଦାୟିକତା ଓ ବିରୋଧୀ ମନୋଭାବ ଉପୁଜାଇବା ପାଇଁ ଲାଗିପଡ଼ିଲେ । ୧୮୫୭ ଖ୍ରୀଷ୍ଟାବ୍ଦରେ ବିଦ୍ରୋହ ପରେ ପରେ ଇଂରେଜମାନେ, ଉଚ୍ଚଶ୍ରେଣୀୟ ମୁସଲମାନମାନଙ୍କୁ ଚପାଇଦେଇ ଉଚ୍ଚ ତଥା ମଧ୍ୟବିତ୍ତ ହିନ୍ଦୁମାନଙ୍କୁ ସୁବିଧା ସୁଯୋଗ ଦେଲେ । ୧୮୭୦ ଖ୍ରୀଷ୍ଟାବ୍ଦ ପରେ ସେମାନେ ଉଚ୍ଚ ଓ ମଧ୍ୟବିତ୍ତ ଶ୍ରେଣୀର ମୁସଲମାନମାନଙ୍କୁ ଚପାଇଦେଇ ଉଚ୍ଚ ତଥା ମଧ୍ୟବିତ୍ତ ହିନ୍ଦୁମାନଙ୍କୁ ସୁବିଧା ସୁଯୋଗ ଦେଲେ । ୧୮୭୦ ଖ୍ରୀଷ୍ଟାବ୍ଦ ପରେ ସେମାନେ ଉଚ୍ଚ ଓ ମଧ୍ୟବିତ୍ତ ଶ୍ରେଣୀର ମୁସଲମାନମାନଙ୍କୁ ଜାତୀୟ ଆନ୍ଦୋଳନ ବିରୁଦ୍ଧରେ ଲଗାଇବାପାଇଁ ଚେଷ୍ଟା ଚଳାଇଲେ । ହିନ୍ଦୀ ଓ ଉର୍ଦ୍ଦୁଭାଷା ପ୍ରଚଳନ ନେଇ ଯେଉଁ ବାଦାନୁବାଦ ଚାଲିଥିଲା, ସାମ୍ପ୍ରଦାୟିକ ମନୋଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେମାନେ ଚତୁରତାର ସହ ଏହାର ପୂର୍ଣ୍ଣ ସୁଯୋଗ ନେଲେ । ପ୍ରାଚୀନ ପନ୍ଥୀ ହିନ୍ଦୁମାନଙ୍କଦ୍ଵାରା ଆରମ୍ଭ ହୋଇଥିବା ଗୋରକ୍ଷା ଆନ୍ଦୋଳନକୁ ମଧ୍ୟ ସେହି ଉଦ୍ଦେଶ୍ୟରେ ବ୍ୟବହାର କରାଗଲା । ୧୮୯୩ ଖ୍ରୀଷ୍ଟାବ୍ଦ ଅଗଷ୍ଟ ପଚିଶ ତାରିଖରେ ଭାରତ ବ୍ୟାପାର ମନ୍ତ୍ରୀ କିମ୍ବର୍ଲେ (Kimberley) ଭାଇସ୍‍ରୟ ଲାନ୍‍ସଡ଼ାଉନ୍ (Lansdowne)ଙ୍କୁ ଲେଖିଥିଲେ ଯେ ଏହି ଆନ୍ଦୋଳନଦ୍ଵାରା “ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ସବୁ ପ୍ରକାର ମିଳାମିଶା ଅସମ୍ଭବ ହୋଇପଡ଼ିବ । ଫଳତଃ, କଂଗ୍ରେସ ଭାରତୀୟ ଲୋକଙ୍କର ମିଳିତ ସଂଗଠନ ଲାଗି ଯେଉଁ ଆନ୍ଦୋଳନ ଚଳାଇଛି ଏହା ତା’ରି ମୂଳରେହିଁ କୁଠାରାଘାତ କରିବ ।’’ ବିଭାଜନ ଓ ଶାସନ ନୀତି, କେବଳ ହିନ୍ଦୁ ଓ ମୁସଲମାନମାନଙ୍କ ବିଭେଦ ଭିତରେ ପର୍ଯ୍ୟବସିତ ନଥିଲା । ପାରମ୍ପରିକ ସାମନ୍ତବାଦୀ ଗୋଷ୍ଠୀ ବିରୁଦ୍ଧରେ ନୂତନ ବୌଦ୍ଧିକ ଶ୍ରେଣୀ, ଗୋଟିଏ ପ୍ରଦେଶ ବିରୁଦ୍ଧରେ ଅନ୍ୟ ଗୋଟିଏ ପ୍ରଦେଶ, ଗୋଟିଏ ଜାତି ବିରୁଦ୍ଧରେ ଅନ୍ୟଜାତି ଓ ଗୋଟିଏ ଦଳ ବିରୁଦ୍ଧରେ ଅନ୍ୟ ଦଳକୁ ଠିଆ କରିବାପାଇଁ ପ୍ରଚେଷ୍ଟା ଚାଲିଲା । ଜାତୀୟବାଦୀ ନେତାମାନଙ୍କ ଭିତରେ ବିଭେଦ ସୃଷ୍ଟି କରିବା ଲାଗି ସେମାନଙ୍କ ମଧ୍ୟରୁ ଅଧିକ ରକ୍ଷଣଶୀଳ ତଥା ଉଦାରପନ୍ଥୀ ଗୋଷ୍ଠୀ ସହିତ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ପ୍ରତିଷ୍ଠା କରାଗଲା । ଊନବିଂଶ ଶତାବ୍ଦୀର ସପ୍ତମ ଓ ଅଷ୍ଟମ ଦଶକରେ ବ୍ରିଟିଶ ଇଣ୍ଡିଆ ଆସୋସିଏସନ୍ ପରି ପୁରାତନ ସଂଗଠନର ନେତାମାନଙ୍କୁ ଖୋସାମତ କରି ସେମାନଙ୍କୁ ‘ବିପ୍ଳବାତ୍ମକ ପରିବର୍ତ୍ତନବାଦୀ’ କଂଗ୍ରେସ ନେତାମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବା ଲାଗି ଉତ୍ସାହିତ କରାଗଲା । ଊନବିଂଶ ଶତାବ୍ଦୀର ନବମ ଦଶକରେ, ନିକଟ ଅତୀତର ପରିବର୍ତ୍ତନବାଦୀ ଉମେଶ ଚନ୍ଦ୍ର ବାନାର୍ଜୀ, ଜଷ୍ଟିସ୍ ରାଣାଡ଼େ, ଗୋଖଲେ ଓ ଅନ୍ୟମାନଙ୍କଠାରୁ, ଦାଦାଭାଇ ନାରୋଜୀ ଓ ସୁରେନ୍ଦ୍ର ନାଥ ବାନାର୍ଜୀ ପ୍ରଭୃତି ସେତେବେଳେ ଚରମପନ୍ଥୀରୂପେ ବିବେଚିତ ହେଉଥିବା ନେତାମାନଙ୍କୁ ଅଲଗା କରିବା ଲାଗି ଉଦ୍ୟମ ହେଲା । ୧୯୦୫ ଖ୍ରୀଷ୍ଟାବ୍ଦ ପରେ, ଯେତେବେଳେ କଂଗ୍ରେସ ଭିତରେ ଉଦାରପନ୍ଥୀ ଓ ଚରମପନ୍ଥୀମାନଙ୍କ ଭିତରେ ମତାନ୍ତର ଓ ମନାନ୍ତର ସୃଷ୍ଟି ହେଲା, ଇଂରେଜ ଶାସକ ଗୋଷ୍ଠୀ ସେମାନଙ୍କୁ ଭାଗ ଭାଗ କରିଦେବା ପାଇଁ ପ୍ରାଣପଣେ ଚେଷ୍ଟା କଲେ ।

 

ବ୍ରିଟିଶ କର୍ତ୍ତୃପକ୍ଷ ମଧ୍ୟ ‘ବିଷକୁମ୍ଭ ପୟୋମୁଖ’ ନୀତି ଅବଲମ୍ବନ କଲେ । ଏକ ପକ୍ଷରେ ପ୍ରକାଶ୍ୟରେ କେତେକ ସୁବିଧା ଦେବା ସଙ୍ଗେ ସଙ୍ଗେ ଅନ୍ୟ ପକ୍ଷରେ ଜାତିପ୍ରେମର ଅଭିବୃଦ୍ଧିକୁ ବନ୍ଦ କରିବାପାଇଁ କଠୋର ଦମନନୀତି ଚଳାଇଲେ । ପ୍ରଶାସନିକ ଚାକିରିରେ ନିଯୁକ୍ତି ଲାଗି ବୟସର ସର୍ବୋଚ୍ଚ ସୀମା ବୃଦ୍ଧି, ଅନ୍ୟାନ୍ୟ ସରକାରୀ ଚାକିରି କ୍ଷେତ୍ରରେ ଅଧିକ ସଂଖ୍ୟକ ଭାରତୀୟଙ୍କ ନିଯୁକ୍ତି, ମ୍ୟୁନିସିପାଲଟି ପ୍ରଭୃତି ସ୍ଥାନୀୟ ଶାସନ କ୍ଷମତାର ପରିସର ବୃଦ୍ଧି ଓ ୧୮୯୨ ଖ୍ରୀଷ୍ଟାବ୍ଦରେ ଇଣ୍ଡିଆନ୍ କାଉନ୍‍ସିଲ୍‍ସ ଆକ୍ଟ ପ୍ରଣୟନ ପ୍ରଭୃତି କାର୍ଯ୍ୟଦ୍ଵାରା ଉଦାରପନ୍ଥୀ ଜାତୀୟବାଦୀ ଗୋଷ୍ଠୀକୁ ସନ୍ତୁଷ୍ଟ କରାଗଲା । ଏହା ସଙ୍ଗେ ସଙ୍ଗେ ଦୁର୍ବଳଚିତ୍ତ ବ୍ୟକ୍ତିଙ୍କୁ ଭୟଭୀତ କରାଇବା ଉଦ୍ଦେଶ୍ୟରେ ଦମନମୂଳକ ନୀତି ଚାଲୁ ରହିଲା । ୧୮୯୮ ଖ୍ରୀଷ୍ଟାବ୍ଦରେ ଭାଇସ୍‍ରୟ ଏଲ୍‍ଗନ୍‍ ଭାରତୀୟମାନଙ୍କୁ ପ୍ରକାଶ୍ୟରେ ଧମକ ଦେଇ ଘୋଷଣା କଲେ ଯେ, “ଅସ୍ତ୍ରର ପ୍ରୟୋଗଦ୍ଵାରା ଭାରତକୁ ଜିଣିବା ସମ୍ଭବ ହୋଇଛି ଏବଂ ସେହି ଅସ୍ତ୍ର ବଳରେହିଁ ତାକୁ ଅକ୍ତିଆରରେ ରଖାଯିବ ।’’ ସେତେବେଳକୁ ପଶ୍ଚିମ ଭାରତରେ ଜାତୀୟବାଦୀମାନଙ୍କ ଉପରେ ପ୍ରବଳ ଆକ୍ରମଣ ହୋଇ ତିଳକ ଓ ଅନ୍ୟ କେତେ ଜଣ ସାମ୍ବାଦିକ ଗିରଫ୍ ହୋଇସାରିଥିଲେ । ୧୮୯୮ ଖ୍ରୀଷ୍ଟାବ୍ଦରେ ସମ୍ବାଦପତ୍ରର ସ୍ଵାଧୀନତା ଓ ବାକ୍‍ସ୍ଵାଧୀନତା କ୍ଷୁଣ୍ଣ କରି ଏବଂ ତା’ ସଙ୍ଗେ ସଙ୍ଗେ ପୋଲିସ୍ ତଥା ମାଜିଷ୍ଟ୍ରେଟମାନଙ୍କ କ୍ଷମତା ପରିସର ବୃଦ୍ଧି କରି କେତେକ ଆଇନ ପ୍ରଣୟନ କରାଗଲା ।

 

ଶିକ୍ଷାର ପ୍ରସାର, ସ୍ଵଦେଶୀ ପ୍ରୀତି ଅଭିବୃଦ୍ଧିର ପ୍ରଧାନ କାରଣ ବୋଲି ଇଂରେଜମାନେ ମନେକଲେ । ତେଣୁ ଶିକ୍ଷା ଉପରେ ଅଧିକତର ସରକାରୀ କର୍ତ୍ତୃତ୍ଵ ତଥା ନିୟନ୍ତ୍ରଣ ଜାରିକରି ଏହାର ଆଧୁନିକତା ଓ ଉଦାରତା ନଷ୍ଟ କରିଦେବା ପାଇଁ ଯୋଜନା ହେଲା । ୧୮୯୯ ଖ୍ରୀଷ୍ଟାବ୍ଦରେ ଜର୍ଜ ହାମିଲ୍‍ଟନ୍, ଭାଇସ୍‍ରୟଙ୍କୁ ସେହି ପରିକଳ୍ପନାର ରୂପରେଖ ସମ୍ପର୍କରେ ଆଭାସ ଦେଲେ । ପ୍ରଥମତଃ ସେ କହିଲେ ଯେ, ଶିକ୍ଷା, ଶିକ୍ଷା–ସଙ୍ଗଠନ ଓ ପାଠ୍ୟପୁସ୍ତକ ଉପରେ ଅଧିକତର ସରକାରୀ ନିୟନ୍ତ୍ରଣ ରହିବା ଉଚିତ ।’ ୧୯୦୩ ଖ୍ରୀଷ୍ଟାବ୍ଦରେ ଶିକ୍ଷାଆଇନ ବଳରେ ସ୍କୁଲ୍ କଲେଜପାଇଁ ସରକାରୀ ପରିଦର୍ଶକ ରଖାଯାଇ ଶିକ୍ଷକମାନଙ୍କ ଉପରେ କଠୋର ସରକାରୀ ନିୟନ୍ତ୍ରଣ ଜାରି କରାଗଲା । ଦ୍ଵିତୀୟତଃ, ଧର୍ମସଂସ୍ଥା ତଥା ଟ୍ରଷ୍ଟ୍‍ଦ୍ଵାରା ପରିଚାଳିତ ବେସରକାରୀ କଲେଜଗୁଡ଼ିକୁ ସାହାଯ୍ୟ ଦିଆଯାଇ ଉତ୍ସାହିତ କରାଗଲା । ଆଧୁନିକ ଧର୍ମନିରପେକ୍ଷ ଶିକ୍ଷାଦ୍ଵାରା ବିଚାରସମ୍ମତ, ଗଣତାନ୍ତ୍ରିକ, ଜାତୀୟ ଭାବଧାରାର ପ୍ରସାର ଘଟୁଥିବାରୁ ତା’ ପରିବର୍ତ୍ତେ ଧର୍ମ ଓ ନୀତି ଉପରେ ପ୍ରତିଷ୍ଠିତ ଶିକ୍ଷା ପ୍ରଣାଳୀର ପ୍ରବର୍ତ୍ତନ କରିବା ସ୍ଥିର ହେଲା ।

 

ଏହି ନୂଆ ଶିକ୍ଷା ପ୍ରଣାଳୀ, ଭାରତୀୟ ଧର୍ମ ଓ ଭାରତୀୟ ସଂସ୍କୃତିର ଗୌରବ ଉପରେ ପ୍ରତିଷ୍ଠିତ ହୋଇଥିଲେହେଁ ଏକପ୍ରକାର ପ୍ରତିକ୍ରିୟାଶୀଳ ଥିଲା । ଯୁବସମ୍ପ୍ରଦାୟ ଭିତରେ ନୂତନ ପ୍ରଗତିଶୀଳ ଚେତନା ଆଣିବା ଏହା ପକ୍ଷରେ ସମ୍ଭବ ନଥିଲା । ଏଇ ନୀତିରୁ ସ୍ପଷ୍ଟ ଜଣାପଡ଼ିଲା ଯେ, ଊନବିଂଶ ଶତାବ୍ଦୀ ଶେଷ ସୁଦ୍ଧା ବ୍ରିଟିଶ ସାମ୍ରାଜ୍ୟବାଦ, ସାମାଜିକ ଓ ବୌଦ୍ଧିକ କ୍ଷେତ୍ରରେ ମୁମୂର୍ଷୁ ଓ ପ୍ରତିକ୍ରିୟାଶୀଳ ଗୋଷ୍ଠୀ ସହିତ ହାତ ମିଳାଇବା ଲାଗି ସମ୍ମତ ଥିଲା । ପୁରାତନ ଧର୍ମାନୁସରଣ ଓ ରକ୍ଷଣଶୀଳତା ବିରୁଦ୍ଧରେ ୟାର ଔ ବିଶେଷ ଆପତ୍ତି ନଥିଲା । ସାମ୍ରାଜ୍ୟବାଦୀ ଶାସନତନ୍ତ୍ର ଭିତରେ ସାମାଜିକ ଓ ସାଂସ୍କୃତିକ ରକ୍ଷଣଶୀଳତାକୁ ସ୍ଥାନ ଦିଆଯାଇପାରିଲା । ଏ ସବୁ ସତ୍ତ୍ୱେ, ଆଧୁନିକ ଚିନ୍ତାଧାରାର ପ୍ରସାର ତାକୁ ଭୟଭୀତ କଲା ।

 

ସମୀକ୍ଷା ଓ ମୂଲ୍ୟାଙ୍କନ

 

ପରବର୍ତ୍ତୀ କାଳରେ ସମୀକ୍ଷକମାନେ ମତଦେଲେ ଯେ, ପୂର୍ବବର୍ତ୍ତୀ ଜାତୀୟବାଦୀମାନେ ପ୍ରକୃତପକ୍ଷେ କାର୍ଯ୍ୟ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିପାରି ନଥିଲେ । ସେମାନେ ଯେଉଁସବୁ ସଂସ୍କାର ଲାଗି ଆନ୍ଦୋଳନ କରିଥିଲେ, ତା’ ମଧ୍ୟରୁ ଅତ୍ୟଳ୍ପ ସଂଖ୍ୟକ ସଂସ୍କାରମୂଳକ ପରିବର୍ତ୍ତନ କାର୍ଯ୍ୟକାରୀ କରାଯାଇଥିଲା । ବିଦେଶୀ ଶାସକମାନେ ସେମାନଙ୍କୁ ଘୃଣା ବ୍ୟଞ୍ଜକ ଦୃଷ୍ଟିରେ ଦେଖୁଥିଲେ ଓ ସେମାନଙ୍କ ରାଜନୀତିକୁ ବ୍ୟଙ୍ଗ ବିଦ୍ରୂପ କରିବାକୁ ଛାଡ଼ୁ ନଥିଲେ । ସେଥିପାଇଁ ପରେ ଲଜପତ୍ ରାୟ ଲେଖିଥିଲେ : ‘ଦୁଃଖଦୁର୍ଦ୍ଦଶାର ପ୍ରତିକାର ତଥା ଅନ୍ୟାନ୍ୟ କେତେକ ସୁବିଧା ପାଇବା ଲାଗି ଦୀର୍ଘ କୋଡ଼ିଏବର୍ଷରୁ ଅଧିକ କାଳ ଊଣା ଅଧିକେ ନିଷ୍ଫଳ ଆନ୍ଦୋଳନ କରିବା ପରେ, ସେମାନେ ରୁଟି ବଦଳରେ ଢେଲା ପଥରହିଁ ପାଇଛନ୍ତି ।’ ପ୍ରକୃତପକ୍ଷେ, ସରକାର ଅଧିକ ଉଦାର ହେବା ପରିବର୍ତ୍ତେ ଆହୁରି ଅଧିକ କଠୋର ଓ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଲେ । ସବୁଠାରୁ ବଡ଼କଥା ହେଲା, ପ୍ରଥମ ପର୍ଯ୍ୟାୟରେ ଜାତୀୟ ଆନ୍ଦୋଳନର ଚେର ସାଧାରଣ ଲୋକଙ୍କ ଭିତରେ ମାଡ଼ି ପାରିଲା ନାହିଁ । ଏପରିକି, ଯେଉଁମାନେ ଉଚ୍ଚ ଆକାଂକ୍ଷା ନେଇ ଏଥିରେ ଯୋଗ ଦେଇଥିଲେ ସେମାନେ ସେମାନଙ୍କର ଧାରଣା ଭୁଲ ବୋଲି ବୁଝିଗଲେ । ସମାଲୋଚକମାନେ ଜାତୀୟ ଆନ୍ଦୋଳନର ରାଜନୀତିକୁ ‘ଅଧାପନ୍ତରିଆ ଓ ପଙ୍ଗୁ ରାଜନୀତି’ ଏବଂ ଏହାର କାର୍ଯ୍ୟପ୍ରଣାଳୀକୁ ‘ପ୍ରାର୍ଥନା ଓ ଆବେଦନ ଜରିଆରେ ଭିକ୍ଷାବୃତ୍ତି’ କହି ବିଦ୍ରୂପ କଲେ । ସେମାନେ କହିଲେ ଯେ, ମୁଷ୍ଟିମେୟ ଲୋକଙ୍କ ବ୍ୟତୀତ ଅଧିକାଂଶ ପୂର୍ବବର୍ତ୍ତୀ ଜାତୀୟବାଦୀ କୌଣସି ପ୍ରକାର ବ୍ୟକ୍ତିଗତ ତ୍ୟାଗ ସ୍ଵୀକାର କରି ନାହାନ୍ତି ବା ବ୍ୟକ୍ତିଗତ ଭାବରେ ଦୁଃଖକଷ୍ଟ ମଧ୍ୟ ସହି ନାହାନ୍ତି । ୟା ଛଡ଼ା, ସେମାନଙ୍କ କାର୍ଯ୍ୟକ୍ରମ ପୁଞ୍ଜିବାଦର ସଂକୀର୍ଣ୍ଣ ସୀମା ମଧ୍ୟରେ ଆବଦ୍ଧ ଥିଲା । ପୁଞ୍ଜିବାଦର ରାସ୍ତାକୁ ଛାଡ଼ି ଦେଇ ଭାରତର ଉନ୍ନତି ଯେ ସମ୍ଭବ ତାହା ସେମାନେ କଳ୍ପନା ସୁଦ୍ଧା କରିପାରି ନାହାନ୍ତି । ଏହାଦ୍ଵାରା ସାଧାରଣ ଲୋକଙ୍କର ଶ୍ରଦ୍ଧା ଓ ସମର୍ଥନ ଲାଭ କରିବା ତଥା ସେମାନଙ୍କୁ ରାଜନୈତିକ କାର୍ଯ୍ୟକଳାପ ସହିତ ଜଡ଼ିତ କରିବା ଦିଗରେ ମଧ୍ୟ ସେମାନଙ୍କ ଭୂମିକା ସଙ୍କୁଚିତ ହୋଇଯାଇଛି ।

 

କିନ୍ତୁ ସମାଲୋଚକମାନେ, ଜାତୀୟ ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟ ବିଫଳ ହୋଇଥିବା କଥା ଯାହା କହିଛନ୍ତି, ତାହା ସମ୍ପୂର୍ଣ୍ଣରୂପେ ଠିକ୍ ନୁହେଁ । କାର୍ଯ୍ୟ କ୍ଷେତ୍ରରେ ସେମାନଙ୍କର ଅବଦାନ ଯେ ଅତ୍ୟନ୍ତ ନଗଣ୍ୟ ସେଥିରେ ସନ୍ଦେହ ନାହିଁ । ବିଂଶ ଶତାବ୍ଦୀର ଆରମ୍ଭରେ ଇଂରେଜ ଶାସନ ପ୍ରଣାଳୀରେ ଯେଉଁ ପରିବର୍ତ୍ତନ ଘଟିଲା, ତା’ଦ୍ଵାରା ପୂର୍ବତନ ଜାତୀୟବାଦୀମାନଙ୍କର ରାଜନୈତିକ ଧାରଣା ଓ ଦୃଷ୍ଟିକୋଣ ସମୟର ବହୁ ପଛରେ ପଡ଼ିଗଲା । ଏପରିକି ସେମାନେ ଏକ ଅଖିଳ ଭାରତ ସାମ୍ବିଧାନିକ ଆନ୍ଦୋଳନକୁ ମଧ୍ୟ ସଫଳତା ସହିତ ପରିଚାଳନା କରିପାରିଲେ ନାହିଁ ଏବଂ ସେମାନଙ୍କର ସଙ୍ଗଠନ ଓ ପ୍ରଚାର ଜନସାଧାରଣଙ୍କୁ ସ୍ପର୍ଶ କଲା ନାହିଁ । ୧୯୦୫ ଖ୍ରୀଷ୍ଟାବ୍ଦ ସୁଦ୍ଧା ସେମାନେ ସେମାନଙ୍କ ରାଜନୈତିକ ବିକାଶର ଅନ୍ତିମ ଦୁର୍ଗତିରେ ପହଞ୍ଚିଗଲେ ।

 

କିନ୍ତୁ ଐତିହାସିକ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ, ପୂର୍ବବର୍ତ୍ତୀ ଜାତୀୟବାଦୀମାନଙ୍କର ରାଜନୈତିକ କାର୍ଯ୍ୟାବଳୀ ଏପରି ନଗଣ୍ୟ ନଥିଲା । ବରଂ ସେମାନେ ଯେଉଁ ଅଶେଷ ଦୁଃଖ କଷ୍ଟ ମଧ୍ୟ ଦେଇ ଗତି କରିଥିଲେ ସେହି ପରିପ୍ରେକ୍ଷୀରେ ଦେଶପ୍ରତି ସେମାନଙ୍କ ଅବଦାନ ଅନବଦ୍ୟ ବୋଲି ମନେ ହୁଏ । ବସ୍ତୁତଃ, ସେମାନଙ୍କ କାର୍ଯ୍ୟକଳାପର ସଫଳତା ଯୋଗୁଁହିଁ ପର୍ଯ୍ୟାୟକ୍ରମେ ଜାତୀୟ ଆନ୍ଦୋଳନର ପ୍ରଗତି ସମ୍ଭବ ହେଲା ଓ ତା’ ଫଳରେ ସେମାନଙ୍କ କାର୍ଯ୍ୟପ୍ରଣାଳୀ ଆଉ ସମୟୋପଯୋଗୀ ହୋଇ ରହିଲା ନାହିଁ । ତେଣୁ ପ୍ରଥମ ପର୍ଯ୍ୟାୟର ଜାତୀୟବାଦୀମାନେ ତତ୍କାଳୀନ ପ୍ରଗତିଶୀଳ ଗୋଷ୍ଠୀର ଯେ ପ୍ରତିନିଧିତ୍ଵ କରୁଥିଲେ, ସନ୍ଦେହ ନାହିଁ । ଭାରତୀୟ ରାଜନୀତିର ନିଶ୍ଚିତ ପଟ ପରିବର୍ତ୍ତନ ସେମାନଙ୍କ ଯୋଗୁଁହିଁ ସମ୍ଭବ ହୋଇଥିଲା ।

 

ଦେଶବ୍ୟାପୀ ଏକ ରାଜନୈତିକ ଜାଗୃତି ଆଣିବାରେ ଏବଂ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଭାରତୀୟ ତଥା ବୌଦ୍ଧିକ ଶ୍ରେଣୀ ମଧ୍ୟରେ–ସେମାନେ ଗୋଟିଏ ରାଷ୍ଟ୍ରର ଅଧିବାସୀ, ସେମାନେ ଭାରତୀୟ–ଏହି ମନୋଭାବ ସୃଷ୍ଟି କରିବାରେ ପୂର୍ବବର୍ତ୍ତୀ ଜାତୀୟବାଦୀମାନେ ସଫଳତା ଅର୍ଜନ କରିଥିଲେ । ସେମାନେ ଭାରତୀୟ ଜନସାଧାରଣଙ୍କୁ ସେମାନଙ୍କ ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ଐକ୍ୟ ସମ୍ପର୍କରେ ସଚେତନ କରାଇଥିଲେ । ସାମ୍ରାଜ୍ୟବାଦ ଯେ ଭାରତୀୟମାନଙ୍କର ସାଧାରଣ ଶତ୍ରୁ ତାହା ଜାତୀୟ ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟ ପରେ ଅନୁଭବ କରାଗଲା । ଏହିପରି, ତତ୍କାଳୀନ ଜାତୀୟବାଦୀମାନେ ଭାରତରେ ସମସ୍ତଙ୍କୁ ଗୋଟିଏ ସାଧାରଣ ଜାତୀୟତା ସୂତ୍ରରେ ବାନ୍ଧିପକାଇଲେ । ସେମାନେ ଲୋକମାନଙ୍କ ଭିତରେ ଗଣତନ୍ତ୍ର ଓ ନାଗରିକ ସ୍ଵାଧୀନତା ସମ୍ପର୍କୀୟ ଚିନ୍ତାଧାରାର ପ୍ରଚାର ଚଳାଇଥିଲେ । ଜାତୀୟ କଂଗ୍ରେସ ଓ ଅନ୍ୟାନ୍ୟ ଲୋକପ୍ରିୟ ଜାତୀୟବାଦୀ ସଂଘର ପ୍ରତିଷ୍ଠା ଓ ସଙ୍ଗଠନ ସମୟରେହିଁ ଭାରତୀୟମାନେ ଗଣତନ୍ତ୍ର ସମ୍ବନ୍ଧରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କଲେ । ଭାରତୀୟମାନେ କେବଳ ‘ହିତୈଷୀ’ ବା ‘ଉଦାର’ ଶାସନାଧୀନରେ ରହିବାପାଇଁ ଯୋଗ୍ୟ ବୋଲି ତତ୍କାଳୀନ ଶାସକ ଗୋଷ୍ଠୀ ଅହରହ କହିବାକୁ ଲାଗିଲେ । ଏହା ଜନସାଧାରଣଙ୍କ ମଧ୍ୟରେ ନୂତନ ପ୍ରତିକ୍ରିୟା ଓ ସଚେତନତା ସୃଷ୍ଟି କଲା । ୟା ଛଡ଼ା ବହୁସଂଖ୍ୟକ ଜାତୀୟ ଭାବାପନ୍ନ ରାଜନୈତିକ କର୍ମୀ ଆଧୁନିକ ରାଜନୀତି ବିଷୟରେ ତାଲିମ ପାଇଲେ ଏବଂ ଲୋକେ ମଧ୍ୟ ଆଧୁନିକ ରାଜନୀତି ସଂକ୍ରାନ୍ତୀୟ ଦର୍ଶନ ଓ ଚିନ୍ତାଧାରା ସହିତ ପରିଚିତ ହେଲେ ।

 

ଭାରତରେ ବ୍ରିଟିଶ ସାମ୍ରାଜ୍ୟବାଦର ଅସଲ ରୂପ ନିଷ୍ଠୁର ଭାବରେ ପଦାରେ ପକାଇ ଦେବାରେ ପ୍ରାୟ ସେମାନେ ସମସ୍ତେ ଅଗ୍ରଣୀ ଥିଲେ । ସେମାନେ ପ୍ରତ୍ୟେକ ମୁଖ୍ୟ ଅର୍ଥନୈତିକ ସମସ୍ୟାକୁ, ଦେଶର ରାଜନୈତିକ ପରାଧୀନତା ସହିତ ସଂଶ୍ଳିଷ୍ଟ କରିପକାଉଥିଲେ । ସେଥିପାଇଁ, ରାଜନୀତି ଓ ରାଜନୈତିକ କାର୍ଯ୍ୟପ୍ରଣାଳୀ ଦୃଷ୍ଟିରୁ ସେମାନେ ନରମପନ୍ଥୀ ହେଲେହେଁ, ଅର୍ଥନୈତିକ ଶୋଷଣ ଲାଗି ଯେ ଗୋଟିଏ ବିଦେଶୀ ଶାସକ ଗୋଷ୍ଠୀ ଭାରତକୁ ଶାସନ କରୁଛି, ଭାରତର ଏହି ପ୍ରଧାନ ଅର୍ଥନୈତିକ ଓ ରାଜନୈତିକ ବିଭାବ ତଥା ସତ୍ୟକୁ ସେମାନେ ପ୍ରଥମେ ଉଦ୍‍ଘାଟନ କଲେ ଏବଂ ସଫଳ ହେଲେ ମଧ୍ୟ । ଯେକୌଣସି ସରକାରର ରାଜନୈତିକ ନିରାପତ୍ତା ତା’ ନିଜର ଜନହିତୈଷୀ ଚରିତ୍ର ଉପରେ ନିର୍ଭର କରେ । ଯେପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ମନରେ ଏହି ଧାରଣା ବଳବତ୍ତର ରହିଛି, ବା ଅତି କମ୍‍ରେ ସେମାନେ ସରକାର ସହିତ ସହଯୋଗ କରିବାପାଇଁ ରାଜି ଅଛନ୍ତି, ସେପର୍ଯ୍ୟନ୍ତ ସରକାର ନିରାପଦ । ଏହାଦ୍ଵାରା ସଂପୃକ୍ତ ସରକାର ଆଇନସମ୍ମତ ବୋଲି ଜଣାପଡ଼େ; ଏହାହିଁ ହେଉଛି ସରକାରର ନୈତିକ ମୂଳଭିତ୍ତି । ପୂର୍ବବର୍ତ୍ତୀ ଜାତୀୟବାଦୀମାନଙ୍କର ଅର୍ଥନୈତିକ ଆନ୍ଦୋଳନ, ଇଂରେଜ ଶାସନର ଏହି ନୈତିକ ଭିତ୍ତିକୁ ସମ୍ପୂର୍ଣ୍ଣରୂପେ ଦୋହଲାଇ ଦେଲା । ଏହି ସରକାରର କାର୍ଯ୍ୟଦ୍ଵାରା, ସୁଫଳ ଲାଭ ହୋଇଥାଉ ବା କାର୍ଯ୍ୟଟି ମହତ୍ ଉଦ୍ଦେଶ୍ୟ ରଖି କରାଯାଇଥାଉ ପଛକେ, ଆନ୍ଦୋଳନ ଫଳରେ ଏହାର ଲୋକହିତୈଷୀ ଚରିତ୍ର ଉପରେ ଜନସାଧାରଣଙ୍କର ଆସ୍ଥା ତୁଟିଗଲା । ତତ୍କାଳୀନ ବୌଦ୍ଧିକ ଅଶାନ୍ତି ଓ ଅସ୍ଥିରତା ମଧ୍ୟରେ ଥରକପାଇଁ ଏଇ ମୌଳିକ ଉଦ୍ଦେଶ୍ୟ ସାଧିତ ହେବାପରେ, ବ୍ରିଟିଶ ସାମ୍ରାଜ୍ୟବାଦର ମୁଖା ଖୋଲିଗଲା ଏବଂ ତାହା ରାଜନୈତିକ କ୍ଷେତ୍ରକୁ ବ୍ୟାପିବା ଅନିବାର୍ଯ୍ୟ ହୋଇ ପଡ଼ିଲା । ୟା ପରେ ସଂଘର୍ଷ; ସାମାଜିକ ଭିତ୍ତିର ବିସ୍ତାର; ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଲକ୍ଷ୍ୟର ଆମୂଳ ପରିବର୍ତ୍ତନ; ଜନସାଧାରଣ ଏଥିସହିତ ଜଡ଼ିତହେବା ତଥା ପ୍ରତିଷ୍ଠିତ ହେବା ଏବଂ ଗଣଆନ୍ଦୋଳନର ବ୍ୟାପକ ସଙ୍ଗଠନ, ଗୋଟିକ ପରେ ଗୋଟିଏ ସମ୍ଭବ ହୋଇପାରିଥାନ୍ତା ଓ ତାହା ହେଲା ମଧ୍ୟ । ମୁଖ୍ୟ ସମସ୍ୟା ବା ପ୍ରଶ୍ନଗୁଡ଼ିକଠାରେ ସ୍ପଷ୍ଟ ହୋଇଯିବାପରେ, ରାଜନୈତିକ ସଂଘର୍ଷର ଶକ୍ତି ଓ କୌଶଳକୁ ବୁଝିବାରେ କୌଣସି ତ୍ରୁଟି ହୁଏନାହିଁ, ହେଲେବି, ସଂଶ୍ଳିଷ୍ଟ ସମସ୍ୟାଗୁଡ଼ିକର ପରିପ୍ରେକ୍ଷୀରେ ତାହା ସଂଶୋଧିତ ହୋଇଯାଏ । ପୂର୍ବବର୍ତ୍ତୀ ଜାତୀୟବାଦୀମାନେ, ସେମାନଙ୍କ ନିଜ ରାଜନୈତିକ କାର୍ଯ୍ୟକ୍ରମରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରାରମ୍ଭିକ ବୈଶିଷ୍ଟ୍ୟ ଠିକ୍‍ରୂପେ ବୁଝିପାରିଥିଲେ । ଉଦାହରଣସ୍ୱରୂପ, ୧୯୦୫ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖଦିନ ଦାଦାଭାଇ ନାରୋଜୀ, ଡି. ଇ. ୱାଚା (D. E. Wacha)ଙ୍କ ପାଖକୁ ଲେଖିଲେ :

 

“ଏହା (କଂଗ୍ରେସ) ସମସାମୟିକ ଯୁଗର ଜାଗୃତି ଭିତରେ ନିଜକୁ ଧୀର ଓ ଅନଗ୍ରସର ଦେଖି, ନିଜ ବିରୁଦ୍ଧରେ ଯେଉଁ ଧୈର୍ଯ୍ୟଚ୍ୟୁତି ଓ ଅସନ୍ତୋଷ ପ୍ରକାଶ କରିଛି, ତାହାହିଁ ହେଉଛି ଏହାର ସର୍ବଶ୍ରେଷ୍ଠ ଫଳାଫଳ । ୟା’ର ନିଜର ଏଇ ପ୍ରଗତି ଓ ବିକାଶହିଁ.....(ଦାୟିତ୍ଵ) ଆବଶ୍ୟକୀୟ ବିପ୍ଳବକୁ ବିକଶିତ କରିବ–ଶାନ୍ତିପୂର୍ଣ୍ଣ ହେଉ ବା ଭୟଙ୍କର ହେଉ । ବିପ୍ଳବର ଏ ସ୍ୱରୂପ, ଇଂରେଜ ସରକାରଙ୍କ ବିଜ୍ଞତା ବା ଅବିବେକିତା ଏବଂ ଇଂରେଜ ଲୋକଙ୍କ କାର୍ଯ୍ୟକଳାପ ଉପରେ ନିର୍ଭର କରିବ ।’’

 

୧୮୫୮ରୁ ୧୯୦୫ ଖ୍ରୀଷ୍ଟାବ୍ଦ ମଧ୍ୟବର୍ତ୍ତୀ ସମୟକୁ ଭାରତୀୟ ଜାତୀୟତାର ଅଙ୍କୁରୋଦ୍‍ଗମ କାଳ ବୋଲି କୁହାଯାଇପାରେ ଏବଂ ପୂର୍ବବର୍ତ୍ତୀ ଜାତୀୟନେତାମାନେ ମଧ୍ୟ ସୁପ୍ରଶସ୍ତ ସୁଗଭୀର ସ୍ଥାନରେ ଜାତୀୟତାର ବୀଜବପନ କରିଗଲେ । ଉପରଠାଉରିଆ ଭାବାବେଗ ଓ ମୁହୂର୍ତ୍ତ ମୁହୂର୍ତ୍ତକର ମାନସିକ ଉତ୍ତେଜନା କିମ୍ବା ସ୍ଵାତନ୍ତ୍ର୍ୟ ଓ ସ୍ୱାଧୀନତାର କଳ୍ପିତ ଅଧିକାର, ଅଥବା ଅନ୍ଧବିଶ୍ଵାସ ନେଇ ଅତୀତର ମୂଲ୍ୟାଙ୍କନ ଇତ୍ୟାଦି ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇ ତାହାରି ଭିତ୍ତି ଉପରେ ସେମାନେ ଜାତୀୟତା ପ୍ରତିଷ୍ଠା କରିବାକୁ ଚାହିଁ ନଥିଲେ । ବରଂ ଆଧୁନିକ ସାମ୍ରାଜ୍ୟବାଦର ଯାନ୍ତ୍ରିକ ଜଟିଳତାର ଗଭୀର ସମୀକ୍ଷା ଏବଂ ଇଂରେଜ ଶାସନ ଓ ଭାରତୀୟ ଜନସାଧାରଣଙ୍କ ପରସ୍ପର ବିରୋଧୀ ସ୍ଵାର୍ଥ ଉପରେ ସେମାନଙ୍କ ଜାତୀୟତା ପ୍ରତିଷ୍ଠିତ । ଫଳରେ ସେମାନେ ଏପରି ଏକ ସାଧାରଣ ରାଜନୈତିକ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କଲେ ଯାହାକି ଭାରତର ବିଭିନ୍ନ ଗୋଷ୍ଠୀ ଓ ଦଳର ଲୋକଙ୍କୁ ଭାଗ ଭାଗ କରିବା ପରିବର୍ତ୍ତେ ସେମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା କଲା ।

 

ସେଥିପାଇଁ କୁହାଯାଇପାରେ ଯେ, ପୂର୍ବବର୍ତ୍ତୀ ଜାତୀୟବାଦୀମାନେ ବହୁ କ୍ଷେତ୍ରରେ ଅକୃତକାର୍ଯ୍ୟ ହେଲେ ମଧ୍ୟ ଜାତୀୟ ଆନ୍ଦୋଳନ ପାଇଁ ଏକ ବର୍ଦ୍ଧିଷ୍ଣୁ ସୁଦୃଢ଼ ଭିତ୍ତି ସ୍ଥାପନ କରିଗଲେ-। ଆଧୁନିକ ଭାରତର ନିର୍ମାତାମାନଙ୍କ ମଧ୍ୟରେ ସେମାନଙ୍କ ସ୍ଥାନ ବହୁ ଉଚ୍ଚରେ-। ଭାରତୀୟ ଜାତୀୟତାର ସ୍ଥାପୟିତାମାନଙ୍କ ଭୂମିକାର ମୂଲ୍ୟାଙ୍କନ କରିବାକୁ ଯାଇ ପ୍ରଖ୍ୟାତ ନରମପନ୍ଥୀ ନେତା ଗୋପାଳକୃଷ୍ଣ ଗୋଖଲେ କହିଛନ୍ତି :

 

“ଆମ୍ଭେମାନେ ଭୁଲିଯିବା ଉଚିତ ନୁହେଁ ଯେ ଆମେ ଦେଶର ପ୍ରଗତିର ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଛେ, ଯେତେବେଳେ କି ଆମେ ସାମାନ୍ୟ ସଫଳତା ସଙ୍ଗେ ସଙ୍ଗେ ଅତ୍ୟଧିକ ନୈରାଶ୍ୟ ଓ ବିଫଳତା ବରଣ କରିବାକୁ ବାଧ୍ୟ । ଏଇ ସଂଘର୍ଷ ଚାଲିଥିଲାବେଳେ ଆମ୍ଭେମାନେ ଏପରି ଏକ ପର୍ଯ୍ୟାୟରେ ଅଟକି ରହିବା ହେଉଛି ବିଧିର ବିଧାନ ଏବଂ ସେହି ପର୍ଯ୍ୟାୟ ଲାଗି ଉଦ୍ଦିଷ୍ଟ କର୍ତ୍ତବ୍ୟ ସମାପନ କରିବା ପରେହିଁ ଆମ୍ଭମାନଙ୍କର ଦାୟିତ୍ଵ ଶେଷ ହେବ । ତା’ପରେ ଏ ଦାୟିତ୍ଵ ଦିଆଯିବ ଏଇ ଦେଶର ଭବିଷ୍ୟତ ବଂଶଧରମାନଙ୍କୁ । ସେମାନେ, ସେମାନଙ୍କର ସଫଳତା ନେଇ ଦେଶ ସେବାରେ ବ୍ରତୀ ହେବେ । ଆମ ପୁରୁଷର ଲୋକେ ବର୍ତ୍ତମାନ ମୁଖ୍ୟତଃ ଆମର ବିଫଳତାକୁ ନେଇ ଦେଶସେବା କରିବାରେ ସନ୍ତୁଷ୍ଟ ରହିବା ଉଚିତ । ଯେତେ ଦୁରୂହ ହେଲେ ସୁଦ୍ଧା ବିଫଳତାର ସେଇ ସ୍ତୂପ ମଧ୍ୟରୁ ଯେଉଁ ଶକ୍ତିର ଅଭ୍ୟୁଦୟ ହେବ, ପରିଶେଷରେ ତାହାଦ୍ୱାରା ବହୁ ମହତ୍ କାର୍ଯ୍ୟ ସମାହିତ ହେବ ।’’

Image

 

Unknown

ଉଗ୍ର ଜାତୀୟତାବାଦୀ ଯୁଗ

 

ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଲୋକସାଧାରଣଙ୍କ ରାଜନୈତିକ ଚେତନା ଦୃଢ଼ ଭାବରେ ପରିବର୍ଦ୍ଧିତ ହୋଇଥିଲା । କିନ୍ତୁ ନେତୃବୃନ୍ଦ ବ୍ରିଟିଶ ଶାସକମାନଙ୍କଠାରୁ କୌଣସି ସୁଯୋଗ ଲାଭ କରିବାକୁ ସମର୍ଥ ହେଲେନାହିଁ । ସେ ସମୟରେ ମଧ୍ୟ ଦେଶରେ ଔପନିବେଶିକ ଶାସନର ଶୋଷଣ ଲାଗିରହିଥିଲା ।

 

ବ୍ୟବସାୟ ବାଣିଜ୍ୟପାଇଁ ପର୍ଯ୍ୟାପ୍ତ ସୁଯୋଗ ଅଭାବରୁ ମଧ୍ୟବିତ୍ତ ଶ୍ରେଣୀର ଶିକ୍ଷିତ ଯୁବ ସମାଜ ଅଧିକରୁ ଅଧିକ ସରକାରୀ ଚାକିରି ଓ ଓକିଲାତି ପ୍ରତି ଆକୃଷ୍ଟ ହୋଇଥିଲେ । କେତେଜଣ ବ୍ୟବସାୟୀ ବୁଦ୍ଧିସମ୍ପନ୍ନ ସାମ୍ବାଦିକତା ଗ୍ରହଣ କରିଥିଲେ । ସରକାରୀ ଚାକିରିରେ ସୁଯୋଗ ସୁବିଧା ଅତି ସୀମିତ ଥିଲା । ଦୃଷ୍ଟାନ୍ତସ୍ୱରୂପ, ଖ୍ରୀ: ୧୯୦୩ରେ ମାସିକ ୭୫ ଟଙ୍କାରୁ ଊର୍ଦ୍ଧ୍ଵ ଦରମାର ଚାକିରିରେ ମାତ୍ର ୬୦ ହଜାର ଭାରତୀୟ ଅବସ୍ଥାପିତ ଥିଲେ । ଓକିଲାତିରେ ତ ବିଫଳତା ପ୍ରାୟ ଘଟୁଥିଲା ଏବଂ ବୃତ୍ତି ଭାବରେ ସାମ୍ବାଦିକତା ସେ ସମୟରେ ଅତି ହୀନ ଅବସ୍ଥାରେ ଥିଲା । ଏହି ପରିସ୍ଥିତିରେ ଶିକ୍ଷିତ ବେକାରମାନଙ୍କଠାରୁ ପରୀକ୍ଷାରେ ଅକୃତକାର୍ଯ୍ୟ ଅର୍ଦ୍ଧ–ଶିକ୍ଷିତଙ୍କ ସମସ୍ୟା ବଳିପଡ଼ିଥିଲା । ଚାକିରିପାଇଁ ଅଯୋଗ୍ୟ ଏହି ଯୁବ ସମାଜ ମଧ୍ୟରେ ଗଭୀର କ୍ଷୋଭ ପ୍ରକାଶ ପାଇଥିଲା ।

 

ଶତାବ୍ଦୀର ପରିବର୍ତ୍ତନ ସମୟକୁ ଏହି ଅସନ୍ତୋଷର ଛାୟା ଗାଁ ଗଣ୍ଡାରେ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କଠାରୁ ଆରମ୍ଭ କରି କୃଷକ, ଶ୍ରମିକମାନଙ୍କ ମଧ୍ୟରେ ବ୍ୟାପି ଯାଇଥିଲା । ତେଣୁ ଶାସନ–ସଂସ୍କାରପାଇଁ ସରକାରଙ୍କ ସହିତ ଆପୋସ ଆଲୋଚନା କରୁଥିବା ଉଦାରପନ୍ଥୀ ନେତୃବୃନ୍ଦଙ୍କ ଲୋକପ୍ରିୟତା ହ୍ରାସ ପାଇବା ଆଦୌ ଆଶ୍ଚର୍ଯ୍ୟଜନକ ହୋଇ ନଥିଲା । ଏହି ପରିଣତି ଅନିବାର୍ଯ୍ୟ ହୋଇପଡ଼ିଥିଲା । ଏପରି ଅବସ୍ଥାରେ ବହୁ ନୂତନ ଜନନାୟକଙ୍କ ଅଭ୍ୟୁଦୟ ଘଟିଲା, ଯେଉଁମାନେ ମୌଳିକ ଦାବିମାନ ଉପସ୍ଥାପନ କରିଥିଲେ ଏବଂ ଉଗ୍ର–ଜାତୀୟତାବାଦରେ ବିଶ୍ଵାସ କରୁଥିଲେ । ସେମାନେ ଚରମ–ପନ୍ଥୀ ଭାବରେ ପରିଚିତ ହୋଇଥିଲେ । ଉଦାରପନ୍ଥୀ ନେତାମାନଙ୍କର ମୂଳ ସମର୍ଥକ ଥିଲେ ବୁଦ୍ଧିଜୀବୀ ସମ୍ପ୍ରଦାୟ ଏବଂ ସହରାଞ୍ଚଳୀୟ ମଧ୍ୟବିତ୍ତ ଶ୍ରେଣୀ, ମାତ୍ର ନୂତନ ନେତାମାନେ ଏକ ବୃହତ୍ତର ଶ୍ରେଣୀକୁ ଆକର୍ଷଣ କରିଥିଲେ, ଯେଉଁମାନଙ୍କ ମଧ୍ୟରେ ଥିଲେ ନିମ୍ନ–ମଧ୍ୟବିତ୍ତ ଶ୍ରେଣୀର ଲୋକସମାଜ, ଛାତ୍ରବୃନ୍ଦ ଏବଂ ଏପରିକି ଶ୍ରମିକ ଓ କୃଷକମାନଙ୍କର ଗୋଟିଏ ଗୋଷ୍ଠୀ ।

 

ପ୍ରାଥମିକ ପର୍ଯ୍ୟାୟରେ ବୁଦ୍ଧିଜୀବୀ ସମ୍ପ୍ରଦାୟର ନେତୃତ୍ଵ ପ୍ରଦାନ କରିଥିଲେ । ବଙ୍ଗଳାର ରାଜନାରାୟଣ ବୋଷ, ବଙ୍କିମଚନ୍ଦ୍ର ଚାଟାର୍ଜୀ ଏବଂ ମହାରାଷ୍ଟ୍ରର ବିଷ୍ଣୁଶାସ୍ତ୍ରୀ ଚିତାଲୁଙ୍କରଙ୍କ ପରି ବ୍ୟକ୍ତିଗଣ କଙ୍କିମଚନ୍ଦ୍ରଙ୍କ ଦେଶମାତୃକାର ବନ୍ଦନା, ‘ବନ୍ଦେ ମାତରମ୍’ ସହିତ ଆରମ୍ଭ ହୋଇଥିଲା, ଯାହାକି ପରବର୍ତ୍ତୀ କାଳରେ ଦେଶାତ୍ମବୋଧ ଓ ଆତ୍ମୋତ୍ସର୍ଗର ଆବାହନ ମନ୍ତ୍ରରୂପେ ଧ୍ଵନିତ ହୋଇଥିଲା ।

 

ଏକଥା ସତ୍ୟ ଯେ ଜାତୀୟ ଆନ୍ଦୋଳନର ପ୍ରାଥମିକ ପର୍ଯ୍ୟାୟର ଅଭିଜ୍ଞତା ନେତୃବୃନ୍ଦଙ୍କ ମର୍ଯ୍ୟାଦା ଓ ପରିପକ୍ଵତା ବୃଦ୍ଧି କରିଥିଲା । ସେମାନଙ୍କର ଆତ୍ମ–ପ୍ରତ୍ୟୟ ଓ ଆତ୍ମସମ୍ମାନବୋଧ ବର୍ଦ୍ଧିତ ହୋଇଥିଲା । ସେମାନେ ଉପଲବ୍ଧି କରିଥିଲେ ଯେ ସ୍ୱାୟତ୍ତ ଶାସନର କ୍ଷମତା ସେମାନଙ୍କର ଅଛି ଏବଂ ସେମାନେ ଦେଶର ଭବିଷ୍ୟତ ବିକାଶ ସାଧନ କରିପାରିବେ । ସ୍ଵାମୀ ବିବେକାନନ୍ଦ ଜଣେ ରାଜନୈତିକ ନେତା ନଥିଲେହେଁ ସେ ମଧ୍ୟ ଆତ୍ମବିଶ୍ଵାସ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ, ଏବଂ କହିଥିଲେ ଯେ–“ପୃଥିବୀରେ ଯଦି କିଛି ପାପ ଥାଏ, ତା’ ହେଉଛି ଦୁର୍ବଳତା । ସମସ୍ତ ଦୁର୍ବଳତା ବର୍ଜନ କର । ଦୁର୍ବଳତା ହେଉଛି ପାପ ଓ ମୃତ୍ୟୁ । ....ସତ୍ୟର ନିକଟରେ ଏହାହିଁ ପରୀକ୍ଷା ହୋଇଛି ଯେ ଯାହାକିଛି ତୁମକୁ ଶାରୀରିକ, ମାନସିକ ଏବଂ ଆତ୍ମିକ ଦୁର୍ବଳତା ଆଣିଦିଏ, ତାହାକୁ ବିଷତୁଲ୍ୟ ବର୍ଜନ କର । ସେଥିରେ ଜୀବନ ନାହିଁ । ତାହା କଦାପି ସତ୍ୟ ହୋଇ ପାରେନା ।’’

 

ବିବେକାନନ୍ଦହିଁ ସର୍ବପ୍ରଥମେ ଅତୀତର ଗୌରବକୁ ନେଇ ଦିବାସ୍ଵପ୍ନ ଦେଖିବା ବିରୁଦ୍ଧରେ ମୁକ୍ତକଣ୍ଠରେ ପ୍ରଚାର କରିଥିଲେ । ସେ ଚାହୁଁଥିଲେ ଭାରତୀୟ ଜାତିର ଏକ ସୁଦୃଢ଼ ଏବଂ ବିକାଶଶୀଳ ଭବିଷ୍ୟତ । ସେ କହୁଥିଲେ, “ହେ ଭଗବାନ, କେବେ ଆମର ଦେଶ ଅତୀତର କାରାକକ୍ଷରୁ ମୁକ୍ତ ହେବ ?” ଜଣେ ଧାର୍ମିକ ନେତା ହୋଇବି ସେ କହୁଥିଲେ ଯେ ଧର୍ମର ଲକ୍ଷ୍ୟ ଦାରିଦ୍ର୍ୟ ନୁହେଁ, ଲୋକମଙ୍ଗଳ ନିମନ୍ତେ ତା’ର ଭୂମିକା ଅନସ୍ଵୀକାର୍ଯ୍ୟ ।

 

ଏହି ସମୟରେ ବିଦେଶରେ ଘଟିଥିବା କେତେକ ଘଟନାବଳି ଆମ ଦେଶରେ ଉଗ୍ର ଜାତୀୟବାଦର ବିକାଶ ଦିଗରେ ସାହାଯ୍ୟ କରିଥିଲେ । ବିଶେଷତଃ ଖ୍ରୀ : ୧୮୬୮ରେ ଏକ ଆଧୁନିକ ଓ ଶକ୍ତିଶାଳୀ ଦେଶରୂପେ ଜାପାନର ଅଭ୍ୟୁଦୟ ଭାରତୀୟଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିଥିଲା । ଜାପାନ ପ୍ରମାଣ କରିଦେଇଥିଲା ଯେ ପାଶ୍ଚାତ୍ୟର ବିନା ସାହାଯ୍ୟରେ ଆତ୍ମଚେଷ୍ଟା ବଳରେ ମଧ୍ୟ ଗୋଟିଏ ପ୍ରାଚ୍ୟ ଦେଶ ନିଜକୁ ଶକ୍ତିଶାଳୀରୂପେ ଗଠିତ କରିପାରେ । ପଚାଶବର୍ଷରୁ କମ୍ ସମୟ ମଧ୍ୟରେ ଗୋଟିଏ ଶିଳ୍ପସମୃଦ୍ଧ ସାମରିକ ଶକ୍ତିରୂପେ ଜାପାନ ରୂପାନ୍ତରିତ ହୋଇଥିଲା । ଦେଶରେ ସମସ୍ତଙ୍କ ପାଇଁ ପ୍ରାଥମିକ ଶିକ୍ଷାର ପ୍ରବର୍ତ୍ତନ ହୋଇଥିଲା ଏବଂ ଏକ କୁଶଳ ଆଧୁନିକ ଶାସନ ବ୍ୟବସ୍ଥା ପ୍ରଚଳନ ହୋଇଥିଲା । ଭାରତୀୟଙ୍କ ନିକଟରେ ଏହା ଥିଲା ଏକ ଅନୁକରଣୀୟ ଆଦର୍ଶ । ଅନୁରୂପଭାବେ ଖ୍ରୀ : ୧୮୯୬ରେ ଇଥିଓପିଆ ହାତରେ ଇଟାଲୀର ପରାଜୟ ଏବଂ ଖ୍ରୀ: ୧୯୦୫ରେ ରୁଷ ବିରୁଦ୍ଧରେ ଜାପାନର ଜୟଲାଭ ପ୍ରମାଣ କରିଦେଇଥିଲା ଯେ ଗୋରାଲୋକଙ୍କ ବୈଶିଷ୍ଟ୍ୟ ଏକ ଅଳୀକ ଆତ୍ମପ୍ରଚାର ।

 

ଆୟାରଲାଣ୍ଡ, ରୁଷ, ଇଜିପ୍‍ଟ, ତୁର୍କୀ ଏବଂ ଚୀନ ଦେଶର ଲୋକମାନଙ୍କ ସ୍ଵାଧୀନତା ସଂଗ୍ରାମ ଭାରତୀୟମାନଙ୍କ ନିକଟରେ ପ୍ରମାଣ କରିଥିଲା ଯେ ନୀତି ଉପରେ ପ୍ରତିଷ୍ଠିତ ଏକ ଐକ୍ୟବଦ୍ଧ ଜାତି ପୃଥିବୀର ଯେକୌଣସି ଶକ୍ତିଶାଳୀ ସରକାର ବିରୁଦ୍ଧରେ ସଂଗ୍ରାମ କରିପାରେ ।

 

ଚରମପନ୍ଥୀଙ୍କ ମଧ୍ୟରେ ଅଗ୍ରଗଣ୍ୟ ନେତା ଥିଲେ ବାଳଗଙ୍ଗାଧର ତିଳକ । ପରବର୍ତ୍ତୀ କାଳରେ ସେ ଲୋକମାନ୍ୟ ତିଳକ ନାମରେ ପରିଚିତ ହୋଇଥିଲେ । ଖ୍ରୀ: ୧୮୬୬ରେ ସେ ଜନ୍ମଗ୍ରହଣ କରିଥିଲେ । ବମ୍ବେ ବିଶ୍ଵବିଦ୍ୟାଳୟରୁ ସ୍ନାତକ ଲାଭ କଲା ପରେ ସେ ତାଙ୍କର ସାରା ଜୀବନ ଦେଶ ସେବାରେ ଉତ୍ସର୍ଗ କରିଥିଲେ । ତିଳକ ତାଙ୍କର ରାଜନୈତିକ ଲକ୍ଷ୍ୟ ଓ ଆଦର୍ଶ ସପକ୍ଷରେ ଜନମତ ସଂଗଠନ କରିବା ଦିଗରେ ସାମ୍ବାଦିକତା ସହିତ ତାଙ୍କ ସମ୍ପର୍କରେ ସାର୍ଥକ ଉପଯୋଗ କରିଥିଲେ । ଜି. ଜି. ଅଗରକରଙ୍କ ସହିତ ମିଶି ସେ ଇଂରାଜୀରେ ‘ମରାଠା’ ପତ୍ରିକା ଏବଂ ମରାଠୀରେ ‘କେଶରୀ’ ପତ୍ରିକା ପ୍ରତିଷ୍ଠା କରିଥିଲେ ।

 

ଖ୍ରୀ: ୧୮୮୯ଠାରୁ ସେ ନିଜେ ‘କେଶରୀ’ ସମ୍ପାଦନା କଲେ ଏବଂ ଏହି ପତ୍ରିକା ଜାତୀୟ ଆନ୍ଦୋଳନର ଏକ ପ୍ରଧାନ ମୁଖପତ୍ର ହୋଇପଡ଼ିଲା । ତିଳକ ନିଜର ରଚନାରେ ଓ ଭାଷଣରେ ଲୋକମାନଙ୍କୁ ନିର୍ଭୀକ, ନିଃସ୍ଵାର୍ଥପର, ଆତ୍ମ–ଗୌରବ–ସମ୍ପନ୍ନ ଏବଂ ଆତ୍ମବିଶ୍ଵାସୀ ହେବାକୁ ଶିକ୍ଷା ଦେଲେ । ସେ ପାରମ୍ପରିକ ବିନାୟକ ପୂଜାର ପୁନଃ ପ୍ରବର୍ତ୍ତନ କଲେ ଏବଂ ଲୋକସାଧାରଣଙ୍କ ମଧ୍ୟରେ ଜାତୀୟତା ବୋଧର ପ୍ରସାର ନିମନ୍ତେ ଶିବାଜୀ ଉତ୍ସବର ସୂତ୍ରପାତ କଲେ ।

 

ତିଳକ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ କି ମଡ଼କ, ମରୁଡ଼ି ବା ଦୁର୍ଭିକ୍ଷ ହେତୁ ଫସଲହାନି ଘଟିଲେ ସରକାରୀ ଖଜଣା ବାସନ୍ଦ କରିବାକୁ ମହାରାଷ୍ଟ୍ରର କୃଷକମାନଙ୍କୁ ଉପଦେଶ ଦେଇଥିଲେ । ବଡ଼ଲାଟ ଏଲ୍‍ଗିନ୍‍ ଯେତେବେଳେ ଭାରତୀୟ ମିଲ୍ ଲୁଗା ଉପରେ ଅବକାରୀ ଶୁଳ୍କ ଧାର୍ଯ୍ୟ କଲେ ସେ ବ୍ରିଟିଶ ପଦାର୍ଥର ବର୍ଜନ ଏବଂ ସ୍ଵଦେଶୀ ଦ୍ରବ୍ୟର ପ୍ରଚଳନ ନିମନ୍ତେ ଆହ୍ଵାନ ଦେଇଥିଲେ ।

 

ବ୍ରିଟିଶ ସରକାର ଏହାଦ୍ଵାରା ନିଶ୍ଚିତରୂପେ ବିବ୍ରତ ହୋଇଥିଲେ । ସେମାନେ ଖ୍ରୀ: ୧୮୯୭ରେ ସରକାରଙ୍କ ବିରୁଦ୍ଧରେ ଘୃଣା ଓ ଅସନ୍ତୋଷ ପ୍ରଚାର କରୁଥିବା ଦୋଷ ଦେଇ ତିଳକଙ୍କୁ ବନ୍ଦୀକଲେ । ସେ ଅବନମନୀୟ ସାହସିକତାର ସହିତ ଆତ୍ମପକ୍ଷ ସମର୍ଥନ କଲେ । କ୍ଷମା ଭିକ୍ଷା କରିବାଠାରୁ ୧୮ ମାସ ସଶ୍ରମ କାରାଦଣ୍ଡ ସେ ଗର୍ବର ସହିତ ଗ୍ରହଣ କରିଥିଲେ । ତାଙ୍କର ଏହି ଆଦର୍ଶ ଆତ୍ମୋତ୍ସର୍ଗ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏକ ନୂତନ ଜାତୀୟତାବୋଧର ସେ ହେଲେ ଏକ ଜୀବନ୍ତ ପ୍ରତୀକ ।

 

ଲୋକମାନ୍ୟ ତିଳକଙ୍କ ବ୍ୟତୀତ ବିପିନଚନ୍ଦ୍ର ପାଲ୍, ଅରବିନ୍ଦ ଘୋଷ, ଲାଲା ଲାଜପତରାୟ ପ୍ରମୁଖ ନେତୃବୃନ୍ଦ ଉଗ୍ରଜାତୀୟତାବାଦର ସମର୍ଥକ ଥିଲେ । ସେମାନଙ୍କ କାର୍ଯ୍ୟକ୍ରମର ତ୍ରିବିଧ ଲକ୍ଷ୍ୟ ଥିଲା । ପ୍ରଥମତଃ, ସେମାନେ ଚାହିଁଥିଲେ ଯେ ଭାରତୀୟମାନେ ନିଜର ମୁକ୍ତି ନିଜ ଶକ୍ତିରେ ହାସଲ କରନ୍ତୁ ଏବଂ ବିଦେଶୀ ଶାସନ ଚକ୍ରରେ ଅଧଃପତିତ ଅବସ୍ଥାରୁ ଜାଗ୍ରତ ହୁଅନ୍ତୁ । ଏହି ଉଦ୍ଦେଶ୍ୟ ସାଧନପାଇଁ ଯେକୌଣସି ତ୍ୟାଗ ଓ ଦୁଃଖଭୋଗ ଗ୍ରହଣୀୟ । ସୁତରାଂ, ସେମାନେ ତ୍ୟାଗ, ସାହସ ଓ ଆତ୍ମ–ବିଶ୍ଵାସର ପ୍ରଚାର କରିଥିଲେ । ଦ୍ଵିତୀୟତଃ, ଭାରତପାଇଁ ଏକ ‘ଉପକାରୀ ବିଦେଶୀ ସରକାର’ର ସହାୟତା ଏକାନ୍ତ ଆବଶ୍ୟକ–ଏପରି ଏକ ଅଳୀକ ଯୁକ୍ତି ସେମାନେ ଖଣ୍ଡନ କରିଥିଲେ । ବିଦେଶୀ ସରକାର ପ୍ରତି ସେମାନଙ୍କର ଥିଲା ତୀବ୍ର ଘୃଣା ଏବଂ ସେମାନଙ୍କ ନିକଟରେ ଜାତୀୟ ସଂଗ୍ରାମର ଚରମ ଲକ୍ଷ୍ୟ ଥିଲା ପୂର୍ଣ୍ଣ ସ୍ଵରାଜ । ଜନଶକ୍ତି ଉପରେ ସେମାନଙ୍କର ଅଗାଧ ଆସ୍ଥା ଥିଲା ଏବଂ ଜନ ଆନ୍ଦୋଳନ ମାଧ୍ୟମରେ ସ୍ଵାଧୀନତା ଲାଭପାଇଁ ସେମାନେ ଦୃଢ଼ପରିକର ହୋଇଥିଲେ ।

 

ବଙ୍ଗ–ବିଭାଜନ ଏବଂ ତା’ର ପ୍ରତିକ୍ରିୟା

 

ରାଜନୈତିକ ରଙ୍ଗମଞ୍ଚରେ କର୍ଜନଙ୍କ ଆବିର୍ଭାବବେଳକୁ ଚରମପନ୍ଥୀମାନେ ସକ୍ରିୟ ହୋଇପଡ଼ିଥିଲେ । କର୍ଜନଙ୍କ ନୀତି ସେମାନଙ୍କ କର୍ମପନ୍ଥାକୁ କେବଳ ଉତ୍ତେଜିତ କରିଥିଲା । ଲୋକମାନଙ୍କୁ ବହୁ ଆକାଂକ୍ଷିତ ସ୍ୱାୟତ୍ତ–ଶାସନ, ଶିକ୍ଷା ଓ ସମ୍ବାଦପତ୍ରର ସ୍ଵାଧୀନତା ସେ ଅନୁମୋଦନ କଲେ ନାହିଁ । କଲିକତା ନଗର–ନିଗମ ସଭ୍ୟସଂଖ୍ୟା ସେ କମାଇଦେଲେ । ଶିକ୍ଷା–ସଂସ୍କାର ନାମରେ ଭାରତୀୟ ବିଶ୍ଵବିଦ୍ୟାଳୟର ଉପରେ ସରକାରୀ କର୍ତ୍ତୃତ୍ଵ ବଢ଼ାଇଦେଲେ । ତାଙ୍କଦ୍ଵାରା ନିଯୁକ୍ତି ଏକ ବିଶ୍ଵବିଦ୍ୟାଳୟ କମିଶନ ଦ୍ଵିତୀୟ ଶ୍ରେଣୀର କଲେଜ ଏବଂ ଆଇନ ଶିକ୍ଷା ଅନୁଷ୍ଠାନମାନ ବନ୍ଦହେବା, ଛାତ୍ରଙ୍କ ଦରମା ବଢ଼ିବା, ସିନେଟ ସଭ୍ୟମାନଙ୍କ ସଂଖ୍ୟା ଓ କାର୍ଯ୍ୟକାଳ ହ୍ରାସ କରିବା, ଶିକ୍ଷା ବିଭାଗର କ୍ଷମତା ବୃଦ୍ଧି କରିବା ଏବଂ ନୂତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଉପରେ ପୂର୍ଣ୍ଣ କର୍ତ୍ତୃତ୍ଵ ଜାରି କରିବା ଇତ୍ୟାଦି ବିଷୟରେ ସୁପାରିସ୍ କରିଥିଲେ । ଦ୍ଵିତୀୟ ଶ୍ରେଣୀର କଲେଜମାନ ଏବଂ ଆଇନଶିକ୍ଷା ବନ୍ଦ ହେବାଦ୍ଵାରା ଏସବୁ ଅନୁଷ୍ଠାନ ଚଳାଉଥିବା ଓ ଅଧ୍ୟାପନା କରୁଥିବା ଭାରତୀୟମାନଙ୍କ ପାଇଁ ଚାକିରି କ୍ଷେତ୍ରରେ ଅନଟନ ଦେଖାଦେବା ସଙ୍ଗେ ସଙ୍ଗେ ଉଚ୍ଚଶିକ୍ଷା ଲାଭ ଏବଂ ଆଇନ ବ୍ୟବସାୟ ପ୍ରତି ଇଚ୍ଛୁକ ଥିବା ଛାତ୍ରମାନଙ୍କର ସୁଯୋଗ ମଧ୍ୟ କମିଗଲା । ଦରମା ବୃଦ୍ଧି ହେବାଦ୍ଵାରା କିରାଣି ବା ମାଷ୍ଟର ହେବାପାଇଁ ପାଠପଢ଼ୁଥିବା ଗରିବଛାତ୍ରମାନଙ୍କର ବାଟ ବନ୍ଦ ହୋଇଗଲା । ଉଦାରପନ୍ଥୀମାନେ ଏହି ବିଲ୍‍ର ପ୍ରତିବାଦ କଲେ, ମାତ୍ର କର୍ଜନ ଖୁବ୍ ସାମାନ୍ୟ କୋହଳ କରିଥିଲେ । ଏହା ଫଳରେ ଜାତୀୟ ଶିକ୍ଷାପାଇଁ ଦାବି ଦୃଢ଼ତର ହେଲା ।

 

ତାଙ୍କର “ଅଫିସିଆଲ୍ ସିକ୍ରେଟ୍‍ସ (ଆମେଣ୍ଡମେଣ୍ଟ) ଆଇନ’’ ଅତ୍ୟାଚାରୀ ରାଜକର୍ମଚାରୀମାନଙ୍କୁ ଲୋକଙ୍କ ସମାଲୋଚନା କବଳରୁ ରକ୍ଷା କରିବାପାଇଁ ଅଭିପ୍ରେତ ହୋଇଥିଲା । ଏହା ଲିଟନ୍‍ଙ୍କ ନୀତିର ପୁର୍ବାନୁବୃତ୍ତି ପରି ମନେ ହୋଇଥିଲା ଏବଂ ଏହା ପୂର୍ବାପେକ୍ଷା ଅଧିକ ପରିମାଣରେ ସମ୍ବାଦପତ୍ରଗୁଡ଼ିକୁ ଜାତୀୟତାବାଦୀ କରିଦେଇଥିଲା । ଦିଲ୍ଲୀ–ଦରବାର, ତିବ୍ବତ–ଅଭିଯାନ ଓ ବିଦେଶୀ–ଉପଚାରରେ ସେ ପ୍ରଚୁର ଭାରତୀୟ ଅର୍ଥ ବିନର୍ବ୍ୟୟ କରିଥିଲେ । ଖଜଣା କମାଇବାକୁ ସେ ଆଦୌ ରାଜି ହୋଇ ନଥିଲେ । ଶେଷରେ ଆସିଲା ବଙ୍ଗ–ବିଭାଜନ । ଶାସନ ଓ ପରିଚାଳନାର ଉନ୍ନତିପାଇଁ ଏହାର ଆବଶ୍ୟକତା ଲୋକଦେଖାଣିଆଭାବେ ପ୍ରଚାର ହୋଇଥିଲେହେଁ ଏହାର ଅସଲ ଉଦ୍ଦେଶ୍ୟ ଥିଲା ବଙ୍ଗଳାର ଚରମପନ୍ଥୀ ଜାତୀୟତାବାଦୀଙ୍କ ବିଲୋପସାଧନ । ଏହି ପ୍ରକଳ୍ପର ପରିନିଷ୍ଠିତ ଲକ୍ଷ୍ୟ ଥିଲା ପ୍ରଶାସନିକ ସୁବିଧା ବୃଦ୍ଧି ଏବଂ ଆସାମର ବିକାଶ । କିନ୍ତୁ ମଝିରେ ଏଥିରେ ରାଜନୀତି ପଶିଯାଇଥିଲା । ରାଜକର୍ମଚାରୀମାନେ କହିବୁଲିଲେ ଯେ ଏହାର ଲକ୍ଷ୍ୟ ହେଲା କଲିକତା କବଳରୁ ପୂର୍ବପ୍ରାନ୍ତୀୟ ଜିଲାଗୁଡ଼ିକର ମୁକ୍ତି ଆନୟନ ଏବଂ ମୁସଲମାନମାନଙ୍କ ପ୍ରତି ନ୍ୟାୟବିଧାନ । ଚରମପନ୍ଥୀମାନଙ୍କ ଚାରଣଭୂମି ବଖରଗଡ଼ ଓ ଫରିଦପୁରକୁ ପୂର୍ବ–ବଙ୍ଗ ସହିତ ସାମିଲ କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା ।

 

ଚତୁର୍ଦ୍ଦିଗରେ ଏହାର ପ୍ରତିବାଦ ହେଲା । କଂଗ୍ରେସ ଏହାକୁ ଏକ କିମ୍ଭୂକ ଯୋଜନାରୂପେ ବୟାନ କଲା । ଏଥିପାଇଁ ଦୁଇଟି ବିକଳ୍ପ ପରାମର୍ଶ ଦିଆଗଲା–ସମଗ୍ର ବଙ୍ଗଳାକୁ ଜଣେ ଲାଟଙ୍କ ଅଧୀନରେ ରଖାଯାଉ କିମ୍ବା ହିନ୍ଦୀ ଓ ଓଡ଼ିଆ–ଭାଷୀଙ୍କୁ ପୃଥକ କରିଦେଇ ସମସ୍ତ ବଙ୍ଗଳାଭାଷୀଙ୍କୁ ଏକତ୍ର ରଖାଯାଉ । କର୍ଜନ ଏସବୁ କଥାକୁ ବଙ୍ଗାଳୀବାବୁଙ୍କ ବାଚାଳତା ବୋଲି ଆଡ଼େଇ ଦେଇଥିଲେ । ଏଥିରୁ ପ୍ରମାଣିତ ହୋଇଥିଲା ଯେ ବିଭାଜନ ମୁଖ୍ୟତଃ ଥିଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ସରକାର ଏହା କରାଇନେଇପାରିଲେ ପୂର୍ବ ପ୍ରାନ୍ତରେ ଯାବତୀୟ ଗୋଳମାଳର ମୂଳ ଉତ୍ସ ସମ୍ପୂର୍ଣ୍ଣଭାବେ ଅବରୁଦ୍ଧ ହୋଇପାରିବ ।

 

ଖ୍ରୀ: ୧୯୦୪ ଫେବୃଆରୀ ମାସରେ ପୂର୍ବ–ବଙ୍ଗ ପରିଦର୍ଶନ ସମୟରେ ସେ ତାଙ୍କର ପ୍ରାରମ୍ଭିକ ଯୋଜନାକୁ ବିସ୍ତାରିତ ରୂପ ଦେଇଥିଲେ । ବଙ୍ଗଳାରୁ ସର୍ବମୋଟ ପନ୍ଦରଟି ଜିଲା ବିଚ୍ଛିନ୍ନ ହୋଇଯିବ ଏବଂ ଏହାର ଲୋକସଂଖ୍ୟା ୫,୪୦,୦୦୦ ପର୍ଯ୍ୟନ୍ତ କମିଆସିବ । ରିସ୍‍ଲେ ଲେଖିଥିଲେ–"ଅବିଭକ୍ତ ବଙ୍ଗ ଏକ ଦୁର୍ଦ୍ଦାନ୍ତ ଶକ୍ତି । ବଙ୍ଗ–ବିଭାଜନ ନାନା ପଥର ସନ୍ଧାନ ଦେବ....ଆମର ଏକ ପ୍ରଧାନ ଲକ୍ଷ୍ୟ ହେଉଛି ବିଭାଗୀକରଣଦ୍ଵାରା ଆମର ବିରୁଦ୍ଧାଚାରୀ ଏକ ଜନ–ସମ୍ପ୍ରଦାୟକୁ ଦୁର୍ବଳ କରିଦେବା ।’’ ଲର୍ଡ଼ ହାଡ଼ିଞ୍ଜ ପରବର୍ତ୍ତୀ କାଳରେ ସ୍ଵୀକାର କରିଥିଲେ ଯେ "ବଙ୍ଗାଳୀମାନଙ୍କୁ ଧ୍ଵଂସ କରିବା ନୀତି ଆମକୁ ଅନ୍ୟ ଦିଗ ପ୍ରତି ପ୍ରାୟ ଅନ୍ଧ କରିଦେଇଥିଲା ।’’ କିନ୍ତୁ ସରକରୀ କୂଟନୀତି ବଙ୍ଗାଳୀ ଜମିଦାର, ଓକିଲ, ବ୍ୟବସାୟୀ, କୃଷକ ଓ ଛାତ୍ରମାନଙ୍କ ଐକ୍ୟବଦ୍ଧ ପ୍ରତିରୋଧ ଆଗରେ ହାର ମାନିଲା । ଭାରତୀୟ ଜନତାର ଗୋଟିଏ ସ୍ପର୍ଶକାତର, ଆତ୍ମାଭିମାନୀ ଗୋଷ୍ଠୀର ମନରେ ଏହା ଏକ ନିଷ୍ଠୁର ଆଘାତ ପ୍ରଦାନ କରିଥିଲା ।

 

ବଙ୍ଗ ବିଭାଜନ–ବିରୋଧୀ ଆନ୍ଦୋଳନ

 

କର୍ଜନ ବାଧ୍ୟବାଧକତାପୂର୍ବକ ସେକ୍ରେଟେରୀ ଅଫ୍ ଷ୍ଟେଟ୍‍ଙ୍କ ସମ୍ମତି ହାସଲକରି ଖ୍ରୀ: ୧୯୦୫ ଜୁଲାଇ ମାସରେ ତାଙ୍କର ଯୋଜନା ପ୍ରକାଶ କଲେ । ମାତ୍ର ସେ ଦେଖିଲେ ଯେ ଯେଉଁ ଏକତାର ଧ୍ଵଂସ କାମନା କରି ସେ ଯୋଜନା କରୁଛନ୍ତି ସେହି ଏକତା ବରଂ ବଳବତ୍ତର ହୋଇଯାଇଛି । ବଙ୍ଗ–ବିଭାଜନ–ବିରୋଧୀ ଆନ୍ଦୋଳନରେ ବଙ୍ଗଳାର ସବୁଶ୍ରେଣୀର ଲୋକ ଅଂଶଗ୍ରହଣ କରିଥିଲେ ଏବଂ ସମସ୍ତ ଭାରତୀୟ ନେତୃବୃନ୍ଦ ଏହାର ପଛରେ ଥିଲେ । ପ୍ରାରମ୍ଭିକ ଅବସ୍ଥାରେ ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ପରି ଉଦାର–ପନ୍ଥୀ ଏହାର ନେତୃତ୍ଵ ନେଇଥିଲେ, ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଚରମ–ପନ୍ଥୀ ବିପିନଚନ୍ଦ୍ର ପାଲ, ଅଶ୍ଵିନୀକୁମାର ଦତ୍ତ ଓ ଅରବିନ୍ଦ ଘୋଷ ଏହାକୁ ପରିଚାଳନା କଲେ । ଆନ୍ଦୋଳନ ମୁଖ୍ୟତଃ ସହରମାନଙ୍କରେ ଦେଖାଦେଇଥିଲେହେଁ ପଲ୍ଲୀ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା ।

 

ଖ୍ରୀ: ୧୯୦୫ ଅଗଷ୍ଟ ୭ ତାରିଖରେ କଲିକତା ଟାଉନହଲଠାରେ ଏକ ବିରାଟ ଜନସଭାରେ ବ୍ରିଟିଶ ଦ୍ରବ୍ୟ ପରିବର୍ଜନମୂଳକ ସିଦ୍ଧାନ୍ତ ଗ୍ରହଣ କରିବା ମାଧ୍ୟମରେ ଏହି ଆନ୍ଦୋଳନର ସୂତ୍ରପାତ ହେଲା । ବିଭାଗୀକରଣ ଯେଉଁଦିନଠାରୁ କାର୍ଯ୍ୟକାରୀ ହେଲା ସେହି ଅକ୍ଟୋବର ୧୬ ତାରିଖ ଗୋଟିଏ ଶୋକଦିବସରୂପେ ପାଳିତ ହେଲା । ସେଦିନ ହରତାଳ ହେଲା । ଲୋକେ ଉପବାସ କରି, ବନ୍ଦେମାତରମ ଧ୍ୱନି ଦେଇ, ଜାତୀୟ–ସଙ୍ଗୀତ ଗାନ କରି ଖାଲିପାଦରେ ଯାଇ ଗଙ୍ଗାରେ ବୁଡ଼ ଦେଲେ । ବଙ୍ଗାଳୀ ଭ୍ରାତୃ–ଭାବର ପ୍ରତିଷ୍ଠା ନିମନ୍ତେ ହିନ୍ଦୁ–ମୁସଲମାନ ପରସ୍ପର ହାତରେ ରାଖୀ ବାନ୍ଧିଥିଲେ ।

 

ରବୀନ୍ଦ୍ରନାଥଙ୍କ ସ୍ଵଦେଶୀ ସଙ୍ଗୀତଗୁଡ଼ିକରେ ଲୋକଚିତ୍ତର ବେଦନା ଓ ବିରକ୍ତି ପ୍ରତିଧ୍ଵନିତ ହେଲା । ପ୍ରତି ପଂକ୍ତିରେ ବିଭକ୍ତ ଦେଶ ଓ ସମାଜ ପ୍ରତି ଗଭୀର ସମ୍ବୋଧନ ପ୍ରକାଶ ପାଇଥିଲା । ସୁଖ ଓ ସ୍ଵାର୍ଥ ତ୍ୟାଗ କରି ପ୍ରତିରୋଧ କରିବାକୁ ସମଗ୍ର ବଙ୍ଗାଳୀ ଜାତି ଯେପରି ଗୋଟିଏ ବ୍ୟକ୍ତିପରି ଦଣ୍ଡାୟମାନ ହେଲା । ବରିସାଲ୍, ମୟମନ୍‍ସିଂ ପରି ମଫସଲ ଅଞ୍ଚଳରେ ମଧ୍ୟ ଅଚିରେ ଦେଶପ୍ରେମର ବହ୍ନି ଜଳି ଉଠିଲା । ବନାରସ କଂଗ୍ରେସ ଅଧିବେଶନରେ ସଭାପତିତ୍ଵ କରି ଗୋଖଲେ ଘୋଷଣା କରିଥିଲେ ଯେ ଏହି ବିଭାଗୀକରଣ ଏକ ନିଷ୍ଠୁର ଶାସ୍ତି ଏବଂ ଏହା ପ୍ରଚଳିତ ଅମଲା ତାନ୍ତ୍ରିକ ଶାସନର ସମସ୍ତ ଦୋଷ ଦୁର୍ବଳତାର ଏକ ପୂର୍ଣ୍ଣାଙ୍ଗ ଚିତ୍ର । କାରଣ ଏଥିରେ ପ୍ରତିପାଦିତ ହୋଇଛି ଏହି ଶାସନର ଜନମତ ପ୍ରତି ଅବଜ୍ଞା, ଅହଂକାରିତା ଓ ଲୋକ ଚିତ୍ତର କାମନା ବାସନା ପ୍ରତି ନିର୍ଦ୍ଦୟ ଅବହେଳା ଏବଂ ବେତନଭୋଗୀ ସରକାରୀ ଚାକିରିଆଙ୍କ ପ୍ରତି ସମର୍ଥନ ।

 

ଖ୍ରୀ: ୧୯୦୫ରେ ଲୋକମାନଙ୍କ ମଧ୍ୟରେ ଦେଖାଦେଇଥିବା ସ୍ଵଦେଶୀ ଓ ବଏକଟ୍‍ ଆନ୍ଦୋଳନ ଗୋଟେ କିଛି ନୂଆ କଥା ନଥିଲା । ପୂର୍ବରୁ ଆମେରିକାନ୍, ଆଇରିସ୍ ଓ ଚାଇନିଜ୍‍ମାନେ ମଧ୍ୟ ଏହି ନୀତି ଅନୁସରଣ କରିଥିଲେ । ଭାରତୀୟ ଶିଳ୍ପର ବିକାଶ ଦିଗରେ ଏକ ଅର୍ଥନୈତିକ ପଦକ୍ଷେପ ଭାବରେ ସ୍ଵଦେଶୀ ନୀତିର ପ୍ରଚାର କରିଥିଲେ ମହାରାଷ୍ଟ୍ରର ଗୋପାଳ ରାଓ ଦେଶମୁଖ, ଜି. ଭି. ଜୋଷୀ, ଏମ୍. ଜି. ରାଣାଡ଼େ ଏବଂ ବଙ୍ଗଳାର ରାଜନାରାୟଣ ବୋଷ, ନବ ଗୋପାଳ ମିତ୍ର ଓ ଠାକୁର ପରିବାର । ଅନୁରୂପଭାବେ ଖ୍ରୀ: ୧୮୭୦ ପାଖାପାଖି ବ୍ରିଟିଶ ଲୋକଙ୍କ ଉପରେ ଅର୍ଥନୈତିକ ଚାପ ସୃଷ୍ଟି କରିବାପାଇଁ ଭୋଳାନାଥ ଚନ୍ଦ୍ର ବଏକଟ୍‍ ନୀତିର ଅନୁମୋଦନ କରିଥିଲେ । ଖ୍ରୀ: ୧୮୯୬ରେ ତିଳକ ଗୋଟିଏ ପୂର୍ଣ୍ଣାଙ୍ଗ ବଏକଟ୍‍ ଆନ୍ଦୋଳନ ପ୍ରଚଳନ କରିଥିଲେ-। ସମସ୍ତେ ବୁଝିଥିଲେ ଯେ ସ୍ଵଦେଶୀ ଓ ବଏକଟ୍‍ ନୀତି ଦୁଇଟି ପରସ୍ପରର ପରିପୂରକ-। ଗୋଟିକ ବିନା ଅନ୍ୟଟି ସଫଳ ହେବା ସମ୍ଭବ ନୁହେଁ ।

 

ବଙ୍ଗ–ବିଭାଜନ–ବିରୋଧୀ ଆନ୍ଦୋଳନବେଳେ ଏହି ପୁରୁଣା ନୀତି ସବୁର ନୂତନ ଅର୍ଥ ଦେଖାଯାଇଥିଲା । କିନ୍ତୁ ଏହି ଆନ୍ଦୋଳନ ଉଦାର–ପନ୍ଥୀ ଓ ଚରମ–ପନ୍ଥୀମାନଙ୍କ ମଧ୍ୟରେ ଏକ ସ୍ପଷ୍ଟ ବିଭେଦ ସୃଷ୍ଟି କରିଥିଲା । ବମ୍ବେର ଉଦାର–ପନ୍ଥୀମାନେ ସ୍ଵଦେଶୀ ନୀତିର ସମର୍ଥନ କରିଥିଲେହେଁ, ଏକ ରାଜନୈତିକ ଅସ୍ତ୍ରରୂପେ ବଏକଟ୍‍ ଆନ୍ଦୋଳନର ବିରୋଧ କରିଥିଲେ । ଗୋଖଲେ 'ବଏକଟ୍‍ 'ଶବ୍ଦଟିକୁ ଏକଦମ୍ ନାପସନ୍ଦ କରୁଥିଲେ, କାରଣ ଏଥିରେ ଲକ୍ଷ୍ୟାର୍ଥ ଥିଲା ଅନ୍ୟର କ୍ଷତି ସାଧନ ନିମନ୍ତେ ପ୍ରତିହିଂସା ପ୍ରବୃତ୍ତି ଏବଂ ଏହା ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ବିରୋଧିତା ସୃଷ୍ଟି କରୁଥିଲା । କିନ୍ତୁ ସୁରେନ୍ଦ୍ରନାଥ ବାନାର୍ଜୀ ଗୋଟିଏ ତାତ୍‍କ୍ଷଣିକ ଅନ୍ୟାୟ ବିରୁଦ୍ଧରେ ବଏକଟ୍‍କୁ ଏକ ସାର୍ଥକ ଅସ୍ତ୍ରରୂପେ ବିଚାର କରିଥିଲେ । ସେ ଆଶା କରିଥିଲେ ବିଭାଗୀକରଣ ବ୍ୟର୍ଥ ହୋଇଗଲେ ଏହାର ଆଉ ଆବଶ୍ୟକତା ରହିବ ନାହିଁ । ଲାଜପତ୍‍ରାୟ ଆହୁରି ବେଶି ଉଗ୍ର ଥିଲେ । ସେ କହୁଥିଲେ ବ୍ରିଟିଶମାନଙ୍କ ଟଙ୍କା ଥଳିରେ ହାତ ଦେଲେ ଯାଇ ସେମାନଙ୍କ ଦୃଷ୍ଟି ଭାରତୀୟମାନଙ୍କ ଦୁଃଖଦୁର୍ଦ୍ଦଶା ପ୍ରତି ବଳେ ଆକୃଷ୍ଟ ହେବ । ତିଲକ, ପାଲ ଏବଂ ଅରବିନ୍ଦଙ୍କ ପ୍ରତି ବଏକଟ୍‍ର ଅର୍ଥ ଥିଲା ବ୍ୟାପକ । ଏହା ଥିଲା ମାଞ୍ଚେଷ୍ଟର ଉପରେ ଏକ ଅର୍ଥନୈତିକ ଚାପ, ସାମ୍ରାଜ୍ୟବାଦ ବିରୁଦ୍ଧରେ ରାଜନୈତିକ ସଂଘର୍ଷର ଏକ ଅସ୍ତ୍ର ଏବଂ ସ୍ଵରାଜ୍ୟ ଲାଭପାଇଁ ସ୍ଵାବଲମ୍ବନଶୀଳତା ହାସଲ କରିବାକୁ ଏକ ତାଲିମ ।

 

ସାମୟିକଭାବେ ସବୁ ମତାନୈକ୍ୟ ଦୂର ହୋଇ ଯାଇଥିଲା । ବିଭାଜନ–ବିରୋଧୀ ଆନ୍ଦୋଳନ କ୍ରମେ ସ୍ଵଦେଶୀ ଆନ୍ଦୋଳନରେ ପରିଣତ ହେଲା ଏବଂ ଏହା ଇତସ୍ତତଃ ବିକ୍ଷିପ୍ତ ବହୁ କ୍ଷୁଦ୍ର କ୍ଷୁଦ୍ର ଶକ୍ତିଗୁଡ଼ିକୁ ନୂତନ ଉତ୍ସାହ ଓ ପ୍ରେରଣା ପ୍ରଦାନ କଲା । ବଙ୍ଗଳାର ଘଟନାବଳି ବ୍ରିଟିଶ ଲୋକଙ୍କ ନ୍ୟାୟପରାୟଣତା ସମ୍ବନ୍ଧରେ ଏବଂ ସଭା, ସମିତି, ସମ୍ବାଦପତ୍ର ବା ସ୍ମାରକପତ୍ର ଜରିଆରେ ସାମ୍ବିଧାନିକ ପନ୍ଥାରେ ଆନ୍ଦୋଳନ କରି କୃତକାର୍ଯ୍ୟ ହେବା ବିଷୟରେ ବହୁ କଂଗ୍ରେସ ନେତାଙ୍କର ଭ୍ରାନ୍ତ ଧାରଣା ଦୂରୀଭୂତ କରିଦେଲା । ସ୍ଵଦେଶୀ ଆନ୍ଦୋଳନ ଜାତି ଧର୍ମ ନିର୍ବିଶେଷରେ ବହୁ ନୂତନ ଧରଣର ଲୋକମାନଙ୍କୁ ରାଜନୀତିଆଡ଼କୁ ଟାଣି ଆଣିଲା । ଏହା ସମ୍ବାଦପତ୍ରର ମୁହଁ ଖୋଲିଦେଲା, ଛାତ୍ରମାନଙ୍କୁ ବିପ୍ଳବର ଦୀକ୍ଷା ଦେଲା, ହିନ୍ଦୁ ମୁସଲମାନମାନଙ୍କୁ ପରସ୍ପରର ସହଯୋଗୀ କରାଇଲା ଏବଂ ସାଧାରଣ ଜନତାକୁ ତାଙ୍କର ରାଜନୈତିକ ଓ ଅର୍ଥନୈତିକ ଅବସ୍ଥା ପ୍ରତି ସଚେତନ କରାଇ ନିର୍ଭୟରେ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି ଲାଠିମାଡ଼, କାରାବାସ ବା ଫାଶୀଦଣ୍ଡକୁ ଦେଶପାଇଁ ଆତ୍ମବଳିଦାନର ବିଜୟ ସମ୍ମାନରୂପେ ଗ୍ରହଣ କରିବାକୁ ଶିକ୍ଷା ଦେଲା-

 

ବନାରସ କଂଗ୍ରେସ ଅଧିବେଶନ ବଙ୍ଗ–ବିଭାଜନ ଏବଂ ସରକାରଙ୍କ ଦମନ–ନୀତିର ଦୃଢ଼ ପ୍ରତିବାଦ ଜଣାଇଲା । ବଙ୍ଗଳାର ସ୍ଵଦେଶୀ ଓ ବଏକଟ୍‍ ଆନ୍ଦୋଳନକୁ ସ୍ଵୀକୃତି ଦେଲା, ଯଦିଓ ସାରା ଦେଶରେ ବଏକଟ୍‍ ଆନ୍ଦୋଳନ ସମର୍ଥିତ ହୋଇ ନଥିଲା । କିନ୍ତୁ ଲାଜପତ୍ ରାୟ ବଙ୍ଗଳାର ପଥ ଅନୁସରଣ କରିବାକୁ ସବୁ ପ୍ରଦେଶକୁ ଆହ୍ଵାନ ଜଣାଇଥିଲେ ଏବଂ ତିଲକ ବିଶେଷ ଗୁରୁତ୍ଵ ଦେଇ କହିଥିଲେ ଯେ, ସ୍ଵଦେଶୀ, ବଏକଟ୍‍ ଓ ଜାତୀୟ ଶିକ୍ଷାର ମୌଳିକ ଲକ୍ଷ୍ୟ ହେଲା ସ୍ଵରାଜ ଲାଭ । ବଙ୍ଗଳାରେ ସର୍ବତ୍ର ଏବଂ ଭାରତର ଅଧିକାଂଶ ବଡ଼ ସହରମାନଙ୍କରେ ହଜାର ହଜାର ସାଧାରଣସଭାରେ ସ୍ଵଦେଶୀ ଓ ବଏକଟ୍‍ ପାଇଁ ଉଦ୍‍ବୋଧନ ଦିଆଗଲା । ଏହାର ଉଦ୍ଦେଶ୍ୟ ଥିଲା ଦ୍ଵିବିଧ । ଏକ ପକ୍ଷରେ ବ୍ରିଟିଶ ଦ୍ରବ୍ୟଗୁଡ଼ିକୁ ପ୍ରକାଶ୍ୟଭାବେ ପୋଡ଼ିଦିଆଗଲା ଏବଂ ଦୋକାନଗୁଡ଼ିକ ସମ୍ମୁଖରେ ଧାରଣା ଦିଆଗଲା, , ଅନ୍ୟ ପକ୍ଷରେ ସ୍ଵଦେଶୀ ପଦାର୍ଥର ଉତ୍ପାଦନ ଓ ବିକ୍ରୟପାଇଁ ବ୍ୟାପକ ପ୍ରଚେଷ୍ଟା ଆରମ୍ଭ ହେଲା । ଗୁଡ଼ିଆମାନେ ବିଦେଶୀ ଚିନି ବ୍ୟବହାର କଲେ ନାହିଁ । ଧୋବାମାନେ ବିଦେଶୀ ଲୁଗା କାଚିଲେ ନାହିଁ । ପୁରୋହିତମାନେ ବିଦେଶୀ ଦ୍ରବ୍ୟଦ୍ଵାରା ପୂଜା କଲେ ନାହିଁ । ବଙ୍ଗଳା ଏବଂ ଦାକ୍ଷିଣାତ୍ୟର ସ୍ତ୍ରୀମାନେ ବିଦେଶୀ ଚୁଡ଼ି ଓ କାଚ ଜିନିଷର ବ୍ୟବହାର ଛାଡ଼ିଦେଲେ । ଛାତ୍ରମାନେ ବିଦେଶୀ କାଗଜରେ ଲେଖିଲେ ନାହିଁ । ଏପରିକି ଡାକ୍ତର ଓ ଓକିଲମାନେ ବ୍ରିଟିଶ ଉତ୍ପାଦନକାରୀଙ୍କ ସହଯୋଗୀ ବ୍ୟବସାୟୀମାନଙ୍କର କୌଣସି ପ୍ରକାର ପୃଷ୍ଠପୋଷକତା କଲେ ନାହିଁ । ପାରମ୍ପରିକ ସାମାଜିକ ବାସନ୍ଦ ରୀତି ସହିତ ସର୍ବତ୍ର ଧାରଣା ଦିଆଗଲା । ବରିସାଲ ପ୍ରଭୃତି କେତେକ ସ୍ଥାନରେ ବ୍ୟବସାୟୀମାନେ ସ୍ଵେଚ୍ଛାପ୍ରଣୋଦିତଭାବେ ଲୁଗା ଓ ଲୁଣ ସବୁ ନଷ୍ଟ କରିବାକୁ ଦାନ କରିଦେଲେ, ଯଦିଓ ଏଥିପାଇଁ ସେମାନଙ୍କୁ ପୋଲିସ୍‍ର ବିଷଦୃଷ୍ଟିରେ ପଡ଼ିବାକୁ ହୋଇଥିଲା ।

 

ଏହି ଆନ୍ଦୋଳନର ଏକ ନିଧାର୍ଯ୍ୟ ଫଳ ହେଲା–କୁଟୀର ଶିଳ୍ପ ଏବଂ କେତେକ ବଡ଼ ଧରଣର ଜିନିଷ ପ୍ରସ୍ତୁତି କ୍ଷେତ୍ରରେ ନୂତନ ଉନ୍ମାଦନା ଦେଖାଦେଲା । ସ୍ଵଦେଶୀ ଲୁଗା କଳ, ଦିଆସିଲି ଓ ସାବୁନ କାରଖାନା, ଜୋତା ଓ ବାସନ–କୁସନ ନିର୍ମାଣକେନ୍ଦ୍ର ଦେଶର ସବୁଆଡ଼େ ପ୍ରତିଷ୍ଠିତ ହେଲା । ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କର ବିଖ୍ୟାତ ବେଙ୍ଗଲ କେମିକାଲ କାରଖାନା ବସାଇଦେଲେ । ଗୁରୁଦେବ ରବୀନ୍ଦ୍ରନାଥ ନିଜେ ଗୋଟିଏ ସ୍ଵଦେଶୀ ଭଣ୍ଡାର ପ୍ରତିଷ୍ଠା କଲେ । ସରକାରୀ ଓ ବିଦେଶୀ ସାହାଯ୍ୟକୁ ଅଗ୍ରାହ୍ୟ କରିଥିବା ଟାଟା ଲୁହା କାରଖାନାର ସମସ୍ତ ମୂଳଧନ ମାତ୍ର ତିନିମାସ ମଧ୍ୟରେ ଭାରତୀୟ ସୂତ୍ରରୁ ସଂଗୃହୀତ ହୋଇଥିଲା । ରାଜନୈତିକ ନେତାମାନଙ୍କ ସହିତ ସହଯୋଗ କରି ଅନେକ ଜମିଦାର ଓ ବଣିକ ବ୍ୟାଙ୍କ୍ ଓ ବୀମା କମ୍ପାନୀମାନ ଗଠନ କଲେ । ଏପରିକି ଜାହାଜ କମ୍ପାନୀ ମଧ୍ୟ ଆରମ୍ଭ ହୋଇଗଲା ।

 

ସ୍ଵଦେଶୀ ଆନ୍ଦୋଳନ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ନୂତନ ସ୍ପନ୍ଦନ ସୃଷ୍ଟିକଲା । ପ୍ରେମ ଓ ଆଦର୍ଶ ଅନୁପ୍ରାଣିତ ନୂତନ ଜାତୀୟତାବାଦୀ କବିତା, ଗଦ୍ୟ ଓ ସାମ୍ବାଦିକତା ଆତ୍ମପ୍ରକାଶ କଲା । ସେ ସମୟରେ ରବୀନ୍ଦ୍ରନାଥ ଠାକୁର, ରଜନୀକାନ୍ତ ସେନ ଓ ମୁକୁନ୍ଦ ଦାସ ପ୍ରମୁଖ କବିମାନଙ୍କ ରଚିତ ଦେଶାତ୍ମବୋଧକ ସଙ୍ଗୀତରେ କେବଳ ସାମୟିକ ମୂଲ୍ୟ ନଥିଲା, ସେଥିରେ ଏକ ଚିରନ୍ତନ ସାହିତ୍ୟିକ ମର୍ଯ୍ୟାଦା ମଧ୍ୟ ପ୍ରତିଷ୍ଠିତ ହୋଇଥିଲା । ଏବେବି ସେ ସବୁ ସଙ୍ଗୀତ ବଙ୍ଗଳାରେ ଗାନ କରାଯାଏ । ସ୍ୱଦେଶୀ ଓ ଜାତୀୟ–ଆନ୍ଦୋଳନ ପରିପ୍ରେକ୍ଷୀରେ ଯେଉଁ ରାଜନୀତିଭିତ୍ତିକ ସାମ୍ବାଦିକତାର ଅଭ୍ୟୁଦୟ ହେଲା, ତାହା ସ୍ଵାଧୀନତା, ଆତ୍ମ–ମୁକ୍ତି ଓ ଆତ୍ମନିର୍ଭରଶୀଳତାର କେତେକ ଶାଶ୍ଵତ ନୀତି ସୃଷ୍ଟି କରିଥିଲା ।

 

ତିଳକ ପଶ୍ଚିମାଞ୍ଚଳରେ ବଏକଟ୍‍ ଓ ସ୍ଵଦେଶୀ ଭାବଧାରା ଖେଳାଇଦେଲେ । ପୁନାରେ ବିଦେଶୀ ଲୁଗାର ସେ ଏକ ଧୁନି ଜାଳିଥିଲେ । ସ୍ଵଦେଶୀ–ବସ୍ତ୍ର–ପ୍ରଚାରିଣୀ–ସଭାର ମୁଖ୍ୟଭାବେ ସେ ଗୋଟିଏ ସମବାୟ–ଭଣ୍ଡାର ଖୋଲିଲେ । ବମ୍ବେର କଳମାଲିକମାନଙ୍କୁ ଶସ୍ତାରେ ଧୋତି ଦେବାକୁ ସେ ପ୍ରବର୍ତ୍ତାଇଥିଲେ । ପୁନାରେ ଗୋଟିଏ ସ୍ଵଦେଶୀ ତନ୍ତୁବାୟ–କମ୍ପାନୀ ପ୍ରତିଷ୍ଠା ହୋଇଥିଲା ।

 

ପଞ୍ଜାବରେ ବିଦେଶୀ ଚିନି ବ୍ୟବହାର ବିରୁଦ୍ଧରେ ଗୋଟିଏ ଆନ୍ଦୋଳନ ଆରମ୍ଭହେଲା । ବିଦେଶୀ ଚିନିର ଆମଦାନୀ ଯୋଗୁଁ ସେଠି ଆଖୁଚାଷ ଓ ସ୍ଥାନୀୟ ଚିନି–କାରଖାନାର ବହୁତ କ୍ଷତି ହୋଇଥିଲା । ରାଓଲପିଣ୍ଡର ବେପାରୀମାନେ ଚିନି ନ ବିକିବାକୁ ପ୍ରତିଜ୍ଞା କଲେ ଏବଂ ମୁଲ୍‍ତାନର ବ୍ରାହ୍ମଣ ପୁରୋହିତମାନେ ଚିନି ମିଶା କୌଣସି ଭୋଗ ମନ୍ଦିରରେ ପୂରାଇଦେଲେ ନାହିଁ । ଏହି ଆନ୍ଦୋଳନ ହରଦ୍ଵାର, ଦିଲ୍ଲୀ, କାଙ୍ଗ୍ରା, ଜମ୍ମୁ ଆଡ଼େ ବ୍ୟାପିଗଲା । ଦିଲ୍ଲୀରେ ସ୍ଵଦେଶୀ ଆନ୍ଦୋଳନର ଆତ୍ମା ଥିଲେ ସୟଦ ହାଇଦର ରେଜା । ପୂର୍ବ ଉପକୂଳରେ ତୁତିକୋରିନ୍‍ଠାରେ ଚିତାମ୍ବରମ୍ ପିଲାଇ ସ୍ଵଦେଶୀ ଷ୍ଟିମ୍ ନାଭିଗେସନ୍ କମ୍ପାନୀ ନାମକ ଜାହାଜ କମ୍ପାନୀ ପ୍ରତିଷ୍ଠା କଲେ ।

 

ଉଗ୍ର–ଜାତୀୟତାବାଦୀ ଆନ୍ଦୋଳନର ବିକାଶ

 

ସ୍ଵଦେଶୀ ଚେତନା ଲୋକମାନଙ୍କୁ ଜାତୀୟତାବାଦରେ ଅନୁପ୍ରାଣିତ ହେବାକୁ ଶିକ୍ଷା ଦେଲା । ଖ୍ରୀ: ୧୮୯୮ରେ ‘ଡନ୍’ର ସମ୍ପାଦକ ସତୀଶଚନ୍ଦ୍ର ମୁଖାର୍ଜୀ ଜାତୀୟଶିକ୍ଷା ଯୋଜନା ପ୍ରଣୟନ କଲେ । ବ୍ରିଟିଶ ଶିକ୍ଷାପଦ୍ଧତିକୁ ଜାତୀୟତା–ବିରୋଧୀଭାବେ ନିନ୍ଦା କରାଗଲା । ଏହି ଶିକ୍ଷାରେ ଭାରତୀୟ ଜୀବନ ଓ ସଂସ୍କୃତି ସହିତ ଅସଂପୃକ୍ତ କେତେକ ବିଜାତୀୟ ଭାବଧାରା ମୁଖସ୍ଥ କରିବା ବ୍ୟତୀତ ଆଉ କିଛି ନଥିଲା । ଶିକ୍ଷାର ମାଧ୍ୟମ ଇଂରାଜୀ ହେବା ଫଳରେ ଅଧ୍ୟୟନରେ ଆନନ୍ଦ ନଥିଲା । ସ୍ଵାଧୀନ ଚିନ୍ତା ବା ସ୍ଵଚ୍ଛନ୍ଦ ରଚନା ସୃଷ୍ଟି ହୋଇପାରୁ ନଥିଲା । ଶାନ୍ତିନିକେତନ ପ୍ରତିଷ୍ଠା କରି ରବୀନ୍ଦ୍ରନାଥ ଠାକୁର ପଥ ପ୍ରଦର୍ଶନ କଲେ । କର୍ଜନଙ୍କ ଭାରତୀୟ ବିଶ୍ଵବିଦ୍ୟାଳୟ ଆଇନ ଏବଂ ଛାତ୍ରମାନଙ୍କ ରାଜନୈତିକ ଆନ୍ଦୋଳନରେ ଅଂଶଗ୍ରହଣ କରିବା ଦିଗରେ ପ୍ରତିବନ୍ଧମୂଳକ ‘କାର୍‍ଲାଇଲ ସାର୍କୁଲାର’ ପରୋକ୍ଷରେ ଜାତୀୟ–ଶିକ୍ଷା–ସଂସଦ ପ୍ରତିଷ୍ଠା ଦିଗରେ ସହାୟକ ହେଲା । ଅରବିନ୍ଦଙ୍କ ଅଧ୍ୟକ୍ଷତାରେ ଖ୍ରୀ: ୧୯୦୬ରେ ବଙ୍ଗଳା–ଜାତୀୟ–ମହାବିଦ୍ୟାଳୟ ପ୍ରତିଷ୍ଠା ହେଲା । ବିଜ୍ଞାନ ଓ ପ୍ରୟୋଗ ବିଦ୍ୟା ପାଠ୍ୟକ୍ରମରେ ବିଧିବଦ୍ଧ ସ୍ଥାନ ପାଇଥିଲେହେଁ ଭାରତୀୟ ଜ୍ଞାନଚର୍ଚ୍ଚା ଉପରେ ଅଧିକ ଗୁରୁତ୍ଵ ପ୍ରଦତ୍ତ ହୋଇଥିଲା । ବୈଜ୍ଞାନିକ, ଐତିହାସିକ ଓ ଶିଳ୍ପ ବିଶାରଦମାନଙ୍କୁ ସୃଷ୍ଟିକରିବା ଏହାର ଉଦ୍ଦେଶ୍ୟ ଥିଲେହେଁ ଦେଶପ୍ରେମର ଉଦ୍‍ବୋଧନ ଥିଲା ମୁଖ୍ୟ ବିଷୟ । ସ୍ଵାଧୀନତାର ସ୍ଥିତି ଓ ଅଭିବୃଦ୍ଧି ପାଇଁ ଏକ ସାଂସ୍କୃତିକ ଭିତ୍ତିଭୂମି ନିର୍ମାଣ କରିବା ଥିଲା ପ୍ରଧାନ ଆଭିମୁଖ୍ୟ । ଶିକ୍ଷାର ମାଧ୍ୟମରୂପେ ଆଞ୍ଚଳିକ ଭାଷା ସ୍ଵୀକୃତ ହୋଇଥିଲା । ବଙ୍ଗଳା ଟେକନିକାଲ ଇନ୍‍ଷ୍ଟିଚ୍ୟୁଟ ତଦବଧି ଅବହେଳିତ ପ୍ରୟୋଗ–ବିଦ୍ୟାର ପ୍ରବର୍ତ୍ତନ ଉପରେ ଗୁରୁତ୍ଵ ଦେଲା । ଉନ୍ନତ ଜ୍ଞାନ ଆହରଣ କରିବାପାଇଁ ବୃତ୍ତି ଦେଇ ଛାତ୍ରମାନଙ୍କୁ ଜାପାନକୁ ପଠାଗଲା । ଏହିପରି ସାରା ଦେଶରେ ଅଗଣିତ ଜାତୀୟ ବିଦ୍ୟାଳୟ ସୃଷ୍ଟି ହୋଇଥିଲା ।

 

ରବୀନ୍ଦ୍ରନାଥ ନୀତିଗତଭାବେ ‘ଆତ୍ମଶକ୍ତି’ର ମହତ୍ୱ ପ୍ରଖ୍ୟାପନ କଲେ । ଏହାର ପ୍ରଧାନ ଭିତ୍ତି ଥିଲା ପଲ୍ଲୀଜୀବନର ସାମାଜିକ ଓ ଅର୍ଥନୈତିକ ପୁନର୍ଗଠନ । ଅଶ୍ଵିନୀକୁମାର ଦତ୍ତ ବରିସାଲ୍‍ରେ ନାମଶଦମାନଙ୍କ ଉପରୁ ଜାତିଆଣ ବାଛନ୍ଦ ଉଚ୍ଛେଦ କରି ଏବଂ ବାଲ୍ୟବିବାହ, ଯୌତୁକପ୍ରଥା ଓ ମଦ୍ୟପାନ ଇତ୍ୟାଦି ସାମାଜିକ ଅନୀତିମାନ ଦୂରକରି ଏହି ନୀତିର ବାସ୍ତବରୂପ ପ୍ରଦାନ କଲେ । ଚରମପନ୍ଥୀମାନେ ସମକଣ୍ଠରେ ରାଜନୈତିକ ସ୍ଵାଧୀନତା ଉପରେ ଜୋର ଦେଲେ-। ତିଳକ ‘କେଶରୀ’ କାଗଜରେ ଲେଖିଥିଲେ–“ଆମର ଜାତି ଗୋଟିଏ ବୃକ୍ଷ ସଦୃଶ, ଯାହାର ମୂଳଗଣ୍ଡି ହେଉଛି ସ୍ଵରାଜ୍ୟ ଏବଂ ଶାଖାପ୍ରଶାଖା ହେଉଛି ସ୍ଵଦେଶୀ ଓ ବଏକଟ୍‍-।’’ ବାସ୍ତବତଃ ସ୍ୱଦେଶୀର ଲକ୍ଷ୍ୟ ଥିଲା ସ୍ଵରାଜ୍ୟ । ତେଣୁ ବଙ୍ଗ–ବିଭାଜନ–ବିରୋଧ ଆନ୍ଦୋଳନ ଅଚିରେ ବିଦେଶୀ ଶାସନର ସବୁ ନୀତି ନିୟମ ପ୍ରତି ଅବଜ୍ଞା ପ୍ରଦର୍ଶନମୂଳକ ବିପ୍ଳବରେ ପରିଣତ ହେଲା । ବ୍ରିଟିଶ ଦ୍ରବ୍ୟ ଓ ବିଦ୍ୟାଳୟ ସଙ୍ଗେ ସଙ୍ଗେ କ୍ରମେ କୋର୍ଟ କଚେରି, ପୌରସଭା, ବିଧାନସଭା ପର୍ଯ୍ୟନ୍ତ ବଏକଟ୍‍ କରାଗଲା । ବସ୍ତୁତଃ ସରକାରଙ୍କ ସହିତ ସବୁ ସମ୍ପର୍କ ଛିନ୍ନ ହେଲା । ମୂଳକଥା ହେଲା, ବ୍ରିଟିଶ ସରକାରଙ୍କୁ ବେଖାତିର କରି ତାଙ୍କର ମୋହ ଭାଙ୍ଗିଦେବା ଏବଂ ବ୍ରିଟିଶ ବାଣିଜ୍ୟ–ପ୍ରତିଷ୍ଠାନ ଓ ଅମଲାତନ୍ତ୍ର ସହିତ ସମ୍ପୂର୍ଣ୍ଣ ଅସହଯୋଗ କରି ଶାସନକ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି କରିବା ।

 

ଚରମପନ୍ଥୀମାନେ କଂଗ୍ରେସକୁ ହାତକରିବା ପୂର୍ବରୁ କୃଷକ ଓ ଶ୍ରମିକମାନଙ୍କୁ ଆନ୍ଦୋଳନ ଭିତରକୁ ଆଣିଥିଲେ । ସ୍ଵଦେଶୀ ଆହ୍ଵାନ ଜନତାର ନିକଟବର୍ତ୍ତୀ ହେଲା ଏବଂ ଏଥିରେ ସେମାନଙ୍କର ମଙ୍ଗଳ ଓ ଉନ୍ନତି ସିଧାସଳଖ ଜଡ଼ିତ ହୋଇଥିବାରୁ ଶୁଷ୍କ ରାଜନୈତିକ ନୀତି ଅପେକ୍ଷା ଏଥିପ୍ରତି ସେମାନେ ସହଜରେ ଆକୃଷ୍ଟ ହେଲେ । ଚରମପନ୍ଥୀମାନେ କୃଷକମାନଙ୍କୁ ଖଜଣା ନ ଦେବାକୁ ଏବଂ ଶ୍ରମିକମାନଙ୍କୁ ପୁଞ୍ଜିପତିଙ୍କ ବିରୁଦ୍ଧରେ ଧର୍ମଘଟ କରିବାକୁ ଆହ୍ଵାନ ଦେଇଥିଲେ ସମ୍ଭବତଃ ସେମାନେ ଆହୁରି ଆବେଗରେ ମାତି ଯାଇଥାନ୍ତେ । ଏପରି କିଛି ନ ହୋଇଥିଲେ ମଧ୍ୟ କୃଷକ ଓ ଶ୍ରମିକମାନଙ୍କର ଭୂମିକା ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଥିଲା । ଚମ୍ପାରଣ (ବିହାର)ର ନୀଳ ଚାଷୀମାନେ ବିଦ୍ରୋହ କରିଥିଲେ, ଆସାମ ଓ ମୈମନ୍‍ସିଂରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ବରିସାଲର ମୁସଲମାନ କୃଷକମାନଙ୍କ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ଅଶ୍ଵିନୀକୁମାର ଦତ୍ତ । ବଙ୍ଗଳାରେ ଧର୍ମଘଟର ଗୋଟିଏ ଢେଉ ଖେଳିଯାଇ ଇଷ୍ଟ–ଇଣ୍ଡିଆ ରେଲୱେ, କ୍ଲାଇଭ୍ ଝୋଟକଳ, କେତେକ ଲୁହ କାରଖାନା ଏବଂ ଛାପାଖାନା ସବୁ ଅଚଳ କରିଦେଇଥିଲା । ତିଳକଙ୍କ ଆହ୍ଵାନକ୍ରମେ ବମ୍ବେର ଶ୍ରମିକମାନେ ତାଙ୍କର କାରାବରଣ କରିବା ପରେ ପରେ ଗୋଟିଏ ସାଧାରଣ ଧର୍ମଘଟ କରିଥିଲେ–ଯାହା ପୂର୍ଣ୍ଣତଃ ସଫଳ ହୋଇଥିଲା । ତୁତିକୋରିନ୍ କୋରାଲମିଲ୍‍ରେ ଚିତାମ୍ବରମ୍ ପିଲାଇ ଗୋଟିଏ ଧର୍ମଘଟ ପରିଚାଳନା କରିଥିଲେ ।

 

କିନ୍ତୁ ଯୁଦ୍ଧର ସମ୍ମୁଖଭାଗରେ ଥିଲେ ଦେଶର ଯୁବ ସମାଜ । ବିପ୍ଳବୀ ସମ୍ବାଦପତ୍ର–ସନ୍ଧ୍ୟା, ଯୁଗାନ୍ତର, କେଶରୀ ଓ ପଞ୍ଜାବୀଦ୍ଵାରା ଉତ୍ସାହିତ ହୋଇ ସେମାନେ ଆନ୍ଦୋଳନ ଭିତରକୁ ଝାସ ଦେଇଥିଲେ । ଛାତ୍ର, କିରାଣି ଓ ଶିକ୍ଷକମାନଙ୍କ ଯୋଗଦାନ ମୂଳରେ ନିହିତ ଥିଲା ଏକପ୍ରକାର ଉଚ୍ଛନ୍ନ ମନୋବୃତ୍ତି । ବଙ୍ଗଳାର ପ୍ରତ୍ୟେକ ସହରରେ ସେମାନେ ସ୍ଵେଚ୍ଛାସେବକବାହିନୀ ସଂଗଠନ କଲେ । ହଳଦିଆ ପଗଡ଼ି ବାନ୍ଧି ଓ ନାଲି କୁର୍ତ୍ତା ପିନ୍ଧି ସେମାନେ ହଜାର ହଜାର ସଂଖ୍ୟାରେ ସରକାରୀ ସ୍କୁଲ୍, କଲେଜ ଓ ଅଫିସ୍ ଭିତରୁ ବାହାରି ଆସି ବନ୍ଦେମାତରମ୍ ଧ୍ୱନି ଦେଇ ଜାତୀୟ ସଙ୍ଗୀତ ଗାନ କରି ଦୋକାନମାନଙ୍କରେ ଧାରଣା ଦେଇଥିଲେ ଏବଂ ସ୍ଵଦେଶୀ ଦ୍ରବ୍ୟ ବିକ୍ରୟ କରିଥିଲେ । ଯେଉଁସବୁ ସ୍କୁଲ୍, କଲେଜର ଛାତ୍ର ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ସେଗୁଡ଼ିକୁ ସରକାରୀ ସାହାଯ୍ୟ ଏବଂ ବିଶ୍ଵବିଦ୍ୟାଳୟର ସହଯୋଗିତାରୁ ବଞ୍ଚିତ କରାଯାଇଥିଲା । ଛାତ୍ରମାନଙ୍କୁ ବୃତ୍ତି ବା ସରକାରୀ ଚାକିରି ଦିଆଯାଇ ନଥିଲା । ପୂର୍ବ–ବଙ୍ଗ ଓ ଆସାମରେ ତୁମୂଳ ଦମନଲୀଳା ଚାଲିଥିଲା । ଛାତ୍ରମାନଙ୍କୁ ଜୋରିମାନା କରାଯାଇଥିଲା, ମାଡ଼ ଦିଆଯାଇଥିଲା ଏବଂ ଅନୁଷ୍ଠାନରୁ ବିତାଡ଼ନ କରାଯାଇଥିଲା । କଲିକତାର ଇଂରେଜ ପ୍ରେସିଡ଼େନ୍‍ସି ମାଜିଷ୍ଟ୍ରେଟ କିଙ୍ଗ୍‍ସଫୋର୍ଡ଼ ମାତ୍ର ଚଉଦବର୍ଷରେ ଗୋଟିଏ ପିଲାପ୍ରତି ବେତ୍ରାଘାତ ଦଣ୍ଡ ଆଦେଶ କରିଥିଲେ । ଅମରାବତୀ, କୋହ୍ଲାପୁର ଆଦି ଦୂର ଦୂରାନ୍ତରେ ମଧ୍ୟ ପିଲାମାନଙ୍କ ପ୍ରତି ଏପରି ଶାସ୍ତି ବିଧାନ କରାଯାଇଥିଲା । ସରକାରଙ୍କ ଦମନନୀତି ସେମାନଙ୍କୁ କ୍ରୋଧାନ୍ଵିତ କଲା ଏବଂ ଫଳତଃ କ୍ରୋଧାନ୍ଧ ହୋଇ ସେମାନେ ସନ୍ତ୍ରାସବାଦୀ କାର୍ଯ୍ୟକଳାପରେ ଲିପ୍ତ ହେଲେ ।

 

ଆରମ୍ଭରୁ ମୁସଲମାନମାନେ ବହୁ ସଂଖ୍ୟାରେ ଭାଗ ନେଇଥିଲେ ଏବଂ ପ୍ରଥମ ଥରପାଇଁ ସ୍ତ୍ରୀଲୋକମାନେ ପରଦା ଭିତରୁ ବାହାରିଆସି ଶୋଭାଯାତ୍ରା ଓ ଧାରଣାରେ ଯୋଗ ଦେଇଥିଲେ । ପାଟନାର ଲିଆକତ୍ ହୋସେନ୍ ବଏକଟ୍‍ର ଜଣେ ଆଦି ପ୍ରବକ୍ତା ଥିଲେ । ତାଙ୍କର ଉଦ୍ଦୀପ୍ତ ଉର୍ଦ୍ଦୁ ଘୋଷଣାପତ୍ର ସବୁ ମୁସଲମାନମାନଙ୍କ ପ୍ରାଣରେ ଆବେଗ ସଂଚାର କରିଥିଲା । ଇଷ୍ଟ ଇଣ୍ଡିଆ ରେଲୱେ ଧର୍ମଘଟର ସେ ଜଣେ ସଞ୍ଚାଳକ ଥିଲେ । ପୁଲିସ ଆମନ୍ତ୍ରଣରେ ଯେଉଁ ବରିସାଲ ସଭା ଭାଙ୍ଗିଯାଇଥିଲା, ତା’ର ସଭାପତିତ୍ଵ କରିଥିଲେ ଅବଦୁଲ ରସିଦ୍ । ଅବଦୁଲ ହାଲିମ୍ ଗୁଜନାବି ନାମକ ଜଣେ ଜମିଦାର ତଥା ଓକିଲ ସ୍ଵଦେଶୀ ଶିଳ୍ପ ପ୍ରତିଷ୍ଠା କରିଥିଲେ ଏବଂ ବ୍ରିଟିଶ ଚମଡ଼ା ଦ୍ରବ୍ୟ ବିରୁଦ୍ଧରେ ବଏକଟ୍‍ ଚଳାଇଥିଲେ । ଅବଦୁଲ୍ କାଲାମ୍ ଅଜାଦ ଅରବିନ୍ଦଙ୍କୁ ସାକ୍ଷାତ କରି ବଙ୍ଗଳା ବାହାରେ ବିପ୍ଳବର ପ୍ରସାର ଦିଗରେ ସହାୟତା କରିଥିଲେ । ଯଦିଓ ନିର୍ବୋଧଭାବେ ହିନ୍ଦୁ ଧର୍ମର ପ୍ରତୀକଗୁଡ଼ିକ ଉପରେ ଅଯଥା ଓ ଅସ୍ୱାଭାବିକ ଗୁରୁତ୍ଵ ପ୍ରଦାନକରି କେତେକ ଚରମପନ୍ଥୀ ମୁସଲମାନମାନଙ୍କର ବିରାଗଭାଜନ ହୋଇଥିଲେ–ସୁରେନ୍ଦ୍ରନାଥ ବାନାର୍ଜୀ, ଅଶ୍ଵିନୀକୁମାର ଦତ୍ତ ଏବଂ ରବୀନ୍ଦ୍ରନାଥ ଠାକୁର ପ୍ରମୁଖ ନେତୃବୃନ୍ଦ ହିନ୍ଦୁ–ମୁସଲମାନ ମୈତ୍ରୀ ଉପରେ ସର୍ବଦା ଗୁରୁତ୍ଵ ପ୍ରଦାନ କରିଥିଲେ ।

 

ସରକାରଙ୍କ ଦମନନୀତି, ବିଶେଷତଃ ବରିସାଲ ସଭାର ସଭାସଦ୍‍ମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର, ଚରମପନ୍ଥୀମାନଙ୍କୁ ବିପ୍ଳବ ପଥରେ ଉତ୍ତ୍ୟକ୍ତ କରିଥିଲା । କଲିକତା କଂଗ୍ରେସ ଅଧିବେଶନରେ (୧୯୦୬) ଦାଦାଭାଇ ନାରୋଜି କଂଗ୍ରେସର ଲକ୍ଷ୍ୟ ‘ବିଲାତ ପରି ସ୍ଵରାଜ ଲାଭ’ ଘୋଷଣା କରିବା ଫଳରେ ଚରମପନ୍ଥୀମାନଙ୍କୁ ଏହା ଖୁବ୍ ସୁହାଇଥିଲା । ସେମାନେ ନିଜ ନୀତିରେ ସ୍ଵରାଜର ବ୍ୟାଖ୍ୟା କଲେ । ପଞ୍ଜାବର ଲାଜପତରାୟ ଓ ଅଜିତ୍ ସିଂଙ୍କୁ ଦେଶାନ୍ତର ଦଣ୍ଡ ବିଧାନ ଏବଂ ‘ସନ୍ଧ୍ୟା’ ଓ ‘ବନ୍ଦେ–ମାତରମ୍’ କାଗଜ ଉପରେ ମକଦ୍ଦମା ପ୍ରଚଳନ ଆନ୍ଦୋଳନକୁ ପ୍ରବଳ ଉତ୍ତେଜନା ଯୋଗାଇଦେଲା । ଅଗ୍ନି–ଗର୍ଭ ‘ସନ୍ଧ୍ୟା’ର ସମ୍ପାଦକ ବ୍ରହ୍ମବାନ୍ଧବ ଉପଧ୍ୟାୟ ମକଦ୍ଦମା ଚାଲୁଥିଲାବେଳେ ମୃତ୍ୟୁ ବରଣ କଲେ । ବିପିନଚନ୍ଦ୍ର ପାଲ ସେତେବେଳେ ଜେଲରେ ଥିଲେ । ଲାଜପତ୍‍ରାୟଙ୍କୁ ମୁକ୍ତି ଦେବାଦ୍ଵାରା ଏବଂ ଶାସନ ସଂସ୍କାରପାଇଁ ଆଗ୍ରହ ପ୍ରକାଶ କରିବାଦ୍ଵାରା ଉତ୍ତେଜନା କମିଗଲା ନାହିଁ । କଂଗ୍ରେସ ଅଧିବେଶନର ସ୍ଥାନ ପୁନାରୁ ସୁରତକୁ ପରିବର୍ତ୍ତନ ହେବାରୁ ଏବଂ ରାସବିହାରୀ ବୋଷଙ୍କ ସପକ୍ଷରେ ତିଳକଙ୍କ ସଭାପତିତ୍ଵ ଦାବି ନାକଚ ହୋଇଯିବାରୁ ତିଳକ ଓ ଅରବିନ୍ଦଙ୍କ ବିପ୍ଳବୀଶାଖା ଆପାତତଃ ନୀରବ ରହିଥିଲେ । ମାତ୍ର ବଏକଟ୍‍ ପ୍ରସ୍ତାବକୁ ଉଦାରପନ୍ଥୀମାନେ ଭସାଇଦେବାକୁ ଚେଷ୍ଟା କରିବାଦ୍ଵାରା ପୁଣି ନିଆଁ ତେଜି ଉଠିଲା । ସୁରତ ଅଧିବେଶନ ବିଶୃଙ୍ଖଳାରେ ପରିସମାପ୍ତ ହେଲା । ଜାତୀୟତାବାଦୀମାନେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହେବା ଫଳରେ ଆନ୍ଦୋଳନ ମଧ୍ୟ ମାନ୍ଦା ପଡ଼ିଗଲା ।

 

ତଥାପି ତିଳକ ପୁନର୍ମିଳନ ପାଇଁ ପ୍ରସ୍ତୁତ ଥିଲେହେଁ ଅରବିନ୍ଦ ରୁଷର ସନ୍ତ୍ରାସବାଦୀମାନଙ୍କପରି ଆକ୍ରମଣାତ୍ମକ ପ୍ରତିବାଦ ସପକ୍ଷରେ ଆହ୍ଵାନ ଦେଲେ । ମୁଜାଫରପୁରଠାରେ ବୋମା ନିକ୍ଷେପଣ ଏବଂ ମାଣିକତଳାଠାରେ ସନ୍ତ୍ରାସବାଦୀଙ୍କ ଗୋପନ ଆଡ଼୍‍ଡ଼ା ଧରାପଡ଼ିଯିବା ପରେ ତାଙ୍କ କଥାର ମର୍ମ ସ୍ପଷ୍ଟ ହୋଇଥିଲା । ତିଳକ ତାଙ୍କର ନୈତିକ ସମର୍ଥନ ‘କେଶରୀ’ ମାଧ୍ୟମରେ ଜଣାଇ ଦେଲେ–“ଯଦି ଶାସନନୀତି ରୁଷିଆ ପରି ହୁଏ ତେବେ ଲୋକେ ରୁଷ–ନୀତି ଅବଲମ୍ବନ କରିବା ଉଚିତ ।’’ ସେ ଛ’ବର୍ଷପାଇଁ ମାଣ୍ଡାଲୟକୁ ସ୍ଥାନାନ୍ତରିତ ହୋଇଥିଲେ । ‘କଲ୍’ର ସମ୍ପାଦକ ପାରଞ୍ଜପେ ୧୯ ମାସ କାରାଦଣ୍ଡ ପାଇଥିଲେ । ନଅଜଣ ବଙ୍ଗାଳୀ ନେତା ଦେଶାନ୍ତରିତ ହୋଇଥିଲେ । ମାନ୍ଦ୍ରାଜର ଚିତାମ୍ବରମ୍ ପିଲାଇ ଏବଂ ଆନ୍ଧ୍ରର ହରିସର୍ବୋତ୍ତମ ରାଓ ବନ୍ଦୀ ହୋଇଥିଲେ । ସରକାର ସବୁ ଖବରକାଗଜକୁ ସେନସର୍ କଲେ, ସାଧାରଣସଭା ବନ୍ଦ କରିଦେଲେ ଏବଂ ବିପ୍ଳବୀ ଅନୁଷ୍ଠାନଗୁଡ଼ିକ ଉପରେ ମକଦ୍ଦମା ଚାଲୁ କରିଦେଲେ । ଅରବିନ୍ଦଙ୍କ ପଣ୍ଡିଚେରୀ ପଳାୟନ ଏବଂ ରାଜନୀତି ଓ ଜାତୀୟତା ଆନ୍ଦୋଳନ ପରିବର୍ତ୍ତେ ଧର୍ମରେ ମନୋନିବେଶ ଫଳରେ ପ୍ରକାଶ୍ୟ ଆନ୍ଦୋଳନର ପରିସମାପ୍ତି ଘଟିଲା ।

 

ଆମର ଜାତୀୟ ଆନ୍ଦୋଳନର ଇତିହାସରେ ଉଗ୍ରପନ୍ଥୀ ଜାତୀୟତାବାଦୀମାନେ ଏକ ଗୌରବୋଜ୍ଜ୍ଵଳ ଅଧ୍ୟାୟ ସୃଷ୍ଟି କରିଥିଲେ । ସେମାନେ ଏହାର ଲକ୍ଷ୍ୟ ସ୍ପଷ୍ଟ କରିଦେଇଥିଲେ । ଲୋକମାନଙ୍କ ମଧ୍ୟରେ ଆତ୍ମ–ପ୍ରତ୍ୟୟ ଓ ଆତ୍ମ–ଶକ୍ତି ସୃଷ୍ଟିକରିଥିଲେ ଏବଂ ନିମ୍ନ–ମଧ୍ୟବିତ୍ତ ଶ୍ରେଣୀ, ଛାତ୍ର, ଯୁବକ ଓ ସ୍ତ୍ରୀଲୋକମାନଙ୍କୁ ଜଡ଼ିତକରି ଆନ୍ଦୋଳନର ଏକ ସାମାଜିକ ଭିତ୍ତି ପ୍ରତିଷ୍ଠା କରିଥିଲେ । ନୂଆ ପଦ୍ଧତିରେ ରାଜନୈତିକ ଅନୁଷ୍ଠାନ ଗଠନ ଏବଂ ନୂଆ ଉପାୟରେ ରାଜନୈତିକ ଆନ୍ଦୋଳନ ପରିଚାଳନା ଦେଖାଦେଇଥିଲା । ଅବଶ୍ୟ ଏହା ସତ୍ତ୍ୱେବି କେତେକ ଗତାନୁଗତିକ ଦୁର୍ବଳତା ଦୂର ହୋଇ ପାରି ନଥିଲା । ଜାତୀୟ ରାଜନୀତିର ମୂଳସୂତ୍ରଠାରୁ ଦୂରରେ ତଥାପି ଦେଶର ସାଧାରଣ କୃଷକ, ଶ୍ରମିକ ରହିଯାଇଥିଲେ । ଜନ ଆନ୍ଦୋଳନ ସଂଗଠନ ବିଷୟରେ ଏତେ ବୀରତ୍ଵପୂର୍ଣ୍ଣ କାହାଣୀ ଶୁଣାଯାଇଥିଲେ ସୁଦ୍ଧା ବାସ୍ତବିକ ସେପରି ଆନ୍ଦୋଳନ ହୋଇପାରି ନଥିଲା । ନୀରବ ପ୍ରତିବାଦ ଏବଂ ଅସହଯୋଗ କେବଳ କଥାରେ ରହିଯାଇଥିଲା । ରାଜନୈତିକ ସଂଗ୍ରାମର ଅମୋଘ ଅସ୍ତ୍ର ଅନାବିଷ୍କୃତ ରହିଗଲା ଏବଂ ଦେଶରେ ଏକ ଯଥାର୍ଥ ଜାତୀୟ ଅନୁଷ୍ଠାନର ପ୍ରତିଷ୍ଠା ସମ୍ଭବ ହେଲା ନାହିଁ । ପୁଞ୍ଜିବାଦର ପରିସୀମା ମଧ୍ୟ ଲଙ୍ଘନ ହୋଇପାରି ନଥିଲା । ତିଳକ ତଥା ଅନ୍ୟମାନେ ତଥାପି ଦେଖିପାରିଥିଲେ ଯେ ପୁଞ୍ଜିବାଦର ବ୍ୟୂହ ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ପ୍ରଗତି ଅବରୁଦ୍ଧ ହୋଇଥିଲା । ଶେଷରେ ପ୍ରାଥମିକ ପର୍ଯ୍ୟାୟର ଉଦାରପନ୍ଥୀମାନଙ୍କ ପରି ଉଗ୍ର–ଜାତୀୟତାବାଦୀମାନେ ମଧ୍ୟ ଅନୁଭବ କରି ପାରି ନଥିଲେ ଯେ ଭାରତ ଏକ ବହୁ ଜାତି, ଧର୍ମ ଓ ଆଞ୍ଚଳିକତାର ଦେଶ । ସେମାନଙ୍କର ସାମ୍ରାଜ୍ୟ ବିରୋଧୀ ଉଗ୍ରତା ଜାତୀୟ ଶକ୍ତି ପ୍ରତିଷ୍ଠା ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେହେଁ, ତାହା ସହିତ ଜଡ଼ିତ ଥିବା ସେମାନଙ୍କର ହିନ୍ଦୁ–ଜାତିଆଣ ଭାବ ଜାତୀୟ ସଂହତିକୁ ଦୁର୍ବଳ କରିଦେଇଥିଲା ଏବଂ ଭବିଷ୍ୟତରେ ସାମ୍ପ୍ରଦାୟିକତାର ବିଷମୟଫଳ ଭୋଗ କରିବାକୁ ପଡ଼ିଥିଲା ।

 

ବିପ୍ଳବାତ୍ମକ ସନ୍ତ୍ରାସବାଦର ଜନ୍ମ ଓ ବିକାଶ

 

ଜାତୀୟ ଆନ୍ଦୋଳନର ସଶକ୍ତି ଓ ବ୍ୟାପକ ବିରୋଧ ସତ୍ତ୍ୱେ ବଙ୍ଗ–ବିଭାଗ ରଦ୍ଦ ହୋଇପାରି ନଥିଲା । ବରଂ ସରକାର ପୂର୍ବାପେକ୍ଷା ଆହୁରି ଅଧିକ ଦମନ–ନୀତି ଗ୍ରହଣ କଲେ । ଏହି ଦୁଇଟି କଥା ବିକ୍ଷୁବ୍ଧ ଓ ଅସ୍ଥିର ଯୁବ–ମାନସରେ ଏକ ନିଧାର୍ଯ୍ୟ ପ୍ରତିକ୍ରିୟା ସୃଷ୍ଟିକଲା । ଏଣେ ବଙ୍ଗ–ବିଭାଗ ଆନ୍ଦୋଳନ ପୂର୍ବରୁ ଚରମପନ୍ଥୀ ନେତା ତିଳକ ତାଙ୍କର ଯୁବକ ଅନୁଗାମୀମାନଙ୍କୁ ବ୍ୟକ୍ତିଗତଭାବେ ସନ୍ତ୍ରାସବାଦୀ କାର୍ଯ୍ୟ କରିବାକୁ ଉତ୍ତେଜିତ କରିଦେଇଥିଲେ । ଏପରିକି ଖ୍ରୀ: ଅ: ୧୮୯୭ରେ ପୁନାର ଦୁଇଭାଗ ଦାମୋଦର ଓ ବାଳକୃଷ୍ଣ ଚାପେକାର ଦୁଇଜଣ ବଦମାସ ବ୍ରିଟିଶ କର୍ମଚାରୀଙ୍କୁ ହତ୍ୟା କରିଥିଲେ । ପରବର୍ତ୍ତୀକାଳରେ ଅରବିନ୍ଦ ଘୋଷ ବାସ୍ତବରେ କେତେକ ବିପ୍ଳବାତ୍ମକ କାର୍ଯ୍ୟକଳାପର ଖସଡ଼ା କରିଥିଲେ । ବଙ୍ଗ–ବିଭାଗ ପରବର୍ତ୍ତୀ ଘଟନା ପରମ୍ପରା ଭାରତୀୟ ଯୁବସମାଜର ବିପ୍ଳବ–ଚେତନାକୁ ଉଦ୍‍ବୁଦ୍ଧ କରିଥିଲା । ସେମାନେ ବୋମା ଓ ପିସ୍ତଲର କାରବାର ଆରମ୍ଭ କଲେ ଏବଂ ବ୍ୟକ୍ତିଗତ ଶକ୍ତି ଅନୁସାରେ ସନ୍ତ୍ରାସବାଦ ସୃଷ୍ଟିକଲେ । ସାମ୍ବିଧାନିକ ଆନ୍ଦୋଳନ ବା ନୀରବ ପ୍ରତିବାଦ ଉପରେ ସେମାନଙ୍କର ବିଶ୍ଵାସ ନଥିଲା । ସେମାନେ ବୁଝିଥିଲେ ବଳପୂର୍ବକ ବ୍ରିଟିଶକୁ ତଡ଼ିବାକୁ ପଡ଼ିବ । ଖ୍ରୀ: ଅ: ୧୯୦୬ ଏପ୍ରିଲ ୨୨ରେ ପୋଲିସ୍ କର୍ତ୍ତୃକ ବରିସାଲ ସଭା ବିଧ୍ଵସ୍ତ ହେବାପରେ, ଏକ ସମ୍ପାଦକୀୟ ଅଗ୍ରଲେଖର ‘ଯୁଗାନ୍ତର’ ସେମାନଙ୍କ ନୀତି ବ୍ୟାଖ୍ୟାନପୂର୍ବକ ଲେଖିଥିଲେ ଯେ–“ଲୋକଙ୍କ ହାତରେ ଏହାର ଉପାୟ ରହିଛି । ଅତ୍ୟାଚାରର ଅଭିଶାପରୁ ମୁକ୍ତିପାଇଁ ଭାରତର ୩୦ କୋଟି ଜନତାର ୬୦ କୋଟି ହାତ ଆଗେଇ ଆସିବା ଉଚିତ । ଶକ୍ତି ବିରୁଦ୍ଧରେ ଶକ୍ତିର ପ୍ରୟୋଗ ବାଞ୍ଛନୀୟ ।’’

 

କିନ୍ତୁ ଏହି ତରୁଣ ସନ୍ତ୍ରାସବାଦୀମାନେ ସାରା ଦେଶର ଜନଗଣଙ୍କୁ ଜଡ଼ିତ କରି କୌଣସି ରକ୍ତାକ୍ତ ବିପ୍ଳବର ପରିକଳ୍ପନା କରିବାକୁ ଚେଷ୍ଟା କରି ନଥିଲେ । ସେମାନେ ଆଇରିସ୍ ସନ୍ତ୍ରାସବାଦୀ ଏବଂ ରୁଷୀୟ ନାସ୍ତିବାଦୀଙ୍କ ପଦାନୁସାରଣ କରି ବ୍ୟକ୍ତିଗତଭାବେ କର୍ମଚାରୀମାନଙ୍କୁ ହତ୍ୟା କରିଥିଲେ, ଯେଉଁମାନେ କି ସେମାନଙ୍କର ଭାରତ–ବିରୋଧୀ ପ୍ରକୃତିରୁ କିମ୍ବା ଦମନ–ନୀତି ଯୋଗୁଁ ଅପ୍ରିୟ ହୋଇପଡ଼ିଥିଲେ । ଏହାର ଉଦ୍ଦେଶ୍ୟ ଶାସକମାନଙ୍କ ଚିତ୍ତରେ ଭୀତିସଞ୍ଚାର କରି ଲୋକମାନଙ୍କୁ ରାଜନୀତି କ୍ଷେତ୍ରରେ ସଜାଗ କରିବା ଏବଂ ଶେଷରେ ଭାରତରୁ ବ୍ରିଟିଶକୁ ତଡ଼ିଦେବା । ସ୍ଵଭାବତଃ ସେମାନଙ୍କର ଯୋଜନା, ପରିଚାଳନା, ନିଯୁକ୍ତି ଓ ତାଲିମ ସବୁ କିଛି ଗୋପନରେ ଚାଲିଥିଲା । ବଙ୍ଗଳା ଓ ମହାରାଷ୍ଟ୍ରରେ ବହୁ ଗୁପ୍ତ–ଗୋଷ୍ଠୀ ସଙ୍ଗଠିତ ହୋଇଥିଲା । ସେଥିରୁ ଅନେକ ବାହ୍ୟତଃ ବ୍ୟାୟାମ ବା ଶରୀର–ଚର୍ଚ୍ଚା କେନ୍ଦ୍ରରୂପେ କାର୍ଯ୍ୟ କରୁଥିଲେ । ଏମାନଙ୍କ ମଧ୍ୟରେ କଲିକତା ଓ ଢାକାର ଅନୁଶୀଳନ ସମିତି, କଲିକତାର ଯୁଗାନ୍ତର ଏବଂ ସବାର୍‍କାର ଭାତୃବୃନ୍ଦଙ୍କ ପ୍ରତିଷ୍ଠିତ ମହାରାଷ୍ଟ୍ରର ମିତ୍ରମେଳା ଖୁବ୍ ବିଖ୍ୟାତ ଥିଲେ । ଯେତେବେଳେ ଭି. ଡ଼ି. ସବାରକାର ବିଦେଶ ଯାତ୍ରା କଲେ, ତାଙ୍କ ଭାଇ ଗଣେଶ ଅଭିନବ ଭାରତ ସମାଜ ପ୍ରତିଷ୍ଠା କଲେ ଏବଂ ଅଳ୍ପ କାଳ ମଧ୍ୟରେ ପଶ୍ଚିମ ଭାରତରେ ଏହାର ବହୁତ ଶାଖା ଖୋଲିଯାଇଥିଲା ।

 

ଖୁଦିରାମ ବୋଷ ଓ ପ୍ରଫୁଲ୍ଲ ଚକିଙ୍କଦ୍ଵାରା ମୁଜାଫରପୁରର ଜଜ୍ କିଙ୍ଗସ୍ ଫୋର୍ଡ଼ଙ୍କ ଉପରେ ଆକ୍ରମଣ ହେଲାପରେ ବିପ୍ଳବାତ୍ମକ ସନ୍ତ୍ରାସବାଦ ପ୍ରତି ଜନତାର ଦୃଷ୍ଟି ଆକର୍ଷିତ ହୋଇଥିଲା । ତାଙ୍କର ବୋମାମାଡ଼ରେ ଦୁଇଟି ନିରୀହା ନାରୀ ନିହିତ ହୋଇଥିଲେ । ଖୁଦିରାମ ଧରାପଡ଼ିଲେ, ମାତ୍ର ପ୍ରଫୁଲ୍ଲ ଆତ୍ମସମର୍ପଣ କରିବାଠାରୁ ଆତ୍ମହତ୍ୟା କଲେ । ଅରବିନ୍ଦ, ତାଙ୍କ ଭାଇ ବାରିନ ଓ ଅନ୍ୟମାନଙ୍କ ବିରୁଦ୍ଧରେ ଅଲିପୁରଠାରେ ସରକାର–ବିରୋଧୀ ଚକ୍ରାନ୍ତ କରୁଥିବା ଅଭିଯୋଗରେ ମକଦ୍ଦମା ଚାଲିଲା । ମାତ୍ର ଜେଲ ଭିତରେ ବିପ୍ଳବୀ ସନ୍ତ୍ରାସବାଦୀଙ୍କ ହାତରେ ସରକାରୀ–ସାକ୍ଷୀ ନିହତ ହେବାରୁ ଏ ମକଦ୍ଦମା ମଝିରେ ଅଟକି ଯାଇଥିଲା । ମକଦ୍ଦମା ଅନୁସନ୍ଧାନ ଓ ପରିଚାଳନା କରୁଥିବା କର୍ମଚାରୀ ଦ୍ୱୟ ଜଣକପରେ ଜଣେ ନିହତ ହେଲେ । ଅରବିନ୍ଦ ଏଥିରୁ ଖଲାସ ପାଇଲେ, ମାତ୍ର ତାଙ୍କ ଭାଇ ବାରିନ ସହିତ ଆଉ ତିନିଜଣଙ୍କୁ ଆଣ୍ଡାମାନକୁ ସ୍ଥାନାନ୍ତରିତ କରାଗଲା ଏବଂ ଆଉ ଅନେକଙ୍କୁ ଦୀର୍ଘ ମିଆଦୀ କାରାଦଣ୍ଡ ଦିଆଗଲା । ଖୁଦିରାମ ଫାଶୀ ପାଇଲେ । ସରକାରୀ ସାକ୍ଷୀଙ୍କୁ ହତ୍ୟା କରିଥିବା ସତ୍ୟେନ ବସୁ ଓ କାନାଇ ଦତ୍ତ ମଧ୍ୟ ମୃତ୍ୟୁଦଣ୍ଡ ଲାଭକଲେ ।

 

ମହାରାଷ୍ଟ୍ରରେ ବୋମା ନିର୍ମାଣର କେନ୍ଦ୍ର ହୋଇଥିଲା ନାସିକ, ବମ୍ବେ ଓ ପୁନା । ବଡ଼ଲାଟଙ୍କ ଜୀବନ ଉପରେ ଥରେ ଚେଷ୍ଟା କରାଯାଇଥିଲା । ନାସିକର ଜିଲ୍ଲାପାଳ ଜାକସନ୍‍ଙ୍କୁ ଗୋଟିଏ ବିଦାୟ–ସଭାରେ ଗୁଳି କରିଦିଆଗଲା । ଏପରିକି ଏହା ପୂର୍ବରୁ ଭାରତୀୟ ଯୁବକମାନଙ୍କୁ ଦେଶାନ୍ତର ଓ ଫାଶୀଦଣ୍ଡ ଦିଆଯାଉଥିବାର ପ୍ରତିବାଦସ୍ୱରୂପ ବିଲାତସ୍ଥ ଇଣ୍ଡିଆ ଅଫିସର ଜଣେ କର୍ମଚାରୀ କର୍ଜନ–ଉଇଲିଙ୍କୁ ଏମ୍. ଏଲ. ଧୀଙ୍ଗ୍ରା ହତ୍ୟା କରିଥିଲେ । ସେ ଫାଶୀ ପାଇଥିଲେ । ମୃତ୍ୟୁ ପୂର୍ବରୁ ସେ ଲେଖିଥିଲେ–“ଭାରତୀୟମାନଙ୍କର ଗୋଟିଏ ବିଦ୍ୟା ଶିକ୍ଷା କରିବା ଆବଶ୍ୟକ–ତାହା ହେଉଛି ମରିବାର ଉପାୟ ଏବଂ ଏହା ଶିକ୍ଷା ଦେବାର ଏକମାତ୍ର ଉପାୟ ହେଉଛି ଜଣେ ନିଜେ ମରି ଏହା ଶିଖାଇପାରେ ।’’

 

ମାନ୍ଦ୍ରାଜର ଲୋକମାନେ ବିପିନଚନ୍ଦ୍ର ପାଲଙ୍କ ଓଜସ୍ଵିନୀ ଭାଷଣରେ ଉଦ୍‍ବୁଦ୍ଧ ହୋଇଥିଲେ । ଚିତାମ୍ବରମ୍ ପିଲାଇ ପ୍ରକାଶ୍ୟଭାବେ ପୂର୍ଣ୍ଣ ସ୍ଵାଧୀନତାର ଦାବି କରିଥିଲେ । ତାଙ୍କୁ ବନ୍ଦୀକରିବାଦ୍ଵାରା ତୁତିକୋରିନ୍ ଓ ତିନେବାଲିରେ ପ୍ରବଳ ଗଣ–ବିକ୍ଷୋଭ ସୃଷ୍ଟି ହୋଇଥିଲା ଏବଂ ଉନ୍ମତ୍ତ ଜନତା ଉପରେ ପୋଲିସ୍ ଗୁଳି ଚଳାଇଥିଲେ । ତିନୋବାଲିରେ ଗୁଳିକାଣ୍ଡର ଆଦେଶ ଦେଇଥିବା ବ୍ୟକ୍ତି ଆଶେଙ୍କୁ ଭାରତମାତା ଆସୋସିଏସନ୍‍ର ବଞ୍ଚି ଆୟାର ହତ୍ୟା କରିଥିଲେ । ପଳାୟନର ପଥ ନ ପାଇ ବଞ୍ଚି ଆୟାର ଗୁଳି କରି ଆତ୍ମହତ୍ୟା କରିଥିଲେ ।

 

ପଞ୍ଜାବରେ ଦୁର୍ଭିକ୍ଷର ଦାଉ, ଖଜଣା ଓ ଜଳକର ବୃଦ୍ଧି, ଗୁପ୍ତ–ସମାଜଗୁଡ଼ିକର କାର୍ଯ୍ୟକାରିତା ବୃଦ୍ଧି କରିଥିଲା । କେନାଲକୂଳିଆ ବାସିନ୍ଦାମାନେ ଜମିର ସ୍ଵତ୍ଵାଧିକାର ବିଷୟରେ ସରକରୀ କଟକଣା ଆଶଙ୍କା କରିଥିଲେ । ବେଗାର ପ୍ରଥା ଅସନ୍ତୋଷ ସୃଷ୍ଟି କରିଥିଲା । ବଙ୍ଗଳାର ଘଟନାବଳି ପଞ୍ଜାବୀମାନଙ୍କୁ ଉତ୍ୟକ୍ତ କଲା । ୧୮୫୭ ବିଦ୍ରୋହର ପଚାଶବର୍ଷ–ପୂର୍ତ୍ତି ପାଖେଇ ଆସୁଥିଲାବେଳେ ଶିଖ ସୈନ୍ୟବାହିନୀକୁ ବିଦ୍ରୋହ କରିବାପାଇଁ ଆହ୍ଵାନ ଦିଆଗଲା । ଲାହୋରଠାରେ ୟୁରୋପୀୟମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା ଏବଂ ରାଓଲପିଣ୍ଡିଠାରେ ଲାଜପତ୍‍ରାୟଙ୍କ ‘ପଞ୍ଜାବୀ’ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବାରୁ ଦଙ୍ଗା ସୃଷ୍ଟି ହୋଇଗଲା । ଅଜିତ ସିଂ ଥିଲେ ଆନ୍ଦୋଳନର କର୍ଣ୍ଣଧାର ଏବଂ ତାଙ୍କୁ ସାହାଯ୍ୟ କରିଥିଲେ ଆଗା ହାଇଦର ଓ ସୟଦ ହାଇଦର ରିଜା । ଲାଜପତ୍‍ରାୟ ଓ ଅଜିତସିଂ ଦେଶାନ୍ତରିତ ହେବା ଫଳରେ ସାମୟିକଭାବେ ସେଠି ନୀରବତା ଦେଖାଦେଇଥିଲା ।

 

ରାସବିହାରୀ ବୋଷ ସେତେବେଳେ ଡେରାଡ଼ୁନରେ କିରାଣି ଥାଇ ବଙ୍ଗଳା ଓ ପଞ୍ଜାବ ମଧ୍ୟରେ ସଂଯୋଜକ ହୋଇଥିଲେ । ବଙ୍ଗଳାରେ ନିର୍ମିତ ଗୋଟିଏ ବୋମା, ଖ୍ରୀ: ୧୯୧୨ ଡିସେମ୍ବର ୨୩ ତାରିଖରେ ଦିଲ୍ଲୀରେ ପ୍ରବେଶ କଲାବେଳକୁ ବଡ଼ଲାଟ ହାର୍ଡ଼ିଞ୍ଜିଙ୍କ ଉପରକୁ ନିକ୍ଷିପ୍ତ ହୋଇଥିଲା । ଏହା କେବଳ ପ୍ରମାଣ କରିଥିଲା ଯେ ଦମନ ଓ ସଂସ୍କାର ନୀତିରେ କିଛି ଫଳ ହେବ ନାହିଁ । ରାସବିହାରୀ ବୋଷଙ୍କ ‘ଲିବର୍ଟି’ ପ୍ରଚାରପତ୍ର, ଯୁଗାନ୍ତର ପ୍ରଚାରପତ୍ର ସହିତ ବିପ୍ଳବବାଦୀ ସାମ୍ବାଦିକତାର ଧାରା ଅବ୍ୟାହତ ରଖିଥିଲେ ।

 

କେତେକ ସନ୍ତ୍ରାସବାଦୀ ବିପ୍ଳବୀ ବିଦେଶକୁ ପଳାଇଯାଇ ୟୁରୋପରେ କେନ୍ଦ୍ରମାନ ପ୍ରତିଷ୍ଠା କଲେ । ବ୍ରିଟିଶ ବିରୋଧୀ ରାଷ୍ଟ୍ରମାନଙ୍କଠାରୁ ସହାୟତା ଲାଭ ଏବଂ ହାତହତିଆର ସଂଗ୍ରହ କରି ଗୋପନରେ ଭାରତକୁ ପଠାଇବା ସେମାନଙ୍କର ପରିକଳ୍ପନା ଥିଲା । ଶ୍ୟାମଜୀ କୃଷ୍ଣ ବର୍ମା, ଭି. ଡ଼ି. ସବାରକର ଏବଂ ଲାଲା ହରଦୟାଲ ବିଲାତ ଯାଇଥିଲେ । ୟୁରୋପରେ ମାଡ଼ାମ କାମା ଏବଂ ଅଜିତ ସିଂ ନେତୃତ୍ଵ ନେଇଥିଲେ।

 

ସନ୍ତ୍ରାସବାଦୀମାନେ ଆମର ସ୍ଵାଧୀନତା ସଂଗ୍ରାମର ଇତିହାସରେ ଏକ ବର୍ଣ୍ଣାଢ଼୍ୟ ଓ ଉଦ୍ଦୀପନାମୟ ଅଧ୍ୟାୟ ସଂଯୁକ୍ତ କରିଥିଲେ । ସେମାନଙ୍କର ଚାରିଦଉଡ଼ି କଟା କାର୍ଯ୍ୟକଳାପ, ସାହସିକ କର୍ମଯୋଜନା, ଗମ୍ଭୀର କ୍ରିୟାଶୀଳତା ଏବଂ ମୃତ୍ୟୁ ପ୍ରତି ନିର୍ଲିପ୍ତତା ଜାତିର ସ୍ମୃତିରେ ଅବିସ୍ମରଣୀୟ । କିନ୍ତୁ ସମସ୍ତ ଆଦର୍ଶ ଓ ତ୍ୟାଗ ସତ୍ତ୍ୱେ ସେମାନେ ପରାଭୂତ ହେବାକୁ ବାଧ୍ୟ ହୋଇଥିଲେ । ଯେତେ ବୀରତ୍ଵପୂର୍ଣ୍ଣ ହେଲେବି ବ୍ୟକ୍ତି ବିଶେଷର ମାରାତ୍ମକ କାର୍ଯ୍ୟକଳାପ ଜନଗଣଙ୍କୁ ଉଦ୍ଦୀପ୍ତ କରିପାରି ନଥିଲା ଏବଂ ଶକ୍ତିର ଶୀର୍ଷସୀମାରେ ପ୍ରତିଷ୍ଠିତ ସାମ୍ରାଜ୍ୟବାଦ ତାକୁ ଧ୍ଵଂସ କରିଦେବାକୁ ସମର୍ଥ ହୋଇଥିଲା । ଚକ୍ରାନ୍ତମୂଳକ ମକଦ୍ଦମା, କଠିନ ଦଣ୍ଡ ଏବଂ ନିର୍ଦ୍ଦୟ ଆଇନକାନୁନ ସେମାନଙ୍କର ମେରୁଦଣ୍ଡ ଭାଙ୍ଗିଦେଇଥିଲା । ସମ୍ବାଦପତ୍ର (ଅପରାଧ–ପ୍ରରୋଚକ) ଆଇନ, କ୍ରିମିନାଲ ଲ ଆମେଣ୍ଡମେଣ୍ଟ ଆକ୍ଟ, ଦି ଏକ୍‍ସପ୍ଲୋସିଭ ସବଷ୍ଟାନ୍‍ସ ଆକ୍ଟ ଏବଂ ଇଣ୍ଡିଆନ୍ ପ୍ରେସ୍ ଆକ୍ଟ ଅମଲାତନ୍ତ୍ରର ଅସ୍ତ୍ରାଗାରକୁ ସମୃଦ୍ଧ କରିଥିଲା । ଦ୍ଵିତୀୟତଃ ଅଧିକାଂଶ ସମୟରେ ସନ୍ତ୍ରାସବାଦୀଙ୍କ କାର୍ଯ୍ୟକଳାପରେ ସାଙ୍ଗଠନିକ ନିଧାର୍ଯ୍ୟ କର୍ମ ଯୋଜନା ଓ କେନ୍ଦ୍ରୀୟ ନେତୃତ୍ଵର ଅଭାବରୁ ପାରସ୍ପରିକ ବୁଝାମଣାର ଅଭାବ ଘଟୁଥିଲା । ତୃତୀୟତଃ, ଜନସାଧାରଣଙ୍କ ମଧ୍ୟରେ ସେମାନଙ୍କର ଭିତ୍ତି ନଥିଲା । ଗୋପନୀୟଭାବେ କାର୍ଯ୍ୟ କରୁଥିବାରୁ ଲୋକମାନଙ୍କୁ ସେମାନେ ବିଶ୍ଵାସ କରିପାରି ନଥିଲେ । ଏକଥା ମଧ୍ୟ ସ୍ମରଣୀୟ; ଏହିସବୁ ସମିତିରେ କେବଳ ମଧ୍ୟବିତ୍ତ ଶ୍ରେଣୀର ବୁଦ୍ଧିଜୀବୀମାନେ ରହିଥିଲେ, ଯେଉଁମାନଙ୍କର କୃଷକ ଓ ଶ୍ରମିକମାନଙ୍କ ସହିତ ଆଦୌ ସଂଯୋଗ ନଥିଲା । ଉଦାରପନ୍ଥୀମାନେ ଏମାନଙ୍କୁ ପ୍ରକାଶ୍ୟଭାବେ ପରିତ୍ୟାଗ କରିଥିଲେ । ଚରମପନ୍ଥୀମାନେ ମଧ୍ୟ ଏମାନଙ୍କ ପ୍ରତି କୌଣସି ଆଗ୍ରହ ପ୍ରକାଶ କରି ନଥିଲେ । ମାତ୍ର ଏପରି ମହାନ୍ ଆତ୍ମୋତ୍ସର୍ଗ କଦାପି ବ୍ୟର୍ଥ ହୋଇ ନ ପାରେ । ସେହି ସହିଦମାନଙ୍କ ସ୍ମୃତିରେ ଦେଶ ଆଜିବି କହୁଛି, “ସେମାନେହିଁ ଆମ ପୌରୁଷର ଗର୍ବ ଫେରାଇ ଆଣିଥିଲେ ।’’

 

ମର୍ଲେ–ମିଣ୍ଟୋ ସଂସ୍କାର

 

ଉଗ୍ରପନ୍ଥୀ ଜାତୀୟତାବାଦୀ ଓ ସନ୍ତ୍ରାସବାଦୀମାନେ ସାମୟିକଭାବେ ସରକାରଙ୍କୁ ଆପୋସ ମିଳାମିଶା ଦିଗରେ ଅଗ୍ରସର ହେବାକୁ ବାଧ୍ୟ କରିଥିଲେ । ନିଷ୍ଠୁର ଦମନନୀତି ସଙ୍ଗେ ମୁସଲମାନମାନଙ୍କୁ ବିଚ୍ଛିନ୍ନ କରିବା ଏବଂ ଉଦାରପନ୍ଥୀ ଓ ଚରମପନ୍ଥୀମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ଦିଗରେ ସାମ୍ବିଧାନିକ ସଂସ୍କାର ଛଳରେ ସରକାରୀ ଚେଷ୍ଟା ଲାଗିରହିଲା । କର୍ଜନଙ୍କ ଉତ୍ତରାଧିକାରୀ ମିଣ୍ଟୋଙ୍କ ଖେଳର ନୀତି ଥିଲା ‘ବିଭାଜନ ଓ ବଶୀକରଣ’ । ଖ୍ରୀ: ୧୯୦୫ରେ ଆଗାଖାଁଙ୍କଦ୍ଵାରା ପରିଚାଳିତ ହୋଇ ଗୋଟିଏ ଦଳ ମୁସଲମାନ ନେତା ତାଙ୍କୁ ସିମଲାରେ ସାକ୍ଷାତ କଲେ ଏବଂ ତାଙ୍କଠାରୁ ସାମ୍ପ୍ରଦାୟିକ ଭିତ୍ତିରେ ନିର୍ବାଚନ ଏବଂ ତା’ର ଗୁରୁତ୍ଵ ବିଷୟରେ ପ୍ରତିଶ୍ରୁତି ଗ୍ରହଣକଲେ । ଶେଷରେ ଖ୍ରୀ: ୧୯୦୯ରେ ଯେତେବେଳେ ମର୍ଲେ–ମିଣ୍ଟୋ ସଂସ୍କାର ଆସିଗଲା, ସେତେବେଳେ ସେମାନଙ୍କ ସର୍ତ୍ତ ଖୁବ୍ କମ୍ ଲୋକଙ୍କୁ ସନ୍ତୁଷ୍ଟ କରିଥିଲା ।

 

ବଡ଼ଲାଟଙ୍କ ଶାସନ–ପରିଷଦ ଓ ପ୍ରାଦେଶିକ ଶାସନ–ପରିଷଦରେ ଜଣେ ଲେଖା ଭାରତୀୟ ନିଯୁକ୍ତ ହେବାର ବ୍ୟବସ୍ଥା ହେଲା । କେନ୍ଦ୍ରୀୟ ତଥା ପ୍ରାଦେଶିକ ବିଧାନସଭାର ଶକ୍ତି ବୃଦ୍ଧି କରାଗଲା; କିନ୍ତୁ ସେଗୁଡ଼ିକର ରୂପଗତ ପରିବର୍ତ୍ତନ କିଛି ହେଲାନାହିଁ । କେନ୍ଦ୍ରରେ ସରକାରୀ ପ୍ରାଧାନ୍ୟ ବଳବତ୍ତର ରହିଲା । କାରଣ ୬୦ ଜଣ ସଭ୍ୟଙ୍କ ମଧ୍ୟରୁ ମାତ୍ର ୨୭ ଜଣଙ୍କୁ ଅତି ସଂକୀର୍ଣ୍ଣ ପଦ୍ଧତିରେ ନିର୍ବାଚିତ କରିବାର ବ୍ୟବସ୍ଥା ହୋଇଥିଲା । ପ୍ରାଦେଶିକ ସଭାରେ ବେସରକାରୀ ସଭ୍ୟ ବେଶି ଥିଲେହେଁ ମନୋନୀତ ସଭ୍ୟମାନେ ବରାବର ସରକାରୀ ସଭ୍ୟଙ୍କ ସହିତ ଯୋଗଦେଇ ନିର୍ବାଚିତ ସଭ୍ୟଙ୍କ ବିରୁଦ୍ଧରେ ମତଦାନ କରୁଥିଲେ । କେନ୍ଦ୍ରୀୟ ସଭାରେ ତ୍ରିବିଧ ନିର୍ବାଚନ–ମଣ୍ଡଳୀ ରହିଥିଲା : (୧) ଉଦାହରଣ, ପ୍ରାଦେଶିକ ବିଧାନସଭାର ବେସରକାରୀ ସଭ୍ୟଗଣ; (୨) ଶ୍ରେଣୀଗତ ଯଥା–ମୁସଲମାନ, ଜମିଦାର ଇତ୍ୟାଦି; ଏବଂ (୩) ବିଶିଷ୍ଟ, ଯଥା–ବିଶ୍ୱବିଦ୍ୟାଳୟ, ବାଣିଜ୍ୟ–ପ୍ରତିଷ୍ଠାନ । ପ୍ରାଦେଶିକ ସଭାର ବେଶିଭାଗ ସଭ୍ୟ ସ୍ଥାନୀୟ ସଂସ୍ଥା ଭୂମ୍ୟାଧିକାରୀ, ବଣିକ, ବିଶ୍ଵବିଦ୍ୟାଳୟ ଇତ୍ୟାଦି ବିଭିନ୍ନ ଗୋଷ୍ଠୀରୁ ନିର୍ବାଚିତ ହୋଇଥିଲେ । ମୁସଲମାନ, ଜମିଦାର ଏବଂ ୟୁରୋପୀୟ ପୁଞ୍ଜିପତିମାନଙ୍କ ପାଇଁ ସଂରକ୍ଷିତ ସ୍ଥାନ ରହିଥିଲା । ସ୍ତ୍ରୀଲୋକମାନଙ୍କର ମତଦାନ କ୍ଷମତା ନଥିଲା । ଲାଟ ଓ ବଡ଼ଲାଟ ଯେକୌଣସି ବ୍ୟକ୍ତିକୁ ରାଜନୀତିରେ ଅବାଞ୍ଛିତ ବୋଲି ବହିଷ୍କାର କରିପାରୁଥିଲେ ।

 

ସଭ୍ୟମାନଙ୍କ କ୍ଷମତା ଖୁବ୍ ସୀମିତ ଥିଲା । ପ୍ରଶ୍ନ ପଚାରିଥିବା ସଭ୍ୟ କେବଳ ଦୋହରା ପ୍ରଶ୍ନ ପଚାରିପାରୁଥିଲେ । ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବିଶେଷ; ଯଥା–ସୈନ୍ୟବିଭାଗ ବା ଦେଶୀୟ ରାଜ୍ୟ ଇତ୍ୟାଦି ବିତର୍କ ଓ ପ୍ରସ୍ତାବର ବହିର୍ଭୂକ୍ତ ଥିଲା । ବଜେଟର ବିଭିନ୍ନ ବିଭାଗ ସଂକ୍ରାନ୍ତରେ ଆଲୋଚନା ଓ ମତଦାନ ଅନୁମୋଦିତ ହୋଇଥିଲେହେଁ ବଜେଟ ଉପରେ ଆଲୋଚନା କରିବାକୁ ଦିଆଯାଉ ନଥିଲା ।

 

ଉଦାରପନ୍ଥୀମାନେ ପ୍ରଥମେ ସହଯୋଗ କରିବାକୁ ସମ୍ମତ ହୋଇଥିଲେ । କିନ୍ତୁ ପରେ ସେମାନେ ବୁଝିପାରିଲେ ଯେ ମର୍ଲେ ସେମାନଙ୍କୁ ପ୍ରତାରିତ କରିଛନ୍ତି । କାରଣ ସେ ସ୍ପଷ୍ଟ କରିଦେଇଥିଲେ ଯେ ଏହି ସଂସ୍କାରର ଉଦ୍ଦେଶ୍ୟ ନୁହେଁ ଗଣତାନ୍ତ୍ରିକ ଶାସନର ପ୍ରବର୍ତ୍ତନ । ସରକାରଙ୍କ ଖିଆଲ ଖୁସି ଅନୁସାରେ ସଭ୍ୟପଦରୁ ବହିଷ୍କରଣ, ସଂକୀର୍ଣ୍ଣ ନିର୍ବାଚନ ନୀତି, କେନ୍ଦ୍ରରେ ସରକାରୀ ସଭ୍ୟଙ୍କ ସଂଖ୍ୟାବହୁଳତା, ବିତର୍କରେ ପ୍ରତିବନ୍ଧକ ଏବଂ ବଜେଟ ବିଚାରରେ ସୀମିତ କ୍ଷମତା ଉଦାରପନ୍ଥୀମାନଙ୍କ ଆଖି ଖୋଲି ଦେଇଥିଲା । ସେମାନଙ୍କ ଭୂମିକା ଥିଲା କେବଳ ନିଷ୍ଫଳ ବିରୋଧ । ଦଳୀୟ ନୀତି ଭାବରେ କଂଗ୍ରେସ ସାମ୍ପ୍ରଦାୟିକ ନିର୍ବାଚନ–ମଣ୍ଡଳୀ ଅନୁମୋଦନ କରି ନଥିଲା । ବହୁ କଗ୍ରେସ ଲୋକ ଉଦାରପନ୍ଥୀଙ୍କ କର୍ମ–ପଦ୍ଧତି ଉପରେ ବିଶ୍ଵାସ ହରାଇଥିଲେ । ଚରମପନ୍ଥୀମାନେ ସେମାନଙ୍କ ରାଜନୀତିକୁ ଭୀଷଣ ସମାଲୋଚନା କଲେ । ମୁସଲମାନମାନଙ୍କ ସ୍ଵତନ୍ତ୍ରତା ପ୍ରତିଷ୍ଠା ଦିଗରେ ସରକାରୀ ପ୍ରୋତ୍ସାହନ ଫଳରେ ଜାତି, ଧର୍ମ ଓ ଭାଷା ନିର୍ବିଶେଷରେ ସମଗ୍ର ଭାରତୀୟ ଜାତିକୁ ଆନ୍ଦୋଳନ ଭିତରେ ଏକତ୍ର କରିବାର ପ୍ରଚେଷ୍ଟା କଷ୍ଟସାଧ୍ୟ ହୋଇପଡ଼ିଲା-। ଏହି ସଂସ୍କାରର ପ୍ରକୃତ ଉଦ୍ଦେଶ୍ୟ ଥିଲା ଜାତୀୟନେତାମାନଙ୍କୁ ବିଚ୍ଛିନ୍ନ କରିଦେବା ଏବଂ ଭାରତୀୟମାନଙ୍କର ଜାତୀୟ ସଂହତି ପଥରେ ବାଧା ସୃଷ୍ଟି କରିବା ।

 

ଖ୍ରୀ: ୧୯୧୧ରେ ବଙ୍ଗବିଭାଗ ରଦ୍ଦ କରି ଲୋକମାନଙ୍କ ମନ ଭୁଲାଇ ଦେବାକୁ ଲର୍ଡ଼ ହାର୍ଡ଼ିଞ୍ଜ ଚେଷ୍ଟା କରିଥିଲେ । ବିହାର ଓ ଓଡ଼ିଶାକୁ ବଙ୍ଗଳାଠାରୁ ସ୍ଵତନ୍ତ୍ର କରି ଦିଆଯାଇଥିଲା ଏବଂ ଆସାମକୁ ଗୋଟିଏ ସ୍ଵତନ୍ତ୍ର ପ୍ରଦେଶ କରାଯାଇଥିଲା । ଏହି ସମୟରେବି ରାଜଧାନୀ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା ।

 

ଯଦିଓ ବଙ୍ଗ–ବିଭାଜନ ରଦ୍ଦ କରିବାଦ୍ଵାରା ବଙ୍ଗାଳୀମାନଙ୍କୁ କେତେ ପରିମାଣରେ ଶାନ୍ତ କରାଯାଇଥିଲା, କିନ୍ତୁ ଅଶାନ୍ତିର ମୂଳକାରଣଗୁଡ଼ିକର ସମାଧାନ ହୋଇପାରି ନଥିଲା, ପ୍ରେସ୍ ଆକ୍ଟ (୧୯୧୦) କିମ୍ବା କ୍ରିମିନାଲ ଲ ଆମେଣ୍ଡମେଣ୍ଟ ଅନ୍ତର୍ଗତ ସ୍ପେଶିଆଲ ଟ୍ରିବ୍ୟୁନାଲ୍ ଆକ୍ଟ (୧୯୦୮) ପରି ଯାବତୀୟ ଆଇନର ଫାନ୍ଦ ବସାଇ ମଧ୍ୟ ଉଗ୍ରଜାତୀୟତାବାଦୀଙ୍କୁ ସମ୍ପୂର୍ଣ୍ଣ ନିରସ୍ତ୍ର କରାଯାଇପାରି ନଥିଲା ।

 

ସାମ୍ପ୍ରଦାୟିକତାର ଉନ୍ମେଷ ଓ ବିକାଶ

 

ଊନବିଂଶ ଶତାବ୍ଦୀର ଉତ୍ତରଭାଗରେ ଭାରତୀୟ ଜାତୀୟତାବାଦର ଉନ୍ମେଷ ଓ ବିକାଶ ଘଟିଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ମୁସଲମାନମାନଙ୍କ ରାଜନୈତିକ ସଚେତନା ସେତେ ଜାଗ୍ରତ ହୋଇ ନଥିଲା । ସେତେବେଳେ ହିନ୍ଦୁ ଓ ପାର୍ଶୀ ମଧ୍ୟବିତ୍ତ, ନିମ୍ନ–ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ଜାତୀୟତାବୋଧର ବିଶେଷ ପ୍ରସାର ହୋଇଥିଲା । ସମାନ ସାମାଜିକ ସ୍ତରର ମୁସଲମାନମାନଙ୍କ ମଧ୍ୟରେ ଅନୁରୂପ ଚେତନାର ବିକାଶ ଦେଖାଯାଇ ନଥିଲା ।

 

ବ୍ରିଟିଶମାନେ ଏ ଦେଶକୁ ଆସି ଭାରତୀୟ ଭୂଇଁରେ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ପୂର୍ବରୁ ହିନ୍ଦୁ ଓ ମୁସଲମାନମାନେ କୌଣସି ତିକ୍ତତା ବା ବିରୋଧଭାବ ପୋଷଣ ନ କରି ପ୍ରାୟ ଶାନ୍ତିରେ ରହିଥିଲେ, ଯଦିଓ ସେମାନଙ୍କ ଧର୍ମ ଧାରଣାରେ କେତେକ ସ୍ଵତନ୍ତ୍ରତା ଓ ବିରୋଧିତା ସ୍ଥାନ ପାଇଥିଲା । ସାମାଜିକ ବିଭାଗୀକରଣର ଭିତ୍ତି ଥିଲା ଶ୍ରେଣୀଗତ; ଯଥା–ଧନୀ ଦରିଦ୍ର, ଶିକ୍ଷିତ ଅଶିକ୍ଷିତ କିମ୍ବା ରାଜା ପ୍ରଜା । ପ୍ରତ୍ୟେକ ଶ୍ରେଣୀରେ ରହିଥିଲେ ଉଭୟ ହିନ୍ଦୁ ଓ ମୁସଲମାନ । ମୋଗଲ–ଯୁଗରେ ମଧ୍ୟ ଏହାହିଁ ରହିଥିଲା । ଏପରିକି ୧୮୫୭ ବିଦ୍ରୋହ ସମୟରେ ହିନ୍ଦୁ ମୁସଲମାନ କାନ୍ଧକୁ କାନ୍ଧ ମିଳାଇ ଯୁଦ୍ଧ କରିଥିଲେ ଏବଂ ସେମାନଙ୍କ ଆଗରେ ଏକମାତ୍ର ସାଧାରଣ ଶତ୍ରୁ ଥିଲା ବିଦେଶୀ ଶାସକ ।

 

ବିଦ୍ରୋହ ପରେ ବ୍ରିଟିଶମାନେ ବିଶେଷକରି ମୁସଲମାନମାନଙ୍କୁ ନିର୍ଯାତିତ କରିଥିଲେ, କାରଣ ସେମାନଙ୍କର ଧାରଣା ହୋଇଥିଲା ଯେ ବିଦ୍ରୋହପାଇଁ ମୁଖ୍ୟତଃ ମୁସଲମାନମାନେ ଦାୟୀ ଥିଲେ । ଅନୁମାନ କରାଯାଏ ବିଦ୍ରୋହ କାଳରେ ଏବଂ ତା’ର ଅବ୍ୟବହିତ ପରେ କେବଳ ଦିଲ୍ଲୀରେ ୨୭୦୦୦ ମୁସଲମାନଙ୍କୁ ହତ୍ୟା କରାଯାଇଥିଲା । ବ୍ରିଟିଶମାନଙ୍କ ନିକଟରେ ବହୁକାଳପର୍ଯ୍ୟନ୍ତ ସେମାନେ ଥିଲେ ସନ୍ଦେହଭାଜନ ।

 

ମାତ୍ର ଜାତୀୟ ଆନ୍ଦୋଳନର ପ୍ରସାର ହେଲାପରେ ବ୍ରିଟିଶମାନଙ୍କ ଦୃଷ୍ଟିକୋଣ ବଦଳିଗଲା । ଖ୍ରୀ: ୧୮୭୦ ବେଳକୁ ଏହା ବେଶ୍ ସ୍ପଷ୍ଟଭାବେ ପରିଲକ୍ଷିତ ହେଲା । ବ୍ରିଟିଶମାନଙ୍କର ସବୁ କାର୍ଯ୍ୟକଳାପ ପରି ଏହାର ମଧ୍ୟ ରାଜନୈତିକ ଉଦ୍ଦେଶ୍ୟ ଥିଲା ଏବଂ ନିଜର ସ୍ଵାର୍ଥ ରକ୍ଷାପାଇଁ ସେମାନେ ଏପରି ନୀତି ଅବଲମ୍ବନ କରିଥିଲେ । ଜାତୀୟତା ଆନ୍ଦୋଳନ ବିସ୍ତାର ଲାଭ କରିବା ଫଳରେ ସେମାନଙ୍କର ଆଶଙ୍କା ହୋଇଥିଲା ଯେ ଏହା ଦେଶରେ ଏକତା ସୃଷ୍ଟି କରିବ ଏବଂ ସାମ୍ରାଜ୍ୟ ପ୍ରତି ବିପଜ୍ଜନକ ହେବ । ଐକ୍ୟବଦ୍ଧ ଜନଗଣଙ୍କୁ ବେଶିକାଳ ପଦାନତ କରି ରଖିବା ସମ୍ଭବ ହେବ ନାହିଁ । ତେଣୁ ଜାତୀୟତାବାଦର ପ୍ରସାର ପ୍ରତିହତ କରିବା ଦିଗରେ ସମସ୍ତପ୍ରକାର ଦମନନୀତି ପ୍ରୟୋଗ କରିବା ସଙ୍ଗେ ସଙ୍ଗେ ଜନଶକ୍ତିକୁ ବିଭକ୍ତ ଓ ପରସ୍ପର ବିରୋଧୀ କରିବା ଦିଗରେ ଚେଷ୍ଟା ଚାଲିଲା । ସେମାନେ ଧର୍ମ ଭିତ୍ତିରେ ଲୋକମାନଙ୍କୁ ବିଭକ୍ତ କରି ସାମ୍ପ୍ରଦାୟିକତା ଓ ସ୍ଵତନ୍ତ୍ରତାବୋଧକୁ ପ୍ରଶ୍ରୟ ଦେଲେ । ସଂଖ୍ୟାଲଘୁ ମୁସଲମାନଙ୍କ ସ୍ଵାର୍ଥ ରକ୍ଷା କରିବା ଛଳରେ ସେମାନେ ମୁସଲମାନ, ଜମିଦାର, ଭୂମ୍ୟାଧିକାରୀ ଏବଂ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀକୁ ନିଜ ଆଡ଼କୁ ଢଳେଇ ନେବାକୁ ଚେଷ୍ଟା ଚଳାଇଲେ । ଆହୁରି ନାନା ରକମର ବିଭେଦ ସୃଷ୍ଟି କରିବାର କୌଶଳ ଚାଲିଲା । ବଙ୍ଗାଳୀ–ଏକଛତ୍ରବାଦିତା ନାମରେ ପ୍ରାଦେଶିକତାର ପ୍ରଚାର ହେଲା । ଭାରତୀୟ ବର୍ଣ୍ଣାଶ୍ରମ ବିଧିର ସୁଯୋଗ ନେଇ ବ୍ରାହ୍ମଣ–ଅବ୍ରାହ୍ମଣ, ଉଚ୍ଚ ଜାତି ନୀଚ ଜାତି ମଧ୍ୟରେ ସଂଘର୍ଷ ଲଗାଇଦେଲେ । କୋର୍ଟ କଚେରିରେ ଉର୍ଦ୍ଦୁ ପରିବର୍ତ୍ତେ ହିନ୍ଦୀ ପ୍ରଚଳନ ଦାବିକୁ ସମର୍ଥନ କରି ଉତ୍ତରପ୍ରଦେଶ ଓ ବିହାରରେ ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି କରିଥିଲା । ଏହିପରି ବିଭିନ୍ନ ସାମାଜିକ ଗୋଷ୍ଠୀର ଆଇନସମ୍ମତ ଦାବିଗୁଡ଼ିକୁ ଏବଂ ସମାଜ ସଂସ୍କାରମୂଳକ ସମସ୍ୟାଗୁଡ଼ିକୁ ସେମାନେ ନିଜ ଲକ୍ଷ୍ୟ ପୂରଣ ଦିଗରେ ବ୍ୟବହାର କଲେ । ଭାରତର ସମାଜ ବ୍ୟବସ୍ଥା ବଡ଼ ଜଟିଳ । ଆଭ୍ୟନ୍ତରୀଣ ସାମାଜିକ ଓ ସାଂସ୍କୃତିକ ବିଧିବିଧାନରେ ଔଚିତ୍ୟ ଓ ଅନୌଚିତ୍ୟର ଏପରି ସମନ୍ଵୟ ଘଟିଥାଏ ଯେ ଏହାକୁ ଠିକ୍‍ଭାବେ ନିର୍ଣ୍ଣୟ କରିବାପାଇଁ ସୌର୍ଯ୍ୟ ଓ ଧୈର୍ଯ୍ୟର ଏକାନ୍ତ ଆବଶ୍ୟକ । ବିଦେଶୀ ଶାସକ ନିଜର ସ୍ଵାର୍ଥସିଦ୍ଧି ନିମନ୍ତେ ଏହି ଜଟିଳତାର ସୁଯୋଗ ନେଇଥିଲେ ।

 

ମୁସଲମାନ ସାମ୍ପ୍ରଦାୟିକତାବାଦର ଉନ୍ମେଷ ସଙ୍ଗେ ସୟିଦ ଅହମ୍ମଦ ଖାଁଙ୍କ ନାମ ଜଡ଼ିତ କରାଯାଏ । ସେ ପ୍ରଥମେ ଥିଲେ ଜଣେ ଶିକ୍ଷାବିତ୍ ଓ ସମାଜ ସଂସ୍କାରକ । ସେ ଆଧୁନିକ ଚିନ୍ତାଧାରା ସହିତ ଖାପ ଖୁଆଇ କୋରାନ୍‍ର ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଥିଲେ । ଏବଂ ସେବାଧର୍ମ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ରକ୍ଷଣଶୀଳ ଇସଲାମ ନେତାମାନଙ୍କ ସହିତ ତାଙ୍କ ମତବାଦର ବିରୋଧ ସୃଷ୍ଟି ହେଲା । ଏହି ସମୟରେ ସୟିଦ ଅହମ୍ମଦ ହିନ୍ଦୁ ମୁସଲମାନ ଏକତା ଉପରେ ଖୁବ୍ ଆସ୍ଥା ସ୍ଥାପନ କରିଥିଲେ । ଆଲିଗଡ଼ରେ ମହମେଡ଼ାନ ଆଙ୍ଗ୍‍ଲୋ–ଓରିଏଣ୍ଟାଲ କଲେଜ ସ୍ଥାପନପାଇଁ ସେ ଉଭୟ ହିନ୍ଦୁ ଓ ମୁସଲମାନମାନଙ୍କଠାରୁ ସାହାଯ୍ୟ ଗ୍ରହଣ କରିଥିଲେ । ମାତ୍ର ଭାରତୀୟ ଜାତୀୟ କଂଗ୍ରେସର ଅଭ୍ୟୁଦୟ ପରେ ମୁସଲମାନ, ବିଶେଷତଃ ତାଙ୍କୁ ସାହାଯ୍ୟ କରିଥିବା ମୁସଲମାନ ଜମିଦାରମାନଙ୍କ ଅବସ୍ଥା ସମ୍ବନ୍ଧରେ ସେ ସନ୍ଦିହାନ ହୋଇପଡ଼ିଲେ । ବ୍ରିଟିଶମାନେ ଅନ୍ତରାଳରୁ ତାଙ୍କୁ ନଚାଇ ଦେଲେ । ସୟିଦ ଅହମ୍ମଦ ଖାଁ ସେତେବେଳେ ଘୋଷଣା କଲେ ଯେ ହିନ୍ଦୁ ଓ ମୁସଲମାନଙ୍କ ସ୍ଵାର୍ଥ ଭିନ୍ନ ଭିନ୍ନ ତଥା ପରସ୍ପର ବିରୋଧୀ । ସେ ସରକାରଙ୍କର ପୂରାପୂରି ବିଶ୍ଵସ୍ତ ହୋଇପଡ଼ିଲେ ଏବଂ ଖ୍ରୀ: ୧୮୮୫ରେ କଂଗ୍ରେସର ପ୍ରତିଷ୍ଠାବେଳେ ବନାରସର ରାଜା ଶିବପ୍ରସାଦଙ୍କ ସହିତ ସେ ଏହାର ବିରୋଧ କଲେ ଏବଂ ବ୍ରିଟିଶ ଶାସନ ପ୍ରତି ଆସ୍ଥା–ପ୍ରଦର୍ଶନମୂଳକ ଏକ ସ୍ଵତନ୍ତ୍ର ଆନ୍ଦୋଳନର ସୂତ୍ରପାତ କଲେ । ସେ ତାଙ୍କର ଅନୁଚରମାନଙ୍କୁ ଶିଖାଇଦେଲେ ଯେ ବ୍ରିଟିଶମାନେ ଚାଲିଗଲେ ହିନ୍ଦୁମାନଙ୍କ ପ୍ରଭୁତ୍ଵ ପ୍ରତିଷ୍ଠିତ ହେବ ଏବଂ ଏହା ସଂଖ୍ୟାଲଘୁ ମୁସଲମାନଙ୍କ ପକ୍ଷରେ ମଙ୍ଗଳଜନକ ହେବନାହିଁ । ବଦରୁଦ୍ଦିନ୍ ତୟାବଜୀଙ୍କପରି ଅନ୍ୟାନ୍ୟ ନେତାମାନେ ଜାତୀୟ କଂଗ୍ରେସରେ ଯୋଗଦେବା ପାଇଁ ମୁସଲମାନମାନଙ୍କୁ ଆହ୍ଵାନ କରିଥିଲାବେଳେ ସେ ଏଥିରୁ ନିରସ୍ତ ହେବାପାଇଁ ପ୍ରରୋଚନା ଦେଇଥିଲେ ।

 

ସୟିଦ ଅହମ୍ମଦ ଖାଁଙ୍କ ପରି ମୁସଲମାନ ନେତାଙ୍କ ମତାମତ ଥିଲା ମିଥ୍ୟା ଏବଂ ଅଯୌକ୍ତିକ । ହିନ୍ଦୁ ମୁସଲମାନମାନେ ଭିନ୍ନ ଭିନ୍ନ ଧର୍ମରେ ବିଶ୍ଵାସ କରୁଥିଲେହେଁ ସେମାନଙ୍କର ରାଜନୈତିକ ଓ ଅର୍ଥନୈତିକ ସ୍ଵାର୍ଥ ଥିଲା ସମାନ । ଏପରିକି ସାମାଜିକ ଓ ସାଂସ୍କୃତିକ ସ୍ତରରେ ମଧ୍ୟ କି ଧନୀ କି ସାଧାରଣ ଜନତା ଉଭୟ ହିନ୍ଦୁମୁସଲମାନଙ୍କ ଜୀବନଯାପନ ପ୍ରଣାଳୀ ଥିଲା ଏକ ଅଭିନ୍ନ । ଦୃଷ୍ଟାନ୍ତସ୍ୱରୂପ ବଙ୍ଗାଳୀ ଓ ପଞ୍ଜାବୀ ମୁସଲମାନଙ୍କ ମଧ୍ୟରେ ନଥିଲା । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଥିଲା ଯେ ଉଭୟ ହିନ୍ଦୁ ଓ ମୁସଲମାନ ବିଦେଶୀ ଶାସକଦ୍ଵାରା ସମାନଭାବେ ନିପୀଡ଼ିତ ହେଉଥିଲେ । ଖ୍ରୀ: ୧୮୮୪ରେ ସୟିଦ ଅହମ୍ମଦ ଖାଁ ନିଜେ କହିଥିଲେ–“ତମେ କ’ଣ ଏକା ଦେଶରେ ବାସକରୁନାଁ ? ତମେ କ’ଣ ଏକା ମାଟିରେ ପୋଡ଼ା ହେଉନାଁ ଓ କବର ନେଉନାଁ ? ତମେ କ’ଣ ଏକା ଭୂଇଁରେ ପାଦ ପକାଇ ଜୀବନଧାରଣ କରୁନାଁ ? ମନେରଖ, କେବଳ ଧର୍ମଗତ ପ୍ରଭେଦ ଦେଖାଇବାକୁ ହିନ୍ଦୁ ମୁସଲମାନ ଦୁଇଟି ନାଆଁ, ଅନ୍ୟଥା ହିନ୍ଦୁ ହେଉ ମୁସଲମାନ ହେଉ, କି ଖ୍ରୀଷ୍ଟାଆନବି ହେଉ, ଯିଏ ଏ ଦେଶରେ ବାସ କରୁଛି ଗୋଟେ ଦୃଷ୍ଟିକୋଣରୁ ସେମାନେ ସମସ୍ତେ ସମଜାତୀୟ । ତାହାହେଲେ ଏସବୁ ସ୍ଵତନ୍ତ୍ର ସମ୍ପ୍ରଦାୟକୁ ଗୋଟିଏ ଜାତି ବୋଲି ଧରିବାକୁ ପଡ଼ିବ ଏବଂ ସେମାନେ ପ୍ରତ୍ୟେକେ ଏହି ଦେଶର ମଙ୍ଗଳପାଇଁ ଐକ୍ୟବଦ୍ଧ ହେବା ଉଚିତ ।’’

 

ଏହି ପରିସ୍ଥିତିରେ ବହୁସଂଖ୍ୟକ ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ମନୋବୃତ୍ତି କିପରି ସଂଚାରିତ ହେଲା ତାହା ଗଭୀର ଅନୁସନ୍ଧାନସାପେକ୍ଷ ।

 

ଏହାର ଏକ ବିଶିଷ୍ଟ କାରଣ ହୋଇପାରେ ଶିକ୍ଷା, ବାଣିଜ୍ୟ ଓ ଶିଳ୍ପକ୍ଷେତ୍ରରେ ମୁସଲମାନମାନଙ୍କର ଆପେକ୍ଷିକ ଅନୁନ୍ନତତା । ମୁସଲମାନ ଉଚ୍ଚ–ବର୍ଗରେ ଥିଲେ ମୁଖ୍ୟତଃ ଜମିଦାର ଓ ସମ୍ଭ୍ରାନ୍ତ ଶ୍ରେଣୀ । ଊନବିଂଶ ଶତାବ୍ଦୀର ପ୍ରଥମ ୭୦ ବର୍ଷ ପର୍ଯ୍ୟନ୍ତ ଏହି ଉଚ୍ଚ–ବର୍ଗୀୟ ମୁସଲମାନମାନେ ବ୍ରିଟିଶ–ବିରୋଧୀ, ରକ୍ଷଣଶୀଳ ଏବଂ ଆଧୁନିକ ଶିକ୍ଷାପ୍ରତି ବିମୁଖ ରହିଥିବାରୁ ଏ ଦେଶରେ ଶିକ୍ଷିତ ମୁସଲମାନଙ୍କ ସଂଖ୍ୟା ଥିଲା ନଗଣ୍ୟ । ଫଳରେ ଆଧୁନିକ ପାଶ୍ଚାତ୍ୟ ଚିନ୍ତାଧାରାପ୍ରସୂତ ବିଜ୍ଞାନ, ଗଣତନ୍ତ୍ର, ଜାତୀୟତାବୋଧ ଇତ୍ୟାଦି ପରମ୍ପରାବାଦୀ ମୁସଲମାନ ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରସାର ଲାଭ କରି ନଥିଲା । ପରେ ଅବଶ୍ୟ ସୟିଦ ଅହମ୍ମଦ ଖାଁ, ନବାବ ଅବଦୁଲ ଲତିଫ, ବଦରୂଦ୍ଦିନ ତୟାବଜୀ ପ୍ରମୁଖଙ୍କ ପ୍ରଚେଷ୍ଟାରେ ମୁସଲମାନମାନଙ୍କ ମଧ୍ୟରେ ଆଧୁନିକ ଶିକ୍ଷାର ପ୍ରଚାର ହୋଇଥିଲା । କିନ୍ତୁ ହିନ୍ଦୁ, ପାର୍ଶୀ ଓ ଖ୍ରୀଷ୍ଟିଆନଙ୍କ ତୁଳନାରେ ଶିକ୍ଷିତ ସଂଖ୍ୟା ମୁସଲମାନମାନଙ୍କ ମଧ୍ୟରେ ବହୁତ କମ୍ ଥିଲା । ଅନୁରୂପଭାବେ ଶିଳ୍ପ ଓ ବାଣିଜ୍ୟର ବିକାଶ କ୍ଷେତ୍ରରେ ମୁସଲମାନଗଣ କମ୍ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଶିକ୍ଷିତ ଓ ବ୍ୟବସାୟ ବାଣିଜ୍ୟରେ ଧୁରନ୍ଧର ବ୍ୟକ୍ତି ଅଳ୍ପ ଥିବାରୁ ପ୍ରତିକ୍ରିୟାଶୀଳ ବଡ଼ବଡ଼ ଜମିଦାରମାନେ ସାଧାରଣ ଜନତା ଉପରେ ପ୍ରଭୁତ୍ଵ ଜାହିର କରିବାକୁ ସମର୍ଥ ହୋଇଥିଲେ । ପୂର୍ବରୁ ଦେଖାଯାଇଛି କି ହିନ୍ଦୁ, କି ମୁସଲମାନ ଜମିଦାର ଓ ଭୂମ୍ୟାଧିକାରୀମାନେ ନିଜ ସ୍ଵାର୍ଥ ଦୃଷ୍ଟିରୁ ସର୍ବଦା ବ୍ରିଟିଶରାଜକୁ ସମର୍ଥନ କରୁଥିଲେ । କିନ୍ତୁ ହିନ୍ଦୁଙ୍କ ଭିତରେ ନବ୍ୟଶିକ୍ଷିତ ଓ ଶିଳ୍ପ ବାଣିଜ୍ୟରେ ଅଗ୍ରସର ବ୍ୟକ୍ତିଗଣ ଜମିଦାର ଶ୍ରେଣୀର ନେତୃତ୍ଵ ଲୋପ କରିଦେଇଥିଲେ । ଦୁର୍ଭାଗ୍ୟତଃ, ମୁସଲମାନମାନଙ୍କ ଭିତରେ ଏହାର ଠିକ୍ ବିପରୀତ ଘଟିଥିଲା ।

 

ମୁସଲମାନଙ୍କ ଶିକ୍ଷାକ୍ଷେତ୍ରରେ ଅନଗ୍ରସରତା ଆହୁରି ଏକ କୁଫଳ ପ୍ରଦାନ କରିଥିଲା । ସରକାରୀ ଚାକିରି ଓ ଅନ୍ୟାନ୍ୟ ବୃତ୍ତିପାଇଁ ଆଧୁନିକ ଶିକ୍ଷା ଏକାନ୍ତ ଆବଶ୍ୟକ ହୋଇଥିବାରୁ ଏ ଦିଗରେ ମଧ୍ୟ ସେମାନେ ସମସ୍ତଙ୍କ ପଛରେ ପଡ଼ିରହିଥିଲେ । ତା’ଛଡ଼ା ୧୮୫୭ ବିଦ୍ରୋହପାଇଁ ଦାୟୀ କରି ୧୮୫୮ ପରଠାରୁ ସରକାର ମଧ୍ୟ ସେମାନଙ୍କୁ ସଚେତନଭାବେ ବାସନ୍ଦ କରି ରଖିଥିଲେ । ମୁସଲମାନମାନଙ୍କ ଭିତରେ ଆଧୁନିକ ଶିକ୍ଷା ପ୍ରସାର ହେଲାବେଳକୁ ବ୍ୟବସାୟ ଓ ଅନ୍ୟାନ୍ୟ ବୃତ୍ତିରେ ସେମାନଙ୍କ ପାଇଁ ସୁବିଧା ସୁଯୋଗ ଆଉ ପ୍ରଶସ୍ତ ନଥିଲା । ଏହି ଅବସ୍ଥାରେ ଶିକ୍ଷିତ ହିନ୍ଦୁଙ୍କ ବିରୁଦ୍ଧରେ ଶିକ୍ଷିତ ମୁସଲମାନଙ୍କୁ ଲଗାଇ ଦେବା ବ୍ରିଟିଶ କର୍ମଚାରୀ ଓ ତୋଷାମଦିଆ ମୁସଲମାନଙ୍କ ପକ୍ଷରେ ଖୁବ୍ ସହଜସାଧ୍ୟ ହୋଇଥିଲା । ସୟିଦ ଅହମ୍ମଦ ଖାଁ ଓ ଅନ୍ୟ କେତେକ ସରକାରୀ ଚାକିରି କ୍ଷେତ୍ରରେ ମୁସଲମାନମାନଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା ଦାବି କଲେ । ସେମାନେ ପ୍ରଚାର କଲେ ଯେ ଶିକ୍ଷିତ ମୁସଲମାନଗଣ ବ୍ରିଟିଶରାଜକୁ ସମର୍ଥନ କଲେ ସେମାନଙ୍କୁ ସରକାରୀ ଚାକିରି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିଯିବ । କେତେକ ପ୍ରଭୁଭକ୍ତ ହିନ୍ଦୁ ଓ ପାର୍ଶୀ ମଧ୍ୟ ଅନୁରୂପ ପ୍ରଚାର କରୁଥିଲେ; କିନ୍ତୁ ସେମାନଙ୍କ ସଂଖ୍ୟା ଥିଲା ନିତାନ୍ତ ଗୌଣ । ଏହାର ପରିମାଣ ହେଲା ଯେ ଯେତେବେଳେ ସାରା ଦେଶରେ ଓକିଲ, ବଣିକ, ଛାତ୍ର, ସାମ୍ବାଦିକ ଓ ଶିଳ୍ପପତିମାନେ ରାଜନୀତି କ୍ଷେତ୍ରରେ ନେତୃତ୍ଵ ନେବାର ସୁଯୋଗ ପାଇଥିଲେ, ସେତେବେଳେ ମୁସଲମାନମାନଙ୍କ ମଧ୍ୟରେ ରାଜନୈତିକ ନେତୃତ୍ଵ ଦେଇଥିଲେ ପ୍ରଭୁଭକ୍ତ ଜମିଦାର ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଗଣ-। ଏକମାତ୍ର ବମ୍ବେ ପ୍ରଦେଶରେ ଶିକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ମୁସଲମାନଙ୍କ ପ୍ରବେଶ ସାମାନ୍ୟ ତ୍ୱରାନ୍ୱିତ ହୋଇଥିଲା ଏବଂ ସେଠାରେ ଜାତୀୟ କଂଗ୍ରେସରେ ସମ୍ମାନନୀୟ ସ୍ଥାନ ଲାଭକରିଥିଲେ ବଦ୍ରୁଦ୍ଦିନ ତୟାବଜୀ, ଆର. ଏମ୍. ସୟାନୀ, ଏ. ଭୀମଜୀ ଏବଂ ତରୁଣ ବାରିଷ୍ଟର ମହମ୍ମଦ ଅଲି ଜିନ୍ନା । ଏହାଛଡ଼ା ବଙ୍ଗଳା, ଉତ୍ତର–ପ୍ରଦେଶ ଓ ପଞ୍ଜାବରେ ମଧ୍ୟ ନୂତନ ଚିନ୍ତାଧାରାରେ ଅନୁପ୍ରାଣିତ ଜାତୀୟତାବାଦୀ ଶାଖାମାନ ମୁସଲମାନମାନଙ୍କ ମଧ୍ୟରେ ପ୍ରତିଷ୍ଠା ହୋଇଥିଲା ଏବଂ ନେତୃତ୍ଵଦାନ କ୍ଷେତ୍ରରେ ପୁରୁଖା ପ୍ରଭୁଭକ୍ତଦଳଙ୍କ ସ୍ଵାଧିକାର ଭାଙ୍ଗିଯାଇଥିଲା । ଜବାହରଲାଲ ନେହେରୁଙ୍କ ‘ଭାରତ–ଆବିଷ୍କାର’ ଗ୍ରନ୍ଥରୁ ଗୋଟିଏ ଉଦ୍ଧୃତ ଦେଇ ଏହି ପରିସ୍ଥିତିର ଅସଲସ୍ୱରୂପ ଦର୍ଶାଇ ଦିଆଗଲା :

 

“ହିନ୍ଦୁ ଓ ମୁସଲମାନ ମଧ୍ୟବିତ୍ତ ଶ୍ରେଣୀର ବିକାଶ କ୍ଷେତ୍ରରେ ଗୋଟିଏ ପୁରୁଷ କିମ୍ବା ତତୋଽଧିକ ବ୍ୟବଧାନ ରହିଯାଇଛି ଏବଂ ଏହି ବ୍ୟବଧାନ ରାଜନୈତିକ, ଅର୍ଥନୈତିକ ତଥା ଅନ୍ୟାନ୍ୟ ବହୁବିଧ କ୍ଷେତ୍ରରେ ଆତ୍ମପ୍ରକାଶ କରିଛି । ଏହି ପଶ୍ଚାଦ୍‍ବର୍ତ୍ତିତାହିଁ ମୁସଲମାନମାନଙ୍କ ମନରେ ଆଶଙ୍କା ସଞ୍ଚାର କରିବାର ପ୍ରଧାନ କାରଣ ।’’

 

ସେ ସମୟରେ ସାମ୍ପ୍ରଦାୟିକ ମନୋବୃତ୍ତିର ବିକାଶମୂଳରେ ଆଉ ଏକ ପ୍ରଧାନ କାରଣ ମଧ୍ୟ ଥିଲା । ବ୍ରିଟିଶ ଐତିହାସିକମାନେ ଭାରତ–ଇତିହାସକୁ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ଉପସ୍ଥାପିତ କରିଥିଲେ । ଦୁର୍ଭାଗ୍ୟତଃ ଭାରତୀୟ ଐତିହାସିକଗଣ ତାଙ୍କରି ପଦାନୁସରଣପୂର୍ବକ ଲେଖିବା, ପଢ଼ାଇବାଦ୍ଵାରା ସାମ୍ପ୍ରଦାୟିକ ଭାବଧାରା ପରିପୁଷ୍ଟ ହୋଇଥିଲା । ଉଦାହରଣସ୍ୱରୂପ, ପ୍ରାଚୀନ କାଳକୁ ହିନ୍ଦୁ–ଯୁଗ ଓ ମଧ୍ୟ–କାଳକୁ ମୁସଲମାନ–ଯୁଗରୂପେ ଅଭିହିତ କରାଯାଇଥିଲା । ମଧ୍ୟ–ଯୁଗରେ ତୁର୍କୀ, ଆଫଗାନ ଓ ମୋଗଲ ବଂଶ ରାଜତ୍ଵ କରିଥିଲେ । ପ୍ରତ୍ୟେକ ବଂଶର ଶାସନଗତ ସ୍ଵତନ୍ତ୍ରତା ବିଶ୍ଳେଷଣ ନକରି ସମସ୍ତଙ୍କୁ ମୁସଲମାନ ନାମ ଦେଇ ମୁସଲମାନ–ଯୁଗ ସୃଷ୍ଟି କରାଯାଇଥିଲା । ମୁସଲମାନ ରାଜତ୍ଵର ସ୍ଵାଭାବିକ ଅର୍ଥ ହୋଇଥିଲା ସବୁ ଶାସକ ଥିଲେ ମୁସଲମାନ ଓ ଶାସିତମାନେ ସବୁ ଥିଲେ ହିନ୍ଦୁ । କିନ୍ତୁ ପ୍ରକୃତ ତଥ୍ୟ ହେଲା ହିନ୍ଦୁ ମୁସଲମାନ ନିର୍ବିଶେଷରେ ସବୁ ରାଜା, ନବାବ ଓ ଜମିଦାର ହିନ୍ଦୁ ମୁସଲମାନ ଉଭୟ ଜନସାଧାରଣଙ୍କୁ ଅଧଃସ୍ତନ ଜୀବରୂପେ ଅବଜ୍ଞାପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିଲେ । ମୁସଲମାନ ପ୍ରଜାଗଣ ମଧ୍ୟ ହିନ୍ଦୁ ପ୍ରଜାମାନଙ୍କ ପରି ଦାରିଦ୍ର୍ୟ ଓ କରପୀଡ଼ାରେ ନିଷ୍ପେଷିତ ହେଉଥିଲେ । ଏହି ଐତିହାସିକମାନେ ଭୁଲିଯାଇଥିଲେ ଯେ ସାରା ବିଶ୍ଵବ୍ୟାପୀ ରାଜନୀତିଠାରୁ ପ୍ରାଚୀନ ଓ ମଧ୍ୟ–ଯୁଗର ଭାରତୀୟ ରାଜନୀତି ସ୍ଵତନ୍ତ୍ର ନଥିଲା, ଅର୍ଥାତ୍ ଏଠାରେ ମଧ୍ୟ ଶାସକବର୍ଗଙ୍କ ଅର୍ଥନୈତିକ ଓ ରାଜନୈତିକ ସ୍ଵାର୍ଥ ଥିଲା ପ୍ରଧାନ ବିଚାର ଏବଂ କ୍ଵଚିତ କୌଣସି ଧାର୍ମିକ ବିଚାର ପ୍ରାଧାନ୍ୟ ନେଉଥିଲା । ଅବଶ୍ୟ ଅନେକ ସମୟରେ ଶାସକବର୍ଗ ତଥା ବିଦ୍ରୋହୀ ପ୍ରଜା ସାଧାରଣ ନିଜର ଅସଲ ବୈଷୟିକ ସ୍ଵାର୍ଥ ସାଧନପାଇଁ ଧର୍ମର ବହିରଙ୍ଗ ଆବରଣ ଗ୍ରହଣ କରୁଥିଲେ । ସେମାନଙ୍କର ଲକ୍ଷ୍ୟ ମୋଟେ ଧାର୍ମିକ ବା ସାମ୍ପ୍ରଦାୟିକ ନଥିଲା ।

 

ପୁନଶ୍ଚ ବ୍ରିଟିଶ ତଥା ସାମ୍ପ୍ରଦାୟିକତାବାଦୀ ଐତିହାସିକଗଣ ଭାରତର ସାଂସ୍କୃତିକ ବୈଚିତ୍ର୍ୟ ଉପରେ ଆଦୌ ଗୁରୁତ୍ଵ ଦେଇ ନଥିଲେ । ବୈଚିତ୍ର ଓ ବିଭେଦ ସତ୍ତ୍ୱେ ଏହି ସଂସ୍କୃତି ଗୋଟିଏ ସୂତ୍ରରେ ଗ୍ରଥିତ ହୋଇଥିଲା ଏବଂ ଏଥିରେ କେବଳ ଶ୍ରେଣୀଗତ ଓ ସ୍ଥାନଗତ ବିରୋଧ ଆତ୍ମପ୍ରକାଶ କରିଥିଲା । ହିନ୍ଦୁ ଓ ମୁସଲମାନ ସଂସ୍କୃତିର ମିଥ୍ୟା ସ୍ଵାତନ୍ତ୍ର୍ୟ ପ୍ରଦର୍ଶନପୂର୍ବକ ସାମ୍ପ୍ରଦାୟିକତାବାଦୀ ଐତିହାସିକଗଣ କେବଳ ବିଚ୍ଛିନ୍ନତାବୋଧର ବୀଜବପନ କରିଥିଲେ ।

 

ଧାର୍ମିକ ସଂସ୍କାରମୂଳକ ଆନ୍ଦୋଳନଗୁଡ଼ିକ ମଧ୍ୟ ଅନୁରୂପ ପ୍ରଭାବ ବିସ୍ତାର କରିଥିଲା । ଏହି ଆନ୍ଦୋଳନଗୁଡ଼ିକର ପ୍ରଧାନ ଅବଦାନ ଥିଲା ଯେ ସେମାନେ ଅଯୌକ୍ତିକ ଓ ଅସ୍ପଷ୍ଟ ଧାରଣାର ପ୍ରତିବାଦ କରିଥିଲେ, ବୁଦ୍ଧିଗ୍ରାହ୍ୟ ଓ ମାନବିକତାବାଦୀ ଚିନ୍ତାଧାରାର ପ୍ରବର୍ତ୍ତନ କରିଥିଲେ, ଊନବିଂଶ ଶତାବ୍ଦୀର ଧାର୍ମିକ ବିଶ୍ଵାସ ଓ ଆଚରଣରୁ ଦୁର୍ନୀତି ଦୂର କରିଥିଲେ ଏବଂ ଭାରତୀୟ ଜନତାର ଆତ୍ମ–ସମ୍ମାନବୋଧ ଜାଗ୍ରତ କରାଇଥିଲେ । ଅବଶ୍ୟ ସେମାନଙ୍କ ମଧ୍ୟରୁ କେତେକ ପୁଣି ହିନ୍ଦୁ, ମୁସଲମାନ, ଶିଖ, ପାର୍ଶୀ ଏବଂ ସବର୍ଣ୍ଣ, ଅସବର୍ଣ୍ଣ, ହିନ୍ଦୁ ଇତ୍ୟାଦି ବିଭାଗକୁ ପ୍ରଶ୍ରୟ ଦେଇଥିଲେ । ବହୁ–ଧର୍ମ–ସମନ୍ଵିତ ଦେଶରେ ଧର୍ମ ଉପରେ ଯେକୌଣସି ରକମ ଗୁରୁତ୍ଵ ଆରୋପ କଲେ ତାହାର ସ୍ଵାଭାବିକ ଫଳ ହେବ ବିଭେଦ ସୃଷ୍ଟି । ତା’ଛଡ଼ା ସଂସ୍କାରକଗଣ ସାଂସ୍କୃତିକ ଐତିହ୍ୟର ଧାର୍ମିକ ଓ ଦାର୍ଶନିକ ବିଭାବ ଉପରେ କେବଳ ଗୁରୁତ୍ୱ ଦେଇଥିଲେ । କିନ୍ତୁ ସାର୍ବଜନୀନ ଐତିହ୍ୟ କେବଳ ଏହା ଉପରେ ପ୍ରତିଷ୍ଠିତ ନୁହେଁ । ଏମାନେ ଅନ୍ୟ ପକ୍ଷରେ କଳା, ସାହିତ୍ୟ, ସଙ୍ଗୀତ, ବିଜ୍ଞାନ ଇତ୍ୟାଦି ବିଭାବ ଉପରେ ଯଥେଷ୍ଟ ଗୁରୁତ୍ଵ ଦେଇ ନଥିଲେ । ବସ୍ତୁତଃ ଏଥିରେହିଁ ସବୁ ଶ୍ରେଣୀର ଲୋକେ ସମାନ ଅଂଶଗ୍ରହଣ କରିଥିଲେ । ଏହାଛଡ଼ା ହିନ୍ଦୁ ସଂସ୍କାରକଗଣ ଭାରତୀୟତାର ମହତ୍ତ୍ଵପାଇଁ କେବଳ ପ୍ରାଚୀନ ଯୁଗରେ ପ୍ରଶଂସା କରୁଥିଲେ । ଏପରିକି ବିବେକାନନ୍ଦଙ୍କ ପରି ଉଦାରଚେତା ପୁରୁଷ ଭାରତର ଆତ୍ମା ବା ଭାରତର ପ୍ରାଚୀନ ଗୌରବ ଅର୍ଥରେ ସେହି ସମାନ କଥା ବୟାନ କରିଥିଲେ । ଅନୁରୂପଭାବେ, ମୁସଲମାନ ସଂସ୍କାରକଗଣ ସେମାନଙ୍କ ପରମ୍ପରାର ଗୌରବ ଗାନ କରିବାକୁ ପଶ୍ଚିମ ଏସିଆର ଇତିହାସ ବୟାନ କଲେ । ଏହିପରିଭାବେ ସଂସ୍କାରକମାନଙ୍କ କାର୍ଯ୍ୟକଳାପ ଦୁଇଟି ସ୍ଵତନ୍ତ୍ର ଜାତୀୟତାର ଭାବ ସୃଷ୍ଟିକଲା । ତା’ଛଡ଼ା କେତେକ ଧାର୍ମିକ ଆନ୍ଦୋଳନ କେବଳ ସଂସ୍କାର ମଧ୍ୟରେ ସୀମିତ ରହିଲା ନାହିଁ । ସେମାନେ ଅନ୍ୟ ଧର୍ମ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରିଦେଲେ । ଏହାର ପରିଣତି ହେଲା ବିଂଶ ଶତାବ୍ଦୀରେ ସାମ୍ପ୍ରଦାୟିକତାବାଦର ବିକାଶ ।

 

ରାଜନୀତି କ୍ଷେତ୍ରରେ ସାମ୍ପ୍ରଦାୟିକତା ସମ୍ପୂର୍ଣ୍ଣ ଅଯୌକ୍ତିକ ହେଲେହେଁ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୟାର୍ତ୍ତ ମନରେ ଏହା ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏହି ପରିସ୍ଥିତିରେ ସଂଖ୍ୟାଗରିଷ୍ଠ ଧର୍ମ–ସମ୍ପ୍ରଦାୟର କର୍ତ୍ତବ୍ୟ ହେଲା ନିଜର ନୀତି ଓ ବ୍ୟବହାରଦ୍ଵାରା ସଂଖ୍ୟାଲଘୁ ସମ୍ପ୍ରଦାୟର ମନରେ ଆସ୍ଥା ସ୍ଥାପନ କରିବା । କେବଳ ଧନ ଏବଂ ସାମାଜିକ ଓ ସାଂସ୍କୃତିକ ସ୍ଵାତନ୍ତ୍ର୍ୟର ସୁରକ୍ଷା ନୁହେଁ ଧର୍ମନିରପେକ୍ଷଭାବେ ଅର୍ଥନୈତିକ ଓ ରାଜନୈତିକ ବ୍ୟାପାରରେ ସିଦ୍ଧାନ୍ତ ଗ୍ରହଣ କରିବା ବିଷୟରେ ସେମାନଙ୍କୁ ନିଃସନ୍ଦେହ କରିବା ଉଚିତ । ପ୍ରାରମ୍ଭିକ ପର୍ଯ୍ୟାୟର ଜାତୀୟତାବାଦୀମାନେ ଠିକ୍ ଏହି ନୀତି ଅବଲମ୍ବନ କରିଥିଲେ । ସେମାନେ ଲୋକମାନଙ୍କୁ ଐକ୍ୟବଦ୍ଧ କରି ଜାତୀୟ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ସମାନ ସ୍ଵାର୍ଥ ରକ୍ଷା ବିଚାରରେ ଗୋଟିଏ ଜାତିର ପରିଣତ କରିଥିଲେ । ଲୋକମାନଙ୍କର ଧାର୍ମିକ ଓ ସାମାଜିକ ଜୀବନ ଉପରେ କୌଣସିପ୍ରକାର ହସ୍ତକ୍ଷେପ ନ କରିବାକୁ ସେମାନେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏପରିକି ଖ୍ରୀ: ୧୮୮୯ରେ ଭାରତୀୟ ଜାତୀୟ କଂଗ୍ରେସ ସ୍ଥିର କରିଥିଲେ ଯେ ସଂଖ୍ୟାଧିକ ମୁସଲମାନ ସଦସ୍ୟମାନଙ୍କଦ୍ଵାରା ଯେଉଁ ପ୍ରସ୍ତାବ ଦୂଷଣୀୟ ବୋଲି ବିବେଚିତ ହେବ ତାହା ଅନୁମୋଦନ କରାଯାଇପାରିବ ନାହିଁ । ସଂକ୍ଷେପରେ କହିଲେ, ପ୍ରାଥମିକ ପର୍ଯ୍ୟାୟର ଜାତୀୟତାବାଦୀମାନେ ରାଜନୀତିକୁ ଧନ ଓ ସମ୍ପ୍ରଦାୟଠାରୁ ବିଚ୍ଛିନ୍ନ କରି ରଖିବାକୁ ଶିକ୍ଷା ଦେଇ ଲୋକମାନଙ୍କ ରାଜନୈତିକ ଦୃଷ୍ଟିକୋଣରେ ନୂତନତା ଆଣିବାକୁ ଚେଷ୍ଟା କରିଥିଲେ ।

 

ଦୁର୍ଭାଗ୍ୟବଶତଃ, ପରବର୍ତ୍ତୀକାଳୀନ କେତେକ ନେତା ଧର୍ମନିରପେକ୍ଷ ରାଜନୀତିର ଏହି ଦୂରଦୃଷ୍ଟିସମ୍ପନ୍ନ ସିଦ୍ଧାନ୍ତକୁ ଦୃଢ଼ଭାବେ ପାଳନ କରି ନଥିଲେ । ଉଗ୍ରପନ୍ଥୀମାନେ ଜାତୀୟ ଆନ୍ଦୋଳନକୁ ଯଥେଷ୍ଟ ଆଗେଇ ନେଇଥିଲେ ଏବଂ ଲୋକମାନଙ୍କ ମନରେ ଅପୂର୍ବ ଶକ୍ତି ସଞ୍ଚାର କରିପାରିଥିଲେ ସତ୍ୟ; କିନ୍ତୁ ସେମାନଙ୍କର କେତେକ କାର୍ଯ୍ୟକଳାପ ସାମ୍ପ୍ରଦାୟିକତା ଭାବର ପୁନରାବର୍ତ୍ତନ କରିଥିଲେ ଏବଂ ଏହା ଜାତୀୟ ଏକତା ପ୍ରତିଷ୍ଠା ଦିଗରେ ପ୍ରତ୍ୟବାୟ ସୃଷ୍ଟି କରିଥିଲା-। ସେମାନଙ୍କ ପ୍ରଚାର ଓ ଉଦ୍‍ବୋଧନ ଲୋକମାନଙ୍କୁ ଜାଗ୍ରତ କରିବାକୁ ସମର୍ଥ ହୋଇଥିଲେହେଁ ସେଥିରେ ଯଥେଷ୍ଟ ଧାର୍ମିକ ଗନ୍ଧ ଥିଲା । ସେମାନେ ମଧ୍ୟଯୁଗର ସଂସ୍କୃତିକୁ ବର୍ଜନ କରି ପ୍ରାଚୀନ ଭାରତୀୟ ଐତିହ୍ୟ ଉପରେ ଗୁରୁତ୍ଵ ଦେଇଥିଲେ । ଗୋଟିଏ ଜାତି ଭାବରେ ଭାରତୀୟମାନଙ୍କୁ କେବଳ ହିନ୍ଦୁରୂପେ ସେମାନେ ନିର୍ଣ୍ଣୟ କରିଥିଲେ ଏବଂ ଭାରତୀୟ ସଂସ୍କୃତିକୁ ହିନ୍ଦୁ ଧର୍ମ ବା ତାଙ୍କ ଭାଷାରେ ଆର୍ଯ୍ୟ–ସଂସ୍କୃତି ଭାବରେ ସୀମିତ କରିଥିଲେ । ଦୃଷ୍ଟାନ୍ତସ୍ୱରୂପ ତିଳକଙ୍କ ଶିବାଜୀ ଓ ଗଣପତି ଉତ୍ସବ ପାଳନର ପ୍ରବର୍ତ୍ତନ, ଭାରତକୁ ମାତାରୂପେ ଏବଂ ଜାତୀୟତାବୋଧକୁ ଧର୍ମରୂପେ ଗ୍ରହଣ କରିବା ଦିଗରେ ଅରବିନ୍ଦଙ୍କ ରହସ୍ୟ–ବାଦୀ ଦୃଷ୍ଟିଭଙ୍ଗୀ, ସନ୍ତ୍ରାସବାଦୀଙ୍କର କାଳୀଙ୍କ ସମକ୍ଷରେ ଶପଥ ଗ୍ରହଣ ଏବଂ ବଙ୍ଗ–ବିଭାଗ ବିରୋଧର ଶୁଭାରମ୍ଭ ପାଇଁ ଗଙ୍ଗାସ୍ନାନ ଇତ୍ୟାଦି ସବୁଶ୍ରେଣୀର ଲୋକଙ୍କ ହୃଦ୍‍ବୋଧ କରିବା ସମ୍ଭବ ନଥିଲା । ସେମାନଙ୍କର ଏକ ଧାର୍ମିକ ଅନ୍ଧ–ବିଶ୍ଵାସ ଥିଲା ଏବଂ ତାହା ଥିଲା ଉଚ୍ଚବର୍ଗୀୟ ହିନ୍ଦୁଙ୍କ ବିଶ୍ଵାସ । ଗୋଟିଏ ବିଶୁଦ୍ଧ ରାଜନୈତିକ ଆନ୍ଦୋଳନର ଚାରିପଟେ ଏପରି ଏକ ଧର୍ମୀୟ ଆବହାୱାର ସୃଷ୍ଟି ଦେଖି ଧର୍ମ–ନିରପେକ୍ଷ ସାଧାରଣ ଭାରତୀୟ ଜନତା ଏ ବିଷୟରେ ହୁଏତ ସାମାନ୍ୟ ଦୁଃଖିତ ହୋଇଥାଇପାରେ, ମାତ୍ର ମୁସଲମାନ ତଥା ଅନ୍ୟ ଧର୍ମ ସମ୍ପ୍ରଦାୟର ଲୋକମାନେ ନିଃସନ୍ଦେହଭାବେ ଏଥିରେ ତାଙ୍କ ଧର୍ମ ବିଶ୍ଵାସ ପ୍ରତି ଅବମାନନା ଅନୁଭବ କରିଥିଲେ । ଅନୁରୂପଭାବେ ପ୍ରାଚୀନ ପରମ୍ପରା ଓ ଧର୍ମ ବିଶ୍ଵାସର ଉଚ୍ଛ୍ଵସିତ ପ୍ରଶଂସା ଗାନ ସମାଜର ନିମ୍ନସ୍ତରୀୟ ଜନସାଧାରଣଙ୍କଦ୍ଵାରା ଆଦୌ ସମର୍ଥିତ ହୋଇ ନଥିଲା, କାରଣ ସେମାନେ ସେହି ପାରମ୍ପରିକ ଧର୍ମ ବିଶ୍ଵାସର ଜାତି–ଭେଦ ପ୍ରଥାର ଶିକାର ହୋଇ ବହୁ ନିର୍ଯାତନା ଭୋଗ କରିଛନ୍ତି । କେହି ଯଦି ଶିବାଜୀ ଓ ରାଣାପ୍ରତାପଙ୍କୁ ଜାତୀୟ ବୀରରୂପେ ପ୍ରତିଷ୍ଠା କରୁଥିଲା, ଅନ୍ୟ ପକ୍ଷରେ ତା’ର ଅର୍ଥ ହେଉଥିଲା ଯେ ମୋଗଲ ଶାସକଗଣ ଥିଲେ ଜାତୀୟତାବିରୋଧୀ ବିଦେଶୀ । କିନ୍ତୁ ବସ୍ତୁତଃ ଏମାନେ ମଧ୍ୟ ତାଙ୍କପରି ଭାରତୀୟ ଥିଲେ । ତା’ଛଡ଼ା, ସେମାନେ ସମସ୍ତେ ଥିଲେ ଶାସକ ଓ ରାଜା । ସେମାନଙ୍କ ମଧ୍ୟରେ ବିରୋଧର କାରଣ ଥିଲା ନିର୍ଦ୍ଦିଷ୍ଟ ଐତିହାସିକ ପୃଷ୍ଠଭୂମିରେ ରାଜନୈତିକ ଦ୍ଵନ୍ଦ୍ୱ । ପ୍ରତାପ ଓ ଶିବାଜୀଙ୍କୁ ଜାତୀୟବୀର ଏବଂ ଆକବର ଓ ଆଓରଙ୍ଗଜେବଙ୍କୁ ବିଦେଶୀ ବୋଲି ବିଚାରିବା ଅର୍ଥ ହେଲା ପ୍ରାଚୀନ ଇତିହାସକୁ ସାଂପ୍ରତିକ ସାମ୍ପ୍ରଦାୟିକ ଭାବରେ କଳଙ୍କିତ କରିବା । ଏପରି ଇତିହାସ ରଚନା କେବଳ ତ୍ରୁଟିପୂର୍ଣ୍ଣ ନୁହ, ଜାତୀୟ ଏକତା ପ୍ରତି ଏକ ଦାରୁଣ ଆଘାତ ।

 

ଅବଶ୍ୟ ଏକଥା କହିଲେ ଠିକ୍ ହେବନାହିଁ ଯେ ଉଗ୍ର–ଜାତୀୟତାବାଦୀଗଣ ମୁସଲମାନ–ବିରୋଧୀ ବା ସାମ୍ପ୍ରଦାୟିକତାବାଦୀ ଥିଲେ । ବାସ୍ତବରେ ସେମାନଙ୍କ ମଧ୍ୟରୁ ଅନେକେ, ବିଶେଷତଃ ତିଳକ ଥିଲେ ହିନ୍ଦୁ ମୁସଲମାନ ମୈତ୍ରୀର ପକ୍ଷପାତୀ । ଅନେକଙ୍କ ଚିନ୍ତାଧାରା ଥିଲା ଆଧୁନିକ ଓ ପ୍ରଗତିଶୀଳ । ଏପରିକି ସନ୍ତ୍ରାସବାଦୀଗଣ ମଧ୍ୟ ୟୁରୋପୀୟ ସନ୍ତ୍ରାସବାଦୀଙ୍କଦ୍ଵାରା ଉଦ୍‍ବୁଦ୍ଧ ହୋଇଥିଲେ, ଯେଉଁମାନେ କି ବିଶ୍ଵାସ କରୁଥିଲେ ଯେ ରକ୍ତାକ୍ତ ବିପ୍ଳବଦ୍ଵାରା ଅର୍ଥନୈତିକ ଦୁର୍ଦ୍ଦଶା ଓ ରାଜନୈତିକ ପରାଧୀନତାର ରସନ କରାଯାଇପାରେ । କିନ୍ତୁ ଏସବୁ ସତ୍ତ୍ୱେ ମଧ୍ୟ ଉଗ୍ରଜାତୀୟତାବାଦୀଙ୍କ ରାଜନୈତିକ ଚିନ୍ତାଧାରା ଓ କ୍ରିୟାକଳାପରେ କେତେକ ହିନ୍ଦୁସୁଲଭ ଭାବଧାରା ପ୍ରକାଶ ପାଇଥିଲା । ସେମାନେ ଧର୍ମନିରପେକ୍ଷ ଥିଲେହେଁ ତାଙ୍କର ବାହ୍ୟ ବ୍ୟବହାରରେ ବ୍ରିଟିଶସୁଲଭ ନିରପେକ୍ଷତା ପରିଦୃଷ୍ଟ ହୋଇ ନଥିଲା ଏବଂ ବ୍ରିଟିଶ ସମର୍ଥକଗଣ ଏହାର ସୁଯୋଗ ନେଇ ଅପପ୍ରଚାର କରିଥିଲେ । ଏହା ଫଳରେ ବହୁସଂଖ୍ୟକ ଶିକ୍ଷିତ ମୁସଲମାନ ସାମ୍ପ୍ରଦାୟିକତାବୋଧର ସହଜ ଶିକାର ହୋଇ ଜାତୀୟ ଆନ୍ଦୋଳନରେ ସହଯୋଗ କଲେନାହିଁ ଏବଂ ତା’ର ବିରୋଧ କଲେ । ତଥାପି କେତେକ ପ୍ରଗତିଶୀଳ ମୁସଲମାନ ବୁଦ୍ଧିଜୀବୀ ସ୍ଵଦେଶୀ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରେ ବିଶେଷ ଉଲ୍ଲେଖଯୋଗ୍ୟ ବ୍ୟକ୍ତିମାନେ ହେଲେ ବାରିଷ୍ଟର ଅବଦୁଲ ରସୁଲ, ହସରତ୍ ମୋହନୀ ଏବଂ ଜାତୀୟ କଂଗ୍ରେସର ଉଦୀୟମାନ ତରୁଣ ନେତା ମହମ୍ମଦ ଅଲ୍ଲି ଜିନ୍ନା ।

 

ଔପନିବେଶିକ ଶାସନ ତଳେ ନିଷ୍ପେଷିତ ଗୋଟିଏ ଦରିଦ୍ର ଏବଂ ଅନୁନ୍ନତ ଦେଶରେ ଶିକ୍ଷିତ ଯୁବକମାନଙ୍କ ପାଇଁ ଚାକିରିରେ ସୁଯୋଗ ଥିଲା ଅନେକ କମ୍ । ତେଣୁ ସାମାନ୍ୟ କେତୋଟି ପଦପାଇଁ ସେମାନଙ୍କ ମଧ୍ୟରେ କଠିନ ପ୍ରତିଯୋଗିତା ପରିଦୃଷ୍ଟ ହେଉଥିଲା । କେତେକ ଦୂରଦୃଷ୍ଟିସମ୍ପନ୍ନ ଭାରତୀୟ ଦେଶର ଅର୍ଥନୈତିକ ଓ ରାଜନୈତିକ ଉନ୍ନତିପାଇଁ ସଚେଷ୍ଟ ହୋଇଥିଲେ-। କିନ୍ତୁ ଦଳେ ଭାରତୀୟ ତଥା ବ୍ରିଟିଶ ଲୋକ ନିଜର ସ୍ଵାର୍ଥସିଦ୍ଧି ପାଇଁ ଏହି ସୁଯୋଗରେ ଦେଶରେ ସାମ୍ପ୍ରଦାୟିକତା, ଜାତିଆଣ ଓ ଆଞ୍ଚଳିକ ଭାବର ସୃଷ୍ଟି କରିଦେଲେ । ବିଭିନ୍ନ ଗୋଷ୍ଠୀ ନିଜ ନିଜପାଇଁ ସ୍ଥାନ ସଂରକ୍ଷଣ କରିବାକୁ ଦାବିକଲେ । ସଂକୀର୍ଣ୍ଣମନା ଓ ଅଦୂରଦର୍ଶୀ ହିନ୍ଦୁ ଓ ମୁସଲମାନଗଣ ସମାନଭାବେ ନିଜ ନିଜର ଜାତୀୟତାର ସ୍ଵାର୍ଥ ରକ୍ଷାପାଇଁ ଚିତ୍କାର କଲେ । ସେମାନଙ୍କ ନିକଟରେ ଜାତୀୟତା ବହୁ ଗୋଷ୍ଠୀରେ ବିଭକ୍ତ ହୋଇଥିଲା ଏବଂ ସେମାନେ ବୁଝିପାରି ନଥିଲେ ଯେ ସାମ୍ରାଜ୍ୟବାଦୀ ଓ ନ୍ୟସ୍ତସ୍ଵାର୍ଥ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ଅର୍ଥନୈତିକ ସ୍ଵାଚ୍ଛନ୍ଦ୍ୟ ଲାଭ କରିବାପାଇଁ ସମ୍ମିଳିତ ସଂଗ୍ରାମର ଆବଶ୍ୟକତା କେତେ ।

 

ଖ୍ରୀ: ୧୯୦୬ରେ ଯେତେବେଳେ ଆଗା ଖାଁ, ଢାକାରେ ନବାବ ସଲିମୁଲ୍ଲା ଏବଂ ନବାବ ମହସିନଉଲ–ମୁଲ୍‍କଙ୍କ ନେତୃତ୍ଵରେ ଭାରତୀୟ ମୁସଲିମ ଲିଗର ପ୍ରତିଷ୍ଠା ହେଲା, ସେତେବେଳେ ସାମ୍ପ୍ରଦାୟିକ ଚିନ୍ତାଧାରା ଏକ ନିଧାର୍ଯ୍ୟ ବାସ୍ତବରୂପ ଗ୍ରହଣ କଲା । ଗୋଟିଏ ଶିକ୍ଷିତ ମୁସଲମାନ ଗୋଷ୍ଠୀର ସ୍ଵାର୍ଥ–ପ୍ରବଣତା ଏବଂ ମୁସଲମାନ ଜମିଦାର ଓ ଉଚ୍ଚବର୍ଗର ପ୍ରତିକ୍ରିୟାଶୀଳ ସ୍ଵାର୍ଥ–ପରାୟଣତା ଏପରି ଏକ ପ୍ରତିକୂଳ ଯାତ୍ରାର କାରଣ ହୋଇଥିଲା । ଲିଗ୍ ବଙ୍ଗ–ବିଭାଗକୁ ସମର୍ଥନ କଲା ଏବଂ ନିଜର ନିରାପତ୍ତା ଓ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀପାଇଁ ଦାବି ଜଣାଇଲା । ବ୍ରିଟିଶମାନେ ଠିକ୍ ଏପରି ଏକ ସୁଯୋଗର ପ୍ରତୀକ୍ଷା କରୁଥିଲେ । ସେମାନେ ଏହାର ପୂର୍ଣ୍ଣ ସୁବିଧା ନେଲେ ଏବଂ ମୁସଲମାନଙ୍କ ସ୍ଵାର୍ଥ ରକ୍ଷାପାଇଁ ପ୍ରତିଶ୍ରୁତି ଦେଲେ । କଂଗ୍ରେସର ପ୍ରତ୍ୟେକ ଜାତୀୟ ଓ ଗଣତାନ୍ତ୍ରିକ ଦାବିର ବିରୋଧ କରିବାପାଇଁ ଲିଗ୍ ନିଷ୍ଠାପରଭାବେ ଲାଗିପଡ଼ିଲା । ବଙ୍ଗଳାରେ ଏହି ନୈଷ୍ଠିକ ଲିଗ୍ ନେତାମାନେ ଥିଲେ ପ୍ରଧାନତଃ ଅବଙ୍ଗାଳୀ ଜମିଦାର ଗୋଷ୍ଠୀ । ତେଣୁ ସେମାନଙ୍କର ବଙ୍ଗାଳୀ ମୁସଲମାନ ପ୍ରଜାଙ୍କ ପ୍ରତି କୌଣସି ସହାନୁଭୂତି ନଥିଲା ।

 

ଯାହା ହେଲେବି ଆଧୁନିକ ଶିକ୍ଷାପ୍ରାପ୍ତ ଅନେକ ମୁସଲମାନ ଯୁବକ ମୂଳରୁ ବୁଝିପାରିଥିଲେ ଯେ ମୁସଲମାନଙ୍କ ସ୍ଵାତନ୍ତ୍ର୍ୟ ଓ ସ୍ଵାର୍ଥ ବିଷୟରେ ଲିଗ୍‍ର ପ୍ରଚାର ଏକାନ୍ତ ଅମୂଳକ । ସେମାନେ ବିପ୍ଳବୀ ଜାତୀୟତାବାଦୀଙ୍କ ଚିନ୍ତାଧାରା ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ଲିଗ୍‍କୁ ମୁସଲମାନ ଗୋଷ୍ଠୀର ମୁଖପାତ୍ରରୂପେ ଅସ୍ଵୀକାର କରିଥିଲେ । ପ୍ରାୟ ସେହି ସମୟରେ ମୌଲାନା ମହମ୍ମଦ ଅଲ୍ଲି, ହାକିମ ଅଜମଲ ଖାଁ ଏବଂ ମଜହର–ଉଲ–ହକ ପ୍ରମୁଖ ନେତାମାନଙ୍କଦ୍ଵାରା ଅହରର୍ ଆନ୍ଦୋଳନ ପରି ଜାତୀୟ ଓ ବିପ୍ଳବାତ୍ମକ ଆନ୍ଦୋଳନ ସୃଷ୍ଟି ହୋଇଥିଲା । ସେତେବେଳେ ମଧ୍ୟ କେତେକ ପ୍ରାଚୀନ ପନ୍ଥୀ ମୁସଲମାନ ପଣ୍ଡିତ ଜାତୀୟତାବୋଧରେ ଉଦ୍‍ବୁଦ୍ଧ ହୋଇ ସାମ୍ପ୍ରଦାୟିକ ବିଚାରଧାରାରୁ ମୁକ୍ତ ହୋଇ ଜାତୀୟ ରାଜନୀତିରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ମୌଲାନା ଆବୁଲ କଲମ ଆଜାଦ ।

 

ଚଳିତ ଶତାବ୍ଦୀର ଦ୍ଵିତୀୟ ଦଶକର ଆରମ୍ଭରେ ତୁର୍କୀ ସହିତ ପ୍ରଥମେ ଇଟାଲୀର ଏବଂ ତା’ପରେ ବଲକାନ ଗୋଷ୍ଠୀର ଯୁଦ୍ଧ ହୋଇଥିଲା । ସେ ସମୟରେ ତୁର୍କୀ ଥିଲା ସବୁଠାରୁ ବଳିଷ୍ଠ ମୁସଲମାନ ଶକ୍ତି । ଅଧିକାଂଶ ମୁସଲମାନ ତୀର୍ଥସ୍ଥଳ ଏହାର ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ଖ୍ରୀ: ୧୮୫୭ ପର୍ଯ୍ୟନ୍ତ ଭାରତୀୟ ମୁସଲମାନମାନେ ମୋଗଲ ବାଦଶାଙ୍କୁ ଇମାମ୍ ଅର୍ଥାତ୍ ରାଜନୈତିକ ତଥା ଧାର୍ମିକ ନେତାରୂପେ ଗ୍ରହଣ କରିଆସିଥିଲେ । ବ୍ରିଟିଶ ତ ତାଙ୍କୁ ଗାଦିଚ୍ୟୁତ କଲେ, କିନ୍ତୁ ଅଟୋମାନ ସାମ୍ରାଜ୍ୟ ଉପରେ ଋଷିଆର ଆଧିପତ୍ୟ ବିସ୍ତାର ଲକ୍ଷ୍ୟ କରି ମୁସଲମାନଙ୍କ ବନ୍ଧୁରୂପେ ନିଜକୁ ପ୍ରତିଷ୍ଠିତ କରିବା ଛଳରେ ବ୍ରିଟିଶମାନେ ତୁର୍କୀର ନିରାପତ୍ତା ପ୍ରତି ଆଗ୍ରହଶୀଳ ହୋଇପଡ଼ିଲେ । ସେମାନେ ମୁସଲମାନଙ୍କ ବିଶ୍ଵମୈତ୍ରୀ ଆନ୍ଦୋଳନକୁ ଉତ୍ସାହିତ କଲେ ଏବଂ ତୁର୍କୀର ସୁଲତାନଙ୍କୁ ସମସ୍ତ ମୁସଲମାନଙ୍କ ଖଲିଫାଭାବେ ଗ୍ରହଣ କରିବାକୁ ପ୍ରବର୍ତ୍ତାଇଲେ । କିନ୍ତୁ ପ୍ରଥମ ବିଶ୍ଵଯୁଦ୍ଧବେଳେ ବ୍ରିଟିଶ କର୍ତ୍ତୃକ ତୁର୍କୀର ସୁଖଶାନ୍ତି ନଷ୍ଟ ହେବାର ଆଶଙ୍କା ହେବାରୁ ଭାରତୀୟମାନେ ତୀବ୍ର ପ୍ରତିବାଦ ଜଣାଇଲେ । ମୁସଲମାନଙ୍କ ମଧ୍ୟରେ ଘୋରତର ବ୍ରିଟିଶ ବିରୋଧୀ ଭାବଧାରା ଖେଳିଗଲା । ଏହା ଫଳରେ ବିପ୍ଳବୀ ମୁସଲମାନ ଯୁବସମ୍ପ୍ରଦାୟ ଜାତୀୟତା ଆନ୍ଦୋଳନରେ ପ୍ରମୁଖ ଅଂଶଗ୍ରହଣ କଲେ । ଖ୍ରୀ: ୧୯୧୨ରୁ ୧୯୨୪ ଯାଏଁ ମୁସଲିମ ଲିଗ୍‍ର ନେତୃବୃନ୍ଦ ଜାତୀୟତାବାଦୀ ମୁସଲମାନ ଯୁବକଙ୍କଦ୍ଵାରା ସମ୍ପୂର୍ଣ୍ଣ ପରାଭୂତ ହୋଇ ରହିଥିଲେ ।

 

ଏହି ପରିସ୍ଥିତିରେ ଗୋଟିଏ ବିପରୀତ ଫଳ ମଧ୍ୟ ହୋଇଥିଲା । ଖଲିଫାତ୍ ଆନ୍ଦୋଳନକୁ କେନ୍ଦ୍ର କରି ଶିକ୍ଷିତ ଉଗ୍ରଜାତୀୟତାବାଦୀ ମୁସଲମାନଙ୍କ ଚିନ୍ତାଧାରା ଧର୍ମନିରପେକ୍ଷ ହୋଇପାରିଲା ନାହିଁ । ସେମାନେ ଅର୍ଥନୈତିକ ଓ ରାଜନୈତିକ ଦୁର୍ଗତିପାଇଁ ବ୍ରିଟିଶ ସରକାର ବିରୁଦ୍ଧରେ ସଂଗ୍ରାମ କରିବା ଅପେକ୍ଷା ଅଟୋମନ ସାମ୍ରାଜ୍ୟରେ ତାଙ୍କର ପବିତ୍ର ତୀର୍ଥଧାମର ସୁରକ୍ଷାପାଇଁ ଆନ୍ଦୋଳନ କଲେ । ଏପରିକି ଭାରତୀୟ ଇତିହାସ ଓ ସଂସ୍କୃତିକୁ ଭୁଲିଯାଇ ପଶ୍ଚିମ ଏସିଆର ମହିମା ଗାନ କରିବାରେ ମୁଖର ହୋଇପଡ଼ିଲେ । ସେମାନଙ୍କ ରାଜନୈତିକ ଆଭିମୁଖ୍ୟ ଏହିପରିଭାବେ ଧର୍ମ ପ୍ରଭାବିତ ହୋଇଗଲେ । ଭବିଷ୍ୟତରେ ଏହି ନୀତି ଜାତୀୟ ଐକ୍ୟ ପ୍ରତି କ୍ଷତିକାରକ ହୋଇଥିଲା । କାରଣ ଏହା ଫଳରେ ସାଧାରଣ ମୁସଲମାନ ଲୋକଙ୍କ ମଧ୍ୟରେ ରାଜନୈତିକ ଓ ଅର୍ଥନୈତିକ ବିଷୟ ପ୍ରତି ଧର୍ମନିରପେକ୍ଷ ମନୋଭାବ ସୃଷ୍ଟି ହୋଇପାରି ନଥିଲା ।

 

ଭାରତୀୟ ଜାତୀୟ କଂଗ୍ରେସର ବିରୁଦ୍ଧାଚରଣ କରି କୌଣସି ହିନ୍ଦୁ ସାମ୍ପ୍ରଦାୟିକ ଦଳ ସଂଗଠିତ ନ ହୋଇଥିଲେବି ହିନ୍ଦୁମାନଙ୍କ ସାମ୍ପ୍ରଦାୟିକ ଭାବଧାରା ଯଥେଷ୍ଟ ପ୍ରସାର ଲାଭ କରିଥିଲା-। ଏଥିପାଇଁ ସ୍ଵତନ୍ତ୍ର ଦଳ ଗଠିତ ନହୋଇଥିଲେହେଁ ଜାତୀୟ ଆନ୍ଦୋଳନ ମାଧ୍ୟମରେ ଏହା ଯଥେଷ୍ଟ ପ୍ରସାର ଲାଭ କରିଥିଲା । କିନ୍ତୁ ମୁସଲମାନ ସାମ୍ପ୍ରଦାୟିକ ଚିନ୍ତାଧାରା ଜାତୀୟ ଆନ୍ଦୋଳନ ମଧ୍ୟରେ ଏହି ସୁଯୋଗ ପାଇ ନଥିଲା । କେତେକ ନେତା ହିନ୍ଦୁ ଜାତୀୟତା, ହିନ୍ଦୁଙ୍କ ସ୍ୱାର୍ଥରକ୍ଷା, ବିଧାନସଭାରେ ହିନ୍ଦୁଙ୍କପାଇଁ ସ୍ଥାନ ସଂରକ୍ଷଣ ଇତ୍ୟାଦି ବିଷୟରେ ଦାବି କରିଥିଲେ ଏବଂ ମୁସଲମାନଙ୍କୁ ବିଜାତୀୟ ଦୃଷ୍ଟିରେ ବିଚାର କରିଥିଲେ । ଫଳରେ ହିନ୍ଦୁ ମୁସଲମାନ ସାମ୍ପ୍ରଦାୟିକ ବିରୋଧ ସୃଷ୍ଟିହେଲା ଏବଂ ପରସ୍ପର ବିରୁଦ୍ଧରେ ଲାଗିରହିଲେ ।

 

ପ୍ରଥମ ବିଶ୍ଵଯୁଦ୍ଧକାଳୀନ ପରିସ୍ଥିତି

 

ଖ୍ରୀ: ୧୯୧୪ରେ ଗ୍ରେଟବ୍ରିଟେନ ଜର୍ମାନୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ସଙ୍ଗେ ସଙ୍ଗେ ଭାରତ ସେଥିରେ ସଂଯୁକ୍ତ ହୋଇଯାଇଥିଲା । ବ୍ରିଟିଶ ସାମ୍ରାଜ୍ୟର ସ୍ଵାର୍ଥ ରକ୍ଷାପାଇଁ ଏହି ଯୁଦ୍ଧ ସଙ୍ଗଠିତ ହୋଇଥିଲେହେଁ ଭାରତୀୟମାନଙ୍କ ବିନା ପରାମର୍ଶରେ ଭାରତର ଲୋକବଳ ଓ ସମ୍ପତ୍ତି ଯୁଦ୍ଧ ବ୍ୟାପାରରେ ବ୍ୟୟିତ ହୋଇଥିଲା । ବାଧ୍ୟତାମୂଳକଭାବେ ହେଲେହେଁ ଭାରତ ଏହି ଯୁଦ୍ଧପାଇଁ ବହୁତ କିଛି ଦାନ କରିଥିଲା । ଲକ୍ଷ ଲକ୍ଷ ଭାରତୀୟ ସୈନିକ ଫ୍ରାନ୍‍ସଠାରୁ ଚୀନ ପର୍ଯ୍ୟନ୍ତ ବିଭିନ୍ନ ରଣକ୍ଷେତ୍ରକୁ ପ୍ରେରିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅନ୍ତତଃ ଦଶ ଜଣରେ ଜଣେ ଏଥିପାଇଁ ମୃତ୍ୟୁମୁଖରେ ପଡ଼ିଥିଲେ । ଏହି ଯୁଦ୍ଧରେ ୧୨୭୦ ଲକ୍ଷ ପାଉଣ୍ଡ୍‍ରୁ ଅଧିକ ଖର୍ଚ୍ଚ ହୋଇଥିଲା । ଭାରତର ଋଣ ପରିମାଣ ଶତକଡ଼ା ୩୦ ଭାଗ ବୃଦ୍ଧି ପାଇଥିଲା ଏବଂ ଏହାର ବେଶୀଭାଗ ଲୋକମାନଙ୍କ ଉପରେ ଲଦିଦିଆଗଲା ।

 

ଜାତୀୟତାବାଦୀଙ୍କ ପ୍ରାଥମିକ ସମର୍ଥନ

 

ଆରମ୍ଭରେ ଭାରତୀୟ ନେତୃବର୍ଗ ବ୍ରିଟେନପ୍ରତି ସହାନୁଭୂତି ଓ ସମର୍ଥନ ଜ୍ଞାପନ କରିଥିଲେ । ତେବେ ବ୍ରିଟେନ ସପକ୍ଷରେ ସମସ୍ତଙ୍କର ଆନ୍ତରିକ ସଦିଚ୍ଛା ଥିଲା ବୋଲି କହିଲେ ଭୁଲ ହେବ । ଉଭୟ ଚରମ–ପନ୍ଥୀ ଓ ନରମ–ପନ୍ଥୀଗଣ ଜର୍ମାନ ବିଜୟ–ଯାତ୍ରା ଦେଖି ସନ୍ତୋଷ ଲାଭ କରୁଥିଲେ । କଂଗ୍ରେସ ପରିଷ୍କାରଭାବେ ସୂଚାଇ ଦେଇଥିଲେ ଯେ ଭାରତର ସମର୍ଥନର ମୂଲ୍ୟସ୍ୱରୂପ ସେମାନେ ଚାହାନ୍ତି ରାଜନୈତିକ ସଂସ୍କାର । ଶାସକବର୍ଗଙ୍କ ସହାୟତାରେ ସ୍ଵରାଜ ଲାଭ ଉଦ୍ଦେଶ୍ୟରେ ଯୁଦ୍ଧପାଇଁ ସୈନ୍ୟ ସଂଗ୍ରହ ବ୍ୟାପାରରେ ଗାନ୍ଧୀଜୀ ସକ୍ରିୟ ସହଯୋଗ କରିଥିଲେ । ଖ୍ରୀ: ୧୯୧୮ରେ ସେ କହିଥିଲେ ଯେ–“ଯଥାସମ୍ଭବ ଶୀଘ୍ର ‘ହୋମରୁଲ୍’ ପ୍ରବର୍ତ୍ତନ ବିଷୟରେ ନିଧାର୍ଯ୍ୟ ପ୍ରତିଶ୍ରୁତି ନ ପାଇଲେ ଭାରତୀୟମାନେ ସନ୍ତୁଷ୍ଟ ହୋଇ ପାରିବେ ନାହିଁ ।’’

 

କିନ୍ତୁ ଯୁଦ୍ଧକାଳୀନ ଫମ୍ପା ଘୋଷଣାରେ ଅନେକ ବିଭ୍ରାନ୍ତ ହୋଇଥିଲେ । ଲୟଡ଼ ଜର୍ଜ କହିଥିଲେ “ମିଳିତ ଶକ୍ତି ଯୁଦ୍ଧ କରିବାର ଏକମାତ୍ର ଉଦ୍ଦେଶ୍ୟ ସ୍ଵାଧୀନତା ଲାଭ ।’’ ପ୍ରେସିଡ଼େଣ୍ଟ୍‍ ଉଇଲସନଙ୍କ ୧୪ ଦଫା ଘୋଷଣାରେ ମଧ୍ୟ ଏହି ମହାନ୍ ଉଦ୍ଦେଶ୍ୟ ପ୍ରତିଫଳିତ ହୋଇଥିଲା । ତେଣୁ ଭାରତୀୟମାନେ ଏହି ଯୁଦ୍ଧର ଅସଲସ୍ୱରୂପ ଯେ ସାମ୍ରାଜ୍ୟବାଦୀଙ୍କ ବାଣିଜ୍ୟ ଓ ଉପନିବେଶ ପ୍ରସାରପାଇଁ ଯୁଦ୍ଧ, ଏହା ଧରିପାରି ନଥିଲେ । ଯାହାହେଉ, ଯେତେବେଳେ ଭାରତୀୟମାନଙ୍କ ସହଯୋଗ ଶାସନ–ସଂସ୍କାର କ୍ଷେତ୍ରରେ ସ୍ଵୀକୃତ ହେବାର କୌଣସି ସୂଚନା ମିଳିଲା ନାହିଁ, ସେତେବେଳେ ପ୍ରାଥମିକ ପର୍ଯ୍ୟାୟର ଉତ୍ସାହ କ୍ରମେ କମିଆସିଲା । ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ଭବିଷ୍ୟତ ବାଣୀ ଥିଲା, ସରକାରୀ ନୀତି ଘୋଷଣାରେ ବିଳମ୍ବ ଚରମପନ୍ଥୀଙ୍କ ଲୋକପ୍ରିୟତା କ୍ଷୁଣ୍ଣ କରିବ ।

 

ଏହି ସମୟରେ ଦୁଇଟି ଘଟଣା–ଫିରୋଜ ଶାହା ମେହେଟା ଓ ଗୋଖଲେଙ୍କ ମୃତ୍ୟୁ ଏବଂ ମାଣ୍ଡାଲୟରୁ ତିଳକଙ୍କ ପ୍ରତ୍ୟାବର୍ତ୍ତନ–ଉଭୟ ଚରମପନ୍ଥୀ ଓ ନରମପନ୍ଥୀଙ୍କୁ ଏକତ୍ର କରିଦେଇଥିଲା । ବମ୍ବେ କଂଗ୍ରେସ (୧୯୧୫) ଆନିବେସାନ୍ତଙ୍କ ନିର୍ଦ୍ଦେଶାନୁସାରେ ଚରମପନ୍ଥୀମାନଙ୍କୁ ସଭ୍ୟରୂପେ ଗ୍ରହଣ କରିବାକୁ ଆହ୍ଵାନ ଜଣାଇଥିଲେ । ଭାରତୀୟ ସଂସ୍କୃତି ପ୍ରତି ଗଭୀର ଶ୍ରଦ୍ଧା, ସାମାଜିକ ଓ ଶିକ୍ଷାଗତ ପରିକଳ୍ପନା ପ୍ରତି ନିଷ୍ଠା ଏବଂ ବ୍ରିଟିଶ କମନଉଏଲ୍‍ଥ ମଧ୍ୟରେ ଭାରତର ସ୍ୱାୟତ୍ତ ଶାସନ ପ୍ରତିଷ୍ଠା ଦିଗରେ ଐକାନ୍ତିକ ଚେଷ୍ଟା ସେତେବେଳେ ଆନିବେସାନ୍ତଙ୍କୁ ଜଣେ ଅଗ୍ରଗଣ୍ୟା ରାଜନୈତିକ ନେତ୍ରୀଭାବେ ପ୍ରତିଷ୍ଠା କରିଥିଲା । ଆଇରିସ ବିପ୍ଳବଦ୍ଵାରା ପ୍ରଭାବିତ ହୋଇ ସେ ୧୯୧୬ ସେପ୍‍ଟେମ୍ବର ମାସରେ ‘ହୋମରୁଲ୍ ଲିଗ୍’ ଆରମ୍ଭ କରିଥିଲେ । ଆଇରିସ ବିପ୍ଳବୀମାନଙ୍କ କୌଶଳ ଅବଲମ୍ବନପୂର୍ବକ ସେ ତାଙ୍କ ଥିଓସଫିକାଲ ସୋସାଇଟି ମାଧ୍ୟମରେ ମାତ୍ର ଅଳ୍ପ ସମୟ ମଧ୍ୟରେ ସାରା ଦେଶରେ ଲିଗ୍‍ର ଶାଖା ଖୋଲିଦେଲେ-। ତିଳକ ନିଜ ‘ହୋମରୁଲ୍ ଲିଗ୍’ ସହିତ ଏଥିରେ ଯୋଗଦେଲେ । ତାଙ୍କର ସରଳ ଭାଷଣ ଏବଂ କଟୁ ସମାଲୋଚନାମୂଳକ ନିବନ୍ଧଗୁଡ଼ିକ ଦେଶାତ୍ମବୋଧ, ନିର୍ଭୀକତା, ସ୍ଵାର୍ଥତ୍ୟାଗର ମହିମାର ପୁନରାବୃତ୍ତି କଲା । ତାଙ୍କର କାର୍ଯ୍ୟକଳାପ କେବଳ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ସୀମିତ ରହିଲା; ମାତ୍ର ଆନିବେସାନ୍ତ ତାଙ୍କର ବହୁ ସମର୍ଥକଙ୍କ ସହାୟତାରେ ସାରା ଦେଶରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଗରିବଙ୍କ ପାଇଁ ଯୁଦ୍ଧର ପରିଣତି ହେଲା କରବୃଦ୍ଧି, ଦରବୃଦ୍ଧି ଏବଂ ନାନା ଦୁଃଖ ଭୋଗ-। ତେଣୁ ସେମାନେ ହୋମରୁଲ୍ ଆନ୍ଦୋଳନକୁ ସମର୍ଥନ ଜଣାଇଲେ । ଆନିବେସାନ୍ତଙ୍କ ନେତୃତ୍ଵ ହେତୁ ଅନେକ ସ୍ତ୍ରୀଲୋକ ମଧ୍ୟ ସମର୍ଥନ କଲେ ।

 

ଦେଶରେ ତଥା ବିଦେଶରେ ବିପ୍ଳବର ସ୍ୱରୂପ

 

ଯୁଦ୍ଧକାଳୀନ ଅନୁପ୍ରେରଣାରେ କଂଗ୍ରେସ ଯେତେବେଳେ ଶକ୍ତି ସଂଗ୍ରହ କରୁଥିଲା, ଉଗ୍ରପନ୍ଥୀମାନେ ଜର୍ମାନ ସାହାଯ୍ୟରେ ଏହି ପରିସ୍ଥିତିର ସୁଯୋଗ ନେବାକୁ ସ୍ଥିର କଲେ । ସରକାରଙ୍କ ଦମନନୀତି ସେମାନଙ୍କୁ ଛିନ୍ନଭିନ୍ନ କରି ଦେଇଥିଲେହେଁ ଖ୍ରୀ: ୧୯୧୨ ବେଳକୁ ସେମାନେ ପୁଣି ପୁନର୍ଗଠିତ ହୋଇଯାଇଥିଲେ । ଦେଶରେ ଥିବା ବିପ୍ଳବୀମାନେ ସ୍ଵାଧୀନତା ସଂଗ୍ରାମକୁ ଏକ ନୂତନ ରୂପ ଦେଲେ । ସେମାନେ ଜଣେ ଜଣେ ପଳାତକ ଆସାମୀ ନଥିଲେ । ଅନେକଙ୍କୁ କେବଳ ବିଦେଶରେ ଆନ୍ଦୋଳନର ସଂଗଠନ କରିବାକୁ ୟୁରୋପ ଓ ଆମେରିକା, ମଧ୍ୟ-ପ୍ରାଚ୍ୟ ଓ ଦକ୍ଷିଣ-ପୂର୍ବ ଏସିଆକୁ ପଠାଯାଇଥିଲା । ସେମାନଙ୍କର କାର୍ଯ୍ୟ ଥିଲା ଭାରତ ପ୍ରତି ସମର୍ଥନ ଲାଭପାଇଁ ପ୍ରଚାର କରିବା ଏବଂ ଅସ୍ତ୍ର ଓ ଅର୍ଥ ସଂଗ୍ରହ କରିବା । ସେମାନେ ସେଠାରେ ଭାରତୀୟ ଛାତ୍ର, ବ୍ୟବସାୟୀ ଏବଂ ଶ୍ରମିକମାନଙ୍କୁ ଦଳଭୁକ୍ତ କରିଥିଲେ । ସର୍ବତ୍ର ପ୍ରଗତିବାଦୀ ଓ ସମାଜବାଦୀ ସଂସ୍ଥା ସେମାନଙ୍କୁ ସମର୍ଥନ ଜଣାଇଥିଲେ । ଏହି ସମୟରେ ଯୁଦ୍ଧ ଲାଗିଯିବାରୁ ସେମାନେ ଭାରତୀୟ ସୈନିକ, ଯୁଦ୍ଧବନ୍ଦୀ ଓ ବ୍ରିଟିଶବିରୋଧୀ ଶକ୍ତିମାନଙ୍କ ସହ ସଂଯୋଗ ସ୍ଥାପନ କରିଥିଲେ । ଜର୍ମାନ ସହାୟତାରେ ଭାରତୀୟ ବିପ୍ଳବୀ ସଂଗଠନମାନଙ୍କୁ ଅର୍ଥ, ଅସ୍ତ୍ରଶସ୍ତ୍ର ଏବଂ ତାଲିମପ୍ରାପ୍ତ ସୈନିକ ସାହାଯ୍ୟ ଦେବାକୁ ସେମାନେ ଯୋଜନା କରିଥିଲେ । କିନ୍ତୁ ଜର୍ମାନମାନଙ୍କ ହାତରେ କ୍ରୀଡ଼ାପୁତ୍ତଳିକାଭାବେ ସେମାନେ କାର୍ଯ୍ୟ କରି ନଥିଲେ ।

 

ସରକାରଙ୍କ ଗିରଫ୍‍ଦାରି ଓ ମୁକ୍ତିପାଇଁ ବ୍ୟର୍ଥ ପ୍ରଚେଷ୍ଟା ପରେ ଲଣ୍ଡନର ବିପ୍ଳବଗଣ ଇତସ୍ତତଃ ହୋଇଯାଇଥିଲେ । ବିରେନ୍ଦ୍ରନାଥ ଚଟ୍ଟୋପାଧ୍ୟାୟ ପ୍ୟାରିସ ହୋଇ ଜର୍ମାନୀକୁ ପଳାଇଥିଲେ । ଜର୍ମାନ ବିଦେଶ–କାର୍ଯ୍ୟାଳୟର ପୃଷ୍ଠପୋଷକତାରେ ତତ୍ରସ୍ଥ ଭାରତୀୟମାନଙ୍କର ଏକ ସମିତି ଗଠିତ ହୋଇଥିଲା, ଯାହାକି ପରେ ଭାରତୀୟ ସ୍ଵାଧୀନତା ସମିତିରୂପେ ନାମିତ ହୋଇଥିଲା । ବୀରେନ୍ଦ୍ରନାଥ ଏହାର ସମ୍ପାଦକ ହୋଇଥିଲେ । ଭାରତୀୟ ସୈନିକ ଏବଂ ଯୁଦ୍ଧବନ୍ଦୀଙ୍କ ମଧ୍ୟରେ ପ୍ରଚାର କାର୍ଯ୍ୟ ଚଳାଇବାକୁ ଏଠାରୁ ବାଗଦାଦ, ଇସ୍ତାନବୁଲ, ପର୍ସିଆ ଓ କାବୁଲ ଆଡ଼େ ସ୍ଵେଚ୍ଛାସେବକମାନଙ୍କୁ ପଠାଯାଇଥିଲା । କାବୁଲକୁ ଯାଇଥିଲେ ରାଜା ମହେନ୍ଦ୍ର ପ୍ରତାପ, ମୌଲାନା ବରଖତଉଲ୍ଲା ଓ ମୌଲାନା ଓବିଦୁଲ୍ଲା ସିନ୍ଧୀ । ଏମାନେ ସେଠାରେ ପ୍ରସ୍ତାବିତ ସ୍ଵାଧୀନ ଭାରତ ସରକାର ପ୍ରତିଷ୍ଠା କରିଥିଲେ ।

 

ଏଣେ ହରଦୟାଲ ଆମେରିକାରେ ପହଞ୍ଚିଥିଲେ । ପୂର୍ବରୁ ସେଠି ଆମେରିକାର ପଶ୍ଚିମ ଉପକୂଳରେ ଥିବା ଭାରତୀୟମାନଙ୍କ ମଧ୍ୟରେ ତାରକନାଥ ଦାସ ଓ ମୋହନ ସିଂହ ଭାକନା ବିପ୍ଳବର ବାଣୀ ପ୍ରଚାର କରିସାରିଥିଲେ । ଆମେରିକାର ପୁନର୍ବସତି ନିୟମ ପ୍ରତି ଏମାନେ ଖୁବ୍ ବିରକ୍ତ ଥିଲେ । ସେମାନେ ସେଠି ‘ଗଦର’ ନାମକ ଗୋଟିଏ ଦଳ ଗଠନ କଲେ । ଖ୍ରୀ: ୧୮୫୭ ବିଦ୍ରୋହ ଅନୁସ୍ମରଣରେ ୧୯୧୩ ନଭେମ୍ବର ପହିଲାରୁ ‘ଗଦର’ ନାମକ ଏକ ସାପ୍ତାହିକ ପତ୍ରିକା ପ୍ରକାଶ ପାଇଲା । ଏହି ଦଳର କାର୍ଯ୍ୟକ୍ରମ ଥିଲା ସୈନ୍ୟମାନଙ୍କ ମଧ୍ୟରେ ପ୍ରଚାର, ସରକାରୀ ଅଫିସରଙ୍କୁ ହତ୍ୟା, ବିପ୍ଳବାତ୍ମକ ଓ ସାମ୍ରାଜ୍ୟବାଦ ବିରୋଧୀ ଲେଖା ପ୍ରକାଶନ ଏବଂ ଅସ୍ତ୍ରଶସ୍ତ୍ର ସଂଗ୍ରହ । ସେମାନଙ୍କର କେନ୍ଦ୍ରୀୟ କାର୍ଯ୍ୟାଳୟ ଥିଲା ସାନଫ୍ରାନ୍‍ସିସ୍‍କୋରେ ଏବଂ ଆମେରିକା ଉପକୂଳ ଓ ଦୂର ପ୍ରାଚ୍ୟରେ ଶାଖାମାନ ପ୍ରତିଷ୍ଠା ହୋଇଥିଲା । ସେମାନଙ୍କର ଉଦ୍ଦେଶ୍ୟ ଥିଲା ଏକାବେଳେ ସମସ୍ତ ବ୍ରିଟିଶ ଉପନିବେଶଗୁଡ଼ିକରେ ବିଦ୍ରୋହ ସୃଷ୍ଟି । ‘ଗଦର’ରେ ଏହିପରି ବିଜ୍ଞାପନମାନ ପ୍ରକାଶ ପାଇଥିଲା–“ଭାରତରେ ଗଦର ଆନ୍ଦୋଳନର ପ୍ରଚାରପାଇଁ ସାହାସୀ କର୍ମୀ ଆବଶ୍ୟକ । ଦରମା–ମୃତ୍ୟୁ, ପୁରସ୍କାର–ସହିଦ ସମ୍ମାନ, ପେନ୍‍ସନ୍–ସ୍ଵାଧୀନତା, କର୍ମକ୍ଷେତ୍ର–ଭାରତ ।’’

 

କୋମଗତମାରୁ ଘଟଣା ଗଦରଦଳର କାର୍ଯ୍ୟକ୍ରମକୁ ସାହାଯ୍ୟ କରିଥିଲା । ଏହି ଘଟଣାର ମୂଳକଥା ହେଲା–କୋମଗତମାରୁ ଜାହାଜ କାନାଡ଼ାରେ ପୁନର୍ବସତି ପାଇଁ ଲୋକମାନଙ୍କୁ ନେଇଯିବା ପାଇଁ ନିଯୁକ୍ତ ହୋଇଥିଲା । ଜାହାଜ ଯେତେବେଳେ ସେଠି ପହଞ୍ଚିଲା, ଯାତ୍ରୀମାନଙ୍କୁ ଦୁଇମାସ କାଳ ଅନିଶ୍ଚିତଭାବେ ଅକଟବନ୍ଦୀ କରି ପୁଣି ଫେରିଯିବାକୁ ବାଧ୍ୟ କରାଗଲା । ଶେଷରେ ଜାହାଜ ଆସି କଲିକତା ବନ୍ଦରରେ ପହଞ୍ଚିଲା । ଯାତ୍ରୀମାନଙ୍କୁ ନେବାପାଇଁ ସରକାରଙ୍କ ପକ୍ଷରୁ ବଛାହୋଇଥିବା ରେଳଗାଡ଼ିରେ କେହି ଚଢ଼ିଲେ ନାହିଁ । ସେଠି ଦଙ୍ଗା ଲାଗିଗଲା ଏବଂ ୨୦ରୁ ୪୦ ଜଣ ନିହତ ହେଲେ ଏବଂ ଅନେକ ଆହତ ହେଲେ । ତୋସମାରୁ ଜାହାଜ ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହେଲା । ଏଥିରେ ଥିବା ପଞ୍ଜାବୀମାନେ ଉତ୍ତ୍ୟକ୍ତ ହୋଇ ଭାରତକୁ ଫେରିଆସିଥିଲେ ଏବଂ ଦଙ୍ଗାଗ୍ରସ୍ତ ବ୍ୟକ୍ତିମାନଙ୍କୁ ସାହାଯ୍ୟ ଦେଇ ବ୍ରିଟିଶ ସରକାର ବିରୁଦ୍ଧରେ ସଶସ୍ତ୍ର ବିପ୍ଳବ ଆରମ୍ଭ କରିଦେଲେ । ଜର୍ମାନ ସାହାଯ୍ୟ ଲାଭ ପାଇବାକୁ ଅକ୍ଷମ ହୋଇ ସେମାନେ ବଙ୍ଗଳାର ବିପ୍ଳବୀମାନଙ୍କ ସହ ଯୋଗାଯୋଗ ପ୍ରତିଷ୍ଠା କଲେ । ସେତେବେଳେ ବଙ୍ଗଳାର ସନ୍ତ୍ରାସବାଦୀ ଦଳର ନୂଆ ନେତା ହୋଇଥାଆନ୍ତି ଯତୀନ୍ଦ୍ର ନାଥ ମୁଖାର୍ଜୀ, ରାସବିହାରୀ ବୋଷ ଏବଂ ନରେନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ । ଏମାନଙ୍କ ବିଦ୍ରୋହର ମୁଖ୍ୟ କାର୍ଯ୍ୟ ହୋଇଥିଲା ସୈନ୍ୟମାନଙ୍କୁ ମନ୍ତ୍ରଣା ଦେବା, ଏକାସମୟରେ ପେଶବାରଠାରୁ ଚିଟାଗଞ୍ଜ ପର୍ଯ୍ୟନ୍ତ ପୋଲିସ୍ ଥାନା ଓ ଟ୍ରେଜେରୀ ଉପରେ ଆକ୍ରମଣ କରିବା ଏବଂ ଜର୍ମାନ ଅସ୍ତ୍ର ସାହାଯ୍ୟରେ ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିବା । ଦୁର୍ଭାଗ୍ୟତଃ, ୧୯୧୫ ଫେବୃଆରୀ ୧୫ ତାରିଖରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଶ୍ଵାସଘାତକତା ଯୋଗୁଁ ସବୁ ବ୍ୟର୍ଥ ହୋଇଯାଇଥିଲା । ମିରଟ କାଭାଲ୍‍ରି ଲାଇନ୍‍ସଠାରେ ବିଦ୍ରୋହର ଜଣେ ମୁଖ୍ୟ ସଞ୍ଚାଳକ ଭି. ଜି. ପିଙ୍ଗଲେ ବୋମା ହାତରେ ଧରାପଡ଼ିଲେ । ବିଦ୍ରୋହୀ ସୈନ୍ୟଦଳଗୁଡ଼ିକୁ ବରଖାସ୍ତ କରିଦିଆଗଲା । ଅନେକ ବିଦ୍ରୋହୀଙ୍କୁ ମୃତ୍ୟୁଦଣ୍ଡ ବା ଆଣ୍ଡାମାନକୁ ସ୍ଥାନାନ୍ତର ଦଣ୍ଡ ଦିଆଗଲା । ରାସବିହାରୀ ବୋଷ ଜାପାନକୁ ଖସି ପଳାଇଲେ ।

 

ଯତୀନ ମୁଖାର୍ଜୀ କାଁଭାଁ ହତ୍ୟା କରିବାଠାରୁ ଗୋଟେ ସୁପରିକଳ୍ପିତ ବିଦ୍ରୋହର ଯୋଜନା କରିଥିଲେ । ‘ରୋଡ଼ା ଏଣ୍ଡ କମ୍ପାନୀ’ ନାମରେ ପ୍ରେରିତ ଗୁଡ଼ାଏ ମୌସେର ପିସ୍ତଲ ତାଙ୍କର ହସ୍ତଗତ ହୋଇଥିଲା । କିନ୍ତୁ ବାଲେଶ୍ୱରଠାରେ ବୁଢ଼ାବଳଙ୍ଗ ନଦୀକୂଳରେ ଗୋଟିଏ ବିରାଟ ପୋଲିସ୍ ଦଳ ସହିତ ସଂଗ୍ରାମ କରି ଯତୀନ୍ଦ୍ର ନାଥ ଆହତ ହୋଇ ମୃତ୍ୟୁମୁଖରେ ପଡ଼ିଲେ । ତାଙ୍କର ସହଚର ଅନ୍ୟ ଚାରିଜଣ ମଧ୍ୟ ଧରାପଡ଼ିଲେ ।

 

ଯୁଦ୍ଧ ସମୟରେ ଭାରତୀୟ ବିପ୍ଳବୀମାନଙ୍କ ଆନ୍ଦୋଳନ ବ୍ୟର୍ଥ ହେବାର ପ୍ରଧାନ କାରଣ ହେଲା–ନେତାମାନଙ୍କ ମଧ୍ୟରେ ବିଧିବଦ୍ଧ ବୁଝାମଣା ରହି ନଥିଲା ଏବଂ ଭାରତୀୟ ବିପ୍ଳବୀ ବୃନ୍ଦ, ବର୍ଲିନ କମିଟି ଓ ଗଦରଦଳ ମଧ୍ୟରେ ଯଥାର୍ଥ ସଂଯୋଗ ପ୍ରତିଷ୍ଠା ହୋଇ ପାରି ନଥିଲା । ସରକାର ମୂଳରୁ ସନ୍ଦେହ କରି ଜାହାଜରେ ଅସ୍ତ୍ରଶସ୍ତ୍ର ଚାଲାଣ କରିବା ଦିଗରେ ଆମେରିକା ସରକାରଙ୍କୁ କଟକଣା ଜାରି କରିବାକୁ ପ୍ରବର୍ତ୍ତାଇ ଥିଲେ । ଜର୍ମାନ ଯୁଦ୍ଧରେ ଆମେରିକା ମିତ୍ରପକ୍ଷରେ ଯୋଗଦେଲା ପରେ ସେଠାରେ କୌଣସି ଆନ୍ଦୋଳନ କରିବା ଆଉ ସମ୍ଭବ ହୋଇ ନଥିଲା । ସାନଫ୍ରାନ୍‍ସିସ୍‍କୋଠାରେ ଗଦର ନେତାମାନଙ୍କ ବିରୁଦ୍ଧରେ ମକଦ୍ଦମା ଲାଗିଯିବାରୁ ଆମେରିକାରେ ବିପ୍ଳବୀମାନଙ୍କର ଭିତ୍ତି ସମ୍ପୂର୍ଣ୍ଣଭାବେ ଦୁର୍ବଳ ହୋଇଗଲା ।

 

ଲକ୍ଷ୍ନୌ ସନ୍ଧି

 

ପରିସ୍ଥିତିର ଚାପରେ ସରକାରଙ୍କ ଦୃଷ୍ଟିକୋଣର ପରିବର୍ତ୍ତନ ଆସିଲାବେଳକୁ କଂଗ୍ରେସ ଓ ମୁସଲିମ ଲିଗ୍‍ର ଲକ୍ଷ୍ନୌ–ସନ୍ଧି (୧୯୧୬) ଗୋଟିଏ ନୂଆ ରାସ୍ତା ଫିଟାଇଥିଲା । ଖ୍ରୀ: ୧୯୦୮ଠାରୁ ଲକ୍ଷ୍ନୌ କଂଗ୍ରେସ ସବୁଠାରୁ ସୁସଙ୍ଗଠିତ ଥିଲା । ହୋମରୁଲ୍ ଆନ୍ଦୋଳନ ଏଥିରେ ନୂତନ ଶକ୍ତି ସଂଚାର କରିଥିଲା । ଏମାନେ ମୁସଲମାନ ନେତା ମୌଲାନା ଆଜାଦ, ଆନସାରୀ ଓ ଅଜମଲ ଖାଁଙ୍କ ସହିତ ବୁଝାମଣା କରିଥିଲେ । ଜମିଦାରବର୍ଗଙ୍କ ନେତୃତ୍ୱରେ ଏଯାବତ୍ ଯେଉଁ ଲିଗ୍ ଆଲିଗଡ଼ିଆ ସଂକୀର୍ଣ୍ଣ ରାଜନୀତିରେ ସୀମିତ ହୋଇ ରହିଥିଲା, ତାହା ବର୍ତ୍ତମାନ ନୂତନ ବିପ୍ଳବ–ମନ୍ତ୍ରରେ ଜାଗ୍ରତ ହେଲା । ଆଜାଦଙ୍କ ‘ଆଲ–ହିଲାଇ’ ଓ ମହମ୍ମଦ ଅଲିଙ୍କ ‘କମ୍ରେଡ଼’ ବାଜ୍ୟାପ୍ତି ହେବା ଏବଂ ସେମାନେ ନଜରବନ୍ଦୀରେ ରହିବାଦ୍ଵାରା ମୁସଲମାନ ନେତୃବର୍ଗ କଂଗ୍ରେସର ସହଯୋଗିତା କଲେ । ଏହାର ଫଳ ହେଲା ଲକ୍ଷ୍ନୌ–ସନ୍ଧି ।

 

କଂଗ୍ରେସ ଓ ମୁସଲିମ ଲିଗ୍‍କୁ ମିଳାଇଦେବାରେ ତିଳକ ଏକ ପ୍ରଧାନ ଭୂମିକା ଗ୍ରହଣ କରିଥିଲେ । ସେ ଠିକ୍ ବୁଝିଥିଲେ ଯେ ହିନ୍ଦୁ ମୁସଲମାନ ଏକତାଦ୍ଵାରା କାର୍ଯ୍ୟ ଲାଭ ହୋଇପାରିବ । ମୁଷ୍ଟିମେୟ ଚରମପନ୍ଥୀଙ୍କ ଅପେକ୍ଷା ଐକ୍ୟବଦ୍ଧ ଜାତୀୟତାବାଦୀଗଣ ଅଧିକ କାର୍ଯ୍ୟ ହାସଲ କରିପାରିବେ । ଏହି ମିଳାମିଶା ପାଇଁ ସେ ଏତେ ଉତ୍ସାହୀ ଥିଲେ ଯେ ମୁସଲମାନଙ୍କ ସ୍ଵାର୍ଥରକ୍ଷା ପାଇଁ ସ୍ଵତନ୍ତ୍ର ବିଧାନମଣ୍ଡଳୀକୁ ସମର୍ଥନ କରିଥିଲେ । ପ୍ରତି ରାଜ୍ୟପାଇଁ ବିଧାନସଭାରେ ମୁସଲମାନ ସଭ୍ୟସଂଖ୍ୟା ନିର୍ଦ୍ଧାରଣ କରାଯାଇଥିଲା ଏବଂ କେନ୍ଦ୍ରରେ ଏକ–ତୃତୀୟାଂଶ ସ୍ଥାନ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ହୋଇଥିଲା । ସ୍ଥିର ହୋଇଥିଲା ଯେ ଯଦି କୌଣସି ଧର୍ମ–ସମ୍ପ୍ରଦାୟର ଚାରିଭାଗରୁ ତିନିଭାଗ ସଭ୍ୟ ବିରୋଧ କରନ୍ତି, ତେବେ କୌଣସି ଆଇନ ବିଧାନସଭାରେ ଗୃହୀତ ହେବ ନାହିଁ । ଅନ୍ୟ ପକ୍ଷରେ ଏମାନଙ୍କର ମିଳିତ ଦାବି ଥିଲା ଭାରତୀୟ ପରିଷଦର ବିଲୋପ, କେନ୍ଦ୍ର ଓ ରାଜ୍ୟ ବିଧାନସଭାର ୫ ଭାଗରୁ ୪ ଭାଗ ସଭ୍ୟଙ୍କ ନିର୍ବାଚନ, ରାଜ୍ୟସ୍ତରୀୟ ସମସ୍ତ ବ୍ୟାପାରରେ ଏବଂ କେନ୍ଦ୍ରରେ ପ୍ରତିରକ୍ଷା ଓ ବୈଦେଶିକ ନୀତି ବ୍ୟତୀତ ଅନ୍ୟାନ୍ୟ ବ୍ୟାପାରରେ ସମ୍ପୂର୍ଣ୍ଣଭାବେ ସରକାରୀ ନିୟନ୍ତ୍ରଣ ଦୂର କରିବାର ପ୍ରତିଶ୍ରୁତି । ହିନ୍ଦୁ ମୁସଲମାନ ଏକତା ପ୍ରତିଷ୍ଠା ଦିଗରେ ଲକ୍ଷ୍ନୌ–ସନ୍ଧି ଥିଲା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ; କିନ୍ତୁ ଗାନ୍ଧିଜୀଙ୍କ ମନ୍ତବ୍ୟ ଥିଲା–ଏହା ହେଲା ଶିକ୍ଷିତ ଓ ଧନୀ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଏକ ଆପୋସ ସ୍ଵାର୍ଥରକ୍ଷାମୂଳକ ରାଜିନାମା । ଏଥିରେ ସାଧାରଣ ଜନତାର କୌଣସି ସ୍ଥାନ ନାହିଁ । ଏହା କେବଳ ହିନ୍ଦୁ–ମୁସଲମାନ ସ୍ଵତନ୍ତ୍ରତାବୋଧର ପରିପୋଷକ । ଏହାର ଭିତ୍ତି ଗୋଟିଏ ଭ୍ରାନ୍ତ ସାମ୍ପ୍ରଦାୟିକ ଭେଦଭାବ ଉପରେ ପ୍ରତିଷ୍ଠିତ । ଏହାଦ୍ୱାରା ଧର୍ମନିରପେକ୍ଷ ଭାବଧାରା ପରିପୁଷ୍ଟ ହେବ ନାହିଁ ଏବଂ ଏଥିରୁହିଁ ଭବିଷ୍ୟତରେ ସାମ୍ପ୍ରଦାୟିକ ବିରୋଧ ଜନ୍ମ ନେବ । ଭାରତୀୟ ଏକତାର ଭିତ୍ତି ପ୍ରତିଷ୍ଠା ଦିଗରେ ଏହିପରି ରାଜିନାମା ହୋଇ ଚାଲିଲେ ଏକସମୟରେ ଏହି ଯୋଡ଼ାଯୋଡ଼ି ସଂହତି ଭୁଷୁଡ଼ିପଡ଼ିବ ।

 

ଯା’ ହେଉ, ସରକାର ଅନୁଭବ କରିଥିଲେ ଯେ ଏହି ଦୁଇଟି ପ୍ରଧାନ ରାଜନୈତିକ ଗୋଷ୍ଠୀର ମିଳିତ ଦାବି ଅଗ୍ରାହ୍ୟ କରିବା କଠିନ । ଏହା ସହିତ ପୁଣି ବହୁ ତରୁଣ ନେତାଙ୍କ ସମର୍ଥନରେ ହୋମରୁଲ୍ ଆନ୍ଦୋଳନ ମାଡ଼ିଆସୁଥିଲା । ତା’ଛଡ଼ା ଦେଶରେ ତଥା ବିଦେଶରେ ସନ୍ତ୍ରାସବାଦୀଙ୍କ କାର୍ଯ୍ୟକଳାପ ଲାଗିରହିଥିଲା । ବର୍ତ୍ତମାନ ସରକାର ପୁଣି ଥରେ ତାଙ୍କର ଦମନ ଓ ସଂସ୍କାରରୂପକ ଦ୍ୱୈତ–ନୀତି ଅବଲମ୍ବନ କଲେ । ଏକପକ୍ଷରେ ବଡ଼ଲାଟ ଚେମସ୍‍ଫୋର୍ଡ଼ ଶାସନ ସଂସ୍କାରପାଇଁ ସେକ୍ରେଟେରୀ ଅଫ୍ ଷ୍ଟେଟ୍‍ସଙ୍କ ଉପରେ ଚାପ ଦେଲେ; ଅନ୍ୟ ପକ୍ଷରେ ଏହି ବିପ୍ଳବର ବନ୍ୟାକୁ ପ୍ରତିହତ କରିବାକୁ ଘରୋଇ ସଭ୍ୟମାନେ ମନ୍ତ୍ରଣା ଦେଲେ । ହୋମରୁଲ୍ ଲିଗ୍‍କୁ ଦମନ କରାଗଲା । ଆନିବେସାନ୍ତ ବନ୍ଦୀ ହେଲେ । କଂଗ୍ରେସ ବଡ଼ଲାଟଙ୍କ ନିକଟରେ ପ୍ରତିବାଦ ଜଣାଇଲେ ଏବଂ କଲିକତା କଂଗ୍ରେସ (୧୯୧୭)ର ସଭାପତିରୂପେ ଆନିବେସାନ୍ତଙ୍କୁ ନିର୍ବାଚିତ କଲେ; ଯଦିଓ ମାନ୍ଦ୍ରାଜ କଂଗ୍ରେସରେ ଆସିଥିବା ଶାନ୍ତିପୂର୍ଣ୍ଣ ବିରୋଧ ପ୍ରସ୍ତାବ ସେତେବେଳେ ଚାପି ଦିଆଯାଇଥିଲା । ହୋମରୁଲ୍ ପ୍ରତି ସମର୍ଥନଦ୍ଵାରା ତାହା ଗୃହୀତ ହେଲାପରି ଜଣାପଡ଼ିଲା । ବର୍ତ୍ତମାନ ସେମାନଙ୍କର ଦାବି ହେଲା ଯଥାଶୀଘ୍ର ସ୍ୱାୟତ୍ତ–ଶାସନ ପ୍ରବର୍ତ୍ତନ ଏବଂ କଂଗ୍ରେସ ଓ ଲିଗ୍‍ର ମିଳିତ ଶାସନ–ସଂସ୍କାର ଯୋଜନାର ରୂପାୟନ ।

 

ସରକାରୀ ପ୍ରତିକ୍ରିୟା : ଦମନ ଏବଂ ସଂସ୍କାରପାଇଁ ପ୍ରତିଶ୍ରୁତି

 

ଖ୍ରୀ: ୧୯୧୭ ଅଗଷ୍ଟ ୨୦ ତାରିଖରେ ପାର୍ଲିଆମେଣ୍ଟ୍‍ରେ ସେକ୍ରେଟେରୀ ଅଫ୍ ଷ୍ଟେଟ୍ ମଣ୍ଟେଗୁ ସରକାରୀ ପ୍ରତିକ୍ରିୟା ଘୋଷଣା କଲେ । ସେ ଯେଉଁସବୁ ଉପାୟ ନିର୍ଦ୍ଦେଶ ଦେଲେ ତାହା କାର୍ଯ୍ୟକାରୀ କରିବାକୁ ଆଉ ବେଳ ନଥିଲା କିମ୍ବା ତା’ର ମୂଲ୍ୟ ନଥିଲା । ଅବଶ୍ୟ ପ୍ରଥମ ଥରପାଇଁ ମଣ୍ଟେଗୁ ଭାରତୀୟ ଶାସନ–ସଂସ୍କାରର ପ୍ରଧାନ ଲକ୍ଷ୍ୟ ଯେ ଦାୟିତ୍ଵଶୀଳ ସରକାର ପ୍ରତିଷ୍ଠା, ଏହା ପ୍ରତିପାଦନ କରିଥିଲେ । କିନ୍ତୁ ଏଥିପାଇଁ ଧୀରେ ଧୀରେ ଭାରତୀୟମାନଙ୍କୁ ଶାସନ କ୍ଷେତ୍ରରେ ତଥା ସ୍ୱାୟତ୍ତ–ଶାସନ ସଂସ୍ଥାମାନଙ୍କରେ ଜଡ଼ିତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ଏହାର ଅର୍ଥ ହେଲା, ବ୍ରିଟିଶମାନେ ଅବସ୍ଥା ବୁଝି ପର୍ଯ୍ୟାୟକ୍ରମେ ସଂସ୍କାର ପ୍ରବର୍ତ୍ତନ କରିବେ । ଭାରତୀୟମାନଙ୍କ ସହଯୋଗର ପରିମାଣ ଓ ସେମାନଙ୍କ ଦାୟିତ୍ଵଶୀଳତା ଉପଲବ୍ଧପୂର୍ବକ ଏହା ସ୍ଥିର ହେବ । ବସ୍ତୁତଃ ପ୍ରକୃତ ଶକ୍ତି ରହିବ ବ୍ରିଟିଶମାନଙ୍କ ହାତରେ । ଏ ପ୍ରକାର ସଂସ୍କାର ନୀତି କେବଳ ଉଦାରପନ୍ଥୀଙ୍କ ମନବୋଧ ପାଇଁ ଓ ସେମାନଙ୍କୁ ଉଗ୍ର ଜାତୀୟତାବାଦୀଙ୍କଠାରୁ ବିଚ୍ଛିନ୍ନ କରିବାପାଇଁ ଉଦ୍ଦିଷ୍ଟ ହୋଇଥିଲା ।

 

ଶାସନ ସଂସ୍କାରପାଇଁ ଏପରି ସବୁ ପ୍ରତିଶ୍ରୁତି ଦେବା ସଙ୍ଗେ ସଙ୍ଗେ ସାମ୍ରାଜ୍ୟ ବିରୋଧୀ ବିପ୍ଳବୀମାନଙ୍କୁ ଦମନ କରିବାପାଇଁ ସରକାର ପ୍ରସ୍ତୁତ ହୋଇଗଲେ । କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଆଇନଦ୍ଵାରା ସରକାରୀବିରୋଧୀ ଚକ୍ରାନ୍ତକାରୀଙ୍କୁ ସ୍ଵତନ୍ତ୍ର ନ୍ୟାୟାଳୟରେ ବିଚାର କରିବାପାଇଁ ସ୍ଥିର କରାଗଲା । କେବଳ ସନ୍ଦେହ ବଳରେ ଲୋକମାନଙ୍କୁ ଅନିର୍ଦ୍ଦିଷ୍ଟ କାଳପାଇଁ ଅଟକ କରାଗଲା ଏବଂ ବନ୍ଦୀମାନଙ୍କ ପ୍ରତି ଖୁବ୍ ଦୁର୍ବ୍ୟବହାର କରାଗଲା । ଜାତୀୟତାବାଦୀଙ୍କୁ ଶାନ୍ତ କରିବାପାଇଁ ଏକପକ୍ଷରେ ଚାଲିଲା ସଂସ୍କାର ପ୍ରତିଶ୍ରୁତି ଏବଂ ଅନ୍ୟ ପକ୍ଷରେ ଦମନନୀତି ବଳରେ ରାଜା–ପ୍ରଜା ସମ୍ପର୍କ ପ୍ରତିଷ୍ଠିତ ହେଲା । ବ୍ରିଟିଶ ନୀତି ହେଲା, ଯେକୌଣସି ପ୍ରକାରେ ସାମ୍ରାଜ୍ୟର ସୁରକ୍ଷା ।

Image

 

Unknown

ସ୍ଵରାଜ–ସଂଗ୍ରାମ

ଝଡ଼ର ଆଗମନ : ପ୍ରଥମ ବିଶ୍ଵଯୁଦ୍ଧର ପ୍ରଭାବ

 

ଯୁଦ୍ଧକାଳୀନ ପରିବେଶରେ ଭାରତୀୟ ଜାତୀୟତାବୋଧ ପରିପୁଷ୍ଟ ହୋଇଥିଲା । ସାମୟିକ ବିଶ୍ରାନ୍ତି ମଧ୍ୟରେ ଆନ୍ଦୋଳନ ପାଇଁ ଶକ୍ତି ସଂଗୃହୀତ ହୋଇଥିଲା । ଯୁଦ୍ଧପାଇଁ ଭାରତର ଅବଦାନ ବ୍ରିଟିଶ ସରକାରଙ୍କଦ୍ଵାରା ସ୍ଵୀକୃତ ହୋଇଥିବାରୁ ଆଶା କରାଯାଇଥିଲା, ଯେ ପୂର୍ଣ୍ଣ–ସ୍ୱାୟତ୍ତଶାସନ ନହେଲେହେଁ ଅନ୍ତତଃ ବ୍ୟାପକ ଶାସନ–ସଂସ୍କାର ମାଧ୍ୟମରେ ସରକାର ଏହାର ପ୍ରତିଦାନ ଦେବେ । ଜାତୀୟତାବାଦୀଙ୍କ ମନରେ ଆଶା ଓ ଆକାଂକ୍ଷା ଲହଡ଼ି ଭାଙ୍ଗୁଥିଲା; କିନ୍ତୁ ହତାଶ ହେଲେ ରଣଂ ଦେହି ଡାକ ଦେବାକୁ ସେମାନେ ପ୍ରସ୍ତୁତ ରହିଥିଲେ । ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ପ୍ରଚ୍ଛନ୍ନ ଆଶାବାଦିତା ପ୍ରକାଶ ପାଇଥିଲା । ଯୁଦ୍ଧ ସମୟରେ ବିଦେଶରୁ ଆମଦାନୀ ପ୍ରାୟ ବନ୍ଦ ହୋଇଯାଇଥିଲା । କିନ୍ତୁ ଯୁଦ୍ଧକାଳୀନ ବ୍ରିଟେନର ଯାବତୀୟ ଚାହିଦା ପରିବର୍ଦ୍ଧିତ ହୋଇଥିଲା । ଉତ୍ପାଦନ ବୃଦ୍ଧିକରି ତାହା କେତେକ ପରିମାଣରେ ଭାରତଦ୍ଵାରା ପୂରଣ କରାଯାଇଥିଲା । ଫଳରେ ଭାରତୀୟ ଶିଳ୍ପ ଓ ବାଣିଜ୍ୟ କେତେକାଂଶରେ ବିକଶିତ ହୋଇଥିଲା । ଏହି ସୂତ୍ରରେ ଭାରତ ଶିକ୍ଷା କରିଥିଲା ଯେ ଉପଯୁକ୍ତ ଅନୁପ୍ରେରଣା ଓ ସୁଯୋଗ ସୁବିଧା ପାଇଲେ ଏହି ଦେଶ କିପରି ପ୍ରଗତିଶୀଳ ହୋଇପାରନ୍ତା । ଏଥିରୁ ମଧ୍ୟ ଭାରତୀୟ ଶିଳ୍ପପତିମାନେ ଲାଭ ଓ ସଫଳତାର ସ୍ଵାଦ ପାଇଥିଲେ । ଖ୍ରୀ: ୧୯୧୬ରେ ଗୋଟିଏ ଶିଳ୍ପ କମିଶନ ବସି ସୁପାରିସ୍ କରିଥିଲେ ଯେ ଶିଳ୍ପବିକାଶ ଦିଗରେ ସକ୍ରିୟ ଅଂଶଗ୍ରହଣ ଏବଂ ଏହାର ସୁପରିଚାଳନା ପାଇଁ ଉପଯୁକ୍ତ ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ ସରକାରଙ୍କ କର୍ତ୍ତବ୍ୟ । ଭାରତୀୟ ପୁଞ୍ଜିପତିମାନେ ସରକାରୀ ବାଣିଜ୍ୟ–ନୀତିର ପରିବର୍ତ୍ତନ ପାଇଁ ଆଶାନ୍ଵିତ ହୋଇ ଚାହିଁରହିଲେ ।

 

କିନ୍ତୁ ଏହି ଆଶା–ଆକାଂକ୍ଷା ସହିତ ସମାନ୍ତରଭାବେ ଭୟ ଓ ସନ୍ଦେହ ମଧ୍ୟ ମନରେ ବସା ବାନ୍ଧୁଥିଲା । କଳକାରଖାନାର ଜିନିଷପାତିର ମୂଲ୍ୟ ସିଧାସଳଖ ବଢ଼ିଚାଲିଥିଲେହେଁ କୃଷିଜାତ ଦ୍ରବ୍ୟର ମୂଲ୍ୟରେ ପରିବର୍ତ୍ତନ ହୋଇ ନଥିଲା । ଲୁହା ଓ କପଡ଼ାଲତା କାରବାରରେ ପ୍ରଚୁର ଲାଭ ହୋଇଥିଲା ଏବଂ ଭାରତୀୟମାନଙ୍କ ଚାକିରି ସୁଯୋଗ ବଢ଼ିଯାଇଥିଲା । କିନ୍ତୁ ଏହି ସୁଯୋଗ ସାଧାରଣ ଜନତା ଲାଭ କରିପାରି ନଥିଲେ । ଇଣ୍ଡିଆନ୍ ମୁରିସସ୍ ବୋର୍ଡ଼ ଭାରତରେ କଞ୍ଚାମାଲ ସଂଗ୍ରହପାଇଁ ସଚେଷ୍ଟ ହେଲେ । ଭାରତୀୟ ପୁଞ୍ଜିପତିମାନେ କଳ–କାରଖାନା ଅଭାବରୁ ଏହି ପରିସ୍ଥିତିର କୌଣସି ସୁଯୋଗ ନେଇ ପାରିଲେ ନାହିଁ । ଯୁଦ୍ଧକାଳୀନ ନିୟନ୍ତ୍ରଣ ଓ ଜାହାଜାତି ଅଭାବରୁ ରପ୍ତାନି ମାନ୍ଦା ପଡ଼ିଥିଲା । ଯୁଦ୍ଧ ଶେଷ ଆଡ଼କୁ ଉତ୍ପାଦନ ଧିମେଇଗଲା । ତାଲାବନ୍ଦ ଓ ବେକାରି ବଢ଼ିଚାଲିଲା । ଏତେବେଳକୁ ଦରଦାମ୍ ହୁ–ହୁ ବଢ଼ିଯାଇଥିଲା । ଖ୍ରୀ: ୧୯୧୪–୨୦ ମଧ୍ୟରେ କଲିକତାରେ ପାଇକାରୀ ଦରର ହାର ଶତକଡ଼ା ଶହେ ବୃଦ୍ଧି ପାଇଥିଲା ଏବଂ ଖାଦ୍ୟ–ଶସ୍ୟର ଦାମ ଶତକଡ଼ା ୯୩ ଭାଗ ବର୍ଦ୍ଧିତ ହୋଇଥିଲା । ଅନ୍ୟାନ୍ୟ ସ୍ଥାନର ଅବସ୍ଥା ଏହାଠାରୁ ଭଲ ନଥିଲା । ସାଧାରଣ ଲୋକ ଏହି ପରିସ୍ଥିତିରେ ଭୀଷଣ ଦୁର୍ଦ୍ଦଶାଗ୍ରସ୍ତ ହୋଇପଡ଼ିଲେ । କରଭାରରେ କୃଷକ ସମାଜ ଆର୍ତ୍ତନାଦ କଲା । ସମସ୍ତଙ୍କ ଆଗରେ ଭବିଷ୍ୟତ ଥିଲା ଅନ୍ଧକାରମୟ । ଶିଳ୍ପପତିମାନେ ସରକାରଙ୍କଠାରୁ ନିରାପତ୍ତା ଓ ସାହାଯ୍ୟ ପ୍ରାର୍ଥନା କଲେ । ଭାରତୀୟ ଅର୍ଥନୀତିର ଦାବି ସମ୍ମୁଖରେ ବିଶ୍ଵଯୁଦ୍ଧ–ବିଜୟୀ ବ୍ରିଟେନ ହାର ମାନିବା କ’ଣ ସମ୍ଭବ ?

 

ଯୁଦ୍ଧର ଅବସାନ ସଙ୍ଗେ ଅର୍ଥନୈତିକ ପରିସ୍ଥିତି ଆହୁରି ଖରାପ ହୋଇଗଲା । ପ୍ରଥମେ ଏ ଦରଦାମ୍ ବଢ଼ିଲା । ପୁଣି ବିଦେଶୀ ମାଲ ଆମଦାନୀ ଚାଲିଲା ଏବଂ ପ୍ରଚୁର ପରିମାଣରେ ବିଦେଶୀ ମୂଳଧନ ବିଛାଡ଼ି ହୋଇଗଲା । ଅର୍ଥନୈତିକ କ୍ରିୟାକଳାପ ଦ୍ରୁତଭାବେ ବନ୍ଦ ହୋଇ ଆସିଲା । ଭାରତୀୟ ଶିଳ୍ପସମୂହ କ୍ଷତିଗ୍ରସ୍ତ ହୋଇ ବନ୍ଦ ହେବାରେ ଲାଗିଲା ।

 

ରାଜନୈତିକ କ୍ଷେତ୍ରରେ ମଧ୍ୟ ହତାଶା ଦେଖାଦେଲା । ଯୁଦ୍ଧ ସମୟରେ ଏସିଆ ଓ ଆଫ୍ରିକାର ସବୁ ଦେଶରେ ଜାତୀୟତାବୋଧ ଉଦ୍‍ବୋଧିତ ହୋଇଥିଲା । ଯୁଦ୍ଧ ସପକ୍ଷରେ ଜନମତ ଗଠନ ଉଦ୍ଦେଶ୍ୟରେ ସେତେବେଳେ ବ୍ରିଟେନ, ଆମେରିକା, ଫ୍ରାନ୍‍ସ, ଇଟାଲୀ, ଜାପାନ ଆଦି ସବୁ ଶକ୍ତି ଗଣତନ୍ତ୍ରର ସୁରକ୍ଷା ଦିଗରେ ଯୁଦ୍ଧର ଭୂମିକା ଏବଂ ପ୍ରତ୍ୟେକ ଦେଶର ନାଗରିକମାନଙ୍କ ସ୍ୱାୟତ୍ତ ଶାସନ–ଅଧିକାର ସମ୍ପର୍କରେ ଅନେକ ମହାନ୍ କଥା ପ୍ରଚାର କରିଥିଲେ । କିନ୍ତୁ ଯୁଦ୍ଧ ପରେ ଉପନିବେଶବାଦର ବିଲୋପ ଦିଗରେ ସେମାନେ ତିଳେମାତ୍ର ଆଗ୍ରହ ପ୍ରକାଶ କଲେନାହିଁ ।

 

ଖ୍ରୀ: ୧୯୧୯ର ସନ୍ଧିପତ୍ରରେ ମିତ୍ରଶକ୍ତିର ଯୁଦ୍ଧ ଆଭିମୁଖ୍ୟ ଏବଂ ପ୍ରେସିଡ଼େଣ୍ଟ୍‍ ଉଇଲସନ୍‍ଙ୍କ ଚତୁର୍ଦ୍ଦଶ ସର୍ତ୍ତ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଭାରତର ବିପ୍ଳବୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଜର୍ମାନ ପ୍ରତି ସାଧାରଣ ସହାନୁଭୂତି ରହିବା କଥା । କିନ୍ତୁ ଭର୍ସାଇଲିସ୍ ସନ୍ଧିପତ୍ରରେ ବରଂ ପ୍ରତିଶୋଧର ସୂଚନା ମିଳିଲା । ବିଜୟୀମାନଙ୍କ ମଧ୍ୟରେ ପରାଜିତ ଦେଶର ଉପନିବେଶ ବଣ୍ଟନ, କେନ୍ଦ୍ର–ୟୁରୋପର ଲୋକମାନଙ୍କୁ ଆତ୍ମ–ନିୟନ୍ତ୍ରଣ କ୍ଷମତା ଦେବାକୁ ଅସମ୍ମତି ପ୍ରଦାନ, ଜର୍ମାନ ଉପରେ କ୍ଷୟକ୍ଷତିର ପୁନଃନିର୍ମାଣ ଦାୟିତ୍ଵ ପ୍ରଦାନ ଏବଂ ତୁର୍କୀ ସାମ୍ରାଜ୍ୟ ପ୍ରତି ବ୍ୟବହାର ଭାରତୀୟମାନଙ୍କୁ ଶଙ୍କିତ କରିଥିଲା । ଲଏଡ଼ ଜର୍ଜଙ୍କ ଯୁଦ୍ଧକାଳୀନ ପ୍ରତିଶ୍ରୁତି ସତ୍ତ୍ୱେ ମିତ୍ରଶକ୍ତି ଅଟୋମନ ସାମ୍ରାଜ୍ୟକୁ ଖଣ୍ଡଖଣ୍ଡ କରି ଭାଙ୍ଗିଦେବାକୁ ସ୍ଥିର କରିଥିଲେ । ତୁର୍କୀରେ ମିତ୍ରଶକ୍ତି ସହାୟତାରେ ଗ୍ରୀକ ଓ ଇଟାଲୀର ସୈନ୍ୟମାନଙ୍କ ଅବତରଣ ଅଟୋମନ ସାମ୍ରାଜ୍ୟ ଓ ଖଲିଫା ପ୍ରଥାର ବିନାଶର ସୂଚନା ଦେଇଥିଲା । ମୁସଲମାନମାନଙ୍କ ମଧ୍ୟରେ ଖଲିଫା ଈଶ୍ଵର ତୁଲ୍ୟ ସମ୍ମାନିତ । ସେମାନେ ଅନୁଭବ କରିଥିଲେ, ଖଲିଫାଙ୍କ ପତନର ଅର୍ଥ ହେବ ପରାଧୀନ ରାଷ୍ଟ୍ରଗୁଡ଼ିକରେ ମୁସଲମାନମାନଙ୍କ ମର୍ଯ୍ୟାଦାହାନି । ଏହା ଫଳରେ ଖଲିଫା ପ୍ରଥା ସମ୍ବନ୍ଧୀୟ ଖିଲାଫତ୍ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।

 

ସାରା ଭାରତରେ ହୋମରୁଲ୍ ଓ ଖିଲାଫତ୍ ଆନ୍ଦୋଳନ ଯେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ସେହି ସମୟରେ ୧୯୧୭ ନଭେମ୍ବର ମାସରେ ଜାର୍ ଶାସିତ ରୁଷିଆରେ ବିପ୍ଳବର ବିସ୍ଫୋଟନ ଘଟିଲା ଏବଂ ବଲ୍‍ସେଭିକ୍‍ମାନେ ପୃଥିବୀର ପ୍ରଥମ ସମାଜବାଦୀ ରାଷ୍ଟ୍ରର ପ୍ରତିଷ୍ଠା କଲେ । ମିତ୍ରଶକ୍ତି ଯୁଦ୍ଧ ସମୟରେ ଯାହା କହିଥିଲେ, ପରେ ତାହାର ବିପରୀତ କାର୍ଯ୍ୟ କରିଥିଲେ । ମାତ୍ର ରୁଷିଆ ନିଜ ପକ୍ଷରୁ ଏସିଆ ଉପରେ ତା’ର ସାମ୍ରାଜ୍ୟବାଦୀ ଅଧିକାର ଅପସାରିତ କରି ସମସ୍ତଙ୍କୁ ମୁଗ୍ଧ କରିଦେଇଥିଲା । ଜାର୍ ଉପନିବେଶଗୁଡ଼ିକୁ ଆତ୍ମ–ନିୟନ୍ତ୍ରଣ ଅଧିକାର ମିଳିଥିଲା । ସୋଭିଏଟ ରାଷ୍ଟ୍ରସଂଘରେ ଏସୀୟ ଜାତିମାନଙ୍କୁ ସମାନ ଆସନ ଦିଆଯାଇଥିଲା । ରୁଷ–ବିପ୍ଳବ ସାଧାରଣ ଜନତାର ଅମାପ ଶକ୍ତିର ପରିଚୟ ଦେଇଥିଲା । ସେମାନେ ସାମ୍ରାଜ୍ୟବାଦୀ ଶକ୍ତିର ହସ୍ତକ୍ଷେପ ସତ୍ତ୍ୱେ ଗୃହ–ଯୁଦ୍ଧର ଯାତନା ସହ୍ୟ କରି ବିପ୍ଳବରେ ଝାସ ଦେଇଥିଲେ । ଏହା ସବୁ ଔପନିବେଶିକ ରାଷ୍ଟ୍ରର ଲୋକମାନଙ୍କ ମଧ୍ୟରେ ଗଭୀର ଆସ୍ଥା ସୃଷ୍ଟି କରିଥିଲା । ସୁଦୂର ପଲ୍ଲୀଗ୍ରାମର ଲୋକମାନେ ମଧ୍ୟ ଯୁଦ୍ଧଫେରନ୍ତା ସୈନିକମାନଙ୍କ ମୁହଁରୁ ଏହି ଆଶ୍ଚର୍ଯ୍ୟ କଥା ଶୁଣିବାକୁ ପାଇଥିଲେ । ଭୂମିହୀନଙ୍କ ମଧ୍ୟରେ ଜମି–ବଣ୍ଟନ ସଂକ୍ରାନ୍ତୀୟ ଲେନିନଙ୍କ ନିଷ୍ପତ୍ତି ଶୁଣି ବୁଦ୍ଧିଜୀବୀ ସମ୍ପ୍ରଦାୟ ଉଦ୍‍ବୁଦ୍ଧ ହୋଇଥିଲେ । ଦିଲ୍ଲୀ କଂଗ୍ରେସ ବର୍ତ୍ତମାନ କେବଳ ଭାରତର ଆତ୍ମ–ନିୟନ୍ତ୍ରଣ ଅଧିକାର ନୁହେଁ, ଭାରତୀୟଙ୍କ ଅଧିକାର ସମ୍ପର୍କରେ ଘୋଷଣା କଲେ ।

 

ସିନଫେନ୍ ଦଳର ଆଇରିସ ରାଷ୍ଟ୍ର ପ୍ରତିଷ୍ଠାମୂଳକ ଘୋଷଣା ପୁଣି ଏକ ନୂତନ ଉତ୍ସାହ ସୃଷ୍ଟିକଲା । ମାଇକେଲ କଲିନ୍‍ସଙ୍କ ଆଇରିସ ଗରିଲା ଯୋଦ୍ଧାଗଣ ବ୍ରିଟିଶ ବିରୁଦ୍ଧରେ ପ୍ରାଣମୂର୍ଚ୍ଛା ସଂଗ୍ରାମ ଚଳାଇଲେ । ସେଠିକାର ଦମନନୀତି ଭାରତୀୟଙ୍କ ମନରେ ରାଓଲାତ୍ ବିଲ୍‍ର ସ୍ମୃତି ପୁନର୍ଜାଗ୍ରତ କଲା । ଇଜିପ୍‍ଟରେ ଜଗଲୁଲ୍ ପାଶାଙ୍କ ଜାତୀୟ ଦଳ ଯୁଦ୍ଧ ସମୟରେ ଖୁବ୍ ଶକ୍ତିଶାଳୀ ହୋଇଥିଲେ । ୧୯୧୯ରେ ଜଗଲୁଲ୍‍ଙ୍କ ନିର୍ବାସନ ଦଣ୍ଡ ଯେଉଁ ପ୍ରବଳ ଗଣବିକ୍ଷୋଭ ସୃଷ୍ଟି କଲା, ବ୍ରିଟିଶ ସେନା ତାହାକୁ ପାଶବିକଭାବେ ଦମନ କଲେ । ୧୯୨୦ ମାର୍ଚ୍ଚରେ ଇଜିପ୍‍ଟ ସ୍ଵାଧୀନତା ଘୋଷଣା କଲା । ପ୍ରାୟ ସେହି ସମୟରେ ତୁର୍କୀରେ ମୁସ୍ତାଫା କାମାଲ୍ ପାଶା ମିତ୍ରଶକ୍ତିର ଆଧିପତ୍ୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ଏକ ଅସ୍ଥାୟୀ ସରକାର ପ୍ରତିଷ୍ଠା କରିଥିଲେ । ଜର୍ମାନମାନେ ଶେଷ ପର୍ଯ୍ୟନ୍ତ ଯାହାକୁ ଛୁଇଁ ନଥିଲେ ସେହି ଶାନ୍ତୁଙ୍ଗ୍ ଅଞ୍ଚଳକୁ ଜାପାନ ଅଧୀନରେ ମିତ୍ରଶକ୍ତି ରଖିଦେବାରୁ ଚୀନରେ ଭୀଷଣ ବିକ୍ଷୋଭ ପ୍ରକାଶ ପାଇଥିଲା । ବୁଦ୍ଧିଜୀବୀ ଓ ଛାତ୍ରମାନଙ୍କ ସମର୍ଥନରେ ଗଠିତ ମେ–୪ ସଙ୍ଗଠନ ଜାପାନୀ ଦ୍ରବ୍ୟ ବିରୁଦ୍ଧରେ ବଏକଟ୍‍ ଆନ୍ଦୋଳନ ଆରମ୍ଭ କଲେ । ଚୀନ ଭର୍ସାଇଲ୍‍ସ ସନ୍ଧିପତ୍ରରେ ସ୍ଵାକ୍ଷର ଦେବାକୁ ନାହିଁ କରିଦେଲା ।

 

ଏହିସବୁ ନୂତନ ଶକ୍ତି ବିପ୍ଳବପାଇଁ ନୂତନ ପ୍ରେରଣା ପ୍ରଦାନ କରୁଥିବାବେଳେ ଏବଂ ଗଣବିପ୍ଳବ ଭିତ୍ତି ପ୍ରତିଷ୍ଠିତ ହେଲାବେଳେ ସରକାରୀ ନୀତିରେ ସାମାନ୍ୟ ପରିବର୍ତ୍ତନ ଘଟିଥିଲା । ଅଗଷ୍ଟ ୨୦, ୧୯୧୭ରେ ମଣ୍ଟେଗୁଙ୍କ ଘୋଷଣା ପରେ ହୋମରୁଲ୍ ଆନ୍ଦୋଳନର ବନ୍ଦୀମାନେ ମୁକ୍ତି ପାଇଥିଲେ । ସୈନ୍ୟ ବିଭାଗରେ ଉଚ୍ଚପଦ ପାଇଁ ଜାତିଆଣ ଭେଦ ଦୂରୀଭୂତ ହୋଇଥିଲା ଏବଂ ସେକ୍ରେଟେରୀ ଅଫ୍ ଷ୍ଟେଟ୍‍ସ ଭାରତ ପରିଦର୍ଶନରେ ଆସିଥିଲେ । ମଣ୍ଟେଗୁ ଏପରିଭାବେ ଉଦାରପନ୍ଥୀମାନଙ୍କୁ ଶାନ୍ତ କରିପାରିଥିଲେ ସିନା କିନ୍ତୁ ଚରମପନ୍ଥୀମାନଙ୍କୁ ସେ ଭୁଲାଇ ପାରି ନଥିଲେ ।

 

ଜାତୀୟତାବାଦୀଙ୍କ ଦାବି ତୁଳନାରେ ସରକାରଙ୍କ ସଂସ୍କାର ଯୋଜନା ଅତି ନଗଣ୍ୟ ଥିଲା । ଏହି ସଂସ୍କାରର ଏକ ପ୍ରଧାନ ବୈଶିଷ୍ଟ୍ୟ ଥିଲା ରାଜ୍ୟସ୍ତରରେ ଦ୍ଵୈତ–ଶାସନ ପ୍ରବର୍ତ୍ତନ । ଶିକ୍ଷା ସ୍ୱାସ୍ଥ୍ୟ ବ୍ୟବସ୍ଥା ପରି ଅଳ୍ପ ଗୁରୁତ୍ଵପୂର୍ଣ୍ଣ ବିଭାଗମାନ ବିଧାନସଭାର ନିର୍ବାଚିତ ସଭ୍ୟମାନଙ୍କ ମଧ୍ୟରୁ ମନୋନୀତ ମନ୍ତ୍ରୀମାନଙ୍କ ଅଧୀନରେ ରହିଲା ଏବଂ ଅର୍ଥ, ପୋଲିସ୍, ସାଧାରଣ ଶାସନ–ବ୍ୟବସ୍ଥା ଆଦି ଗୁରୁତ୍ଵପୂର୍ଣ୍ଣ ବିଭାଗଗୁଡ଼ିକ ଭାରତ ସରକାର ଓ ପାର୍ଲିଆମେଣ୍ଟ୍ ପ୍ରତି ଅନୁଗତ ଏକଜିକ୍ୟୁଟିଭ କାଉନ୍‍ସିଲ୍ ସଭ୍ୟମାନଙ୍କ ହାତରେ ରହିଲା । ଲାଟ୍ ସାହେବ ଏ ଉଭୟ ଗୋଷ୍ଠୀର ଶାସନ–ସଂସ୍ଥାର ସଭାପତିତ୍ଵ କଲେହେଁ ଏକତ୍ରଭାବେ ଏମାନଙ୍କ ସଭା ବସୁ ନଥିଲା । ମନ୍ତ୍ରୀମାନେ ସେମାନଙ୍କ ବିଭାଗର କାର୍ଯ୍ୟକଳାପ ପାଇଁ ବିଧାନସଭା ନିକଟରେ ଦାୟୀ ରହିଲେହେଁ ଲାଟ୍ ସାହେବ ସେମାନଙ୍କ ପରାମର୍ଶ ଗ୍ରହଣ କରିବାକୁ ବାଧ୍ୟ ହେଲେ ନାହିଁ । କେନ୍ଦ୍ର ସରକାରର ରୂପରେଖ ପ୍ରାୟ ପୂର୍ବପରି ରହିଲା; ପରିବର୍ତ୍ତନ ମଧ୍ୟରେ ଏତିକି ହେଲା ଯେ ବଡ଼ଲାଟଙ୍କ ଶାସନ ପରିଷଦରେ ଦୁଇଜଣ ଭାରତୀୟ ସଭ୍ୟ ରହିଲେ । ଏହି ପରିଷଦ ପାର୍ଲିଆମେଣ୍ଟ୍ ନିକଟରେ ଦାୟୀ ରହିଲେ । କେନ୍ଦ୍ରର ଦୁଇଟି ବିଧାନ–ଗୃହ–ରହିଲା–ନିମ୍ନରେ ରହିଲା ନିର୍ବାଚିତ ସଭ୍ୟବୃନ୍ଦଙ୍କ ଏବଂ ଉପରେ ରହିଲା ସରକାରୀ ପକ୍ଷର ସଂଖ୍ୟାଗରିଷ୍ଠତା । ରାଜ୍ୟ ବିଧାନସଭାଗୁଡ଼ିକ ସଂପ୍ରସାରିତ ହୋଇଥିଲା ଏବଂ ପ୍ରଶସ୍ତ ନିର୍ବାଚନ ପଦ୍ଧତିରେ ନିର୍ବାଚିତ ସଭ୍ୟଙ୍କ ସଂଖ୍ୟା ବର୍ଦ୍ଧିତ ହୋଇଥିଲା । ରାଜ୍ୟଗୁଡ଼ିକୁ ଆଂଶିକଭାବେ ଅର୍ଥ ଓ ଆଇନ ପ୍ରଣୟନ କ୍ଷମତା ହସ୍ତାନ୍ତରିତ ହେଲା; ଅବଶିଷ୍ଟ ସମସ୍ତ କ୍ଷମତା ଭାରତ ସରକାରଙ୍କଠାରେ ନ୍ୟସ୍ତ ରହିଲା । ପଞ୍ଜାବର ଶିଖମାନଙ୍କୁ ମଧ୍ୟ ସ୍ଵତନ୍ତ୍ର ବିଧାନ–ମଣ୍ଡଳୀର ସୁଯୋଗ ପ୍ରଦତ୍ତ ହେଲା ।

 

ଏହି ସଂସ୍କାର–ବ୍ୟବସ୍ଥାରେ ସବୁଠାରୁ ନୈରାଶ୍ୟଜନକ ବିଷୟ ହେଲା ଯେ ବୈଧାନିକଗଣ ବଡ଼ଲାଟ ବା ତାଙ୍କ ଶାସନ ପରିଷଦ ବିରୁଦ୍ଧରେ ମୁହଁ ଖୋଲିପାରିବେ ନାହିଁ, କିନ୍ତୁ ଅନ୍ୟପକ୍ଷରେ ବିଧାନସଭା ଉପରେ କେନ୍ଦ୍ର ସରକାରଙ୍କ ପୂରା ନିୟନ୍ତ୍ରଣ ରହିପାରିବ । ଏହାଛଡ଼ା ନିର୍ବାଚନ ନୀତି ଏପରି ସଂକୀର୍ଣ୍ଣ ଥିଲା ଯେ ଏହାକୁ ଆଦୌ ଗଣତାନ୍ତ୍ରିକ କୁହାଯାଇପାରିବ ନାହିଁ । ଦୃଷ୍ଟାନ୍ତସ୍ୱରୂପ, ୧୯୨୦ରେ ବିଧାନ ପରିଷଦର ଭୋଟରସଂଖ୍ୟା ଥିଲା ନିମ୍ନକକ୍ଷ ପାଇଁ ୯୦୯୮୭୪ ଏବଂ ଉପର କକ୍ଷପାଇଁ ୧୭୩୬୪ ।

 

୧୯୧୮ ଜୁଲାଇ ୮ରେ ସରକାରୀ ଘୋଷଣା ପ୍ରକାଶିତ ହେବା ସଙ୍ଗେ ଉଦାରପନ୍ଥୀ ଓ ଚରମପନ୍ଥୀଙ୍କ ମଧ୍ୟରେ ସଂଘର୍ଷର ସୂଚନା ମିଳିଲା । ଉଦାରପନ୍ଥୀମାନେ ସ୍ଵାଗତ ଜଣାଇଲାବେଳେ ତିଳକ ପ୍ରତିବାଦ କଲେ–“ଏହା ସମ୍ପୂର୍ଣ୍ଣ ଅଗ୍ରାହ୍ୟ ।’’ ଅଗଷ୍ଟ ମାସରେ ବମ୍ବେଠାରେ ଏକ ସ୍ଵତନ୍ତ୍ର ଅଧିବେଶନରେ କଂଗ୍ରେସ ଏହାକୁ “ନୈରାଶ୍ୟମୂଳକ ଓ ଅସନ୍ତୋଷଜନକ” ବୋଲି ବିଚାର କଲା ଏବଂ କେନ୍ଦ୍ର ସରକାରଙ୍କ ଉପରେ ଆସ୍ଥା ସ୍ଥାପନ ଓ ଭାରତରେ ଆର୍ଥିକ ସ୍ଵାଧୀନତା ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରାଦେଶିକ ଶାସନରେ ସମ୍ପୂର୍ଣ୍ଣ ସ୍ଵାଧୀନତା ଦାବି କଲା । ସଂଖ୍ୟାଲଘୁ ଉଦାରପନ୍ଥୀଗଣ ଏହି ଅଧିବେଶନରେ ଯୋଗ ନଦେଇ ଅନ୍ୟତ୍ର ନିଜେ ମିଳିତ ହେଲେ । ପରବର୍ତ୍ତୀ ବର୍ଷରେ ସେମାନେ ‘ନେସ୍‍ନାଲ୍ ଲିବରାଲ ଫେଡ଼େରେସନ ଅଫ୍ ଇଣ୍ଡିଆ’ ନାମକ ଏକ ସ୍ଵତନ୍ତ୍ର ସଙ୍ଗଠନ ଆରମ୍ଭ କଲେ । ଏହାର ସଭାପତି ହେଲେ ସୁରେନ୍ଦ୍ରନାଥ ବାନାର୍ଜୀ । କିନ୍ତୁ ସେତେବେଳକୁ ଏକ ରାଜନୈତିକ ଦଳରୂପେ ଦେଶରେ ସେମାନଙ୍କ ଶକ୍ତି ହ୍ରାସ ପାଇଥିଲା ।

 

ଗାନ୍ଧିଜୀ ପ୍ରଥମେ ଏହି ସଂସ୍କାର ପ୍ରତି ଅନୁକୂଳ ମତ ପୋଷଣ କରିଥିଲେ । କିନ୍ତୁ ସରକାର ସୁଯୋଗଦାନ ସଙ୍ଗେ ସମାନ୍ତରାଳଭାବେ ଦମନନୀତି ଅବଲମ୍ବନ କରି ଖୁବ୍ କଡ଼ା ଦମନମୂଳକ ଆଇନ ପ୍ରବର୍ତ୍ତନ କରି ମସ୍ତବଡ଼ ଭୁଲ କଲେ । ୧୯୦୫–୧୯୧୮ ମଧ୍ୟବର୍ତ୍ତୀ ବିପ୍ଳବାତ୍ମକ କାର୍ଯ୍ୟକଳାପର ପରୀକ୍ଷାପାଇଁ ନିଯୁକ୍ତ ରାଓଲାତ୍ କମିଟି ବିନା ବିଚାରରେ ମନଇଚ୍ଛା ବନ୍ଦୀ କରିବା, ନଜରବନ୍ଦୀ କରିବା, ସରକାର–ବିରୋଧିତା ସନ୍ଦେହରେ ଯାତାୟାତ ନିୟନ୍ତ୍ରଣ କରିବା ଇତ୍ୟାଦି ଦମନ–ପଦ୍ଧତିପାଇଁ ପରାମର୍ଶ ଦେଲେ । ବିନା ଜୁରିରେ ରାଜନୈତିକ ମକଦ୍ଦମା ବିଚାର କରିବାକୁ ଜଜ୍‍ମାନଙ୍କୁ କ୍ଷମତା ଦିଆଗଲା । ଅପିଲ୍ କରିବାକୁ ଅଧିକାର ଦିଆଗଲା ନାହିଁ । ସନ୍ଦେହଭାଜନ କୌଣସି ପ୍ରମାଣ ପାଖରେ ଥିଲେ ତାହା ଦଣ୍ଡନୀୟ ହେଲା । ଏହି ପ୍ରସ୍ତାବ ଗାନ୍ଧିଜୀଙ୍କ ଆଖି ଖୋଲିଦେଲା । ସେ କହିଥିଲେ–“ଏଗୁଡ଼ିକ ହେଲା ସରକାରୀ କର୍ମଚାରୀମାନଙ୍କଦ୍ଵାରା ଆମ ଗଳା ଚିପିବା କ୍ଷମତାର ଲକ୍ଷଣୀୟ ପ୍ରଦର୍ଶନୀ । ମୋ ମତରେ ଏହି ବିଲ୍ ଆମ ପ୍ରତି ସଂଗ୍ରାମପାଇଁ ଏକ ପ୍ରତ୍ୟକ୍ଷ ଆହ୍ଵାନ ।’’

 

ଗାନ୍ଧିଜୀଙ୍କ ଅଭ୍ୟୁଦୟ

 

ଭାରତୀୟ ଜାତୀୟ କଂଗ୍ରେସର ନିର୍ବିରୋଧୀ ନେତାଭାବେ ଗାନ୍ଧିଜୀଙ୍କ ଅଭ୍ୟୁଦୟ ଗୋଟିଏ ଚିତ୍ତାକର୍ଷକ କାହାଣୀ । ଦକ୍ଷିଣ–ଆଫ୍ରିକାରେ ଭାରତୀୟମାନଙ୍କ ପାଇଁ ତାଙ୍କର ବୀରତ୍ଵପୂର୍ଣ୍ଣ ସଂଗ୍ରାମ କାହାକୁ ଅବିଦିତ ନଥିଲା । ତାଙ୍କର ନବାବିଷ୍କୃତ ସତ୍ୟାଗ୍ରହ ନୀତି ସୁଫଳ ପ୍ରଦାନ କରିଥିଲା । କଂଗ୍ରେସର ମୁଖିଆମାନେ ତାଙ୍କର ବ୍ୟକ୍ତିତ୍ୱ ଓ ସଙ୍ଗଠନ ଶକ୍ତି ସମ୍ବନ୍ଧରେ ଖୁବ୍ ଉନ୍ମତ ମତ ପୋଷଣ କରିଥିଲେ । ୧୯୧୫ରେ ଭାରତରେ ପଦାର୍ପଣ କରିବା ପର୍ଯ୍ୟନ୍ତ ସେ କଂଗ୍ରେସ ମଧ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ନଥିଲେ କିମ୍ବା ସାଧାରଣ ଜନତା ନିକଟରେ ପରିଚିତ ନଥିଲେ । ଜବାହରଲାଲ ନେହେରୁଙ୍କ ପରି ଯୁବକମାନଙ୍କ ଦୃଷ୍ଟିରେ ସେ ଥିଲେ ନିତାନ୍ତ “ଅନାତ୍ମୀୟ, ଭିନ୍ନପନ୍ଥୀ ଓ ଅରାଜନୈତିକ ।’’

 

କିନ୍ତୁ ଏହି ଅନାତ୍ମୀୟତା ତାଙ୍କ ପକ୍ଷରେ ଲାଭପ୍ରଦ ହୋଇଥିଲା । ଉଦାରପନ୍ଥୀ ଓ କେତେକାଂଶରେ ଚରମପନ୍ଥୀ ନେତାମାନଙ୍କ ସମ୍ପର୍କରେ ଲୋକମାନେ ଯେପରି ହତାଶ ହୋଇଥିଲେ ତାଙ୍କ ସମ୍ପର୍କରେ ସେପରି ଧାରଣା କରିବାର ଅବକାଶ ମିଳି ନଥିଲା । ତାଙ୍କର ସରଳ ଜୀବନ–ଯାପାନ ନୀତି, ଋଷିସୁଲଭ ଚରିତ୍ରବତ୍ତା, ଇଂରାଜୀ ପରିବର୍ତ୍ତେ ଭାରତୀୟ ଭାଷା ପ୍ରୟୋଗପାଇଁ ଆଗ୍ରହ ଏବଂ ଧର୍ମପୁସ୍ତକ ପ୍ରତି ଆଦର ଲୋକମାନଙ୍କ ଉପରେ ପ୍ରବଳ ପ୍ରଭାବ ବିସ୍ତାର କରିଥିଲା ଏବଂ ସେ ଅଚିରେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇଥିଲେ । ଗାନ୍ଧିଜୀଙ୍କ ଭାରତୀୟତାର ଭିତ୍ତି ଥିଲା ଅତି ଗଭୀର ଓ ସୁଦୃଢ଼ ଏବଂ ସେ ଏଥିରୁହିଁ ଅମାପ ଶକ୍ତି ଆହରଣ କରିଥିଲେ ।

 

ଦକ୍ଷିଣ–ଆଫ୍ରିକାରେ ବର୍ଣ୍ଣ–ବୈଷମ୍ୟ ବିରୁଦ୍ଧରେ ସଂଗ୍ରାମ କରୁଥିଲାବେଳେ ସେ ଏକ ନୂତନ କର୍ମ–ଦର୍ଶନର ବିକାଶ କରିଥିଲେ । ତାହା ହେଲା ସତ୍ୟାଗ୍ରହ । ତାହାର ଦୁଇଟି ମୌଳିକ ତତ୍ତ୍ଵ ହେଲା ସତ୍ୟ ଓ ଅହିଂସା । ସେ ଏହାର ଆତ୍ମ–ଶକ୍ତି ବା ପ୍ରେମ–ଶକ୍ତିରୂପେ ଅଭିହିତ କରିଥିଲେ । ଏହି ଶକ୍ତିର ଉତ୍ସ ହେଲା ସତ୍ୟ ଓ ଅହିଂସା । ସତ୍ୟାଗ୍ରହୀର ଧର୍ମ ହେଲା ଅନ୍ୟାୟ ବିରୁଦ୍ଧରେ ଅବନମନୀୟ ପ୍ରତିବାଦ, ସମସ୍ତ ଉତ୍ତେଜନା ସତ୍ତ୍ୱେ ହିଂସାସମ୍ବରଣ ଏବଂ ଶତ୍ରୁକୁ ପ୍ରତିଆଘାତ କରିବା ବଦଳରେ ନିଜେ ଅତ୍ୟାଚାର ସହ୍ୟ କରି ସତ୍ୟର ଉଦ୍‍ଘାଟନ । ସେ ଏହି ନୀତିରେ ଅନ୍ୟାୟୀର ଚୈତନ୍ୟ ଜାଗ୍ରତ କରିବାକୁ ଆଶା କଲେ । ଜଣେ ନିଷ୍ଠାବାନ ସଫଳ ସତ୍ୟାଗ୍ରାହୀ ପକ୍ଷରେ ଭୟ, ଘୃଣା, ଓ ମିଥ୍ୟା ପରିହାର୍ଯ୍ୟ । ନୀରବ ପ୍ରତିବାଦୀଠାରୁ ତା’ର ପାର୍ଥକ୍ୟ ହେଲା ସେ ସୁଯୋଗ ଅପେକ୍ଷାରେ ନୁହେଁ, ନୀତିଗତଭାବେ ହିଂସାକୁ ବର୍ଜନ କରେ । ନୀରବ ପ୍ରତିବାଦ ଦୁର୍ବଳର ଅସ୍ତ୍ର; ମାତ୍ର ସତ୍ୟାଗ୍ରହ ଶକ୍ତିମାନର ଆୟୁଧ ।

 

ଗାନ୍ଧିଜୀଙ୍କ ମୂଳମନ୍ତ୍ର ଥିଲା ସ୍ଵଦେଶୀ । ଏହାର ବ୍ୟାଖ୍ୟା କରି ସେ କହିଥିଲେ ଯେ “ଏହା ଆମର ସେହି ଆଭ୍ୟନ୍ତରୀଣ ଶକ୍ତି ଯାହାକି ଆମକୁ ସୁଦୂରକୁ ଉପେକ୍ଷା କରି ପାରିପାର୍ଶ୍ଵିକ ପରିବେଶ ମଧ୍ୟରେ ଜୀବିକା ନିର୍ବାହପାଇଁ ପ୍ରେରଣା ଦିଏ ।’’ ଏହି ଦୃଷ୍ଟିରୁ ସେ ଶାରୀରିକ ଶ୍ରମ ବା ଅନ୍ନ–ସଂସ୍ଥାନପାଇଁ ଶ୍ରମ ଏବଂ ଚରଖା ଉପରେ ଗୁରୁତ୍ଵ ଦେଇଥିଲେ ।

 

ଆଫ୍ରିକାରେ ଯେତେବେଳେ ସତ୍ୟାଗ୍ରହ ସଫଳ ହେଲା, ଭାରତରେ ତା’ର ପରୀକ୍ଷା କରାଯିବାରେ କ୍ଷତି କ’ଣ ? ସେ କହିଥିଲେ, “ମୁଁ ଭଲଭାବେ ଜାଣେ ବ୍ରିଟିଶ ସରକାର ଖୁବ୍ ଶକ୍ତିଶାଳୀ; କିନ୍ତୁ ମୁଁ ଏହା ମଧ୍ୟ ଜାଣେ ଯେ ସତ୍ୟାଗ୍ରହ ଏକ ଶକ୍ତିଶାଳୀ ପ୍ରତିବିଧାନ ।’’ ସେ ବିହାରର ଚମ୍ପାରଣ, ଗୁଜୁରାଟ କଇରା ଓ ଅହମଦାବାଦରେ ଏହାର ପ୍ରୟୋଗ କରିଥିଲେ ।

 

ଶାସନ–ସଂସ୍କାରମୂଳକ ବିତର୍କରେ ଯେତେବେଳେ ଅନ୍ୟାନ୍ୟ ରାଜନୈତିକ ନେତାଗଣ ଧନ୍ଦି ହେଉଥିଲେ, ଗାନ୍ଧିଜୀ ସେତେବେଳେ ଚମ୍ପାରଣ କୃଷକ ସମାଜର ଆହ୍ଵାନରେ ଜାଗ୍ରତ ହୋଇଥିଲେ । ତିନିକାଠିଆ ପ୍ରଥା ଅନୁଯାୟୀ ସେମାନେ ତାଙ୍କ ଜମିରୁ ୨୪ ଭାଗରୁ ୩ ଭାଗରେ ନୀଳଚାଷ କରିବାକୁ ଏବଂ ତାହାକୁ ବ୍ରିଟିଶ ଚାଷୀଙ୍କ ନିର୍ଦ୍ଧାରିତ ଦାମ୍‍ରେ ତାଙ୍କୁ ବିକିବାକୁ ଆଇନତଃ ବାଧ୍ୟ ହେଉଥିଲେ । ସେମାନେ ଜୋର୍ ଜବରଦସ୍ତି କରି ଏହା ଆଦାୟ କରୁଥିଲେ ଏବଂ ନାନାରକମ ଅତ୍ୟାଚାର କରୁଥିଲେ । ଜେଲ ଦଣ୍ଡକୁ ଭୟ ନ କରି ଗାନ୍ଧିଜୀ କୃଷକମାନଙ୍କ ଅଭିଯୋଗ ଉତ୍ତମରୂପେ ଅନୁଧ୍ୟାନ କଲେ । ସେମାନଙ୍କ ଦୀର୍ଘ ଦୁଃଖ–ଦୁର୍ଦ୍ଦଶା ସମ୍ବନ୍ଧରେ ସେ ଏପରି ଅକାଟ୍ୟ ପ୍ରମାଣମାନ ଉପସ୍ଥାପିତ କଲେ ଯେ ସରକାର ଏକ ଅନୁସନ୍ଧାନ କମିଟି ବସାଇବାକୁ ବାଧ୍ୟ ହେଲେ । ଏହା ଫଳରେ କେବଳ ସେହି କୁପ୍ରଥାର ଉଚ୍ଛେଦ ହେଲା ନାହିଁ, ଯୁଗଯୁଗର ଅନ୍ଧକାର ଭିତରୁ ଘୁମନ୍ତ ଗ୍ରାମଗୁଡ଼ିକ ଜାଗିଉଠିଲା । ସେତେବେଳେ ଚମ୍ପାରଣରେ ତାଙ୍କର ସହକର୍ମୀ ହୋଇଥିଲେ ରାଜେନ୍ଦ୍ର ପ୍ରସାଦ, ମଜହର–ଉଲ–ହକ୍, ମହାଦେବ ଦେଶାଇ ଓ ଜେ. ବି. ତ୍ରିପାଲାନୀଙ୍କ ପରି ଜାତୀୟତାବାଦୀ ଯୁବକଗଣ । ଏମାନେ ଗାନ୍ଧିଜୀଙ୍କ ଆଦର୍ଶବାଦ ତଥା ରାଜନୈତିକ କର୍ମ–ଯୋଜନାର ପ୍ରଗତିଶୀଳ, ନିର୍ଭୀକ ଓ ବ୍ୟାବହାରିକ ଆଭିମୁଖ୍ୟଦ୍ଵାରା ଅଭିଭୂତ ହୋଇଯାଇଥିଲେ ।

 

ଗୁଜୁରାଟର କଇରା ଜିଲାରେ ଆଉ ଗୋଟିଏ ଅନୁରୂପ ସୁଯୋଗ ଆସିଥିଲା । ୧୯୧୮ରେ ସେଠି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲେହେଁ ସରକାରୀ କର୍ମଚାରୀଗଣ କଡ଼ାକଡ଼ିଭାବେ ଭୂରାଜସ୍ୱ ଆଦାୟ କରିବାକୁ ବାଧ୍ୟ କଲେ । ଗାନ୍ଧିଜୀ ସେଠାରେ ସତ୍ୟାଗ୍ରହ ପାଇଁ ସଙ୍ଗଠନ କଲେ । ସେମାନେ ଖଜଣା ଦେବାକୁ ଅସ୍ଵୀକାର କରି ଏହାର ପରିଣତି ଭୋଗ କରିବାକୁ ପ୍ରସ୍ତୁତ ରହିଲେ । ଏପରିକି ଯେଉଁମାନଙ୍କର ଦେବାପାଇଁ ସମ୍ବଳ ଥିଲା ସେମାନେ ମଧ୍ୟ ସରକାରୀ ଧମକ ପ୍ରତି ଭ୍ରୂକ୍ଷେପ ନ କରି ନୀତିଗତଭାବେ ସତ୍ୟାଗ୍ରହରେ ଯୋଗଦେଲେ । ଶେଷରେ ସରକାର ଚାଷୀମାନଙ୍କ ସହ ସାଲିସ୍ କରିବାକୁ ବାଧ୍ୟ ହେଲେ । ଏ ସମୟରେ ଗାନ୍ଧିଜୀଙ୍କର ପ୍ରଧାନ ସହକାରୀ ଥିଲେ ଇନ୍ଦୁଲାଲ ଯାଜ୍ଞିକ । ସେତେବେଳେ ଅହମଦାବାଦର ଜଣେ ଉନ୍ନତିଶୀଳ ନିଷ୍ଠାପର ବାରିଷ୍ଟର ସର୍ଦ୍ଦାର ବଲ୍ଲଭଭାଇ ପଟେଲ କଇରା ସତ୍ୟାଗ୍ରହର ସଫଳତାରେ ଏପରି ଅଭିଭୂତ ହୋଇପଡ଼ିଲେ ଯେ ସେ ଗାନ୍ଧିଜୀଙ୍କର ଜଣେ ପ୍ରଧାନ ଓ ଶକ୍ତିମାନ ଭକ୍ତରେ ପରିଣତ ହେଲେ ।

 

ଖ୍ରୀ: ୧୯୧୮ରେ ଅହମଦାବାଦର କାରଖାନା–ଶ୍ରମିକଗଣ ମଧ୍ୟ ଗାନ୍ଧିଜୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦରମା ବୃଦ୍ଧିପାଇଁ ସେମାନଙ୍କୁ ଧର୍ମଘଟ କରିବାକୁ ପ୍ରବର୍ତ୍ତାଇଲେ । ଯେତେବେଳେ ଦେଖାଗଲା ଶ୍ରମିକ–ଶକ୍ତି ଦୁର୍ବଳ ହୋଇଯାଉଛି, ସେ ଅନଶନ କରି ସେମାନଙ୍କୁ ପୁନଃସଂଗଠିତ କଲେ । ଏହା ସାରା ଭାରତରେ ଚହଳ ପକାଇଲା ଏବଂ ଅହମଦାବାଦର ଶ୍ରମିକମାନେ ଦୃଢ଼ଭାବେ ଐକ୍ୟବଦ୍ଧ ହେଲେ । ଅବସ୍ଥାର ଗୁରୁତ୍ଵ ବୁଝି କାରଖାନା ମାଲିକଗଣ ଅନଶନର ଚତୁର୍ଥ ଦିନରେ ଶତକଡ଼ା ୩୫ ପରିମାଣ ଦରମା ବଢ଼ାଇବାକୁ ରାଜି ହୋଇଗଲେ ।

 

ସତ୍ୟାଗ୍ରହର ଏହି କେତୋଟି ପ୍ରାରମ୍ଭିକ ପ୍ରୟୋଗ ଗାନ୍ଧିଜୀଙ୍କୁ ଜନଗଣର ନିକଟବର୍ତ୍ତୀ କରିଦେଲା । ପଲ୍ଲୀର କୃଷକଠାରୁ ନଗରର ଶ୍ରମିକ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ପ୍ରତି ଉନ୍ମୁଖ ହେଲେ । ଜାତୀୟ ଆନ୍ଦୋଳନ ପ୍ରତି ଗାନ୍ଧିଜୀଙ୍କର ଏହାହିଁ ହେଲା ସବୁଠାରୁ ବିଶିଷ୍ଟ ଅବଦାନ । ଏଯାବତ୍ ଦେଶର ନେତାମାନେ ଅର୍ଥନୈତିକ ଓ ରାଜନୈତିକ ଉନ୍ନତିପାଇଁ ଯେତେ ଯାହା କରିଥିଲେହେଁ, ସେମାନଙ୍କର ସମସ୍ତ କାର୍ଯ୍ୟକ୍ରମ ମଧ୍ୟବିତ୍ତ ଓ ଶିକ୍ଷିତ ଶ୍ରେଣୀ ମଧ୍ୟରେ ସୀମିତ ହୋଇ ରହିଥିଲା । ଗାନ୍ଧିଜୀଙ୍କ ଆବିର୍ଭାବ ପରେ ଜନସାଧାରଣ ଆନ୍ଦୋଳନ ସହିତ ନିଜକୁ ସାମିଲ କରିନେଲେ । ସମ୍ଭବତଃ ସେ ଥିଲେ ଏକମାତ୍ର ନେତା, ଯିଏ କି ସାଧାରଣ ଜନତା ସହିତ ନିଜକୁ ସମ୍ପୂର୍ଣ୍ଣରୂପେ ମିଶାଇପାରିଥିଲେ । ସେ ସାଧାରଣ ଗ୍ରାମ୍ୟ ଲୋକଙ୍କ ପରି ଜୀବନଯାପନ କରୁଥିଲେ ଏବଂ ତାଙ୍କରି ଭାଷାରେ କଥୋପକଥନ କରୁଥିଲେ । ଫଳରେ ମାତ୍ର କେତେ ଦିନ ମଧ୍ୟରେ ସେ ହୋଇପାରିଲେ ଗ୍ରାମ୍ୟ ସମାଜରେ ଦରିଦ୍ର ଓ ପତିତ ଜନତାର ପ୍ରତୀକ ଏବଂ ଗୋଟିଏ ଦୃଷ୍ଟିରୁ ଜଣେ ପ୍ରତିନିଧି ସ୍ଥାନୀୟ ସଚ୍ଚା ଭାରତୀୟ ।

 

ଗାନ୍ଧିଜୀଙ୍କର ସବୁଠାରୁ ପ୍ରିୟ ତିନୋଟି କାର୍ଯ୍ୟ ଥିଲା–ହିନ୍ଦୁ–ମୁସଲମାନ ଏକତା ସ୍ଥାପନ, ଅସ୍ପୃଶ୍ୟତା ନିବାରଣ ଏବଂ ନାରୀର ମର୍ଯ୍ୟାଦା ବୃଦ୍ଧି । ଅସ୍ପୃଶ୍ୟମାନଙ୍କୁ ସେ ନାମ ଦେଲେ ‘ହରିଜନ’-। ସେଠାରେ ତାଙ୍କର କଳ୍ପିତ ଭାରତ ସମ୍ବନ୍ଧରେ ଲେଖିଥିଲେ–“ମୁଁ ଏପରି ଗୋଟିଏ ଭାରତବର୍ଷ ଗଠନ କରିବାପାଇଁ କାମ କରିବି ଯେଉଁଠାରେ ଦରିଦ୍ରତମ ବ୍ୟକ୍ତି ମଧ୍ୟ ଭାବିବ ଯେ, ସେ ବି ଦେଶର ଜଣେ ମାଲିକ ଏବଂ ଦେଶଗଠନରେ ତା’ର ମତାମତର ମୂଲ୍ୟ ରହିଛି; ଯେଉଁଠାରେ ଉଚ୍ଚନୀଚ ଶ୍ରେଣୀଭେଦ ରହିବ ନାହିଁ....ନାରୀ ପାଇବ ପୁରୁଷ ସହିତ ସମାନ ଅଧିକାର...ଏହାହିଁ ହେଉଛି ମୋର କଳ୍ପିତ ଭାରତ ।’’

 

ଭାରତୀୟମାନଙ୍କ ଐକ୍ୟତାନିକ ବିରୋଧ ସତ୍ତ୍ୱେ ଯେତେବେଳେ ରାଓଲାତ୍ ବିଲ୍ ଗୃହୀତ ହୋଇଗଲା, ଗାନ୍ଧିଜୀଙ୍କର ଧୈର୍ଯ୍ୟର ସମାପ୍ତି ଘଟିଲା । ସତ୍ୟାଗ୍ରହଦ୍ଵାରା ଏହାର ବିରୋଧ କରିବାକୁ ସେ ସ୍ଥିର କଲେ । ଏଥର ଏହାର ଲକ୍ଷ୍ୟ ଓ ପରିସର ସୀମିତ ନଥିଲା । ସେ ସତ୍ୟାଗ୍ରହ ସଭା ଆରମ୍ଭ କଲେ ଏବଂ ଏହି ଦମନମୂଳକ ଆଇନ ଭଙ୍ଗ କରିବାକୁ ଲୋକମାନଙ୍କୁ ପ୍ରତିଶ୍ରୁତ କରାଇଲେ । ୧୯୧୯ ଏପ୍ରିଲ ୬ ତାରିଖରେ ସାରା ଦେଶରେ ହରତାଳ ପାଳନ କରିବାକୁ ଏବଂ ତା’ପରେ ଆଇନ ଅମାନ୍ୟ କରିବାକୁ ଆହ୍ଵାନ ଦିଆଗଲା । ଏହି ହରତାଳ ଅଦ୍ଭୁତଭାବେ ସଫଳ ହେଲା, ଯଦିଓ ଦିଲ୍ଲୀରେ ପୋଲିସ୍‍ଙ୍କ ବନ୍ଧୁକ ମୁଖରେ ଅନେକ ହିନ୍ଦୁ ଓ ମୁସଲମାନଙ୍କୁ ପ୍ରାଣ ଦେବାକୁ ପଡ଼ିଲା । ଗାନ୍ଧିଜୀଙ୍କୁ ଦିଲ୍ଲୀ–ଯାତ୍ରାପଥରୁ ଜବରଦସ୍ତି ବମ୍ବେକୁ ଫେରାଇ ନିଆଯାଇଥିଲା-। ନାନା ସ୍ଥାନରେ ଦଙ୍ଗା ଆରମ୍ଭ ହୋଇଯାଇଥିଲା ।

 

ତା’ପରେ ଏପ୍ରିଲ ୧୩ ତାରିଖରେ ଅନୁଷ୍ଠିତ ହେଲା ଜାଲିଆନାବାଗର ନରମେଧ ଯଜ୍ଞ-। ଯୁଦ୍ଧଚାନ୍ଦା ଓ ସୈନ୍ୟ ସଂଗ୍ରହପାଇଁ ଲାଟ୍ ସାହେବ ଓ ଡାୟାରଙ୍କ ନିଷ୍ଠୁର ନୀତିରେ ପଞ୍ଜାବର ଲୋକମାନେ ଖୁବ୍ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ । ଖିଲାଫତ୍ ପ୍ରଚାରଫଳରେ ମୁସଲମାନମାନେ ମନରେ ଖୁବ୍ ଆଘାତ ପାଇଥିଲେ । ସରକାର ବିନା କାରଣରେ ଶଙ୍କିତ ହୋଇ ସେମାନଙ୍କର ପ୍ରଧାନ ନେତା ଡ: ସତ୍ୟପାଲ ଓ ଡ: ସଇଫୁଦ୍ଦିନ କିଚଲୁଙ୍କୁ ବନ୍ଦୀ କରିନେଲେ । ଫଳରେ ଅମୃତସର ଲୋକେ ମାତିଉଠିଲେ । ସେଠାରେ ପୋଲିସ୍ ଗୁଳି ଚଳାଇବା ପରେ କେତେଜଣ ସରକାରୀ କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା ଓ ଦୁଇଜଣ ମେମ୍ ସାହେବ ଗୁରୁତରଭାବେ ଆହତ ହୋଇଥିଲେ । ତା’ ପରଦିନ ଯେତେବେଳେ ଦୁର୍ବିନୀତଭାବେ ଲୋକମାନେ ଜାଲିଆନାବାଗଠାରେ ଏକତ୍ରିତ ହେଲେ, ଜେନେରାଲ ଡାୟାର ସାରା ପଞ୍ଜାବକୁ ଥରାଇ ଦେବାପାଇଁ ତିନି ଆଡ଼ୁ ଅବରୁଦ୍ଧ ପାର୍କ୍ ମଧ୍ୟରେ ସମବେତ ସେହି ନିରସ୍ତ୍ର ଜନତା ଉପରେ ଅତର୍କିତଭାବେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଲେ । ସବୁ ଗୁଳିଗୁଳା ନିଃଶେଷ କରି ଡାୟାର ଯେତେବେଳେ ଫେରିଗଲେ, ସେଠାରେ ସେ ରଖିଦେଇଗଲେ ଏକ ହଜାର ମୃତ ଏବଂ କେତେ ହଜାର ଆହତ ବ୍ୟକ୍ତିଙ୍କୁ । ଅମୃତସର ହତ୍ୟାକାଣ୍ଡ–ଯାହାକୁବି ମଣ୍ଟେଗୁ କହିଥିଲେ ‘ପ୍ରତିଷେଧକ ହତ୍ୟା’–ପଛକୁ ନାନାରକମର ଅପମାନଜନକ ଆଇନ ଚାଲୁହେଲା । ଅନେକ ଦିନ ଧରି ସାନ୍ଧ୍ୟଆଇନ ଜାରି ରହିଲା-। ମେମ୍‍ସାହେବ ଦୁଇଜଣ ଆହତ ହୋଇଥିବା ସ୍ଥାନରେ ଲୋକଙ୍କୁ ପ୍ରକାଶ୍ୟଭାବେ ଚାବୁକ୍ ମାରି ଦଣ୍ଡପ୍ରଣାମ କରାଯାଇଥିଲା । ଛାତ୍ରମାନଙ୍କୁ ରୋଲକଲ ପାଇଁ ଦିନକୁ ଷୋଳମାଇଲ ଦଉଡ଼ାଇଥିଲେ-। ବନ୍ଦୀମାନଙ୍କୁ ପିଞ୍ଜରାବଦ୍ଧ କରି ରଖାଯାଇଥିଲା । ଗୃହକର୍ତ୍ତାମାନଙ୍କୁ ଜାମିନ୍ କରାଯାଇଥିଲା, ସମ୍ପତ୍ତିବାଡ଼ି ବାଜ୍ୟାପ୍ତ ବା ନଷ୍ଟ କରି ଦିଆଯାଇଥିଲା । ହିନ୍ଦୁ ମୁସଲମାନମାନଙ୍କୁ ଏକାସାଙ୍ଗରେ ହାତକଡ଼ା ଦେଇ ସେମାନଙ୍କ ଏକତାକୁ ଉପହାସ କରାଯାଇଥିଲା । ସାମରିକ ଆଇନ ପ୍ରବର୍ତ୍ତିତ ହୋଇଥିଲା । ରବୀନ୍ଦ୍ରନାଥ ନିମ୍ନଲିଖିତ ଘୋଷଣା କରି ତାଙ୍କୁ ପ୍ରଦତ୍ତ ହୋଇଥିବା ଉପାଧି ପ୍ରତ୍ୟାଖ୍ୟାନ କରିଥିଲେ ।

 

“ବର୍ତ୍ତମାନ ଏପରି ଏକ ସମୟ ଉପସ୍ଥିତ ଯେତେବେଳେ କି ସମ୍ମାନର ପଦକ ଏହି ଅସଙ୍ଗତିମୂଳକ ଅପମାନଜନକ ପରିବେଶରେ ଆମର ଲଜ୍ଜାର କାରଣ ହୋଇଛି ଏବଂ ମୁଁ, ମୋ ତରଫରୁ ଇଚ୍ଛା କରେ, ସବୁକିଛି ବିଶେଷ ମର୍ଯ୍ୟାଦା ପରିହାର କରି ମୋ ଦେଶର ଲୋକମାନଙ୍କ ସହିତ କାନ୍ଧ ମିଳାଇ ଠିଆହେବି; ଯେଉଁମାନେ କି ସେମାନଙ୍କର ତଥାକଥିତ ବଡ଼ପଣିଆ ଅଭାବରୁ ଆଜି ଅମାନୁଷିକ ଅବମାନନାର ପଦାଘାତ ସହ୍ୟ କରୁଛନ୍ତି ।’’

 

ପଞ୍ଜାବର ଏହି କରୁଣ ଘଟଣା ଭାରତୀୟ ରାଜନୀତିର ସିଂହଦ୍ଵାରକୁ ଗାନ୍ଧିଜୀଙ୍କୁ ଟାଣିଆଣିଲା । ସରକାରଙ୍କଦ୍ଵାରା ନିଯୁକ୍ତ ଲର୍ଡ଼ ହଣ୍ଟରଙ୍କ ନେତୃତ୍ୱରେ ଗଠିତ ଅନୁସନ୍ଧାନ କମିଟିକୁ କଂଗ୍ରେସ ବର୍ଜନ କଲା । ଅନେକ ଉଦାରପନ୍ଥୀ ନେତା ସେତେବେଳେ ଗାନ୍ଧିଜୀଙ୍କ ସହିତ ହାତ ମିଳାଇଥିଲେ ।

 

୧୯୧୯ର ଅମୃତସର କଂଗ୍ରେସ ଅଧିବେଶନରେ ଦେଶର ଉତ୍ତେଜିତ ମିଜାଜ୍‍ର ଯଥାର୍ଥ ପ୍ରତିଫଳନ ଘଟିଥିଲା । ସି. ଆର୍. ଦାସ ସଂସ୍କାର ପ୍ରସ୍ତାବକୁ ସମ୍ପୂର୍ଣ୍ଣଭାବେ ପ୍ରତ୍ୟାଖ୍ୟାନ କରିବାପାଇଁ ମତ ଦେଇଥିଲେ । କିନ୍ତୁ ତିଳକ ଚାହିଁଥିଲେ ସକ୍ରିୟ ସହଯୋଗ । ଅବଶେଷରେ ଆପୋସ ମୀମାଂସା ହୋଇଥିଲା ଏବଂ ସଂସ୍କାର ପ୍ରସ୍ତାବକୁ ଗ୍ରହଣ କରି ଯଥାଶୀଘ୍ର ଏକ ଦାୟିତ୍ୱଶୀଳ ସରକାର ପ୍ରତିଷ୍ଠା କରିବାକୁ କଂଗ୍ରେସ ସମ୍ମତ ହୋଇଥିଲା । କିନ୍ତୁ ସି. ଆର୍. ଦାସ ସ୍ପଷ୍ଟଭାବେ ଜଣାଇ ଦେଇଥିଲେ ଯେ ରାଜନୈତିକ ଲକ୍ଷ୍ୟ ହାସଲପାଇଁ ପ୍ରତିବନ୍ଧକ ସୃଷ୍ଟି କରିବାକୁ ସେ ସର୍ବଦା ଅନୁମୋଦନ କରିବେ ।

 

ଏଥିମଧ୍ୟରେ ଗାନ୍ଧିଜୀ କ୍ରମେ କ୍ରମେ ଖିଲାଫତ୍ ଆନ୍ଦୋଳନ ପ୍ରତି ଆକୃଷ୍ଟ ହୋଇଥିଲେ । ସେ ଏହି ପରିପ୍ରେକ୍ଷୀରେ ସରକାରଙ୍କ ସହିତ ଅସହଯୋଗ ଘୋଷଣା କରିଥିଲେ । ଦକ୍ଷିଣ ଆଫ୍ରିକାରେ ଥିଲା କାଳରୁ ହିନ୍ଦୁ–ମୁସଲମାନ ଏକତା ପ୍ରତିଷ୍ଠା ଦିଗରେ ସେ ଆଗ୍ରହୀ ଥିଲେ । ଲକ୍ଷ୍ନୌ ରାଜିନାମା ଭିତ୍ତିରେ ଏହା ଦୃଢ଼ଭାବେ ପ୍ରତିଷ୍ଠିତ ହେବ ବୋଲି ଆଶା କରି ନଥିଲେ । ସେ ଆଲି ଭାତୃଗଣଙ୍କ ସହିତ ସଂଯୋଗ ସ୍ଥାପନ କରି ଭଲଭାବେ ଉପଲବ୍ଧି କରିଥିଲେ ଯେ ସେମାନଙ୍କ ଖିଲାଫତ୍ ଆନ୍ଦୋଳନ ନ୍ୟାୟସମ୍ମତ । ସେମାନଙ୍କୁ ଗିରଫ୍ କରିବା ବିରୁଦ୍ଧରେ ସେ ପ୍ରତିବାଦ ଜଣାଇଲେ । ଭର୍ସାଇଲ୍‍ସ ସନ୍ଧି ଫଳରେ ତୁର୍କୀ ସାମ୍ରାଜ୍ୟ ଉପରେ ଆଞ୍ଚ ଆସିବାରୁ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେଲା, ଏପରିକି ରାଜ୍ୟର ଅବଶିଷ୍ଟାଂଶ ଉପରେ ମଧ୍ୟ ସୁଲତାନଙ୍କ ସାର୍ବଭୌମ ଅଧିକାର କ୍ଷୁଣ୍ଣ ହେଲା । ଭାରତୀୟ ମୁସଲମାନଗଣ ବ୍ରିଟିଶ ସରକାରଙ୍କର ତୁର୍କୀ ନୀତିର ପରିବର୍ତ୍ତନ ପାଇଁ ଦାବି କଲେ । ମୌଲାନା ଆଜାଦ୍ ହାକିମ ଅଜମଲ ଖାଁ ଓ ହସରତ ମୋହନୀଙ୍କ ନେତୃତ୍ଵରେ ଏକ ଖିଲାଫତ୍ କମିଟି ଗଠିତ ହେଲା । ଗାନ୍ଧିଜୀ ଏହାକୁ ସାହାଯ୍ୟ ଦେବାକୁ ସମ୍ମତ ହେଲେ । ସେ ଭାବିଥିଲେ ଯେ ହିନ୍ଦୁ–ମୁସଲମାନ ଏକତା ପ୍ରତିଷ୍ଠାପାଇଁ ଖିଲାଫତ୍ ଆନ୍ଦୋଳନ ଯେଉଁ ସୁଯୋଗ ଆଣିଛି, ତାହା ହୁଏତ ଭବିଷ୍ୟତରେ ଆଉ ଆସିବ ନାହିଁ । ସେ ଏତେବେଳେ ଏକ ହାର୍ଦ୍ଦିକ ମିଳନ ଆଶା କରିଥିଲେ । ‘ୟଙ୍ଗ ଇଣ୍ଡିଆ’ରେ ସେ ଲେଖିଥିଲେ ଯେ “ମୁଁ ଯଦି ମୁସଲମାନଙ୍କୁ ମୋର ଭାଇ ବୋଲି ଭାବେ, ତେବେ ତାଙ୍କ ଦୁର୍ଦ୍ଦିନରେ ଶକ୍ତିମତେ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ; ଅବଶ୍ୟ ଯଦି ତାଙ୍କର ବିକ୍ଷୋଭ ନ୍ୟାୟୋଚିତ ହୋଇଥାଏ ।’’

 

ଖ୍ରୀ:୧୯୧୯ ନଭେମ୍ବର ମାସରେ ଗାନ୍ଧିଜୀ ଖିଲାଫତ୍ ସଭାର ସଭାପତିରୂପେ ନିର୍ବାଚିତ ହେଲେ । ଏହି ସଭା ମିତ୍ରଶକ୍ତିର ବିଜୟ ଉତ୍ସବରେ ଭାଗ ନ ନେବାକୁ ମୁସଲମାନମାନଙ୍କୁ ଆହ୍ଵାନ ଜଣାଇଲା ଏବଂ ତୁର୍କୀ ପ୍ରତି ନ୍ୟାୟ ବିଚାର ନ କଲେ ସରକାରଙ୍କ ସହିତ ବାସନ୍ଦ ଓ ଅସହଯୋଗ କରିବାକୁ ଧମକ ଦେଲା । ଆଜାଦ, ଆକ୍ରାମ ଖାଁ ଓ ଫଜଲୁଲ୍ ହକ୍ ବଙ୍ଗ ପ୍ରଦେଶରେ ଯାତ୍ରା କରି ହିନ୍ଦୁ–ମୁସଲମାନ ଏକତା ଓ ଖିଲାଫତ୍ ଆନ୍ଦୋଳନ ପ୍ରଚାର କରିଥିଲେ । ଉତ୍ତର ଭାରତରେ ଅନୁରୂପ କାର୍ଯ୍ୟ କରିଥିଲେ ଦେଓବନ୍ଧ ଗୋଷ୍ଠୀର ମୌଲାନାଗଣ ଏବଂ ଲକ୍ଷ୍ନୌର ଉଲେମାମାନେ ଅମୃତସର କଂଗ୍ରେସ ଏବଂ ମୁସଲିମ ଲିଗ୍ ଆନ୍ଦୋଳନ ପ୍ରତି ପୂର୍ଣ୍ଣ ସମର୍ଥନ ଜ୍ଞାପନ କଲେ । ୧୯୨୦ ପ୍ରାକ୍‍କାଳରେ ହିନ୍ଦୁ ମୁସଲମାନଙ୍କ ମିଳିତ ପ୍ରତିନିଧି ଦଳ ବଡ଼ଲାଟଙ୍କୁ ଭେଟିଥିଲେ । କିନ୍ତୁ ସେ ରୋକ୍‍ଠୋକ୍ ନିରାଶ କରିଥିଲେ । ସେଠୁ ପ୍ରତିନିଧିଦଳ ଇଂଲଣ୍ଡ ଗଲେ । ସେଠିବି ପ୍ରଧାନମନ୍ତ୍ରୀ ଲୟଡ଼ ଜର୍ଜ ସଂକ୍ଷେପରେ ଶୁଣାଇଦେଲେ ଯେ ବିଜିତ ଖ୍ରୀଷ୍ଟିଆନ ରାଷ୍ଟ୍ରମାନଙ୍କଠାରୁ ସ୍ଵତନ୍ତ୍ରଭାବରେ ତୁର୍କୀର ବିଚାର ହେବା ସମ୍ଭବ ନୁହେଁ । ମେ ମାସର ମଝାମାଝି ସେଭ୍ରେ ସନ୍ଧିର ସର୍ତ୍ତାବଳୀ ଜଣାପଡ଼ିଲା । ତୁର୍କୀ କନ୍‍ଷ୍ଟାଣ୍ଟିନୋପ୍ଲ ପାଇଲା ସତ୍ୟ; କିନ୍ତୁ ତାହାର ପରିସୀମା ଓ ଲୋକସଂଖ୍ୟା ଅନେକ ହ୍ରାସ ପାଇଲା । ଖିଲାଫତ୍ ଦାବି ଉପରେ ଗାନ୍ଧିଜୀ ସତ୍ୟାଗ୍ରହ କରିବାକୁ ସିଦ୍ଧାନ୍ତ କଲେ । ଅଗଷ୍ଟ ପହିଲାରେ ଅସହଯୋଗ ଆନ୍ଦୋଳନର ସୂତ୍ରପାତ ହେଲା ।

 

ଏତେବେଳେ କଂଗ୍ରେସର ସହାୟତା ଥିଲା ଏକାନ୍ତ ଆବଶ୍ୟକ । କିନ୍ତୁ ସେମାନଙ୍କୁ ପ୍ରବର୍ତ୍ତାଇବା ଗାନ୍ଧିଜୀଙ୍କ ପକ୍ଷରେ ଖୁବ୍ ଆୟାସସାଧ୍ୟ ହୋଇଥିଲା । ତାଙ୍କର ଆବେଦନ ଉଭୟ ଉଦାରପନ୍ଥୀ ଓ ଚରମପନ୍ଥୀ ନେତୃବୃନ୍ଦଙ୍କୁ ଆକୃଷ୍ଟ କରିଥିଲା । କାରଣ ସେ ଚତୁରତାର ସହିତ ଏଥିରେ ଉଦାରପନ୍ଥୀଙ୍କ ଲକ୍ଷ୍ୟ ସାମ୍ରାଜ୍ୟ ମଧ୍ୟରେ ସ୍ଵରାଜ ପ୍ରତିଷ୍ଠା ଓ ଚରମପନ୍ଥୀଙ୍କ ଉପାୟ ଅସହଯୋଗ–ଏ ଉଭୟ ନୀତିର ସଂଯୋଗ କରିଥିଲେ । ଏପରିକି ସନ୍ତ୍ରାସବାଦୀମାନେବି ତାଙ୍କର ବିରୋଧ କରି ନଥିଲେ । ଗୁଜୁରାଟ ଓ ବିହାର କଂଗ୍ରେସ କମିଟି ଆରମ୍ଭରୁ ଏହାକୁ ସ୍ଵାଗତ ଜଣାଇଥିଲେ ।

 

୧୯୨୦ ଅଗଷ୍ଟରେ ତିଳକଙ୍କ ମୃତ୍ୟୁ ହେବା ଫଳରେ ଜଣେ ପ୍ରଧାନ ସମାଲୋଚକ ଅନ୍ତର୍ହିତ ହୋଇଗଲେ । ସି. ଆର୍. ଦାସ ଖୋଲାଖୋଲି ସମର୍ଥନ ନ ଜଣାଇଲେବି ତ୍ୟାଗ ଓ ଉତ୍ସର୍ଗ ନାମରେ ଗାନ୍ଧିଜୀଙ୍କ ଉଦ୍‍ବୋଧନ ତାଙ୍କୁ ଯଥେଷ୍ଟ ପ୍ରଭାବିତ କରିଥିଲା । କଲିକତାରେ କଂଗ୍ରେସର ବିଶେଷ ଅଧିବେଶନରେ (୪–୯ ସେପ୍‍ଟେମ୍ବର, ୧୯୨୦) ଏହାର ଲାଭ କ୍ଷତି ଉପରେ ପ୍ରବଳ ଆଲୋଚନା ହୋଇଥିଲା । ଯେତେବେଳେ ଗାନ୍ଧିଜୀ ବିଧାନସଭା ବର୍ଜନ କରିବାକୁ ପ୍ରସ୍ତାବ ଆଣିଲେ, ଦାସ ତାହାର ପ୍ରତିବାଦ କରି କହିଥିଲେ ଯେ–“ଶାସନ ସଂସ୍କାର ବ୍ରିଟିଶ ସରକାରଙ୍କ ଭିକ୍ଷାଦାନ ନୁହେଁ; ଏହା ତାଙ୍କ ହାତରୁ ଜବରଦସ୍ତ ଛଡ଼ାଇ ଅଣାଯାଇଛି । ମୁଁ ଚାହେଁ ଏହି ବିଧାନସଭା ହେଉ ସ୍ଵରାଜ ପ୍ରତିଷ୍ଠା ଦିଗରେ ଏକ ଅସ୍ତ୍ରସ୍ୱରୂପ ଏବଂ ପୂର୍ଣ୍ଣ–ସ୍ଵରାଜ ପ୍ରତିଷ୍ଠା ଦିଗରେ ଆମର ଶୂନ୍ୟ ହାତରେ ଏହି ଅସ୍ତ୍ର ବ୍ୟବହୃତ ହେଉ ।’’ ତାଙ୍କ ନିକଟରେ ବିଧାନସଭାରେ ଯୋଗଦାନର ଉଦ୍ଦେଶ୍ୟ ନଥିଲା ସରକାରଙ୍କ ସହିତ ସହଯୋଗ; ବରଂ ଏହା ଥିଲା ଅପଦସ୍ଥ କରିବାର ଉପାୟ । ଏହି ବାଟେ ମଧ୍ୟ ଭିତରେ ଭିତରେ ଅସହଯୋଗ କରାଯାଇପାରେ । ଲଜପତ୍‍ରାୟ ସ୍କୁଲ୍ ବର୍ଜନ କରିବାର ବିରୋଧୀ ଥିଲେ । ବିପିନ୍‍ଚନ୍ଦ୍ର ପାଲ ସତର୍କଭାବେ ପ୍ରସ୍ତୁତ ରହିବାକୁ ଉପଦେଶ ଦେଇଥିଲେ । କିନ୍ତୁ ମୋତିଲାଲ ନେହେରୁ ଗାନ୍ଧିଜୀଙ୍କ ସପକ୍ଷରେ ସମର୍ଥନ ଜଣାଇଲେ । ଏକପ୍ରକାର ଆପୋସ ମୀମାଂସା ହେଲା–ବିଦ୍ୟାଳୟ ଓ ବିଚାରାଳୟ ଧୀରେ ଧୀରେ ବାଛନ୍ଦ କରାଯିବ; କିନ୍ତୁ ବିଧାନସଭା ପାଇଁ ପ୍ରାର୍ଥୀଗଣ ଓହରିଯିବେ ଓ ଭୋଟରମାନେ ଭୋଟ ଦେବେ ନାହିଁ । ସବୁଥିରେ ମୌଳିକ ଲକ୍ଷ୍ୟ ରହିବ ସ୍ଵରାଜ । ନାଗପୁର କଂଗ୍ରେସରେ ଏ ବିଷୟରେ ଶେଷ ସିଦ୍ଧାନ୍ତ ଗ୍ରହଣ କରିବାକୁ ସ୍ଥିର ହେଲା ।

 

ନବପ୍ରବର୍ତ୍ତିତ ସଂସ୍କାର ବ୍ୟବସ୍ଥାନୁସାରେ ଅନୁଷ୍ଠିତ ହେଉଥିବା ପ୍ରଥମ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରଚାର କରାଗଲାନାହିଁ । ନାଗପୁରଠାରେ ଦାସ ଏହାକୁ ଏକ ମୃତ ବ୍ୟବସ୍ଥା ବୋଲି ବିଚାର କଲେ । ଜାଲିଆନାବାଗ ହତ୍ୟାକାଣ୍ଡରେ ଲିପ୍ତ ପଞ୍ଜାବର ଲାଟ୍ ଓ ଡାୟାର ଦୋଷମୁକ୍ତ ହେବା ଏବଂ ପୂର୍ଣ୍ଣ ଦାୟିତ୍ଵଶୀଳ ସରକାର ପ୍ରତିଷ୍ଠା ଦାବି ଅସ୍ଵୀକୃତ ହେବାଦ୍ୱାରା ଗାନ୍ଧିଜୀଙ୍କ ପ୍ରସ୍ତାବ ଦୃଢ଼ ସମର୍ଥନ ଲାଭ କଲା । ଦାସ ଉପଲବ୍ଧି କରିଥିଲେ ଯେ ଏପରିକି ତାଙ୍କର ଅନୁଗାମୀ ବଙ୍ଗୀୟ ପ୍ରତିନିଧିଗଣ ମଧ୍ୟ ତାଙ୍କୁ ସମର୍ଥନ କରିବେ ନାହିଁ । ମହମ୍ମଦ ଅଲି ଗୋଟିଏ ସାଲିସ୍ କରିଦେଲେ । ଦାସ ଅସହଯୋଗ ପ୍ରସ୍ତାବ ଉପସ୍ଥାପନ କଲେ, ଯେଉଁଥିରେ ଘୋଷଣା କରାଯାଇଥିଲା ଯେ ଏକପକ୍ଷରେ ସରକାରୀ ଶାସନ ସହିତ ସମସ୍ତ ପ୍ରକାର ସହଯୋଗ ବର୍ଜନ ଏବଂ ଅନ୍ୟ ପକ୍ଷରେ ରାଜସ୍ୱ ଦେବାକୁ ପ୍ରତ୍ୟାଖ୍ୟାନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଆରମ୍ଭ କରାଯିବ-। ଏହି କାର୍ଯ୍ୟନିର୍ଘଣ୍ଟରେ ଗୋଟିଏ ଗୋଟିଏ ପଦକ୍ଷେପସ୍ୱରୂପ ନିର୍ଦ୍ଦିଷ୍ଟ ହେଲା–ବିଧାନସଭାରୁ ଇସ୍ତଫା, ଆଇନ ବ୍ୟବସାୟ ବର୍ଜନ, ଶିକ୍ଷା ରାଷ୍ଟ୍ରାୟତ୍ତକରଣ, ଅର୍ଥନୈତିକ ବଏକଟ୍‍, ଜାତୀୟ ସେବାପାଇଁ ସ୍ଵେଚ୍ଛାସେବକ ସଂଗଠନ, ରାଷ୍ଟ୍ରୀୟ ପାଣ୍ଠି–ସଂଗ୍ରହ ଏବଂ ହିନ୍ଦୁ–ମୁସଲମାନ ଐକ୍ୟ ପ୍ରତିଷ୍ଠା । ମାଲବୀୟ ଏବଂ ଜିନ୍ନା ସ୍ଵରାଜର ଲକ୍ଷ୍ୟ ସମ୍ବନ୍ଧରେ ଅଭିଯୋଗ ଆଣିଥିଲେ; କାରଣ ପ୍ରସଙ୍ଗତଃ ସାମ୍ରାଜ୍ୟ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବା ବିଷୟ ଏଥିରେ ସ୍ପଷ୍ଟରୂପେ ପ୍ରକାଶ ପାଇ ନଥିଲା । କିନ୍ତୁ ସେଦିନ ଗାନ୍ଧିଜୀଙ୍କ ଚରମପନ୍ଥା ଅବଲମ୍ବନ ପାଇଁ ପ୍ରତିଜ୍ଞା ସମସ୍ତଙ୍କୁ ଅଭିଭୂତ କରିଦେଇଥିଲା । ତାଙ୍କ ବିରୁଦ୍ଧରେ ମାତ୍ର ଦୁଇଟି ଭୋଟ ପ୍ରଦତ୍ତ ହୋଇଥିଲା ।

 

ନୂତନ ସମ୍ବିଧାନ ପ୍ରଣୟନପୂର୍ବକ ନାଗପୁର ଅଧିବେଶନ କଂଗ୍ରେସ ସଂଗଠନରେ ବିପ୍ଳବାତ୍ମକ ପରିବର୍ତ୍ତନ ଆଣିଥିଲା । କଂଗ୍ରେସ ଏକ ସୁଗଠିତ ଓ ସକ୍ଷମ ରାଜନୈତିକ ସଂଗଠନରୂପେ ରୂପାନ୍ତରିତ ହେଲା । ଏଥିରେ ରହିଲା ପନ୍ଦରଜଣ ସଭ୍ୟ ବିଶିଷ୍ଟ କାର୍ଯ୍ୟକାରୀ ସମିତି, ୩୫୦ ସଭ୍ୟ ବିଶିଷ୍ଟ ନିଖିଳ–ଭାରତ–କମିଟି ଏବଂ ଗ୍ରାମ, ତାଲୁକ, ସହର ଓ ଜିଲ୍ଲା ସ୍ତରରୁ ଆରମ୍ଭ କରି ପ୍ରାଦେଶିକ କମିଟିମାନ । କାର୍ଯ୍ୟକାରୀ ନୀତି ହେଲା ସଦାସର୍ବଦା କ୍ରିୟାଶୀଳ ଏବଂ ଏକାତ୍ମବାଦୀ । ଏଥିରେ ସର୍ବସମ୍ମତି କ୍ରମେ ସିଦ୍ଧାନ୍ତମାନ ଗୃହୀତ ହେଲା । ନିଖିଳ–ଭାରତ କମିଟିରେ କେବଳ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ବିଚାର ହେଉଥିଲା ଏବଂ କାର୍ଯ୍ୟକାରୀ କମିଟିର ସିଦ୍ଧାନ୍ତମାନ ପରୀକ୍ଷା କରିବାକୁ ଏହାର କ୍ଷମତା ଥିଲା । ଭାଷା ଭିତ୍ତିରେ ପ୍ରତ୍ୟେକ ପ୍ରଦେଶପାଇଁ ଗୋଟିଏ ଗୋଟିଏ ପ୍ରାଦେଶିକ କମିଟି ରହିଥିଲା । ପାଞ୍ଚ ବା ତତୋଽଧିକ ସଭ୍ୟଙ୍କୁ ନେଇ ଗ୍ରାମ୍ୟ କମିଟି, ତା’ ଉପରକୁ ତାଲୁକ କମିଟି, ଜିଲ୍ଲା କମିଟି ଇତ୍ୟାଦି ଗଠିତ ହୋଇଥିଲା । ୫୦,୦୦୦ ସଭ୍ୟଙ୍କ ମଧ୍ୟରୁ ଜଣକୁ ନିର୍ବାଚନ ମାଧ୍ୟମରେ ବାର୍ଷିକ ଅଧିବେଶନର ପ୍ରତିନିଧିସ୍ୱରୂପ ପଠାଯାଉଥିଲା । ଏହା ଫଳରେ କଂଗ୍ରେସ ଏକ ପ୍ରତିନିଧିମୂଳକ ଅନୁଷ୍ଠାନରେ ପରିଣତ ହେଲା । ବାର୍ଷିକ ଚାନ୍ଦା ମାତ୍ର ଚାରିଅଣା ଥିବାରୁ ଏହାର ସଭ୍ୟସଂଖ୍ୟା ବହୁତ ବଢ଼ିଯାଇଥିଲା । ଏପରିକି ଏହା ମଧ୍ୟ ବାଧ୍ୟତାମୂଳକ ନଥିଲା । ସଭ୍ୟପଦ ପାଇଁ ପ୍ରଧାନ ଆବଶ୍ୟକତା ଥିଲା କଂଗ୍ରେସର ଲକ୍ଷ୍ୟ ଓ ନୀତିରେ ବିଶ୍ଵାସ । ଏହା ଫଳରେ ଦେଶର ନଗଣ୍ୟତମ ନାଗରିକ ମଧ୍ୟ ଦଳପ୍ରତି ଅନୁରକ୍ତ ହେଲା । ସଭ୍ୟପଦ ପାଇଁ ବୟସ–ସୀମା ଅଠର ଥିବାରୁ ଏଥିରେ ଯୁବକମାନେ ଭର୍ତ୍ତି ହୋଇଗଲେ-। ମୁସଲମାନ ତଥା ସ୍ତ୍ରୀଲୋକମାନଙ୍କ ସଭ୍ୟସଂଖ୍ୟା ମଧ୍ୟ ବଢ଼ିଗଲା । ୧୯୨୩ ସୁଦ୍ଧା ସହରିଆ ସଭ୍ୟଙ୍କଠାରୁ ଗାଉଁଲି ସଭ୍ୟଙ୍କ ସଂଖ୍ୟା ଦ୍ଵିଗୁଣ ହୋଇଯାଇଥିଲା । କେବଳ ସଭ୍ୟ ଗଠନର ସାମାଜିକତାରେ ନୁହେଁ, ନୀତି ଓ ଦୃଷ୍ଟିକୋଣରେ ମଧ୍ୟ ମୌଳିକ ପରିବର୍ତ୍ତନ ସଂଘଟିତ ହୋଇଥିଲା-। କେବଳ କଥାରେ ନୁହେଁ, କାର୍ଯ୍ୟତଃ ସଭ୍ୟମାନଙ୍କୁ ତ୍ୟାଗ ଓ ଆତ୍ମବଳି ପାଇଁ ପ୍ରତିଜ୍ଞାବଦ୍ଧ କରାଗଲା । ରାଜନୀତି କ୍ଷେତ୍ରରେ ସାମାଜିକତାର ପ୍ରତିଫଳନ ଦିଗରେ କଂଗ୍ରେସ ଅଗ୍ରଣୀ ହୋଇଥିଲା । ଏହା ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିଥିଲା; ଯଥା–ଖଦି, ଅସ୍ପୃଶ୍ୟତା ନିବାରଣ, ମଦ୍ୟପାନ ନିରୋଧ, ଜାତୀୟ ଶିକ୍ଷା ପ୍ରବର୍ତ୍ତନ । ହିନ୍ଦୀ ତଥା ଅନ୍ୟାନ୍ୟ ପ୍ରାଦେଶିକ ଭାଷାର ପ୍ରୟୋଗ ଫଳରେ ଶିକ୍ଷିତ ଓ ଅଶିକ୍ଷିତ ମଧ୍ୟରେ ବ୍ୟବଧାନ ଦୂରୀଭୂତ ହେଲା-। ‘ତିଳକ–ସ୍ଵରାଜ–ପାଣ୍ଠି’ ନାମରେ ପ୍ରତିଷ୍ଠିତ ପାଣ୍ଠିରେ ଛ’ମାସ ମଧ୍ୟରେ କୋଟିକରୁ ଅଧିକ ଟଙ୍କା ସଂଗୃହୀତ ହୋଇଥିଲା । ଏହା ସଂଗଠନର ଆର୍ଥିକ ଭିତ୍ତି ସୁଦୃଢ଼ କରିଥିଲା । ଏହିପରିଭାବେ ଜନସାଧାରଣଙ୍କ ସମର୍ଥନ ଉପରେ ପ୍ରତିଷ୍ଠିତ ଏକ ଧର୍ମନିରପେକ୍ଷ ଦଳ ଗୋଟିଏ ନୂଆ ଅସ୍ତ୍ର ଧରି ଗାନ୍ଧିଜୀଙ୍କ ନେତୃତ୍ଵରେ ସାମ୍ରାଜ୍ୟବାଦୀ ଶକ୍ତି ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲା ।

 

ନିର୍ବାଚନରୁ କଂଗ୍ରେସ–ପ୍ରାର୍ଥୀମାନେ ଓହରି ଯିବା ପରେ ବଏକଟ୍‍ ଉପରେ ଗୁରୁତ୍ଵ ଦିଆଗଲା । ଓକିଲମାନେ କଚେରି ବର୍ଜନ କଲେ; ଶିକ୍ଷାନୁଷ୍ଠାନ, ବିଦେଶୀ ବସ୍ତ୍ର, ମଦ୍ୟ ଦୋକାନମାନ ବର୍ଜିତ ହେଲା । ଦାସ ଘୋଷଣା କଲେ–“ପାଠପଢ଼ା ଡେରି ହେଲେ ଚଳିବ; କିନ୍ତୁ ସ୍ଵରାଜ ଆଗ ଲୋଡ଼ା ।’’ ବହୁ ଛାତ୍ର ସ୍କୁଲ୍, କଲେଜ ପରିତ୍ୟାଗ କଲେ । ଶିକ୍ଷକମାନେ ଇସ୍ତଫା ଦେଲେ । ଜାମିଆ ମିଲିଆ ଇସ୍‍ଲାମିଆ ଏବଂ କାଶୀ, ବିହାର ଓ ଗୁଜୁରାଟର ବିଦ୍ୟାପୀଠ ପରି ଜାତୀୟ ଶିକ୍ଷାନୁଷ୍ଠାନମାନ ପ୍ରତିଷ୍ଠା ହେଲା । ଏହିସବୁ ଅନୁଷ୍ଠାନରେ ଶିକ୍ଷକତା କରିଥିଲେ ନରେନ୍ଦ୍ରଦେବ, ରାଜେନ୍ଦ୍ର ପ୍ରସାଦ, ଜାକୀର ହୁସେନ ଏବଂ ସୁବାସଚନ୍ଦ୍ର ବୋଷ । ୧୯୨୧ ସେପ୍‍ଟେମ୍ବର ୩୦ ସୁଦ୍ଧା ବିଦେଶୀ ବସ୍ତ୍ର ସମ୍ପୂର୍ଣ୍ଣରୂପେ ବଏକଟ୍‍ କରିବାକୁ ସ୍ଥିର ହୋଇଥିଲା । ବିଂଶ ଶତାବ୍ଦୀର ପ୍ରଥମ ପାଦରେ ସ୍ଵଦେଶୀ ଆନ୍ଦୋଳନବେଳେ ଯେପରି ହୋଇଥିଲା, ସେପରି ଦୋକାନ ଆଗରେ ଧାରଣା ଦେବାକୁ ଓ ବିଦେଶୀ ବସ୍ତ୍ରରେ ଅଗ୍ନ୍ୟୁତ୍ସବ କରିବାକୁ ସିଦ୍ଧାନ୍ତ ହେଲା । ଜାତୀୟ ସ୍ଵେଚ୍ଛାସେବକଭାବେ ଛାତ୍ରସମାଜକୁ ସଙ୍ଗଠିତ କରାଗଲା । ସେମାନେ ଜାତୀୟ ଆନ୍ଦୋଳନର ପ୍ରଚାର କଲେ, ଚାନ୍ଦା ସଂଗ୍ରହ କଲେ, ସରକାର–ସମର୍ଥକମାନଙ୍କ ବିରୁଦ୍ଧରେ ଆନ୍ଦୋଳନ କଲେ, ଆପୋସ ନିଷ୍ପତ୍ତିପାଇଁ ବିଚାରାଳୟ ଚଳାଇଲେ ଏବଂ ବିଦେଶୀ ବସ୍ତ୍ର ଦୋକାନ ସମ୍ମୁଖରେ ଧାରଣା ଦେଲେ ।

 

ସାରା ଦେଶରେ ଗୋଟିଏ ଅଭୂତପୂର୍ବ ଉନ୍ମାଦନା ଖେଳିଗଲା । ବଡ଼ ସାନ, ନାରୀ, ପୁରୁଷ, ହିନ୍ଦୁ ମୁସଲମାନ ରକ୍ଷଣଶୀଳ ବା ଉଦାରବାଦୀ ବା ବିପ୍ଳବବାଦୀ ସମସ୍ତେ ସେଥିରେ ଭାସିଗଲେ । ସ୍ତ୍ରୀଲୋକମାନେ ପରଦା ଅନ୍ତରାଳରୁ ବହୁସଂଖ୍ୟାରେ ବାହାରି ଆସି ଆନ୍ଦୋଳନରେ ଯୋଗଦେଲେ, ଦେହରୁ ଅଳଙ୍କାର ଖୋଲି ତିଳକ–ପାଣ୍ଠିକୁ ଦାନ କଲେ ଏବଂ ହସି ହସି କାରାବରଣ କଲେ ।

 

ଖିଲାଫତ୍ କମିଟି ସୈନ୍ୟ ବିଭାଗରେ ଯୋଗ ନଦେବାକୁ ମୁସଲମାନମାନଙ୍କୁ ଉପଦେଶ ଦେଲେ । ଏହି କାରଣରୁ ଆଲି ଭ୍ରାତୃଗଣ ଗିରଫ୍ ହେଲେ । ପ୍ରତ୍ୟେକ ଭାରତୀୟଙ୍କୁ କଂଗ୍ରେସର ଆହ୍ଵାନ ହେଲା, କୌଣସିମତେ ସରକାରଙ୍କୁ ସାହାଯ୍ୟ କର ନାହିଁ । ଆନ୍ଦୋଳନ ତେଜିଉଠିବା ଦେଖି ବେକାର ଶ୍ରମିକଗଣ, କାରଖାନାର କର୍ମୀଗଣ ଏବଂ ସହରର ଦରିଦ୍ର ସମାଜ ସେଥିରେ ଯୋଗ ଦେଇଥିଲେ । ଶିଳ୍ପାଞ୍ଚଳରେ ଏବଂ ଆସାମର ଚା’ ବଗିଚାରେ କେତେକ ବଡ଼ ଧରଣର ଧର୍ମଘଟ ସଂଘଟିତ ହୋଇଥିଲା ।

 

ସୁଦୂର ପଲ୍ଲୀ ଅଞ୍ଚଳ ମଧ୍ୟ ଜାଗିଉଠିଥିଲା ଏବଂ ସେଠାରେ ନୂତନ ଉତ୍ସାହ ସଞ୍ଚାରିତ ହୋଇଥିଲା । ଖଜଣା ନଦେବାକୁ କଂଗ୍ରେସର ଆହ୍ଵାନ ନିପୀଡ଼ିତ କୃଷକସମାଜର ପ୍ରାଣ ଅଧିକ ସ୍ପର୍ଶ କରିଥିଲା । ମିଦନାପୁରର ଚାଷୀମାନେ ୟୁନିୟନ୍ ବୋର୍ଡ଼ କର ଦେବାକୁ ଅସ୍ଵୀକାର କଲେ ଏବଂ ପ୍ରଥମଥର ପାଇଁ ବଙ୍ଗଳାରେ କୃଷକ ସଭାମାନ ସଙ୍ଗଠିତ ହୋଇଥିଲା । ଗୁଣ୍ଟୁରରେ ଡୁଗ୍‍ଚିରାଲା ଗୋପାଳକିଷ୍ଣାୟାଙ୍କ ନେତୃତ୍ଵରେ ପରିଚାଳିତ ଆନ୍ଦୋଳନ ନୂତନ ପଥର ସନ୍ଧାନ ଦେଲା । ମ୍ୟୁନିସିପାଲଟି କର ଦେବାକୁ ଅମାନ୍ୟ କରି ଚିରାଲାର ସମସ୍ତ ଅଧିବାସୀ ଗୋଟିଏ ନୂଆ ସହର ବସାଇବାକୁ ଉଠିଗଲେ । ବିଜୟବାଡ଼ାରେ ସମାନ୍ତରାଳଭାବେ ସ୍ଵତନ୍ତ୍ର କାଉନ୍‍ସିଲ୍ ପ୍ରତିଷ୍ଠିତ କରାଗଲା । ପେଡ଼୍‍ଡ଼ା ନାଡ଼ିପାଡ଼ୁରେ ସମସ୍ତ ଗ୍ରାମ୍ୟ କର୍ମଚାରିଗଣ ଇସ୍ତଫା ଦେଲେ ଏବଂ ଶତକଡ଼ା ୯୫ ଜଣ ଖଜଣା ଦେବାକୁ ଅସ୍ଵୀକାର କଲେ । ଗୁଣ୍ଟୁର, କୃଷ୍ଣା ଓ ଗୋଦାବରୀ ଜିଲାରେ ଖଜଣା ନ ଦେବାକୁ ସ୍ଥିର କରାଗଲା । ପାଲନାଡ଼ରେ ଗୋଚର କର ଦେବାକୁ ମନା କରାଗଲା । ଆନ୍ଧ୍ରପ୍ରଦେଶ କଂଗ୍ରେସ କମିଟି ଏସବୁକୁ ସମର୍ଥନ କଲା ଏବଂ ଅହମଦାବାଦ କଂଗ୍ରେସରେ ଖଦି, ଅହିଂସା ଓ ହିନ୍ଦୁ ମୁସଲମାନ ମୈତ୍ରୀ ପାଳନ କରିବାକୁ ସର୍ତ୍ତ ରଖି ଏହାକୁ ସ୍ଵୀକୃତି ଦିଆଗଲା । ଏପରିକି ଗୁଣ୍ଟୁରରେ ଗାନ୍ଧିଜୀଙ୍କ ସର୍ତ୍ତାନୁସାରେ ରୟତମାନଙ୍କର ସ୍ଵାକ୍ଷର ସଂଗ୍ରହ କରାଗଲା । ଉତ୍ତରପ୍ରଦେଶର ରାୟବରେଲି ଓ ଫୈଜାବାଦରେ ସମସ୍ତ ପ୍ରକାର ଅନୁଚିତ ରାଜସ୍ୱ ଦେବାକୁ ବାରଣ କରାଗଲା । ଫଳରେ ଜମିଦାର ଓ ପୋଲିସ୍‍ମାନଙ୍କ ସହିତ ସଂଘର୍ଷ ହେଲା । ଅଦାଲତରୁ ଗିରଫ୍ ହୋଇଥିବା ଆସାମୀମାନଙ୍କୁ ମୁକ୍ତ କରିନେବାକୁ ଉଦ୍ୟମ କରାଗଲା । ଭାରତୀୟ ରାଜନୀତିରେ ନବପ୍ରବିଷ୍ଟ ଜବାହରଲାଲ ନେହେରୁ ଏସବୁ ଘଟଣାଦ୍ଵାରା ବହୁତ ପ୍ରଭାବିତ ହୋଇଥିଲେ । କେତେକ ଗୁରୁତ୍ୱପୂର୍ଣ୍ଣ ଖଣି ଅଞ୍ଚଳରେ ଧର୍ମଘଟ ହୋଇଥିଲା । ବିହାରରେ, ଛୋଟନାଗପୁରରେ ଆଦିବାସୀମାନଙ୍କ ତାନାଭଗତ ଆନ୍ଦୋଳନ ଚୌକିଦାରି କର ଏବଂ ଖଜଣା ନଦେବାକୁ ଧମକ ଦେଲେ । ଓଡ଼ିଶାରେ କନିକାର ପ୍ରଜାଗଣ ଅବୱାତ ନ ଦେବାକୁ ଘୋଷଣା କଲେ । ପଞ୍ଜାବରେ ଅକାଳୀ ସଙ୍ଗଠନ ଗୁରୁଦ୍ୱାରଗୁଡ଼ିକର ଦୁର୍ନୀତି ଲୋପପାଇଁ ଆନ୍ଦୋଳନ କଲେ । ରାଜନୈତିକ ସ୍ଵାଧୀନତାର ପ୍ରଥମ ପଦକ୍ଷେପସ୍ୱରୂପ ଧର୍ମାନୁଷ୍ଠାନଗୁଡ଼ିକ କରଗତ କରିବାପାଇଁ ଉଦ୍ୟମ ହେଲା । ମାଲାବାରରେ ପିଲାମାନେ ସ୍ଥାନୀୟ ଜମିଦାର ଓ ମହାଜନମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଦୁର୍ଭାଗ୍ୟତଃ ଏହା ସାମ୍ପ୍ରଦାୟିକ ଆନ୍ଦୋଳନରେ ପରିଣତ ହୋଇଥିଲା । ଯାହାହେଉ ଏତେବେଳେ ଗୋଟିଏ କଥା ସମସ୍ତେ ଉପଲବ୍ଧି କରିଥିଲେ ଯେ ଭାରତର ପଲ୍ଲୀ ଅଞ୍ଚଳରେ ସମସ୍ତ ଶକ୍ତି କେନ୍ଦ୍ରୀଭୂତ ଏବଂ ଏହାର ଯଥାର୍ଥ ବିନିଯୋଗ ହେଲେ ଦୁର୍ଦ୍ଦାନ୍ତ ବ୍ରିଟିଶରାଜ ସହଜରେ ଟଳିପଡ଼ିବ । ବ୍ରିଟିଶ ବସ୍ତ୍ର ବା ମଦ ବିକ୍ରି ନହେବାଦ୍ଵାରା ସରକାର ହୁଏତ ମୋଟେ ବିଚଳିତ ହୋଇ ନଥିଲେ । କିନ୍ତୁ ଯାହା ତାଙ୍କ ପକ୍ଷରେ ସବୁଠାରୁ ଆଶଙ୍କାଜନକ ହୋଇଥିଲା, ତାହା ହେଉଛି ସମଗ୍ର ଭାରତର ଜନଜାଗରଣ ।

 

ପ୍ରିନ୍‍ସ ଅଫ୍ ଉଏଲ୍‍ସଙ୍କ ଆଗମନୀ ବଏକଟ୍‍ କରିବା ଦିଗରେ ସବୁଠାରୁ ଅଧିକ ସଫଳତା ଲକ୍ଷ୍ୟ କରାଯାଇଥିଲା । ବମ୍ବେରେ ହରତାଳ ପାଳିତ ହୋଇଥିଲା ଏବଂ ସମୁଦ୍ରବେଳାରେ ଅନୁଷ୍ଠିତ ସଭାରେ ଗାନ୍ଧିଜୀ ବିଦେଶୀ ବସ୍ତ୍ରରେ ଅଗ୍ନ୍ୟୁତ୍ସବ କରିଥିଲେ । ଜନତା ପ୍ରାୟ ପ୍ରମତ୍ତ ହୋଇ ୟୁରୋପୀୟ ତଥା ରାଜଭକ୍ତ ପାର୍ଶୀମାନଙ୍କୁ ଆକ୍ରମଣ କରିଥିଲେ । କଲିକତା ଗୁଳିଚାଳନା ଓ ଦଙ୍ଗା ଫଳରେ ୫୩ ଜଣ ଲୋକ ନିହତ ହୋଇଥିଲେ । କଲିକତା ହରତାଳ ପୂର୍ଣ୍ଣାଙ୍ଗ ହୋଇଥିଲା; ମାତ୍ର ପୋଲିସ୍ ଓ ଖିଲାଫତ୍ ଆନ୍ଦୋଳନକାରୀଙ୍କ ସଂଘର୍ଷ ମଧ୍ୟରେ ଏହା ଶାନ୍ତିପୂର୍ଣ୍ଣ ହୋଇ ନଥିଲା ।

 

ସରକାର ଏପରି ପରିସ୍ଥିତିର ଚାପରେ ପଡ଼ି ଦମନନୀତି ଅବଲମ୍ବନ କରିବାକୁ ଦୃଢ଼ପରିକର ହେଲେ । କଂଗ୍ରେସ ଓ ଖିଲାଫତ୍ ସ୍ଵେଚ୍ଛାସେବୀ ସଙ୍ଗଠନଗୁଡ଼ିକୁ ବେଆଇନ ଘୋଷଣା କରାଗଲା । ସଭା–ସମିତି ଓ ଶୋଭାଯାତ୍ରା ଉପରେ ନିଷେଧାଜ୍ଞା ଜାରି ହେଲା । କୌଣସି ରାଜନୈତିକ ସଙ୍ଗଠନର ଅଭିବୃଦ୍ଧି ନିମନ୍ତେ ଯେଉଁ ବାଚନିକ ଓ ସାମାଜିକ ସ୍ଵାଧୀନତା ଏକାନ୍ତ ଆବଶ୍ୟକ, ଏହାଦ୍ଵାରା ତାହା ପ୍ରତିହତ ହେଲା । ଦାସ ଏହାର ପ୍ରତିବାଦ କରି ଆଇନଭଙ୍ଗ କରିବାକୁ ସିଦ୍ଧାନ୍ତ କଲେ । ସେ କହିଥିଲେ, “ମୁଁ ଅନୁଭବ କରୁଛି ମୋ ମଣିବନ୍ଧରେ ହାତକଡ଼ିର ପୀଡ଼ା ଏବଂ ସାରା ଶରୀର ଉପରେ ଲୌହ ଜଞ୍ଜିରର ଓଜନ । ସାରା ଭାରତ ଆଜି ଏକ ବିରାଟ ବନ୍ଦିଶାଳା....ମୁଁ ଗିରଫ୍ ହେବା ନ ହେବା ମଧ୍ୟରେ ତଫାତ୍ କେଉଁଠି ? ମୋର ଜୀବନ ଓ ମରଣ ମଧ୍ୟରେ ପ୍ରଭେଦ କାହିଁ ?’’ ତାଙ୍କ ସ୍ତ୍ରୀ ଓ ପୁଅ ଗିରଫ୍ ହେଲାପରେ ହଜାର ହଜାର ସ୍ଵେଚ୍ଛାସେବୀ ଆଗେଇ ଆସିଥିଲେ । କଲିକତାରେ ଜେଲଖାନା ଉଛୁଳିପଡ଼ିଲା । ଜେଲ ହେଲା ‘ଏକ ପବିତ୍ର ତୀର୍ଥଧାମ’ । ଉତ୍ତ୍ୟକ୍ତ ପୋଲିସ୍‍ବାହିନୀ ନିର୍ବିଚାରରେ ଆଘାତ କରିବାରେ ଲାଗିଲେ । ଦଳଦଳ ସ୍ଵେଚ୍ଛାସେବୀଙ୍କୁ ଗିରଫ୍ କରାଗଲା । କେତେ ମାସ ମଧ୍ୟରେ ପ୍ରାୟ ୩୦,୦୦୦ ଜାତୀୟତାବାଦୀ ବନ୍ଦିଶାଳାରେ ଆବଦ୍ଧ ହେଲେ । ନିଜେ ଦାସ ଗିରଫ୍ ହେବାକୁ ଆଗେଇଗଲେ ଏବଂ ମୋତିଲାଲ ନେହେରୁ, ଲଜପତରାୟ ଓ ଓଡ଼ିଶାର ଗୋପବନ୍ଧୁ ଦାଶ ତାଙ୍କର ଅନୁଗାମୀ ହେଲେ ।

 

୧୯୨୧ ଶେଷ ସୁଦ୍ଧା ଗାନ୍ଧିଜୀଙ୍କ ବ୍ୟତୀତ ସମସ୍ତ ଅଗ୍ରଗଣ୍ୟ ନେତାମାନେ ବନ୍ଦୀ ହୋଇଯାଇଥିଲେ । କଂଗ୍ରେସ କାର୍ଯ୍ୟକାରୀ କମିଟି କେତେକ ସର୍ତ୍ତରେ ପ୍ରତ୍ୟେକ ପ୍ରଦେଶରେ ଆଇନ–ଅମାନ୍ୟ ଆନ୍ଦୋଳନ କରିବାକୁ ସମ୍ମତି ଦେଇଥିଲେ । କିନ୍ତୁ ମପ୍‍ପିଲା ବିଦ୍ରୋହ ଓ ବମ୍ବେର ଦଙ୍ଗା ଗାନ୍ଧିଜୀଙ୍କୁ ବିବ୍ରତ କରିଥିଲା । ସେ ଧୀରେ ଧୀରେ ଆଗେଇବାକୁ ନିରାପଦ ଭାବିଥିଲେ । ସହରମାନଙ୍କରେ ଅହିଂସାର ବିଫଳତା ଦେଖି ସେ ଆନ୍ଦୋଳନର ପୃଷ୍ଠଭୂମି ପଲ୍ଲୀ ଅଞ୍ଚଳକୁ ସ୍ଥାନାନ୍ତରିତ କରିଥିଲେ । ଅହମଦାବାଦ କଂଗ୍ରେସ ବ୍ୟକ୍ତିଗତଭାବେ ତଥା ଗୋଷ୍ଠୀଗତଭାବେ ଆଇନ ଅମାନ୍ୟ କରିବାକୁ ସମ୍ମତି ଦେଲା । ୧୯୨୨ ଫେବୃଆରୀ ପହିଲାରେ ବଡ଼ଲାଟଙ୍କୁ ଗାନ୍ଧିଜୀ ତାଙ୍କର ଚରମପତ୍ର ପ୍ରଦାନ କଲେ–“ଦେଶ ସମ୍ମୁଖରେ କେବଳ ଅହିଂସାନୀତି ବ୍ୟତୀତ ଆଉ କୌଣସି ଶକ୍ତି ନାହିଁ, ଯାହା ବଳରେ କି ସେ ତା’ର ବାଚନିକ, ସାମାଜିକ ଓ ସାଙ୍ଗଠନିକ ସ୍ଵାଧୀନତା ସମେତ ଅନ୍ୟାନ୍ୟ ସକଳ ଦାବି ହାସଲ କରିପାରେ ।’’ ସେ ଏହାର ପରୀକ୍ଷା କରିବାପାଇଁ ବାଛିନେଲେ ଗୋଟିଏ ତାଲୁକ–ଗୁଜୁରାଟ ବର୍ଦ୍ଦୋଳି ।

 

ବର୍ଦ୍ଦୋଳିରେ ଆଇନ ଅମାନ୍ୟ ଆରମ୍ଭ ହେବା ପୂର୍ବରୁ ଉତ୍ତରପ୍ରଦେଶ ଚୌରିଚୌରାଠାରେ ଜନଗଣ ହିଂସାକାଣ୍ଡ ଭିଆଇଥିଲେ । ପୋଲିସ୍‍ବାହିନୀଙ୍କ ନିର୍ଦ୍ଦୟ ଗୁଳିଚାଳନାର ପ୍ରତ୍ୟୁତ୍ତରରେ କେତେକ କୃଷକ ଗୋଟିଏ ଥାନାରେ ନିଆଁ ଲଗାଇ ଦେଇଥିଲେ ଏବଂ ୨୨ ଜଣ ପୋଲିସ୍ ନିହତ ହୋଇଥିଲେ । କାର୍ଯ୍ୟକାରୀ କମିଟି ତୁରନ୍ତ ବର୍ଦ୍ଦୋଳିକୁ ଆସିଥିଲେ । ଗାନ୍ଧିଜୀଙ୍କ କଥାମତେ ସେଠି ଆଇନଅମାନ୍ୟ ଆନ୍ଦୋଳନ ବନ୍ଦ କରି ରଚନାତ୍ମକ କାର୍ଯ୍ୟକ୍ରମ ଗୃହୀତ ହୋଇଥିଲା ।

 

ବର୍ଦ୍ଦୋଳିରେ ଏପରି ସିଦ୍ଧାନ୍ତର ପରିବର୍ତ୍ତନ ଅନେକ ଜାତୀୟ ନେତାଙ୍କ ମନରେ ଆଘାତ ଦେଲା । ସୁଭାଷ ବୋଷ ଏହାକୁ ‘ଜାତୀୟ ଦୁର୍ଯୋଗ’ ବୋଲି ଅଭିହିତ କରିଥିଲେ । ଜବାହରଲାଲ ନେହେରୁ ତାଙ୍କ ଆତ୍ମ–ଜୀବନୀରେ ଏ ସମ୍ପର୍କରେ ଖୁବ୍ ହତଚକିତ ହୋଇଥିଲେ ବୋଲି ଉଲ୍ଲେଖ କରିଯାଇଛନ୍ତି । ଏମ୍. ଏନ୍. ରାୟ ଏହି ଘଟଣା ମଧ୍ୟରେ ଜନତା ତୁଳନାରେ ନେତୃବର୍ଗଙ୍କ ଦୁର୍ବଳତା ଅଧିକ ଉପଲବ୍ଧି କରିଥିଲେ । ଅନ୍ୟମାନେ ଗାନ୍ଧିଜୀଙ୍କୁ ଦୋଷ ଦେଇ କହିଥିଲେ ଯେ, ସେ ଜନତାର ଜାତୀୟ ଚେତନା ଅବଦମନ କରୁଛନ୍ତି ଓ ସେମାନଙ୍କ ଉପରେ ଉଚ୍ଚବର୍ଗର ଅଯଥାର୍ଥ ନିୟନ୍ତ୍ରଣ ଜାରି କରୁଛନ୍ତି ।

 

ଗାନ୍ଧିଜୀ ବଡ଼ କଷ୍ଟରେ ତାଙ୍କ ବିଚାରର ଯଥାର୍ଥତା ପ୍ରତିପାଦନ କରିଥିଲେ । ସେ ନେହେରୁଙ୍କୁ କହିଥିଲେ ଯେ, “ଯଦି ଏହି ଆନ୍ଦୋଳନ ବନ୍ଦ କରି ଦିଆଯାଇ ନଥାନ୍ତା, ତେବେ ଆମର ଅନୁସୃତ ଅହିଂସା ଆନ୍ଦୋଳନ ପରିବର୍ତ୍ତେ ସେଠାରେ ହିଂସାକାଣ୍ଡ ଅନୁଷ୍ଠିତ ହୋଇଥାନ୍ତା । ଆମେ ହଟି ଆସିବାଦ୍ଵାରା ଆନ୍ଦୋଳନର ମୂଳକାରଣ ଆହୁରି ଦୃଢ଼ୀଭୂତ ହେବ....ଆମେ ଘାଟରେ ନଙ୍ଗର ପକାଇ ଅପେକ୍ଷା କରି ରହିଛୁ ।’’ ବର୍ଦ୍ଦୋଳି ଆନ୍ଦୋଳନ ପୂର୍ବରୁ ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାତ୍ମକ ଆନ୍ଦୋଳନର ସେ ଅନେକ ଦୃଷ୍ଟାନ୍ତ ଦେଇଥିଲେ । ବାରମ୍ବାର ସ୍ଥଗିତ କରି ସେ ସତର୍କ କରିଦେଇଥିଲେ ଯେ ସତ୍ୟାଗ୍ରହର ପବିତ୍ରତା ହରାଇ ସ୍ଵରାଜ ଚାହାନ୍ତି ନାହିଁ । ସେ ଯେତେବେଳେ ବିନା ହାତହତିଆରରେ ଗୋଟିଏ ଶକ୍ତିଶାଳୀ ଶତ୍ରୁ ବିପକ୍ଷରେ ସଂଗ୍ରାମ କରିବାକୁ ଯାଉଥିଲେ, ସେ ଜାଣିଥିଲେ ଯେ ହିଂସାତ୍ମକ ନୀତି ଅବଲମ୍ବନ କଲେ ଜୟ ହେବ କାହାର ।

 

ପଶ୍ଚାଦ୍‍ଗତି

 

ଏହା ଧ୍ୟରେ ବଡ଼ଲାଟ ଲର୍ଡ଼ ରିଡ଼ିଙ୍ଗ୍ ଭିତରେ ଭିତରେ ଚେଷ୍ଟା ଚଳାଇଲେ କିପରି ଖଲିଫାଙ୍କ ସପକ୍ଷରେ ସେଭ୍ରେ–ସନ୍ଧିର ପରିବର୍ତ୍ତନ କରି କଂଗ୍ରେସ ଓ ଖିଲାଫତ୍ ସମର୍ଥକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବେ । ଆନ୍ଦୋଳନ ଭାଙ୍ଗିବା ପର୍ଯ୍ୟନ୍ତ ସେ ଗାନ୍ଧିଜୀଙ୍କୁ ଗିରଫ୍ କଲେ ନାହିଁ । ତାଙ୍କ ମତରେ ବର୍ଦ୍ଦୋଳିରେ ଗୃହୀତ ପ୍ରସ୍ତାବରୁ ପ୍ରମାଣିତ ହେଲା ଯେ ସଂଗଠନର କୌଣସି ନିଧାର୍ଯ୍ୟ ଲକ୍ଷ୍ୟ ନାହିଁ । ସେହିଠାରୁ ବିଭେଦ ସୃଷ୍ଟି ହେଲା, ଉତ୍ସାହ ଫିକା ପଡ଼ିଲା ଏବଂ ଦଳର ନେତାମାନେ ହତାଶ ଓ ଉତ୍ସାହହୀନ ହୋଇପଡ଼ିଲେ । ୧୯୨୨ ମାର୍ଚ୍ଚ ୧୦ରେ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରଚାର କରିଥିବା ଦାୟରେ ସେ ଗାନ୍ଧିଜୀଙ୍କୁ ଗିରଫ୍ କରାଇଲେ ।

 

ଗାନ୍ଧିଜୀ ଅଭିଯୋଗକୁ ସ୍ଵୀକାର କରି ଦୋଷ ମାନି ନେଇଥିଲେହେଁ ସେ ତାଙ୍କର କାର୍ଯ୍ୟାବଳୀ ବିଷୟରେ ଯେପରି ଯୁକ୍ତି ଉପସ୍ଥାପନ କରିଥିଲେ । ତଦ୍ଦ୍ଵାରା ତାଙ୍କର ବିଚାର ଏକ ଐତିହାସିକ ମହତ୍ତ୍ଵ ଅର୍ଜନ କରିଥିଲା । ତାଙ୍କ ବିବୃତିରେ ସେ ବିସ୍ତୃତଭାବେ ବୟାନ କରିଥିଲେ ଯେ ପ୍ରଥମେ ବ୍ରିଟିଶ ସରକାରଙ୍କ ଭକ୍ତ ଓ ପ୍ରଶଂସକ ଥିଲେହେଁ ସେ କିପରି ଓ କାହିଁକି ତାହାର ଜଣେ ନିଷ୍ଠୁର ସମାଲୋଚକ ଓ ବିରୋଧୀଭାବେ ରୂପାନ୍ତରିତ ହେଲେ । ସେ କହିଥିଲେ–

 

“ମୁଁ ଅନିଚ୍ଛାକୃତଭାବେ ଗୋଟିଏ ସିଦ୍ଧାନ୍ତରେ ଉପନୀତ ହେଉଛି ଯେ ବ୍ରିଟିଶ ସମ୍ପର୍କରେ ଆସିବାଦ୍ଵାରା ରାଜନୈତିକ ତଥା ଆର୍ଥିକ ଦୃଷ୍ଟିରୁ ଭାରତ ପୂର୍ବାବସ୍ଥାଠାରୁ ଅଧିକ ନିରାଶ୍ରିତ ହୋଇଛି-। ନିରସ୍ତ୍ର ଭାରତ ହାତରେ ଆକ୍ରମଣର ପ୍ରତିରୋଧ କରିବାପାଇଁ କୌଣସି ଶକ୍ତି ନାହିଁ...ସେ ଆଜି ଏତେ ଦରିଦ୍ର ଯେ ଦୁର୍ଭିକ୍ଷ ବିରୁଦ୍ଧରେ ଠିଆ ହେବାର ତା’ର ଶକ୍ତି ନାହିଁ...ଭାରତର ଅର୍ଦ୍ଧଭୁକ୍ତ ଜନସାଧାରଣ କିପରି କ୍ରମେ କ୍ରମେ ନିଷ୍ପ୍ରାଣ ହୋଇଯାଉଛନ୍ତି ତା’ର ଖବର ସହରବାସୀମାନଙ୍କୁ ଖୁବ୍ କମ୍ ଜଣାପଡ଼େ । ସେମାନେ ମଧ୍ୟ ଜାଣନ୍ତି ନାହିଁ ଯେ ବିଦେଶୀ ସରକାର ପକ୍ଷରୁ ଦଲାଲି ମାସୁଲସ୍ୱରୂପ ତାଙ୍କୁ ଯେଉଁ ସାମାନ୍ୟ ସୁଖ–ସୁବିଧା ମିଳେ, ସେହିତକ ମଧ୍ୟ ଜନସାଧାରଣଙ୍କ ମୁହଁରୁ ଛଡ଼ାଇ ଆଣି ତାଙ୍କୁ ଦିଆଯାଇଛି । ସେମାନେ କ’ଣ ଜାଣନ୍ତି ଯେ ଭାରତରେ ଆଇନତଃ ପ୍ରତିଷ୍ଠିତ ବ୍ରିଟିଶ ସରକାର ଜନଗଣଙ୍କ ଶୋଷଣ ଉପରେ ପ୍ରତିଷ୍ଠିତ ? କୌଣସି ପ୍ରକାର କୁତର୍କ ବା ଭୋଜବାଜିଦ୍ଵାରା କେହି ଉଡ଼ାଇଦେଇ ପାରିବ ନାହିଁ ଯେ ଗାଁ ଗଣ୍ଡାରେ ଯେଉଁ ନରକଙ୍କାଳମାନ ଆଖିଆଗରେ ପଡ଼େ ସେମାନଙ୍କ ସଂଖ୍ୟା ନଗଣ୍ୟ....ମୋ ମତରେ ଆଇନର ପ୍ରୟୋଗ ଜାଣତରେ ହେଉ କି ଅଜାଣତରେ ହେଉ, ଶୋଷକବର୍ଗଙ୍କ ଉପକାର ପାଇଁ ବ୍ୟଭିଚାରଗ୍ରସ୍ତ ହୋଇଛି-। ସବୁଠାରୁ ଦୁର୍ଭାଗ୍ୟର କଥା ଇଂରେଜ ଜନସାଧାରଣ କିମ୍ବା ତାଙ୍କର ଭାରତୀୟ ସହଚରଗଣ ଜାଣନ୍ତି ନାହିଁ ଯେ ମୁଁ ଯେଉଁ କୁକର୍ମର ବର୍ଣ୍ଣନା କରୁଛି ତାହା ସେମାନଙ୍କ ପାପର ଫଳ । ମୁଁ ଆନନ୍ଦରେ ସ୍ଵୀକାର କରୁଛି, ଅନେକ ଇଂରେଜ ଓ ଭାରତୀୟ କର୍ମଚାରୀଙ୍କ ମନରେ ପ୍ରତ୍ୟୟ ଜନ୍ମିଛି ଯେ ସେମାନେ ପୃଥିବୀପୃଷ୍ଠରେ ଆବିଷ୍କୃତ ସର୍ବୋନ୍ନତ ଶାସନ ପଦ୍ଧତି ଅବଲମ୍ବନ କରୁଛନ୍ତି ଏବଂ ଧୀର ମନ୍ଥରଗତିରେ ହେଲେବି ଏଥିରେ ଭାରତର ଉନ୍ନତି ଘଟିଛି । ସେମାନେ ଜାଣନ୍ତି ନାହିଁ ଯେ ଏକ ପକ୍ଷରେ ସୂକ୍ଷ୍ମ ଅଥଚ ସଫଳ ସନ୍ତ୍ରାସ ନୀତି ଓ ଶକ୍ତିର ସଂଗଠିତ ପରିପ୍ରକାଶ ଏବଂ ଅନ୍ୟପକ୍ଷରେ ପ୍ରତ୍ୟାଘାତ ବା ଆତ୍ମରକ୍ଷା ପାଇଁ ଶକ୍ତିର ଏକାନ୍ତ ଅଭାବ ଭାରତୀୟ ଜନତାକୁ ହୀନବୀର୍ଯ୍ୟ କରି ଏକ ଛଦ୍ମ ଘଟାଟୋପ ମଧ୍ୟରେ ଆତ୍ମଗୋପନ କରିବାକୁ ଶିକ୍ଷା ଦେଇଛି ।’’

 

ସର୍ବଶେଷରେ ସେ କହିଥିଲେ ଯେ ତାଙ୍କର ବିଶ୍ଵାସ, ଭଲଲୋକଙ୍କ ସହିତ ସହଯୋଗ କରିବା ଯେପରି କାମ୍ୟ, ଦୁଷ୍ଟଙ୍କ ସହିତ ଅସହଯୋଗ କରିବା ସେପରି କର୍ତ୍ତବ୍ୟ । ସେ ବିଚାରାଳୟରେ ଦାବି କରିଥିଲେ ଯେ, “ଯାହା ମୁଁ ମୋ ଦୃଷ୍ଟିରେ ଜଣେ ନାଗରିକର କର୍ତ୍ତବ୍ୟ ବୋଲି କରିଛି ଅଥଚ ଯାହା ଆଇନ ଦୃଷ୍ଟିରୁ ଏକ ନିର୍ଜଳା ଅପରାଧ ବୋଲି ବିଚାର୍ଯ୍ୟ, ସେଥିପାଇଁ ସର୍ବୋଚ୍ଚ ଦଣ୍ଡ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ।’’

 

ଏହି ମକଦ୍ଦମାର ବିଚାରକ ଜଜ୍ ବ୍ରୁମଫିଲ୍‍ଡ଼ ସ୍ଵୀକାର କରିଥିଲେ ଯେ, “ଦେଶର ଅଗଣିତ ଜନତା ଆଖିରେ ଆପଣ ଜଣେ ବିଖ୍ୟାତ ନେତା ଏବଂ ଦେଶପ୍ରେମୀ; କିନ୍ତୁ ଆଇନ ନିକଟରେ ଆପଣ ନିଜକୁ ନିଜେ ଦୋଷୀ ସାବ୍ୟସ୍ତ କରିଛନ୍ତି ।’’ ଗାନ୍ଧିଜୀଙ୍କୁ ଛ’ବର୍ଷ ଜେଲଦଣ୍ଡ ଦିଆଗଲା, ଯେପରିକି ୧୯୦୮ରେ ଲୋକମାନ୍ୟ ତିଳକଙ୍କୁ ଦିଆଯାଇଥିଲା ।

 

ଅଧିକାଂଶ ନେତା ଜେଲ ଯିବା ଫଳରେ ଗଣଭିତ୍ତିକ ଆଇନ–ଅମାନ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରାଥମିକ ଅସହଯୋଗ ଆନ୍ଦୋଳନର ସମାପ୍ତି ଘଟିଲା । ତା’ ପରେ ପରେ ଖିଲାଫତ୍ ବିଷୟ ମଧ୍ୟ ଗୁରୁତ୍ଵ ହରାଇଲା । ତୁର୍କୀରେ ମୁସ୍ତାଫା କେମାଲ ପାଶା ଶାସନାଧିକାର ଲାଭ କଲେ ଏବଂ ୧୯୨୨ ନଭେମ୍ବରରେ ସୁଲତାନଙ୍କଠାରୁ ସମସ୍ତ ରାଜନୈତିକ କ୍ଷମତା କାଢ଼ିନିଆଗଲା । କେମାଲ ପାଶା ତୁର୍କୀକୁ ଗୋଟିଏ ଆଧୁନିକ ଏବଂ ଧର୍ମ–ନିରପେକ୍ଷ ରାଷ୍ଟ୍ରରୂପେ ଗଢ଼ିବାକୁ ଉଦ୍ୟମ କଲେ । ଖଲିଫା ପ୍ରଥା ଲୋପପାଇଲା ।

 

ଖିଲାଫତ୍ ଆନ୍ଦୋଳନ ଏବଂ ତତ୍‍ସହିତ ଜାତୀୟ ଆନ୍ଦୋଳନକୁ ଜଡ଼ିତ କରିବାରେ ଗାନ୍ଧିଜୀ ଏବଂ ଅନ୍ୟ କଂଗ୍ରେସ ନେତାମାନଙ୍କ ଭୂମିକା ସମ୍ପର୍କରେ କାହାର ଦ୍ଵିମତ ନାହିଁ । ଅନେକେ ଭାବନ୍ତି, ଏହା ଥିଲା ଏକ ଭ୍ରାନ୍ତ ଏବଂ ବିପରୀତମୁଖୀ ସିଦ୍ଧାନ୍ତ; କାରଣ ଏହାଦ୍ଵାରା ହିନ୍ଦୁ–ମୁସଲମାନ ଏକତା ତ ଆସିଲା ନାହିଁ; ବରଂ ରାଜନୈତିକ କ୍ଷେତ୍ରରେ ଧର୍ମର ଅନୁପ୍ରବେଶ ଘଟିଲା । ଖିଲାଫତ୍ ଆନ୍ଦୋଳନ ସମ୍ପୂର୍ଣ୍ଣ ଭୁଲ ହୋଇଥିଲା । କିନ୍ତୁ ଆଉ କେତେକ ଭାବନ୍ତି, ଏହି ଆନ୍ଦୋଳନ ଫଳରେ ଜାତୀୟ ନେତାମାନେ ମୁସଲମାନମାନଙ୍କ ମନରେ ପ୍ରତ୍ୟୟ ଜନ୍ମାଇପାରିଥିଲେ ଯେ ସେମାନଙ୍କ ସମସ୍ୟା ସହିତ ମଧ୍ୟ ସମଗ୍ର ଜାତି ଜଡ଼ିତ । ଏହି ପରିସ୍ଥିତିର ଉପଯୁକ୍ତ ସୁଯୋଗ ନେବା ଠିକ୍ ହୋଇଥିଲା ।

 

ଅତୀତକୁ ବିଶ୍ଳେଷଣ କଲେ ସ୍ପଷ୍ଟ ଜଣାଯାଏ ଯେ ଖିଲାଫତ୍ ଆନ୍ଦୋଳନହିଁ ସହରାଞ୍ଚଳର ମୁସଲମାନଙ୍କୁ ଜାତୀୟ ଆନ୍ଦୋଳନ ଭିତରକୁ ଟାଣିଆଣିଥିଲା ଏବଂ ଏଥିଯୋଗୁଁ ସେତେବେଳେ ବହୁ ଲୋକଙ୍କ ମଧ୍ୟରେ ଜାତୀୟତାବୋଧ ଏବଂ ବିପୁଳ ଉତ୍ସାହ ଜାଗ୍ରତ ହୋଇଥିଲା-। ଗୋଟିଏ ସମ୍ପ୍ରଦାୟର ନ୍ୟାଯ୍ୟ ଦାବି ପ୍ରତି ସମର୍ଥନ ଜଣାଇବାଦ୍ଵାରା ନୀତିଗତଭାବେ କିଛି ଭୁଲ ହୋଇଥିଲା ପରି ମନେ ହୁଏ ନାହିଁ । ଉଭୟ କଂଗ୍ରେସ ଓ ଖିଲାଫତ୍ ଆନ୍ଦୋଳନରେ ସବୁଠାରୁ ଲକ୍ଷଣୀୟ ବିଷୟ ଥିଲା ସାମ୍ରାଜ୍ୟବାଦ–ବିରୋଧୀ ମନୋଭାବ । ଏହି ମାନସିକ ସାମ୍ୟଭାବ ଯଦି ସାମ୍ରାଜ୍ୟବାଦ ବିରୁଦ୍ଧରେ ମିଳିତ ସଂଗ୍ରାମ କରିବାରେ ତଥା ସମଗ୍ର ଦେଶର ରାଜନୈତିକ ଓ ଆର୍ଥିକ ଉନ୍ନତି ଦିଗରେ ମିଳିତ ଉଦ୍ୟମ କରିବାରେ ସହାୟକ ହୋଇଥାଏ, ତେବେ ଏଥିରେ କିଛି ଭୁଲ ନାହିଁ । ସରକାରଙ୍କ ଦମନ–ନୀତି ଏବଂ ତୁର୍କୀରେ ଅବସ୍ଥାର ପରିବର୍ତ୍ତନ ଆନ୍ଦୋଳନର ଚରମ ଲକ୍ଷ୍ୟଭ୍ରଷ୍ଟ କରି ଦେଇଥିଲା; ଯଦିଓ ଜାତୀୟ ନେତୃତ୍ଵ ତୁର୍କୀରେ ଗୋଟିଏ ଧର୍ମ-ନିରପେକ୍ଷ ସାମ୍ରାଜ୍ୟବାଦ ବିରୋଧୀ ସରକାର ପ୍ରତିଷ୍ଠାକୁ ଆନ୍ତରିକ ସ୍ଵାଗତ ଜଣାଇଥିଲା ।

 

ପ୍ରଥମ ଅସହଯୋଗ ଆନ୍ଦୋଳନ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ବୋଲି କହିବା ଭୁଲ ହେବ । ଏହା ନିଶ୍ଚିତରୂପେ ଦେଶର ଅର୍ଥନୈତିକ ସମସ୍ୟା ଏବଂ ତା’ର ମୂଳ ରାଜନୈତିକ କାରଣ, ଅର୍ଥାତ୍ ସାମ୍ରାଜ୍ୟବାଦ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିପାରିଥିଲା । ଏପରିକି ଅଶିକ୍ଷିତ ଅସାଧାରଣ ଗ୍ରାମ୍ୟ ଲୋକ ଉପଲବ୍ଧି କରିଥିଲା ଯେ ସବୁ ଦୁର୍ଦ୍ଦଶା ଅପମୋଦନ କରିବାର ଏକମାତ୍ର ଉପାୟ ‘ସ୍ଵରାଜ’ । ସେମାନେ ଜାତୀୟ ସଂଗ୍ରାମରେ ଯୋଗଦେବା ପାଇଁ ପର୍ଯ୍ୟାପ୍ତ ମାନସିକ ସ୍ଵାଧୀନତା ଅନୁଭବ କରିଥିଲେ । ବ୍ରିଟିଶ ସରକାର ପ୍ରତି ଭୟ ଭାଙ୍ଗିଯାଇଥିଲା । ସାଧାରଣ ଲୋକେ–ନାରୀ ପୁରୁଷ, ଧନୀ ଦରିଦ୍ର ସରକାରଙ୍କୁ ଅମାନ୍ୟ କରି ଦୁଃଖ ଓ ଦଣ୍ଡ ବରଣ କରିବାକୁ ଶଙ୍କିତ ହୋଇ ନଥିଲେ । ଅସ୍ପୃଶ୍ୟତା ଓ ମଦ୍ୟପାନ ପ୍ରଭୃତି ସାମାଜିକ କଳଙ୍କ ପ୍ରତି ସମସ୍ତେ ସଚେତନ ହୋଇଥିଲେ । ଖଦି ଉପରେ ଗୁରୁତ୍ଵ ପ୍ରଦାନଦ୍ଵାରା ଗ୍ରାମ୍ୟାଞ୍ଚଳର ଅଭାବ ସଂକ୍ରାନ୍ତରେ ଏକ ବାସ୍ତବ ମୂଲ୍ୟାୟନ ହୋଇଥିଲା । ପ୍ରତ୍ୟକ୍ଷଭାବେ ବିଦେଶୀ ଶାସକ ଓ ସରକାରଙ୍କୁ ଅମାନ୍ୟ କରିବା ଫଳରେ ସେମାନଙ୍କ ମନରେ ଏପରି ଆତ୍ମବିଶ୍ଵାସ ଓ ଆତ୍ମସମ୍ମାନବୋଧ ଜାଗ୍ରତ ହୋଇଥିଲା ଯେ ସମସ୍ତ ପୂର୍ବ ପରାଭବଜନିତ ଗ୍ଳାନି ଦୂରୀଭୂତ ହୋଇଥିଲା । ଗାନ୍ଧିଜୀ ଠିକ୍ ବୁଝିଥିଲେ ଯେ ତାଙ୍କ ସତ୍ୟାଗ୍ରହର ଶକ୍ତି ଏହିଠାରେହିଁ ନିହିତ ଥିଲା । ପ୍ରଥମ ବିଫଳତା ଆଦୌ ବିବ୍ରତ କରି ନଥିଲା; କାରଣ ଏହା ଥିଲା ସାମୟିକ । ଗାନ୍ଧିଜୀ ନିଜେ ବୁଝାଇ ଦେଇଥିଲେ ଯେ “୧୯୨୦ରେ ଯେଉଁ ସଂଗ୍ରାମର ସୂତ୍ରପାତ ହେଲା ତାହା ଶେଷ ପର୍ଯ୍ୟନ୍ତ ଚାଲୁରହିବ–ମାସେ ଲାଗୁ କି ବର୍ଷେ ଲାଗୁ, ଅନେକ ମାସ କି ଅନେକ ବର୍ଷ ଲାଗୁ ।’’

 

ସ୍ଵରାଜବାଦୀ

 

ଯେତେବେଳେ ଗଣଭିତ୍ତିକ ଆଇନ–ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହାର କରିନିଆଗଲା ସେତେବେଳେ ନୈରାଶ୍ୟ ଦେଖାଦେଲା ଏବଂ ତା’ ଫଳରେ ଜାତୀୟ ଆନ୍ଦୋଳନରେ ଉତ୍ସାହ କମିଗଲା । ଲୋକମାନେ ମୋହମୁକ୍ତ ହେଲା ପରି ସତ୍ୟାଗ୍ରହର ଯଥାର୍ଥତା ବିଷୟରେ ସନ୍ଦେହ ପ୍ରକାଶ କଲେ । ଲକ୍ଷ ଲକ୍ଷ ଲୋକଙ୍କୁ ଅସହଯୋଗର ଶିକ୍ଷା ଦେବା କ’ଣ ସମ୍ଭବ ? ଯଦିବି ସମ୍ଭବ ହୁଏ, ସେଥିରେ କେତେ ସମୟ ଲାଗିବ ? ଅଧିକାଂଶ ନେତା ଜେଲରେ ଥିବାରୁ ଦଳର କର୍ମୀବୃନ୍ଦ ବିଶୃଙ୍ଖଳିତ ହୋଇଯାଇଥିଲେ ।

 

ଏହି ଅବସ୍ଥାରେ ନୂତନ ନେତୃତ୍ଵ ନେଲେ ସି. ଆର୍. ଦାସ ଓ ମୋତିଲାଲ ନେହେରୁ । ଯେତେବେଳେ ଆଇନ ଅମାନ୍ୟ ଅନୁସନ୍ଧାନ କମିଟି ମତ ଦେଲେ ଯେ ଦେଶ ବର୍ତ୍ତମାନ ଏଥିପାଇଁ ପ୍ରସ୍ତୁତ ହୋଇନାହିଁ ଏବଂ ରଚନାତ୍ମକ କାର୍ଯ୍ୟକ୍ରମ ପାଇଁ ସ୍ୱଳ୍ପ ସମର୍ଥନ ମିଳିଛି, ସେତେବେଳେ ସି. ଆର୍. ଦାସ ଓ ମୋତିଲାଲ ନେହେରୁ ପରାମର୍ଶ ଦେଲେ ବିଧାନସଭା ବର୍ଜନ କରିବା ପରିବର୍ତ୍ତେ କାଉନ୍‍ସିଲ୍ ସହିତ ଅସହଯୋଗ ଚଳାଇବା ଶ୍ରେୟସ୍କର । ସେମାନଙ୍କର ନିର୍ଦ୍ଦେଶ ହେଲା କାଉନ୍‍ସିଲ୍‍ରେ ରହି ଭିତରୁ ଭିତରୁ ଶାସନ–ସଂସ୍କାର ପ୍ରସ୍ତାବକୁ ପଣ୍ଡ କରିବା । ଅବଶ୍ୟ କେତେ ଜଣ ଏହି ପରାମର୍ଶକୁ ତତ୍‍କ୍ଷଣାତ୍ ସ୍ଵୀକୃତି ପ୍ରଦାନ କଲେ; ମାତ୍ର ରାଜଗୋପାଳାଚାରୀ, ରାଜେନ୍ଦ୍ର ପ୍ରସାଦ ଓ ବଲ୍ଲଭଭାଇ ପଟେଲ ପ୍ରମୁଖ ନୈଷ୍ଠିକ ଗାନ୍ଧୀବାଦୀଗଣ ବଏକଟ୍‍ ଚଳାଇବା ପାଇଁ ମତ ଦେଲେ । ଏହାରି ଉପରେ ବିଭକ୍ତ ଦୁଇ ପକ୍ଷଙ୍କୁ ପରିବର୍ତ୍ତନ–ବାଦୀ ଓ ସ୍ଥାଣୁବାଦୀ ବୋଲି ନାମ ଦିଆଗଲା । ୧୯୨୨ ଡିସେମ୍ବରରେ ଗୟା କଂଗ୍ରେସବେଳେ ଏହି ପ୍ରଶ୍ନ ଉପରେ ବିତର୍କ ହେଲା । ସଭାପତିଭାବେ ସି. ଆର୍. ଦାସ କାଉନ୍‍ସିଲ୍‍ରେ ଯୋଗଦେବା ସପକ୍ଷରେ ଦୃଢ଼ଯୁକ୍ତି ବାଢ଼ିଲେ; କିନ୍ତୁ ରାଜାଜୀଙ୍କ ଦଳ ବିଜୟୀ ହେଲା । ସି. ଆର୍. ଦାସ ଇସ୍ତଫା ଦେଇଦେଲେ ଏବଂ ମୋତିଲାଲ ନେହେରୁ, ବିଠଲଭାଇ ପଟେଲ, ମାଲବୀୟ ଓ ଜୟକାରଙ୍କ ସହଯୋଗରେ କଂଗ୍ରେସ ପରିସର ଭିତରେ ଗୋଟେ ନୂଆ ଦଳ ଗଠନ କଲେ । ଏହାର ନାମ ହେଲା ‘କଂଗ୍ରେସ–ଖିଲାଫତ୍ ସ୍ଵରାଜଦଳ’ । ସି. ଆର୍ . ଦାସ ସଭାପତି ହେଲେ ଏବଂ ମୋତିଲାଲ ନେହେରୁ ଜଣେ ସମ୍ପାଦକଭାବେ ରହିଲେ ।

 

ଏହି ନୂଆ ଦଳ ଅହିଂସା ଓ ଅସହଯୋଗର ମୌଳିକ ନୀତିଗୁଡ଼ିକ ଗ୍ରହଣ କଲେ । ଏମାନେ ସମ୍ବିଧାନ ପ୍ରଣୟନ ପାଇଁ ଅଧିକାର ଦାବି କରିବାକୁ ପ୍ରସ୍ତାବ କଲେ ଏବଂ ଏହା ନପାଇଲେ ବିଧାନସଭା ଓ କାଉନ୍‍ସିଲ୍ ଭିତରୁ ସରକାରକୁ ଅଚଳ କରିଦେବା ପାଇଁ ବିଧିବଦ୍ଧ ନିରବଚ୍ଛିନ୍ନ ବାଧା ସୃଷ୍ଟି କରିବାକୁ ନିର୍ଣ୍ଣୟ କଲେ । ମୋତିଲାଲଙ୍କ ଦୃଢ଼ତା ଓ ବାସ୍ତବବୋଧ ସହିତ ସି. ଆର୍. ଦାସଙ୍କ କଳ୍ପନା ଓ ଭାବପ୍ରବଣତାର ସମନ୍ଵୟରେ ସେମାନେ ଦୃଢ଼ରୂପେ ପ୍ରତିଷ୍ଠିତ ହେଲେ-। ୧୯୨୩ ନଭେମ୍ବର ନିର୍ବାଚନରେ ଲଢ଼ି ମାତ୍ର ଅଳ୍ପ ସମୟର ସଂଗଠନ ବଳରେ ଉଦାରପନ୍ଥୀମାନଙ୍କୁ ମୂଳପୋଛ କରିଦେଲେ । ମଧ୍ୟ-ପ୍ରଦେଶରେ ସେମାନେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲେ । ବଙ୍ଗଳା କାଉନ୍‍ସିଲ୍‍ରେ ତାଙ୍କ ଦଳ ଥିଲା ପ୍ରଥମ ଏବଂ ଯୁକ୍ତ-ପ୍ରଦେଶ ଓ ଆସାମରେ ଥିଲା ଦ୍ଵିତୀୟ । ଅନ୍ୟାନ୍ୟ ପ୍ରଦେଶରେ ଅବଶ୍ୟ ସେମାନେ ଏତେ ଭଲ କରି ନଥିଲେ । କେନ୍ଦ୍ର ବିଧାନସଭାର ସର୍ବମୋଟ ୧୦୧ ସ୍ଥାନରୁ ସେମାନେ ୪୨ଟି ସ୍ଥାନ ଅଧିକାର କରିଥିଲେ ।

 

କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସ୍ଥାଣୁ–ବାଦୀଗଣ ସ୍ଵରାଜବାଦୀଙ୍କ ଯୁକ୍ତିରେ ଆସ୍ଥାବାନ ହୋଇ ନଥିଲେ । ଦୁଇପକ୍ଷ ମଧ୍ୟରେ ଭୀଷଣ ରାଜନୈତିକ ସଂଘର୍ଷ ଲାଗିରହିଲା । କିନ୍ତୁ ଉଭୟପକ୍ଷ କଂଗ୍ରେସ ତଥା ଗାନ୍ଧିଜୀଙ୍କ ପ୍ରତି ଅନୁରକ୍ତ ଥିଲେ ଏବଂ ଉଭୟ ଥିଲେ ସାମ୍ରାଜ୍ୟବାଦୀ–ବିରୋଧୀ, ଚିନ୍ତାରେ ଓ କାମରେ ଏକାନ୍ତ ଦେଶଭକ୍ତ । ତେଣୁ କାଉନ୍‍ସିଲ୍‍ରେ ଯୋଗଦେବା ପ୍ରସଙ୍ଗରେ ଉଭୟ ଦଳ ମଧ୍ୟରେ ବିରୋଧ ଥିବା ସତ୍ତ୍ୱେ ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସଦ୍‍ଭାବ ଥିଲା ଏବଂ ଦଳର ଐକ୍ୟ ପ୍ରତି କୌଣସି ବାଧା ଆସି ନଥିଲା ।

 

କେନ୍ଦ୍ର ବିଧାନ ସଭାରେ ସ୍ଵରାଜବାଦୀମାନେ ୩୦ ଜଣ ଉଦାରପନ୍ଥୀ ଓ ମୁସଲମାନ ସଭ୍ୟଙ୍କ ସହିତ ‘ଜାତୀୟତାବାଦୀ ଦଳ’ ନାମରେ ଗୋଟିଏ ମିଳିତ ଦଳ ଗଠନ କଲେ । ପ୍ରାଦେଶିକ ବିଧାନସଭାମାନଙ୍କରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଅନୁସରଣ କଲେ । ସେମାନଙ୍କ ଦାବି ଥିଲା–ସମସ୍ତ ରାଜନୈତିକ ବନ୍ଦୀମାନଙ୍କ ମୁକ୍ତି, ଦମନମୂଳକ ଆଇନ ପ୍ରତ୍ୟାହାର ପ୍ରାଦେଶିକ ସ୍ୱାୟତ୍ତ–ଶାସନ ପ୍ରବର୍ତ୍ତନ ଏବଂ ତୁରନ୍ତ ଗୋଲଟେବୁଲ ବୈଠକ ଡାକି କାଉନ୍‍ସିଲ୍‍ଦ୍ଵାରା ଶାସନ ପରିଚାଳନା ପାଇଁ ଯୋଜନା ପ୍ରଣୟନ । ସରକାର ଏହା ଗ୍ରହଣ ନକଲେ ଆଦାୟ ସଂକ୍ରାନ୍ତ ବ୍ୟାପାରରେ ଭୋଟ ବର୍ଜନ କରି ସେମାନେ ଶାସନକଳକୁ ଅଚଳ କରିଦେବାକୁ ଧମକ ଦେଇଥିଲେ ।

 

ପ୍ରଥମେ ପ୍ରଥମେ ଉଦାରପନ୍ଥୀମାନେ ତଥା ହିନ୍ଦୁ ଓ ମୁସଲମାନ ସାମ୍ପ୍ରଦାୟିକ ନେତାମାନେ ଅଟକବନ୍ଦୀ ଓ ରାଜନୈତିକ କଏଦୀମାନଙ୍କୁ ମୁକ୍ତିଦାନ ଏବଂ ଦମନମୂଳକ ଆଇନ ପ୍ରତ୍ୟାହାର ସଂକ୍ରାନ୍ତୀୟ ପ୍ରସ୍ତାବଗୁଡ଼ିକ ଉପସ୍ଥାପନା କରିବା ଦିଗରେ କେନ୍ଦ୍ର ବିଧାନସଭାରେ ସ୍ଵରାଜବାଦୀଙ୍କ ସହିତ ସହଯୋଗ କରିଥିଲେ । ୧୯୨୫ ମାର୍ଚ୍ଚରେ ଗୁଜୁରାଟବାସୀ ବିଖ୍ୟାତ ଜାତୀୟତାବାଦୀ ନେତା ବିଠଲଭାଇ ପଟେଲଙ୍କୁ କେନ୍ଦ୍ର ବିଧାନସଭାର ସଭାପତି ପଦରେ ନିର୍ବାଚିତ କରାଇପାରିଥିଲେ । କିନ୍ତୁ ସ୍ଵରାଜବାଦୀମାନେ ବିଶେଷ କିଛି ହାସଲ କରିବାକୁ ସମର୍ଥ ହେଲେ ନାହିଁ ଏବଂ ୧୯୨୬ ମାର୍ଚ୍ଚରେ କେନ୍ଦ୍ର ବିଧାନ ଗୃହରୁ ପ୍ରତିବାଦ କରି ବାହାରି ଆସିଲେ । ମୋତିଲାଲ କହିଥିଲେ–“ଆମର ସହଯୋଗ କାମନା ଅବାଞ୍ଛିତଭାବେ ନିଗୃହୀତ ହେଲା; ତେଣୁ ବର୍ତ୍ତମାନ ଲକ୍ଷ୍ୟ ସାଧନପାଇଁ ନୂତନ ପନ୍ଥା ନିର୍ଦ୍ଧାରଣ କରିବା ଆମର କର୍ତ୍ତବ୍ୟ ।’

 

ବିଲାତରେ ୧୯୨୩ରେ ପ୍ରତିଷ୍ଠିତ ଶ୍ରମିକ–ସରକାର କ୍ଷଣସ୍ଥାୟୀ ହୋଇଥିଲା । ସେମାନଙ୍କ ଶାସନକାଳରେ ମଧ୍ୟ ଭାରତ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ନଥିଲା । ବାଲ୍‍ଡ଼ଉଇନଙ୍କ ନେତୃତ୍ଵରେ ପୁନଃ ପ୍ରତିଷ୍ଠିତ ରକ୍ଷଣଶୀଳ–ସରକାର ଇଣ୍ଡିଆ ଅଫିସ୍ ଦାୟିତ୍ଵ ଦେଲେ ଲର୍ଡ଼ ବିର୍‍ କେନହେଡ଼ଙ୍କ ହାତରେ । ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟମାନଙ୍କ ପରି ସେ ବି ଭାବିଥିଲେ ଯେ ୧୯୧୮ ଶାସନ–ସଂସ୍କାରରେ ବହୁତ କିଛି ସୁବିଧା ଦିଆଯାଇଛି; ତେଣୁ ଆଉ କିଛି କରିବା ଅବାଞ୍ଛନୀୟ । ଭାରତ କିପରି ଗୋଟିଏ ସ୍ଵତନ୍ତ୍ର ରାଷ୍ଟ୍ର ହେବାପାଇଁ ଯୋଗ୍ୟ ହୋଇପାରେ ତାହା ସେ ଆଦୌ ଅବଧାରଣା କରିପାରୁ ନଥିଲେ । ୧୯୧୯ର ଆଇନଦ୍ଵାରା ଅବସ୍ଥାର ପୁନର୍ପରୀକ୍ଷା ନିମିତ୍ତ ଯେଉଁ ଦଶବର୍ଷିଆ ମିଆଦ ପ୍ରସ୍ତାବିତ ହୋଇଥିଲା, ସେ ଦୃଢ଼ଭାବେ ସେଇ କଥାକୁ ଧରିବସିଲେ ।

 

ଏଣେ ରାଜନୈତିକ ଅକର୍ମଣ୍ୟତା ଓ ବିଫଳତା ଯୋଗୁଁ ଦେଶରେ ସାମ୍ପ୍ରଦାୟିକ ମନୋବୃତ୍ତି ପରିପୁଷ୍ଟ ହୋଇଥିଲା; ଏପରିକି ସ୍ଵରାଜବାଦୀମାନେ ସାମ୍ପ୍ରଦାୟିକତାଭାବରେ ଆକ୍ରାନ୍ତ ହୋଇପଡ଼ିଥିଲେ । ମଦନମୋହନ ମାଲବୀୟ, ଲାଲା ଲଜପତରାୟ, ଏନ. ସି. କେଲକାରଙ୍କ ସମେତ କେତେଜଣ ଗୋଟିଏ ‘ପ୍ରତିବେଦନଶୀଳ’ ଗୋଷ୍ଠୀ ଗଠନ କରି ସରକାରଙ୍କ ସହିତ ସହଯୋଗ କରିବାକୁ ଆଗେଇ ଆସିଲେ । ସେମାନେ କହୁଥିଲେ ଯେ ଏହାଦ୍ୱାରା ହିନ୍ଦୁମାନଙ୍କ ସ୍ୱାର୍ଥରକ୍ଷା ସମ୍ଭବ ହେବ । ସେମାନେ ମୋତିଲାଲ ଓ ଦାସଙ୍କୁ ମୁସଲମାନ–ସମର୍ଥକ ବୋଲି ଅଭିଯୋଗ କରିଥିଲେ । ଦୁର୍ଭାଗ୍ୟବଶତଃ ଏହି ଜଟିଳ ମୁହୂର୍ତ୍ତରେ ୧୯୨୫ ଜୁନ୍‍ରେ ସି. ଆର୍ . ଦାସ ହଠାତ୍ ମୃତ୍ୟୁମୁଖରେ ପଡ଼ିଲେ ।

 

୧୯୧୭ରେ ଆବିର୍ଭୂତ ହିନ୍ଦୁ ମହାସଭା ଓ ମୁସଲିମ ଲିଗ୍ ପୁନରାୟ ସକ୍ରିୟ ହୋଇପଡ଼ିଲେ । ଦିଲ୍ଲୀ, ଲକ୍ଷ୍ନୌ, ଆଲାହାବାଦ, ଜବଲପୁର ଓ ନାଗପୁରରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହେଲା । ୧୯୨୪ ଫେବୃଆରୀ ୫ ତାରିଖରେ ଅସୁସ୍ଥତାବଶତଃ ଜେଲରୁ ମୁକ୍ତି ପାଇଥିବା ଗାନ୍ଧିଜୀ ସେପ୍‍ଟେମ୍ବର ମାସରେ ସାମ୍ପ୍ରଦାୟିକତାର ପ୍ରକୋପ ଦେଖି ଲୋକଙ୍କ ଅମାନୁଷିକତାର ପରିଶୋଧନ ପାଇଁ ୨୧ ଦିନ ବ୍ୟାପୀ ଅନଶନ ବ୍ରତ ଗ୍ରହଣ କଲେ । ଗାନ୍ଧିଜୀଙ୍କ ଅନଶନ ଫଳରେ ଏକତା ପୁନଃ ପ୍ରତିଷ୍ଠିତ ହେଲେହେଁ ସମ୍ପୂର୍ଣ୍ଣ ମନମିଳନ ସମ୍ଭବ ହେଲାନାହିଁ । ପରବର୍ତ୍ତୀ ଦୁଇଟି ବର୍ଷରେ ସାମ୍ପ୍ରଦାୟିକତା ଉତ୍କଟ ରୂପ ଧାରଣ କଲା । ୧୯୨୫ରେ ୧୬ ଥର ଦଙ୍ଗା ଲାଗିଯାଇଥିଲା । ୧୯୨୬ରେ କଲିକତାର ଦଙ୍ଗା ସବୁଠାରୁ ମର୍ମନ୍ତୁଦ ହୋଇଥିଲା । ବଡ଼ ସହରରୁ ଏହା କ୍ରମେ ଛୋଟ ସହର ଆଡ଼କୁ ବ୍ୟାପିଗଲା । ସାଇମନ କମିଶନଙ୍କ ନିର୍ଣ୍ଣୟାନୁସାରେ ୧୯୨୨–୨୭ ମଧ୍ୟରେ ୧୧୨ଟି ସାମ୍ପ୍ରଦାୟିକ ଗଣ୍ଡଗୋଳ ହୋଇଥିଲା ଏବଂ ଏଥିରେ ପ୍ରାୟ ୪୫୦ ଜଣ ନିହତ ଓ ୫୦୦୦ ଜଣ ଆହତ ହୋଇଥିଲେ । ୧୯୨୭ର ଅବସ୍ଥା ଥିଲା ସବୁଠାରୁ ନୈରାଶ୍ୟଜନକ । ସାମ୍ପ୍ରଦାୟିକ ରାଜନୀତିରୁ ମୁକ୍ତ ରହିବାପାଇଁ ସବୁ ଦଳକୁ ପ୍ରତିଜ୍ଞାବଦ୍ଧ କରିବା ଦିଗରେ ମୋତିଲାଲ ଓ ଆଜାଦଙ୍କ ପ୍ରଚେଷ୍ଟା କୃତକାର୍ଯ୍ୟ ହୋଇପାରିଲା ନାହିଁ । ହିଂସାତ୍ମକ ବିକ୍ଷୋଭର ଜୁଆର ମଧ୍ୟରେ ନିରୁପାୟ ଗାନ୍ଧିଜୀ କାରୁଣ୍ୟ ପ୍ରକାଶ କରି ଲେଖିଥିଲେ ଯେ–“ମୋର ଏକମାତ୍ର ଭରସା ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା ଏବଂ ତାହାର ପ୍ରତିଦାନ ।’’

 

ନୂତନ ପର୍ଯ୍ୟାୟର ଉଦ୍ଭବ

 

୧୯୨୮ ବେଳକୁ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମ ଏକ ନୂତନ ପର୍ଯ୍ୟାୟରେ ଉପନୀତ ହେଲା । ବିଗତ ପାଞ୍ଚବର୍ଷ କାଳ ମଧ୍ୟରେ ରାଜନୈତିକ ଦମନ–ନୀତି ବଳବତ୍ତର କରି ସରକାର ଏହି ସଂଗ୍ରାମର ସମ୍ମୁଖୀନ ହୋଇଥିଲେ । ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ପ୍ରତ୍ୟାହୃତ ହେଲାପରେ କଂଗ୍ରେସ ଭିତରେ ‘ସ୍ଵରାଜବାଦୀ’ ଏବଂ ବିଧାନ ପରିଷଦ ବର୍ଜନ ପ୍ରସ୍ତାବର ସମର୍ଥକ ‘ସଙ୍ଗଠନବାଦୀ’ଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ହିନ୍ଦୁମାନଙ୍କ ମଧ୍ୟରେ ସଙ୍ଗଠନ ଓ ଶୁଦ୍ଧି, ମୁସଲମାନମାନଙ୍କ ମଧ୍ୟରେ ତାନଜିମ ଓ ତାବଲିଘ ଆନ୍ଦୋଳନ ଏପରି ବ୍ୟାପିଗଲା ଯେ ସାମ୍ପ୍ରଦାୟିକ ଏକତା ପ୍ରତିଷ୍ଠା ଦିଗରେ କୌଣସି ପକ୍ଷ ସହାୟତା କଲେ ନାହିଁ; କେବଳ ଅବିଶ୍ଵାସ ଓ ସନ୍ଦେହ ବଢ଼ିଚାଲିଲା ।

 

ଭାରତର ବିଭିନ୍ନ ଅଂଶରେ ଶ୍ରମିକ ସମାଜରେ ଉନ୍ନତ ଓ ଅନୁନ୍ନତ ଭେଦରେ ଶ୍ରେଣୀ–ବିଭାଗ ପରିଲକ୍ଷିତ ହେଲା । ଅପେକ୍ଷାକୃତ ତରୁଣ ସମ୍ପ୍ରଦାୟ ୧୯୨୭ ପର୍ଯ୍ୟନ୍ତ ଦଶବର୍ଷର ଇତିହାସ ଅନୁଧ୍ୟାନ କରି ସୋଭିଏଟ ରାଷ୍ଟ୍ରସଂଘଠାରୁ ସମାଜବାଦର ଆଦର୍ଶ ଗ୍ରହଣ କରିଥିଲେ ଏବଂ କେତେ ଜଣ ନିଷ୍ଠାପର ରାଜନୈତିକ କର୍ମୀ ନିଜ ନିଜ ଦୃଷ୍ଟିକୋଣରୁ କମ୍ୟୁନିଷ୍ଟ ମତବାଦର ବ୍ୟାଖ୍ୟା କରି ଛୋଟ ଛୋଟ ସହରର କାରଖାନା–ଶ୍ରମିକମାନଙ୍କ ମଧ୍ୟରେ, ବିଶେଷତଃ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ପୂର୍ବାଞ୍ଚଳରେ ଏବଂ ପଞ୍ଜାବର ଗ୍ରାମାଞ୍ଚଳୀୟ କୃଷକମାନଙ୍କର ମଧ୍ୟରେ ପ୍ରଚାର କରିବାରେ ଲାଗିଲେ । ସେମାନଙ୍କର ଅନ୍ୟତମ ଉଦ୍ଦେଶ୍ୟ ଥିଲା ମଧ୍ୟବିତ୍ତ ଶ୍ରେଣୀ–ଭିତ୍ତିକ କଂଗ୍ରେସଦଳ (ତାଙ୍କ ଦୃଷ୍ଟିରେ ଏହା ଥିଲା ପ୍ରଗତିକାମୀ ମଧ୍ୟବିତ୍ତଶ୍ରେଣୀର ଦଳ) ତାଙ୍କ ଶାସନ–ସଂସ୍କାର–ମୂଳକ ଦାବିଗୁଡ଼ିକ ସହିତ କାରଖାନାର ଚାକିରି–ସର୍ତ୍ତ ଓ ଭୂମି–ବଣ୍ଟନ ପରି ସାଧାରଣ ଜନତା ସହିତ ସମ୍ବନ୍ଧିତ ମାନବିକ, ସାମାଜିକ ତଥା ଅର୍ଥନୈତିକ ସମସ୍ୟାଗୁଡ଼ିକ ସଂଯୁକ୍ତ କରିବା ଉଚିତ । ସେମାନେ ମଧ୍ୟ କଂଗ୍ରେସର ଅନୁସୃତ କାର୍ଯ୍ୟକ୍ରମଠାରୁ ଆହୁରି ବିପ୍ଳବାତ୍ମକ ରାଜନୈତିକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଦାବି କରିଥିଲେ ।

 

ଅନ୍ୟପକ୍ଷରେ ରାଜନୈତିକ ଉପଦଳଗୁଡ଼ିକ ଶ୍ରମିକ ଶ୍ରେଣୀ ଓ ଦରିଦ୍ର ଚାଷୀକୁଳ ସହିତ ସଂଯୋଗ ସ୍ଥାପନ କରିବା ଦିଗରେ ଆଗ୍ରହୀ ହୋଇପଡ଼ିଥିଲେ । ଏହି ଦଳଗୁଡ଼ିକ ସାମ୍ପ୍ରଦାୟିକ ସ୍ଵାର୍ଥସାଧନ ଉପରେ ଗୁରୁତ୍ଵ ପ୍ରଦାନ କଲେ ଏବଂ ଦରିଦ୍ର ମୁସଲମାନ ଚାଷୀ ଓ ନିମ୍ନବର୍ଗୀୟ ହିନ୍ଦୁ ସହରିଆ ଶ୍ରମିକମାନଙ୍କୁ ନିଜ ପକ୍ଷକୁ ଟାଣିବାରେ ଲାଗିଲେ । ସେମାନେ ଖାଲି ସ୍ଵତନ୍ତ୍ର ସୁଯୋଗ ଦାବି କରିଥିଲେ; ଯଥା–ବିଧାନସଭାରେ ସ୍ଵତନ୍ତ୍ର ପ୍ରତିନିଧିତ୍ଵ, ଶିକ୍ଷା ଓ ସମାଜମଙ୍ଗଳ ଅନୁଷ୍ଠାନରେ ସ୍ଵତନ୍ତ୍ର ପ୍ରବେଶାଧିକାର ଇତ୍ୟାଦି । ଗଣତାନ୍ତ୍ରିକ ସମାଜ ବ୍ୟବସ୍ଥାରେ ସମାନ ଅଧିକାର ଥିଲା ସେମାନଙ୍କର ଆଉ ଏକ ଦାବି । ଏଭଳି ମନୋଭାବ ଦେଖାଦେଇଥିଲା ବିଶେଷତଃ ଅସ୍ପୃଶ୍ୟ ଏବଂ ଅନ୍ୟାନ୍ୟ ଦଳିତ ସମାଜରେ ଏବଂ ନମଶୂଦ୍ର ନାମକ ପୂର୍ବ–ବଙ୍ଗର ଏକଜାତୀୟ କୃଷକଗୋଷ୍ଠୀରେ-। ସେମାନଙ୍କ ପଦ୍ଧତି ଥିଲା ସରକାରଙ୍କ ସହିତ ସିଧାସଳଖଭାବେ ଆପୋସ ଆଲୋଚନା-। ସରକାର ମଧ୍ୟ ତାଙ୍କର ଚିରାଚରିତ ‘ଦଳ ଭାଙ୍ଗି ଶାସନ କର’ ନୀତିରେ ଏହାକୁ ପ୍ରଶ୍ରୟ ଦେଲେ-। ଶେଷରେ ଏପରି ହେଲା ଯେ ମାନ୍ଦ୍ରାଜରେ ଅବ୍ରାହ୍ମଣ ସମ୍ପ୍ରଦାୟର ସ୍ୱାର୍ଥରକ୍ଷା ପାଇଁ ସଂଗଠିତ ଜଷ୍ଟିସପାର୍ଟି କଂଗ୍ରେସକୁ ବ୍ରାହ୍ମଣଙ୍କ ଦଳ ବୋଲି ଅଭିହିତ କରିଥିଲେ ।

 

ହିନ୍ଦୁ ସମାଜ ମଧ୍ୟରେ ଜାତିଆଣ ମନୋବୃତ୍ତିର ବିଲୋପପାଇଁ ଗାନ୍ଧିଜୀ ଏବଂ ତାଙ୍କର ସମର୍ଥକଗଣ ଅସ୍ପୃଶ୍ୟତା ନିବାରଣ ଉପରେ ଗୁରୁତ୍ଵ ଦେଇଥିଲେ । କମ୍ୟୁନିଷ୍ଟମାନେ, ବିଶେଷତଃ ବମ୍ବେରେ, ଶ୍ରମିକମାନଙ୍କୁ ଶ୍ରେଣୀବଦ୍ଧ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ସାମ୍ପ୍ରଦାୟିକ ଭେଦଭାବଠାରୁ ଦୂରେଇନେଇଥିଲେ । ଯାହା ହେଲେବି, ୧୯୨୦ ପରେ ପରେ ସାମ୍ରାଜ୍ୟବାଦ ବିରୋଧୀଦଳଗୁଡ଼ିକ ମଧ୍ୟରେ ରାଜନୈତିକ ମତଦ୍ୱୈଧ, କେତେକ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ମନୋବୃତ୍ତିର ଅଭିବୃଦ୍ଧି ଏବଂ ସରକାରଙ୍କ ପକ୍ଷରୁ କଂଗ୍ରେସ ବ୍ୟତୀତ ଅନ୍ୟ ଦଳଗୁଡ଼ିକ ପ୍ରତି ନାନା ପ୍ରଲୋଭନ ପ୍ରଦର୍ଶନ ଫଳରେ ସାମାଜିକ ସଂହତି ଭିନ୍ନ ଭିନ୍ନ ହେବାର ପ୍ରବୃତ୍ତି ପ୍ରକାଶ ପାଇଥିଲା ଏବଂ ଏହି ପ୍ରବୃତ୍ତି ଜାତୀୟ ଆନ୍ଦୋଳନକୁ ମଧ୍ୟ ଦୁର୍ବଳ କରିଦେଇଥିଲା ।

 

ଯାହା ହେଉ, ୧୯୨୭ ନଭେମ୍ବରରେ ଏକତାର ପୁନଃ ପ୍ରତିଷ୍ଠାପାଇଁ ଗୋଟିଏ ନୂତନ ସୁଯୋଗ ଆସିଲା । ବିଲାତରୁ ବ୍ରିଟିଶ ମନ୍ତ୍ରିମଣ୍ଡଳ ଘୋଷଣା କଲେ ଯେ ଶାସନ କ୍ଷେତ୍ରରେ ପୁନଃ ସଂସ୍କାର ଏବଂ ପାର୍ଲାମେଣ୍ଟାରୀ ଗଣତନ୍ତ୍ରର ସଂପ୍ରସାରଣ ପାଇଁ ଭାରତର ଯୋଗ୍ୟତା ବିଚାର କରିବାକୁ ନିର୍ଦ୍ଧାରିତ ସମୟର ଦୁଇବର୍ଷ ପୂର୍ବରୁ ଗୋଟିଏ ରାଜକୀୟ କମିଶନ ନିଯୁକ୍ତ କରାଯାଇଛି । ବ୍ରିଟିଶ ରାଜନୀତିଜ୍ଞ ସାର୍ ଜନ ସାଇମନ୍ ଏହାର ସଭାପତି ହେଲେ । ତାଙ୍କ ନାମାନୁସାରେ ଏହାକୁ କୁହାଗଲା ‘ସାଇମନ୍ କମିଶନ’ । ସାତଜଣ ସଭ୍ୟ ବିଶିଷ୍ଟ ଏହି କମିଶନରେ ଜଣେ ହେଲେ ଭାରତୀୟ ନଥିଲେ । ଏହି ପଦ୍ଧତିରେ ଜାତୀୟ ଆନ୍ଦୋଳନକୁ ସ୍ଥଗିତ କରିଦେବା ପାଇଁ ସରକାର ଯେଉଁ ବିଶ୍ଵାସ ପୋଷଣ କରିଥିଲେ, ତାହାକୁ ପଣ୍ଡ କରିଦେଇ ଚାରିଆଡ଼େ ଏହି ଘୋଷଣା ବିରୁଦ୍ଧରେ ବିରକ୍ତି ପ୍ରକାଶ ପାଇଲା । ୧୯୨୭ ମାନ୍ଦ୍ରାଜ ଅଧିବେଶନରେ ସଭାପତି ଏମ୍. ଏ. ଆନ୍‍ସାରି କମିଶନର ଅନୁସନ୍ଧାନ କାର୍ଯ୍ୟ ବଏକଟ୍‍ କରିବାକୁ କଂଗ୍ରେସ ପକ୍ଷରୁ ଘୋଷଣା କଲେ । ଏଥିରେ କୁହାଯାଇଥିଲା–“ସଂଶ୍ଳିଷ୍ଟ ସବୁ ଗୋଷ୍ଠୀଙ୍କ ଗୋଲଟେବୁଲ ବୈଠକରେ କିମ୍ବା ପାର୍ଲିଆମେଣ୍ଟ୍‍ ପ୍ରଣାଳୀରେ ନିଜର ସମ୍ବିଧାନ ନିର୍ଣ୍ଣୟ କରିବା ଭାରତୀୟମାନଙ୍କର ନ୍ୟାଯ୍ୟ ଅଧିକାର-। ଏହି କମିଶନ ନିଯୁକ୍ତ ଫଳରେ ଆମର ସେହି ଅଧିକାର କ୍ଷୁଣ୍ଣ କରାଯାଇଛି...ସ୍ଵରାଜପାଇଁ କିମ୍ବା ଏକ ଦାୟିତ୍ଵଶୀଳ ସରକାର ଗଠନପାଇଁ ଆମର ଯୋଗ୍ୟତା ଅନୁସନ୍ଧାନ ବିଷୟରେ ଆମେ ଜଡ଼ିତ ହେବାକୁ ଚାହୁଁ ନାହିଁ...ତୃତୀୟତଃ ଏହି କମିଶନରେ ସଚେତନଭାବେ ଭାରତୀୟଙ୍କୁ ପରିହାର କରାଯାଇଥିବାରୁ ଏହା ଆମର ଆତ୍ମସମ୍ମାନ ପ୍ରତି ଆଞ୍ଚ ଆଣିଛି ।’’

 

କଂଗ୍ରେସ ଉପରୋକ୍ତ ପ୍ରଥମ ଓ ଦ୍ଵିତୀୟ କାରଣ ଉପରେ ଗୁରୁତ୍ଵ ସ୍ଥାପନ କଲାବେଳେ, ଆତ୍ମ–ସମ୍ମାନ ଉପରେ ଆଞ୍ଚ ଆସିବା ବିଷୟକ ତୃତୀୟ କାରଣ ତେଜବାହାଦୁର ସାପ୍ରୁଙ୍କ ପରି ଉଦାରପନ୍ଥୀ, ଯେ କି ସରକାରଙ୍କ ସହିତ ନାନା ଭାବରେ ସହଯୋଗ କରି ପାର୍ଲାମେଣ୍ଟାରୀ ଶାସନ ପଦ୍ଧତିରେ ପାରଦର୍ଶିତା ଦେଖାଇପାରିଥିଲେ, ତାଙ୍କର ହୃଦୟ ସ୍ପର୍ଶ କରିଥିଲା । ତେଣୁ କଂଗ୍ରେସ, ଉଦାରପନ୍ଥୀ ଗୋଷ୍ଠୀ ଏବଂ ପ୍ରଥମେ ପ୍ରଥମେ ମୁସଲିମ ଲିଗ୍ ମଧ୍ୟ ସାଇମନ୍ କମିଶନକୁ ବର୍ଜନ କରିବାପାଇଁ ନିଷ୍ପତ୍ତି ନେଇଥିଲେ । କଂଗ୍ରେସର ‘ସାଇମନ୍ ଫେରିଯାଅ’ ଧ୍ୱନି କମିଶନକୁ ପ୍ରତି କ୍ଷେତ୍ରରେ ବାଧାଦେବା ସଙ୍ଗେ ସଙ୍ଗେ ଗୋଟିଏ ନୂତନ ଐକ୍ୟବୋଧ ସୃଷ୍ଟି କରିଥିଲା । ଏହା ଫଳରେ ସାମାଜିକ ବା ରାଜନୈତିକ ଐକ୍ୟ ସଂଘଟିତ ନ ହୋଇଥିଲେହେଁ ସାମ୍ରାଜ୍ୟବାଦୀ ନୀତି ପ୍ରତି ଏକ ସଂହତି ବିରୋଧ ପ୍ରକାଶ ପାଇଥିଲା । ୧୯୨୮ ଫେବୃଆରୀ ୩ ତାରିଖରେ କମିଶନ ବମ୍ବେରେ ପହଞ୍ଚିଲାକ୍ଷଣି କଳାପତାକା ହାତରେ “ସାଇମନ୍ ଫେରିଯାଅ” ଧ୍ୱନି ଦେଉଥିବା ଗୋଟିଏ ବିରାଟ ଶୋଭାଯାତ୍ରାର ସମ୍ମୁଖୀନ ହୋଇଥିଲେ । ସେଦିନ ସନ୍ଧ୍ୟାରେ ଚୌପଟି ବାଲିରେ ପଚାଶ ହଜାର ସମାବିଷ୍ଟ ଜନସଭାରେ ବିଭିନ୍ନ ଦଳପକ୍ଷରୁ ବ୍ରିଟିଶ ମନ୍ତ୍ରିମଣ୍ଡଳର ନିଷ୍ପତ୍ତିକୁ ନିନ୍ଦା କରାଯାଇଥିଲା । କେବଳ ନୂଆଦିଲ୍ଲୀରେ କାଉନ୍‍ସିଲ୍ ଅଫ୍ ଷ୍ଟେଟ୍‍ର ଗୋଟିଏ ସଂଖ୍ୟାଗରିଷ୍ଠ ଦଳ, ଯେଉଁମାନେ କି ସବୁ ସରକାରୀ ମନୋନୀତ ସଭ୍ୟ, ଏଥିରେ ସହଯୋଗ କରିବାକୁ ସମ୍ମତି ଦେଇଥିଲେ ।

 

ଏହି ଅବସରରେ ଜାତୀୟ ସଂଗ୍ରାମ ସହିତ ଶ୍ରମିକ ସମ୍ପ୍ରଦାୟର ସମ୍ପର୍କ ବର୍ଦ୍ଧିତ ହୋଇଥିଲା, ଯଦିଓ ସେମାନେ ଶ୍ରମିକ–ସଂଘକୁ ଶକ୍ତିଶାଳୀ କରିବା ଏବଂ ଶ୍ରମିକଶ୍ରେଣୀର ଉନ୍ନତି ବିଧାନ କରିବା ଉପରେ ଅଧିକ ଗୁରୁତ୍ଵ ପ୍ରଦାନ କରିଥିଲେ । ୧୯୨୭ରେ ବମ୍ବେରେ କୃଷକ ଓ ଶ୍ରମିକଗଣ ନିମ୍ନତମ ପରିମାଣ ଭୂମି–ସଂରକ୍ଷଣ ଆଇନ ପ୍ରବର୍ତ୍ତନ ସଂକ୍ରାନ୍ତୀୟ ଚିଠା ପ୍ରସ୍ତାବ ଉଠାଇ ନେବାକୁ ସରକାରଙ୍କୁ ବାଧ୍ୟ କରିଥିଲେ; କାରଣ ଏହି ଆଇନ ବଳରେ ଧନୀ କୃଷକଗଣ ଅପର୍ଯ୍ୟାପ୍ତ ଭୂ–ସମ୍ପତ୍ତି ସଂଗ୍ରହ କରିବାର କ୍ଷମତା ପାଇଥାନ୍ତେ ଏବଂ ଗରିବ ଚାଷୀମାନଙ୍କ କୁଳ ବୁଡ଼ିଥାନ୍ତା । ଲଣ୍ଡନରେ ମୁଖ୍ୟ କାର୍ଯ୍ୟାଳୟ ଥାଇ ଗୋଟିଏ ଘରୋଇ ବ୍ରିଟିଶ ବ୍ୟବସାୟୀ ପ୍ରତିଷ୍ଠାନଦ୍ଵାରା ପରିଚାଳିତ ହେଉଥିବା ବଙ୍ଗଳା ନାଗପୁର–ରେଳବାଇ କମ୍ପାନୀର ଖଗଡ଼ପୁର ଲୋକୋମୋଟିଭ ରିପେୟାର ଏଣ୍ଡ ମେଣ୍ଟେନାନ୍‍ସ ୱାର୍କସପ୍‍ର ଶ୍ରମିକଗଣ (ବାରଜାତି ତେର ଗୋଷ୍ଠୀର ହେଲେ ମଧ୍ୟ) ସ୍ୱଳ୍ପ ଦରମା ଏବଂ କମ୍ପାନୀ ହାକିମଙ୍କ ମନମୁଖୀ ଶାସନ ବିରୁଦ୍ଧରେ ଗୋଟିଏ ସାଧାରଣ ଧର୍ମଘଟ କରିଥିଲେ । ଏହି ଧର୍ମଘଟକୁ ଅନେକ ଜାତୀୟ ନେତା, ଯଥା–ଜବାହରଲାଲ ନେହେରୁ ଏବଂ ଉଦୀୟମାନ ଶ୍ରମିକ–ସଂଘ ସଂଗଠକ ଭି. ଭି. ଗିରି ସମର୍ଥନ ଜଣାଇଥିଲେ । ଜବାହରଲାଲ ନେହେରୁ ଯିଏ କି ସେତେବେଳେ ବାମ–ପନ୍ଥୀ ଯୁବସମାଜର ସମର୍ଥନ ଲାଭ କରିଥିଲେ, ୟୁରୋପରେ ପ୍ରତିଷ୍ଠିତ ଏବଂ ମସ୍କୋରେ ସୋଭିଏଟ ରାଷ୍ଟ୍ରସଂଘଦ୍ଵାରା ଅନୁଷ୍ଠିତ ତୃତୀୟ ଆନ୍ତର୍ଜାତିକ ଶ୍ରମିକ–ସଂଘ ପ୍ରତି ସହାନୁଭୂତିଶୀଳ ‘ଲିଗ୍ ଫର୍ ଷ୍ଟ୍ରଗଲ୍ ଏଗେନଷ୍ଟ ଫାସିଜିମ୍ ଏଣ୍ଡ ଇମ୍ପିରିଆଲିଜିମ୍’ର ସଭ୍ୟ ହୋଇଥିଲେ ।

 

ସାମ୍ୟବାଦୀ ଆଦର୍ଶ ପ୍ରତି ଆକୃଷ୍ଟ ବାମପନ୍ଥୀ କର୍ମୀ ଓ ନେତୃବର୍ଗ ସାଇମନ୍ କମିଶନ ବର୍ଜନ କରିବା ପ୍ରତି ଅନୁକୂଳ ମତ ପୋଷଣ କରିଥିଲେ । ଆନ୍ଦୋଳନରେ ଶ୍ରମିକ ସହଯୋଗ ହେତୁ ୧୯୨୮–୨୯ର ଗଣ–ବିକ୍ଷୋଭ ଦୃଢ଼ୀଭୂତ ହୋଇଥିଲା । ‘ସାଇମନ୍ ଫେରିଯାଅ’ ଆନ୍ଦୋଳନ ଫଳରେ ଛାତ୍ର–ଫେଡ଼ରେସନ ଗଠିତ ହେଲା । ଏହି ସଂଘ କଲେଜ ଛାତ୍ରମାନଙ୍କ ମଧ୍ୟରେ ଜାତୀୟତାବୋଧ ଓ ସାମ୍ୟବାଦୀ ଚେତନାର ବୀଜ ପ୍ରଥମେ ବପନ କରିଥିଲା ।

 

ମୋତିଲାଲ ନେହେରୁ ପ୍ରତିବାଦ

 

ଏହି ପ୍ରତିବେଦନରେ ଗୋଟିଏ ଉତ୍ତର–ଦାୟିତ୍ଵ ସଂପନ୍ନ ସରକାର ପ୍ରତିଷ୍ଠାପାଇଁ ସୁପାରିସ୍ କରାଗଲା, ଯାହାଫଳରେ ଅଦ୍ୟାବଧି ବ୍ରିଟିଶ ଭାରତରେ ସର୍ବଶକ୍ତିମାନ ଶାସନ ବିଭାଗ ଉପରେ ଲୋକପ୍ରତିନିଧିମୂଳକ ବିଧାନପରିଷଦର କର୍ତ୍ତୃତ୍ଵ ପ୍ରତିଷ୍ଠା ହେବ । ଏଥିରେ ଦୁଇକକ୍ଷବିଶିଷ୍ଟ ସାର୍ବଭୌମ ଲୋକସଭା ପାଇଁ ସୁପାରିସ୍ ଥିଲା ଯାହାକି ବ୍ରିଟିଶ ସାମ୍ରାଜ୍ୟ ମଧ୍ୟରେ କାନାଡ଼ା ଓ ଅଷ୍ଟ୍ରେଲିଆରେ ଲୋକସଭା ପରି ସ୍ଵାଧୀନ କ୍ଷମତାସଂପନ୍ନ ହେବ । ଆନୁପାତିକ ପ୍ରତିନିଧିତ୍ଵ ଭିତ୍ତିରେ ପ୍ରାଦେଶିକ ପରିଷଦଦ୍ଵାରା ନିର୍ବାଚିତ ହୋଇ ୨୦୦ ଜଣ ରହିବେ ସିନେଟର ସଭ୍ୟ । ବୟଃପ୍ରାପ୍ତଙ୍କଦ୍ଵାରା ଗଣଭୋଟରେ ନିର୍ବାଚିତ ହୋଇ ପ୍ରତିନିଧି–ସଭାରେ ରହିବେ ୫୦୦ ଜଣ ସଭ୍ୟ । ବଙ୍ଗଳାର ମୁସଲମାନ ଓ ଉତ୍ତର–ପଶ୍ଚିମ ପ୍ରଦେଶର ଅନ୍ୟ ମୁସଲମାନ ସମ୍ପ୍ରଦାୟ ବ୍ୟତୀତ ଅନ୍ୟ କୌଣସି ସମ୍ପ୍ରଦାୟ ପକ୍ଷରୁ ଲୋକସଭାରେ ବିଶେଷ ପ୍ରତିନିଧି ରହିବେ ନାହିଁ । ପ୍ରାଦେଶିକ ପରିଷଦର ଲୋକସଂଖ୍ୟା ଭିତ୍ତିରେ ସଂଖ୍ୟା–ଲଘୁ ସମ୍ପ୍ରଦାୟଙ୍କ ପାଇଁ ସଂରକ୍ଷିତ ସ୍ଥାନ ରହିବ । ମୁସଲମାନ ସଂଖ୍ୟା–ଗରିଷ୍ଠ ବଙ୍ଗଳା ଓ ପଞ୍ଜାବରେ ଏହାର ବ୍ୟତିକ୍ରମ ହୋଇ ସ୍ଥାନ ସଂରକ୍ଷଣ ନ କରି ଗଣ–ଭୋଟ ମାଧ୍ୟମରେ ପ୍ରତିନିଧି ନିର୍ବାଚନ କରାଯିବ ।

 

ଏହି ପ୍ରତିବେଦନରେ ୧୯୨୮ କାଳୀନ ପୁରୁଖା କଂଗ୍ରେସ ନେତାଙ୍କ ରକ୍ଷଣଶୀଳ ମନୋବୃତ୍ତିର ପ୍ରତିଫଳନ ସୁସ୍ପଷ୍ଟ । ତରୁଣ ଗୋଷ୍ଠୀଙ୍କ ପୂର୍ଣ୍ଣସ୍ଵରାଜ ଦାବିର ଅର୍ଥ ସେମାନଙ୍କ ନିକଟରେ ଥିଲା ସାମ୍ରାଜ୍ୟ ମଧ୍ୟରେ ରହି ସ୍ୱାୟତ୍ତ ଶାସନ ଅଧିକାର ଲାଭ । ଗଣତାନ୍ତ୍ରିକ ଓ ଧର୍ମ–ନିରପେକ୍ଷ ନୀତିର ଅର୍ଥ ସର୍ବତୋଭାବେ ମଧ୍ୟ ସେମାନେ ଗ୍ରହଣ କରି ପାରି ନଥିଲେ । କୌଣସି ଦୃଢ଼ ନୀତିରେ ସାମ୍ପ୍ରଦାୟିକତାର ନିରାକରଣ ପାଇଁ ସେମାନଙ୍କର ଉଦ୍ୟମ ଥିଲା ଅତି କ୍ଷୀଣ । କେନ୍ଦ୍ର ତଥା ପ୍ରାଦେଶିକ ବିଧାନସଭାରେ ସମାନ ପ୍ରତିନିଧିତ୍ଵ ନୀତିରେ କେବଳ ସ୍ଵତନ୍ତ୍ର ବିଧାନମାନ ସୂଚିତ ହୋଇଥିଲା । ବସ୍ତୁତଃ ଏପରି ବିଶେଷ ପ୍ରତିନିଧିତ୍ଵ ନୀତିର ଉଦ୍ଦେଶ୍ୟ ଥିଲା ସେଇସବୁ ମୁସଲମାନଙ୍କୁ ସନ୍ତୁଷ୍ଟ କରିବା, ଯେଉଁମାନେ କି କଂଗ୍ରେସରେ ଯୋଗଦେଇ ନଥିଲେ ଏବଂ ସଂଖ୍ୟାଲଘୁଙ୍କ ସ୍ଵାର୍ଥ ରକ୍ଷାପାଇଁ ନିରାପତ୍ତା ଦାବି କରୁଥିଲେ ।

 

୧୯୨୮ ଡିସେମ୍ବରରେ ଚରମପନ୍ଥୀ ମୁସଲିମ ଲିଗ୍ ସହିତ ବିରୋଧ ଦେଖାଦେଲା । କଲିକତାରେ କଂଗ୍ରେସ ଅଧିବେଶନ ଚାଲିଥିଲାବେଳେ ନେହେରୁ–ପ୍ରତିବେଦନ ଅନୁମୋଦନ କରିବାପାଇଁ ଏକ ସର୍ବଦଳୀୟ ସମ୍ମେଳନ ଅନୁଷ୍ଠିତ ହେଲା । ମହମ୍ମଦ ଅଲି ଜିନ୍ନା, ଯିଏ କି ୧୯୨୧ ବେଳକୁ ଥିଲେ କଂଗ୍ରେସ ନେତା ଏବଂ ଜଣେ ବିଖ୍ୟାତ ସାମ୍ପ୍ରଦାୟିକ ନେତା, ଦାବି କଲେ ଯେ ଲୋକସଭାର ଉଭୟ କକ୍ଷରେ ତଥା ପଞ୍ଜାବ ଓ ବଙ୍ଗଳାର ପ୍ରାଦେଶିକ ପରିଷଦରେ ମୁସଲମାନ ପ୍ରତିନିଧିତ୍ଵ ଅଧିକ ହେବା ଉଚିତ । ପଞ୍ଜାବ ଓ ବଙ୍ଗଳାରେ ମୁସଲମାନଙ୍କ ପ୍ରାଧାନ୍ୟ ବଜାୟ ରଖିବାର ଉଦ୍ଦେଶ୍ୟ ଥିଲା ଯେ ଏହି ପ୍ରଦେଶର ସଂଖ୍ୟାଧିକ ଅନୁନ୍ନତ ମୁସଲମାନ ଅଧିବାସୀଙ୍କୁ ଶିକ୍ଷା, ଚାକିରି ଓ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା କରିବାପାଇଁ ବିଧାନସଭାର କ୍ଷମତାର ସଦ୍‍ବ୍ୟବହାର କରିବା । ତାଙ୍କୁ ସମର୍ଥନ କରିଥିଲେ ତତୋଽଧିକ ନୈଷ୍ଠିକ ମୁସଲମାନ ନେତା ଆଗା ଖାଁ ଓ ସାର୍ ମହମ୍ମଦ ଶଫି । ଏମାନେ ଥିଲେ ନବଜାତ ଶିକ୍ଷିତ ଚାକିରିଆ ଗୋଷ୍ଠୀ, ସମ୍ପତ୍ତିବାନ ଓ ବଣିକଗୋଷ୍ଠୀର ମୁଖପାତ୍ର, ଯେଉଁମାନେ କି ସମଶ୍ରେଣୀୟ ଉନ୍ନତ ହିନ୍ଦୁମାନଙ୍କଠାରୁ ସ୍ଥାନୀୟ ପ୍ରତିପତ୍ତି ଅପହରଣ କରିବାକୁ ବ୍ୟଗ୍ର ହୋଇପଡ଼ିଥିଲେ । ଅନ୍ୟାନ୍ୟ ମୁସଲମାନ ନେତା, ଯଥା :–କଂଗ୍ରେସର ଡ: ଆନସାରୀ, ଉତ୍ତରପ୍ରଦେଶର ଜଣେ ଜମିଦାର ମାହମୁଦ ବାଦର ମହାରାଜା, ବିହାରର ବିଚାରପତି ସାର୍ ଆଲି ଇମାମଙ୍କ ପରି ଗଣତାନ୍ତ୍ରିକ ନୀତିରେ ସମସ୍ତଙ୍କୁ ସମାନ ସୁଯୋଗ ଦେବାପାଇଁ ସେମାନେ ଆଦୌ ରାଜି ହୋଇ ନଥିଲେ । ସର୍ବଦଳୀୟ ସମ୍ମିଳନୀ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା । ହିନ୍ଦୁ ସାମ୍ପ୍ରଦାୟିକ ନେତାମାନେବି ଅଟଳ ରହିଲେ । ଶିଖ ସାମ୍ପ୍ରଦାୟିକ ନେତାମାନେ ଭାଷା ଓ ଧର୍ମ ଭିତ୍ତିରେ ଗୋଟିଏ ସଂଖ୍ୟାଲଘୁ ସମ୍ପ୍ରଦାୟଭାବେ ପଞ୍ଜାବରେ ତାଙ୍କର ସ୍ଵତନ୍ତ୍ର ପତିନିଧିତ୍ଵ ଦାବି କଲେ । ନେହେରୁ–ପ୍ରତିବେଦନକୁ ସର୍ବସମ୍ମତିକ୍ରମେ ଗୃହୀତ କରିବା ଉଦ୍ଦେଶ୍ୟକୁ ବିଫଳ କରି ଜିନ୍ନା ଏବଂ ଶିଖ ନେତାମାନେ ସମ୍ମେଳନ ବର୍ଜନ କରି ଚାଲିଗଲେ ।

 

ଏହି ଘଟଣା ଫଳରେ ସାମ୍ରାଜ୍ୟ ମଧ୍ୟରେ ରହି ସ୍ୱାୟତ୍ତ ଶାସନ ଲାଭ କରିବା ନୀତି ବିରୁଦ୍ଧରେ ସମାଲୋଚନା ତୀବ୍ରତର ହେଲା ଏବଂ ଏହାର ମୁଖପାତ୍ର ହେଲେ ବାମପନ୍ଥୀ ଯୁବସମାଜର ପ୍ରତିନିଧିତ୍ଵ କରୁଥିବା କଂଗ୍ରେସର ଦୁଇ ସାଧାରଣ ସମ୍ପାଦକ ଜବାହରଲାଲ ନେହେରୁ ଓ ସୁଭାଷଚନ୍ଦ୍ର ବୋଷ । ସେମାନେ ମାନ୍ଦ୍ରାଜରେ ଗୃହୀତ ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଆଡ଼କୁ କଂଗ୍ରେସକୁ ଢଳାଇବାକୁ ଲାଗିପଡ଼ିଲେ । ମୋତିଲାଲ ନେହେରୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ କଲିକତା କଂଗ୍ରେସ ଅଧିବେଶନରେ ନେହେରୁ–ପ୍ରତିବେଦନରେ ଗୋଟିଏ ବାକ୍ୟାଂଶ ସଂଯୋଜିତ କରାଯାଇଥିଲା ଯେ–“କଂଗ୍ରେସ ପ୍ରଚାରିତ ପୂର୍ଣ୍ଣସ୍ଵରାଜ ବିପକ୍ଷରେ ଏହି ପ୍ରସ୍ତାବ କୌଣସି ପ୍ରତ୍ୟବାୟ ସୃଷ୍ଟି କରିବ ନାହିଁ ।’’ ଏଠାରେ ମଧ୍ୟ ଗୃହୀତ ହୋଇଥିଲା ଯେ ଯଦି ୧୯୨୯ ଶେଷ ସୁଦ୍ଧା ସରକାର ନେହେରୁ–ପ୍ରତିବେଦନ ଗ୍ରହଣ ନ କରନ୍ତି ତେବେ ଲାହୋରଠାରେ ବସୁଥିବା କଂଗ୍ରେସର ପରବର୍ତ୍ତୀ ଅଧିବେଶନବେଳେ ଆଇନ–ଅମାନ୍ୟ ଆନ୍ଦୋଳନ ପାଇଁ କଂଗ୍ରେସ ପୁନର୍ବାର ଆହ୍ଵାନ ଦେବ ।

 

ଆପୋସଭାବେ ସବୁ ବିରୋଧର ମୀମାଂସା କରି ଦଳ ମଧ୍ୟରେ ଏକତା ପ୍ରତିଷ୍ଠା କରାଯାଇଥିଲା । ଅହମଦାବାଦରେ ଛ’ବର୍ଷ କାଳ ଅବସର ନେଇ କଂଗ୍ରେସର ସର୍ବୋଚ୍ଚ ନେତାରୂପେ ଗାନ୍ଧିଜୀଙ୍କର ପୁନରଭ୍ୟୁଦୟ ହେଲା ଏବଂ ତାଙ୍କରି ଯୋଗୁଁ କଂଗ୍ରେସ ମଧ୍ୟରେ ସବୁ ବିରୋଧ ସମାଧାନ ହୋଇପାରିଥିଲା । ଜବାହରଲାଲ ନେହେରୁ ଯେପରି ଲାହୋର ଅଧିବେଶନରେ ତାଙ୍କ ବାପାଙ୍କ ପରେ ସଭାପତି ହେବେ ତା’ର ବ୍ୟବସ୍ଥା ସେ କରିଦେଇଥିଲେ ।

 

ଲାହୋର ଅଧିବେଶନରେ ପୂର୍ଣ୍ଣ ସ୍ଵରାଜପାଇଁ କଂଗ୍ରେସ ନିଧାର୍ଯ୍ୟ କାର୍ଯ୍ୟକ୍ରମ ଗ୍ରହଣ କଲା । ସାମ୍ରାଜ୍ୟ ମଧ୍ୟରେ ରହି ସ୍ୱାୟତ୍ତ ଶାସନ ଲାଭକରିବା ପ୍ରସ୍ତାବ ଆଉ ଗ୍ରହଣଯୋଗ୍ୟ ହେଲା ନାହିଁ । ଶାସନ ସଂସ୍କାର କ୍ଷେତ୍ରରେ ‘ବେଳ ଗଡ଼ାଇ ବୁନ୍ଦେ ବୁନ୍ଦେ ଢାଳିବା’ ନୀତିର ସମାପ୍ତି ଘଟିଲା ।

 

୧୯୨୯ ଡିସେମ୍ବର ୩୧ ତାରିଖରେ ଘଡ଼ିରେ ଯେତେବେଳେ ମଧ୍ୟରାତ୍ରିର ଘଣ୍ଟା ବାଜିଲା ଏବଂ ନୂତନ ବର୍ଷ ପଦାର୍ପଣ କଲା, ଗୋଟିଏ ବିରାଟ ଜନତା ଦେଖିଲା ରାଭି ନଦୀକୂଳରେ ଜବାହରଲାଲ ନେହେରୁ ତ୍ରିରଙ୍ଗ ଜାତୀୟ ପତାକା ଉନ୍ମୋଚନ କଲେ ଏବଂ ଘୋଷଣା କଲେ ଯେ “ବ୍ରିଟିଶ ଶାସନ ନିକଟରେ ଆଉ ବେଶି ଦିନ ଆତ୍ମସମର୍ପଣ କରିବାର ଅର୍ଥ ହେଉଛି ଉଭୟ ମନୁଷ୍ୟ ତଥା ଭଗବାନଙ୍କ ବିରୁଦ୍ଧରେ ଅପରାଧ ।’’

 

ଚାରିଆଡ଼େ ନୂତନ ଆଶା ଓ ନୂତନ ଉନ୍ମାଦନା ଖେଳିଗଲା । ସ୍ଵାଧୀନତା ଲାଭ ପର୍ଯ୍ୟନ୍ତ ସଂଗ୍ରାମ କରିବାକୁ ଲୋକମାନଙ୍କ ଦୃଢ଼ ଆସ୍ଫାଳନରେ ଗଗନ–ପବନ ମୁଖରିତ ହେଲା ।

Image

 

Unknown

ସ୍ଵାଧୀନତାର ସନ୍ଦେଶ

 

ଊନବିଂଶ ଶତାବ୍ଦୀର ତୃତୀୟ ଦଶକରେ ପରିଦୃଶ୍ୟ ହେଲା ସ୍ଵାଧୀନତା ସଂଗ୍ରାମର ଆଗାମୀ ପଦକ୍ଷେପ । ଏହି ଦଶକର ଆରମ୍ଭରେ ରହିଲା ଦ୍ଵିତୀୟ ଅସହଯୋଗ ଆନ୍ଦୋଳନ ଏବଂ ଶେଷରେ ରହିଲା ଦ୍ଵିତୀୟ ବିଶ୍ଵଯୁଦ୍ଧର ପ୍ରାକ୍‍କାଳରେ ବିନା ସମ୍ମତିରେ ଭାରତକୁ ଯୁଦ୍ଧରେ ଜଡ଼ିତ କରିଥିବା ହେତୁ ପ୍ରାଦେଶିକ ପରିଷଦରୁ କଂଗ୍ରେସ ମନ୍ତ୍ରିମଣ୍ଡଳର ପରିତ୍ୟାଗ । ଏହି ଦଶବର୍ଷର ଜାତୀୟ ଆନ୍ଦୋଳନର ଗତିବିଧି ନିର୍ଣ୍ଣୟ କରିବା ପୂର୍ବରୁ ଦ୍ଵିତୀୟ ଦଶକର ଶେଷ ଭାଗରେ ସନ୍ତ୍ରାସବାଦୀ ବିପ୍ଳବୀମାନଙ୍କର ପୁନରଭ୍ୟୁଦୟ ଏବଂ ୧୯୩୦ ପରବର୍ତ୍ତୀ କେତେକ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟକଳାପ ଆମର ଏକାନ୍ତ ସ୍ମରଣୀୟ । ଏହି ସମୟରେ ମଧ୍ୟ ଦେଶର ରାଜନୈତିକ ବିଚାରଧାରାରେ ଶ୍ରମିକ ଆନ୍ଦୋଳନ ଗୁରୁତ୍ଵ ଲାଭ କରିଥିଲା । ୧୯୩୦ ପରବର୍ତ୍ତୀ ରାଜନୈତିକ ପରିସ୍ଥିତି ଏହି କେତୋଟି ଘଟଣାଦ୍ଵାରା ବିଶେଷରୂପେ ପ୍ରଭାବିତ ହୋଇଥିଲା ।

 

କେବଳ ୧୯୨୮ରେ ଭାରତରେ ୨୦୩ଟି ଧର୍ମଘଟ ହୋଇଥିଲା ଏବଂ ଏଥିରେ ଅଂଶଗ୍ରହଣ କରିଥିଲେ ୫,୦୫,୦୦୦ ଶ୍ରମିକ । ବମ୍ବେ ଓ ଦକ୍ଷିଣ ମହାରାଷ୍ଟ୍ରର ଲୁଗାକଳଗୁଡ଼ିକରେ ବିପ୍ଳବବାଦୀ ‘ଗିର୍‍ନୀ କାମଗାର ସଂଘ’ର ସଭ୍ୟସଂଖ୍ୟା ସୁଦୃଶ୍ୟଭାବେ ବର୍ଦ୍ଧିତ ହୋଇଥିଲା । ଦକ୍ଷିଣ–ଭାରତ, ମାନ୍ଦ୍ରାଜ ଏବଂ ଦକ୍ଷିଣ–ମରାଠା ରେଲୱେ ଶ୍ରମିକମାନେ ବିପ୍ଳବପାଇଁ ପ୍ରତିଜ୍ଞାବଦ୍ଧ ହୋଇ ସଂଘମାନ ଗଠନ କରିଥିଲେ । କମ୍ୟୁନିଷ୍ଟ ସମ୍ବାଦପତ୍ର; ଯଥା–କୀର୍ତ୍ତି, ମଜଦୁର, କିଷାନ, ସ୍ପାର୍କ, ଏବଂ କ୍ରାନ୍ତି ସହରମାନଙ୍କରେ ଖୁବ୍ ପ୍ରସାରଲାଭ କରିଥିଲା; ଚାରିଆଡ଼େ ଯୁବ–ପରିଷଦମାନ ଗଠିତ ହୋଇଥିଲା ଏବଂ ଏସବୁ ନିମ୍ନ–ମଧ୍ୟବିତ୍ତ–ଶ୍ରେଣୀର ଛାତ୍ରମାନଙ୍କୁ ବେଶୀ ଆକୃଷ୍ଟ କରିଥିଲା-। କାରଣ ସେମାନଙ୍କ ମନରେ କଂଗ୍ରେସର ସ୍ୱରାଜବାଦୀ ଉଚ୍ଚ–ମଧ୍ୟବିତ୍ତ–ଶ୍ରେଣୀର ନେତାମାନଙ୍କ ପ୍ରତି ଆଦୌ ସହାନୁଭୂତି ନଥିଲା । ତେବେ ସେମାନେ ନିଜ ପକ୍ଷରୁ ବିଧିବଦ୍ଧଭାବେ ସାମ୍ୟବାଦୀ ଆନ୍ଦୋଳନ ସଂଗଠନ କରି ନଥିଲେ । ସହରର ଶ୍ରମିକମାନଙ୍କୁ ନେଇ ଦଳ ଗଢ଼ିବା, ସାମ୍ୟବାଦୀ ଆଦର୍ଶ ଭିତ୍ତିରେ ଜୀବନର ମାନ ବୃଦ୍ଧିପାଇଁ ଆନ୍ଦୋଳନ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଇବା କିମ୍ବା ଆନ୍ତର୍ଜାତିକ ଶ୍ରମିକମାନଙ୍କ ଶ୍ରେଣୀ–ସଂଗ୍ରାମ ସହିତ ଭାରତୀୟ ଶ୍ରମିକମାନଙ୍କୁ ସଂଯୁକ୍ତ କରିବା ଇତ୍ୟାଦି କୌଣସି କାର୍ଯ୍ୟ ସେମାନେ କରି ନଥିଲେ ।

 

କଲିକତାରେ କଂଗ୍ରେସ ଅଧିବେଶନ ଓ ସର୍ବଦଳୀୟ ସମ୍ମିଳନୀ ସମୟରେ କମ୍ୟୁନିଷ୍ଟମାନେ ପ୍ରଥମ ଥରପାଇଁ ନିଖିଳ ଭାରତ କୃଷକ–ଶ୍ରମିକ ଦଳର ଗୋଟିଏ ସମ୍ମିଳନୀ ଆହ୍ଵାନ କରିଥିଲେ । ଏହି ସମ୍ମିଳନୀରେ ଶ୍ରମଜୀବୀମାନଙ୍କ ଶ୍ରେଣୀ–ସଂଗ୍ରାମର ଆବଶ୍ୟକତା, ବିନା କ୍ଷତିପୂରଣରେ ଭୂମି–ସ୍ଵତ୍ଵାଧିକାର ଉଚ୍ଛେଦ, ଦୈନିକ କାର୍ଯ୍ୟ ସମୟର ସଙ୍କୋଚନ, ନିର୍ଦ୍ଦିଷ୍ଟ ସ୍ଵଳ୍ପତମ ବେତନଦାନ ଏବଂ ଭାଷଣ, ପ୍ରକାଶନ ଓ ଶ୍ରମିକ ସଂଘ ଗଠନରେ ସ୍ଵାଧୀନତା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥିଲା । ଏଠାରେ କଂଗ୍ରେସ ପକ୍ଷରୁ ୧୯୨୮ରେ ସ୍ଵୀକୃତ ହୋଇଥିବା ସାମ୍ରାଜ୍ୟ ମଧ୍ୟରେ ସ୍ୱାୟତ୍ତ ଶାସନାଧିକାର ଭାରତ ପକ୍ଷରେ ଏକ ସାମୟିକ କାମ୍ୟ ବସ୍ତୁଭାବେ ସମାଲୋଚିତ ହୋଇଥିଲା ।

 

ବ୍ରିଟିଶ ଶାସକବର୍ଗ ଉପଲବ୍ଧି କରିଥିଲେ ଯେ ସାଇମନ୍–କମିଶନ–ବିରୋଧୀ ଆନ୍ଦୋଳନର ନେତୃତ୍ଵ କ୍ରମେ ବାମପନ୍ଥୀଙ୍କ ହାତକୁ ଚାଲିଯାଉଛି । ତେଣୁ ଆଉ ଏକ ରାଜକୀୟ କମିଶନ–ଶ୍ରମ ସଂକ୍ରାନ୍ତୀୟ ହୁଇଟ୍‍ଲେ କମିଶନ–ନିଯୁକ୍ତ ହୋଇଥିଲା । ତାଙ୍କର କାର୍ଯ୍ୟ ଥିଲା ଭାରତକୁ ଆସି ଶ୍ରମିକ ସମ୍ପର୍କର ଉନ୍ନତିବିଧାନ ଓ ଶ୍ରମିକ କଲ୍ୟାଣ ବ୍ୟବସ୍ଥାର ଉତ୍କର୍ଷ ସାଧନ ଦିଗରେ ପରାମର୍ଶ ଦେବା । ବାମପନ୍ଥୀ ଆନ୍ଦୋଳନର ଭିତ୍ତି ଏହାରି ଉପରେ ପ୍ରତିଷ୍ଠିତ ହୋଇଥିବାରୁ ସରକାରଙ୍କ କୌଶଳ ଥିଲା, ଏହି ଉପାୟରେ ଶ୍ରମିକମାନଙ୍କୁ ବୁଝାଇଦେବେ ଯେ ସେମାନଙ୍କ ନେତାମାନେ ତୁଣ୍ଡରେ ସାମ୍ୟବାଦ, ବିପ୍ଳବ ଇତ୍ୟାଦି ବଡ଼ବଡ଼ କଥା କହୁଛନ୍ତି ସିନା; ମାତ୍ର ସରକାର ଶ୍ରମିକ–କଲ୍ୟାଣ ଦିଗରେ ତାଙ୍କଠାରୁ ବେଶୀ ସଚେତନ । କିନ୍ତୁ କମିଶନରେ କୌଣସି ଶ୍ରମିକଙ୍କୁ ନିଆଯାଇ ନଥିଲା । ୧୯୨୯ରେ ଭାରତରେ ପହଞ୍ଚିବାମାତ୍ରେ ହୁଇଟ୍‍ଲେ କମିଶନକୁ ଅନେକ ଶ୍ରମିକ–ସଙ୍ଗଠନ ବର୍ଜନ କଲେ । ସେମାନେ ଭୁଲି ପାରି ନଥିଲେ ଯେ ୧୯୨୮ରେ କେନ୍ଦ୍ର ବିଧାନ–ପରିଷଦରେ ଟ୍ରେଡ଼–ଡିସପ୍ୟୁଟ ବିଲ୍ ଓ ବିପ୍ଳବ ସେଫ୍‍ଟି ଆକ୍ଟର ସଂଶୋଧନ ଅନୁମୋଦନ କରିନେବାକୁ ସରକାର କିପରି ଅପଚେଷ୍ଟା କରିଥିଲେ ଏବଂ ଏହାଦ୍ଵାରା କିପରି ତାଙ୍କର କୌଣସି ଉପକାର ନହୋଇ ବରଂ କ୍ରିୟାତ୍ମକ ସ୍ଵାଧୀନତା ସଙ୍କୁଚିତ ହୋଇଥାନ୍ତା । ଏହି ପ୍ରସ୍ତାବିତ ଆଇନର ଭିତିରି ଉଦ୍ଦେଶ୍ୟ ଥିଲା ଧର୍ମଘଟକୁ ନିଷିଦ୍ଧ କରିବାର କ୍ଷମତା ଶାସନ–ବିଭାଗ ହାତରେ ରହିବ ଏବଂ ସେମାନେ ଦେଶରେ ଆଇନ–ଶୃଙ୍ଖଳା ନଷ୍ଟ ହେଉଛି ବୋଲି ନିଜ ବିଚାରରେ ଉପଲବ୍ଧି କଲେ ବିଧାନ–ପରିଷଦର ବିନା ପରାମର୍ଶରେ ଆପଦକାଳୀନ ବ୍ୟବସ୍ଥା ଗ୍ରହଣ କରିବାକୁ ସମର୍ଥ ହେବେ । ଆହୁରି ମଧ୍ୟ ସେମାନେ ଏହାଦ୍ଵାରା ଭାରତୀୟ ରାଜନୈତିକ ଦଳ ସବୁ ଯେପରି ଆନ୍ତର୍ଜାତିକ ସଙ୍ଗଠନଗୁଡ଼ିକ ସହିତ ସମ୍ପର୍କ ସ୍ଥାପନ କରି ଆର୍ଥିକ ତଥା ନୈତିକ ସମର୍ଥନ ଗ୍ରହଣ ନକରନ୍ତି, ତା’ ଉପରେ ପ୍ରତିବନ୍ଧକ ଲଗାଇ ପାରିଥାନ୍ତେ । ମୋତିଲାଲ ନେହେରୁଙ୍କ ନେତୃତ୍ଵରେ କେନ୍ଦ୍ର ବିଧାନପରିଷଦର ସଭ୍ୟବୃନ୍ଦ ଏହି ବିଲ୍‍ଗୁଡ଼ିକ ଅଗ୍ରାହ୍ୟ କରିଦେଇଥିଲେ ।

 

୧୯୨୯ ମାର୍ଚ୍ଚରେ ଗିର୍‍ନି କାମଗାର ସଂଘ ଓ ରେଲୱେ ଶ୍ରମିକମାନଙ୍କ ମିଳିତ ଆହ୍ଵାନକ୍ରମେ ବମ୍ବେରେ ଏକ ସାଧାରଣ ଧର୍ମଘଟ ପାଳିତ ହୋଇଥିଲା । ୧୯୨୮ ଧର୍ମଘଟରେ ଭାଗ ନେଇଥିବା ଶ୍ରମିକମାନଙ୍କୁ ଛଟେଇ କରି ତାଙ୍କ ସ୍ଥାନରେ ପଠାଣ ଶ୍ରମିକମାନଙ୍କୁ ଗ୍ରହଣ କରିବା ବିରୁଦ୍ଧରେ ଏହା ଥିଲା ଏକ ପ୍ରତିବାଦ । ଧର୍ମଘଟକାରୀଙ୍କ ଯୁକ୍ତି ଥିଲା, ଏହି ନିଷ୍ପତ୍ତି ଶ୍ରମିକ ସଂଘର ଏକତା ପଦଦଳିତ କରିଛି ଏବଂ କାରଖାନାରେ ହିନ୍ଦୁ–ମୁସଲମାନ ବିରୋଧ ସୃଷ୍ଟି କରିଛି । ଏହି ଧର୍ମଘଟ କଲିକତା, କାନପୁର ପର୍ଯ୍ୟନ୍ତ ବ୍ୟାପିଯାଇଥିଲା । ସଙ୍ଗେ ସଙ୍ଗେ ମାର୍ଚ୍ଚ ୨୦ ତାରିଖରେ ବ୍ରିଟିଶ ସମ୍ରାଟଙ୍କ ବିରୁଦ୍ଧରେ ବିପ୍ଳବ କରିବାପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ସାରା ଦେଶରେ ବଛାବଛା ୩୩ ଜଣ ଶ୍ରମିକନେତାଙ୍କୁ ଗିରଫ୍ କରିନିଆଗଲା । ଏମାନଙ୍କ ମଧ୍ୟରେ ଥିଲେ ପରବର୍ତ୍ତୀ କାଳର ସୁପରିଚିତ କମ୍ୟୁନିଷ୍ଟ ନେତା ମୁଜାଫର ଅହମ୍ମଦ, ଡାଙ୍ଗେ, ମିର୍ଜାକର ଓ ପି. ସି. ଯୋଷୀ; ବମ୍ବେ କମ୍ୟୁନିଷ୍ଟମାନଙ୍କୁ ସହାୟତା ଦେବାପାଇଁ ଆସିଥିବା ଦୁଇଜଣ ବ୍ରିଟିଶ କମ୍ୟୁନିଷ୍ଟ ବେନ ବ୍ରାଡ଼ଲେ ଓ ଫିଲିପ ସ୍ପ୍ରାଟ ଏବଂ କେତେଜଣ ଅଣ–କମ୍ୟୁନିଷ୍ଟ କ୍ରାନ୍ତିକାରୀ ବିପ୍ଳବୀ-। ବିଧାନସଭାରେ ନିଗୃହୀତ ପୂର୍ବୋକ୍ତ ଦୁଇଟି ଦମନମୂଳକ ବିଲ୍ ବଳବତ୍ତର କରିବାକୁ ବଡ଼ଲାଟ ଲର୍ଡ଼ ଇରଉଇନ୍ ଏକ ସ୍ଵତନ୍ତ୍ର ଆଦେଶ ଜାରି କଲେ । ତଥାକଥିତ ଷଡ଼ଯନ୍ତ୍ରକାରୀଙ୍କୁ ଶ୍ରମିକ ସଂଘ ଓ ଶିଳ୍ପାଞ୍ଚଳର ବହୁଦୂରରେ ମିରଟଠାରେ ଅଟକ ରଖାଗଲା । ଏଠାରେ ବହୁଦିନଧରି ୧୯୩୩ ପର୍ଯ୍ୟନ୍ତ ମିରଟ ଷଡ଼ଯନ୍ତ୍ର ମାମଲା ଚାଲିଲା । ଶେଷରେ ଅଧିକାଂଶ ବନ୍ଦୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୋଷାନୁପାତରେ ଜେଲଦଣ୍ଡ ପ୍ରଦାନ କରାଗଲା । ସେମାନଙ୍କ ଭିତରୁ କମ୍ୟୁନିଷ୍ଟମାନେ ମିଶଲରେ ଠିଆହୋଇ ସେମାନଙ୍କ ଆଦର୍ଶ ଓ ସାମ୍ରାଜ୍ୟବାଦ–ବିରୋଧୀ ଆଚରଣ ସପକ୍ଷରେ ସୁଦୀର୍ଘ ବୟାନ ପ୍ରଦାନ କରିଥିଲେ । କିନ୍ତୁ ସରକାର ଏହା ପ୍ରକାଶ ନକରି ଚାପିଦେଇଥିଲେ । ଏତେବେଳକୁ ଜଣାପଡ଼ିଲା ଯେ ଜଣେ ଷଡ଼ଯନ୍ତ୍ରକାରୀଭାବେ ଜବାହରଲାଲ ନେହେରୁଙ୍କୁ ମଧ୍ୟ ଗିରଫ୍ କରିବାପାଇଁ ସରାକର ମନ୍ତ୍ରଣା କରୁଥିଲେ; ମାତ୍ର ଏହା ପ୍ରବଳ ବିକ୍ଷୋଭ ସୃଷ୍ଟି କରିବା ଆଶଙ୍କାରେ ସେଥିରୁ ନିବୃତ୍ତ ହେଲେ । ମିରଟର ବିଚାରାଧୀନ ବନ୍ଦୀମାନଙ୍କୁ ଆଇନର ସହାୟତା ଦେବାପାଇଁ ନେହେରୁ ଚେଷ୍ଟା କରିଥିଲେ; କିନ୍ତୁ ୧୯୨୯–୩୧ ମଧ୍ୟବର୍ତ୍ତୀ ଘଟଣା ପରମ୍ପରାରେ କମ୍ୟୁନିଷ୍ଟଙ୍କ ମାମଲା ସେତେ ପରିମାଣରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରି ନଥିଲା ।

 

୧୯୨୯ ବର୍ଷସାରା ଧର୍ମଘଟ ଲାଗିରହିଲା । ଅଖିଳ ଭାରତ ଶ୍ରମିକ ସଂଘ କଂଗ୍ରେସର (AITUC) ନାଗପୁର ଅଧିବେଶନରେ ବାମପନ୍ଥୀ ଶ୍ରମିକ ସଂଘର ଦାବି–ପୂର୍ଣ୍ଣମାତ୍ରାରେ ହୁଇଟ୍‍ଲେ କମିଶନକୁ ବଏକଟ୍‍ ଏବଂ ସାମ୍ରାଜ୍ୟବାଦ ବିରୁଦ୍ଧରେ ଲିଗ୍ ସହିତ ଶ୍ରମିକସଂଘ କଂଗ୍ରେସର ସମ୍ମିଶ୍ରଣ–ପ୍ରତି କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଥିଲା । ଏହି ଦାବି ସମର୍ଥନ କରୁ ନଥିବା ଏନ. ଏମ. ଯୋଶୀଙ୍କ ଦଳ ପରାଜିତ ହୋଇଥିଲେ । ସେମାନେ ଶ୍ରମିକ ସଂଘ କଂଗ୍ରେସ ବର୍ଜନ କରି ଅଖିଳ ଭାରତ ଶ୍ରମିକ ସଂଘ ଫେଡ଼ରେସନ ନାମକ ସଂଗଠନ ସୃଷ୍ଟିକଲେ । ଏହି ସଙ୍ଗଠନ ସମସ୍ତ ବିପ୍ଳବାତ୍ମକ ଆଭିମୁଖ୍ୟ ତଥା ରାଜନୈତିକ ଦାବିସମୂହ ଏଡ଼ାଇଦେଇ କେବଳ ଶ୍ରମିକମାନଙ୍କ ଆର୍ଥିକ ଅବସ୍ଥାର ଉନ୍ନୟନ ଦିଗରେ ସଚେଷ୍ଟ ରହିଲା । ସତ କହିବାକୁ ଗଲେ, ଏପରିକି ସବୁଠାରୁ କ୍ରାନ୍ତିବାଦୀ ଶ୍ରମିକଦଳଗୁଡ଼ିକ ମଧ୍ୟ, ଜାତୀୟ ଆନ୍ଦୋଳନ ସଙ୍ଗଠନରେ କଂଗ୍ରେସ ସହିତ ସହଯୋଗ କରି ନଥିଲେ । ଏଥିପାଇଁ ଜବାହରଲାଲ ନେହେରୁ ତାଙ୍କ ଆତ୍ମ–ଜୀବନୀରେ ଲେଖିଥିଲେ ଯେ–‘‘ଶ୍ରମିକମାନଙ୍କ ମଧ୍ୟରେ ପ୍ରଗତିଶୀଳ ଦଳଗୁଡ଼ିକ କଂଗ୍ରେସ ସହିତ ଆନ୍ତରିକ ସଦ୍‍ଭାବ ରଖିବାକୁ କୁଣ୍ଠିତ ହୋଇଥିଲେ । ସେମାନେ କଂଗ୍ରେସର ଆଦର୍ଶକୁ ସମ୍ଭ୍ରାନ୍ତବାଦୀ ଓ ପ୍ରତିକ୍ରିୟାଶୀଳ ବୋଲି ବିଚାର କରି ଏହାର ନେତୃବର୍ଗଙ୍କ ଉପରେ ଆସ୍ଥା ସ୍ଥାପନ କରିପାରି ନଥିଲେ । ବସ୍ତୁତଃ, ଶ୍ରମିକ ସଂକ୍ରାନ୍ତୀୟ ବ୍ୟାପାରରେ କଂଗ୍ରେସର ମତିଗତି ମଧ୍ୟ ସେଇଆ ଥିଲା ।’’

 

ଏହିପରିଭାବେ, ପ୍ରଥମତଃ, କ୍ରାନ୍ତିବାଦୀ ଓ ପରମ୍ପରାବାଦୀଭାବେ ଦୁଇଟି ଗୋଷ୍ଠୀ ମଧ୍ୟରେ ଆଦର୍ଶଗତ ବିରୋଧ ରହିବାରୁ ଏବଂ ଦ୍ଵିତୀୟତଃ ସରକାରଙ୍କ ଦମନନୀତି ଯୋଗୁଁ ୧୯୩୦ କାଳୀନ ଜାତୀୟ ଆନ୍ଦୋଳନରେ ଶ୍ରମିକମାନଙ୍କର ଭୂମିକା ବଳିଷ୍ଠ ହୋଇ ନଥିଲା ।

 

ପଞ୍ଜାବ, ଉତ୍ତର–ପ୍ରଦେଶ, ବଙ୍ଗଳାରେ ନିମ୍ନ–ମଧ୍ୟବିତ୍ତ ଶ୍ରେଣୀର ଯୁବଗୋଷ୍ଠୀ ମଧ୍ୟରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ପୁନର୍ଜୀବିତ ହୋଇଥିଲା । ସେମାନେ କଂଗ୍ରେସର ଉଦାର ଓ ଅହିଂସା ନୀତିରେ ହତାଶ ହୋଇପଡ଼ିଥିଲେ । ୧୯୨୫ରେ ଉତ୍ତରପ୍ରଦେଶରେ ବିଖ୍ୟାତ କାକୋରି–ଷଡ଼ଯନ୍ତ୍ର ଘଟଣା ଘଟିଥିଲା । ଏଥିରେ କେତେକ ବଙ୍ଗାଳୀ ମଧ୍ୟ ସଂପୃକ୍ତ ଥିଲେ । ଅଭିଯୁକ୍ତ ଆସାମୀମାନଙ୍କ ମଧ୍ୟରୁ ରାମପ୍ରସାଦ ବିସମିଲ, ରୋସନଲାଲ ଓ ଆଶଫାକୁଲ୍ଲା ତିନିଜଣ ଫାଶୀ ପାଇଥିଲେ । ଆଉ କେତେକ ସନ୍ଦେହଭାଜନ ବ୍ୟକ୍ତି ଆତ୍ମଗୋପନ କରି ପଳାଇଥିଲେ । ୧୯୨୮ ବେଳକୁ ପଳାତକମାନଙ୍କ ମଧ୍ୟରୁ ଏକମାତ୍ର ଚନ୍ଦ୍ରଶେଖର ଆଜାଦ ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲେ । ସେ “ହିନ୍ଦୁସ୍ତାନ ରିପବ୍ଲିକାନ ଆର୍ମି”ର ପୁନଃସଙ୍ଗଠନରେ ଅଗ୍ରଣୀ ହୋଇଥିଲେ । ଏହାର ନାମ “ହିନ୍ଦୁସ୍ତାନ ସୋସାଲିଷ୍ଟ ରିପବ୍ଲିକାନ ଆସୋସିଏସନ୍”ରୂପେ ପରିବର୍ତ୍ତିତ ହୋଇଥିଲା ଏବଂ ଏହାର ଲକ୍ଷ୍ୟ ହୋଇଥିଲା ଭାରତୀୟ ସାମ୍ୟବାଦୀ ରାଷ୍ଟ୍ର ଗଠନ ।

 

ଅକ୍‍ଟୋବର ୩୦ ଦିନ ଯେତେବେଳେ ତାଙ୍କ ଅନୁସନ୍ଧାନ କାର୍ଯ୍ୟ ଉପଲକ୍ଷରେ ସାଇମନ୍–କମିଶନ ଲାହୋରରେ ଉପନୀତ ହେଲେ, ଚିରାଚରିତଭାବେ ତାଙ୍କର ସମ୍ମୁଖୀନ ହୋଇଥିଲା ପଞ୍ଜାବର ପ୍ରବୀଣ ନେତା ଲାଲା ଲଜପତରାୟଙ୍କଦ୍ଵାରା ପରିଚାଳିତ “ସାଇମନ୍ ଫେରିଯାଅ” ବିକ୍ଷୋଭ । ପୋଲିସ୍ ଏହି ଅହିଂସା ଶୋଭାଯାତ୍ରାକାରୀଙ୍କୁ ଘଉଡ଼ାଇଦେବାକୁ ଲାଠିଚାଳନା କରିଥିଲେ ଏବଂ ଏହି ଗଣ୍ଡଗୋଳରେ ଲଜପତରାୟ ଆହତ ହୋଇ ତା’ର କିଛିଦିନ ପରେ ପ୍ରାଣତ୍ୟାଗ କଲେ । ସେଦିନ ଲାଠିମାଡ଼ର ପରିଚାଳକ ପୁଲିସ ସାହେବ ସଣ୍ଡରସ୍‍ଙ୍କୁ ଗୁଳିକରି ମାରିଦେଇଥିଲେ ପଞ୍ଜାବ ନୌଜୱାନ ଭାରତ ସଭାର ନେତା ଓ ହିନ୍ଦୁସ୍ତାନ ସୋସାଲିଷ୍ଟ ରିପବ୍ଲିକାନ ଆସୋସିଏସନ୍‍ର ସଦସ୍ୟ ଭଗତ ସିଂହ । ସେ ତାଙ୍କର ସଙ୍ଗୀମାନଙ୍କ ସହ ଖସିଯିବାକୁ ସମର୍ଥ ହୋଇଥିଲେ । ଏହି ଭଗତ ସିଂହ ହେଲେ ବିଖ୍ୟାତ ଅଜିତ ସିଂହଙ୍କ ପୁତୁରା । ସେ ୧୯୦୭ରେ ଜନ୍ମଗ୍ରହଣ କରିଥିଲେ । ୧୯୨୮ରେ ନୌ-ଜୱାନ ଭାରତ ସଭା ପଞ୍ଜାବର କୀର୍ତ୍ତି କିଷାନ ବଳ ସହିତ ସଂଯୋଗ ସ୍ଥାପନ କରିଥିଲା ଏବଂ ଅକ୍‍ଟୋବରରେ ଭଗତ ସିଂହ ନିଜର ସହଚରମାନଙ୍କ ସହିତ ଦିଲ୍ଲୀର ଫିରୋଜଶାହ କୋଟଲାଠାରେ ହିନ୍ଦୁସ୍ତାନ ସୋସାଲିଷ୍ଟ ରିପବ୍ଲିକାନ ଆସୋସିଏସନ୍ (HSRA) ସଙ୍ଗଠନ ପାଇଁ ଆହୂତ ସଭାରେ ଯୋଗ ଦେଇଥିଲେ । ତାଙ୍କ ସଭା ବିଶ୍ଵାସ କରୁଥିଲା ଯେ ଜନ-ସମର୍ଥିତ ବିପ୍ଳବାତ୍ମକ ଉପାୟରେ ଔପନିବେଶିକ ଦାସତ୍ଵ-ବନ୍ଧନରୁ ଦେଶର ମୁକ୍ତି ଅବଶ୍ୟମ୍ଭାବୀ ଏବଂ ଏହାର ଧ୍ୱନି ଥିଲା “ଗଣ–ମଙ୍ଗଳ ପାଇଁ ଗଣ-ବିପ୍ଳବ” । ଏମାନେ ପୁରପଲ୍ଲୀରେ ରାଜନୈତିକ ପ୍ରଚାର ଆବଶ୍ୟକତା ଉପଲବ୍ଧି କରିଥିଲେ ଏବଂ ଗଣ-ବିପ୍ଳବର ପ୍ରଥମ ଓ ଅନିବାର୍ଯ୍ୟ ପଦକ୍ଷେପରୂପେ ସନ୍ତ୍ରାସବାଦ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ବ୍ୟକ୍ତିଗତ ତ୍ୟାଗ ଓ ବୀରତ୍ଵବ୍ୟଞ୍ଜକ ସନ୍ତ୍ରାସମୂଳକ କାର୍ଯ୍ୟକଳାପ ମଧ୍ୟରେ ଗଣ-ଚେତନାକୁ ଜାଗ୍ରତ କରିବା ଥିଲା ସେମାନଙ୍କର ଲକ୍ଷ୍ୟ ।

 

ଏହିସବୁ କାରଣରୁ ହିନ୍ଦୁସ୍ତାନ ସୋସାଲିଷ୍ଟ ରିପବ୍ଲିକାନ ଆସୋସିଏସନ୍ ସ୍ଥିର କରିଥିଲା ଯେ ସେମାନେ ଅଜ୍ଞାତବାସରୁ ବାହାରି ଆସି ଭାରତୀୟ ଜନତାର ସମ୍ମୁଖରେ ନିର୍ଭୟରେ ସେମାନଙ୍କ କୃତକର୍ମର ଦାୟିତ୍ଵ ବହନ କରିବେ । ୧୯୨୯ ଏପ୍ରିଲ ୮ ତାରିଖରେ କେନ୍ଦ୍ରୀୟ ବିଧାନ ପରିଷଦରେ ଅର୍ଥ ବିଭାଗର ସଭ୍ୟ ଟ୍ରେଡ଼ ଡିସ୍‍ପ୍ୟୁଟ ବିଲ୍ ଓ ପବ୍ଲିକ୍ ସେଫ୍‍ଟି ଏମେଣ୍ଡମେଣ୍ଟ ବିଲ୍ ବିଶେଷ ଆଇନ ବଳରେ ଜାରି ହେଲା ବୋଲି ଘୋଷଣା କରିବାମାତ୍ରେ ସରକାରଙ୍କ ଏକଛତ୍ରବାଦୀ ଦମନନୀତି ବିରୁଦ୍ଧରେ ପ୍ରତିବାଦ ପ୍ରଦର୍ଶନସ୍ୱରୂପ ସରକାରୀ ପକ୍ଷ ଉପରେ ଦର୍ଶକମଞ୍ଚରୁ ବୋମା ନିକ୍ଷେପ କରିଥିଲେ ଭଗତ ସିଂହ ଓ ବଟୁକେଶ୍ଵର ଦତ୍ତ । ସେମାନେ ମଧ୍ୟ ସଭାଗୃହ ମଧ୍ୟରେ ‘ରେଡ଼୍ ପାମ୍ପ୍‍ଲେଟ୍’ ଶୀର୍ଷକ ଛାପାକାଗଜମାନ ବିଛୁଡ଼ି ଦେଇଥିଲେ । ଏଥିରେ କେହି ଆହତ ହୋଇ ନଥିଲେ; କାରଣ ବଜ୍ରନିର୍ଘୋଷ କରି ବୋମାଟି ବିସ୍ଫୋରିତ ହୋଇଥିଲେହେଁ ଏଥିରେ ମାରାତ୍ମକ ଶକ୍ତି ନଥିଲା । ପ୍ରକୃତରେ ଏହି ବିପ୍ଳବୀମାନଙ୍କର କାହାକୁ ଆହତ ବା ନିହତ କରିବାର ଉଦ୍ଦେଶ୍ୟ ନଥିଲା । ପରେ ବିତରିତ ଗୋଟିଏ ପତ୍ରିକାରେ ବିବୃତ ହୋଇଥିଲା ଯେ ବଧିରର କର୍ଣ୍ଣଗୋଚର କରାଇବା ଥିଲା ତାଙ୍କର ଉଦ୍ଦେଶ୍ୟ । ସେମାନେ କୌଣସି ବାଧା ସୃଷ୍ଟି ନକରି ଗିରଫ୍ ହେବାକୁ ଆଗେଇ ଆସିଥିଲେ । କାରଣ ତାଙ୍କର ଲକ୍ଷ୍ୟ ଥିଲା ଜନତା ଆଗରେ ତାଙ୍କର ଆଦର୍ଶର ବୟାନ ଦେବାକୁ ବିଚାରାଳୟ ହେବ ଏକ ଉତ୍କୃଷ୍ଟ ମଞ୍ଚ । ମିରଟରେ ମଧ୍ୟ କମ୍ୟୁନିଷ୍ଟମାନେ ଠିକ୍ ଏହି ନୀତି ଅବଲମ୍ବନ କରିଥିଲେ ।

 

କମ୍ୟୁନିଷ୍ଟ ଶ୍ରମିକ ସଂଗଠନ ଏବଂ ହିନ୍ଦୁସ୍ତାନ ସୋସାଲିଷ୍ଟ ରିପବ୍ଲିକାନ ଆସୋସିଏସନ୍‍ର ମୌଳିକ ଆଦର୍ଶ ଥିଲା ଭିନ୍ନ ଭିନ୍ନ । ତଥାପି ସେମାନଙ୍କ ମଧ୍ୟରେ ଅପାତଭାବେ କେତେକ ନୀତିଗତ ଓ ଆଦର୍ଶଗତ ସମତା ଥିଲା । ସ୍ଥୂଳତଃ ଉଭୟ ପକ୍ଷ ବ୍ରିଟିଶ ସାମ୍ରାଜ୍ୟବାଦୀଙ୍କ ପାଶବିକ ଦମନନୀତି ଓ ଭେଦ–ନୀତି ବିରୁଦ୍ଧରେ ପ୍ରତ୍ୟକ୍ଷ ସଂଗ୍ରାମର ଆହ୍ଵାନ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । କିନ୍ତୁ ଜନସାଧାରଣ ସାମ୍ୟବାଦ ପାଇଁ ପ୍ରସ୍ତୁତ ନଥିବାରୁ ଏବଂ ୧୯୦୫ ଆନ୍ଦୋଳନ କାଳରୁ ଅନୁନ୍ନତ ନିମ୍ନ–ମଧ୍ୟବିତ୍ତଶ୍ରେଣୀ ପାରମ୍ପରିକଭାବେ ସନ୍ତ୍ରାସବାଦୀଙ୍କୁ ବୀର–ପୂଜା ପ୍ରଦାନ କରୁଥିବାରୁ ଭଗତ ସିଂହ ଓ HSRA ସହଜରେ ଲୋକଚିତ୍ତରେ ଆସନ ଗ୍ରହଣ କରିପାରିଥିଲେ ଏବଂ ଲାହୋର କଂଗ୍ରେସ ପରେ ଯେଉଁ ଆଇନ–ଅମାନ୍ୟ ଆନ୍ଦୋଳନର ସୂତ୍ରପାତ ହେଲା, ସେଥିପ୍ରତି ଜନସାଧାରଣଙ୍କୁ ଆକୃଷ୍ଟ କରିପାରିଥିଲେ । ସେତେବେଳେ କଂଗ୍ରେସ ନିଜ ମଧ୍ୟରେବି ଏକମତ ନଥିଲା ।

 

ଗାନ୍ଧିଜୀ ଓ ତାଙ୍କର କେତେକ ଅନ୍ତରଙ୍ଗ ସହଚରଙ୍କ ନିକଟରେ ଅହିଂସା ଥିଲା ଏକମାତ୍ର ବିଶ୍ଵାସନୀୟ ଅସ୍ତ୍ର । ଯେକୌଣସି ପରିସ୍ଥିତିରେବି ହିଂସା ଓ ସନ୍ତ୍ରାସବାଦକୁ ସେମାନେ କୌଣସିରୂପେ ପ୍ରଶ୍ରୟ ଦେବାକୁ ପ୍ରସ୍ତୁତ ନଥିଲେ । ସେମାନେ ଥିଲେ ବିପ୍ଳବାତ୍ମକ କାର୍ଯ୍ୟକଳାପର ସମ୍ପୂର୍ଣ୍ଣ ବିରୋଧୀ । ଆଉ ଅନେକ ଗାନ୍ଧିଜୀଙ୍କ ନେତୃତ୍ଵ ଓ ତାଙ୍କ କାର୍ଯ୍ୟପଦ୍ଧତିକୁ ପରିସ୍ଥିତିର ଅନୁକୂଳ ଓ ଫଳପ୍ରସୂ ବୋଲି ଗ୍ରହଣ କରିଥିଲେ । ସେମାନେ ହିଂସା ପରିହାର କରିବାର କାରଣ ଥିଲା ସେମାନେ ବୁଝିଥିଲେ ଯେ ଲଢ଼େଇରେ ସେମାନେ ସରକାରଙ୍କ ସମସ୍କନ୍ଧ ହୋଇପାରିବେ ନାହିଁ । ଏହି ଲୋକମାନେ ବିଚାରିଥିଲେ, ଯଦି ସନ୍ତ୍ରାସବାଦୀମାନେ ତାଙ୍କ ବ୍ରିଟିଶ ସରକାରଙ୍କୁ ଦୁର୍ବଳ କରିଦିଅନ୍ତି କିମ୍ବା ସ୍ଵାଧୀନତା ସଂଗ୍ରାମପାଇଁ ଗଣ–ସମର୍ଥନ ଜାଗ୍ରତ କରିପାରନ୍ତି, ତେବେ ସେ ବାଟରେ ମଧ୍ୟ ସାମ୍ରାଜ୍ୟବାଦ ପ୍ରତି ଆଘାତ ମିଳିବ । ଏହାଛଡ଼ା ଆଉ କେତେକ ବିଚାରିଥିଲେ, ଉଭୟ ପ୍ରକାର ଆନ୍ଦୋଳନ ଆବଶ୍ୟକ । ଅନୁରୂପଭାବେ କଂଗ୍ରେସ ଭିତରେହିଁ ସମାଜବାଦ ବିଷୟରେ ମତ–ପାର୍ଥକ୍ୟ ଦେଖାଯାଇଥିଲା । କେତେକ ଆନ୍ତରିକ ଓ ନିଷ୍ଠାପରଭାବେ ବାମପନ୍ଥୀ ଚିନ୍ତାଧାରା ପୋଷଣ କରୁଥିଲେ । କେତେକ ଖୋଲାଖୋଲି ଏହାର ବିରୋଧ ମଧ୍ୟ କରୁଥିଲେ । ଗାନ୍ଧିଜୀ ଓ ତାଙ୍କ ସମର୍ଥକଗଣ ଏପରି ଏକ ରାଜନୈତିକ ଓ ଅର୍ଥନୈତିକ ବ୍ୟବସ୍ଥାର ବିଶ୍ଵାସୀ ଥିଲେ, ଯେଉଁଥିରେ କି ସାମ୍ୟବାଦୀ ଏବଂ ଏପରିକି ସମାଜବାଦୀ ଚିନ୍ତାଧାରାର ସବୁ ମନୁଷ୍ୟ ସମାନ ଏବଂ ବ୍ୟକ୍ତିବିଶେଷର ପୁଞ୍ଜି ବୃଦ୍ଧି ଅନ୍ୟାୟ ଇତ୍ୟାଦି ନୀତିଗୁଡ଼ିକ ଅନ୍ତର୍ଭୁକ୍ତ ହୋଇଥିଲା । କିନ୍ତୁ ସମ୍ପତ୍ତିର ରାଷ୍ଟ୍ରାୟତ୍ତକରଣ ଓ ବ୍ୟକ୍ତି ତୁଳନାରେ ସଂଘ ଉପରେ ଗୁରୁତ୍ଵ ପ୍ରଦାନ ପରି ମୌଳିକ ନୀତିଗୁଡ଼ିକ ବର୍ଜିତ ହୋଇଥିଲା । ବାସ୍ତବତଃ ଗାନ୍ଧିଜୀଙ୍କ ବିଶ୍ଵାସ ଥିଲା ବ୍ୟକ୍ତିବିଶେଷର ଉନ୍ନତି ନୈତିକ ଚରିତ୍ର ଗଠନ ଅସମ୍ଭବ ନୁହେଁ, ଏବଂ ସେପରି ଆଦର୍ଶ ନାଗରିକଙ୍କୁ ନେଇ ସମାଜ ସଙ୍ଗଠିତ ହେଲେ ସେଠି ସରକାରଙ୍କ ଶାସନ ଦାୟିତ୍ଵ ହ୍ରାସ ପାଇବ ।

 

ଏହିସବୁ କାରଣରୁ ଲକ୍ଷ୍ୟଗତ ସମାନତା ଥିଲେହେଁ କଂଗ୍ରେସ ନେତୃମଣ୍ଡଳୀ ଓ ସନ୍ତ୍ରାସବାଦୀଙ୍କ ମଧ୍ୟରେ ସ୍ଵାଭାବିକ ସଂଯୋଗ ଘଟି ନଥିଲା । ଫଳରେ ନେତୃତ୍ଵର ନିର୍ଦ୍ଦେଶ ଓ ପରିଚାଳନା ଅଭାବରୁ ଜନସମର୍ଥନର ଯଥାର୍ଥ ବିନିଯୋଗ ହୋଇପାରି ନଥିଲା । ଅନୁରୂପଭାବେ ନିଜେ ବିପ୍ଳବୀବାଦୀମାନେ ମଧ୍ୟ ଏକନିଷ୍ଠ ସଂଗ୍ରାମ ଚଳାଇବାର ସୁଯୋଗ ଗ୍ରହଣ କରିପାରି ନଥିଲେ । ନିଜକୁ ଉଚ୍ଛନ୍ନ କରିଦେବାରେ ସେମାନଙ୍କ ତ୍ୟାଗ ଓ ଆଦର୍ଶବାଦିତା ଏବଂ ସାଂଗଠନିକ ବୁଦ୍ଧିର ଅଭାବ ହେତୁ ସମାଜ ଉପରେ ସେମାନଙ୍କ ତୀବ୍ର ପ୍ରଭାବ କ୍ରମେ ଦୁର୍ବଳ ହୋଇଗଲା । ଏମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଅଭାବ ଥିଲା ଏକ ପ୍ରଗତିଶୀଳ କୈନ୍ଦ୍ରିକ ପରିଚାଳନା ଶକ୍ତି ।

 

ଭଗତ ସିଂହ ଓ ତାଙ୍କ ସହକର୍ମୀମାନଙ୍କ ବିରୁଦ୍ଧରେ ସରକାରଙ୍କ ପକ୍ଷରୁ ଲାହୋର ଷଡ଼ଯନ୍ତ୍ର ମକଦ୍ଦମା ରୁଜୁ କରାଗଲା । କେତେକ ଆସାମୀ ଅଭିଯୋଗ କରିଥିଲେ ଯେ ସେମାନେ ବ୍ରିଟିଶ ସମ୍ରାଟଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ସଂଗ୍ରାମ ଘୋଷଣା କରି ବନ୍ଦୀ ହୋଇଥିବାରୁ ସେମାନଙ୍କୁ ରାଜନୈତିକ ବନ୍ଦୀଭାବେ ନରଖି ସାଧାରଣ ଆସାମୀଙ୍କ ପରି ରଖିବା ଅନ୍ୟାୟ । ସେମାନଙ୍କ ଦାବି ପ୍ରତି ଜନସମର୍ଥନ ସୃଷ୍ଟି କରିବାକୁ ସେମାନେ ଅନଶନ ଧର୍ମଘଟ ଚଳାଇଥିଲେ । ଶେଷରେ ଜେଲ କର୍ତ୍ତୃପକ୍ଷ ସେମାନେ ସହିଦ ହୋଇଯିବା ଆଶଙ୍କାରେ ଜୋର୍ ଜବରଦସ୍ତ ଖୁଆଇଥିଲେ । କିନ୍ତୁ ଏକା ଯତୀନ ଦାସ ମରଣ ପଣ କରି ଖାଦ୍ୟ ବା ଔଷଧ ଗ୍ରହଣ ନକରି ୧୩–୯–୨୯ ଦିନ ପ୍ରାଣତ୍ୟାଗ କଲେ ।

 

ଭଗତ ସିଂହ ଓ ଆଉ ଅନେକ ବିପ୍ଳବୀ ସନ୍ତ୍ରାସବାଦୀ ୧୯୨୫ ପରେ ମାର୍କସବାଦର ମୌଳିକ ନୀତିଗୁଡ଼ିକରେ ଅନୁପ୍ରାଣିତ ହୋଇଥିଲେ । ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ଅନେକେ ଜେଲରେ ହେଉ କି ବାହାରେ ହେଉ, ବ୍ୟକ୍ତିଗତ, ହିଂସ୍ରତା ଓ ବୀରତ୍ଵମୂଳକ ପୂର୍ବାଚରିତ ନୀତିର ପୁନର୍ବିଚାର କରିଥିଲେ ଏବଂ ଶେଷରେ ସାମ୍ୟବାଦୀ ଗଣବିପ୍ଳବ ସପକ୍ଷରେ ପୂର୍ବନୀତି ପରିତ୍ୟାଗ କରିଥିଲେ । ଏହାପରେ ଉତ୍ତର–ଭାରତରେ ସନ୍ତ୍ରାସବାଦ କମିଆସିଲା ।

 

୧୯୩୦ ପରବର୍ତ୍ତୀକାଳୀନ ସ୍ଵାଧୀନତା ସଂଗ୍ରାମର ଯଥାର୍ଥ ପରିଚୟ ପାଇଁ କଂଗ୍ରେସର ଲାହୋର ଅଧିବେଶନରେ ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଗ୍ରହଣ କରିବା ପୂର୍ବରୁ ଘଟଣାର କିପରି କ୍ରମବିକାଶ ହୋଇଥିଲା ତାହା ପ୍ରଥମେ ସ୍ମରଣୀୟ । ବିଲାତର ସାଧାରଣ ନିର୍ବାଚନରେ ଶ୍ରମିକଦଳ ବିଜୟ ଲାଭ କରିଥିଲେ । ଭାରତୀୟ ଜାତୀୟତାବାଦର ଜଣେ ପୂର୍ବତନ ସମର୍ଥକ ଏବଂ ସାମ୍ୟବାଦୀ ରାମ୍‍ସେ ମାକଡ଼ୋଲାଲଡ଼ ହେଲେ ନୂତନ ପ୍ରଧାନମନ୍ତ୍ରୀ । କିନ୍ତୁ ସେ ମଧ୍ୟ ତାଙ୍କର ଭାରତୀୟ ବନ୍ଧୁମାନଙ୍କୁ ନିରାଶ କରି ବ୍ରିଟିଶ ସାମ୍ରାଜ୍ୟର ସୁରକ୍ଷା ଦିଗରେ ଢଳିପଡ଼ିଲେ । ତତ୍କାଳୀନ ବଡ଼ଲାଟ ଲର୍ଡ଼ ଇରଉଇନ୍ ପରାମର୍ଶ ପାଇଁ ବିଲାତ ଗଲେ ଏବଂ ଫେରିଆସିଲା ପରେ ୧୯୨୯ ଅକ୍‍ଟୋବରରେ ଗୋଟିଏ ବିବୃତି ଦେଇ ପ୍ରକାଶ କଲେ ଯେ ସାଇମନ୍–କମିଶନର ଚୂଡ଼ାନ୍ତ ପ୍ରତିବେଦନ ମିଳିବାପରେ ତାଙ୍କ ପ୍ରସ୍ତାବଗୁଡ଼ିକ ଉପରେ ସବୁ ପକ୍ଷର ଯଥାସମ୍ଭବ ସହମତ ଆଣିବାପାଇଁ ଗୋଟିଏ ଗୋଲଟେବୁଲ ବୈଠକ ବସିବ । ସେ ବର୍ଷର ଶେଷ ଆଡ଼କୁ ଗାନ୍ଧିଜୀ ଓ ମୋତିଲାଲ ନେହେରୁଙ୍କ ନେତୃତ୍ଵରେ ଗୋଟିଏ ସର୍ବଦଳୀୟ ସମ୍ମିଳନୀ ଡାକି ଇରଉଇନ୍‍ଙ୍କ ଅକ୍‍ଟୋବର ବିବୃତିକୁ ସ୍ଵାଗତ ଜଣାଯାଇଥିଲା ଏବଂ ସରକାରଙ୍କ ଶୁଭେଚ୍ଛାର ସୂଚନାସ୍ୱରୂପ ସମସ୍ତ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତି ଦେବାକୁ ଅନୁରୋଧ କରାଯାଇଥିଲା । ଜବାହରଲାଲ ପ୍ରଥମେ ଭାବିଥିଲେ ସୁଭାଷ ବୋଷଙ୍କ ସହିତ ମିଶି ଏହାର ବିପରୀତଧର୍ମୀ ଗୋଟିଏ ଘୋଷଣାପତ୍ର ପ୍ରକାଶ କରିବେ । କିନ୍ତୁ ନିଜର ପିତା ଓ ଗୁରୁତୁଲ୍ୟ ଗାନ୍ଧିଜୀଙ୍କ ପ୍ରବର୍ତ୍ତନାରେ ସେ ମଧ୍ୟ ସ୍ଵୀକୃତିମୂଳକ ସ୍ଵାକ୍ଷର ପ୍ରଦାନ କରିଥିଲେ । ଜିନ୍ନା ମଧ୍ୟ ଏହି ଘୋଷଣା–ପତ୍ରକୁ ମାନି ନେଇଥିଲେ; କିନ୍ତୁ ସେ ଚାହିଁଥିଲେ ଇରଉଇନ୍‍ଙ୍କ ବିବୃତି ପ୍ରତି ସର୍ତ୍ତହୀନ ସମର୍ଥନ । ଏହିଥିରୁ ଜଣାପଡ଼େ ଯେ ଲାହୋର କଂଗ୍ରେସରେ ସ୍ଵରାଜ ପ୍ରସ୍ତାବ ଗ୍ରହଣ କରିବାର ଅବ୍ୟବହିତ ପୂର୍ବରୁ ମଧ୍ୟ ଜାତୀୟତାବାଦୀଙ୍କ ମଧ୍ୟରେ ଏକତାର ଅଭାବ ଥିଲା । ପୁରୁଣା ଓ ନୂଆଙ୍କ ଭିତରେ, କ୍ଷଣପ୍ରଭ ଉଦାରପନ୍ଥୀ ଓ ଯୁବଶକ୍ତିରେ ବଳୀୟାନ୍ ବାମପନ୍ଥୀଙ୍କ ଭିତରେ ସାମ୍ରାଜ୍ୟ ମଧ୍ୟରେ ସ୍ଵାୟତ୍ତଶାସନାଧିକାର ଲାଭର ସମର୍ଥକ ଓ ପୂର୍ଣ୍ଣ ସ୍ଵରାଜବାଦୀଙ୍କ ଭିତରେ, ଗାନ୍ଧିଜୀ–ମୋତିଲାଲଙ୍କ ଗୋଷ୍ଠୀ ଜବାହରଲାଲ ନେହେରୁ–ସୁଭାଷ ବୋଷଙ୍କ କ୍ରାନ୍ତିବାଦୀ ଗୋଷ୍ଠୀ ଭିତରେ ବିରୋଧ ଲାଗି ରହିଥିଲା । ଯାହା ହେଉ ଏତେ ରକମର ବିଭେଦ ମଧ୍ୟରେ ଜବାହରଲାଲ ୧୯୩୦ ପରବର୍ତ୍ତୀକାଳରେ ଏକପ୍ରକାର ଐକ୍ୟ ପ୍ରତିଷ୍ଠା କରିବାକୁ ସମର୍ଥ ହୋଇଥିଲେ ।

 

ଘଟନା–ଚକ୍ରରେ ଦିଲ୍ଲୀ ଘୋଷଣା–ପତ୍ରରେ ପ୍ରତିଫଳିତ ଭାରତୀୟ ଆକାଂକ୍ଷା ପୂରଣ ସମ୍ପର୍କରେ ବ୍ରିଟିଶ ସରକାରଙ୍କଠାରୁ ଆଶାଜନକ ଉତ୍ତର ଆଦାୟ କରିବାକୁ ବଡ଼ଲାଟ ଅସମର୍ଥ ହୋଇପଡ଼ିଥିବାରୁ ଇରଉଇନ୍ ଏବଂ କ୍ରାନ୍ତିବିରୋଧୀ ନେତାମାନଙ୍କ ମଧ୍ୟରେ ଗଢ଼ିଉଠୁଥିବା ମୈତ୍ରୀ ଭାଙ୍ଗିପଡ଼ିଥିଲା । ଡିସେମ୍ବର ୨୩ ତାରିଖରେ ଲାହୋର ଅଧିବେଶନର ଅବ୍ୟବହିତ ପୂର୍ବରୁ ଯେତେବେଳେ ଗାନ୍ଧିଜୀ, ମୋତିଲାଲ ଓ ଜିନ୍ନା ତାଙ୍କୁ ସାକ୍ଷାତ କରିଥିଲେ, ସେ ସେମାନଙ୍କୁ ଜଣାଇ ଦେଇଥିଲେ ଯେ ଗୋଲଟେବୁଲ ବୈଠକରେ ସରକାରଙ୍କ ପକ୍ଷରୁ କିପରି ପଦକ୍ଷେପ ନିଆଯିବ, ସେ ସଂକ୍ରାନ୍ତରେ ପୂର୍ବରୁ ସେ କୌଣସି ପ୍ରତିଶ୍ରୁତି ଦେଇପାରିବେ ନାହିଁ । ଗାନ୍ଧିଜୀ ଶେଷ ମୁହୂର୍ତ୍ତରେ ବାମପନ୍ଥୀମାନଙ୍କ ପୂର୍ଣ୍ଣ ସ୍ଵରାଜ ଦାବି ପ୍ରତି ଢଳିପଡ଼ିଥିଲେ । ସେତେବେଳେ ସେ କହିଥିବାର ଶୁଣାଯାଏ–“ମୁଁ ମୋର ନୌକାସବୁ ହରାଇ ଦେଇଛି ।’’ କିନ୍ତୁ ଅନେକ ଆଶା କରିଥିଲେ ଯେ ସେ ବାମପନ୍ଥୀମାନଙ୍କ ସହିତ ମିଶିବା ଫଳରେ ସେମାନଙ୍କର ଦୃଢ଼ତା ଶିଥିଳ ହୋଇଯିବ ।

 

ଡିସେମ୍ବର ୩୦–ହିନ୍ଦୁସ୍ଥାନ ସୋସାଲିଷ୍ଟ ରିପବ୍ଲିକାନ ଆସୋସିଏସନ୍‍ର କାର୍ଯ୍ୟକଳାପରେ ପ୍ରକମ୍ପିତ ଲାହୋର ସହରରେ ଦିଲ୍ଲୀ–ଘୋଷଣାପତ୍ରକୁ ସମର୍ଥନ ଜ୍ଞାପନ ପୂର୍ବକ କଂଗ୍ରେସ ପ୍ରସ୍ତାବ ଗ୍ରହଣ କଲା ଯେ ଇରଉଇନ୍‍ଙ୍କ ନିଷ୍କ୍ରିୟ ଅବସ୍ଥା ଦୃଷ୍ଟିରୁ ଗୋଲଟେବୁଲ ବୈଠକରେ ଯୋଗଦେଇ କଂଗ୍ରେସର କୌଣସି ଲାଭ ହେବ ନାହିଁ । ନେହେରୁ–ପ୍ରତିବେଦନ ପୂର୍ବରୁ ବାତିଲ ହୋଇଯାଇଥିବାରୁ ବର୍ତ୍ତମାନ କେବଳ ପୂର୍ଣ୍ଣ ସ୍ଵରାଜପାଇଁ ଆନ୍ଦୋଳନ କରିବା ଉଚିତ-

 

କଂଗ୍ରେସ ପ୍ରସ୍ତାବରେ ଏହି ଆନ୍ଦୋଳନକୁ ଆଇନ–ଅମାନ୍ୟ ଆନ୍ଦୋଳନ ବୋଲି ଅଭିହିତ କରାଯାଇଥିଲା । ପରିବର୍ତ୍ତନ–ବିରୋଧୀ ଗୋଷ୍ଠୀଦ୍ଵାରା ଏହାର ଅର୍ଥ କରାଯାଇଥିଲା–ବିଧାନସଭା, ଶାସନବିଭାଗ ଏବଂ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନଗୁଡ଼ିକୁ ବଏକଟ୍‍ । ଗାନ୍ଧିଜୀ ମଧ୍ୟ ଏହି ଅର୍ଥରେ ଗ୍ରହଣ କରିଥିଲେ; କାରଣ ତାଙ୍କର ଆଶଙ୍କା ଥିଲା ଅନ୍ୟଥା ଯୁବସମାଜ ହିଂସାତ୍ମକ ବିପ୍ଳବରେ ମାତିଉଠିବେ । ସେ କହିଥିଲେ, “ଭାଷଣ, ପ୍ରସ୍ତାବ, ସମ୍ମିଳନୀ ଇତ୍ୟାଦିକୁ ବେଖାତିର କରି ସିଧାସଳଖ କାମ ହାସଲ କରିବାକୁ ଚାହୁଁଥିବା ଗୋଟିଏ ହିଂସାବାଦୀ ଦଳ ସକ୍ରିୟ ଥିବାରୁ ଦେଶକୁ ବିଶୃଙ୍ଖଳା ଓ ଅପରାଧପ୍ରବଣତା କବଳରୁ ରକ୍ଷା କରିବାପାଇଁ ଆଇନ–ଅମାନ୍ୟ ଆନ୍ଦୋଳନ ଏକମାତ୍ର ଶ୍ରେୟସ୍କର ପଥ ।’’ ବିଧାନସଭା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ପ୍ରସାରିତ କରିବାପାଇଁ ସ୍ଵରାଜବାଦୀଙ୍କ ପ୍ରସ୍ତାବ ପରିତ୍ୟାଗ କରାଯାଇଥିଲା । ସୁଭାଷ ବୋଷଙ୍କ ପକ୍ଷରୁ ଆସିଥିବା ଆଉ ଏକ ପ୍ରସ୍ତାବ–‘ଗଠନମୂଳକ ବିପ୍ଳବାତ୍ମକ ଆନ୍ଦୋଳନଦ୍ଵାରା କଂଗ୍ରେସ ଏକ ସମାନ୍ତରାଳ ସରକାର ପ୍ରତିଷ୍ଠା କରିବା ଉଚିତ ଏବଂ ଏଥିପାଇଁ କୃଷକ, ଶ୍ରମିକ ଓ ଯୁବକମାନଙ୍କୁ ସଙ୍ଗଠିତ କରିବା ଉଚିତ’–ନାକଚ ହୋଇଯାଇଥିଲା ।

 

ତଥାପି ସ୍ଵୀକାର କରିବାକୁ ହେବ, ଏତେ ପାରସ୍ପରିକ ବିରୋଧ ଓ ବିଭେଦ ସତ୍ତ୍ୱେ ୧୯୩୦ ଜାନୁଆରୀ ପହିଲା ଦିନ ଏକ ଅଭୂତପୂର୍ବ ଐକ୍ୟବୋଧ ପରିଲକ୍ଷିତ ହୋଇଥିଲା । ସମଗ୍ର ଦେଶର ଜନଗଣ କଂଗ୍ରେସର ପୂର୍ଣ୍ଣ ସ୍ଵରାଜ ଦାବି ପ୍ରତି ସମର୍ଥନ ଜଣାଇଥିଲେ । କେବଳ ଯୁବକମାନେ ନୁହନ୍ତି, ପ୍ରାଚୀନ ଗୋଷ୍ଠୀ, ନରମପନ୍ଥୀ ସ୍ଵରାଜବାଦୀ ଏବଂ ପରିବର୍ତ୍ତନ–ବିରୋଧୀ କଂଗ୍ରେସ ନେତାମାନେ ମଧ୍ୟ ସମର୍ଥନ ଜଣାଇଥିଲେ । ସେତେବେଳେ ସେମାନେ ଅନ୍ତରତଃ ଉପଲବ୍ଧି କରିଥିଲେ ଯେ ସରକାର କଦାପି ଭାରତୀୟମାନଙ୍କୁ ସ୍ୱାୟତ୍ତ–ଶାସନାଧିକାର ପ୍ରଦାନ କରିବ ନାହିଁ; ତେଣୁ ଭାରତର ଉନ୍ନତିପାଇଁ ସ୍ଵରାଜ ଏକମାତ୍ର କାମ୍ୟ । କେବଳ ମୁସଲିମ ଲିଗ୍, ସରକାରୀ ସମର୍ଥକ ଆଞ୍ଚଳିକ ଗୋଷ୍ଠୀସକଳ ଏବଂ ଉଦାରପନ୍ଥୀମାନେ ପୂର୍ଣ୍ଣ ସ୍ଵରାଜ ପ୍ରତି ସମର୍ଥନ ଜଣାଇ ନଥିଲେ । କିନ୍ତୁ ସେମାନଙ୍କ ସଂଖ୍ୟା ଥିଲା ନଗଣ୍ୟ । ସାଇମନ୍–ବିରୋଧୀ ଆନ୍ଦୋଳନ କାଳରେ ଯେଉଁ ଐକ୍ୟବୋଧ ଦେଖାଦେଇଥିଲା ତାହା ଏବେ ମଧ୍ୟ ଉପଲବ୍ଧି ହୋଇଥିଲା ।

 

ସ୍ଵାଧୀନତା ଆନ୍ଦୋଳନର ସଙ୍ଗଠନ ପାଇଁ ଛୋଟ ଛୋଟ ସ୍ଥାନୀୟ ଦଳ ଗଠନ କରିବା ବିଷୟରେ ସୁଭାଷ ବୋଷ ଓ ଆଉ କେତେକଙ୍କ ଉଦ୍ୟମ ମୂଲ୍ୟହୀନ ହୋଇ ନଥିଲା । ମାତ୍ର ୧୯୩୦ ଆନ୍ଦୋଳନ ପ୍ରତି ଦେଶର ପ୍ରତି କୋଣରୁ ଯେଉଁ ବିପୁଳ ଜନସମର୍ଥନ ମିଳିଥିଲା, ତାହା ମୂଳରେ ପ୍ରଧାନତଃ ନିହିତ ଥିଲା ଗାନ୍ଧିଜୀଙ୍କ ଦେଶାତ୍ମବୋଧକ ବାର୍ତ୍ତା, ଆତ୍ମ–ସମ୍ମାନବୋଧ ଏବଂ ଗ୍ରାମାଞ୍ଚଳରେ ଗଠନମୂଳକ କାର୍ଯ୍ୟ ।

 

ଆଇନ–ଅମାନ୍ୟ ଆନ୍ଦୋଳନ ପାଇଁ ପ୍ରସ୍ତୁତ

 

ଭାରତରେ ୧୯୩୦ ମସିହାରେ ଜାନୁଆରୀ ମାସଟି ଖୁବ୍‍ ଉଦ୍‍ବେଗପୂର୍ଣ୍ଣ ହୋଇଥିଲା-। ମୂଳରୁ କେହି ଜାଣି ନଥିଲେ କେବେ ଆନ୍ଦୋଳନର ଶୁଭାରମ୍ଭ ହେବ କିମ୍ବା କ’ଣ ହେବ ସେଥିର କାର୍ଯ୍ୟକ୍ରମ । ସବୁକଥା ସ୍ଥିର କରିବାକୁ ଗାନ୍ଧିଜୀଙ୍କ ଉପରେ ଛାଡ଼ି ଦିଆଯାଇଥିଲା । ଗାନ୍ଧିଜୀ ତାଙ୍କ ପକ୍ଷରୁ କେବଳ ଏତିକି ମୌଖିକ ଆଶ୍ଵାସନା ଦେଇଥିଲେ ଯେ ଆରଥର ଚୌରିଚୌରା ଘଟଣା ପରେ ଯେମିତି ହୋଇଥିଲା, ଏଥର ଯାହା ହେଲେବି ଆନ୍ଦୋଳନ ସେମିତି ସ୍ଥଗିତ ବା ବନ୍ଦ କରାଯିବ ନାହିଁ । ନେହେରୁ ତାଙ୍କ ଆତ୍ମ–ଜୀବନୀରେ ଏହି ପ୍ରସଙ୍ଗର ସୂଚନା ଦେଇ କହିଛନ୍ତି, “ସେ (ଗାନ୍ଧିଜୀ) ଆମ ମନରେ ଦୃଢ଼ ପ୍ରତ୍ୟୟ ଦେଇଥିଲେ ଯେ କେଉଁଠି ଗୋଟେ କାଁଭାଁ ଦଙ୍ଗା–ହଙ୍ଗାମା ହେଲେବି ଆଇନ–ଅମାନ୍ୟ ଆନ୍ଦୋଳନ ସର୍ବଥା ଚାଲୁରହିବ....ତାଙ୍କର ଏହି ପ୍ରତିଶ୍ରୁତି ଆମମାନଙ୍କୁ ଅନେକ ଆନନ୍ଦ ଦେଇଥିଲା ।’’

 

୧୯୩୦ ଛବିଶ ଜାନୁଆରୀ ଦିନ ଭାରତର ଜନସାଧାରଣ ଗୋଟିଏ ସ୍ଵାଧୀନତାର ଘୋଷଣାପତ୍ର ବା ଶପଥପତ୍ର ଗ୍ରହଣ କରିବାକୁ ସ୍ଥିର ହୋଇଥିଲା । ଆଶା କରାଯାଇଥିଲା, ସେହିଦିନ ଆଇନ–ଅମାନ୍ୟ ଆରମ୍ଭ ହେବ । ଏହି ଦିନଟି ସ୍ଵାଧୀନତା ଦିବସ ବୋଲି ଘୋଷିତ ହୋଇଥିଲା ।

 

ଶପଥପତ୍ରର ଆରମ୍ଭ ଏପରି ଭାଷାରେ ହୋଇଥିଲା ଯେ ତାହା ଆନ୍ଦୋଳନ ସପକ୍ଷରେ ସାମ୍ରାଜ୍ୟବାଦ–ବିରୋଧୀ, ଉଦାର–ପନ୍ଥୀ, ବିପ୍ଳବୀ–ଗଣତାନ୍ତ୍ରିକ ତଥା ସାମ୍ୟବାଦୀ ଇତ୍ୟାଦି ସବୁଶ୍ରେଣୀର ଲୋକଙ୍କୁ ମୁଗ୍ଧ କରିଥିଲା ।

 

“ଆମେ ବିଶ୍ଵାସ କରୁ ଯେ ଅନ୍ୟ ଯେକୌଣସି ଜାତି ପରି ଭାରତୀୟମାନଙ୍କର ଅନିବାର୍ଯ୍ୟ ଅଧିକାର ହେଉଛି ସ୍ଵାଧୀନତା, ନିଜ ଶ୍ରମର ଫଳ ନିଜେ ଉପଭୋଗ କରିବା କ୍ଷମତା ଏବଂ ଅଭିବୃଦ୍ଧିର ପୂର୍ଣ୍ଣ ସୁଯୋଗ ଲାଭପାଇଁ ଜୀବନର ଯାବତୀୟ ଆବଶ୍ୟକତାର ଉପଲବ୍ଧି; ଆମେ ମଧ୍ୟ ବିଶ୍ଵାସ କରୁ ଯେ ଯଦି କୌଣସି ସରକାର ଏହି ଅଧିକାରରୁ ବଞ୍ଚିତ କରେ ଏବଂ ଉତ୍ପୀଡ଼ିତ କରେ, ତାହାକୁ ପରିବର୍ତ୍ତିତ ବା ବିଧ୍ଵସ୍ତ କରିବାର ଅଧିକାର ଜନଗଣଙ୍କ ହାତରେ ନିହିତ । ଭାରତରେ ପ୍ରତିଷ୍ଠିତ ବ୍ରିଟିଶ ସରକାର ଭାରତୀୟ ଲୋକମାନଙ୍କର କେବଳ ସ୍ଵାଧୀନତା ଅପହରଣ କରିନାହାନ୍ତି, ଏହାର ଭିତ୍ତି ହେଉଛି ଜନତାର ଶୋଷଣ ଏବଂ ଏହା ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ–ସବୁ ଦିଗରୁ ଭାରତକୁ ଧ୍ଵଂସ କରିଦେଇଛି; ତେଣୁ ଆମର ବିଶ୍ଵାସ, ଭାରତ ନିଶ୍ଚୟ ବ୍ରିଟିଶ ସମ୍ପର୍କ ଛିନ୍ନ କରିବ ଏବଂ ପୂର୍ଣ୍ଣ ସ୍ଵରାଜ ଲାଭ କରିବ ।’’

 

ସବୁ ଶ୍ରେଣୀର ଲୋକଙ୍କ ମନକୁ ସମାନଭାବେ ଘେନାଇବା ପାଇଁ ଏହି ଶପଥପତ୍ରରୁ ବିବଦମାନ ବିଷୟମାନ ପରିହାର କରାଯାଇଥିଲା । ଦେଶର ଅର୍ଥନୈତିକ ଦୁର୍ଗତିର କାରଣସ୍ୱରୂପ ଏଥିରେ ଉଲ୍ଲେଖ କରାଯାଇଥିଲା, ବହୁ ଶତାବ୍ଦୀ ଧରି ଗ୍ରାମ୍ୟ କୃଷକସମାଜର ଜୀବନାବଲମ୍ବନ ଥିବା ପାରମ୍ପରିକ ହସ୍ତଶିଳ୍ପ ଓ କୃଷିଜାତ ଦ୍ରବ୍ୟର ଧ୍ଵଂସକରଣ ଏବଂ ଏଥିସହିତ ସୂଚିତ କରାଯାଇଥିଲା ଭାରତରୁ ବିଲାତକୁ ସମ୍ପତ୍ତିର ନିତ୍ୟନିୟମିତ ଅପସାରଣ । ସାମ୍ରାଜ୍ୟବାଦର ପକ୍ଷପାତିତା ଫଳରେ ଆଧୁନିକ ଶିଳ୍ପ ଓ ଉଦ୍ୟୋଗର କ୍ଷତିସାଧନ ବିଷୟରେ ଅବଶ୍ୟ ଉଲ୍ଲେଖ ହୋଇ ନଥିଲା । ରାଜନୈତିକ ଦୁର୍ଗତିର କାରଣସ୍ୱରୂପ ଦର୍ଶାଯାଇଥିଲା ଏକ ନଗଣ୍ୟ ଯୁକ୍ତି–ଶିକ୍ଷା ବ୍ୟବସ୍ଥାର ତ୍ରୁଟି । ଆତ୍ମିକ ଅବନତିର କାରଣସ୍ୱରୂପ ସୂଚିତ କରାଯାଇଥିଲା ବାଧ୍ୟତାମୂଳକଭାବେ ଅସ୍ତ୍ର ପରିତ୍ୟାଗ ଏବଂ ଏକ ବିଜୟୀ ସୈନ୍ୟବାହିନୀର ଉପସ୍ଥିତି ତଥା ଏହି କାରଣରୁ ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ସର୍ବଦା ଏକ ବିଦେଶୀ ସୈନ୍ୟ–ଶକ୍ତି ଉପରେ ନିର୍ଭରଶୀଳତା । ଏହି ସବୁ ବ୍ୟାଖ୍ୟାରୁ ଗାନ୍ଧିଜୀଙ୍କ ଅହିଂସା ଆଇନ–ଅମାନ୍ୟ ଆନ୍ଦୋଳନକୁ ସ୍ଵାଧୀନତା ସଂଗ୍ରାମର ଅସ୍ତ୍ରରୂପେ ଗ୍ରହଣ କରିବାର ଯଥାର୍ଥତା ପ୍ରତିପନ୍ନ ହୋଇଥିଲା ।

 

“ଆମେ ନିଶ୍ଚିତଭାବେ ଉପଲବ୍ଧି କରୁ ଯେ ସ୍ଵାଧୀନତା ଲାଭପାଇଁ ହିଂସାତ୍ମକ ଉପାୟ ଫଳପ୍ରସୂ ନୁହେଁ । ତେଣୁ ଯେତେଦୂର ସମ୍ଭବ ଆମେ ବ୍ରିଟିଶ ସରକାରଙ୍କ ସହିତ ସ୍ଵେଚ୍ଛାପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାରୁ ବିରତ ରହିବା ଏବଂ ଖଜଣା ଦେବା ବନ୍ଦ କରିବା ସହିତ ଆଇନ–ଅମାନ୍ୟ କରିବାକୁ ପ୍ରସ୍ତୁତ ରହିବା । ଯଦି ଆମେ ଉତ୍ତେଜନା ସତ୍ତ୍ୱେ ହିଂସା ଆଚରଣ ନ କରି କେବଳ ଇଚ୍ଛାକୃତଭାବେ ସରକାରଙ୍କୁ ସାହାଯ୍ୟ ନ କରନ୍ତୁ ଓ ଖଜଣା ନ ଦିଅନ୍ତୁ, ତେବେ ଏହି ଅମାନୁଷିକ ଶାସନର ଅବସାନ ସୁନିଶ୍ଚିତ ।’’

 

ଏହାପରେ ଆଉ ଏକ ବାକ୍ୟରେ ପୂର୍ଣ୍ଣ ସ୍ଵରାଜ୍ୟ ପ୍ରତିଷ୍ଠା ନିମନ୍ତେ କଂଗ୍ରେସ ପକ୍ଷରୁ ସମୟାନୁକ୍ରମେ ପ୍ରଦତ୍ତ ନିର୍ଦ୍ଦେଶାବଳୀ ପାଳନ କରିବାପାଇଁ ଶପଥ–ବାକ୍ୟ ରହିଥିଲା । ଦେଶରେ ଘଟିଥିବା ଚତୁର୍ବିଧ ଦୁର୍ଗତିର ବିଶ୍ଳେଷଣ ମଧ୍ୟରେ ସାମ୍ୟବାଦୀ ଚିନ୍ତାଧାରା ପ୍ରତିଫଳିତ ହୋଇ ନଥିଲା । କଂଗ୍ରେସ କାର୍ଯ୍ୟକାରୀ କମିଟିର ଅନୁସୃତ ନୀତି ଥିଲା ହୃଦୟ ପରିବର୍ତ୍ତନ ପାଇଁ ବିଦେଶୀ ଶାସକଙ୍କ ନିକଟରେ ଗୁହାରି । କିନ୍ତୁ ଶାସକ ଗୋଷ୍ଠୀର ମର୍ଜି ଉପରେ ଏହାର ସଫଳତା ନିର୍ଭର କରିଥିଲା ।

 

ଏହି ସମୟରେ ଗାନ୍ଧିଜୀ ତାଙ୍କ ‘ୟଙ୍ଗ ଇଣ୍ଡିଆ’ କାଗଜରେ ଗୋଟିଏ ଲେଖାରେ ସୂଚାଇଥିଲେ ଯେ ଏଗାରଟି ବିଷୟରେ ଶାସନ–ସଂସ୍କାର ଆବଶ୍ୟକ ଏବଂ ଲର୍ଡ଼ ଇରଉଇନ୍ ଯଦି ସେଗୁଡ଼ିକ ମାନିନିଅନ୍ତେ ତାହାହେଲେ ଆଇନ–ଅମାନ୍ୟ ପ୍ରତ୍ୟାହାର କରାଯାଇପାରନ୍ତା । ସେ ପର୍ଯ୍ୟନ୍ତ ସେ ତାଙ୍କର କର୍ମ ଯୋଜନା ପ୍ରସ୍ତୁତ କରି ନଥିଲେ । ଭାରତର ବିଖ୍ୟାତ କବି, ଜାତୀୟତାବାଦୀ ଓ ତାଙ୍କଠାରୁ ଅଧିକ କ୍ରାନ୍ତିକାମୀ ରବୀନ୍ଦ୍ରନାଥ ଠାକୁରଙ୍କୁ ଗୋଟିଏ ପ୍ରଶ୍ନର ଉତ୍ତରରେ ଗାନ୍ଧିଜୀ କହିଥିଲେ–“ମୁଁ ଦିନରାତି ଲାଗି ଭୟଙ୍କର ଚିନ୍ତା କରୁଛି; କିନ୍ତୁ ଅନ୍ଧାର ଭିତରେ ମତେ କେଉଁଠି ଆଲୋକ ଦିଶୁନାହିଁ ।’’

 

ସମୟ ଗଡ଼ାଇ ଗଡ଼ାଇ ଶେଷକୁ ମାର୍ଚ୍ଚ ୬ ତାରିଖରେ ସେ ଇରଉଇନ୍‍ଙ୍କୁ ପତ୍ରଦ୍ଵାରା ଜଣାଇଲେ ଯେ ତାଙ୍କର ପୂର୍ବସୂଚିତ ଏଗାରଟି ଦୂଷଣୀୟ ବିଷୟ ସେ ତୁରନ୍ତ ଦୂରୀକରଣ କରନ୍ତୁ; ନତୁବା ସେ ଆଇନଭଙ୍ଗର ଏପରି ଦୃଷ୍ଟାନ୍ତ ଦେଖାଇବେ ଯେ ଯାହା ସହଜରେ ସାରା ଦେଶର ପ୍ରଜାସାଧାରଣଙ୍କ ନିକଟରେ ପ୍ରାଞ୍ଜଳ ହୋଇ ପଡ଼ିବ । ଏ ସମ୍ପର୍କରେ ଜବାହରଲାଲ ନେହେରୁ ତାଙ୍କ ଆତ୍ମ–ଜୀବନୀରେ କଟାକ୍ଷ କରିବାକୁ ବାଧ୍ୟ ହୋଇଛନ୍ତି–“ଆମର ଯେତେବେଳେ ସ୍ଵାଧୀନତା ନେଇ କଥା ଚାଲିଛି ସେତେବେଳେ ରାଜନୈତିକ ଓ ସାମାଜିକ ସଂସ୍କାରପାଇଁ ତାଲିକା ତିଆର କରିବା କ’ଣ ଦରକାର ଥିଲା ? ଏ କଥାରେ ଆମେ ଯାହା ବୁଝିଥିଲୁ ଗାନ୍ଧିଜୀ ସେଇଆ ବୁଝିଥିଲେ, କି ନା ତାଙ୍କର ଭାଷା ଥିଲା ଆମଠାରୁ ଭିନ୍ନ ?’’

 

ଲବଣ–ସତ୍ୟାଗ୍ରହ

 

ଅବଶେଷରେ ଗାନ୍ଧିଜୀ ସିଦ୍ଧାନ୍ତ କଲେ–୧୯୩୦ ମାର୍ଚ୍ଚ ୧୨ ତାରିଖରେ ୭୮ ଜଣ ସଚ୍ଚା ସମର୍ଥକଙ୍କ ସହିତ ସାବରମତୀ ଆଶ୍ରମଠାରୁ ସମୁଦ୍ର ଉପକୂଳବର୍ତ୍ତୀ ଦାଣ୍ଡି ପର୍ଯ୍ୟନ୍ତ ଗୁଜୁରାଟର ଗ୍ରାମାଞ୍ଚଳ ମଧ୍ୟଦେଇ ୨୦୦ ମାଇଲ ପଥ ସେ ଯାତ୍ରା କରିବେ । ସେଠାରେ ସେମାନେ ପ୍ରକାଶ୍ୟଭାବେ ସମୁଦ୍ରରୁ ଲୁଣମାରି ଆଇନ ଭଙ୍ଗ କରିବେ । ଗାନ୍ଧିଜୀଙ୍କ ଦାଣ୍ଡିଯାତ୍ରା ଆରମ୍ଭ ହେବାକ୍ଷଣି ସାରା ଦେଶରେ ବିଦ୍ୟୁତବେଗରେ ଜାତୀୟତାବୋଧ ଖେଳିଗଲା । ବାଡ଼ି ଉପରେ ଭରାଦେଇ ଦୁର୍ବଳ–ଦେହ ଗାନ୍ଧିଜୀ ଦୀନଦରିଦ୍ର ବେଶରେ ଯେତେବେଳେ ଚାଲିବାକୁ ଲାଗିଲେ, ଯେଉଁ ଆଇନ ବଳରେ ଟିକସ ବସି ନିତ୍ୟ–ବ୍ୟବହାର୍ଯ୍ୟ ଲୁଣଟିକକର ଦାମ ବଢ଼ିଯାଇଛି ତାହାକୁ ସେ କିପରି ଭାଙ୍ଗିବେ ତାହା ଦେଖିବାପାଇଁ ପଥପାର୍ଶ୍ଵର ଗ୍ରାମଗୁଡ଼ିକରୁ ଦଳଦଳ ଲୋକ ଉଠି ଆସିଲେ । ଦାଣ୍ଡି–ଯାତ୍ରୀ ସେହି ଅହିଂସାବାହିନୀରେ ଯୋଗଦେବାକୁ ସ୍ଵେଚ୍ଛାସେବକମାନେ ମାଡ଼ିଆସିଲେ ।

 

ସାରା ଭାରତରେ ବଡ଼ବଡ଼ ସହରମାନଙ୍କରେ ନିମ୍ନ–ମଧ୍ୟବିତ୍ତଶ୍ରେଣୀର ଲୋକମାନଙ୍କ ମଧ୍ୟରେ ଅଦ୍ୟମ ଉତ୍ସାହ ଓ ଉଦ୍ଦୀପନାର ତରଙ୍ଗ ଖେଳିଗଲା । ଏହାର ଏକ ବାସ୍ତବ ପ୍ରମାଣସ୍ୱରୂପ ଦେଖାଯାଇଥିଲା ଆଇନ–ଅମାନ୍ୟ ଆନ୍ଦୋଳନରେ ନାରୀଜାତିର ଯୋଗଦାନ । ଏପ୍ରିଲ ୩୦ ତାରିଖରେ ‘ୟଙ୍ଗ ଇଣ୍ଡିଆ’ରେ ଗାନ୍ଧିଜୀ ଭାରତୀୟ ନାରୀ ସମାଜକୁ ଚରଖାରେ ସୂତା କାଟିବାକୁ ଏବଂ ଘରକରଣାର ଚୌହଦୀ ମଧ୍ୟରୁ ବାହାରିଆସି ବିଦେଶୀ ବସ୍ତ୍ର ବା ମଦ୍ୟ ଦୋକାନ ଓ ସରକାରୀ ଅନୁଷ୍ଠାନ ସମ୍ମୁଖରେ ଧାରଣା ଦେବାକୁ ଆହ୍ଵାନ ଜଣାଇଥିଲେ । ପୂର୍ବରୁ ମାତ୍ର ଅଳ୍ପସଂଖ୍ୟକ ମହିଳା, ଯେଉଁମାନେ ଥିଲେ ସି. ଆର୍. ଦାସ ଏବଂ ମୋତିଲାଲ ନେହେରୁଙ୍କ ପରି ଜାତୀୟ ନେତାମାନଙ୍କ ପରିବାରର କିମ୍ବା ବଡ଼ବଡ଼ ସହରବାସୀ କଲେଜ ଛାତ୍ରୀ, ସେମାନେ କେବଳ ପ୍ରକାଶ୍ୟଭାବେ ରାଜନୈତିକ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ବହୁସଂଖ୍ୟାରେ ନାରୀମାନେ ଆନ୍ଦୋଳନରେ ଯୋଗଦେଲେ ଏବଂ ଗିରଫ୍ ହେବାକୁ ଆଗେଇ ଆସିଲେ । ସେ ଯୁଗରେ ଦିଲ୍ଲୀ ପରି ଏକ ରକ୍ଷଣଶୀଳ ସହରରେ କେବଳ ୧୬୦୦ ମହିଳା ରାଜନୈତିକ ଅପରାଧରେ ବନ୍ଦୀ ହୋଇଥିଲେ । ବମ୍ବେରେ ବହୁସଂଖ୍ୟକ ମଧ୍ୟବିତ୍ତଶ୍ରେଣୀୟ ମହିଳା ଜାତୀୟ ସଂଗ୍ରାମରେ ଯୋଗ ଦେଇଥିଲେ । ଏପରିକି ବିଲାତି ପରିଦର୍ଶକମାନେ ମଧ୍ୟ ଲେଖିଥିଲେ ଯେ, ଆଇନ–ଅମାନ୍ୟ ଆନ୍ଦୋଳନଦ୍ଵାରା ଆଉ ଯାହା ସାଧିତ ହେଉ ବା ନହେଉ, ଅନ୍ତତଃ ଏହାଦ୍ଵାରା ଗୋଷ୍ଠୀଗତଭାବେ ଭାରତୀୟ ନାରୀର ସାମାଜିକ ମୁକ୍ତି ସଂଘଠିତ ହୋଇଥିଲା । ବାସ୍ତବରେ ଏହା ଥିଲା ଆନ୍ଦୋଳନର ଅନ୍ୟତମ ବିଶିଷ୍ଟ ଅବଦାନ । ଗୋଟିଏ ଶତାବ୍ଦୀର ତିନିଭାଗ ସମୟବ୍ୟାପୀ ସମାଜ–ସଂସ୍କାରମୂଳକ ଆନ୍ଦୋଳନ ମଧ୍ୟରେ ଯେଉଁ ନାରୀ–ସ୍ଵାଧୀନତା ସମ୍ଭବ ହୋଇପାରି ନଥିଲା, ତାହା ମାତ୍ର କେତେ ସପ୍ତାହ ମଧ୍ୟରେ ସଫଳ ହୋଇଗଲା ।

 

ଏହି ସମୟ ମଧ୍ୟରେ ୧୯୩୦ ଏପ୍ରିଲ ଓ ଜୁନ୍‍ ମାସର ଗ୍ରୀଷ୍ମକାଳରେ ସ୍ଵେଚ୍ଛାସେବକ ଦଳ ଲବଣ–ଆଇନ ଅମାନ୍ୟକଲେ । ଧରସଣଠାରେ ଅବସ୍ଥିତ ସରକାରୀ ଗୋଲାରେ ଲୁଣ ମାରି ସତ୍ୟାଗ୍ରହ ପାଳନ କରିବା ପୂର୍ବରୁ ଗାନ୍ଧିଜୀଙ୍କୁ ଗିରଫ୍ କରି ନିଆଗଲା । ତାଙ୍କ ସ୍ଥାନରେ ନେତାରୂପେ ଗୃହୀତ ହୋଇଥିଲେ ବମ୍ବେର ବିଖ୍ୟାତ ଜାତୀୟତାବାଦୀ ମୁସଲମାନ ପରିବାରର ତରୁଣ ବଂଶଧର ଅବ୍ବାସ ତୟବଜୀ । ସେ ମଧ୍ୟ ବନ୍ଦୀ ହେଲେ । ପରବର୍ତ୍ତୀ ନେତା ହେଲେ ବିପ୍ଳବୀ କବି ଓ ଦେଶାତ୍ମବାଦୀ ସରୋଜିନୀ ନାଇଡ଼ୁ । ମେ ୨୧ରେ ଧରସଣ ଦଖଲପାଇଁ ତାଙ୍କର ଉଦ୍ୟମ ବିଷୟରେ ବହୁକଷ୍ଟରେ ସେତେବେଳକୁ ସେଠି ପହଞ୍ଚିଯାଇଥିବା ଆମେରିକାନ୍ ସାମ୍ବାଦିକ ଉଏବ ମିଲର୍ ବିସ୍ତାରିତଭାବେ ବର୍ଣ୍ଣନା କରିଯାଇଛନ୍ତି–

 

“ଯାତ୍ରାର ଶୁଭାରମ୍ଭ ପୂର୍ବରୁ ଶ୍ରୀମତୀ ନାଇଡ଼ୁ ପ୍ରାର୍ଥନାପାଇଁ ଆହ୍ଵାନ ଜଣାଇଲେ ଏବଂ ସମଗ୍ର ସମବେତ ଜନତା ଆଣ୍ଠୁମାଡ଼ି ବସିପଡ଼ିଲେ । ସେ ସେମାନଙ୍କୁ ସନିର୍ବନ୍ଧ ଅନୁରୋଧ କଲେ–‘ଆମ ହାତରେ ଭାରତର ସମ୍ମାନ ନ୍ୟସ୍ତ...ଆପଣମାନେ ମାଡ଼ ଖାଇଲେବି ପ୍ରତିରୋଧ କରିବେ ନାହିଁ, ପ୍ରହାରକୁ ଏଡ଼ାଇ ଦେବାପାଇଁ ହାତବି ଉଠାଇବେ ନାହିଁ ।’ ଉତ୍‍ଫୁଲ୍ଲ ହର୍ଷଧ୍ଵନି ମଧ୍ୟରେ ତାଙ୍କର ଭାଷଣ ଶେଷହେଲା ।

 

“ମନ୍ଥରଗତିରେ ଏବଂ ନିର୍ବାକ ଭାବରେ ଲବଣ–ଗୋଲା ପର୍ଯ୍ୟନ୍ତ ଅର୍ଦ୍ଧ–ମାଇଲ ପଥରେ ଜନତାର ଭିଡ଼ ଲାଗିଗଲା । ଲବଣ–ଗୋଲାଗୁଡ଼ିକର ଚାରିପଟେ ଜଳଭର୍ତ୍ତି ଖାଇ ଥିଲା ଏବଂ ଚାରିଶହ ସ୍ଥାନୀୟ ସୁରାଟ ପୋଲିସ୍ ଜଗୁଆଳ ଥିଲେ । …ସେମାନଙ୍କ ଉପରେ ହୁକୁମ ଦେବାକୁ ପ୍ରାୟ ଛଅ ଜଣ ବିଲାତି ଅଫିସର ଥିଲେ । ପୋଲିସ୍‍ଙ୍କ ହାତରେ ଥିଲା ଲାଠି–ଲୁହା–ଗୋବ ଥିବା ପାଞ୍ଚଫୁଟିଆ ଠେଙ୍ଗା । ତାରବାଡ଼ରେ ବେଢ଼ା ଭିତରେ ଠିଆହୋଇଥିଲେ ୨୫ ଜଣ ରାଇଫଲଧାରୀ ସିପାହୀ ।

 

...ଗୋଟିଏ ସ୍ଥାନରେ ପାଞ୍ଚଜଣରୁ ଅଧିକ ରୁଣ୍ଡ ହେବା ବିରୁଦ୍ଧରେ ଜାରି ହୋଇଥିବା ଆଇନ ଅନୁସାରେ ପୋଲିସ୍ କର୍ମଚାରୀଗଣ ପଦଯାତ୍ରୀମାନଙ୍କୁ ମେଳ ଭାଙ୍ଗି ଚାଲିଯିବାକୁ ଆଦେଶ ଦେଇଥିଲେ । ଗୋଟିଏ ନିର୍ଦ୍ଦିଷ୍ଟ ଦଳ ସେ କଥାକୁ ମୋଟେ କାନ ନଦେଇ ଆଗେଇଚାଲିଲେ.... ଦଳଦଳ ପୋଲିସ୍ ମାଡ଼ିଆସି ସେମାନଙ୍କ ମୁଣ୍ଡ ଉପରେ ଲୁହା ଗୋବଦିଆ ଠେଙ୍ଗାରେ ପାହାର ଉପରେ ପାହାର ଲଦିଦେଇଗଲେ । ଜଣେ ହେଲେ ହାତ ଟେକି ପାହାର ରୋକିବାକୁ ପ୍ରୟାସ କଲେ ନାହିଁ..… ନଗ୍ନ ତାଳୁ ଉପରେ ଲାଠିମାଡ଼ର କରୁଣ ଶବ୍ଦ ମୁଁ ଶୁଣିପାରୁଥିଲି-। ଅପେକ୍ଷମାଣ ଜନତା ପ୍ରତ୍ୟେକ ପାହାର ସଙ୍ଗେ ସମବେଦନାର ଦୀର୍ଘଶ୍ଵାସ ଛାଡ଼ି ଗୁମୁରି ଉଠୁଥିଲେ ।

 

...ଦୁଇ ତିନି ମିନିଟ ମଧ୍ୟରେ ମାଟି ଉପରେ ସେମାନଙ୍କ ଦେହ ଛାଇ ହେଇ ଯାଇଥିଲା । ତାଙ୍କର ଧଳା ଧୋତି ଉପରେ ମେଞ୍ଚା ମେଞ୍ଚା ରକ୍ତ ନିଗିଡ଼ି ଆସୁଥିଲା.....ପ୍ରଥମ ଦଳର ସମସ୍ତ ଲୋକ ପଡ଼ିଗଲା ପରେ ତୁରନ୍ତ ଆହତମାନଙ୍କୁ ଖଟିଆ କରି ବୋହି ନିଆଯାଇଥିଲା….

 

ତା’ପରେ ଆଉ ଗୋଟିଏ ଦଳ ବାହାରି ପଡ଼ିଥିଲେ ଏବଂ ନେତାଗଣ ସେମାନଙ୍କୁ ଆତ୍ମସଂଯମ ରକ୍ଷା କରିବାପାଇଁ ଉପଦେଶ ଦେଇଥିଲେ...ସେମାନେ ଆଗେଇଆସିଲେ...ତାଙ୍କୁ ଉତ୍ସାହ ଦେବାପାଇଁ ବୀରବାଦ୍ୟ କି ଜୟଧ୍ଵନି ନଥିଲା ଏବଂ ଗୁରୁତର ଆଘାତ କିମ୍ବା ମୃତ୍ୟୁମୁଖରୁ ରକ୍ଷା ପାଇବାର କୌଣସି ସମ୍ଭାବନା ନଥିଲା । ପୋଲିସ୍‍ମାନେ କୁଦିପଡ଼ିଲେ ଏବଂ ବିଧିପୂର୍ବକ ଯନ୍ତ୍ରବତ୍ ଦ୍ଵିତୀୟ ଦଳଟିକୁ ପିଟି ପିଟି ଶୁଆଇ ଦେଲେ...ମୁଁ ଏକାଦିକ୍ରମେ ୧୮ ଜଣ ଆହତ ବ୍ୟକ୍ତିଙ୍କୁ ବୋହିନେବାର ଦେଖିଥିଲି ଏବଂ ସେତେବେଳେ ଆଉ ୪୨ ଜଣ ରକ୍ତାକ୍ତ ଦେହରେ ବୁହାଳିମାନଙ୍କ ଅପେକ୍ଷାରେ ପଡ଼ିରହିଥିଲେ ।’’

 

ତା’ପରେ ପ୍ରାଞ୍ଜଳଭାବେ ବର୍ଣ୍ଣିତ ହୋଇଛି ସ୍ଥାନ ପରିତ୍ୟାଗ କରିବା ଆଦେଶକୁ ଅବଜ୍ଞା କରି ଅପେକ୍ଷମାଣ ଜନତା ଉପରକୁ ପୋଲିସ୍ କିପରି ମାଡ଼ିଆସି ଲାଠିମାଡ଼ ଚଳାଇଥିଲେ । ମିଲରଙ୍କ ଭାଷାରେ–“ଏକ ଏକ ସମୟରେ ଅପ୍ରତିରୋଧୀ ଲୋକମାନଙ୍କୁ ଯେପରିଭାବେ ମେଞ୍ଚାଏ ରକ୍ତାକ୍ତ ପଦାର୍ଥରେ ପରିଣତ କରିଦିଆଯାଉଥିଲା ସେ ଦୃଶ୍ୟ ମୁଁ ସହ୍ୟ କରିନପାରି ସେଠାରୁ ପଳାଇ ଆସିବାକୁ ବାଧ୍ୟ ହେଲି....ମୋର ଅନ୍ତର ଅମାପ କ୍ରୋଧ ଓ ଘୃଣାରେ କୁହୁଳି ଉଠିଥିଲା....”

 

ଅନେକ ସମୟରେ ଅହିଂସା ସଂଗଠନ ପ୍ରାୟ ଭାଙ୍ଗିପଡ଼ିବା ଅବସ୍ଥାକୁ ଆସି ଯାଇଥିଲା । ଉତ୍ତେଜିତ ଜନତାକୁ ଗାନ୍ଧିଜୀଙ୍କ ନିର୍ଦ୍ଦେଶ ଚେତେଇ ଦେବାପାଇଁ ନେତାମାନଙ୍କୁ ଅବିରତ ଅନୁରୋଧ କରିବାକୁ ପଡ଼ୁଥିଲା । ଏକ ସମୟରେ ମନେହେଉଥିଲା ନିରସ୍ତ୍ର ଜନତା ସମବେତଭାବେ ପୋଲିସ୍ ଉପରକୁ ଝାମ୍ପିପଡ଼ିବେ । ବିଲାତି ପୋଲିସ୍ ସାହେବ ରାଇଫଲଧାରୀ ସିପାହୀମାନଙ୍କୁ ଗୋଟେ ପାହାଡ଼ମୁଣ୍ଡିଆ ଉପରେ ଠିଆକରାଇ ଗୁଳି କରିବାକୁ ପ୍ରସ୍ତୁତ ରହିଲେ । କିନ୍ତୁ ନେତାମାନେ ସ୍ଵେଚ୍ଛାସେବକମାନଙ୍କୁ କୌଣସି ରକମ ରୋକିଦେବାକୁ ସମର୍ଥ ହୋଇଥିଲେ ।

 

ସେଦିନ ୧୧ଟା ବେଳକୁ ପ୍ରଚଣ୍ଡ ଖରା ହେଲା । ତାପମାତ୍ରା ୧୧୬ (ଫା)କୁ ଉଠିଗଲା । ବିକ୍ଷୋଭ ଧୀମେଇ ଆସିଥିଲା । ସେତେବେଳକୁ ୨ ଜଣ ନିହତ ଓ ୩୨୦ ଜଣ ଆହତ ହୋଇଥିଲେ । ମାତ୍ର ସେଠାରେ ଖୁବ୍ କମ୍ ସଂଖ୍ୟକ ଦେଶପ୍ରେମୀ ଡାକ୍ତର ଥିଲେ । ମିଲର ଯେତେବେଳେ ତାଙ୍କର ସମ୍ବାଦ ସାରା ବିଶ୍ଵକୁ ଜଣାଇବାକୁ ଚାହିଁଲେ, ପ୍ରଥମେ ତାଙ୍କୁ ନିଷେଧ କରାଗଲା ଏବଂ ତା’ପରେ ତାଙ୍କର ସମ୍ବାଦକୁ ଯାଞ୍ଚକରି କଟାକଟି କରିଦିଆଗଲା । ଅନେକ ଦିନ ପରେ ଏସବୁ କଥା ସେ ଗୋଟିଏ ବହିରେ ପ୍ରକାଶ କରିବାକୁ ସମର୍ଥ ହେଲେ ।

 

ଗାନ୍ଧିଜୀଙ୍କୁ ଗିରଫ୍ କରିବା ବିରୁଦ୍ଧରେ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶିତ ହେଲା । ବମ୍ବେରେ ଲୁଣ ଖଣିସ୍ୱରୂପ ଭେଣ୍ଡିବଜାର ଓ ୱାଡ଼ାଲାରେ ଦଙ୍ଗା ଲାଗିଯାଇଥିଲା; ମାତ୍ର ସାହେବପଡ଼ା ଭିତର ଦେଇ ଶୋଭାଯାତ୍ରା ସମ୍ପୂର୍ଣ୍ଣ ଅହିଂସାଭାବେ ପରିଚାଳିତ ହୋଇଥିଲା । ମାନ୍ଦ୍ରାଜରେ ନିର୍ବିଚାରିତଭାବେ ପୋଲିସ୍ ଲାଠି ଚଳାଇଥିଲେ । ବଙ୍ଗଳା, ବିହାର ଓ ଓଡ଼ିଶାରେ ବହୁଳଭାବେ ବିଦେଶୀ ବସ୍ତ୍ର ବଏକଟ୍‍ କରାଯାଇଥିଲା । ଉତ୍ତରପ୍ରଦେଶରେ ଜମିଦାର ତଥା ପ୍ରଜାମାନଙ୍କୁ ଖଜଣା ନ ଦେବାକୁ ଆହ୍ଵାନ କରାଯାଇଥିଲା । ଅକ୍‍ଟୋବର ପରେ ଜମିଦାରମାନଙ୍କୁ କର ନ ଦେବାକୁ ପ୍ରଜାମାନଙ୍କୁ ପରାମର୍ଶ ଦିଆଯାଇଥିଲା । ମଧ୍ୟପ୍ରଦେଶରେ ଜଙ୍ଗଲ–କର ବିରୁଦ୍ଧରେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା । କର୍ଣ୍ଣାଟକରେ ମଧ୍ୟ ଖଜଣା–ବିରୋଧୀ ଆନ୍ଦୋଳନ ସଫଳ ହୋଇଥିଲା ।

 

ଏହି ଆନ୍ଦୋଳନ ଅତି ଦ୍ରୁତଗତିରେ ବ୍ୟାପି ଯାଇଥିଲା ଏବଂ ଦେଶର ଦୂରତମ ପ୍ରାନ୍ତରେ ପହଞ୍ଚି ପାରିଥିଲା । ଉତ୍ତର–ପଶ୍ଚିମ ସୀମାନ୍ତ ପ୍ରଦେଶର ପଶ୍ଚିମଗିରିମାଳାରେ ପଠାଣ ଆଦିବାସୀମାନେ ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରାୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଡେରା ଇସମାଇଲ ଖାଁ, ପେଶବାର ଏବଂ ବାନ୍ନୁ ଓ କୋହାତ ନଦୀ ଉପତ୍ୟକାର ଲୋକମାନେ ସ୍ଥାନୀୟ ମୁଖିଆମାନଙ୍କ ଅଧୀନରେ କୃଷିକର୍ମ ଇତ୍ୟାଦି କରି କେତେକାଂଶରେ ଶାନ୍ତିରେ ବସବାସ କରୁଥିଲେ । ପେଶବାର ନିକଟବର୍ତ୍ତୀ ଉତମାନଯାଇ ଗ୍ରାମର ଜଣେ ମୁଖିଆ ଖାଁ ଅବଦୁଲ ଖାଁ ପ୍ରଥମେ ଏକ ପଠାଣ ଶିକ୍ଷା ସମିତି ପ୍ରତିଷ୍ଠା କଲେ । ହିଜରାତ ଏବଂ ୧୯୧୯ କାଳୀନ ଆଫଗାନ ସମର୍ଥନ ଆନ୍ଦୋଳନରେ ଭାଗ ନେଇଥିବା ଅଭିଯୋଗରେ ତାଙ୍କୁ କାରାରୁଦ୍ଧ କରାଯାଇଥିଲା ଏବଂ ବହୁକାଳ ପର୍ଯ୍ୟନ୍ତ ପ୍ରଦେଶ ମଧ୍ୟରୁ ବହିଷ୍କୃତ କରାଯାଇଥିଲା । ୧୯୨୯ର ଠିକ୍ ପୂର୍ବରୁ ସେ ପୁଣି ଫେରିଆସିଥିଲେ । ତାଙ୍କର ବଡ଼ଭାଇ ଆଧୁନିକ ଶିକ୍ଷାପ୍ରାପ୍ତ ଡାକ୍ତର ଖାଁ ସାହେବଙ୍କ ସହଯୋଗରେ ଗାନ୍ଧୀଙ୍କ ସହିତ ଅହିଂସା ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇବା ପାଇଁ ଅନେକ ପଠାଣଙ୍କୁ ସଂଗଠିତ କରାଇଥିଲେ । ଚାରିତ୍ରିକ ଦୃଢ଼ତା ଓ ଏକନିଷ୍ଠତା ପାଇଁ ବିଖ୍ୟାତ ଅବଦୁଲ୍ ଗଫାର ଖାଁ “ସୀମାନ୍ତ ଗାନ୍ଧୀ”ରୂପେ ଆଖ୍ୟାତ ହେଲେ । ସେ ପ୍ରଥମେ ପଠାଣ ଜିରଘା ବା ଆଦିବାସୀ ସଂଘର ଗୋଟିଏ ଜାତୀୟତାବାଦୀ ଶାଖା ସଂଗଠନ କଲେ । କଂଗ୍ରେସ ସେବାଦଳ ସହିତ ତୁଳନୀୟ ଏହି ଶାଖାର ପରିଚୟ ହେଲା ‘ଖୁଦାଇ ଖିଦମତଗାର’, ଅର୍ଥାତ୍ ଭଗବାନଙ୍କ ସେବକମଣ୍ଡଳୀ । ସେମାନଙ୍କ ପୋଷାକର ବିଶେଷତା ଦୃଷ୍ଟିରୁ ସାଧାରଣରେ ସେମାନଙ୍କ ନାମ ହେଲା ଲାଲ–କୁର୍ତ୍ତା–ଦଳ । ସେମାନେ ଜାତୀୟତାବାଦୀ ପଠାଣମାନଙ୍କ ମଧ୍ୟରେ ଆଞ୍ଚଳିକ ଏକତା ପ୍ରତିଷ୍ଠା, ଉପନିବେଶବାଦ ବିରୁଦ୍ଧରେ ସଂଗ୍ରାମ ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଦୁର୍ଦ୍ଦଶାମୋଚନ ପାଇଁ ଆହ୍ଵାନ ଜଣାଇଲେ । ସେମାନେ ଦରିଦ୍ର କୃଷକଠାରୁ ଆରମ୍ଭ କରି ସହରର ହସ୍ତଶିଳ୍ପ କାରିଗରମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ବିପୁଳ ସମର୍ଥନ ଲାଭ କରିଥିଲେ । ୧୯୩୦ରେ ଖୁଦାଇ ଖିଦମଦଗାରଙ୍କ ସଂଖ୍ୟା ଥିଲା ଅଶୀ ହଜାର । ଏମାନଙ୍କର ତୀବ୍ର ଉତ୍ତେଜନା ସଂଯତ କରିବାପାଇଁ ଦେଶର ଅନ୍ୟାନ୍ୟ ପ୍ରାନ୍ତର ଗାନ୍ଧୀବାଦୀ ନେତାମାନଙ୍କ ତୁଳନାରେ ଅବଦୁଲ୍ ଗଫାର ଖାଁଙ୍କୁ ଅଧିକ ଆୟାସ ସାଧନ କରିବାକୁ ପଡ଼ିଥିଲା ।

 

ପେଶବାରରେ ଏପ୍ରିଲ ୨୦ ଦିନ ଇଦ୍ ଉତ୍ସବ ପାଳନ କରିବାପାଇଁ ସମବେତ ହୋଇଥିବା ବହୁସଂଖ୍ୟକ ଦରିଦ୍ର କୃଷକମାନଙ୍କୁ ନେଇ ଆଇନ–ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବାକୁ ସ୍ଥିର କରାଯାଇଥିଲା । ସମତଳ ଅଞ୍ଚଳରେ ସାମୟିକ ଧନ୍ଦା ସାରି ଘରକୁ ଫେରୁଥିବା ଅସଂଖ୍ୟ ସୀମାନ୍ତବର୍ତ୍ତୀ ଆଦିବାସୀ ସେଦିନ ଉତ୍ସବରେ ଭାଗ ନେବାପାଇଁ ଉପସ୍ଥିତ ଥିଲେ । ଯେତେବେଳେ ସ୍ଥାନୀୟ କଂଗ୍ରେସକର୍ମୀଗଣ ଗିରଫ୍ ହେଲେ, ସହରର ଜନତା ତା’ର ପ୍ରତିବାଦ କଲେ ଏବଂ ପୋଲିସ୍‍ହାତରୁ ସେମାନଙ୍କୁ ମୁକ୍ତ କରିବାକୁ ପ୍ରୟାସୀ ହେଲେ । ଆଦିବାସୀମାନେ ମଧ୍ୟ ମିଶିଗଲେ । ଉତ୍ତେଜନା ବଢ଼ିବାରେ ଲାଗିଲା ଏବଂ ଉଭୟ ପକ୍ଷରୁ ବନ୍ଧୁକରୁ ଗୁଳି ଚାଲିଲା । ଏକ ସର୍ବସମ୍ମତ ଗଣବିକ୍ଷୋଭ ଆରମ୍ଭ ହୋଇଗଲା । ବିଦ୍ରୋହ ଦମନପାଇଁ ପଠାଯାଇଥିବା ସୈନ୍ୟବାହିନୀର ଗାଡ଼ିଗୁଡ଼ିକୁ ରୋକିବାପାଇଁ ରାସ୍ତାଘାଟରେ ପ୍ରତିବନ୍ଧକ ସୃଷ୍ଟି କରାଗଲା । ସରକାରୀ କର୍ମଚାରୀ ଓ ଉଚ୍ଚଶ୍ରେଣୀୟ ନାଗରିକଗଣ ସୈନ୍ୟଛାଉଣୀ ମଧ୍ୟରେ ଆଶ୍ରୟ ନେଲେ । ଏହି ସମୟକୁ ଲଢ଼ୁଆ ଶିଖ ସଂସ୍କାରକାମୀ ଓ ଜାତୀୟତାବାଦୀ ଅକାଳୀମାନେ ଭାରତୀୟ ସୈନ୍ୟମାନଙ୍କ ମଧ୍ୟରେ ବିଦ୍ରୋହର ବହ୍ନି ଜଳାଇ ଦେଇଥିଲେ । ଯେତେବେଳେ ପାହାଡ଼–ଭେଦନକ୍ଷମ ରୟାଲ ଗାଡ଼ିବାଲା ରାଇଫଲବାହିନୀର ଦୁଇ ପ୍ଲାଟୁନ୍ ସୈନ୍ୟଙ୍କୁ ଗୁଳି ଚଳାଇବାକୁ ଆଦେଶ ଦିଆଗଲା, ସେମାନେ ତାଙ୍କର ଜଣେ ବନ୍ଧୁ ଚନ୍ଦର ସିଂହ ଗଢ଼ବାଲୀର ଅନୁରୋଧ ରକ୍ଷା କରି ଗୁଳି ଚଳାଇବାକୁ ଅସ୍ଵୀକାର କଲେ ଏବଂ ମୁସଲମାନ ପଠାଣମାନଙ୍କ ସହିତ ଭ୍ରାତୃତ୍ଵ ପ୍ରତିଷ୍ଠାପାଇଁ ଆଗେଇ ଆସିଲେ । ବ୍ରିଟିଶମାନଙ୍କ ଭେଦ–ନୀତିର ବିଫଳତା ଏଠାରେ ପ୍ରମାଣିତ ହୋଇଥିଲା । ନିପୀଡ଼ିତ ଜନତା ଐକ୍ୟବଦ୍ଧ ରହିବାପାଇଁ ଉପଯୁକ୍ତ ଶିକ୍ଷା ପାଇଥିଲେ । ଏ ନୀତି ସଫଳ ହେବା ସମ୍ଭବ ନୁହେଁ ।

 

ଛାଉଣୀରୁ ବ୍ରିଟିଶ ସୈନ୍ୟମାନେ ଗଢ଼ବାଲୀ ପ୍ଲାଟୁନ୍ ଦୁଇଟିକୁ ବେଢ଼ିଯାଇଥିଲେ ଏବଂ ପରେ ସେମାନଙ୍କୁ ସାମରିକ ଅଦାଲତରେ ବିଚାର କରିଥିଲେ । ସେମାନଙ୍କର କେତେକ ନେତାଙ୍କୁ ବିଦ୍ରୋହ ଅପରାଧରେ ପ୍ରାଣଦଣ୍ଡ ଦିଆଯାଇଥିଲା । ତଥାପି ମେ ମାସର ପ୍ରଥମ ଭାଗରେ ପାହାଡ଼ିଆ ଆଦିବାସୀ ଆଫ୍ରିଦୀ ଓ ମୋହମଦମାନେ ବିଦ୍ରୋହ କରି ପେଶବାର ବିକ୍ଷୋଭରେ ଯୋଗ ଦେବାପାଇଁ ମାଡ଼ିଆସିଲେ । ପଞ୍ଜାବରେ, ବିଶେଷତଃ ଅକାଳୀମାନେ, ପେଶବାର ସପକ୍ଷରେ ଐକ୍ୟବଦ୍ଧ ରହିଥିଲେ ଏବଂ ସ୍ଥାନୀୟ ବିପ୍ଳବୀମାନଙ୍କୁ ସାହାଯ୍ୟ କରିବାପାଇଁ ଗୋଟିଏ ଦଳକୁ ପଠାଇଥିଲେ । ବ୍ରିଟିଶ ସୈନ୍ୟବାହିନୀ ଏହି ଦଳଟିକୁ ଝେଲମକୂଳରେ ଅବରୋଧ କରିଥିଲେ । ଶେଷରେ ଗୋଟିଏ ବ୍ରିଟିଶ ସୈନ୍ୟବାହିନୀ ଶାସ୍ତିଦାନ ଅଭିଯାନରେ ଉତ୍ତର–ପଶ୍ଚିମ ସୀମାନ୍ତ ପ୍ରଦେଶକୁ ଯାତ୍ରା କରି ଆଦିବାସୀମାନଙ୍କୁ ପୁନରାୟ ପାହାଡ଼ ଅଞ୍ଚଳକୁ ଖେଦିଦେଇଥିଲେ ।

 

ପୂର୍ବବଙ୍ଗର ଚିଟାଗଞ୍ଜ ବନ୍ଦରରେ ବିଖ୍ୟାତ ସନ୍ତ୍ରାସବାଦୀ ସୂର୍ଯ୍ୟସେନଙ୍କ ନେତୃତ୍ଵରେ ସ୍ଥାନୀୟ ନିମ୍ନ–ମଧ୍ୟବିତ ଶ୍ରେଣୀର ଯୁବକମାନେ ଏକ ସଶସ୍ତ୍ର ବିଦ୍ରୋହର ପରିକଳ୍ପନା କରିଥିଲେ । ପୂର୍ବବଙ୍ଗର ସମସ୍ତ ସରକାରୀ ଅସ୍ତ୍ରାଗାର ଉପରେ ଏକାବେଳେ ଆକ୍ରମଣ କରିବାପାଇଁ ସେମାନେ ଯୋଜନା କରିଥିଲେ । ସୂର୍ଯ୍ୟସେନଙ୍କ ପ୍ରଧାନ ସହକାରୀ ଥିଲେ ଜଣେ ସ୍ଥାନୀୟ କଂଗ୍ରେସକର୍ମୀ ଅମ୍ବିକା ଚକ୍ରବର୍ତ୍ତୀ, ଲୋକନାଥ ବଳ ଏବଂ ଗଣେଶ ଘୋଷ, ଯେ କି ପରେ ଜଣେ କମ୍ୟୁନିଷ୍ଟ କର୍ମୀଭାବେ ବିଖ୍ୟାତ ହୋଇଥିଲେ । ଏମାନେ ସ୍ଥାନୀୟ ସ୍କୁଲ୍–କଲେଜର ଛାତ୍ରମାନଙ୍କୁ ସଂଗଠିତ କରିଥିଲେ । ତାଙ୍କ ଭିତରେ ପ୍ରଧାନ ଥିଲେ ଅନ୍ମଦା ଗୁପ୍ତ, ଟେଗ୍ରା (ଟାଇଗର) ବଳଙ୍କ ପରି ତରୁଣ ଯୁବକ ଏବଂ କଳ୍ପନା ଦତ୍ତ ଓ ପ୍ରୀତିଲତା ୱାଦେଦାରଙ୍କ ପରି ସାହସିନୀ ଯୁବତୀ ।

 

ଇଣ୍ଡିଆନ୍ ରିପ୍ଲବିକାନ୍ ଆର୍ମି, ଚିତାଗଞ୍ଜ ଶାଖା ପକ୍ଷରୁ ସୂର୍ଯ୍ୟସେନ ଏକ ଘୋଷଣାପତ୍ର ପ୍ରଚାର କରି ବ୍ରିଟିଶ ଶାସନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ ଭାରତୀୟମାନଙ୍କୁ ଆହ୍ଵାନ ଜଣାଇଥିଲେ । ସେ ତାଙ୍କର ଅନୁଚରମାନଙ୍କ ସହିତ ଚିଟାଗଞ୍ଜର ଚାରୋଟି ସ୍ଥାନରେ ସାହେବମାନଙ୍କ ଉପରେ ଆକ୍ରମଣ କରିବାକୁ ସ୍ଥିର କରିଥିଲେ । ବ୍ରିଟିଶବାହିନୀର ଭାରତୀୟ ସେନାଙ୍କ ପରି ଛଦ୍ମବେଶ ଧାରଣ କରି ୫୦ ଜଣ ଯୁବକ ପୋଲିସ୍ ଅସ୍ତ୍ରାଗାର ଉପରେ ଚଢ଼ାଉ କରିଥିଲେ । ଏହି ଘଟଣା ‘ଚିଟାଗଞ୍ଜ ଅସ୍ତ୍ରାଗାର ଆକ୍ରମଣ’ ନାମରେ ବିଖ୍ୟାତ ହୋଇଥିଲା ।

 

କିନ୍ତୁ ତରବରିଆ ହୋଇ ଯେଉଁ ଲୁଇସ୍ ବନ୍ଧୁକ ଓ ରାଇଫଲ ସେମାନେ ଦଖଲ କରିଥିଲେ, ତା’ର ଗୁଳି ନେବାକୁ ସକ୍ଷମ ହୋଇପାରି ନଥିଲେ । ଏଣୁ ସାମାନ୍ୟ ଅସ୍ତ୍ରହାତରେ ଗୋଟିଏ ଛୋଟ ସରକାରୀ ସେନାଦଳ ଜଣେ ସହକାରୀ ପୋଲିସ୍ ଇନ୍‍ସପେକ୍ଟର ଜେନେରାଲଙ୍କ ପରିଚାଳନାରେ ସେମାନଙ୍କୁ ସହର ଭିତରୁ ପାହାଡ଼ ଆଡ଼କୁ ତଡ଼ିଦେଇଥିଲେ । ମେ ୨୨ରେ ବ୍ରିଟିଶ ସୈନ୍ୟବାହିନୀଦ୍ଵାରା ଜଲାଲାବାଦ ପାହାଡ଼ରେ ୭୫ ଜଣ ବିପ୍ଳବୀଙ୍କୁ ଘେରାଉ କରି ନିଆଯାଇଥିଲା-। ତଥାପି ତାଙ୍କ ଭିତରୁ କେତେ ଜଣ ଖସିଯାଇପାରିଥିଲେ ଏବଂ ଗରିଲାଯୁଦ୍ଧ ଚଳାଇବାରୁ ବିରତ ହୋଇ ନଥିଲେ । ଅତି କମ୍‍ରେ ୬୪ ଜଣ ବ୍ରିଟିଶ ସୈନ୍ୟ ନିହତ ହୋଇଥିଲେ । ବିପ୍ଳବୀମାନଙ୍କ ମଧ୍ୟରେ ସର୍ବକନିଷ୍ଠ ଟେଗ୍ରା ବଳ ପ୍ରଥମ ଗୁଳିରେହିଁ ମାରାତ୍ମକଭାବେ ଆହତ ହେଇଥିଲା-। କିନ୍ତୁ ଲୋକନାଥ ପ୍ରତି ତା’ର ଅନ୍ତିମ ବାଣୀ ଥିଲା–“ମୁଁ ଗଲି, ତମେବି ଯିବା ପର୍ଯ୍ୟନ୍ତ ଲଢ଼ୁଥାଅ-।”

 

ଏହାପରେ ସମଗ୍ର ବଙ୍ଗଳାରେ ବିପ୍ଳବାତ୍ମକ ସନ୍ତ୍ରାସବାଦ ବ୍ୟାପିଗଲା । ଅଗଷ୍ଟ ମାସରେ ବିନୟ ଘୋଷ ନାମକ ଢାକା ମିଟ ଫୋର୍ଡ଼ ହସ୍‍ପିଟାଲ୍ ସ୍କୁଲ୍‍ର ଜଣେ ଛାତ୍ର ଜଣେ ପଦସ୍ଥ ବ୍ରିଟିଶ ପୋଲିସ୍ କର୍ମଚାରୀଙ୍କୁ ଗୁଳି କରି ମାରିଦେଇ ଖସିଯାଇଥିଲା । ଡିସେମ୍ବରରେ ଆଉ ଦି’ଜଣ ବାଦଲ ଓ ଦୀନେଶଙ୍କ ସାଙ୍ଗରେ କଲିକତା ଡେଲହାଉସୀ ସ୍କୋୟାରସ୍ଥ ରାଇଟରସ୍ ବିଲ୍ଡ଼ିଙ୍ଗସ୍‍ରେ ପ୍ରବେଶ କରିଥିଲା । ସେମାନେ ଇନ୍‍ସପେକ୍ଟର ଜେନେରାଲ ଅଫ୍ ପ୍ରିଜିନସ୍‍ଙ୍କୁ ତାଙ୍କ ଅଫିସ୍ ଭିତରେ ଗୁଳିକରି ବାରଣ୍ଡାରେ ଦୌଡ଼ି ପଲାଉଥିବାବେଳେ ସାହେବମାନଙ୍କୁ ଦେଖିଲାମାତ୍ରେ ଗୁଳି କରିଥିଲେ । ଧରାପଡ଼ିବାଠାରୁ ମୃତ୍ୟୁ ଶ୍ରେୟସ୍କର ଭାବି ବାଦଲ ସାଇନାଇଡ଼ ବିଷ ଖାଇ ଏବଂ ବିନୟ ଓ ଦୀନେଶ ନିଜକୁ ଗୁଳିକରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ବାଦଲ ଓ ଦୀନେଶ ମୃତ୍ୟୁ ଲାଭ କରିଥିଲେ । କିନ୍ତୁ ବିନୟ ଚିକିତ୍ସା ଫଳରେ ଜୀବନ ଫେରିପାଇଥିଲା । ପରେ ତାହାର ବିଚାର କରି ତାକୁ ଫାଶୀ ଦିଆଯାଇଥିଲା ।

 

ଉତ୍ତରାଞ୍ଚଳରେ ସନ୍ତ୍ରାସବାଦକୁ ଜମେଇରଖିଥିଲେ ପ୍ରବୀଣ ଚନ୍ଦ୍ରଶେଖର ଆଜାଦ । ପୋଲିସ୍ ତାଙ୍କର ସହଚରମାନଙ୍କୁ ଧରିନେଇଥିଲେ ଏବଂ ତାକୁ ସାହାଯ୍ୟ ମିଳୁଥିବା ସୂତ୍ରରୁ ସନ୍ଧାନ ମିଳିଥିଲା । ୧୯୩୧ ଫେବୃୟାରୀରେ ପୋଲିସ୍‍ମାନଙ୍କୁ ନିରାଶ କରି ଆହ୍ଲାବାଦର ଆଲଫ୍ରେଡ଼ ପାର୍କ୍‍ରେ ଯୁଦ୍ଧରତ ଅବସ୍ଥାରେ ଚନ୍ଦ୍ରଶେଖର ପ୍ରାଣତ୍ୟାଗ କରିଥିଲେ ।

 

ପୂର୍ବରୁ ୧୯୩୦ରେ ଲାହୋର ଷଡ଼ଯନ୍ତ୍ର ମକଦ୍ଦମା ଆଦେଶ ବଳରେ ସରକାରଙ୍କ ହାତରେ ଆଇନ–ଅତିରିକ୍ତ କ୍ଷମତା ନ୍ୟସ୍ତ ହୋଇଥିଲା, ଯାହା ବଳରେ କି ସେତେବେଳେ ସେମାନେ ପ୍ରଚଳିତ ସାକ୍ଷ୍ୟ–ବିଧି ଓ ଅପିଲ୍ କରିବା ଅଧିକାରରୁ ଅଗ୍ରାହ୍ୟ କରି ଭଗତ ସିଂହ ଏବଂ ତାଙ୍କ ବନ୍ଧୁମାନଙ୍କର ବିଚାର କରିବାକୁ ସକ୍ଷମ ହୋଇଥିଲେ । ଅକ୍‍ଟୋବର ୭ ତାରିଖରେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ମୃତ୍ୟୁଦଣ୍ଡ ପାଇଥିଲେ ଏବଂ ଅନ୍ୟମାନେ ଯାବଜ୍ଜୀବନ ଦେଶାନ୍ତର ଦଣ୍ଡ ପାଇଥିଲେ । ଆଣ୍ଡାମାନ ପୋର୍ଟ ବ୍ଲେୟାରସ୍ଥ କୁଖ୍ୟାତ ସେଲ୍ୟୁଲାର ଜେଲରେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବନ୍ଦୀ କରି ରଖାଯାଇଥିଲା ।

 

ବିପ୍ଳବୀ ସନ୍ତ୍ରାସବାଦୀଙ୍କ ଏପରି ଆକ୍ରମଣ ମଧ୍ୟରେ ପ୍ରତିଫଳିତ ହୁଏ ପୂର୍ବ–ବଙ୍ଗ ଓ ଉତ୍ତର–ପ୍ରଦେଶର ନିମ୍ନ ମଧ୍ୟବିତ୍ତ ଶ୍ରେଣୀୟ ଯୁବଗୋଷ୍ଠୀର ଉଗ୍ର ଦେଶାତ୍ମବୋଧକ ଉନ୍ମାଦନା । ଏହି ଉନ୍ମାଦନା ଜାତୀୟ ଆନ୍ଦୋଳନର ଚିରାଚରିତ ମାର୍ଗରେ ଯଥାର୍ଥ ଅଭିବ୍ୟକ୍ତି ଲାଭ କରିପାରି ନଥିଲା । ଗାନ୍ଧୀବାଦୀଙ୍କ ଅହିଂସା–ଦର୍ଶନ ସେମାନଙ୍କ କଳ୍ପନା ଶକ୍ତିକୁ ସ୍ପର୍ଶ କରି ନଥିଲା । ଏଣୁ ଏମାନେ ସନ୍ତ୍ରାସବାଦର ପଥ ବାଛିନେଲେ । କିନ୍ତୁ ସେମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପ ମଧ୍ୟରେ ସେମାନଙ୍କ ବିନାଶର ବୀଜ ନିହିତ ହୋଇଥିଲା । ସଂପୃକ୍ତ ଯୁବକ–ଯୁବତୀମାନଙ୍କ ଅସାଧାରଣ ସାହସିକତା ସତ୍ତ୍ୱେ ସେମାନେ ସରକାରଙ୍କ ପରାକ୍ରାନ୍ତ ପୋଲିସ୍ ଓ ସାମରିକ ଶକ୍ତି ଆଗରେ ଅକୃତକାର୍ଯ୍ୟ ହୋଇଥିଲେ । ବାସ୍ତବରେ ଏହା ବ୍ରିଟିଶମାନଙ୍କ ପକ୍ଷରେ ଆତଙ୍କ ସୃଷ୍ଟି କରି ନଥିଲା । ସେମାନେ କେବଳ ଏହି ବିପ୍ଳବୀ ସନ୍ତ୍ରାସବାଦୀମାନଙ୍କୁ ନିର୍ମୂଳ କରିଦେବାକୁ ଦୃଢ଼ପ୍ରତିଜ୍ଞ ହୋଇଥିଲେ । ବିଶେଷତଃ, ସନ୍ତ୍ରାସବାଦୀଙ୍କ ଆକ୍ରମଣ ଜନସାଧାରଣଙ୍କ ମଧ୍ୟରେ ସେପରି ଉତ୍ସାହ ସୃଷ୍ଟି କରିପାରି ନଥିଲା । ରାଜନୀତିରେ ଅନଭିଜ୍ଞ ତଥା ବିପ୍ଳବପାଇଁ ଅସଂଗଠିତ ସାଧାରଣ ଜନତା ଏକ ସାମରିକ ବିପ୍ଳବରେ ଝାସ ଦେବାପାଇଁ ପ୍ରସ୍ତୁତ ନଥିଲେ ।

 

ଦକ୍ଷିଣ ମହାରାଷ୍ଟ୍ରର ସୋଲାପୁରଠାରେ ଆଉ ଏକ ଗଣ–ଆନ୍ଦୋଳନ ପରିଦୃଷ୍ଟ ହୋଇଥିଲା । ଏଠାରେ ସ୍ଥାନୀୟ କଂଗ୍ରେସ କମିଟିଦ୍ଵାରା ଗଠିତ ‘ସମର–ପରିଷଦ’ ପକ୍ଷରୁ ମେ ମାସରେ ଆଇନ–ଅମାନ୍ୟ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ସହରରେ ଜାତୀୟ ପତାକା ଉତ୍ତୋଳିତ ହୋଇଥିଲା । ପୋଲିସ୍ ଓ ବ୍ରିଟିଶରାଜର ଅନୁଗତ କର୍ମଚାରୀବୃନ୍ଦ ରେଳ ଷ୍ଟେସନ୍‍ରେ ଯାଇ ଆଶ୍ରୟ ନେଇଥିଲେ । ସରକାର ସୋଲାପୁର ସମ୍ବାଦ ପ୍ରଚାର ଉପରେ ନିଷେଧ ଆଜ୍ଞା ଜାରି କରିଥିଲେ । ଆନ୍ଦୋଳନ ଦମନ କରିବାପାଇଁ ୨୦୦୦ ବ୍ରିଟିଶ ସୈନ୍ୟ ପ୍ରେରିତ ହୋଇଥିଲେ । ଅନେକ ବିଦ୍ରୋହୀ ବିପ୍ଳବବାଦୀ ଫାଶୀ ବା ଜେଲଦଣ୍ଡ ପାଇଥିଲେ ।

 

ବିପ୍ଳବବାଦୀମାନଙ୍କ ସହିତ ସମାନ୍ତରାଳଭାବେ କେତେ ସ୍ଥଳରେ ପ୍ରଜା–ଆନ୍ଦୋଳନ ଦେଖା ଦେଇଥିଲା । ୧୯୩୦ର ଖଜଣା–ବନ୍ଦ ଆନ୍ଦୋଳନ ଏହାର ଏକ କାରଣ ହେଲେହେଁ ମୂଳ ହେଲା ଜମିଦାରମାନଙ୍କ ନିପୀଡ଼ନ । ବିଶ୍ଵବ୍ୟାପୀ ଧନତନ୍ତ୍ରର ଦୁର୍ଗତି ହେବାରୁ ଆନ୍ତର୍ଜାତିକ ବଜାରରେ କୃଷିଜାତ ଦ୍ରବ୍ୟର ମୂଲ୍ୟହ୍ରାସ ଘଟିଥିଲା । ଫଳରେ କୃଷକମାନଙ୍କର ଲବ୍‍ଧାଂଶ କମିଯିବାରୁ ସେମାନେ ଜମିଦାରଙ୍କ ଖଜଣା ଏବଂ ସରକାରଙ୍କ ବିଭିନ୍ନ କର ଦେବାକୁ ଅସମର୍ଥ ହେଲେ ।

 

ଉତ୍ତର–ପ୍ରଦେଶ କଂଗ୍ରେସ (ଜବାହରଲାଲ ନେହେରୁ ଯାହାର ସଭାପତି ଥିଲେ) ୧୯୩୦ ମାର୍ଚ୍ଚରେ ଗୋଟିଏ ପ୍ରସ୍ତାବ ଗ୍ରହଣ କରି ଭୂ–ରାଜସ୍ୱ ହ୍ରାସ କରିବା ନିମିତ୍ତ ଏକ ସର୍ବଭାରତୀୟ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ମତ ଦେଇଥିଲେ । ଆଉ ମଧ୍ୟ ଏଥିରେ ସାମାନ୍ୟ କ୍ଷତିପୂରଣ ସହିତ ମହାଜନମାନଙ୍କ ଋଣ ଆଦାୟ ସ୍ଥଗିତ ରଖିବାକୁ ଏବଂ ପ୍ରଜାମାନଙ୍କୁ ବିତାଡ଼ନ କରିବା ଦିଗରେ ଜମିଦାରଙ୍କ ଯଥେଚ୍ଛା କ୍ଷମତା ପ୍ରୟୋଗ ନିୟନ୍ତ୍ରଣ କରିବାକୁ ମତ ଦିଆଯାଇଥିଲା । କଂଗ୍ରେସ କାର୍ଯ୍ୟକାରୀ କମିଟି ପ୍ରଥମ ପ୍ରସ୍ତାବଟି ଗ୍ରହଣ କରିଥିଲେ ଯାହା କି ଜମିଦାର ଓ ପ୍ରଜା ଉଭୟଙ୍କୁ ସନ୍ତୁଷ୍ଟ କରିଥିଲା; ମାତ୍ର ଅନ୍ୟ ଦୁଇଟି ଗ୍ରହଣ କରି ନଥିଲେ ।

 

ଖଜଣା–ବନ୍ଦ ଆନ୍ଦୋଳନ ଆଲାହାବାଦ ଜିଲ୍ଲାର ଅବଧଠାରେ ଆରମ୍ଭ ହୋଇଥିଲା; ଯେଉଁଠି କି ଏମ୍. ଏନ୍. ରାୟ ଓ ତାଙ୍କ ଅନୁଚରବର୍ଗ ଗ୍ରାମାଞ୍ଚଳରେ ସାମ୍ୟବାଦୀ ଭାବଧାରା ପ୍ରଚାର କରିବାପାଇଁ କଂଗ୍ରେସରେ ଯୋଗଦେଇଥିଲେ । ପୂର୍ବବଙ୍ଗଳାରେ କିଶୋରଗଞ୍ଜରେ, ଯେଉଁଠି କି ଖାଲି ଝୋଟ ଚାଷ ହୁଏ, ବିଶ୍ଵ–ବଜାରରେ ଧନତନ୍ତ୍ରର ଦୁର୍ଗତିବଶତଃ ଝୋଟର ମୂଲ୍ୟ ହ୍ରାସ ଘଟିବା ହେତୁ ସେଠି ଝୋଟଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ । ସେମାନେ ଖଜଣା ବନ୍ଦ କଲେ ଏବଂ ଏଥିପାଇଁ କଲିକତାର କର୍ମୀମାନଙ୍କ ସାହାଯ୍ୟ ଓ ସହାନୁଭୂତି ମିଳିଥିଲା । କିଶୋରଗଞ୍ଜର ଚାଷୀଙ୍କ ମେଳି ଭାଙ୍ଗିବାକୁ ସୈନ୍ୟବାହିନୀ ପ୍ରେରିତ ହୋଇଥିଲେ । ଡିସେମ୍ବର ମାସରେ ବେରାରର ବୁଲଦାନା ଜିଲ୍ଲାରେ ଚାଷୀମାନଙ୍କର ଏକମାତ୍ର ପ୍ରଧାନ ଫସଲ କପା ନିର୍ଦ୍ଦୟ ବେପାରୀ ଓ ମହାଜନମାନେ କିଣିନେବାରୁ ଚାଷୀମାନେ ଶୋଷି ହୋଇଯାଇଥିଲେ । ତା’ପରେ ସ୍ଥାନୀୟ ଜମିଦାରଗଣ ଚାଷୀ–ମୂଲିଆମାନଙ୍କୁ ଆହୁରି ଶୋଷଣ କରିବାରେ ଲାଗିଲେ । ତେଣୁ ବୁଲାଦାନର ଚାଷୀ ଓ ମୂଲିଆମାନେ ଏକ କୃଷକ ସଂଘ ସ୍ଥାପନ କରି ଖଜଣା ନ ଦେବାକୁ ମତାଇଦେଲେ । ସଂଗଠିତ କୃଷକ ସ୍ଵେଚ୍ଛାସେବକମାନେ ଋଣ ଆଦାୟକାରୀ ସରକାରୀ କର୍ମଚାରୀମାନଙ୍କୁ ବାଧାଦେଲେ ଏବଂ ବାଜା ବଜାଇ ଗାଁ–ଗାଁ ବୁଲି ଜମିଦାର ଓ ମହାଜନମାନଙ୍କ କ୍ଷେତ ଓ ସମ୍ପତ୍ତି ଜବରଦସ୍ତ ଦଖଲ କଲେ ଏବଂ ଘରେ ନିଆଁ ଲଗାଇଦେଲେ । ଏଥିରେ ହିନ୍ଦୁ, ମୁସଲମାନ ସବୁଜାତିର ଲୋକେ ଏକତ୍ର ହୋଇଥିଲେ ଏବଂ ଏହା ଥିଲା ଯଥାର୍ଥରେ ଗ୍ରାମ୍ୟ ଜନତାର ଆନ୍ଦୋଳନ । ଏତେବେଳେ ମଧ୍ୟ ବୁଲଦାନାକୁ ପୋଲିସ୍‍ର ଶକ୍ତି ବର୍ଦ୍ଧନପାଇଁ ସୈନ୍ୟ ପଠାଇ ଆନ୍ଦୋଳନ ଦମନ କରାଯାଇଥିଲା ।

 

ଏହିସବୁ କୃଷକ ଆନ୍ଦୋଳନ ଗାନ୍ଧିଜୀଙ୍କ ଦାଣ୍ଡି–ଯାତ୍ରା ପରି ପୃଥିବୀର ଜନସାଧାରଣଙ୍କ କଥା ଦୂରେ ଥାଉ, ଭାରତରେ ମଧ୍ୟ ସେତେ ଦୃଷ୍ଟି ଆକର୍ଷଣ କରିପାରି ନଥିଲା । କିନ୍ତୁ ଏଇମାନେହିଁ ‘ନିଖିଳ ଭାରତ କିଷାନ ସଭା’ର ଭିତ୍ତି ସ୍ଥାପନ କରିଥିଲେ; ଯାହାକି ଦେଶର କୃଷକ ସମାଜକୁ ଚେତାଇ ଦେଇଥିଲା ଯେ ସେମାନଙ୍କ ନିପୀଡ଼ିତ ଜୀବନର ସବୁ କ୍ଷୟକ୍ଷତି ପାଇଁ ଦାୟୀ ବ୍ରିଟିଶ ସାମ୍ରାଜ୍ୟବାଦ । ଉତ୍ତ୍ୟକ୍ତ କୃଷକ ସମାଜ ନିଜର ଭଲପାଇଁ ସଂଘର୍ଷ କରିଥିଲେ; ମାତ୍ର ସେମାନେ ଗାଁଗହଳରେ କାମ କରୁଥିବା ସହରବାସୀ ସାହସୀ ବିପ୍ଳବୀମାନଙ୍କୁ ମଧ୍ୟ ସହାନୁଭୂତି ଦେଖାଇଥିଲେ । ଏହିପରିଭାବେ ଦେଖାଯାଏ ଯେ ୧୯୩୦ର ଆଇନ–ଅମାନ୍ୟ ଆନ୍ଦୋଳନବେଳରୁ ନାନା ଧାରାରେ ଗଣଆନ୍ଦୋଳନ ଆତ୍ମପ୍ରକାଶ କରିଥିଲା ଏବଂ ସବୁଯାକ ଗାନ୍ଧୀଙ୍କ ଅହିଂସା ମାର୍ଗରେ ପରିଚାଳିତ ହୋଇ ନଥିଲା ।

 

ସରକାରଙ୍କ ପ୍ରତିକ୍ରିୟା

 

ଗଣ–ଆନ୍ଦୋଳନ ହିଂସାତ୍ମକ ହେବା ପୂର୍ବରୁ ମଧ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳାମିଶାଜନକ ହୋଇ ନଥିଲା । କହିଲେ ଠିକ୍ ହେବ ଯେ ବରଂ ତାହା ଉତ୍ତେଜକ ହୋଇଥିଲା । ଏପ୍ରିଲ ଶେଷ ଆଡ଼କୁ ସମ୍ବାଦପତ୍ର ସଂସ୍ଥାମାନଙ୍କଠାରୁ ଅମାନତ ଦାବି କରି ଏବଂ କଂଗ୍ରେସ ସଂଗଠନଗୁଡ଼ିକ ବେଆଇନ ଘୋଷଣା କରି ସ୍ଵତନ୍ତ୍ର ଆଦେଶମାନ ଜାରି ହୋଇଥିଲା । କଂଗ୍ରେସ ସଂଗଠନର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ସରକାର କ୍ଷମତାପ୍ରାପ୍ତ ହୋଇଥିଲେ । ଆଇନଭଙ୍ଗକାରୀମାନଙ୍କୁ ଦଳଦଳ କରି ଗିରଫ୍ କରାଗଲା ଏବଂ କଂଗ୍ରେସ ନେତାମାନଙ୍କୁ ମେ ମାସର ପ୍ରଥମ ଭାଗରେ କାରାରୁଦ୍ଧ କରାଗଲା । ତା’ପରେ କଂଗ୍ରେସ କର୍ମୀ ଓ ତାଙ୍କର ସମର୍ଥକମାନଙ୍କ ଉପରେ ଦାରୁଣ ଅତ୍ୟାଚାର ଆରମ୍ଭ ହୋଇଥିଲା ।

 

ଲୋକମାନଙ୍କଠାରୁ ସରକାରଙ୍କ ପକ୍ଷରୁ ଆତଙ୍କ ସୃଷ୍ଟି ବିରୁଦ୍ଧରେ ଅଭିଯୋଗ ଆସିଥିଲା ଏବଂ ତାହା ଅନୁସନ୍ଧାନ କରିବାକୁ କଂଗ୍ରେସ ଏକ ବେସରକାରୀ କମିଶନ ବସାଇଥିଲେ । କମିଶନ ଉପଲବ୍ଧ ତଥ୍ୟଗୁଡ଼ିକୁ ‘କଂଗ୍ରେସର ଅଭିଯୋଗ’ ନାମରେ ପ୍ରକାଶ କରାଯାଇଥିଲା । ଏଥିରେ ଭାରତର ବିଭିନ୍ନ ପ୍ରାନ୍ତରେ ସରକାରୀ କର୍ମଚାରୀଙ୍କ ଆତଙ୍କରାଜର ଦୃଷ୍ଟାନ୍ତ ଦିଆଯାଇଥିଲା । ଗଣ–ବିକ୍ଷୋଭ ଘଟିଥିବା ସ୍ଥାନରେ ବ୍ରିଟିଶ ସୈନ୍ୟମାନେ ପଥଚାରୀ ନରନାରୀଙ୍କ ଉପରେ ମଧ୍ୟ ପଶୁତୁଲ୍ୟ ଅତ୍ୟାଚାର କରିଥିଲେ । ମାନ୍ଦ୍ରାଜରେ ପ୍ରଥମ ଥରପାଇଁ ଗୋଟିଏ ପଦ୍ଧତିର ପ୍ରୟୋଗ କରାଯାଇଥିଲା, ଯାହାକି ପରେ ସାରା ଭାରତରେ ମଧ୍ୟ ପ୍ରୟୋଗ ହେଲା । ତାହା ହେଲା–ବେଆଇନଭାବେ ସମାବିଷ୍ଟ ଲୋକମାନଙ୍କୁ ଦଣ୍ଡ ଦେବାରେ ପୋଲିସ୍‍ର ନୂତନ ପଦ୍ଧତି । ବିଭିନ୍ନ ସ୍ଥାନରୁ ଧାରଣା ଦେଉଥିବା ଲୋକମାନଙ୍କୁ ଧରିଆଣି ଲରିରେ ବସାଇ ସହରଠାରୁ ଖୁବ୍ ଦୂରକୁ ନେଇ ଯାଇ ଛାଡ଼ିଦେଉଥିଲେ ଏବଂ ତା’ପରେ ସେମାନେ ଅଣ୍ଟାରେ ପଇସାଟିଏ ନଥାଇ ବାଟ ଖୋଜି ଖୋଜି ଘରକୁ ଫେରୁଥିଲେ ।

 

କର୍ଣ୍ଣାଟକର ଆଙ୍କୋଲା ଓ ସିଦ୍ଦପୁର ତାଲୁକରେ ଦୁଇହାଜର ଲୋକବିଶିଷ୍ଟ ୩୩୦ଟି ପରିବାରର ଭୂସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା, ୧୧୬ଟି ବାସଗୃହ ବେଦଖଲ କରାଯାଇଥିଲା ଏବଂ ଅସ୍ଥାବର ସମ୍ପତ୍ତି ଉଚ୍ଛେଦ କରାଯାଇଥିଲା । ଦଣ୍ଡିତ ଲୋକମାନେ ଦରିଦ୍ର ଏବଂ ସୀମିତ ସଙ୍ଗତିସମ୍ପନ୍ନ ଥିଲେ । ସିଦ୍ଦପୁରରେ ୩୭ ଜଣ ମହିଳା ସତ୍ୟାଗ୍ରାହୀ ତାଙ୍କର ବାଜ୍ୟାପ୍ତ ସମ୍ପତ୍ତିକୁ ନିଲାମରେ କିଣିଥିବା ଲୋକମାନଙ୍କ ଦ୍ଵାରରେ ଅନଶନ କରିଥିଲେ । ସେତେବେଳେ ଏହି ସମ୍ପତ୍ତି କିଣିବାକୁ ଦଳେ ଲୋକ ଆଗ୍ରହୀ ହୋଇଥିବା କଥା ବିଚାରିଲେ ମନେ ହୁଏ ତେବେ ସୁଦ୍ଧା ସାରା ଦେଶରେ ଗାନ୍ଧୀବାଦୀ ଦର୍ଶନ ସମସ୍ତଙ୍କଦ୍ଵାରା ଗୃହୀତ ହୋଇ ନଥିଲା ।

 

ବଙ୍ଗଳାରେ ନିତ୍ୟ ପ୍ରତ୍ୟହ ଗୁଳିଚାଳନା ବା ଲାଠିମାଡ଼ ଲାଗିରହିଥିଲା । ପୋଲିସ୍ କଲିକତା ବିଶ୍ୱବିଦ୍ୟାଳୟ ଗୃହରେ ପଶି ଶ୍ରେଣୀକକ୍ଷ ମଧ୍ୟରେ ନିରୀହ ଛାତ୍ରମାନଙ୍କୁ ନିର୍ଦ୍ଦୟଭାବେ ପ୍ରହାର କରିଥିଲେ । ଗୁଜୁରାଟରେ ଚାଷୀମାନେ ଘରଦ୍ଵାର ଛାଡ଼ି ପ୍ରତିବେଶୀ ବରୋଦା ରାଜ୍ୟକୁ ପଳାୟନ କଲେ । ଏପରି ବିଚିତ୍ର ଦେଶାନ୍ତର ଯାତ୍ରା ବର୍ଣ୍ଣନା କରି ଭାରତ–ପ୍ରେମିକ ଏଚ୍. ଏନ୍. ବ୍ରେଲସ୍ ଫୋର୍ଡ଼ ଲେଖିଥିଲେ–“କେତେକ ଲୋକ ଅମଳ ପର୍ଯ୍ୟନ୍ତ ତର ନ ସହି ଫସଲ କ୍ଷେତରେ ନିଆଁ ଲଗାଇଦେଇ ଚାଲିଗଲେ । ମୁଁ ସେମାନଙ୍କର ଗୋଟିଏ ଅସ୍ଥାୟୀ ଛାଉଣୀକୁ ଯାଇଥିଲି । ସେମାନେ ତାଟି–ବାଡ଼ ଦେଇ ତାଳପତ୍ର ଛପର ଛାଇ ଅସ୍ଥାୟୀ ଘର ସବୁ ତିଆରି କରିଥିଲେ...ମୁଁ ଗୋଟେ ବଡ଼ ଦଳକୁ ପଚାରିଥିଲି–କାହିଁକି ତମେ ଘରଦ୍ଵାର ଛାଡ଼ିଲ ? ସ୍ତ୍ରୀଲୋକମାନେ ଆଗଭର ହୋଇ ସଂକ୍ଷିପ୍ତ ଉତ୍ତର ଦେଇଥିଲେ–‘କାରଣ ଗାନ୍ଧୀଙ୍କୁ ଜେଲ ଦିଆଗଲା ।’ କିନ୍ତୁ ଲୋକମାନେ ତାଙ୍କର ଅର୍ଥନୈତିକ ଦୁର୍ଦ୍ଦଶା ପ୍ରତି ସଚେତନ ରହି କହିଥିଲେ ଯେ–‘ଚାଷବାସରେ ଲାଭ ହେଲା ନାହିଁ, ଏଣେ ଖଜଣା ଦାୟ ବଢ଼ିଚାଲିଲା ।’ ଜଣେ ଦି’ଜଣ ମଧ୍ୟ କହିଥିଲେ–‘ସ୍ଵରାଜପାଇଁ ।’ ପରେ ଯେଉଁମାନେ ଫେରିବାକୁ ଚାହିଁଥିଲେ ସେମାନଙ୍କୁ ସୁରାଟ ପୋଲିସ୍ କିପରି ନିର୍ଯାତିତ କରିଥିଲେ ତାହାର ବିବରଣୀ ମଧ୍ୟ ବ୍ରେଲସ୍‍ଫୋର୍ଡ଼ ରଖିଯାଇଛନ୍ତି ।

 

ପଶ୍ଚିମ–ବଙ୍ଗର ମିଦନାପୁର ଜିଲ୍ଲାରେ ଗୁର୍ଖା ଫୌଜ ଓ ପିଟୁଣୀ ପୋଲିସ୍ ଆତଙ୍କରାଜ ସୃଷ୍ଟି କରିଥିଲେ । ଏଠାରେ ନାରୀମାନଙ୍କ ସମ୍ଭ୍ରମ ରକ୍ଷା ମଧ୍ୟ ସମ୍ଭବ ହୋଇ ନଥିଲା । ସରଳ କୃଷକମାନେ ହସି ହସି ତାଙ୍କ କ୍ଷେତର ଫସଲ ଓ ସଞ୍ଚିତ ଶସ୍ୟ ଉଜାଡ଼ ହେଉଯାଉଥିବାର ସହ୍ୟ କରିଥିଲେ; ମାତ୍ର ତଥାପି ସେମାନେ ଖଜଣା ଦେବାକୁ ସ୍ଵୀକାର କରି ନଥିଲେ ।

 

ପ୍ରଥମ ଗୋଲଟେବୁଲ ବୈଠକ

 

୧୯୩୦ ମଧ୍ୟଭାଗରେ ସାଇମନ୍ କମିଶନ ତାଙ୍କ ପ୍ରତିବେଦନ ଅର୍ପଣ କଲେ । ନଭେମ୍ବରରେ ବ୍ରିଟିଶ ସରକାର ରାମ୍‍ସେ ମାକଡ଼ୋନାଲଡ଼ଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ସମ୍ମେଳନ ନାଁରେ ଲଣ୍ଡନଠାରେ ପ୍ରଥମ ଗୋଲଟେବୁଲ ବୈଠକ ଆହ୍ଵାନ କଲେ । ସ୍ଵଭାବତଃ କଂଗ୍ରେସ ଏହାକୁ ବର୍ଜନ କଲା । ଅନ୍ୟ ଭାରତୀୟ ସଭ୍ୟବୃନ୍ଦ ଓ ଦେଶୀୟ ରାଜ୍ୟର ପ୍ରତିନିଧିଗଣ ସ୍ଥିର କଲେ ଯେ ଲୋକତାନ୍ତ୍ରିକ ଶାସନ ପଦ୍ଧତି ପ୍ରଚଳନ କରି ଦେଶୀୟ ରାଜ୍ୟଗୁଡ଼ିକ ସମେତ ଏକ ଭାରତୀୟ ରାଜ୍ୟ ସଂଘ ପ୍ରତିଷ୍ଠା କରିବା ବାଞ୍ଛନୀୟ । ମିଳିତଭାବେ ଦାୟିତ୍ଵ ବହନ କରୁଥିବା ମନ୍ତ୍ରି ପରିଷଦ ହାତରେ ପ୍ରଶାସନ ଭାର ନ୍ୟସ୍ତ କରି ସ୍ୱାୟତ୍ତ–ଶାସନାଧିକାର–ସମ୍ବଳିତ ରାଷ୍ଟ୍ର ଗଠନ ପ୍ରସ୍ତାବ ଏହି ବୈଠକରେ ଗ୍ରହଣୀୟ ହୋଇଥିଲା ।

 

ଏହାର ଅଳ୍ପ କାଳ ପରେ ଜେଲରେ ଥିବା କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟବୃନ୍ଦଙ୍କୁ ମୁକ୍ତ କରିଦିଆଯାଇଥିଲା । ଯେତେବେଳେ ଗୋଲଟେବୁଲ ବୈଠକର ପ୍ରତିନିଧିଗଣ ଭାରତକୁ ଫେରିଆସିଲେ ତେଜ ବାହାଦୁର ସାପ୍ରୁ ଗାନ୍ଧିଜୀଙ୍କୁ ସାକ୍ଷାତ କରି ପ୍ରବର୍ତ୍ତାଇ ଥିଲେ ଯେ ସେ ଲର୍ଡ଼ ଇରଉଇନ୍‍ଙ୍କୁ ଭେଟି କଂଗ୍ରେସ ପକ୍ଷରୁ ସମାଧାନ ପାଇଁ ଆଲୋଚନା କରନ୍ତୁ ।

 

ଇତ୍ୟବସରରେ, ୧୯୩୦ ଡିସେମ୍ବରରେ ଆହ୍ଲାବାଦଠାରେ ଅନୁଷ୍ଠିତ ମୁସଲିମ ଲିଗ୍ ଅଧିବେଶନରେ ଆଇନ ଅମାନ୍ୟ ଆନ୍ଦୋଳନକୁ ଖୋଲାଖୋଲିଭାବେ ବିରୋଧ କରାଯାଇଥିଲା । ଏହା ଫଳରେ ଲର୍ଡ଼ ଇରଉଇନ୍‍ଙ୍କୁ କହିବାକୁ ସୁଯୋଗ ମିଳିଥିଲା ଯେ ଗାନ୍ଧିଜୀ ସମସ୍ତଙ୍କ ସ୍ଵାର୍ଥ ବିଷୟରେ ସଚେତନ ନୁହନ୍ତି ଏବଂ କଂଗ୍ରେସର ଅବସ୍ଥା ଦୃଷ୍ଟିରୁ ସେ ସମଗ୍ର ଭାରତୀୟ ଜନତାର ପ୍ରତିନିଧିରୂପେ ଗ୍ରହଣୀୟ ହୋଇ ନ ପାରନ୍ତି ।

 

ଗାନ୍ଧୀ–ଇରଉଇନ୍ ଚୁକ୍ତି

 

ଫେବୃଆରୀ ୧୭ଠାରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଦିଲ୍ଲୀଠାରେ ଗାନ୍ଧିଜୀ ବଡ଼ଲାଟଙ୍କ ସହିତ ସମାଧାନ ପାଇଁ କଥାବାର୍ତ୍ତା ଚଳାଇଥିଲେ । ଏହି ଆଲୋଚନା ପ୍ରସଙ୍ଗରେ କଂଗ୍ରେସର ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଏବଂ ଚବିଶ ଜାନୁଆରୀ ଶପଥ ଗ୍ରହଣ କଥା ଆଦୌ ଉଲ୍ଲେଖ କରାଯାଇ ନଥିଲା । ଏହା ନେହେରୁ ଏବଂ ଅନ୍ୟାନ୍ୟ ବାମପନ୍ଥୀ ନେତାମାନଙ୍କୁ ଖୁବ୍ ଆଘାତ ଦେଇଥିଲା । ପ୍ରଥମ ଗୋଲଟେବୁଲ ବୈଠକରେ ଗୃହୀତ ସିଦ୍ଧାନ୍ତଗୁଡ଼ିକ ଭିତ୍ତିରେ କଂଗ୍ରେସ ପକ୍ଷରୁ ଆଲୋଚନା ଚଳାଇବାକୁ ଗାନ୍ଧିଜୀ ସମ୍ମତି ଦେଇଥିଲେ । କ୍ଷତିଗ୍ରସ୍ତ ଲୋକଙ୍କୁ ଖେସାରତ ଦେବାକୁ ସରକାର ପ୍ରତିଶ୍ରୁତି ଦେଲେ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହାର କରାଯାଇପାରେ ବୋଲି ମତ ଦେଇଥିଲେ । ୧୯୩୧ ମାର୍ଚ୍ଚ ୫ ତାରିଖ ଅପରାହ୍ନ ୨–୩୦ରେ ଆଲୋଚନାର ଫଳାଫଳ ପର୍ଯ୍ୟାଲୋଚନା କରିବାକୁ ବସିଥିବା କାର୍ଯ୍ୟକାରୀ କମିଟି ସଭାରେ ମତଦ୍ଵୈଧ ଦେଖାଯାଇଥିଲା । ଅନେକ କହିଥିଲେ ବଡ଼ଲାଟ ଯେତେବେଳେ ସମାଧାନ ପାଇଁ ଆଲୋଚନା କରିବାକୁ ଆଗେଇ ଆସିଛନ୍ତି ଏହା ଆମ ପକ୍ଷରେ ବିଜୟ । କିନ୍ତୁ ଅନେକେ ଏଥିରେ ଆଦୌ ସନ୍ତୁଷ୍ଟ ହୋଇ ନଥିଲେ । ଗାନ୍ଧିଜୀଙ୍କୁ ନିରୋଳାରେ ବ୍ୟକ୍ତିଗତଭାବେ ଜବାହରଲାଲ ନେହେରୁଙ୍କୁ ବୁଝାଇବାକୁ ପଡ଼ିଥିଲା । ନେହେରୁ ପରେ ଏ ବିଷୟରେ ଲେଖିଥିଲେ–“ଚୁକ୍ତିପତ୍ରର ୨ୟ ଧାରା, ଯାହା କି ସରକାରର ସ୍ୱରୂପ ଗଠନ ସଂକ୍ରାନ୍ତରେ ଆଲୋଚନା କରିବାର ସୁଯୋଗ ଦେଇଥିଲା, ତାହାର ବ୍ୟାଖ୍ୟା ମୋତେ ଏକ ଅସଙ୍ଗତ ଯୁକ୍ତି ପରି ଲାଗିଲା ଏବଂ ମୋର ସେଥିରେ ହୃଦ୍‍ବୋଧ ନ ହୋଇଥିଲେହେଁ ତାଙ୍କ କଅଁଳ କଥାରେ ମୁଁ ନରମି ଯାଇଥିଲି....ଦିନେ ଦିଦିନ ପର୍ଯ୍ୟନ୍ତ ମୋର କର୍ତ୍ତବ୍ୟ ମୁଁ ସ୍ଥିର କରିପାରି ନଥିଲି । ସେତେବେଳକୁ ଚୁକ୍ତିପତ୍ର ପ୍ରତିରୋଧ କରିବାର ବାଟ ଆଉ ନଥିଲା...”

 

ବସ୍ତୁତଃ, ମାର୍ଚ୍ଚ ୫ ତାରିଖରେ ଦୁଇ ପକ୍ଷରୁ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇଥିଲା ଏବଂ ତାହା ‘ଗାନ୍ଧୀ–ଇରଉଇନ୍‍ ଚୁକ୍ତି’ ନାମରେ ପରିଚିତ ହୋଇଥିଲା ।

 

ବଡ଼ଲାଟଙ୍କ ସହିତ କଥାବାର୍ତ୍ତା ପ୍ରସଙ୍ଗରେ ଗାନ୍ଧିଜୀ ଅନ୍ୟ କେତେକ ବିଷୟ ମଧ୍ୟ ଉଠାଇଥିଲେ । ଗୋଟିଏ ପ୍ରଧାନ କଥା ଥିଲା, ବିଶେଷ ଆଇନବଳରେ ହିଂସ୍ରତା ଅପରାଧରେ ଅଭିଯୁକ୍ତ ସମସ୍ତ ରାଜନୈତିକ ବନ୍ଦୀଙ୍କୁ କ୍ଷମା ପ୍ରଦାନ । ଏପରିକି ଗାନ୍ଧିଜୀ ଏହିସବୁ ବିଶେଷ ଆଇନ ପ୍ରତ୍ୟାହାର କରିନେବାକୁ ଯୁକ୍ତି କରିଥିଲେ । ସେ ମଧ୍ୟ ଚାହିଁଥିଲେ ଯେ ଯେଉଁ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା ତାହାର ପୁନରୁଦ୍ଧାର କରାଯାଉ । ଆହୁରିବି ସେ ଲୁଣ କାରବାରରେ ସରକାରଙ୍କ ଏକଚାଟିଆ ନୀତିର ଅବସାନ ଦାବି କରିଥିଲେ । ଗାନ୍ଧିଜୀଙ୍କ ଏସବୁ ପ୍ରଶ୍ନ ସମ୍ବନ୍ଧରେ ଇରଉଇନ୍ ନିର୍ବିକାର ରହିଥିଲେ । ସେ କେବେଳ କେତେକ ସ୍ଥାନରେ ଖଜଣା–ହାର ହ୍ରାସ କରିଦେବାକୁ ରାଜିହୋଇଥିଲେ । କିନ୍ତୁ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ଉପରୁ ମୃତ୍ୟୁଦଣ୍ଡ ପ୍ରତ୍ୟାହାରମୂଳକ ଗାନ୍ଧିଜୀଙ୍କର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଅନୁଯୋଗ ସେ ଦୃଢ଼ଭାବେ ଅଗ୍ରାହ୍ୟ କରିଦେବା ସଙ୍ଗେ ସଙ୍ଗେ ଏଥିପାଇଁ ସାମାନ୍ୟ କାଳବିଳମ୍ବ କରିବାକୁ ମଧ୍ୟ ନାସ୍ତି କରିଦେଇଥିଲେ । ସେମାନେ ମାର୍ଚ୍ଚ ୨୩ ଦିନ ନିହତ ହୋଇଥିଲେ । ଆହୁରି ଅନେକ ବିଷୟରେ ସରକାରଙ୍କ ଦମନନୀତି କୌଣସି ପ୍ରକାର କୋହଳ କରାଯାଇ ନଥିଲା ଏବଂ ଗାନ୍ଧିଜୀ ତାଙ୍କର ଈପ୍‍ସିତ ସୁଯୋଗ ସମୂହ ଆଦାୟ କରିବାକୁ ଅକ୍ଷମ ହୋଇଥିଲେ ।

 

କରାଚୀ କଂଗ୍ରେସ

 

ଲାହୋର ପରେ କଂଗ୍ରେସର ପ୍ରଥମ ପୁନର୍ମିଳନ ହେଲା କରାଚୀରେ ମାର୍ଚ୍ଚ ୨୯ ତାରିଖରେ; ଅର୍ଥାତ୍ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ମୃତ୍ୟୁଦଣ୍ଡ ଲାଭ କରିବାର ମାତ୍ର ଛଅଦିନ ପରେ । କଂଗ୍ରେସର ଭାରପ୍ରାପ୍ତ ଇତିବୃତ୍ତକାର ପଟ୍ଟାଭି ସୀତାରାମାୟାଙ୍କ ଭାଷାରେ “ସେତେବେଳେ ଭଗତ ସିଂହଙ୍କ ନାମ ସାରା ଭାରତରେ ବିଖ୍ୟାତ ହୋଇଥିଲା ଏବଂ ଗାନ୍ଧିଜୀଙ୍କଠାରୁ ସେ ଅଧିକ ଲୋକପ୍ରିୟ ହୋଇଯାଇଥିଲେ ।’’ ପ୍ରକୃତପକ୍ଷେ ଗାନ୍ଧିଜୀ ଯେତେବେଳେ କରାଚୀ କଂଗ୍ରେସଠାରେ ଉପନୀତ ହେଲେ ତାଙ୍କ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ଏବଂ ଅଧିବେଶନ କାଳରେ ସନ୍ତ୍ରାସବାଦୀଙ୍କ ସାହସ ଓ ଆତ୍ମୋତ୍ସର୍ଗର ପ୍ରଶଂସାପୂର୍ବକ ଏକ ସିଦ୍ଧାନ୍ତ ଗ୍ରହଣ କରିବାକୁ ପ୍ରସ୍ତାବ ଆସିଥିଲା । ଅହିଂସାନୀତିବାଦୀ ଦଳ ପକ୍ଷରେ ଏହା ବିଗର୍ହିତ ହେଲେହେଁ ପ୍ରସ୍ତାବ ମୂଳରେ ସାମାନ୍ୟ ସଂଯୋଜନ କରି ଗାନ୍ଧିଜୀ ଏହାକୁ ଗ୍ରହଣ କରିଥିଲେ । ସଂଶୋଧିତ ପ୍ରସ୍ତାବର ଭାଷା ଥିଲା–“କଂଗ୍ରେସ ଯେକୌଣସି ଧରଣର ବା ରୂପର ହିଂସାତ୍ମକ ରାଜନୈତିକ ଆନ୍ଦୋଳନକୁ ସମର୍ଥନ କରିବା ବା ତତ୍‍ସହିତ ସଂଶ୍ଳିଷ୍ଟ ହେବାକୁ ନାପସନ୍ଦ କରୁଥିଲେହେଁ, ଏହା ପ୍ରଶଂସାର ସଙ୍ଗେ ସ୍ମରଣ କରୁଛି ଯେ ସାହସିକତା ଓ ଆତ୍ମୋତ୍ସର୍ଗ ପାଇଁ…” ଏହି ସଂଶୋଧିତ ପ୍ରସ୍ତାବକୁ ସୁଭାଷ ବୋଷଙ୍କ ସମର୍ଥନରେ ଯୁବକ କର୍ମୀମାନେ ବିରୋଧ କରିଥିଲେ । ସେମାନେ ପରାଜିତ ହୋଇଥିଲେ ସତ; ମାତ୍ର ଖୁବ୍ କମ୍ ଭୋଟରେ ଏହା ଘଟିଥିଲା ।

 

ମୋଟାମାଟିଭାବେ କରାଚୀ ଅଧିବେଶନର ପ୍ରଧାନ ରାଜନୈତିକ ସିଦ୍ଧାନ୍ତଗୁଡ଼ିକରେ ମାନ୍ଦ୍ରାଜ ଓ କଲିକତା ଅଧିବେଶନର ଆପୋସ ମୀମାଂସା କରିବା ଅବସ୍ଥାର ପୁନରାବୃତ୍ତି ହୋଇଥିଲା । ଏଠି ପୂର୍ଣ୍ଣ–ସ୍ଵରାଜର ଆହ୍ଵାନ ଦିଆଗଲା; କିନ୍ତୁ ତା’ ସହିତ ମଧ୍ୟ ଗାନ୍ଧୀ–ଇରଉଇନ୍ ଚୁକ୍ତି ଅନୁସାରେ ଆଭିମୁଖ୍ୟର ପୁନର୍ବିଚାର ପାଇଁ ପଥ ଉନ୍ମୁକ୍ତ ରଖାଗଲା । ଫଳରେ ସ୍ଵାଭାବିକଭାବେ ୧୯୩୦ ଜାନୁଆରୀ କାଳୀନ ଉଦ୍ଦୀପନାରେ ଭଟ୍ଟା ପଡ଼ିଗଲା । ବର୍ତ୍ତମାନ ପରିସ୍ଥିତିରେ ଜନ–ସହଯୋଗର ଆବଶ୍ୟକତା ରହିଲା ନାହିଁ । ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାର ସମ୍ପୂର୍ଣ୍ଣ କ୍ଷମତା ରହିଲା ନେତୃବୃନ୍ଦଙ୍କ ହାତରେ ।

 

କିନ୍ତୁ ଗୋଟିଏ ଦୃଷ୍ଟିରୁ କରାଚୀ ଅଧିବେଶନ ୧୯୩୦ ଜାନୁଆରୀଠାରୁ ଅଗ୍ରଗାମୀ ହୋଇପାରିଥିଲା । ଏଠାରେ ମୌଳିକ ଅଧିକାର ଓ ଅର୍ଥନୈତିକ ନୀତି ସମ୍ପର୍କରେ ଯେଉଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା, ସେଥିରେ ଭବିଷ୍ୟତ ଗଣତନ୍ତ୍ରରେ ଦଳର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ କାର୍ଯ୍ୟକ୍ରମ ପ୍ରତିଫଳିତ ହୋଇଥିଲା । ପୂର୍ବରୁ ଏହା କେବେ ସ୍ପଷ୍ଟତରଭାବେ ପ୍ରକାଶ ପାଇ ନଥିଲା । ଏଥିରେ ମୁଖ୍ୟ ପ୍ରତିପାଦ୍ୟ ଥିଲା–

 

(୧) ସର୍ବଜନାନୁମୋଦିତ ମୌଳିକ ଅଧିକାର ପାଇଁ ପ୍ରତିଶ୍ରୁତି ପ୍ରଦାନ,

 

(୨) ସବୁଶ୍ରେଣୀର ଲୋକମାନଙ୍କ ମଧ୍ୟରୁ ଜାତିଗତ ଓ ଧର୍ମଗତ ପ୍ରତିବନ୍ଧକର ଅପସାରଣ,

 

(୩) ଜାତୀୟ ଆଞ୍ଚଳିକ ଭାଷାସମୂହର ବିକାଶସାଧନ ଏବଂ ଭାଷା ଭିତ୍ତିରେ ପ୍ରଦେଶ ଗଠନ,

 

(୪) ଖଜଣା ହାର ହ୍ରାସକରଣ,

 

(୫) ଅନୁନ୍ନତ ଅଞ୍ଚଳ ଓ ଦେଶୀୟ ରାଜ୍ୟରେ ପ୍ରଚଳିତ ବେଠି–ବେଗାରି ନିବାରଣ,

 

(୬) ଲବଲ–ଶୁଳ୍କ ନିରାକରଣ ଏବଂ

 

(୭) ଶ୍ରମିକମାନଙ୍କ ସ୍ଵତନ୍ତ୍ର ଅଧିକାର ସଂରକ୍ଷଣ; ଯଥା–ସ୍ଵାସ୍ଥ୍ୟାନୁକୂଳ କର୍ମପରିବେଶ, ଜୀବନଧାରଣ ଉପଯୋଗୀ ବେତନ ହାର, ବେକାର ଅବସ୍ଥାପାଇଁ ବୀମା, ଆଠ ଘଣ୍ଟିଆ କାର୍ଯ୍ୟ ଦିବସ ଏବଂ ସବେତନ ଛୁଟି ।

 

କଂଗ୍ରେସ ମଧ୍ୟ ସେମାନଙ୍କ କୃଷି ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିବାପାଇଁ ଉଦ୍ୟମ କଲା; ଯଦିଓ କରାଚୀ କଂଗ୍ରେସ ସାମନ୍ତ ରାଜାଙ୍କ ପରି ବଡ଼ବଡ଼ ଜମିଦାରଙ୍କ ଜମିଦାରୀ ଉଚ୍ଛେଦ ଦାବି କରିବାକୁ ଅସମର୍ଥ ହୋଇଥିଲା । ଏହି ଆଭିମୁଖ୍ୟରୁ ପ୍ରମାଣିତ ହୋଇଥିଲା ଯେ ୧୯୩୦ କାଳୀନ ବାମପନ୍ଥୀ ବିପ୍ଳବୀଦଳଙ୍କ କାର୍ଯ୍ୟକଳାପ ବାସ୍ତବରେ ଅସଫଳ ହୋଇଯାଇଥିବା ସତ୍ତ୍ୱେ ବିଗତ ଚାରିବର୍ଷର ଗଣ–ବିକ୍ଷୋଭ ପ୍ରତି ଲକ୍ଷ୍ୟ ରଖି ଜାତୀୟ ନେତୃତ୍ଵ ସେମାନଙ୍କର କେତେକ କ୍ରାନ୍ତିକାରୀ ଗଣତାନ୍ତ୍ରିକ ନୀତି ସ୍ଵୀକାର କରିନେଇଥିଲେ । ଏହିଠାରୁ ସ୍ଵାଧୀନତା ସଂଗ୍ରାମର ପରବର୍ତ୍ତୀ ଦିନଗୁଡ଼ିକରେ ସେହି ଗଣତାନ୍ତ୍ରିକ ନୀତିର ପତାକା ଉଡ଼ାଇ ଜାତୀୟ ନେତୃତ୍ଵ ଅଗ୍ରସର ହେଲା । ଏଣୁ କରାଚୀ କଂଗ୍ରେସରେ ଏକପକ୍ଷରେ ପାରସ୍ପରିକ ବୁଝାମଣା ଭିତ୍ତିରେ ବାହ୍ୟ ତଥା ଆଭ୍ୟନ୍ତରୀଣ ବିରୋଧର ସମାଧାନ କରି ଗାନ୍ଧୀନୀତିର ରାଜନୈତିକ ବିଜୟ ହାସଲ ହୋଇଥିଲେହେଁ, ଅନ୍ୟପକ୍ଷରେ କଂଗ୍ରେସ କାର୍ଯ୍ୟକ୍ରମରେ କ୍ରାନ୍ତିକାରୀ ସାମ୍ୟବାଦୀ ଆଭିମୁଖ୍ୟ ପ୍ରଦାନ ମୌଳିକ ବିଷୟରୂପେ ଗୃହୀତ ହୋଇଥିଲା ।

 

ଦ୍ଵିତୀୟ ଗୋଲଟେବୁଲ ବୈଠକ ଓ ସାମ୍ପ୍ରଦାୟିକ ସମସ୍ୟା

 

କଂଗ୍ରେସ ଅଧିବେଶନ କାଳରେ କରାଚୀରେ ମଧ୍ୟ ଶ୍ରମିକ–କୃଷକ ଦଳ ଏବଂ ନିଖିଳ ଭାରତ ଯୁବ ପରିଷଦର ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦଳ କଂଗ୍ରେସ ମୌଳିକ ଅଧିକାର ଓ ଅର୍ଥନୈତିକ ନୀତି ନିର୍ଦ୍ଧାରଣ ସଂକ୍ରାନ୍ତୀୟ ସିଦ୍ଧାନ୍ତଠାରୁ ଆହୁରି ବିପ୍ଳବାତ୍ମକ ପ୍ରସ୍ତାବ ଶ୍ରମିକ କୃଷକ ସମସ୍ୟା ଉପରେ ଗ୍ରହଣ କରିଥିଲେ । ଯୁବ–ପରିଷଦ ପୂର୍ଣ୍ଣ ସ୍ଵରାଜପାଇଁ ସଂଗ୍ରାମ ଚାଲୁରଖିବାକୁ ଆହ୍ଵାନ ଜଣାଇଥିଲେ । ଏମାନେ ମଧ୍ୟ ଗାନ୍ଧୀ ଇରଉଇନ୍ ଚୁକ୍ତିର ଏବଂ ଦ୍ଵିତୀୟ ଗୋଲଟେବୁଲ ବୈଠକରେ ଯୋଗଦେବା ପାଇଁ କଂଗ୍ରେସ ସିଦ୍ଧାନ୍ତର ନିନ୍ଦା କରିଥିଲେ ।

 

ଅନ୍ୟପକ୍ଷରେ ସାମ୍ପ୍ରଦାୟିକ ସମସ୍ୟା ଗୁରୁତରଭାବେ ବଢ଼ିଚାଲିଥିଲା । ମାର୍ଚ୍ଚ ୨୪/୨୫ରେ କାନପୁରରେ ଏକ ଭୀଷଣ ଦଙ୍ଗା ହୋଇ ଉଭୟ ପକ୍ଷରୁ କେତେକ ପ୍ରାଣହାନି ଘଟିଥିଲା । ଏହି ଘଟଣାରୁ ସାମ୍ପ୍ରଦାୟିକ ଦଙ୍ଗାର ପ୍ରକୋପ ପୁନଃ ବର୍ଦ୍ଧିତ ହୋଇଥିଲା ଏବଂ ଏହାପରେ ଜିନ୍ନା ଏବଂ ଅନ୍ୟାନ୍ୟ ପ୍ରତିକ୍ରିୟାଶୀଳ ମୁସଲମାନ ଗୋଷ୍ଠୀ କଂଗ୍ରେସର ରାଜନୈତିକ କାର୍ଯ୍ୟକ୍ରମରୁ ନିଜର ବିଚ୍ଛିନ୍ନତା ଘୋଷଣା କରିଥିଲେ ।

 

୧୯୩୧ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଦ୍ଵିତୀୟ ଗୋଲଟେବୁଲ ବୈଠକରେ କ’ଣ ଉପସ୍ଥାପନ କରାଯିବ, ସେହି ବିଷୟରେ କଂଗ୍ରେସ ଭିତରେ ଯୁକ୍ତିତର୍କ ଲାଗିରହିଲା । ସରକାର ଗୋଟିଏ ବୃହତ୍ ପ୍ରତିନିଧିଦଳକୁ ସ୍ଵାଗତ ଜଣାଇବାକୁ ସ୍ଵୀକୃତ ହୋଇଥିଲେହେଁ ଏକମାତ୍ର ଗାନ୍ଧିଜୀଙ୍କୁ କଂଗ୍ରେସର ପ୍ରତିନିଧିତ୍ଵ କରିବାକୁ ସ୍ଥିର କରାଯାଇଥିଲା । ମାତ୍ର ଡ: ଆନସାରୀଙ୍କ ପରି ଜାତୀୟତାବାଦୀ ମୁସଲମାନ କଂଗ୍ରେସ ପକ୍ଷରୁ ଗାନ୍ଧିଜୀଙ୍କ ସହିତ ଲଣ୍ଡନ ଯାଇପାରିଥାନ୍ତେ, ତାହାହେଲେ କଂଗ୍ରେସ ପ୍ରଗତିଶୀଳ ମୁସଲମାନମାନଙ୍କ ପ୍ରତିନିଧିତ୍ଵ କରୁଛି ବୋଲି ବିଲାତରେ ଜନମତ ପ୍ରଭାବିତ ହୋଇଥାନ୍ତା । ଏହା ନ କରି କଂଗ୍ରେସ ଆଶା କରିଥିଲା ଡ: ଆନସାରୀ ନିଜର ବ୍ୟକ୍ତିଗତ ମର୍ଯ୍ୟାଦା ବଳରେ ବୈଠକକୁ ମନୋନୀତ ହେବେ । ଆହୁରି ମଧ୍ୟ ସୁଭାଷ ବୋଷଙ୍କ କହିବାନୁସାରେ ଗାନ୍ଧିଜୀ ସେତେବେଳକୁ କହିବାକୁ ଆରମ୍ଭ କରିଦେଇଥିଲେ ଯେ “ଯଦି ମୁସଲମାନମାନେ ସହମତ ହୋଇ ନୂତନ ସମ୍ବିଧାନରେ ପ୍ରତିନିଧିତ୍ଵ ଓ ନିର୍ବାଚନମଣ୍ଡଳୀ ସଂକ୍ରାନ୍ତୀୟ ଦାବି ଉପସ୍ଥାପନ କରନ୍ତି, ତେବେ ସେ ତାଙ୍କର ଦାବି ମାନିନେବେ ।’’ ଏହା ପ୍ରତିକ୍ରିୟାଶୀଳ ମୁସଲମାନ ଗୋଷ୍ଠୀର ସିଦ୍ଧାନ୍ତକୁ ବଳବତ୍ତର କରିଥିଲା । ପରବର୍ତ୍ତୀ କାଳରେ ଗାନ୍ଧିଜୀ ଯେ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ଦାବି ସ୍ଵୀକାର କରିବାକୁ ରୋକ୍‍ଠୋକ୍‍ଭାବେ ନାସ୍ତି କରିଥିଲେ, ତାହା ମୂଳରେ ଥିଲା ସୁଭାଷ ବୋଷଙ୍କ ଦୃଢ଼ତା ଏବଂ ଜାତୀୟତାବାଦୀ ମୁସଲମାନ ଗୋଷ୍ଠୀର ନିମ୍ନୋଦ୍ଧୃତ ଘୋଷଣା–“ଯଦି କୌଣସି କାରଣରୁ ଗାନ୍ଧିଜୀ ଉଭୟ ହିନ୍ଦୁ ଓ ମୁସଲମାନମାନଙ୍କ ପାଇଁ ଗୋଟିଏ ସମାନ ନିର୍ବାଚନ ମଣ୍ଡଳୀ ଦାବି ଉପେକ୍ଷା କରି ପ୍ରତି ସମ୍ପ୍ରଦାୟ ନିମନ୍ତେ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀପାଇଁ ପ୍ରତିକ୍ରିୟାଶୀଳ ମୁସଲମାନ ଗୋଷ୍ଠୀର ଦାବିକୁ ସ୍ଵୀକାର କରନ୍ତି, ତେବେ ସେମାନେ (ଜାତୀୟତାବାଦୀ ମୁସଲମାନଗଣ) ପ୍ରତିକ୍ରିୟାଶୀଳ ମୁସଲମାନମାନଙ୍କୁ ତଥା ଗାନ୍ଧିଜୀଙ୍କୁ ବିରୋଧ କରିବେ; କାରଣ ସେମାନେ ଭଲଭାବେ ଉପଲବ୍ଧି କରିଛନ୍ତି ଯେ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ କେବଳ ଦେଶ ପକ୍ଷରେ ନୁହେଁ, ପ୍ରତ୍ୟେକ ସମ୍ପ୍ରଦାୟ ପକ୍ଷରେ ମଧ୍ୟ କ୍ଷତିକାରକ ହେବ ।’’

 

ଏପ୍ରିଲ ମାସରେ ଲର୍ଡ଼ ଇରଉଇନ୍‍ଙ୍କ ସ୍ଥାନରେ ନୂଆ ବଡ଼ଲାଟ ହୋଇ ଆସିଲେ ଲର୍ଡ଼ ଉଇଲିଙ୍ଗଟନ । ନୂଆ ବଡ଼ଲାଟ ସ୍ଵଭାବବଶତଃ ଗୋଟିଏ ଉଦାରପନ୍ଥୀ ଗ୍ରହଣ କରିବାକୁ ଟିକେ ହେଲେ ପ୍ରସ୍ତୁତ ନଥିଲେ । ରାଜନୈତିକ ଅପରାଧୀମାନଙ୍କ ଉପରେ ପ୍ରତିଶୋଧମୂଳକ ବ୍ୟବହାର ନ କରିବାକୁ ଗାନ୍ଧୀ–ଇରଉଇନ୍ ଚୁକ୍ତିରେ ଯାହା ଉଲ୍ଲିଖିତ ହୋଇଥିଲା, ପ୍ରାଦେଶିକ ସରକାର ସବୁ ତାହା ପାଳନ କରୁ ନାହାନ୍ତି ବୋଲି ଗାନ୍ଧିଜୀଙ୍କ ଅଭିଯୋଗକୁ ସେ ମାନି ନଥିଲେ ଏବଂ ଗୋଟିଏ ଉଭୟ ପକ୍ଷର ମନୋନୀତ ସଂସ୍ଥାଦ୍ଵାରା ସବୁ ବିରୋଧର ସମାଧାନ କରିବା ବିଷୟରେ ଗାନ୍ଧିଜୀଙ୍କ ଅନୁରୋଧ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ତାଙ୍କ କର୍ମଚାରୀବୃନ୍ଦ ବିଚାରିଥିଲେ ଯେ, ଏହାଦ୍ଵାରା ପ୍ରକାରାନ୍ତରେ କଂଗ୍ରେସ ଏକ ସମାନ୍ତରାଳ ଶକ୍ତିରୂପେ ସ୍ଵୀକୃତ ହେବ । ଏତିକିବେଳକୁ ଉତ୍ତର–ପଶ୍ଚିମ ସୀମାନ୍ତ ପ୍ରଦେଶ ଓ ଉତ୍ତର–ପ୍ରଦେଶରେ ଖୁଦାଇ ଖିଦମତଗାର ଏବଂ ଖଜଣା–ବନ୍ଦ ଆନ୍ଦୋଳନକାରୀଙ୍କ ଉପରେ ନିର୍ମମଭାବେ ପ୍ରତିଶୋଧ ନିଆଯାଉଥିଲା । ଅଗଷ୍ଟ ମାସରେ ଗାନ୍ଧିଜୀ ତାଙ୍କ କଥାର ଗୁରୁତ୍ଵ ବଢ଼ାଇବାକୁ ବିଲାତ ନ ଯିବାକୁ ଧମକ ଦେଲେ; କିନ୍ତୁ ଉଇଲିଙ୍ଗଟନ ତାଙ୍କ ମତରେ ଅବିଚଳିତ ରହିଲେ ଏବଂ ଡ଼. ଆନସାରୀ କଂଗ୍ରେସ ସଭ୍ୟ ହୋଇଥିବାରୁ ବ୍ୟକ୍ତିଗତଭାବେ ତାଙ୍କୁ ମନୋନୀତ କଲେ । ଅନ୍ୟ ମୁସଲମାନମାନେ ଆପତ୍ତି କରିବା

 

ଆଳରେ ଦ୍ଵିତୀୟ ଗୋଲଟେବୁଲ ବୈଠକକୁ ତାଙ୍କୁ ମନୋନୀତ କରିବା ସିଦ୍ଧାନ୍ତକୁ ସେ କାର୍ଯ୍ୟକାରୀ କରି ନଥିଲେ । ପ୍ରସ୍ତାବରେ ବ୍ରିଟିଶ ସରକାର ତାଙ୍କ ଭେଦ–ନୀତିର ଗୋଟିଏ ଅଙ୍ଗସ୍ୱରୂପ ହିନ୍ଦୁ ମୁସଲମାନ ସାମ୍ପ୍ରଦାୟିକତାବାଦୀଙ୍କ ହାତମୁଠା ଟାଣ କରିବାକୁ ନିଷ୍ଠାପରଭାବେ ଲାଗିପଡ଼ିଥିଲେ । ଆନସାରୀଙ୍କ ପରି ଜାତୀୟତାବାଦୀଙ୍କ ମନୋନୟନ ଅଗ୍ରାହ୍ୟ କରାଗଲା; ମାତ୍ର ଦେଶର ରାଜନୈତିକ କ୍ଷେତ୍ରରେ କିଛି ପ୍ରଭାବ ନଥିବା ହିନ୍ଦୁ, ଶିଖ ଓ ମୁସଲମାନ ସାମ୍ପ୍ରଦାୟିକତାବାଦୀଙ୍କୁ ପ୍ରତିନିଧିତ୍ଵ କରିବାକୁ ସୁଯୋଗ ଦିଆଗଲା । ଅବଶେଷରେ ସିମଲାଠାରେ ବଲ୍ଲଭଭାଇ ପଟେଲ, ପ୍ରଭାଶଙ୍କର ପାଟକାନି ଓ ଜବାହରଲାଲ ନେହେରୁଙ୍କ ସହିତ ବଡ଼ଲାଟଙ୍କୁ ଭେଟି ଗାନ୍ଧିଜୀ କିଛି କିନାରା ପାଇଲେ । ସୁରାଟର ଗ୍ରାମାଞ୍ଚଳରେ ଜବରଦସ୍ତଭାବେ ଖଜଣା ଆଦାୟ ହେଉଥିବା ବିଷୟରେ ଅନୁସନ୍ଧାନ କରିବାକୁ ପ୍ରତିଶ୍ରୁତି ଆଦାୟ କରିଥିଲେ; କିନ୍ତୁ ଏହାଛଡ଼ା ଏଯାବତ୍ କଂଗ୍ରେସ ଆଣିଥିବା ଅନ୍ୟାନ୍ୟ ବିଷୟରେ କିଛି ହୋଇପାରି ନଥିଲା । ତେବେ ଏହି ଅନୁସନ୍ଧାନ କଥା ପ୍ରତିପାଳିତ ନହେଲେ କଂଗ୍ରେସ ପ୍ରତିରକ୍ଷାମୂଳକ ପ୍ରତ୍ୟକ୍ଷ ସଂଗ୍ରାମ କରିବ ବୋଲି ଗାନ୍ଧିଜୀ ମୂଳରୁ କହିଦେଇଥିଲେ । କିନ୍ତୁ ୧୯୩୧ ଅଗଷ୍ଟ ୧୫ ତାରିଖରେ ସେ ବିଲାତ ଯାତ୍ରା କରିବାଦ୍ଵାରା ତାଙ୍କ ଚରିତ୍ରର ସହଜ ନମନୀୟତା ଗୁଣଟି ଅନିବାର୍ଯ୍ୟଭାବେ ପରିସ୍ଫୁଟ ହୋଇଥିଲା ।

 

ଏହିସବୁ ଘଟଣାରୁ ବେଶ ପୂର୍ବାଭାସ ମିଳିଥିଲା ଯେ ସେପ୍‍ଟେମ୍ବରରୁ ଡିସେମ୍ବର (୧୯୩୧) ମଧ୍ୟରେ ବସୁଥିବା ଦ୍ଵିତୀୟ ଗୋଲଟେବୁଲ ବୈଠକରେ କଂଗ୍ରେସର ବିଫଳତା ସୁନିଶ୍ଚିତ । ଗାନ୍ଧିଜୀ ଅନ୍ୟ ପ୍ରତିନିଧିମାନଙ୍କ ପଛରେ ବୈଠକର ଠିକ୍ ପୂର୍ବଦିନ ପହଞ୍ଚିଥିଲେ । ବ୍ରିଟିଶ ଶ୍ରମିକଗଣ ତାଙ୍କୁ ହାର୍ଦ୍ଦିକ ସ୍ଵାଗତ ଜଣାଇଥିଲେ । ସେ ଲଣ୍ଡନର ଇଷ୍ଟଏଣ୍ଡର ରହିଥିଲେ ଏବଂ ଲାଙ୍କାସାୟାର ପରିଭ୍ରମଣ କରିଥିଲେ । ଯଦିଓ କଂଗ୍ରେସ ପକ୍ଷରୁ ବିଲାତି ବସ୍ତ୍ର ବଏକଟ୍‍ ହେବାଦ୍ଵାରା ସେ ଅଞ୍ଚଳ ଖୁବ୍ କ୍ଷତିଗ୍ରସ୍ତ ହୋଇଥିଲା, ତଥାପି ସେଠାକାର ଶ୍ରମିକମାନେ ଭାରତୀୟମାନଙ୍କ ସାମ୍ରାଜ୍ୟବାଦ–ବିରୋଧୀ ସଂଗ୍ରାମ ପ୍ରତି ସହାନୁଭୂତି ପ୍ରଦର୍ଶନ କରିଥିଲେ । କିନ୍ତୁ ଏ ପକ୍ଷରେ ବ୍ରିଟିଶ ମନ୍ତ୍ରୀଗଣ ଏବଂ ଅନେକ ସାମ୍ପ୍ରଦାୟିକତାବାଦୀ ନେତା ଜାତୀୟତାବାଦୀଙ୍କୁ ଡୁବାଇଦେବାକୁ ପ୍ରସ୍ତୁତ ହୋଇ ରହିଥିଲେ । ସମ୍ବିଧାନ ସଂସ୍କାର ବିଷୟରେ ରାଜିନାମା ଆଣିବା ଦିଗରେ ଗାନ୍ଧିଜୀ ଅଧିକ ଗୁରୁତ୍ଵ ଦେଉଥିଲେହେଁ ସେମାନେ ତା’ ପୂର୍ବରୁ ସାମ୍ପ୍ରଦାୟିକ ବୁଝାମଣା ବିଚାର କରିବାକୁ ଦାବି କରିଥିଲେ । ଏହି ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସଂଖ୍ୟାଲଘୁ ଗୋଷ୍ଠୀର ବୈଠକରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ସେମାନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାମ୍ପ୍ରଦାୟିକ ସମସ୍ୟା ସମାଧାନ କରିବାପାଇଁ ସମସ୍ତ ସଭ୍ୟ ସ୍ଵାକ୍ଷର ଦେଇ ତାଙ୍କୁ ଆବେଦନ କରନ୍ତୁ ଏବଂ ତାଙ୍କ ସିଦ୍ଧାନ୍ତକୁ ମାନିନେବାକୁ ଶପଥ କରନ୍ତୁ । ଏଥିରେ ସମସ୍ତେ ରାଜି ହେଲେ ନାହିଁ; ହେବାର କଥା ମଧ୍ୟ ନଥିଲା । ବ୍ରିଟିଶ ଲୋକେ ଜାଣିଥିଲେ, ସାମ୍ପ୍ରଦାୟିକ ନେତାମାନେ ପରସ୍ପରର ଗୋଛି କାଟିବାରେ ପାରଙ୍ଗମ । ଗାନ୍ଧିଜୀ ଅତି ନ୍ୟାୟସଙ୍ଗତଭାବେ କହିଥିଲେ ଯେ “ସ୍ଵରାଜ ସମ୍ବିଧାନର ରାଜଛତ୍ରତଳେ ସବୁ ସମସ୍ୟାର ସମାଧାନ ନିହିତ; କାରଣ ଆମ ଭିତରେ ଯେଉଁ ବିରୋଧ ଜନ୍ମିଛି ବା କ୍ରମେ ଉଗ୍ରତର ହେଉଛି, ତାହା ମୂଳରେ ରହିଛି ବିଦେଶୀ ଶାସନ । ସାମ୍ପ୍ରଦାୟିକ ଭେଦଭାବର ବରଫଭେଳା ସ୍ଵାଧୀନତା–ସୂର୍ଯ୍ୟର ଉଷ୍ମସ୍ପର୍ଶରେ ମୁହୂର୍ତ୍ତକରେ ବିଗଳିତ ହେଇଯିବ ବୋଲି ମୋର ଦୃଢ଼ବିଶ୍ଵାସ ଅଛି ।’’

 

କିନ୍ତୁ ବୈଠକରେ ଆଗା ଖାଁଙ୍କ ପରି ମୁସଲମାନ ସାମ୍ପ୍ରଦାୟିକତାବାଦୀମାନେ ବ୍ରିଟିଶ ସାମ୍ରାଜ୍ୟବାଦର ଛତ୍ରଛାୟାରେ ସେମାନଙ୍କ ପ୍ରତିକ୍ରିୟାଶୀଳ ସ୍ଵାର୍ଥରକ୍ଷା ପାଇଁ ସିଦ୍ଧାନ୍ତ କଲେ । ହିନ୍ଦୁ ଓ ଶିଖ ସାମ୍ପ୍ରଦାୟିକତାବାଦୀମାନେ ମଧ୍ୟ ଅନୁରୂପଭାବେ ସାମ୍ରାଜ୍ୟବାଦର କ୍ରୀଡ଼ା–ପୁତ୍ତଳିକା ହେବାକୁ ଲାଳାୟିତ ହେଲେ । ସମସ୍ତେ ତାଙ୍କ ନିଜ ନିଜ ବାଟରେ ବୈଠକରେ ଏକ ମିଳିତ ସାମ୍ମୁଖ୍ୟ ଗଠନ କରିବା ଦିଗରେ ଗାନ୍ଧିଜୀଙ୍କ ଉଦ୍ୟମକୁ ଭ୍ରଷ୍ଟ କରିବାପାଇଁ ଲାଗିପଡ଼ିଲେ ।

 

ଶେଷରେ ୧୯୩୧ ଡିସେମ୍ବରରେ ମାକଡ଼ୋନାଲ୍‍ଡ଼ ୧୯୩୦ର ବୁଝାମଣା ଭିତ୍ତିରେ ଅଗ୍ରସର ହେବାକୁ ସ୍ଥିର କଲେ ଏବଂ ଉଇଲିଙ୍ଗଟନଙ୍କ ଅନୁସୃତ ନୀତିର ଅନୁମୋଦନ କଲେ । ସେ ମଧ୍ୟ ପ୍ରସ୍ତାବିତ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ ଅନୁସାରେ କିପରି ଏକ କନିଷ୍ଠ ସଙ୍ଘୀୟ କେନ୍ଦ୍ର ସରକାର ପ୍ରତିଷ୍ଠା ହେବ ଏବଂ ପ୍ରଦେଶଗୁଡ଼ିକୁ ସୀମିତ କ୍ଷେତ୍ରରେ ସ୍ୱାୟତ୍ତ ଶାସନ ଅଧିକାର ଦେଇ ପ୍ରାଦେଶିକ ସ୍ୱାୟତ୍ତ ଶାସନ ପ୍ରତିଷ୍ଠା ହେବ, ତାହାର ଏକ ଖସଡ଼ା ପ୍ରସ୍ତୁତ କରିଥିଲେ । କିନ୍ତୁ ଅର୍ଥ, ବୈଦେଶିକ ନୀତି, (ଯୁଦ୍ଧ ସମ୍ବନ୍ଧୀୟ ନିଷ୍ପତ୍ତି କରିବା ସମେତ) ଏବଂ ପ୍ରତିରକ୍ଷା କ୍ଷେତ୍ରରେ ବିଲାତର ପାର୍ଲିଆମେଣ୍ଟ୍‍ ଏବଂ ଭାରତର ବଡ଼ଲାଟଙ୍କ ବିଶେଷ ଅଧିକାର ଜାରି ରହିଲା । ଗାନ୍ଧିଜୀ ବିରକ୍ତ ଚିତ୍ତରେ ଭାରତକୁ ଫେରିଆସିଲେ ।

 

ସରକାରୀ ଦମନନୀତିର ପୁନଃ ପ୍ରୟୋଗ

 

ବର୍ତ୍ତମାନ ଉଇଲିଙ୍ଗଟନଙ୍କ ସରକାର ସମସ୍ତ ଜାତୀୟ ଆନ୍ଦୋଳନ ବିରୁଦ୍ଧରେ ୧୯୩୦ରେ ଇରଉଇନ୍‍ଙ୍କ ଅନୁସୃତ ଦମନ–ନୀତିଠାରୁ ଆହୁରି ଦୃଢ଼ତର ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥିର କଲେ । ଯେତେବେଳେ ଉତ୍ତର–ପ୍ରଦେଶ କଂଗ୍ରେସ ସରକାରଙ୍କ ସହିତ ବୁଝାମଣା ସ୍ଥଗିତ ଥିବା ଦୃଷ୍ଟିରୁ ଚାଷୀମାନଙ୍କୁ ଖଜଣା ଦେବାରୁ କ୍ଷାନ୍ତ ରହିବାକୁ ଉପଦେଶ ଦେଲେ, ସେତେବେଳେ ନେହେରୁ ଓ ପୁରୁଷୋତ୍ତମ ଦାସ ଟଣ୍ଡନଙ୍କ ପରି ନେତାମାନଙ୍କ ସମେତ ଜଣକୁ ହେଲେ ବାଦ ନଦେଇ ସମସ୍ତଙ୍କୁ ଗିରଫ୍ କରାଗଲା ଏବଂ ଏହା ଗାନ୍ଧିଜୀଙ୍କ ଲଣ୍ଡନ ପ୍ରତ୍ୟାବର୍ତ୍ତନର ମାତ୍ର ପାଞ୍ଚଦିନ ପୂର୍ବରୁ ଘଟିଥିଲା । ଉତ୍ତର–ପଶ୍ଚିମ ସୀମାନ୍ତ ପ୍ରଦେଶରେ ଅବଦ୍ଦୁଲ ଗଫାର ଖାଁ, ତାଙ୍କ ବଡ଼ଭାଇ ଡ: ଖାଁ ସାହେବ ଏବଂ ଅନ୍ୟ ଜାତୀୟତାବାଦୀ ନେତାଗଣ କାରାରୁଦ୍ଧ ହୋଇଥିଲେ । ବଙ୍ଗଳାରେ ଚିଟାଗଞ୍ଜ ସହର ତିନିଦିନ ପାଇଁ ବେସରକାରୀ ୟୁରୋପୀୟମାନଙ୍କଦ୍ଵାରା କବଳିତ ହୋଇଥିଲା ଏବଂ ସେମାନେ ପୋଲିସ୍ ପକ୍ଷରୁ ବାଧା ନ ପାଇ ଗୁଣ୍ଡାଦଳଙ୍କ ସହାୟତାରେ ଜାତୀୟତାବାଦୀଙ୍କ ଘରଦ୍ଵାର ଲୁଟ କରିଥିଲେ । ଏପରିକି ଖଡ଼୍‍ଗପୁର ନିକଟବର୍ତ୍ତୀ କୁଖ୍ୟାତ ହିଜିଲ ଜେଲଖାନାରେ ୧୯୩୧ରେ ଜେଲ କର୍ମଚାରୀମାନେ ବନ୍ଦୀମାନଙ୍କୁ ନିର୍ଧୁମ୍ ମାଡ଼ ଦେଇଥିଲେ ଏବଂ ପରେ ଦୁଇଜଣଙ୍କୁ ଗୁଳିଚୋଟରେ ହତ୍ୟା କରିଥିଲେ ।

 

ବ୍ୟକ୍ତିଗତଭାବେ ଆଇନ ଅମାନ୍ୟ ଆନ୍ଦୋଳନ

 

ଗାନ୍ଧିଜୀ ଫେରିଆସିବା ପରେ ଯେତେବେଳେ ଉଇଲିଙ୍ଗଡ଼ନଙ୍କ ନିକଟରେ ଅଭିଯୋଗ କଲେ, ସେ କିଛି ଶୁଣି ନଥିଲେ । କଂଗ୍ରେସ ସେତେବେଳେ ମଧ୍ୟ ପ୍ରସ୍ତୁତ ଥିଲା ଯେ ସରକାର ବିଶେଷ ଆଦେଶନାମା ଉଠାଇନେଇ ପୂର୍ଣ୍ଣ ସ୍ଵରାଜ ଆନ୍ଦୋଳନ ଚଳାଇବାକୁ ସୁଯୋଗ ଦେଲେ, ସେମାନେ ସରକାରଙ୍କ ସହିତ ସବୁପ୍ରକାର ସହଯୋଗ କରିବେ । ଏପରି ଦୃଷ୍ଟିଭଙ୍ଗୀ ଲାହୋର କଂଗ୍ରେସ ମନୋଭାବଠାରୁ ସ୍ଵତନ୍ତ୍ର ଥିଲା । ତଥାପି ଏଥିରେ ଆଇନ–ଅମାନ୍ୟ ଆନ୍ଦୋଳନର ପୁନଃ ପ୍ରବର୍ତ୍ତନ ପାଇଁ ଧମକ ରହିଥିଲା । ୧୯୩୨ ଜାନୁଆରୀ ୪ ତାରିଖରେ ଗାନ୍ଧିଜୀ ଓ କଂଗ୍ରେସ ସଭାପତି ବଲ୍ଲଭଭାଇ ପଟେଲଙ୍କ ସମେତ କଂଗ୍ରେସର ନୂତନ ନେତୃବର୍ଗଙ୍କୁ ବନ୍ଦୀ କରାଯାଇଥିଲା । ବର୍ତ୍ତମାନ ଜେଲରେ ରାଜନୈତିକ ବନ୍ଦୀମାନଙ୍କୁ ମାଡ଼ ଦେବା ଏବଂ ସେମାନଙ୍କୁ ସାଧାରଣ ଅପରାଧୀମାନଙ୍କ ପରି ବ୍ୟବହାର କରିବା ପୂର୍ବାପେକ୍ଷା ଅଧିକଭାବେ ପ୍ରଚଳିତ ହୋଇଥିଲା । ୧୯୩୨ରେ ସରକାରୀ କର୍ମଚାରୀଙ୍କ ଅତ୍ୟାଚାର ବିରୁଦ୍ଧରେ ସନ୍ତ୍ରାସବାଦୀଙ୍କ ପ୍ରତିଶୋଧପ୍ରବଣତା ପୁଣି ଜାଗ୍ରତ ହେଲା । ଏତେବେଳେ ଗାନ୍ଧିଜୀ ଚାହିଁଥିଲେ ସାମୂହିକଭାବେ ନକରି ବ୍ୟକ୍ତିଗତଭାବେ କ୍ଷେତ୍ରବିଶେଷରେ ଆଇନ–ଅମାନ୍ୟ ଚାଲୁ । ତାଙ୍କର ଯୁକ୍ତି ଥିଲା, ଅହିଂସାବାଦୀ ଲୋକମାନଙ୍କ ପକ୍ଷରେ ଏକତ୍ରଭାବେ ଦଣ୍ଡାୟମାନ ହେବାର ସତ୍‍ସାହସ ରହିବା ଉଚିତ । କିନ୍ତୁ ଏହା ମୂଳରେ ତାଙ୍କର ଅସଲ ଉଦ୍ଦେଶ୍ୟ ଥିଲା, ସରକାରୀ ପ୍ରଚୋଦନାରେ ସାମୂହିକ ଆନ୍ଦୋଳନ ହିଂସାତ୍ମକ ହେବାର ସମ୍ଭାବନା ଅଧିକ ଏବଂ ଆନ୍ଦୋଳନର ଅସଫଳତାରେ ବ୍ୟାପକ ନିରୁତ୍ସାହିତା ଦେଖାଦେବା ସ୍ଵାଭାବିକ । ଯେତେବେଳେ ଏପ୍ରିଲ ୨୪ ତାରିଖରେ ଦିଲ୍ଲୀଠାରେ ମଦନମୋହନ ମାଲବୀୟଙ୍କ ଅସ୍ଥାୟୀ ଅଧ୍ୟକ୍ଷତାରେ କଂଗ୍ରେସର ବାର୍ଷିକ ଅଧିବେଶନ ବସିବାକୁ ସ୍ଥିର ହେଲା । ବିଶେଷ ଆଦେଶ ବଳରେ ସବୁ ଅଗ୍ରଗଣ୍ୟ ନେତାମାନଙ୍କୁ ବନ୍ଦୀ କରାଯାଇଥିଲା । ଯାହାହେଉ ଅନ୍ୟମାନେ ଅହମଦାବାଦର ଜୈନିକ ପ୍ରତିନିଧି ସେଠ ରଣଛୋଡ଼ ଦାସଙ୍କୁ କାର୍ଯ୍ୟନିର୍ବାହକ ସଭାପତିରୂପେ ଗ୍ରହଣ କରି ଦିଲ୍ଲୀରେ ଚାନ୍ଦିନୀଚୌକର ଘଣ୍ଟାଘରଠାରେ ସଭା କରିଥିଲେ । ସେମାନେ ମଧ୍ୟ ଗିରଫ୍ ହୋଇଥିଲେ; ମାତ୍ର ମେ ପହିଲାରେ ପୁଣି ମୁକ୍ତି ପାଇଥିଲେ ।

 

ସାମ୍ପ୍ରଦାୟିକ ରାୟ

 

ଗୋଟିଏ ନୂତନ ଆଭିମୁଖ୍ୟ ନେଇ ଗଣଆନ୍ଦୋଳନଠାରୁ ଅସଂପୃକ୍ତଭାବେ ଗାନ୍ଧିଜୀଙ୍କର ସେହି ପୁରୁଣା ନୀତିରେ ହରିଜନ ଓ ତଫସିଲଭୁକ୍ତ ଜାତି, ଉପଜାତିମାନଙ୍କ ସମର୍ଥନ ଲାଭପାଇଁ ପୁନଃ ପ୍ରଚେଷ୍ଟା କରାଯାଇଥିଲା । ସରକାରଙ୍କ ଭେଦ–ନୀତି, ଯାହାକି ୧୯୩୨ର ପ୍ରଥମ ପାଦରେ ରାମ୍‍ସେ ମାକଡ଼ୋନାଲଡ଼ଙ୍କଦ୍ଵାରା ଘୋଷିତ ସରକାରଙ୍କ ସାମ୍ପ୍ରଦାୟିକ ରାୟ ମଧ୍ୟରେ ପ୍ରକାଶ ପାଇଥିଲା, ତାହା ବିରୁଦ୍ଧରେ ଏହା ଥିଲା ଏକ ଜବାବ । ଏହି ରାୟରେ ନୂତନ ବିଧାନସଭା ପାଇଁ ଅସ୍ପୃଶ୍ୟ–ହିନ୍ଦୁ ଓ ମୁସଲମାନମାନଙ୍କ ପାଇଁ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀର ବ୍ୟବସ୍ଥା ଥିଲା । ଏହାଦ୍ଵାରା ହିନ୍ଦୁ ଓ ହରିଜନମାନଙ୍କୁ ଦୁଇଟି ସ୍ଵତନ୍ତ୍ର ରାଜନୈତିକ ସଂସ୍ଥାଭାବରେ ପ୍ରତିଷ୍ଠା କରାଯାଇଥିଲା । ଗାନ୍ଧିଜୀ ଏହି ନିଷ୍ପତ୍ତିକୁ ଏକ ଆହ୍ଵାନସ୍ୱରୂପ ଗ୍ରହଣ କଲେ । ତାଙ୍କୁ ଏମ୍. ସି. ରାଜାଙ୍କ ପରି ଅନେକ ହରିଜନ ସମର୍ଥନ କରିଥିଲେ । ସେମାନେ ସର୍ବସାଧାରଣ ନିର୍ବାଚନ ମଣ୍ଡଳୀରେ ହରିଜନଙ୍କ ପାଇଁ ସଂରକ୍ଷିତ ସ୍ଥାନ ଦାବି କଲେ । କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ଡା: ଆମ୍ବେଦକରଙ୍କ ନେତୃତ୍ଵରେ ପ୍ରତିବାଦ ଜଣାଇଲେ ଯେ ଅସ୍ପୃଶ୍ୟତା ଦୂରୀକରଣ ନହେବା ପର୍ଯ୍ୟନ୍ତ ସେମାନେ ହରିଜନ–ହିନ୍ଦୁରୂପେ ଅଭିହିତ ହେବାକୁ ରାଜି ନୁହନ୍ତି । ଉଇଲିଙ୍ଗଡ଼ନ ଏହି ସୁଯୋଗର ଉପଯୋଗ କରି ସାମ୍ପ୍ରଦାୟିକ ରାୟ ଅବଶ୍ୟ ଗ୍ରହଣୀୟ ବୋଲି ଚାପ ଦେଲେ । ଏହା ଫଳରେ ସେତେବେଳେ ପୁନା ନିକଟସ୍ଥ ୟାରବାଡ଼ା ଜେଲରେ ବନ୍ଦୀ ଥାଇ ଗାନ୍ଧିଜୀ ସେପ୍‍ଟେମ୍ବର ମାସରେ ଆମରଣ ଅନଶନ ଆରମ୍ଭ କରିଦେଲେ । ସେ ରାୟର ବିରୋଧ କରିଥିଲେ; ମାତ୍ର ରାୟରେ ପ୍ରଦତ୍ତ ସ୍ଥାନଠାରୁ ହିନ୍ଦୁ ନିର୍ବାଚନ ମଣ୍ଡଳୀ ମଧ୍ୟରେ ହରିଜନଙ୍କ ପାଇଁ ଅଧିକ ସ୍ଥାନ ସଂରକ୍ଷଣ କରିବାକୁ ଦାବି କରିଥିଲେ । ଆମ୍ବେଦକର ଗାନ୍ଧିଜୀଙ୍କ ଦାବି ଗ୍ରହଣ କଲେ । ସାମ୍ପ୍ରଦାୟିକ ରାୟର ଏକ ସଂଶୋଧନସ୍ୱରୂପ ପୁନା–ରାଜିନାମାକୁ ସ୍ଵୀକାର କରିଥିଲେ ।

 

ଏହାପରେ ନିଖିଳ ଭାରତ ଅସ୍ପୃଶ୍ୟତା ସମିତି ଓ ଅସ୍ପୃଶ୍ୟ ସେବକ ସମାଜ ଆଦି ସଂଗଠନ ମାଧ୍ୟମରେ କଂଗ୍ରେସର ପ୍ରଭାବ ବିସ୍ତାରିତ ହୋଇଥିଲା । ମଧ୍ୟପ୍ରଦେଶ, ଦକ୍ଷିଣ ବିହାର ଓ ଓଡ଼ିଶାର ମାଳ ଅଞ୍ଚଳରେ ବାସ କରୁଥିବା ଅନୁନ୍ନତ ତଫସିଲଭୁକ୍ତ ଉପଜାତି ମଧ୍ୟରେ କଂଗ୍ରେସ–ସମର୍ଥକ ଭୂତପୂର୍ବ ଇଂରେଜ ମିସନାରୀ ଭେରିୟର ଏଲଉଇନ ଏବଂ ସାମରାଓ ହିଭାଲେଙ୍କ ସହୃଦୟତାପୂର୍ଣ୍ଣ କାର୍ଯ୍ୟକଳାପ ଜରିଆରେ କଂଗ୍ରେସର ଜାତୀୟତାବାଦ ଓ ଗଣତନ୍ତ୍ରବାଦର ପ୍ରଚାର ହୋଇଥିଲା । ତତ୍‍ବଧି ସେମାନେ ଏ ବିଷୟରେ କିଛି ଜାଣି ନଥିଲେ । ଏହି ଆନ୍ଦୋଳନର ଆଉ ଏକ ଗୁତୁତ୍ଵପୂର୍ଣ୍ଣ ପଦକ୍ଷେପ ଥିଲା ହରିଜନଙ୍କ ପାଇଁ ମନ୍ଦିର ଦ୍ଵାର ଉନ୍ମୁକ୍ତ କରିବା ଆନ୍ଦୋଳନ । ୧୯୩୩ ଜାନୁଆରୀ ୮ ତାରିଖ ଥିଲା ‘ମନ୍ଦିର–ପ୍ରବେଶ–ଦିବସ’ । ସବୁ ଜାତି, ଧର୍ମ ଓ ଭାଷାଗୋଷ୍ଠୀର ଲୋକମାନଙ୍କ ଯାତ୍ରାସ୍ଥଳ ଭାରତର ବିଖ୍ୟାତ ତୀର୍ଥସ୍ଥାନଗୁଡ଼ିକରେ ନିମ୍ନବର୍ଗୀୟ ଜନସାଧାରଣଙ୍କ ସମ୍ମାନ ବୃଦ୍ଧି ଜାତୀୟତାବାଦର ଅଙ୍ଗସ୍ୱରୂପ ସ୍ଵୀକୃତ ହୋଇଥିଲା ।

 

ଏହି ସମୟରେ ତୃତୀୟ ଆଇନ–ଅମାନ୍ୟ ଆନ୍ଦୋଳନ କିମ୍ବା ଯଥାର୍ଥତଃ ବ୍ୟକ୍ତିଗତ ଆଇନ–ଅମାନ୍ୟ ଆନ୍ଦୋଳନ, ୧୯୩୦ କାଳୀନ ଆନ୍ଦୋଳନ ପରି ଜନତା ଉପରେ ପ୍ରଭାବ ବିସ୍ତାର କରିପାରି ନଥିଲା । କିନ୍ତୁ କୃଷକସମାଜ ଉପରେ କଂଗ୍ରେସର ପ୍ରଭାବ ଅତୁଟ ରହିଲା । ଖଜଣା–ବନ୍ଦ, କର–ବନ୍ଦ ଆନ୍ଦୋଳନ ଉତ୍ତର–ପ୍ରଦେଶ ଓ ଉତ୍ତର–ପଶ୍ଚିମ ସୀମାନ୍ତ ପ୍ରଦେଶରେ ଜାରି ରହିଲା ।

 

୧୯୩୨–୩୩ ସମ୍ଭବତଃ ଭାରତରେ ବ୍ରିଟିଶ ରାଜତ୍ଵରେ ଶେଷଥର ପାଇଁ ନୈଷ୍ଠିକ ସନ୍ତ୍ରାସବାଦର (ଯାହାକି ଅହିଂସା ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଆଇନଗତ ପ୍ରତିରୋଧଠାରୁ ସ୍ଵତନ୍ତ୍ର) ଶେଷ ଶିଖା ଜଳିଉଠିଥିଲା ଏବଂ ତା’ପରେ ବ୍ୟାପକ ଦମନ ଫଳରେ ଚିରତର ପାଇଁ ଲିଭିଯାଇଥିଲା । ବିଶେଷତଃ ବଙ୍ଗଳାରେ ଏହା ଉପଲବ୍ଧ ହୋଇଥିଲା । ସେ ସମୟରେ ବିଭିନ୍ନ ଧରଣର ସନ୍ତ୍ରାସମୂଳକ କାର୍ଯ୍ୟ ସାଧିତ ହୋଇଥିଲା ଏବଂ ଜଣେ ଦି’ଜଣ ଭାରତୀୟଙ୍କ ସହ କେତେକ ଅପ୍ରିୟ କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା । କଲିକତା ବିଶ୍ୱବିଦ୍ୟାଳୟର ଏକ ସମାବର୍ତ୍ତନ ଉତ୍ସବରେ ବଙ୍ଗଳାର ନୂଆ ଲାଟ ସାର ଷ୍ଟାନଲେ ଜାକସନ ପୌରୋହିତ୍ୟ କରୁଥିଲାବେଳେ ବୀଣା ଦାସ ନାମକ ଡାଇଓସେସାନ କଲେଜର ଜଣେ ମେଧାବୀ ଛାତ୍ରୀ ସର୍ବସାଧାରଣଙ୍କ ସମ୍ମୁଖରେ ତାଙ୍କୁ ଗୁଳି କରିଥିଲେ । ଗୁଳିଟି ତାଙ୍କ ପକେଟର ନୋଟ୍‍ବୁକ୍‍ରେ ବାଜିବାରୁ ତାଙ୍କର ପ୍ରାଣରକ୍ଷା ସମ୍ଭବ ହୋଇଥିଲା । ବୀଣାଦାସଙ୍କୁ ଯାବଜ୍ଜୀବନ କାରାଦଣ୍ଡ ଦିଆଯାଇଥିଲା ଏବଂ ଦେଶ ସ୍ଵାଧୀନ ହେଲା ପର୍ଯ୍ୟନ୍ତ ସେ ମୁକ୍ତି ପାଇ ନଥିଲେ ।

 

୧୯୩୨ ଜୁନ୍ ମାସରେ ଚିଟାଗଞ୍ଜ ନିକଟବର୍ତ୍ତୀ ଗୋଟିଏ ଗାଁରେ ଯେଉଁ ଘରେ ସୂର୍ଯ୍ୟସେନ ଏବଂ ଆଉ ଚାରିଜଣ ଗରିଲା ଛପିରହିଥିଲେ, ପୋଲିସ୍ ତାକୁ ଘେରାଉ କରିଥିଲେ । ସେମାନେ ଆତ୍ମରକ୍ଷା ପାଇଁ ସିଡ଼ି ଉପରୁ ଅବିରାମ ଗୁଳିବର୍ଷଣ କଲେ । ପୋଲିସ୍ ଦଳର ନେତା କ୍ୟାପ୍‍ଟେନ୍ କାମେରନ ନିହତ ହେଲେ ଏବଂ ଦଙ୍ଗାହଙ୍ଗାମା ମଧ୍ୟରେ ସୂର୍ଯ୍ୟସେନ ତାଙ୍କର ଦୁଇଜଣ ନାରୀ ସହକର୍ମୀ–ପ୍ରୀତିଲତା ୱ୍ୟାଡ଼େଦାର ଓ କଳ୍ପନା ଦତ୍ତଙ୍କ ସହିତ ଖସିଯାଇଥିଲେ । ଶେଷରେ ୧୯୩୩ର ପ୍ରାରମ୍ଭ କାଳରେ ଜଣେ ଗ୍ରାମବାସୀର ବିଶ୍ଵାସଘାତକତା ହେତୁ ଗୋଟିଏ ବିରାଟ ଗୁର୍ଖାବାହିନୀ ହାତରେ ଗଇରାଲ ଗ୍ରାମରେ ସୂର୍ଯ୍ୟସେନ ଧରାପଡ଼ିଲେ । ତାଙ୍କର ସାମରିକ ବନ୍ଦୀକର୍ତ୍ତାଙ୍କଠାରୁ ସେ ସମ୍ମାନଜନକ ବ୍ୟବହାର ପାଇଥିଲେ; ମାତ୍ର ଶେଷରେ ଢାକାରେ ତାଙ୍କୁ ଫାଶୀ ଦିଆଗଲା । ଏପରିକି ଆଜି ମଧ୍ୟ ଜଣେ ଜାତୀୟ ଯୋଦ୍ଧାରୂପେ ତାଙ୍କର ସ୍ମୃତି ବାଂଲାଦେଶର ଜନସାଧାରଣ ଓ ନେତୃବର୍ଗଙ୍କ ନିକଟରେ ଶ୍ରଦ୍ଧାଭାଜନ ହୋଇଥାଏ । ଏହି ବିପ୍ଳବ ବିଧ୍ଵସ୍ତ ହେବାର ମୂଳକାରଣ ହେଲା, ଏଥିସହିତ ମୁଖ୍ୟତଃ ସଂପୃକ୍ତ ଥିବା ସହରିଆ ସ୍କୁଲ୍ କଲେଜର ଛାତ୍ରବୃନ୍ଦ ସେମାନଙ୍କ ନାଗରିକ ଜୀବନଧାରାରୁ ବିଚ୍ଛିନ୍ନ ହୋଇ ପଡ଼ିଥିଲେ; ମାତ୍ର ଅନ୍ୟ ପକ୍ଷରେ କୃଷକମାନଙ୍କର ମଙ୍ଗଳଜନକ କୌଣସି କ୍ରାନ୍ତିକାରୀ କୃଷି–ବିଷୟକ କାର୍ଯ୍ୟକ୍ରମ ହୃଦୟଙ୍ଗମ କରିବାକୁ ଅସମର୍ଥ ହୋଇଥିଲେ; ଯେମିତିକି ଉତ୍ତର–ପ୍ରଦେଶ ଓ ଅନ୍ୟାନ୍ୟ କେତେକ ସ୍ଥାନରେ ଚାଲିଥିଲା ।

 

୧୯୩୩ରେ ସ୍ଵାଧୀନତା ଦିବସ ଅପୂର୍ବ ଉତ୍ସାହରେ ପାଳିତ ହୋଇଥିଲା । ବଙ୍ଗଳାର ହୁଗୁଳି ଜିଲାରେ ବଡ଼ାନଗଞ୍ଜଠାରେ ପୋଲିସ୍ ପକ୍ଷରୁ ଗୁଳିଚାଳନା ଫଳରେ ଗୋଟିଏ କଂଗ୍ରେସ ଶୋଭାଯାତ୍ରା ଛିନ୍‍ଛିତ୍ର ହୋଇଯାଇଥିଲା । ଫେବୃଆରୀ ମାସରେ ଗୁଜୁରାଟର ବରସାଦଠାରେ ଆଉ ଏକ କଂଗ୍ରେସ ଶୋଭାଯାତ୍ରାର ନେତୃତ୍ଵ ଗ୍ରହଣ କରିଥିଲାବେଳେ କସ୍ତୁରବା ଗାନ୍ଧୀଙ୍କୁ ଗିରଫ୍ କରାଯାଇ ଛଅ ମାସ ଜେଲଦଣ୍ଡ ଦିଆଯାଇଥିଲା । ୧୯୩୩ ମାର୍ଚ୍ଚ ମାସରେ ମଦନମୋହନ ମାଲବୀୟଙ୍କ (ସେ ମଧ୍ୟ ହିନ୍ଦୁ ମହାସଭାରେ ଥିଲେ) ଅଧ୍ୟକ୍ଷତାରେ କଲିକତାରେ କଂଗ୍ରେସ ଅଧିବେଶନ ବସିବାକୁ ସ୍ଥିର ହୋଇଥିଲା; କିନ୍ତୁ ଯୋଗଦେବା ପୂର୍ବରୁ ତାଙ୍କୁ ଏବଂ ହଜାରେ ପ୍ରତିନିଧିଙ୍କୁ ବନ୍ଦୀ କରାଯାଇଥିଲା । ପୋଲିସ୍ ସଭା ଭାଙ୍ଗିଦେବାକୁ ଚେଷ୍ଟା ଚଳାଇଥିଲାବେଳେ ଭିଡ଼ ମଝିରେ ପ୍ରତିନିଧି ଦଳ କାର୍ଯ୍ୟ–ନିର୍ବାହକ ସଭାପତି ଜେ. ଏମ୍. ସେନଗୁପ୍ତଙ୍କ ଅଧ୍ୟକ୍ଷତାରେ ଅଧିବେଶନ କାର୍ଯ୍ୟ ସମାପ୍ତ କରିଥିଲେ ଏବଂ ପୁନରାୟ ସିଦ୍ଧାନ୍ତ ଗ୍ରହଣ କରିଥିଲେ ଯେ ପୂର୍ଣ୍ଣସ୍ଵରାଜ ହେଉଛି ଚରମ ଲକ୍ଷ୍ୟ ଏବଂ ତାହା ହାସଲ କରିବାର ଉପାୟ ଆଇନ–ଅମାନ୍ୟ ଓ ବିଦେଶୀ ବସ୍ତୁ ତଥା ବିଲାତି ମାଲପତ୍ର ବର୍ଜନ ।

 

ଏହି ସମୟରେ କେତେ ହଜାର ସ୍ତ୍ରୀଲୋକ ଏବଂ ବହୁସଂଖ୍ୟକ ପିଲାଙ୍କ ସମେତ ପ୍ରାୟ ୧୨୦୦୦ ଜଣ ଗିରଫ୍ ହୋଇ ଜେଲରେ ଭର୍ତ୍ତି ହୋଇଥିଲେ । ଏହା ପ୍ରମାଣ କରିଥିଲା, ଆଇନ–ଅମାନ୍ୟ ଆନ୍ଦୋଳନ ଚାଲୁରଖିବା ସପକ୍ଷରେ ଜନମତ ଭାଙ୍ଗି ପଡ଼ି ନଥିଲା । କିନ୍ତୁ ଗାନ୍ଧିଜୀ କେବଳ ହରିଜନ ସମସ୍ୟାରେ ଏକନିଷ୍ଠଭାବେ ଲାଗିରହିଲେ । ୧୯୩୩ ମେ ମାସରେ ତାଙ୍କର ତଥା ତାଙ୍କ ସହଚରମାନଙ୍କର ମାନସିକ ଶୁଦ୍ଧିପାଇଁ ତଥା ହରିଜନ ସେବାରେ ଐକାନ୍ତିକ ଆତ୍ମ–ନିଯୋଗ ପାଇଁ ସେ ୨୧ ଦିନ ଅନଶନ କରିବାକୁ ଘୋଷଣା କଲେ । ସରକାର ତାଙ୍କୁ ତତ୍‍କ୍ଷଣାତ୍ କାରାମୁକ୍ତ କରି ଦେଲେ । ତା’ପରେ ସେ ଏକ ବିବୃତି ଦେଇ ସାମୟିକଭାବେ ଆଇନ–ଅମାନ୍ୟ ସ୍ଥଗିତ ରଖିବାପାଇଁ କଂଗ୍ରେସକୁ ଅନୁମୋଦନ କଲେ । ବର୍ଷକ ପରେ ୧୯୩୪ ଏପ୍ରିଲରେ ଏହି ଆନ୍ଦୋଳନର ଶେଷ ସମାପ୍ତି ଘଟିଥିଲା ।

 

ଇତ୍ୟବସରରେ ବ୍ରିଟିଶ ସରକାର ୧୯୩୨ ନଭେମ୍ବରରେ ଲଣ୍ଡନଠାରେ ତୃତୀୟ ଗୋଲଟେବୁଲ ବୈଠକ ବସାଇବା ପାଇଁ ଆହ୍ଵାନ କଲେ । ସରକାରଙ୍କ ଦୃଢ଼ତା ହେତୁ ଏଥିରେ କିଛି ସୁଫଳ ମିଳିବ ନାହିଁ ବୋଲି ଯୁକ୍ତି ଦର୍ଶାଇ କଂଗ୍ରେସ ଏଥିପାଇଁ ନିମନ୍ତ୍ରଣ ଗ୍ରହଣ କରି ନଥିଲା କିମ୍ବା ପ୍ରତିନିଧିତ୍ଵ କରି ନଥିଲା । ଯାହାହେଉ ଏହି ବୈଠକର ଆଲୋଚନାକ୍ରମେ ସ୍ଥିର ହୋଇଥିଲା ଯେ କେତେକ ନୂତନ ସଂସ୍କାର ସହିତ ୧୯୩୫ ଇଣ୍ଡିଆ ଆକ୍ଟ ପ୍ରବର୍ତ୍ତନ ହେବ । ଏହି ନୂଆ ଆଇନରେ ପ୍ରସ୍ତାବ ହୋଇଥିଲା କେନ୍ଦ୍ରରେ ଏକ ସଙ୍ଘୀୟ ସରକାର ରହିବ ଏବଂ ପ୍ରାଦେଶିକ ସରକାରଗୁଡ଼ିକୁ ଅଧିକ ସ୍ଵତନ୍ତ୍ରତା ଦିଆଯିବ । ପ୍ରଥମ ଥରପାଇଁ ପ୍ରତ୍ୟକ୍ଷଭାବେ ଦେଶୀୟ ରାଜ୍ୟଗୁଡ଼ିକୁ ସଂପୃକ୍ତ କରାଯାଇଥିଲା; କାରଣ ସଙ୍ଘୀୟ କେନ୍ଦ୍ରୀୟ ସରକାରରେ ବ୍ରିଟିଶଶାସିତ ପ୍ରଦେଶଗୁଡ଼ିକ ସହିତ ଦେଶୀୟ ରାଜ୍ୟଗୁଡ଼ିକୁ ମଧ୍ୟ ଅଂଶୀଦାର କରାଯାଇଥିଲା । ଏହା ଫଳରେ ନୀତିଗତଭାବେ ସ୍ଵୀକୃତ ହୋଇଯାଇଥିଲା ଯେ ଭାରତ ଗୋଟିଏ ଦେଶ ଏବଂ ଭାରତୀୟମାନେ ଗୋଟିଏ ଜାତି । କିନ୍ତୁ ଇଂରେଜମାନଙ୍କର ଅସଲ ଉଦ୍ଦେଶ୍ୟ ଥିଲା ଜାତୀୟତାବାଦୀ ନେତାମାନଙ୍କର ସାମ୍ରାଜ୍ୟ–ବିରୋଧୀ ନୀତି ଓ କାର୍ଯ୍ୟକ୍ରମ ବିରୁଦ୍ଧରେ ଦେଶୀୟ ରାଜଶକ୍ତିର ପ୍ରତିରୋଧାତ୍ମକ ବିନିଯୋଗ । ତେଣୁ କେନ୍ଦ୍ରର ଦ୍ଵିକକ୍ଷବିଶିଷ୍ଟ ସହଯୋଗୀ ବିଧାନ–ପରିଷଦରେ ନିରନୁପାତିକଭାବେ ଦେଶୀୟ ରାଜ୍ୟଗୁଡ଼ିକୁ ଗୁରୁତ୍ଵ ଦିଆଯାଇଥିଲା । କେବଳ ସେତିକି ନୁହେଁ, ବ୍ୟବସ୍ଥା ହୋଇଥିଲା ଯେ ଦେଶୀୟ ରାଜ୍ୟର ପ୍ରତିନିଧିମାନେ ନିର୍ବାଚନ ମାଧ୍ୟମରେ ମନୋନୀତ ନହୋଇ ରାଜାମାନଙ୍କଦ୍ଵାରା ନିଯୁକ୍ତ ହେବେ । ସାରା ଦେଶରେ ମଧ୍ୟ ଗଣ–ନିର୍ବାଚନ ନାନାଭାବେ ସଙ୍କୁଚିତ କରାଯାଇଥିଲା । ଇଂରେଜଶାସିତ ଭାରତରେ ଶତକଡ଼ା ୧୪ ଭାଗରୁ ବେଶି ଲୋକ ଭୋଟାଧିକାର ପାଇ ନଥିଲେ । ପୁଣି ଏତେ ସତର୍କତା ମଧ୍ୟରେ ଗଠିତ ବିଧାନସଭାକୁ ପୂର୍ଣ୍ଣ କ୍ଷମତା ଦିଆଯାଇ ନଥିଲା । ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାରରେ ଏହାର କୌଣସି କର୍ତ୍ତୃତ୍ଵ ନଥିଲା; ଏହାର ପରିସରଭୁକ୍ତ ଅନ୍ୟାନ୍ୟ ବ୍ୟାପାରରେ ମଧ୍ୟ ବଡ଼ଲାଟଙ୍କ ହାତରେ ବିଶେଷ ନିୟନ୍ତ୍ରଣ ଶକ୍ତି ନିହିତ ହୋଇଥିଲା । ବଡ଼ଲାଟ ଓ ଲାଟମାନେ ପୂର୍ବବତ୍ ବ୍ରିଟିଶ ସରକାରଙ୍କଦ୍ଵାରା ନିଯୁକ୍ତ ହେବାର ଏବଂ ପ୍ରତ୍ୟକ୍ଷଭାବେ ତାଙ୍କ ଅଧୀନରେ ରହିବାର ପଦ୍ଧତି ପ୍ରଚଳିତ ରହିଥିଲା ।

 

ପ୍ରାଦେଶିକ ସରକାରଙ୍କୁ ଯେତିକି ସ୍ଵତନ୍ତ୍ରତା ଦିଆଗଲା, ଲାଟମାନଙ୍କ ହାତରେ ବିଶେଷ କ୍ଷମତା ରହିବାକୁ ତାହା କାର୍ଯ୍ୟକାରୀ ହେଲା ନାହିଁ । ସେମାନେ କେବଳ ନିର୍ବାଚିତ ପ୍ରତିନିଧିମାନଙ୍କଦ୍ଵାରା ପ୍ରସ୍ତାବିତ ବୈଧାନିକ କାର୍ଯ୍ୟକୁ ବିଶେଷ କ୍ଷମତା ବଳରେ ବାତିଲ କଲେ ନାହିଁ, ସେମାନେ ମଧ୍ୟ ସ୍ୱଇଚ୍ଛାରେ ନୂତନ ଆଇନ ବା ବିଶେଷ ଆଦେଶମାନ ଜାରିକଲେ । ପ୍ରଶାସନିକ କର୍ମଚାରୀ ଓ ପୋଲିସ୍ ଉପରେ ମଧ୍ୟ ଲାଟଙ୍କର ଏକଛତ୍ର କର୍ତ୍ତୃତ୍ଵ ରହିଥିଲା ।

 

‘୧୯୩୫, ଭାରତ ଆଇନ’ ଖୁବ୍ କମ୍ ଲୋକଙ୍କୁ ସନ୍ତୁଷ୍ଟ କରିଥିଲା । କଂଗ୍ରେସ ପକ୍ଷରେ ଏହା ଥିଲା ସମ୍ପୂର୍ଣ୍ଣ ନୈରାଶ୍ୟଜନକ । ଅନ୍ୟମାନେ ଏଥିରେ ନାନାରକମର ଅପୂର୍ଣ୍ଣତା ଲକ୍ଷ୍ୟ କରିଥିଲେ । ଏହାଦ୍ୱାରା ବ୍ରିଟିଶ ସରକାର ଭାରତୀୟ ଜନତା ଉପରେ ବିସ୍ତାର କରିଥିବା ରାଜନୈତିକ ଓ ଅର୍ଥନୈତିକ କ୍ଷମତା ହସ୍ତାନ୍ତର କରି ନଥିଲେ; କେବଳ କେତେକ ଅଂଶରେ ସରକାରର ଗଠନ କଳା ପରିବର୍ତ୍ତିତ କରିଥିଲେ । ବ୍ରିଟିଶମାନଙ୍କ ଭାରତ ଶାସନ ପ୍ରକ୍ରିୟା ଭିତରକୁ ଲୋକ–ନିର୍ବାଚିତ ମନ୍ତ୍ରୀମାନଙ୍କୁ ଅନୁପ୍ରବିଷ୍ଟ କରାଗଲା; କିନ୍ତୁ ଉପରେ ରହିଲା ସେହି ବିଦେଶୀ ଶାସନ ।

 

ସ୍ଥିର ହେଲା, ଆଇନର ପ୍ରାଦେଶିକ ଅଂଶ ପ୍ରଥମେ କାର୍ଯ୍ୟକାରୀ ହେବ; କେନ୍ଦ୍ର ସଂକ୍ରାନ୍ତୀୟ ଅଂଶ ପରେ ହେବ । କଂଗ୍ରେସ ଏହି ଆଇନକୁ ସମ୍ପୂର୍ଣ୍ଣ ବିରୋଧ କରୁଥିଲେହେଁ, ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ ସହାୟତା ପ୍ରକାଶପାଇଁ ନୁହେଁ, ମାତ୍ର ଦେଶରେ ଲୋକେ ତାଙ୍କ କେତେ ସମର୍ଥନ କରନ୍ତି ତାହା ବ୍ରିଟିଶ ସରକାରଙ୍କୁ ଦର୍ଶାଇଦେବାକୁ, ନିର୍ବାଚନ ଲଢ଼ିବାକୁ ସ୍ଥିରକଲା । ସେମାନଙ୍କ ଉଦ୍ଦେଶ୍ୟ ପୂର୍ଣ୍ଣମାତ୍ରାରେ ସଫଳ ହେଲା । ଅଧିକାଂଶ ପ୍ରଦେଶରେ କଂଗ୍ରେସ ବିପୁଳ ବିଜୟ ଲାଭ କଲା । ଭାରତର ବେଶି ଭାଗ ଲୋକ ତାଙ୍କୁ ସମର୍ଥନ କରନ୍ତି ବୋଲି ନିଃସନ୍ଦେହଭାବେ ପ୍ରମାଣିତ ହେଲା । ଅନେକେ କହିଥିଲେ, ନିର୍ବାଚନରେ ଯେତେବେଳେ ବିଜୟ ହାସଲ ହେଲା, ଶାସନ କାର୍ଯ୍ୟ ଗ୍ରହଣ କରିବାରେ କିଛି ବାଧା ନାହିଁ । କିନ୍ତୁ ନେହେରୁ ଓ ଅନ୍ୟାନ୍ୟ ବାମପନ୍ଥୀ ଗୋଷ୍ଠୀ ଏହା ବିରୋଧ କଲେ । ସେମାନେ କହିଥିଲେ, ଏହାଦ୍ଵାରା ସ୍ଵାଧୀନତା ସଂଗ୍ରାମ ବ୍ୟାହତ ହେବ; କିନ୍ତୁ ଶାସନଭାର ଗ୍ରହଣ କରିବା ସପକ୍ଷରେ ସଂଖ୍ୟାଗରିଷ୍ଠ ମତ ମିଳିଲା । ୧୯୩୭ ଜୁଲାଇରେ ଏଗାରଟି ପ୍ରଦେଶ ମଧ୍ୟରୁ ସାତଟିରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଦାୟିତ୍ଵ ଗ୍ରହଣ କଲା । କିଛିଦିନ ପରେ ଆଉ ଦୁଇଟି ପ୍ରଦେଶରେ କଂଗ୍ରେସଦଳ ମିଳିତ ମନ୍ତ୍ରିମଣ୍ଡଳ ଗଠନ କଲେ । କେବଳ ବଙ୍ଗଳା ଓ ପଞ୍ଜାବରେ ଅଣକଂଗ୍ରେସ ମନ୍ତ୍ରିମଣ୍ଡଳ ସମ୍ଭବ ହୋଇଥିଲା ।

 

ପ୍ରାଦେଶିକ ସରକାରଙ୍କ ହାତରେ ତ ସୀମିତ କ୍ଷମତା ଥିଲା । ଏଣେ କଂଗ୍ରେସର ସାମାଜିକ ଭିତ୍ତି ଶ୍ରମିକ, କୃଷକ, ପୁଞ୍ଜିପତି, ଜମିଦାର ସମସ୍ତଙ୍କୁ ନେଇ ଗଠିତ ହୋଇଥିବାରୁ ଏବଂ କଂଗ୍ରେସ ନେତୃତ୍ଵରେ ଗୋଟିଏ ପରାକ୍ରାନ୍ତ ରକ୍ଷଣଶୀଳ ଗୋଷ୍ଠୀ ରହିଥିବାରୁ, କଂଗ୍ରେସ ମନ୍ତ୍ରିମଣ୍ଡଳ ପ୍ରଶାସନର ମୌଳିକ ରୂପ ପରିବର୍ତ୍ତନ କରିବାକୁ ଉଦ୍ୟମ କରି ନଥିଲେ । ସେମାନେ କୌଣସି ପ୍ରକାର ବିପ୍ଳବାତ୍ମକ ପରିବର୍ତ୍ତନ ଆଣି ନଥିଲେ ସତ; ମାତ୍ର ଅନୁମୋଦିତ ସଂକୀର୍ଣ୍ଣ ସୀମା ମଧ୍ୟରେ ରହି ସୁଦ୍ଧା କେତେକ ପରିମାଣରେ ଲୋକଙ୍କ ଭାଗ୍ୟର ଉନ୍ନତି କରିବାକୁ ଉଦ୍ୟମ କରିଥିଲେ । ସେମାନେ ପ୍ରଶାସନ କ୍ଷେତ୍ରରେ ଏକ ନୂତନ ଦୃଷ୍ଟିଭଙ୍ଗୀ ପ୍ରୟୋଗ କରିଥିଲେ ଏବଂ ସାଧୁତା ଓ ସେବାପରାୟଣତା ବିଷୟରେ ପ୍ରଶଂସନୀୟ ଆଦର୍ଶ ଉପସ୍ଥାପନ କରିଥିଲେ । ସାଧାରଣ ସ୍ୱାସ୍ଥ୍ୟ ଏବଂ ମୌଳିକ, ବୈଷୟିକ ଓ ଉଚ୍ଚଶିକ୍ଷା ପ୍ରତି ଅଧିକ ଧ୍ୟାନ ଦେଇ ତାହାର ଉନ୍ନତିବିଧାନ ପାଇଁ ଚେଷ୍ଟା ଚଳାଇଥିଲେ । ନୂତନ ରୟତି ଓ ଋଣ ତିଆରି ଆଇନ ପ୍ରବର୍ତ୍ତନ ଫଳରେ କୃଷକମାନେ ଉପକୃତ ହୋଇଥିଲେ, ଯଦିଓ ଏସବୁ ଆଇନ ଜମିଦାର ଓ ଭୂମ୍ୟାଧିକାରୀମାନଙ୍କ ପୂର୍ବସମ୍ମତିକ୍ରମେ ସ୍ୱୀକୃତି ଲାଭ କରିଥିଲା । ଶ୍ରମିକ–ସଂଘଗୁଡ଼ିକ ନିର୍ବୋଧଭାବେ ଚାକିରି ଅବସ୍ଥାର ଉନ୍ନୟନ ଓ ଦରମାବୃଦ୍ଧି ପାଇଁ ଆଲୋଚନା କରିପାରିଥିଲେ; ଯଦିଓ କେତେକ ପ୍ରଦେଶରେ ସେମାନଙ୍କୁ ଏଥିପାଇଁ ତିକ୍ତ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥିଲା । ନାଗରିକ ସ୍ଵାଧୀନତା ଉପରୁ ନିୟନ୍ତ୍ରଣ କୋହଳ କରାଯାଇଥିଲା ଏବଂ ସମ୍ବାଦପତ୍ରର ସ୍ଵାଧୀନତା ପରିବର୍ଦ୍ଧିତ ହୋଇଥିଲା । ଅବଶ୍ୟ ପୋଲିସ୍ ଓ ପ୍ରଶାସନିକ କର୍ମଚାରୀଙ୍କ ପ୍ରତି ଭୟ ଏବଂ ଘୃଣା ପୂର୍ବବତ୍ ପ୍ରଚଳିତ ଥିଲା ।

 

କିନ୍ତୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଲାଭ ଥିଲା ମନସ୍ତାତ୍ତ୍ଵିକ । ଲୋକମାନେ ଗୋଟେ ଭିନ୍ନତା ଉପଲବ୍ଧି କଲେ । କାରାରୁଦ୍ଧ ପରିଚିତ ମୁହଁଗୁଡ଼ିକୁ ଶାସକ ଆସନରେ ଦେଖି ଏକପ୍ରକାର ବିଜୟର ଆସ୍ଵାଦନ ମିଳିଥିଲା । ବାୟୁମଣ୍ଡଳରେ ଆଶାବାଦିତା ଓ ଆତ୍ମ–ପ୍ରତ୍ୟୟ ପରିଲକ୍ଷିତ ହୋଇଥିଲା । ଲୋକମାନେ ଭାବିଥିଲେ ଏହାହିଁ ବୋଧହୁଏ ସ୍ଵାଧୀନତାର ପ୍ରଥମ ସନ୍ଦେଶ ।

Image

 

Unknown

ସ୍ଵାଧୀନତାର ଉପଲବ୍ଧି

 

ଭାରତରେ ଦ୍ଵିତୀୟ ବିଶ୍ଵ–ଯୁଦ୍ଧର ପୂର୍ବବର୍ତ୍ତୀ ପାଞ୍ଚବର୍ଷରେ ବହୁ ନୂତନ ଚିନ୍ତାଧାରାର ଅଭ୍ୟୁଦୟ ହୋଇଥିଲା । ଜାତୀୟତାବୋଧ ଓ ସାମ୍ରାଜ୍ୟବାଦ–ବିରୋଧୀ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଵାଧୀନତା ଲାଭ ଚରମ ଲକ୍ଷ୍ୟରୂପେ ଗ୍ରହଣ କରିଥିଲେହେଁ କଂଗ୍ରେସର କାର୍ଯ୍ୟକ୍ରମ ଓ ବିଧି–ବିଧାନ ସବୁ ଲୋକଙ୍କର ସମର୍ଥନ ଲାଭ କରି ନଥିଲା । ତଥାପି କୌଣସି ସୁନିର୍ଦ୍ଦିଷ୍ଟ ବିରୋଧୀ ଚିନ୍ତାଧାରା ପ୍ରତିଷ୍ଠିତ ହୋଇ ନଥିଲା । କେବଳ ଅଣ–କଂଗ୍ରେସ ନେତାମାନେ ବା ଦଳସମୂହ ଭିନ୍ନ ଭିନ୍ନ ଆଦର୍ଶ ଓ କାର୍ଯ୍ୟବିଧି ପ୍ରତି ଉନ୍ମୁଖ ନଥିଲେ; ଏପରିକି କଂଗ୍ରେସ ଦଳ ଭିତରେ ମଧ୍ୟ ସମାନ୍ତରାଳଭାବେ ଦୁଇଟି ରାଜନୈତିକ ଚିନ୍ତାଧାରା ବିକଶିତ ହୋଇ ପରିପୃଷ୍ଟି ଲାଭ କରିଥିଲା ।

 

ଏହି ନୂତନ ଚିନ୍ତାଧାରାର ପ୍ରଥମ ଫଳଶ୍ରୁତି ଥିଲା ଗୋଟିଏ ଦୃଷ୍ଟିରୁ ସ୍ଵଭାବତଃ ନେତିବାଚକ । ବିପ୍ଳବର ଅନ୍ୟତମ ପଥସ୍ୱରୂପ ସନ୍ତ୍ରାସବାଦର ବିଫଳତା ସମସ୍ତେ ଉପଲବ୍ଧି କରିଥିଲେ । ବ୍ରିଟିଶମାନଙ୍କୁ ବିତାଡ଼ନ କରିବାପାଇଁ ଜନସାଧାରଣଙ୍କ ମଧ୍ୟରେ ଏକ ଦେଶାତ୍ମବୋଧକ ବିପ୍ଳବ–ଚେତନା ଜାଗ୍ରତ କରିବାକୁ ଏହା ଅସମର୍ଥ ହୋଇଥିଲା । ପ୍ରାଣଦଣ୍ଡ ବା କାରାଦଣ୍ଡଦ୍ଵାରା ସନ୍ତ୍ରାସବାଦୀମାନେ ନିଶ୍ଚିହ୍ନ ହୋଇଯିବା ଫଳରେ, କିମ୍ବା ସେମାନେ କମ୍ୟୁନିଷ୍ଟ ତଥା ଅନ୍ୟାନ୍ୟ ଆନ୍ଦୋଳନରେ ସାମିଲ ହୋଇଯିବା ଫଳରେ ବିପ୍ଳବାତ୍ମକ ସନ୍ତ୍ରାସବାଦରେ ଭଟ୍ଟା ପଡ଼ିଯାଇଥିଲା ।

 

ଅନ୍ୟପକ୍ଷରେ ଏଥିରୁ ତିନୋଟି ନିଶ୍ଚିତ ଫଳ ଉପଲବ୍ଧ ହୋଇଥିଲା । ପ୍ରଥମତଃ, କଂଗ୍ରେସ ଭିତରେ ତଥା ବାହାରେ ସାମ୍ୟବାଦୀ ଭାବଧାରାର ପ୍ରସାର ଘଟିଥିଲା । ଦ୍ଵିତୀୟତଃ, କେତେ ସମୟରେ ସଂପୃକ୍ତ ରହିଥିଲେହେଁ, ସ୍ଥୂଳତଃ ଜାତୀୟ–ଆନ୍ଦୋଳନଠାରୁ ନିରପେକ୍ଷଭାବେ ଶ୍ରମିକ ଆନ୍ଦୋଳନର ବିକାଶ ଘଟିଥିଲା । ଶେଷରେ କୃଷକ ଆନ୍ଦୋଳନର ମଧ୍ୟ ଅଭିବୃଦ୍ଧି ଘଟିଥିଲା-

 

୧୯୨୯ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଦାରୁଣ ଅର୍ଥନୈତିକ ଅବନତି ଦେଖାଯାଇଥିଲା । ଏହି ଅବନତି ଅନିବାର୍ଯ୍ୟଭାବେ ଅନ୍ୟାନ୍ୟ ପୁଞ୍ଜିବାଦୀ ରାଷ୍ଟ୍ରଗୁଡ଼ିକ ଉପରେ ପ୍ରଭାବ ପକାଇଥିଲା । ଉତ୍ପାଦନ ତିର୍ଯ୍ୟକଭାବେ ହ୍ରାସ ପାଇଲା ଏବଂ ବୈଦେଶିକ ବାଣିଜ୍ୟ ଆଶଙ୍କାଜନକଭାବେ ମାନ୍ଦେଇଗଲା । ପରିମାଣତଃ ସର୍ବତ୍ର ଦେଖାଗଲା ଦାରୁଣ ଅର୍ଥନୈତିକ ଦୁର୍ଗତି ଏବଂ ବ୍ୟାପକ ବେକାର ସମସ୍ୟା । କିନ୍ତୁ ଏହା ସହିତ ତୁଳନାତ୍ମକଭାବେ ସୋଭିଏଟ ରୁଷିଆର ଅବସ୍ଥା ଥିଲା ଲୋଭନୀୟ । ସେଠି ନା ଥିଲା ମାନ୍ଦା, ନା ଥିଲା ବେକାରି । ଦୁଇଟି ପଞ୍ଚ ବାର୍ଷିକ ଯୋଜନାର ଶେଷରେ ସେଠାରେ ଉତ୍ପାଦନ ଚାରିଗୁଣ ବୃଦ୍ଧି ପାଇଥିଲା । ଏହି ତାରତମ୍ୟ ଖୁବ୍ ସୁସ୍ପଷ୍ଟ ହୋଇଥିବାରୁ କମ୍ୟୁନିଷ୍ଟ ଢାଞ୍ଚାର ସାମ୍ୟବାଦ ଏବଂ ଅର୍ଥନୈତିକ ଯୋଜନାର ଉପକାରିତା ପ୍ରତି ସମସ୍ତଙ୍କ ଦୃଷ୍ଟି ଆକୃଷ୍ଟ ହୋଇଥିଲା ।

 

ବହିର୍ବିଶ୍ଵର ଏହିସବୁ ଘଟଣା ପ୍ରତି ମଧ୍ୟ ଭାରତରେ ବ୍ୟାପକ ମନୋଯୋଗ ପ୍ରଦର୍ଶିତ ହୋଇଥିଲା । ଏହା ଫଳରେ ଉଭୟ ନେତୃମଣ୍ଡଳୀ ଓ ଜନସାଧାରଣଙ୍କ ମଧ୍ୟରେ ସାମ୍ୟବାଦୀ ଆଦର୍ଶରେ ବହୁ ନୂତନ ଚିନ୍ତାଧାରା ପ୍ରକାଶ ପାଇଥିଲା । ବିଶେଷତଃ ଯୁବସମାଜ, ଶ୍ରମିକ ଓ କୃଷକ ସମ୍ପ୍ରଦାୟ ଏହି ନୂତନ ଆଦର୍ଶବାଦ ପ୍ରତି ଆକୃଷ୍ଟ ହୋଇଥିଲେ ।

 

କଂଗ୍ରେସ ମଧ୍ୟରେ ଏହି ବାମ–ପନ୍ଥୀ ଭାବଧାରା ପ୍ରଭାବବଶତଃ ୧୯୩୬ରେ ଦୁଇଟି ପର ପର କଂଗ୍ରେସ ଅଧିବେଶନରେ ଜବାହରଲାଲ ନେହେରୁ ସଭାପତିରୂପେ ନିର୍ବାଚିତ ହୋଇଥିଲେ । ନେହେରୁଙ୍କ ପରେ ଆସିଥିଲେ ସୁଭାଷ ଚନ୍ଦ୍ର ବୋଷ । ସିଏବି ତାଙ୍କର ବିପ୍ଳବାତ୍ମକ ନୂତନ ଚିନ୍ତାଧାରା ପାଇଁ ବିଖ୍ୟାତ ହୋଇଥିଲେ । ସେ ୧୯୩୮ରେ କଂଗ୍ରେସ ସଭାପତି ହେଲେ । ପୁଣି ୧୯୩୯ରେ ଗାନ୍ଧିଜୀ ଓ ତାଙ୍କ ଅନୁଚରମାନଙ୍କ ବିରୋଧ ସତ୍ତ୍ୱେ ସେ ପୁନର୍ବାର ନିର୍ବାଚିତ ହୋଇଥିଲେ । ୧୯୩୬ରେ ଲକ୍ଷ୍ନୌ–କଂଗ୍ରେସରେ ଜବାହରଲାଲ ନେହେରୁ ମୁକ୍ତକଣ୍ଠରେ ଯୁକ୍ତି କରିଥିଲେ ଯେ କଂଗ୍ରେସ ସାମ୍ୟବାଦକୁ ତାହାର ଲକ୍ଷ୍ୟରୂପେ ଗ୍ରହଣ କରିବା ଉଚିତ । ତାଙ୍କର କାମ୍ୟ ଥିଲା ଦଳ କୃଷକ ସମାଜ ଓ ଶ୍ରମିକ ଶ୍ରେଣୀ ଅନ୍ତରଙ୍ଗ ହେଉ । ସେ ମଧ୍ୟ ନିର୍ଦ୍ଦେଶ କରିଥିଲେ ଯେ ସାମ୍ପ୍ରଦାୟିକ ଭାବଧାରାରୁ ସାଧାରଣ ଲୋକଙ୍କୁ ମୁକ୍ତ ରଖିବାପାଇଁ ଏହାହିଁ ଏକ ଶ୍ରେଷ୍ଠ ଉପାୟ-। ସଭାପତି ଅଭିଭାଷଣରେ ସେ କହିଥିଲେ–

 

“ମୁଁ ଭଲଭାବେ ଉପଲବ୍ଧି କରିଛି, ପୃଥିବୀର ତଥା ଭାରତର ସବୁ ସମସ୍ୟା ସମାଧାନ ପାଇଁ ଏକମାତ୍ର ବାଟ ହେଉଛି ସାମ୍ୟବାଦ । ଏହି ଶବ୍ଦଟିକୁ ମୁଁ ଗୋଟେ ଫମ୍ପା ମାନବିକତାବୋଧରେ ଅନୁରଣିତ ହେଲାଭଳି ବ୍ୟବହାର କରୁନାହିଁ; ମୁଁ ଏହାକୁ ବିଜ୍ଞାନସମ୍ମତ ଅର୍ଥନୈତିକ ଅର୍ଥରେ ପ୍ରୟୋଗ କରୁଛି...ଯାହା ଭିତରେ ଅନ୍ତର୍ଭୁକ୍ତ ହେବ ଆମର ରାଜନୈତିକ ଓ ସାମାଜିକ ସ୍ଥିତିରେ ବ୍ୟାପକ ଓ ବିପ୍ଳବାତ୍ମକ ପରିବର୍ତ୍ତନ, ଶିଳ୍ପ ଓ ଭୂ–ସମ୍ପତ୍ତି କ୍ଷେତ୍ରରେ ନ୍ୟସ୍ତସ୍ଵାର୍ଥ ବ୍ୟକ୍ତିମାନଙ୍କର ତଥା ଦେଶୀୟ ରାଜ୍ୟଗୁଡ଼ିକର ନିରଙ୍କୁଶ ଶାସନ ପଦ୍ଧତିର ଅବସାନ । ଏହାର ଅର୍ଥ–କେତେକ ନିର୍ଦ୍ଧାରିତ ବ୍ୟତିକ୍ରମ ସହିତ ବ୍ୟକ୍ତିଗତ ସମ୍ପତ୍ତି ସଂରକ୍ଷଣର ସମାପ୍ତି ଏବଂ ଉତ୍କୃଷ୍ଟ ସମବାୟ ସଂଗଠନର ଆଦର୍ଶରେ ପ୍ରଚଳିତ ଲାଭ ଉପଯୋଗ ପଦ୍ଧତିର ପରିବର୍ତ୍ତନ । ଏହାର ଚରମ ତାତ୍ପର୍ଯ୍ୟ ହେବ ଆମର ସ୍ଵଭାବ, ଅଭ୍ୟାସ ଓ କାମନା ବାସନାର ପରିବର୍ତ୍ତନ । ସଂକ୍ଷେପରେ ଏହା ହେବ ପ୍ରଚଳିତ ପୁଞ୍ଜିବାଦୀ ପଦ୍ଧତିଠାରୁ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର ଏକ ନୂତନ ସଭ୍ୟତା ।’’

 

କଂଗ୍ରେସ ବ୍ୟତୀତ ଅନ୍ୟାନ୍ୟ ନେତାମାନଙ୍କଠାରେ ମଧ୍ୟ ସମାନଭାବେ ସାମ୍ୟବାଦୀ ଭାବଧାରା ପରିଦୃଷ୍ଟ ହୋଇଥିଲା । ଏହାର ଶେଷ ପରିଣତି ହେଲା କମ୍ୟୁନିଷ୍ଟ ଦଳର ବିକାଶ ଏବଂ କଂଗ୍ରେସ–ସାମ୍ୟବାଦୀ–ଦଳର ପ୍ରତିଷ୍ଠା । ପ୍ରାଥମିକ ପର୍ଯ୍ୟାୟରେ କମ୍ୟୁନିଷ୍ଟ ଦଳର ନେତୃତ୍ଵ ଦେଇଥିଲେ ପି. ସି. ଯୋଷୀ । କଂଗ୍ରେସ ସାମ୍ୟବାଦୀଦଳ ୧୯୩୪ରେ ଆଚାର୍ଯ୍ୟ ନରେନ୍ଦ୍ର ଦେବ ଓ ଜୟପ୍ରକାଶ ନାରାୟଣଙ୍କଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । ଏହାର ଏକ ଭଲ ସଂଗଠନ ଥିଲା, ଗୋଟିଏ ପତ୍ରିକା ଥିଲା ଏବଂ ଥିଲା ସୁସ୍ପଷ୍ଟଭାବେ ସଂଜ୍ଞାବଦ୍ଧ ପୂର୍ଣ୍ଣ ସ୍ଵରାଜ ଆଭିମୁଖ୍ୟ । ଏହାର କର୍ତ୍ତବ୍ୟ ହୋଇଥିଲା ସାମ୍ୟବାଦୀ ନୀତି ପରିଗ୍ରହଣ କରିବାକୁ କଂଗ୍ରେସକୁ ପ୍ରବର୍ତ୍ତାଇବା । ଉତ୍ତର–ଭାରତୀୟ ଶାଖା ତୁଳନାରେ କେରଳ, ଆନ୍ଧ୍ର ଓ ତାମିଲନାଡ଼ୁରେ କଂଗ୍ରେସ–ସାମ୍ୟବାଦୀଗଣ ମାର୍କସ୍‍ବାଦ ଆଡ଼କୁ ଅଧିକ ଢଳିପଡ଼ିଥିଲେ ।

 

ଶ୍ରମିକ–ସଂଘ ଆନ୍ଦୋଳନ ମଧ୍ୟ ଦମନ ଯୋଗୁଁ ଗତିହୀନ ହୋଇପଡ଼ିଥିଲା । କମ୍ୟୁନିଷ୍ଟ ଦଳକୁ ନିଷିଦ୍ଧ କରିବା ପରେ ୧୯୩୪ ଶେଷଭାଗରେ ସରକାର ଲାଲ–ପତାକା ଶ୍ରମିକ ସଂଘ ସମ୍ମେଳନକୁ ବାଜ୍ୟାପ୍ତ କରିଥିଲେ । ଏଣୁ, ମିରଟ–ମକଦ୍ଦମା ପରେ ଜେଲରୁ ମୁକ୍ତିପାଇଥିବା କମ୍ୟୁନିଷ୍ଟମାନଙ୍କ ପକ୍ଷରେ ପୁନରାୟ ନିଖିଳ–ଭାରତ ଶ୍ରମିକ–ସଂଘ କଂଗ୍ରେସର ସଭ୍ୟପଦ ଗ୍ରହଣ କରିବା ଛଡ଼ା ଗତ୍ୟନ୍ତର ନଥିଲା । କଂଗ୍ରେସରେ ଏବଂ ରାୟ–ବାଦୀ–ପ୍ରଧାନ ଏ. ଆଇ. ଟି. ୟୁ. ସି.ରେ ସେମାନଙ୍କ ସଂଖ୍ୟା ଥିଲା ଗୌଣ । ଯୋଷୀ, ଚମନଲାଲ ଓ ମୃଣାଳକାନ୍ତି ବୋଷଙ୍କ ପରିଚାଳିତ ଭାରତୀୟ ଜାତୀୟ ଶ୍ରମିକ–ସଂଘ ସଂଗଠନ ଇତ୍ୟବସରରେ ଭି. ଭି. ଗିରିଙ୍କ ପରିଚାଳିତ ନିଖିଳ–ଭାରତ ରେଳବାଇ ଶ୍ରମିକ ସଂଗଠନ ସହିତ ମିଶିଯାଇଥିଲା । ଗିରି ଏବଂ ବୋଷ ତତ୍କାଳୀନ କଂଗ୍ରେସ ସଂଗଠନ ମଧ୍ୟରେ ପ୍ରବର୍ତ୍ତିତ ଜାତୀୟତାବାଦ ପ୍ରତି ଅନୁରକ୍ତ ଥିଲେ । ବର୍ତ୍ତମାନ ଜାତୀୟ ଶ୍ରମିକ ସଂଗଠନ (ଏନ. ଟି. ୟୁ. ଏଫ.) ନାମରେ ଏକ ମିଳିତ ସଂଗଠନ ଗଠିତ ହେଲା, ଯାହାକୁ କି ଜାତୀୟତାବାଦୀ କର୍ମୀମାନଙ୍କ ମଧ୍ୟରେ ଥିବା ବାମ–ପନ୍ଥୀଗଣ ଯେଉଁମାନେ କମ୍ୟୁନିଷ୍ଟମାନଙ୍କ କିମ୍ବା ଏମ୍. ଏନ୍. ରାୟ ଗୋଷ୍ଠୀର ଶ୍ରେଣୀ–ସଂଘର୍ଷ ନୀତି ଗ୍ରହଣ କରି ନଥିଲେ, ସେମାନେ ସମର୍ଥନ କଲେ ।

 

ଲାଲ–ପତାକା ଶ୍ରମିକ–ସଂଘ ସଂଗଠନ ନିଷିଦ୍ଧ ହେବା ପୂର୍ବରୁ ସୀମିତଭାବେ ହେଲେବି ତିନୋଟିଯାକ ଶ୍ରମିକ ସଂଘଠନ ମିଳିତଭାବେ ୧୯୩୪ ଗ୍ରୀଷ୍ମକାଳରେ ବମ୍ବେରେ ଲୁଗାକଳ ଶ୍ରମିକମାନଙ୍କର ଏକ ଧର୍ମଘଟ ପରିଚାଳନା କରିଥିଲେ । ଏହାର କାରଣ ଥିଲା ବହୁପରିମାଣରେ ଦରମା ହାର ହ୍ରାସକରଣ । ଏଥିରେ ପ୍ରାୟ ୧୨୦୦୦୦ ଶ୍ରମିକ ଭାଗ ନେଇଥିଲେ । କିନ୍ତୁ ପୋଲିସ୍‍ର ଦମନ, ଦକ୍ଷିଣପନ୍ଥୀ ଶ୍ରମିକ–ସଂଘ ନେତାମାନଙ୍କର ପ୍ରାଣହାନି ମନୋଭାବ ଏବଂ ସ୍ଵଜାତିଦ୍ରୋହୀଙ୍କ (ସେତେବେଳେ କେବଳ ବମ୍ବେରେ ଥିବା ୯୦୦୦୦ ବେକାର ଶ୍ରମିକଙ୍କ ମଧ୍ୟରୁ) ହକାରିତା ଫଳରେ ଜୁନ୍ ମାସରେ ଧର୍ମଘଟ ଭାଙ୍ଗିଯାଇଥିଲା ।

 

ଏହି ସମୟରେ ବିକଶିତ ତୃତୀୟ ଆଭିମୁଖ୍ୟ ଥିଲା ସଦ୍ୟଜାତ କିଷାନ ବା କୃଷକ ଆନ୍ଦୋଳନ ଉପରେ ଗାନ୍ଧୀବାଦ, କଂଗ୍ରେସୀ ସାମ୍ୟବାଦ ଏବଂ କମ୍ୟୁନିଷ୍ଟବାଦର ପ୍ରଭାବ ବିସ୍ତାର । ୧୯୨୦ କାଳୀନ ଶ୍ରମିକ ଓ କୃଷକ ଦଳ ୧୯୨୯–୩୧ କାଳୀନ ସ୍ଵତଃସ୍ଫୂର୍ତ୍ତ ପ୍ରତିବାଦମୂଳକ ଆନ୍ଦୋଳନକୁ ଉଇଲିଙ୍ଗଡ଼ନ ଦମନ କରିଦେଇଥିଲେ । ବର୍ତ୍ତମାନ କେତେକ ଜିଲ୍ଲାରେ କୃଷକ ନେତାମାନେ ପୁନଃଅଭ୍ୟୁଦୟ ହୋଇ କାର୍ଯ୍ୟ କରିବାକୁ ଲାଗିଲେ ।

 

ବିହାରରେ ସହଜାନନ୍ଦ ସରସ୍ଵତୀ ଏକ ଶକ୍ତିଶାଳୀ ଆଞ୍ଚଳିକ କିଷାନ–ସଭା ସଂଗଠିତ କଲେ ଯାହାକି ପୂର୍ବରୁ ଉତ୍ତର–ପ୍ରଦେଶରେ ଲୋକପ୍ରିୟ ହୋଇଥିବା ବାମପନ୍ଥୀ କୃଷିବିଷୟକ କାର୍ଯ୍ୟକ୍ରମ ପ୍ରଚାର କରିବାର ଦାୟିତ୍ଵ ଗ୍ରହଣ କରିଥିଲା । ଆଉ ଜଣେ ପ୍ରଧାନ କୃଷକ ନେତା ଥିଲେ କର୍ଯ୍ୟାନନ୍ଦ ଶର୍ମା, ଯିଏ କି ପରବର୍ତ୍ତୀ କାଳରେ ବିହାରର ଅନୁନ୍ନତ ଜିଲ୍ଲାଗୁଡ଼ିକରେ ଖୁବ୍ ପ୍ରଭାବଶାଳୀ, ହୋଇପାରିଥିଲେ । ଉତ୍ତର–ପଶ୍ଚିମ ସୀମାନ୍ତ ପ୍ରଦେଶରେ ଖୁଦାଇ ଖିଦ୍‍ମତକାର ଦଳ ଏବଂ ଦକ୍ଷିଣ–ମହାରାଷ୍ଟ୍ରରେ ରାୟ–ପନ୍ଥୀଗଣ କୃଷକମାନଙ୍କ ଦାବି ପୁନରୁତ୍‍ଥାନ କଲେ । ଦେଶୀୟ ରାଜ୍ୟ ହାଇଦ୍ରାବାଦରେ ଦକ୍ଷିଣ–ମହାରାଷ୍ଟ୍ର ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କରେ ଦରିଦ୍ର କୃଷକ ସମାଜର ଶୋଷଣ ବିରୁଦ୍ଧରେ ପ୍ରତିରୋଧ କଲେ ସ୍ଵାମୀ ରାମାନନ୍ଦ ତୀର୍ଥ । ସେ ପ୍ରଥମେ ମହାରାଷ୍ଟ୍ରର ଗୋଟିଏ ଜିଲ୍ଲାରେ ଗାନ୍ଧୀ–ପନ୍ଥୀଭାବେ ଜୀବନ ଆରମ୍ଭ କରିଥିଲେ, ପରେ ବମ୍ବେ ସହରର ସଂସ୍କାରବାଦୀ ଶ୍ରମିକ ସଂଘ ଆନ୍ଦୋଳନରେ ଯୋଗଦେଇଥିଲେ ଏବଂ ତା’ପରେ ଔରଙ୍ଗାବାଦ ଜିଲାରେ ଏକ ଗାନ୍ଧୀବାଦୀ ଗ୍ରାମମଙ୍ଗଳ ଅନୁଷ୍ଠାନ ଗଠନ କରିଥିଲେ । ରାମାନଦ ତୀର୍ଥଙ୍କ ପ୍ରଚେଷ୍ଟା ପରବର୍ତ୍ତୀ କାଳରେ ହାଇଦ୍ରାବାଦ ରାଜ୍ୟ ଜନ କଂଗ୍ରେସର କୃଷକ ଆନ୍ଦୋଳନ ପାଇଁ ଏକ ଭାରସ୍ୱରୂପ ହୋଇଥିଲା ଏବଂ ଏମାନେହିଁ ୧୯୪୭ ପରେ ଭାରତୀୟ ରାଷ୍ଟ୍ର ସହିତ ହାଇଦ୍ରାବାଦର ସମ୍ମିଶ୍ରଣ ପାଇଁ ଆନ୍ଦୋଳନ କରିଥିଲେ । ଦକ୍ଷିଣଭାରତରେ ଜାତିଆଣ ସଂସ୍ଥାସବୁ; ଯଥା :–ଉତ୍ତର ତାମିଲନାଡ଼ୁରେ ସଂଖ୍ୟାଗରିଷ୍ଠ ବଣିଆର, ଦକ୍ଷିଣ ତାମିଲନାଡ଼ୁରେ ସଂଖ୍ୟାଗରିଷ୍ଠ ଥେବର ଓ ନାଦାର ଏବଂ କେରଳର ଇରାବା ଜାତିର ଲୋକମାନେ ମ୍ୟୁନିସିପାଲଟି ଓ ଗଣତାନ୍ତ୍ରିକ ସ୍ୱାୟତ୍ତ–ଶାସନ ସଂସ୍ଥାରେ ଅଧିକ ସୁଯୋଗ ଦାବି କରିଥିଲେ । ଦକ୍ଷିଣ–ପଶ୍ଚିମ ବଙ୍ଗଳାର ମାଳଭୂମି ଓ ପୁରୁଲିଆ ଜିଲାରେ ଏବଂ ବିହାରର ରାଞ୍ଚି ଓ ସିଂହଭୂମି ଜିଲ୍ଲାରେ ଗାନ୍ଧୀବାଦୀ କର୍ମୀମାନେ ଅନୁନ୍ନତ କୃଷକ ସମାଜ ମଧ୍ୟରେ ଗାନ୍ଧିଜୀଙ୍କ ଜାତୀୟତାବାଦ ଓ ଅହିଂସାର ଆଦର୍ଶ ପ୍ରଚାର କାର୍ଯ୍ୟରେ ଅଗ୍ରସର ହୋଇଥିଲେ । ଏହି ଭାବଧାରା ଅନେକ ସମୟରେ ଚିରବଞ୍ଚିତ ଆଦିବାସୀମାନଙ୍କୁ ମଧ୍ୟ ସ୍ପର୍ଶ କରିଥିଲା । ଛୋଟନାଗପୁର ଆଦିବାସୀଙ୍କ ତାନା ଭଗତ ପ୍ରତିବାଦ ଆନ୍ଦୋଳନ ପରବର୍ତ୍ତୀ କାଳରେ ଗାନ୍ଧୀ–ମହାରାଜ ଧାରଣା ସୃଷ୍ଟି କରିଥିଲେ । ନାଗାଲାଣ୍ଡରେ (ଆସାମ ନିକଟବର୍ତ୍ତୀ ଅଞ୍ଚଳ) ବ୍ରିଟିଶ ଶାସନ ବିରୁଦ୍ଧରେ କେତେକ ନାଗା ତାଙ୍କର ଜଣେ ପୁରୋହିତଙ୍କ ପରିଚାଳନାରେ ଏକ ଭୟଙ୍କର ବିଦ୍ରୋହ ସୃଷ୍ଟି କରିଥିଲେ । ପୁରୋହିତଙ୍କ ମତ ଥିଲା ଐଶ୍ଵରୀକ ଶକ୍ତି–ସମ୍ପନ୍ନା ଗୁଇଡ଼ାଲୋ ନାମକ ଗୋଟିଏ ଯୁବତୀ ହେଉଛି ତାଙ୍କର ରାଣୀ । ଏହି ରାଣୀ ଗୁଇଡ଼ାଲୋ ଜାତୀୟତାବାଦୀ ଆନ୍ଦୋଳନକୁ ସମର୍ଥନ କରିବାକୁ ଆହ୍ଵାନ ଦେଇଥିଲେ । ତ୍ରିଂଶ ଦଶକର ଶେଷଭାଗରେ ମୌଲାନା ଅବଦୁଲ ହମିଦ ଖାଁ ଭାସାନି ଦକ୍ଷିଣ ଆସାମର ସିଲହଟ୍‍ ଜିଲ୍ଲାରେ ଏକ ଶକ୍ତିଶାଳୀ କୃଷକ ଆନ୍ଦୋଳନ ସଙ୍ଗଠିତ କରିଥିଲେ ଏବଂ ଏହା ନିକଟବର୍ତ୍ତୀ ପୂର୍ବବଙ୍ଗର ମେମନସିଂହ ଜିଲ୍ଲାକୁ ବ୍ୟାପିଯାଇଥିଲା ।

 

ଏହିସବୁ ଆନ୍ଦୋଳନ ମଧ୍ୟରେ କୌଣସି ସମନ୍ଵୟ ନଥିଲା କିମ୍ବା ସେଗୁଡ଼ିକ ଉପରେ କଂଗ୍ରେସର ନିୟନ୍ତ୍ରଣ ନଥିଲା । ଅନେକ କିଷାନସଭାର ନେତୃତ୍ଵ ଦେଇଥିଲେ କଂଗ୍ରେସୀ ସାମ୍ୟବାଦୀମାନେ । ସମୟ ବିଶେଷରେ କେତେକ କୃଷକ ଆନ୍ଦୋଳନ ଯଥା ବଙ୍ଗଳାର ୧୯୩୭ କାଳୀନ ତାରକେଶ୍ଵର ସତ୍ୟାଗ୍ରହ ଓ କ୍ରାଭାଙ୍କୋର ରାଜ୍ୟର ବୟାଲର ସତ୍ୟାଗ୍ରହ, ସ୍ଥାନୀୟ କମ୍ୟୁନିଷ୍ଟ ସଂଗଠକମାନଙ୍କ ପ୍ରରୋଚନାରେ ଅନୁଷ୍ଠିତ ହୋଇଥିଲା । ଯେଉଁସବୁ କ୍ଷେତ୍ରରେ କଂଗ୍ରେସର ସଂଗଠକ କର୍ମୀମାନେ ଦାୟିତ୍ଵ ନେଇଥିଲେ ସେଠାରେ କୃଷକ ଆନ୍ଦୋଳନ ସ୍ଥୂଳତଃ ସଂସ୍କାରବାଦୀ ଓ ଜାତୀୟବାଦୀ ରୂପ ଗ୍ରହଣ କରିଥିଲା । କିନ୍ତୁ ଅପରାପର କ୍ଷେତ୍ରରେ କୃଷକମାନେ ମୁଖ୍ୟତଃ ଶ୍ରେଣୀ ସମସ୍ୟା ସହିତ ଜଡ଼ିତ ରହିଥିଲେ, ଏବଂ କ୍ଵଚିତ ଘଟନାକ୍ରମେ ଜାତୀୟ ଆନ୍ଦୋଳନ ସହିତ ସଂପୃକ୍ତ ହୋଇଥିଲେ । ଏଥିରୁ କେତେକ ଆନ୍ଦୋଳନରେ ଧର୍ମୀୟ ନେତୃତ୍ଵ ମଧ୍ୟ ଅତ୍ୟନ୍ତ ଲକ୍ଷଣୀୟ ହୋଇଥିଲା । ଅନୁନ୍ନତ ଅଞ୍ଚଳର କୃଷକ ସମାଜକୁ କେତେ ସମୟରେ ପ୍ରାଚୀନ ନୀତି ନିୟମର ଦ୍ଵାହି ଦେଇ ଆବେଗଶୀଳ କରାଯାଇଥିଲା । ଏହିପରି ନୀତି ଧର୍ମର ପ୍ରବକ୍ତାମାନେ ଥିଲେ ସ୍ଥାନୀୟ ଧାର୍ମିକ ବା ଜାତିଆଣ ପ୍ରଚାରକ ଶିକ୍ଷକ । ବହୁ ଦେଶରେ କୃଷକ ସମାଜର ସ୍ଵାଧୀନତା ସଂଗ୍ରାମର ଇତିହାସରେ ଏତାଦୃଶଭାବେ ନିପୀଡ଼କ ବିରୁଦ୍ଧରେ ପରୋକ୍ଷ ପ୍ରତିବାଦସ୍ୱରୂପ ଧାର୍ମିକ ଆବେଦନ ସୃଷ୍ଟି କରିବା ଏକ ଅତି ସାଧାରଣ ପ୍ରବୃତ୍ତିସ୍ୱରୂପ ଦେଖାଯାଇଥାଏ ।

 

ସମାନ୍ତରାଳଭାବେ ଗ୍ରାମୀଣ କୃଷକ ଗୋଷ୍ଠୀ ମଧ୍ୟରେ ଶିକ୍ଷା ଓ ସଂଗଠନ କାର୍ଯ୍ୟରେ ବ୍ୟାପୃତ ଥିବା ଅନେକ ରାଜନୈତିକ କର୍ମୀ କମ୍ୟୁନିଷ୍ଟ ତଥା କଂଗ୍ରେସୀ ସାମ୍ୟବାଦୀଙ୍କଦ୍ଵାରା ପ୍ରଚାରିତ ମାର୍କସ୍‍ବାଦୀ ଦର୍ଶନଦ୍ଵାରା ବଳିଷ୍ଠଭାବେ ପ୍ରଭାବିତ ହୋଇଥିଲେ । ରାଜନୈତିକ ବିକ୍ଷୋଭ ପ୍ରଦର୍ଶନ ପାଇଁ ମିଳିତ ସାମ୍ମୁଖ୍ୟ ଗଠନ ଫଳରେ ସେମାନଙ୍କର ମିଳନ କ୍ଷେତ୍ର ପ୍ରଶସ୍ତ ହେଉଥିଲା । ଅନୁରୂପଭାବେ, ଏକତ୍ର ବହୁ ରାଜବନ୍ଦୀ କାରାରୁଦ୍ଧ ହେଲେ; ଯଥା : ହିଜଲି, ବକ୍‍ସାର ସୃ ଅଟକ–ବନ୍ଦୀ କେନ୍ଦ୍ରରେ ବା ମାଣ୍ଡାଳୟ ଓ ଆଣ୍ଡାମାନର ଜେଲରେ, ସେମାନଙ୍କ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠିତ ହୋଇଥିଲା । ଅନେକ ଗାନ୍ଧୀବାଦୀ ଓ ସନ୍ତ୍ରାସବାଦୀ ଜେଲରେ ଥିଲାବେଳେ ଏପରି ସବୁ ପୁସ୍ତକ ଓ ପତ୍ରିକା ପଢ଼ିବାର ସୁଯୋଗ ପାଇଲେ ଯେ ସେମାନେ ଅହିଂସା ବା ବୋମା–ବାଦ ପରିତ୍ୟାଗ କରି ମାର୍କସ୍‍ବାଦୀ ଶ୍ରେଣୀ–ସଂଘର୍ଷ ପ୍ରତି ଅନୁରକ୍ତ ହୋଇଗଲେ । ୧୯୩୫ ମେ–ଦିବସରେ ଭଗତସିଂହଙ୍କ ଜୀବିତ ସାଥୀମାନଙ୍କ ସମେତ ୩୧ ଜଣ ବନ୍ଦୀ ନିଜ ମଧ୍ୟରେ ଏକ କମ୍ୟୁନିଷ୍ଟ–ସମନ୍ଵୟ ସଂସ୍ଥା ଗଠନ କରିଥିଲେ । ପରବର୍ତ୍ତୀ କାଳରେ ଆଣ୍ଡାମାନସ୍ଥିତ ଚିଟାଗଞ୍ଜ ଦଳର କେତେକ ସଭ୍ୟ କମ୍ୟୁନିଷ୍ଟ ମତବାଦ ଗ୍ରହଣ କରିଥିଲେ । ଯାହେଲେବି ଏମାନଙ୍କ ସଂଖ୍ୟା ଗାଁ ଗହଳରେ କାର୍ଯ୍ୟରତ କଂଗ୍ରେସକର୍ମୀ, ଯେଉଁମାନଙ୍କ ମଧ୍ୟରୁ ଅନେକେ ପୁଣି ଥିଲେ ଗାନ୍ଧିଜୀଙ୍କ ସର୍ବୋଦୟ ଆଦର୍ଶରେ ଅନୁପ୍ରାଣିତ, ସେମାନଙ୍କ ତୁଳନାରେ ଥିଲା ଅନେକ କମ୍ ।

 

ଏହିସବୁ ସାଧାରଣ ଆଭିମୁଖ୍ୟଗୁଡ଼ିକର ପରିପ୍ରେକ୍ଷୀରେ ସ୍ଵାଧୀନତା ସଂଗ୍ରାମରେ ନୂତନତାର ସଂଘବଦ୍ଧତା ଅଭିବର୍ଦ୍ଧିତ ହୋଇଥିଲା ।

 

ସ୍ଵାଧୀନତା–ସଂଗ୍ରାମରେ ଦେଶୀୟରାଜ୍ୟର ପ୍ରଜା–ଆନ୍ଦୋଳନ

 

ବଡ଼ଲାଟଙ୍କ ପ୍ରତ୍ୟକ୍ଷ ଶାସକୀୟ କର୍ତ୍ତୃତ୍ଵ ଅଧୀନରେ ବ୍ରିଟିଶ ଅଧିକୃତ ଭାରତ ଶାସିତ ହେଉଥିଲା । ଦେଶର ଅବଶିଷ୍ଟାଂଶ କେତେଗୁଡ଼ିଏ ରାଜ୍ୟରେ ବିଭକ୍ତ ଥିଲା, ଯାହାକୁ ବ୍ରିଟିଶମାନେ କହୁଥିଲେ ଦେଶୀୟ ରାଜ୍ୟ । ଆୟତନ ଓ ଲୋକସଂଖ୍ୟା ଅନୁସାରେ ଛୋଟ ବଡ଼ ଏହିସବୁ ରାଜ୍ୟ ସାରା ଦେଶରେ ବ୍ରିଟିଶ–ଭାରତ ମଧ୍ୟରେ ବିଚ୍ଛୁରିତ ହୋଇ ରାଜା ବା ସାମନ୍ତମାନଙ୍କ ମାଧ୍ୟମରେ ପରୋକ୍ଷଭାବେ ବ୍ରିଟିଶ କର୍ତ୍ତୃକ ଶାସିତ ହେଉଥିଲେ ।

 

ରାଜପୁରୁଷମାନେ ତାଙ୍କ ଖିଆଲ ଖୁସି ଅନୁସାରେ ରାଜ୍ୟ ଶାସନ କରୁଥିଲେ । ସେମାନଙ୍କ ଭିତରୁ ଅଧିକାଂଶ କେବଳ ଦେଖୁଥିଲେ ଯେ ବ୍ରିଟିଶ ଶାସକଙ୍କ ସହିତ ତାଙ୍କର ଆନୁଗତ୍ୟମୂଳକ ସମ୍ପର୍କ ଯେପରି ସୁରକ୍ଷିତ ରହେ । ଅଳ୍ପ କେତେଜଣ ଏହାର ବ୍ୟତିକ୍ରମ ଥିଲେ । ଏହା ବ୍ରିଟିଶ କର୍ତ୍ତୃପକ୍ଷଙ୍କ ଅସନ୍ତୋଷଜନକ ହୋଇଥିଲା ଏବଂ ସେମାନେ ଏହାର ଫଳସ୍ୱରୂପ ଶାସନ କ୍ଷମତାରୁ ବଞ୍ଚିତ ହେଉଥିଲେ । କିନ୍ତୁ ଏହି ପ୍ରସଙ୍ଗରେ ସବୁଠାରୁ ଲକ୍ଷଣୀୟ ବିଷୟ ହେଉଛି ଭାରତରେ ବ୍ରିଟିଶ ଶାସନ ଓ ପ୍ରଭାବ ଫଳରେ ଦେଶୀୟ ରାଜ୍ୟଗୁଡ଼ିକରେ ପ୍ରତିକ୍ରିୟାଶୀଳ ସାମନ୍ତବାଦୀ ସ୍ୱୈରତନ୍ତ୍ର ପ୍ରତିପାଳିତ ଓ ପରିବର୍ଦ୍ଧିତ ହୋଇଥିଲା । ସେଠାରେ ଗଣତାନ୍ତ୍ରିକ ଶାସନର ଚିହ୍ନବର୍ଣ୍ଣ ନଥିଲା; ରାଜା ଏବଂ ତାଙ୍କର ପାରିଷଦବର୍ଗଙ୍କ ବିଳାସବ୍ୟସନଭରା ଜୀବନ ତୁଳନାରେ ପ୍ରଜାସାଧାରଣଙ୍କ ଅବସ୍ଥା କହିଲେ ସରୁ ନଥିଲା ଏବଂ କେତେକ ସ୍ଥଳରେ ନିଶ୍ଚିତରୂପେ ରୀତିମତ ଅତ୍ୟାଚାର ଚାଲିଥିଲା । ଅନ୍ୟାନ୍ୟ କ୍ଷେତ୍ରରେ ସାଧାରଣତଃ ଏପରି ଅସାଧୁ ବା ସ୍ଵେଚ୍ଛାଚାରୀ ଏକଛତ୍ରବାଦୀ ଶାସକମାନଙ୍କୁ ଆଭ୍ୟନ୍ତରୀଣ ବିଦ୍ରୋହ ବା ବହିର୍ଦେଶୀୟ ଆକ୍ରମଣ ଫଳରେ ଗାଦିଚ୍ୟୁତ କରାଯାଇଥାଏ। କିନ୍ତୁ ଭାରତୀୟ ରାଜ୍ୟଗୁଡ଼ିକ କ୍ଷେତ୍ରରେ ବ୍ରିଟିଶ ଶାସନ ହେତୁ ଏ ଉଭୟ ପଦ୍ଧତି ସମ୍ଭବ ହେଉ ନଥିଲା । ରାଜପୁରୁଷଗଣ ତାଙ୍କ ସାମନ୍ତତନ୍ତ୍ରରେ ନିରାପଦ ଓ ସୁରକ୍ଷିତ ରହିଥିଲେ ।

 

ଏହିପରି ଅସନ୍ତୋଷଜନକ ଏବଂ ପ୍ରାୟଶଃ ବିରୋଧାତ୍ମକ ପରିସ୍ଥିତି ହେତୁ ଦେଶୀୟରାଜ୍ୟଗୁଡ଼ିକରେ ସ୍ଥାନୀୟ ସଂଗଠନମାନ ଜନ୍ମଗ୍ରହଣ କରି ଜନସାଧାରଣଙ୍କ ବିକ୍ଷୋଭ ପ୍ରତିଫଳିତ କରିଥିଲା । ସେଗୁଡ଼ିକର ନାମ ଥିଲା ପ୍ରଜାମଣ୍ଡଳ ବା ରାଜ୍ୟ–ପ୍ରଜା–ପରିଷଦ, ମହୀଶୂରରେ ଥିଲା ରାଜ୍ୟ କଂଗ୍ରେସ । ସେଗୁଡ଼ିକ ଆଞ୍ଚଳିକ ଅନୁଷ୍ଠାନ, ଅର୍ଥାତ୍ ନିର୍ଦ୍ଦିଷ୍ଟ ରାଜ୍ୟର ସ୍ଥାନୀୟ ସମସ୍ୟା ସହିତ ସଂପୃକ୍ତ । ରାଜ୍ୟସମୂହରୁ, ଯେଉଁସବୁ ସୈନ୍ୟବାହିନୀ ଗଠିତ ହୋଇ ପ୍ରଥମ ବିଶ୍ଵଯୁଦ୍ଧରେ ଲଢ଼ିବାପାଇଁ ପଠାଯାଇଥିଲେ, ସେମାନେ ଫେରି ଆସିଲା ପରେ ରାଜ୍ୟରେ ଗଣତାନ୍ତ୍ରିକ ଭାବଧାରା ପ୍ରଚାର ଦିଗରେ ସହାୟତା କଲେ । ତା’ଛଡ଼ା ଅସହଯୋଗ ଆନ୍ଦୋଳନ ମଧ୍ୟ ଗଭୀର ପ୍ରଭାବ ବିସ୍ତାର କରିଥିଲା ।

 

ପ୍ରଥମ ଥରପାଇଁ ୧୯୨୦ରେ କଂଗ୍ରେସର ଅଧିବେଶନ ନାଗପୁରରେ ବସିଥିବାବେଳେ ରାଜ୍ୟରେ ଦାୟିତ୍ଵଶୀଳ ସରକାର ପ୍ରତିଷ୍ଠା କରିବାର ସୁଯୋଗ ଦେବାକୁ ରାଜାମାନଙ୍କୁ ଆହ୍ଵାନ ଦିଆଯାଇଥିଲା । କିନ୍ତୁ ସେହି ସମୟରେ କଂଗ୍ରେସ ସିଦ୍ଧାନ୍ତରେ ସ୍ପଷ୍ଟରୂପେ ଉଲ୍ଲେଖ କରାଯାଇଥିଲା ଯେ ଦେଶୀୟ ରାଜ୍ୟର ପ୍ରଜାମାନେ ବ୍ୟକ୍ତିଗତଭାବେ କଂଗ୍ରେସର ସଭ୍ୟ ହୋଇ ପାରିବେ; ମାତ୍ର ନିଜ ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ଏହି ସଦସ୍ୟ ପଦର ଉପଯୋଗ କରାଯାଇପାରିବ କି ନାହିଁ । ସେମାନେ ଯାହା ଇଚ୍ଛା ତାହା ନିଜ ବ୍ୟକ୍ତିଗତ ଅଧିକାର ବଳରେ କରିପାରନ୍ତି; କିନ୍ତୁ ତାହା ଭାରତୀୟ ଜାତୀୟ କଂଗ୍ରେସକୁ ଜଡ଼ିତ କରିବ ନାହିଁ । ଏହି ସର୍ତ୍ତ ମଧ୍ୟ କଂଗ୍ରେସର ବ୍ରିଟିଶ–ଶାସିତ ଭାରତର ସଦସ୍ୟମାନଙ୍କ ପ୍ରତି ପ୍ରଯୁଜ୍ୟ ହୋଇଥିଲା । ସାଧାରଣଭାବେ କଂଗ୍ରେସର ମତ ଥିଲା ଯେ ପ୍ରତି ରାଜ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରଜାମଣ୍ଡଳଦ୍ଵାରା ପରିଚାଳିତ ଓ ନିୟନ୍ତ୍ରିତ ହେବା ବାଞ୍ଛନୀୟ ।

 

ବ୍ରିଟିଶ ସରକାର ନରେନ୍ଦ୍ର ମଣ୍ଡଳ (ଚେମ୍ବର ଅଫ୍ ପ୍ରିନ୍‍ସେସ୍) ନାମକ ଏକ ନିଛକ ପରାମର୍ଶ ସଂସଦ ଗଠନ କରାଇଥିଲେ, ଯାହାର କି ପ୍ରଧାନ ଉଦ୍ଦେଶ୍ୟ ଥିଲା ସେମାନଙ୍କ ସମ୍ପର୍କର ସୁରକ୍ଷା । ନିଜ ନିଜ ମଧ୍ୟରେ ବିରୋଧ ଓ ପଦମର୍ଯ୍ୟାଦାର ତାରତମ୍ୟ ହେତୁ ଏହି ମଣ୍ଡଳ ମଧ୍ୟ ନାନାଭାବେ ବିଭକ୍ତ ଥିଲା । ଯେଉଁ ବର୍ଷ ସାଇମନ୍ କମିଶନ ବସିଥିଲା, ସେ ବର୍ଷ ମଧ୍ୟ ବ୍ରିଟିଶ ସରକାର ହାରକୋର୍ଟ ବଟଲର ଭାରତୀୟ ଦେଶୀୟରାଜ୍ୟ କମିଟି ନିଯୁକ୍ତ କରିଥିଲେ । ଏହାର କାମ ଥିଲା କେନ୍ଦ୍ର ସରକାର ଓ ଦେଶୀୟ ରାଜ୍ୟଗୁଡ଼ିକ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଦିଗରେ ଉପାୟ ଅନୁମୋଦନ କରିବା । ସରକାରଙ୍କ ଏ ରକମ ପ୍ରଚେଷ୍ଟା ଦେଖି ଦେଶୀୟ ରାଜ୍ୟନିବାସୀ ଜାତୀୟତାବାଦୀ ବ୍ୟକ୍ତିମାନେ; ଯଥା–କାଠିଆବାଡ଼ର ବଳବନ୍ତରାୟ ମେହେଟ୍ଟା ଓ ମଣିଲାଲ କୋଠରୀ, ଦାକ୍ଷିଣାତ୍ୟରେ ଜି. ଆର୍. ଅଭୟଙ୍କର ପ୍ରଭୃତି ୧୯୨୭ ଡିସେମ୍ବରରେ ନିଖିଳ ଭାରତ ଦେଶୀୟ ରାଜ୍ୟ ପ୍ରଜାସାଧାରଣଙ୍କ ସମ୍ମିଳନୀ ଆହ୍ଵାନ କରିଥିଲା । ଏହା ପଶ୍ଚିମ–ଭାରତୀୟ ଲୋକଙ୍କ ଉଦ୍ୟୋଗରେ ଅନୁଷ୍ଠିତ ହୋଇଥିଲେହେଁ ଭାରତକୁ ସବୁ ସ୍ଥାନରୁ ୭୦୦ ପ୍ରତିନିଧି ଯୋଗ ଦେଇଥିଲେ । ଏହି ସମ୍ମିଳନୀର ଲକ୍ଷ୍ୟ ଥିଲା ରାଜ୍ୟର ଜନସାଧାରଣଙ୍କ ସମ୍ମିଳିତ ମତ ଉପରେ ଗୁରୁତ୍ଵ ଦେଇ ତଦନୁସାରେ ପ୍ରଶାସନ କ୍ଷେତ୍ରରେ ଆବଶ୍ୟକୀୟ ସଂସ୍କାର ସାଧନ କରିବା ଏବଂ ନିର୍ବାଚନ ମାଧ୍ୟମରେ ସ୍ଵାୟତ୍ତ–ଶାସନ ଓ ଲୋକପ୍ରିୟ ପ୍ରତିନିଧିତ୍ଵ ପ୍ରତିଷ୍ଠା କରିବା ଦିଗରେ ସରକାରଙ୍କୁ ପ୍ରଭାବିତ କରିବା । ସମ୍ମିଳନୀ ମଧ୍ୟ ଚାହିଁଥିଲା ଯେ ରାଜସ୍ୱ ଏବଂ ରାଜାଙ୍କର ବ୍ୟକ୍ତିଗତଭାବେ ଆୟ ମଧ୍ୟରେ ତଫାତ୍ ସ୍ପଷ୍ଟଭାବେ ନିର୍ଣ୍ଣିତ ହେବା ଉଚିତ । ସାଧାରଣ ଅର୍ଥ ବ୍ୟକ୍ତିଗତଭାବେ ବ୍ୟୟିତ ହେବା ବନ୍ଦ କରିବାପାଇଁ ଏହାର ଆବଶ୍ୟକତା ଥିଲା । ଖାମ୍‍ଖିଆଲି ବିଚାରପଦ୍ଧତି ରୋକିବାପାଇଁ ସେମାନେ ମଧ୍ୟ ଚାହିଁଥିଲେ ବିଚାରବିଭାଗ ଶାସନ–ବିଭାଗର ପୃଥକୀକରଣ । ସମ୍ମିଳନୀ ସର୍ବଶେଷରେ ଦାବି କରିଥିଲେ ଯେ ବ୍ରିଟିଶ–ଭାରତ ଓ ଦେଶୀୟ ରାଜ୍ୟ ମଧ୍ୟରେ ସାମ୍ବିଧାନିକ ସମ୍ପର୍କ ପ୍ରତିଷ୍ଠା ଏବଂ ଏହି ବ୍ୟାପାରରେ ରାଜ୍ୟର ଜନମତ ପ୍ରତି ଗୁରୁତ୍ଵ ପ୍ରଦାନ । ଏପରି ଦାବି କରିବା ମୂଳରେ ଯୁକ୍ତି ଥିଲା ଯେ ଏହାଦ୍ୱାରା ସାରା ଭାରତରେ ସ୍ଵରାଜ ଲାଭ ତ୍ୱରାନ୍ୱିତ ହେବ ।

 

୧୯୨୭ ଡିସେମ୍ବରରେ ସମ୍ମିଳନୀ ବସିବା ଦିନଠାରୁ ଏହା ଏକ ବିଧିବଦ୍ଧ ରାଜନୈତିକ ସଂଗଠନରୂପେ କାର୍ଯ୍ୟରତ ହେଲା । ଏହା ବରାବର ଥିଲା ସାମନ୍ତତନ୍ତ୍ର ବିରୋଧୀ; କିନ୍ତୁ କଂଗ୍ରେସପରି ସ୍ପଷ୍ଟଭାବେ ସାମ୍ରାଜ୍ୟ–ବାଦ–ବିରୋଧୀ ନଥିଲା । ଏହାର ମୂଳକାରଣ ହେଲା ଦେଶୀୟ ରାଜ୍ୟର ଲୋକମାନଙ୍କର ପ୍ରତ୍ୟକ୍ଷ ଶୋଷକ ଥିଲା ସାମନ୍ତ–ତନ୍ତ୍ର ।

 

ଏହି ସମ୍ମିଳନୀର ଏକ ଆଶୁ ଫଳ ହେଲା, ବିଭିନ୍ନ ରାଜ୍ୟର ଆନ୍ଦୋଳନ ଆଉ ବିଚ୍ଛିନ୍ନ ହୋଇ ନରହି ସର୍ବ–ଭାରତୀୟ ସ୍ଵୀକୃତି ଲାଭ କଲା । ଏଣୁ ଲାହୋର–କଂଗ୍ରେସରେ ସଭାପତି ଅଭିଭାଷଣରେ ଜବାହରଲାଲ ନେହେରୁ କହିଥିଲେ–“ଭାରତର ଅବଶିଷ୍ଟାଂଶଠାରୁ ଦେଶୀୟ ରାଜ୍ୟଗୁଡ଼ିକ ବିଚ୍ଛିନ୍ନ ହୋଇ ରହି ନ ପାରନ୍ତି । ରାଜ୍ୟର ଭବିଷ୍ୟତ ନିୟନ୍ତ୍ରଣ କରିବା କ୍ଷମତା କେବଳ ସେହି ରାଜ୍ୟର ଲୋକମାନଙ୍କ ଉପରେ ନ୍ୟସ୍ତ ରହିନପାରେ ।’’ ୧୯୨୯ କଂଗ୍ରେସ ଅଧିବେଶନରେ ମଧ୍ୟ ଦେଶୀୟ ରାଜ୍ୟ ସମ୍ମିଳନୀର ସିଦ୍ଧାନ୍ତଗୁଡ଼ିକୁ ଅନୁମୋଦନ କରାଯାଇଥିଲା ।

 

ସମଗ୍ର ଭାରତର ଅବିଭାଜ୍ୟ ଅଙ୍ଗରୂପେ ଦେଶୀୟ ରାଜ୍ୟସମୂହ ଗ୍ରହଣୀୟ ବୋଲି ଦାବି କରିବା ସଙ୍ଗେ ଦେଶୀୟ ରାଜ୍ୟ ସମ୍ମିଳନୀ ବ୍ରିଟିଶ ସରକାରଙ୍କୁ ଅନୁରୋଧ କରିଥିଲା ଯେ ପ୍ରଥମ ଗୋଲଟେବୁଲ ବୈଠକରେ ରାଜ୍ୟ ପ୍ରଜା ସାଧାରଣଙ୍କ ପକ୍ଷରୁ ପ୍ରତିନିଧି ଗ୍ରହଣ ସମ୍ପର୍କରେ ସରକାର ବିଚାର କରିବା ଉଚିତ । ଏହି ଅନୁରୋଧ ଅଗ୍ରାହ୍ୟ ହୋଇଥିଲା । ତା’ପରେ ସମ୍ମିଳନୀ କଂଗ୍ରେସକୁ ଏକ ସ୍ମାରକପତ୍ର ଦେଇ ପ୍ରବର୍ତ୍ତାଇଥିଲା ଯେ ଏକ ସର୍ବ–ଭାରତୀୟ ସମ୍ବିଧାନ ପ୍ରବର୍ତ୍ତନ ହେବା ବାଞ୍ଛନୀୟ; ଯେଉଁଥିରେ କରାଚୀ କଂଗ୍ରେସ ପ୍ରସ୍ତାବନୁଯାୟୀ ବ୍ରିଟିଶ–ଭାରତପାଇଁ ଯାହା ମୌଳିକ ଅଧିକାର ଓ ସୁଯୋଗ ଦିଆଯିବ, ତାହା ମଧ୍ୟ ଦେଶୀୟ ରାଜ୍ୟପାଇଁ ପ୍ରଯୁଜ୍ୟ ହେବ । ଏହିପରିଭାବେ ରାଜତନ୍ତ୍ର–ବିରୋଧୀ ଆନ୍ଦୋଳନ କ୍ରମେ ଗଣତାନ୍ତ୍ରିକ ହେବା ସଙ୍ଗେ ଜାତୀୟ–ଆନ୍ଦୋଳନ ସହିତ ସଂପୃକ୍ତ ହୋଇଯାଇଥିଲା ।

 

କିନ୍ତୁ ଗାନ୍ଧିଜୀ ୧୯୨୦ରେ ଯାହା କହିଥିଲେ, ପୁନରାୟ ତା’ ଉପରେ ଗୁରୁତ୍ଵ ଦେଇ ଅନ୍ୟ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ରାଜି ନଥିଲେ । ତାଙ୍କର ଯୁକ୍ତି ଥିଲା ବହିରଙ୍ଗ ସାହାଯ୍ୟ ଫଳରେ କୌଣସି ଆନ୍ଦୋଳନ ସଫଳ ହୁଏନା; ଏଣୁ ସେଥିପାଇଁ ଆବଶ୍ୟକ ରାଜ୍ୟର ପ୍ରଜା ସାଧାରଣଙ୍କ ଆତ୍ମନିର୍ଭରଶୀଳତା । ଯାହାହେଉ, ରାଜାମାନେ ତାଙ୍କର ପ୍ରଜାମାନଙ୍କର ମୌଳିକ ଅଧିକାର ସାବ୍ୟସ୍ତ କରିବା ସପକ୍ଷରେ ସେ ଏକ ସିଦ୍ଧାନ୍ତ ଗ୍ରହଣ କରିବାପାଇଁ କଂଗ୍ରେସକୁ ଉତ୍ସାହିତ କରିଥିଲେ ।

 

‘୧୯୩୫–ଭାରତ ଆଇନ’ ବଳରେ କେନ୍ଦ୍ରରେ ସଙ୍ଘୀୟ ଶାସନ ସ୍ଵୀକୃତ ହୋଇଥିଲେହେଁ ପରିସ୍ଥିତିକୁ ଏପରି ନିୟନ୍ତ୍ରିତ କରାଯାଇଥିଲା ଯେ ଜାତୀୟବାଦୀଙ୍କ ଦାବିଗୁଡ଼ିକରେ ରାଜ୍ୟସମୂହ ପ୍ରତିବନ୍ଧକ ସୃଷ୍ଟି କରିଥିଲେ ଆଇନ ଅନୁସାରେ କେନ୍ଦ୍ରରେ ଉପର–କକ୍ଷରେ ୨/୫ ସ୍ଥାନ ଏବଂ ନିମ୍ନ–କକ୍ଷରେ ୧/୩ ସ୍ଥାନ ଦେଶୀୟ ରାଜ୍ୟପାଇଁ ନିର୍ଦ୍ଧାରିତ ଥିଲା । ଏହା ଆନୁପାତିକ ପ୍ରତିନିଧିତ୍ଵ ନୀତିର ଛାଞ୍ଚରେ ପଡ଼ି ନଥିଲା କିମ୍ବା ସଦସ୍ୟମାନେ ବାସ୍ତବତଃ ରାଜ୍ୟର ଜନସାଧାରଣଙ୍କ ପ୍ରତିନିଧିତ୍ଵ କରି ନଥିଲେ । ସେମାନେ ଥିଲେ ଶାସକମାନଙ୍କର ମନୋନୀତ ସଦସ୍ୟ ।

 

ଅନେକ ରାଜ୍ୟରେ, ବିଶେଷତଃ ରାଜକୋଟ, ଜୟପୁର, କାଶ୍ମୀର, ହାଇଦ୍ରାବାଦ ଏବଂ କ୍ରାଭାଙ୍କୋରରେ ଗଣତାନ୍ତ୍ରିକ ନୀତିର ସ୍ଵୀକାର ଏବଂ ସରକାରୀ ଶାସନ ପଦ୍ଧତିର ପୂର୍ବବିନ୍ୟାସ ପାଇଁ ମହତ୍ୱପୂର୍ଣ୍ଣ ଆନ୍ଦୋଳନ କରାଯାଇଥିଲା । ରାଜାମାନେ ନିର୍ମମ ଦମନନୀତିରେ ଏହାର ଜବାବ ଦେଇଥିଲେ । ଅନେକ ସାମ୍ପ୍ରଦାୟିକ ଆସକ୍ତି ଉତ୍ତେଜିତ କରି ଆନ୍ଦୋଳନକୁ ପଥଭ୍ରାନ୍ତ କରିବାକୁ ପ୍ରୟାସ କରିଥିଲେ । ଦୃଷ୍ଟାନ୍ତସ୍ୱରୂପ, ହାଇଦ୍ରାବାଦ ନିଜାମ ଗଣ–ଆନ୍ଦୋଳନକୁ ମୁସଲମାନ–ବିରୋଧୀରୂପେ ଅଭିହିତ କରିଥିଲେ; ସେହିପରି ମଧ୍ୟ କାଶ୍ମୀର ମହାରାଜା ହିନ୍ଦୁ–ବିରୋଧୀ ଆନ୍ଦୋଳନ ବୋଲି ପ୍ରଚାର କରିଥିଲେ । କ୍ରାଭାଙ୍କୋରରେ କୁହାଯାଇଥିଲା, ଆନ୍ଦୋଳନ ମୂଳରେ ଖ୍ରୀଷ୍ଟିଆନଗଣ ଓ ସେମାନଙ୍କ ଚର୍ଚ୍ଚ ରହି ହିନ୍ଦୁ–ମହାରାଜାଙ୍କୁ ଗାଦିଚ୍ୟୁତ କରିବାପାଇଁ ଚେଷ୍ଟିତ ।

 

ଭାରତୀୟ ଜାତୀୟ କଂଗ୍ରେସ ରାଜ୍ୟଲୋକଙ୍କ ସ୍ଵାଧୀନତା–ସଂଗ୍ରାମକୁ ଅନୁମୋଦନ କରିଥିଲା ଏବଂ ଦାବି କରିଥିଲା ଯେ ଦେଶୀୟ ରାଜ୍ୟରେ ଗଣତାନ୍ତ୍ରିକ ଶାସନ ପ୍ରବର୍ତ୍ତନ ଏବଂ ଲୋକଙ୍କୁ ରାଜନୈତିକ ସ୍ଵାଧୀନତା ପ୍ରଦାନ କରାଯିବା ଉଚିତ । କଂଗ୍ରେସର ସ୍ଵାଧୀନତା ଦାବିର ଅର୍ଥ ଥିଲା ସମଗ୍ର ଭାରତର ସ୍ଵାଧୀନତା; ଅର୍ଥାତ୍ ଦେଶୀୟ ରାଜ୍ୟଗୁଡ଼ିକ ସମେତ ସମସ୍ତ ଭାରତ । ତ୍ରିପୁରା–କଂଗ୍ରେସରେ (୧୯୩୮) ରାଜ୍ୟଗୁଡ଼ିକର ଆନ୍ଦୋଳନ ସହିତ ଘନିଷ୍ଠଭାବେ ଜଡ଼ିତ ରହିବାକୁ କଂଗ୍ରେସ ସିଦ୍ଧାନ୍ତ ଗ୍ରହଣ କରିଥିଲା । ସର୍ବଭାରତୀୟ ମତବାଦକୁ ବଳିଷ୍ଠ କରିବାପାଇଁ ୧୯୩୯ରେ ଦେଶୀୟ ରାଜ୍ୟ ସମ୍ମିଳନୀ ଜବାହରଲାଲ ନେହେରୁଙ୍କୁ ତାଙ୍କର ସଭାପତିରୂପେ ନିର୍ବାଚିତ କଲେ । ଦେଶୀୟ ରାଜ୍ୟର ଆନ୍ଦୋଳନ କେବଳ ରାଜ୍ୟର ପ୍ରଜାମାନଙ୍କ ମଧ୍ୟରେ ରାଜନୈତିକ ଚେତନା ଜାଗ୍ରତ କରି ନଥିଲା; ଏହା ମଧ୍ୟ ଭାରତୀୟ ସଂହତି ପ୍ରତି ଏକ ନୂତନ ଆୟତନ ପ୍ରଦାନ କରିଥିଲା ।

 

ବିଶ୍ଵ–ସମସ୍ୟାରେ ଆଗ୍ରହ ସୃଷ୍ଟି

 

୧୯୩୫ ପରବର୍ତ୍ତୀ କାଳରେ ସାଧାରଣଭାବେ ଭାରତୀୟ ଜାତୀୟ ଆନ୍ଦୋଳନ ଏବଂ ବିଶେଷଭାବେ କଂଗ୍ରେସ ନେତୃବର୍ଗ ଆନ୍ତର୍ଜାତିକ ଘଟନାବଳି ପ୍ରତି ସଚେତନଭାବେ ଆଗ୍ରହୀ ହୋଇଥିଲେ ଏବଂ ବିଦେଶର ଘଟନାବଳି ଦେଶରେ କିପରି ପ୍ରଭାବ ପକାଉଛି ତାହା ଅନୁଧ୍ୟାନ କରିଥିଲେ । ବିଦେଶୀ ରାଷ୍ଟ୍ର, ବିଶେଷତଃ ଆଫ୍ରିକା ଓ ଏସିଆରେ ବ୍ରିଟିଶ ସାମ୍ରାଜ୍ୟବାଦର କାମନା ଚରିତାର୍ଥ କରିବାପାଇଁ ଭାରତୀୟ ସୈନ୍ୟ ବା ସମ୍ପତ୍ତିର ବିନିଯୋଗ କରିବାକୁ କଂଗ୍ରେସ ନେତୃବର୍ଗ ଆରମ୍ଭରୁ ପ୍ରତିବାଦ ଜଣାଇଥିଲେ । ଏହି ପ୍ରତିବାଦ କଂଗ୍ରେସର ଏକ ନିର୍ଦ୍ଧାରିତ ନୀତିସ୍ୱରୂପ ୧୮୮୫ରେ ତାହାର ଜନ୍ମକାଳରୁ କ୍ରମ–ପୁଷ୍ଟ ହୋଇଥିଲା । ବର୍ତ୍ତମାନ କଂଗ୍ରେସ ଏକ ନିଜସ୍ୱ ବୈଦେଶିକନୀତି ନିର୍ଦ୍ଧାରଣ କଲା, ଯାହାର କି ପ୍ରଧାନ ଲକ୍ଷ୍ୟ ଥିଲା ବ୍ରିଟିଶ ସ୍ଵାର୍ଥ ପରିବର୍ତ୍ତେ ଦେଶର ସ୍ଵାର୍ଥସାଧନ କରିବା । ସ୍ଥୂଳଭାବେ ଏହା ଥିଲା ସାମ୍ରାଜ୍ୟବାଦ–ବିରୋଧୀ । ୧୯୨୭ ଫେବୃଆରୀରେ ଜବାହରଲାଲ ନେହେରୁ ବ୍ରସେଲ୍‍ସଠାରେ ଦଳିତ–ଜାତି କଂଗ୍ରେସ (କଂଗ୍ରେସ ଅଫ୍ ଅପ୍ରେସଡ଼ ନେସ୍‍ନାଲିଟିଜ)ରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀର ଉଦ୍ୟୋକ୍ତା ଥିଲେ ସାମ୍ରାଜ୍ୟବାଦୀ ଶକ୍ତିର ଅର୍ଥନୈତିକ ଓ ରାଜନୈତିକ ଶୋଷଣକ୍ରିୟାରେ ଦୁର୍ଦ୍ଦଶାଗ୍ରସ୍ତ ଏସିଆ, ଆଫ୍ରିକା ଓ ଲାଟିନ୍‍ ଆମେରିକାର ନିର୍ବାସିତ ବିପ୍ଳବୀ ଦେଶସେବକଗଣ । ବ୍ରସେଲସ୍ କଂଗ୍ରେସରେ ସାମ୍ରାଜ୍ୟବାଦ ବିରୋଧରେ ଏକ ସଂଗଠିତ ମିଳିତ ସଂଗ୍ରାମ ଚଳାଇବା ପାଇଁ ପରିକଳ୍ପନା କରାଯାଇଥିଲା । ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧିରୂପେ ନେହେରୁ ସେଥିରେ ଯୋଗଦେଇଥିଲେ । ସେ ତାଙ୍କ ବକ୍ତୃତାରେ କହିଥିଲେ–“ଆମେ ଉପଲବ୍ଧି କରୁଛୁଁ ଆଜି ବିଭିନ୍ନ ଶ୍ରେଣୀର ପ୍ରଜାସାଧାରଣ ଓ ନିପୀଡ଼ିତ ଜନତା ଯେଉଁ ସଂଗ୍ରାମ ଚଳାଇଛନ୍ତି, ସେଥିରେ ଅନେକ ସାଦୃଶ୍ୟ ରହିଛି । ସେମାନଙ୍କର ପ୍ରତିପକ୍ଷ ପ୍ରାୟ ସମାନ, ଯଦିଓ ଏହିମାନେ ଭିନ୍ନ ଭିନ୍ନ ବେଶରେ ପ୍ରତିଭାତ ହୋଇଥାନ୍ତି ଏବଂ ପଦାନତ କରି ରଖିବା ଦିଗରେ ସେମାନଙ୍କ ଅବଲମ୍ବିତ ଉପାୟ ପ୍ରାୟ ଏକାରକମର ।’’

 

ଏହି ବ୍ରସେଲ୍‍ସଠାରେ ସାମ୍ରାଜ୍ୟବାଦ ବିରୋଧରେ ଏକ ମେଣ୍ଟ ଗଢ଼ାଯାଇଥିଲା । ଏହାର ପରିଚାଳନା ସମିତିରେ ଜଣେ ସଦସ୍ୟଭାବେ ନେହେରୁ ନିର୍ବାଚିତ ହୋଇଥିଲେ । ସେହି ବର୍ଷର ଶେଷ ଆଡ଼କୁ ଅନୁଷ୍ଠିତ ମାନ୍ଦ୍ରାଜ ଅଧିବେଶନରେ ଗୋଟିଏ ଉତ୍ତେଜିତ ଆଲୋଚନା ପରେ ସରକାରଙ୍କୁ ନିଧାର୍ଯ୍ୟଭାବେ ଜଣାଇଦେବାକୁ ସ୍ଥିର ହୋଇଥିଲା ଯେ ବିଲାତର ସାମ୍ରାଜ୍ୟବାଦୀ ଲକ୍ଷ୍ୟସାଧନ ବା ସ୍ଵାର୍ଥସାଧନ ନିମିତ୍ତ କୌଣସି ଯୁଦ୍ଧ ବା ତତ୍ତୁଲ୍ୟ କାର୍ଯ୍ୟପାଇଁ ଭାରତ କଦାପି ସହାୟତା ପ୍ରଦାନ କରିବ ନାହିଁ ।

 

୧୯୩୦ ପରବର୍ତ୍ତୀ କାଳରେ କଂଗ୍ରେସ କଠୋର ନୀତି ଅବଲମ୍ବନପୂର୍ବକ ପୃଥିବୀର ପ୍ରତି ପ୍ରାନ୍ତରେ ସାମ୍ରାଜ୍ୟବାଦିତାର ବିରୋଧ କଲା । ଏସିଆ ଓ ଆଫ୍ରିକାର ଜାତୀୟ–ଆନ୍ଦୋଳନକୁ ମୁକ୍ତକଣ୍ଠରେ କଂଗ୍ରେସ ତା’ର ସମର୍ଥନ ଜଣାଇଲା । ଏତେବେଳକୁ ଗଣତନ୍ତ୍ରର ଅନ୍ୟତମ ଶତ୍ରୁସ୍ୱରୂପ ଫାସିବାଦର ଜନ୍ମ ହୋଇଥିଲା । ଇଟାଲୀ, ଜର୍ମାନୀ ଓ ଜାପାନରେ ଏହା ମଧ୍ୟ ଅନ୍ତରତଃ ଥିଲା ଜାତି–ବାଦୀ । ତେଣୁ କଂଗ୍ରେସ ବିନା ସର୍ତ୍ତରେ ଇଥିଓପିଆ, ସ୍ପେନ ଓ ଚେକୋସ୍ଲୋଭାକିଆର ଫାସିବାଦ–ବିରୋଧ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇଥିଲା । ୧୯୩୭ରେ ଜାପାନ ଚୀନ ଆକ୍ରମଣ କଲା । କଂଗ୍ରେସ ଏହାକୁ ଏକ ସାମ୍ରାଜ୍ୟବାଦୀ ଆକ୍ରମଣରୂପେ ଅଭିହିତ କରି ଗୋଟିଏ ପ୍ରସ୍ତାବରେ ଭାରତୀୟମାନଙ୍କୁ ଆହ୍ଵାନ କରିଥିଲା ଯେ ଚୀନ ଦେଶର ଲୋକମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନପୂର୍ବକ କୌଣସି ଜାପାନୀ ଦ୍ରବ୍ୟ ବ୍ୟବହାର କର ନାହିଁ । ପରବର୍ତ୍ତୀ ବର୍ଷ ଡ: ଅଟଲଙ୍କ ଅଧ୍ୟକ୍ଷତାରେ ଡ: କୋଟ୍‍ନିସ୍‍ଙ୍କ ସମେତ ଗୋଟିଏ ଡାକ୍ତରୀ ସେବାଦଳ ଚୀନ ସୈନ୍ୟଙ୍କ ମଧ୍ୟରେ କାର୍ଯ୍ୟ କରିବାକୁ ପ୍ରେରିତ ହୋଇଥିଲା ।

 

ଭାରତୀୟ ଜାତୀୟ କଂଗ୍ରେସ ଏପରି ନୀତି ଅବଲମ୍ବନ କରିବାର କାରଣ ହେଲା ସେମାନେ ଉପଲବ୍ଧି କରିଥିଲେ ଯେ ଏସିଆ ଓ ଆଫ୍ରିକାର ଦେଶଗୁଡ଼ିକର ଭବିଷ୍ୟତ ପରସ୍ପର ସହିତ ସମ୍ବନ୍ଧାନ୍ଵିତ ଏବଂ ଫାସି–ବାଦ ବିରୋଧରେ ସ୍ଵାଧୀନତାବାଦୀ, ସାମ୍ୟବାଦୀ ଓ ଗଣତାନ୍ତ୍ରିକ ଶକ୍ତିର ଆସନ୍ନ ସଂଘର୍ଷ ଭାରତ ଉପରେ ଗୁରୁତର ପ୍ରଭାବ ପକାଇବ । ଭାରତୀୟ ନେତୃବର୍ଗ ମଧ୍ୟରୁ ଅଧିକାଂଶ ଏହି ମତ ପୋଷଣ କରିଥିଲେହେଁ ନେହେରୁ ସେମାନଙ୍କ ବୈଦେଶିକ ନୀତିର ଥିଲେ ପ୍ରଧାନ ପ୍ରବକ୍ତା । ଏହି ବ୍ୟାପାରରେ ସେ କେବଳ କଂଗ୍ରେସ ପକ୍ଷରୁ ନୁହେଁ, ସାରା ଦେଶ ପକ୍ଷରୁ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଭାରତୀୟ ନେତାମାନଙ୍କ ମଧ୍ୟରୁ ସେ ପ୍ରଥମେ ଉପଲବ୍ଧି କରିଥିଲେ ଯେ ଆମ ଦେଶର ଉନ୍ନୟନ ସହିତ ବିଶ୍ଵର ଘଟନା–ପରମ୍ପରାର ଗୁରୁତ୍ଵପୂର୍ଣ୍ଣ ସମ୍ପର୍କ ରହିଛି ଏବଂ ଅବିରତ ସେ ଏହା ବୁଝାଇବାକୁ ଚେଷ୍ଟା କରିଥିଲେ । ଉଦାହରଣସ୍ୱରୂପ ଉଲ୍ଲେଖନୀୟ, ସେ ୧୯୩୬ରେ ଲକ୍ଷ୍ନୌ କଂଗ୍ରେସ ଅଧିବେଶନର ସଭାପତି–ଅଭିଭାଷଣରେ କହିଥିଲେ–‘‘ଆମର ସଂଗ୍ରାମ ବିଶ୍ୱବ୍ୟାପୀ ସ୍ୱାଧୀନତା ସଂଗ୍ରାମର ଏକ ଅଂଶମାତ୍ର ଏବଂ ଯେଉଁ ଶକ୍ତି ଆମକୁ ଅନୁପ୍ରେରିତ କରିଛି ତାହା ମଧ୍ୟ ବିଶ୍ଵର ଲକ୍ଷ ଲକ୍ଷ ଲୋକଙ୍କୁ ବିହିତ ପ୍ରତିକାର ପାଇଁ ଉଦ୍‍ବୋଧିତ କରିଛି । ପୁଞ୍ଜିବାଦ ନିଜର ସୁବିଧା ନିମିତ୍ତ ଆଜି ଫାସିବାଦରେ ରୂପାନ୍ତରିତ….ଉପନିବେଶଗୁଡ଼ିକରେ ସାମ୍ରାଜ୍ୟବାଦର ଯେଉଁ ଭୂମିକା, ଆଜି ନିଜ ଦଶାରେ ଫାସିବାଦ ତାହାହିଁ ଗ୍ରହଣ କରିଛି । କ୍ଷୟିଷ୍ଣୁ ପୁଞ୍ଜିବାଦର ଦୁଇଟି ନୂଆ ମୁଖା ହେଲା ଫାସିବାଦ ଓ ସାମ୍ରାଜ୍ୟବାଦ…ପାଶ୍ଚାତ୍ୟ ଦେଶରେ ସାମ୍ୟବାଦ ଏବଂ ପ୍ରାଚ୍ୟଦେଶ ତଥା ଅନ୍ୟାନ୍ୟ ପରାଧୀନ ରାଜ୍ୟରେ ନିବୋଦ୍‍ଗତ ଜାତୀୟତାବୋଧ ଫାସିବାଦ ଓ ସାମ୍ରାଜ୍ୟବାଦ ମେଣ୍ଟର ପ୍ରତିରୋଧୀ ।’’

 

ନେହେରୁ ଜୋର ଦେଇ କହିଲେ ଯେ ସାମ୍ରାଜ୍ୟବାଦୀ ଶକ୍ତି ମଧ୍ୟରେ ଅନୁଷ୍ଠିତ ସଂଘର୍ଷରେ ଭାରତ ସହଯୋଗ କରିନପାରେ । କିନ୍ତୁ ପୃଥିବୀର ପ୍ରଗତିକାମୀ ଶକ୍ତିଗୁଡ଼ିକୁ ତଥା ରାଜନୈତିକ ଓ ସାମାଜିକ ବନ୍ଧନ ଭାଙ୍ଗି ମୁକ୍ତିକାମନା କରୁଥିବା ଲୋକମାନଙ୍କୁ ଭାରତ ପୂର୍ଣ୍ଣପ୍ରାଣରେ ସମର୍ଥନ କରିବ, କାରଣ; ସାମ୍ରାଜ୍ୟବାଦ ଓ ଫାସିବାଦ ପ୍ରତିକ୍ରିୟା ବିରୁଦ୍ଧରେ ସେମାନଙ୍କ ସଂଗ୍ରାମ ମଧ୍ୟରେ ଆମେ ନିଜ ସଂଗ୍ରାମ ସହିତ ସାଦୃଶ୍ୟ ଉପଲବ୍ଧି କରୁଛୁ ।

 

ସାମ୍ପ୍ରଦାୟିକତାର ଅଭିବୃଦ୍ଧି

 

୧୯୩୫ ଆଇନ ଅନୁସାରେ ଯେଉଁ ସୀମିତ ଗଣତନ୍ତ୍ର ପରିବର୍ତ୍ତିତ ହେଲା ତାହା ପୁନରାୟ ଆଞ୍ଚଳିକ ଓ ସାମ୍ପ୍ରଦାୟିକ ଭାବଧାରାର ଝଲକ ସୃଷ୍ଟି କଲା । ଏହାଦ୍ଵାରା ଏକ ଶ୍ରେଣୀର ଯୁଯୁତ୍ସୁ ମତାନ୍ଧ ଧାର୍ମିକ ଗୋଷ୍ଠୀର ଅଭ୍ୟୁତ୍‍ଥାନ ଘଟିଲା । ଏହି ଦୁଇଟି ଭାବ ସରକାରଙ୍କ ଭେଦ ନୀତି ଏବଂ ସାମନ୍ତ ଜମିଦାର ଓ ଭୂମ୍ୟାଧିକାରୀ ଗୋଷ୍ଠୀଦ୍ୱାରା ଲାଳିତ ହୋଇଥିଲା । ମୁସଲମାନମାନଙ୍କ ପାଇଁ ସଂରକ୍ଷିତ ୫୮ଟି ସ୍ଥାନରେ ପ୍ରତିଦ୍ୱନ୍ଦ୍ୱିତା କରି କଂଗ୍ରେସ ମାତ୍ର ୨୬ଟି ସ୍ଥାନରେ ବିଜୟ ଲାଭକଲା । ଏପରିକି ଏହି ୨୬ଟି ସ୍ଥାନ ମଧ୍ୟରୁ ୧୫ଟି ସ୍ଥାନ ଖାଁ ଅବ୍‍ଦୁଲ ଗଫୁର ଖାଁ ଓ ତାଙ୍କ ଖୁଦାଇ ଖିଦମତ୍‍କାର ଗୋଷ୍ଠୀର ପରାକ୍ରାନ୍ତ ପ୍ରଭାବ ବଳରେ ଉତ୍ତର–ପଶ୍ଚିମ–ସୀମାନ୍ତ–ପ୍ରଦେଶରୁହିଁ ମିଳିଥିଲା । ମୁସଲମାନଙ୍କ ସଂରକ୍ଷିତ ସ୍ଥାନଗୁଡ଼ିକରୁ ମୁସଲିମ ଲିଗ୍ ମଧ୍ୟ କିଛି ବେଶି ସ୍ଥାନ ଅଧିକାର କରିପାରି ନଥିଲା । କଂଗ୍ରେସ ଏହାଦ୍ଵାରା ଉପଲବ୍ଧି କରିଥିଲା ଯେ ସମଗ୍ର ଦେଶର ମଙ୍ଗଳପାଇଁ ସେମାନଙ୍କର ସୁଚିନ୍ତିତ ଯୋଜନା ଓ ଆନ୍ତରିକ ସଦିଚ୍ଛା ସତ୍ତ୍ୱେ ଏବଂ ଦଳଭିତରେ ଜାତୀୟତାବାଦୀ ମୁସଲମାନ କର୍ମୀମାନେ ଥିବା ସତ୍ତ୍ୱେ ସେମାନେ ମୁସଲମାନ ଜନତାର ହୃଦୟ ଜୟ କରି ପାରିନାହାନ୍ତି । ତେଣୁ ବିଜିତ କ୍ଷେତ୍ରଗୁଡ଼ିକରେ ନିଜର ସ୍ଥାନ ଦୃଢ଼ୀଭୂତ କରିବା ସଙ୍ଗେ ସଙ୍ଗେ ସେମାନେ ଜନ–ସମ୍ପର୍କ–ବୃଦ୍ଧିମୂଳକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ଵ ସହକାରେ ବିଚାରକଲେ ।

 

କଂଗ୍ରେସ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟର ସ୍ଵତନ୍ତ୍ର ସତ୍ତା ଓ ବିଶୁଦ୍ଧତା ଭ୍ରଷ୍ଟ କରିବାପାଇଁ ଚେଷ୍ଟା କରୁଛି ବୋଲି ମୁସଲିମ ଲିଗ୍ ପକ୍ଷରୁ ତୀବ୍ର ଆକ୍ରମଣ ଆରମ୍ଭ ହୋଇଥିଲା । ଲିଗ୍ ପକ୍ଷରୁ ଗୋଟିଏ ନୂତନ ନୀତିର ପ୍ରତିଷ୍ଠା କରାଗଲା–ହିନ୍ଦୁ ଓ ମୁସଲମାନ ଦୁଇଟି ସ୍ଵତନ୍ତ୍ର ଜାତି-

 

ହିନ୍ଦୁମାନଙ୍କ ମଧ୍ୟରେବି ଜାତିଭିତ୍ତିକ ସଂଗଠନସବୁ ଆପାତ ସାର୍ବଜନୀନ ଗଣତାନ୍ତ୍ରିକ ପତାକାର ଅନ୍ତରାଳରେ ପରିସ୍ଫୁଟ ହେବାକୁ ଲାଗିଲା । ଏଗୁଡ଼ିକ ମଧ୍ୟରେ ଉଲ୍ଲେଖଯୋଗ୍ୟ ଏନ୍. ଟି. ୟୁ. ଏଫ୍. ନେତୃବର୍ଗ ସମର୍ଥିତ ଓ ପ୍ରଧାନତଃ ନିମ୍ନ ଜାତିର ଶ୍ରମିକମାନଙ୍କୁ ନେଇ ଗଠିତ ଡକ୍ଟର ଆମ୍ବେଦକରଙ୍କ ବମ୍ବେସ୍ଥିତ ସ୍ଵାଧୀନ ଶ୍ରମିକଦଳ, ଏବଂ ବ୍ରାହ୍ମଣ–କର୍ତ୍ତୃତ୍ଵାଧୀନ କଂଗ୍ରେସଦଳ–ବିରୋଧୀ ମାନ୍ଦ୍ରାଜର ପୁନରାଭ୍ୟୁଦିତ ଜଷ୍ଟିସ୍‍ଦଳ । ଅନ୍ୟାନ୍ୟ ଅଞ୍ଚଳରେ ଅନୁରୂପ ଦଳସବୁର ଉଦ୍ଭବ ଘଟିଥିଲା । ହିନ୍ଦୁ ମହାସଭା ତ ସେତେବେଳକୁ ପ୍ରତିଷ୍ଠିତ ହୋଇଯାଇଥିଲା । ୧୯୩୫ ପ୍ରାକ୍‍କାଳରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରୂପ ନେଲା । ପରବର୍ତ୍ତୀ ସମୟରେ ହିନ୍ଦୁ ସାମ୍ପ୍ରଦାୟିକତାବାଦୀମାନେ ହିନ୍ଦୁ–ମୁସଲିମ ସମ୍ପର୍କକୁ ଆହୁରି ତିକ୍ତ କରିଦେଇଥିଲେ । ମୁସଲମାନ ସାମ୍ପ୍ରଦାୟିକତାବାଦୀଙ୍କ ହିନ୍ଦୁ–ମୁସଲମାନ ସ୍ଵତନ୍ତ୍ରତା ପତ୍ୟାଖ୍ୟାନମୂଳକ ନୀତି ସହିତ ଟକ୍କର ଦେଇ ସେମାନେ ମଧ୍ୟ ଅନୁରୂପ ଅସିଦ୍ଧ ନୀତି ପ୍ରଚାର କଲେ । ହିନ୍ଦୁମାନେ କେବଳ ଭାରତୀୟ; ଅନ୍ୟ ଧର୍ମାବଲମ୍ବୀମାନେ ବିଜାତୀୟ । ଏହି ସାମ୍ପ୍ରଦାୟିକ ନୀତି ପରିଣତରେ ଭାରତୀୟମାନଙ୍କୁ ବିଭକ୍ତ କରିଥିଲା ଏବଂ ବିଦେଶୀ ଶାସନ ବିରୁଦ୍ଧରେ ସଂଗ୍ରାମକୁ ଦୁର୍ବଳ କରିଥିଲା । ତାହାଛଡ଼ା ଉଭୟ ହିନ୍ଦୁ, ମୁସଲମାନ ସାମ୍ପ୍ରଦାୟିକତାବାଦୀଗଣ ତାଙ୍କର ଅନୁଚରବର୍ଗଙ୍କୁ କଂଗ୍ରେସ ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଲଗାଇ ଦେଇଥିଲେ । କିନ୍ତୁ ବିଦେଶୀ ଶାସକ ପ୍ରତି ସେମାନଙ୍କ ଦୃଷ୍ଟିଭଙ୍ଗୀ ଥିଲା ଆନୁଗତ୍ୟ ଓ ସହଯୋଗସୂଚକ । ଯେତେବେଳେ ବ୍ରିଟିଶ ସରକାର କଂଗ୍ରେସ ଏବଂ ଅନ୍ୟ ଜାତୀୟତାବାଦୀ ସଂଗଠନଗୁଡ଼ିକୁ ଆକ୍ରମଣ କରୁଥିଲେ, ଏହି ଦୁଇ ସାମ୍ପ୍ରଦାୟିକ ଗୋଷ୍ଠୀ କର୍ତ୍ତୃପକ୍ଷଙ୍କ ସହିତ ସେଥିରେ ସହାୟତା କରୁଥିଲେ ।

 

୧୯୩୯ ପରେ ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇଲା । ଏଥିପାଇଁ କଂଗ୍ରେସର ଆପୋସ ମୀମାଂସା–ବିରୋଧୀ ମନୋଭାବ ଯେତେଟା ଦାୟୀ ନୁହେଁ, ତତୋଽଧିକ ଦାୟୀ ଥିଲା ବ୍ରିଟିଶ ଶାସନ ନୀତି ଏବଂ ଭାରତୀୟ ସାମ୍ପ୍ରଦାୟିକ ତଥା ଆଞ୍ଚଳିକ ଭାବଧାରାର ପ୍ରତିକ୍ରିୟାଶୀଳ ମନୋବୃତ୍ତି । ପ୍ରତିନିଧିମୂଳକ ଶାସନ କ୍ଷେତ୍ରରେ ଆନୁପାତିକ ବୃଦ୍ଧି ଚାହିଁବା ସଙ୍ଗେ ସଙ୍ଗେ ବ୍ରିଟିଶ ନୀତିର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା ସମ୍ପତ୍ତିବାନ ନାଗରିକ, ଧନୀ କୃଷକ ଏବଂ ଅଗଣତାନ୍ତ୍ରିକ ରକ୍ଷଣଶୀଳ ଗୋଷ୍ଠୀର ମୁଷ୍ଟିମେୟ ଲୋକଙ୍କୁ ଶାସନ କ୍ଷମତା ହାସଲ କରିବା ଦିଗରେ ଉତ୍ସାହ ପ୍ରଦାନ କରିବା । ଏହି ଶ୍ରେଣୀର ଲୋକେ ହିନ୍ଦୁ ମୁସଲମାନ ଉଭୟ ପକ୍ଷର ଆଞ୍ଚଳିକତା ଓ ସାମ୍ପ୍ରଦାୟିକତାବାଦୀଙ୍କୁ ହାତକରି ସରକାରଙ୍କ ଭେଦନୀତିର ତାଳେ ତାଳେ ମାଙ୍କଡ଼ନାଚ କରିଥିଲେ-

 

ଯେଉଁସବୁ ପ୍ରଦେଶରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଶାସନ ଦାୟିତ୍ଵ ଗ୍ରହଣ କରିଥିଲେ, ସେଠାରେ ସରାକରଙ୍କ ପକ୍ଷରୁ କେତେକ ସଂସ୍କାର ପ୍ରବର୍ତ୍ତନ କରାଯାଇଥିଲା; ଯଥା–ଶ୍ରମିକ ବିବାଦ ସାଲିସ୍ କରିବା, ହରିଜନଙ୍କ ଅବସ୍ଥାର ଉନ୍ନତି କରିବା, ପ୍ରାଥମିକ ଶିକ୍ଷାର ବ୍ୟାପକ ପ୍ରସାର କରିବା ଏବଂ ଶିଳ୍ପାଞ୍ଚଳୀୟ ସହର ନିକଟରେ ଶସ୍ତା ମଦ ବିକ୍ରିକୁ ନିୟନ୍ତ୍ରଣ କରିବା ଇତ୍ୟାଦି । ମାନ୍ଦ୍ରାଜରେ କଂଗ୍ରେସ ମନ୍ତ୍ରିମଣ୍ଡଳ ନିଶାନିବାରଣ ଆରମ୍ଭ କରିଥିଲେ । ଏହିଠାରୁ ପରବର୍ତ୍ତୀକାଳରେ ନିଶାନିବାରଣ କଂଗ୍ରେସ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିଲା । ମାନ୍ଦ୍ରାଜ ସରକାର ମଧ୍ୟ ଶ୍ରମିକ–ବିବାଦପାଇଁ ଏକ ତ୍ରିପକ୍ଷୀୟ ସମାଧାନ ପନ୍ଥା ପ୍ରବର୍ତ୍ତନ କରିଥିଲେ, ଯଦ୍ଦ୍ୱାରା ମାଲିକ ଓ ଶ୍ରମିକସଂଘ ମଧ୍ୟରେ ଉପୁଜିଥିବା ବିରୋଧର ସମାଧାନ ପାଇଁ ସରକାର ମଧ୍ୟସ୍ଥତା କରୁଥିଲେ । ଏପରିକି ସ୍ଵାଧୀନତାପ୍ରାପ୍ତି ପରେ ମଧ୍ୟ ଏହି ପଦ୍ଧତି ଶ୍ରମ ସଂକ୍ରାନ୍ତୀୟ ବ୍ୟାପାରରେ ଗୁରୁତ୍ଵ ଲାଭ କରିଛି । ଏହି ନୀତିରେ ପାରସ୍ପରିକ ଦର କଷାକଷି ପଦ୍ଧତିରେ ଶ୍ରମ–ବିବାଦ ସବୁ ସମାଧାନ କରିବାପାଇଁ ଏକ ନିଃସ୍ଵାର୍ଥପର ପ୍ରଚେଷ୍ଟା କରାଯାଇଥିଲା । ଏହା ଶ୍ରମିକ–ସଂଘଗୁଡ଼ିକର ରାଜନୈତିକ ଶକ୍ତି ବର୍ଦ୍ଧିତ କରିଥିଲା ସତ, କିନ୍ତୁ ସେମାନେ ଶିଳ୍ପକ୍ଷେତ୍ରରେ ସହମତ ପ୍ରତିଷ୍ଠାମୂଳକ ନିବେଦନ ପ୍ରତି ମାନ୍ୟତା ଦେଖାଇବାକୁ ବାଧ୍ୟ ହୋଇଥିଲେ । ବାମ–ପନ୍ଥୀ–ଶ୍ରମିକ–ସଂଘଗୁଡ଼ିକ ଏହା ଶ୍ରମିକ ଓ ମାଲିକ ଶ୍ରେଣୀର ସହଯୋଗ ସ୍ଥାପନପୂର୍ବକ ପୁଞ୍ଜିବାଦୀ ପଦ୍ଧତିର ସୁରକ୍ଷା କରୁଛି ବୋଲି ସମାଲୋଚନା କରିଥିଲେ । ସ୍ଥୂଳତଃ ୧୯୩୭ରୁ ୧୯୩୯ କାଳୀନ କଂଗ୍ରେସ ମନ୍ତ୍ରିମଣ୍ଡଳର ନିଧାର୍ଯ୍ୟ ଅବଦାନ ଥିଲା ଦକ୍ଷିଣପନ୍ଥୀ ଓ ଉଦାର–ପନ୍ଥୀ ଜାତୀୟତାବାଦୀ ନେତାମାନେ ଗାନ୍ଧୀବାଦୀ ନୀତିର ପ୍ରବର୍ତ୍ତନ କରିଥିଲେ, ଯାହାକି ସ୍ଵାଧୀନତା ପରବର୍ତ୍ତୀ କାଳରେ ମଧ୍ୟ ପ୍ରଥମାବସ୍ଥାରେ ଭାରତ ସରକାରଙ୍କ ଶାସନ–ନୀତିର ଧର୍ମସ୍ୱରୂପ ଗୃହୀତ ହୋଇଥିଲା ।

 

ଉତ୍ତର–ପଶ୍ଚିମ ସୀମାନ୍ତ ପ୍ରଦେଶ, ପଞ୍ଜାବ, ସିନ୍ଧୁ, ବଙ୍ଗଳା ଓ ଆସାମ ପ୍ରଦେଶକୁ ନେଇ ପାକିସ୍ଥାନ ଗଠନପାଇଁ ୧୯୩୫ରେ ଦାବି କରାଯାଇଥିଲା । କିନ୍ତୁ ନିର୍ବାଚନରେ ଏହି ଅଞ୍ଚଳରେହିଁ ମୁସଲିମ ଲିଗ୍ ସଫଳ ହୋଇପାରି ନଥିଲା; ବରଂ ମୁସଲମାନମାନେ ସଂଖ୍ୟାଲଘୁ ହେଲେବି ଉତ୍ତର–ପ୍ରଦେଶ ପରି ସ୍ଥାନରେ ଏହା କୃତକାର୍ଯ୍ୟ ହୋଇଥିଲା । ଯଦି ୧୯୩୭ ନିର୍ବାଚନରୁ କଂଗ୍ରେସ ଉପଯୁକ୍ତ ଶିକ୍ଷା ଗ୍ରହଣ କରିଥାନ୍ତା, ତାହାହେଲେ ସେମାନେ ଠିକ୍ ବୁଝିପାରିଥାନ୍ତେ ଯେ ବହୁ ମୁସଲମାନଙ୍କ ସମର୍ଥନ ହରାଇବାର ଏକମାତ୍ର କାରଣ ଥିଲା ଆଞ୍ଚଳିକ ସଂଖ୍ୟାଲଘୁ ଧର୍ମ ସଂପ୍ରଦାୟ ଭୟ କରୁଥିଲେ ଯେ ସଂଖ୍ୟାଗରିଷ୍ଠ ଧର୍ମ ସମ୍ପ୍ରଦାୟ ଅର୍ଥାତ୍ ହିନ୍ଦୁମାନେ ପ୍ରାଦେଶିକ ଶାସନ କ୍ଷେତ୍ରରେ ସଂଖ୍ୟାଗରିଷ୍ଠତା ବଳରେ ଅନ୍ୟମାନଙ୍କୁ ନିଶ୍ଚିହ୍ନ କରିଦେବେ । କଂଗ୍ରେସ ସେତେବେଳେ ବୁଝିପାରି ନଥିଲା ଯେ, ଯେକୌଣସି ଦେଶରେ ସଂଖ୍ୟାଲଘୁ ଗୋଷ୍ଠୀ ମନରେ ଏପରି ଆଶଙ୍କା ହେବା ଖୁବ୍ ସ୍ଵାଭାବିକ ଏବଂ ଭାରତରେ ଏହି ଆଶଙ୍କା କଂଗ୍ରେସର ଭିତରେ ତଥା ବାହାରେ ପ୍ରଚଳିତ ସାମ୍ପ୍ରଦାୟିକ ଭାବଧାରାଦ୍ଵାରା ପରିବର୍ଦ୍ଧିତ ହୋଇଥିଲା । ଅନେକ କଂଗ୍ରେସ ନେତା ବିଚାରିଥିଲେ, ଏହି ପରିସ୍ଥିତିର ସମୁଚିତ ପ୍ରତିବିଧାନ ହେବ ନିଜ ଦଳ ଭିତରେ ସାମ୍ପ୍ରଦାୟିକ ଭାବ ଦୂରୀକରଣ ନିମିତ୍ତ ଦୃଢ଼ ବ୍ୟବସ୍ଥା ଗ୍ରହଣ, ସମ୍ବେଦନଶୀଳ ବନ୍ଧୁତାପୂର୍ଣ୍ଣ ବ୍ୟବହାରଦ୍ୱାରା ସାମ୍ରାଜ୍ୟବାଦ–ବିରୋଧୀ ନିର୍ଦ୍ଦଳୀୟ ମୁସଲମାନଙ୍କ ହୃଦୟ ଜୟ ଓ ଶିକ୍ଷାଦାନ, ଏବଂ ସାମନ୍ତବାଦ ବିରୁଦ୍ଧରେ କୃଷକ ସମାଜକୁ ସଙ୍ଗଠିତ କରିବାପାଇଁ ପ୍ରବଳ ପ୍ରଚେଷ୍ଟା ।

 

୧୯୩୭ ମାର୍ଚ୍ଚରେ ମୁସଲମାନଙ୍କ ସହିତ ସମ୍ପର୍କ ବଢ଼ାଇ ସେମାନଙ୍କୁ ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମ ପ୍ରତି ଆକୃଷ୍ଟ କରିବାପାଇଁ କଂଗ୍ରେସର ଏକ ସ୍ଵତନ୍ତ୍ର ଶାଖା ଗଠନ କରିବାକୁ ନେହେରୁ ଘୋଷଣା କଲେ । ଏହା ଫଳରେ କଂଗ୍ରେସ ସହିତ ସହଯୋଗ କରିବାକୁ ମଜଲିସି–ଇ–ଆହୂରର ଓ ଜାମାଇତ–ଉଲେମା–ଇ–ହିନ୍ଦ୍ ପରି ଉତ୍ତରଭାରତର ମୁସଲମାନ ଧର୍ମ–ସଙ୍ଗଠନଗୁଡ଼ିକ ଆଗେଇ ଆସିଥିଲେ । କିନ୍ତୁ କଂଗ୍ରେସର ଏହି ଗଣ–ସମ୍ପର୍କ ପ୍ରତିଷ୍ଠା ଯୋଜନା ସବୁଶ୍ରେଣୀର ନିର୍ଯାତିତ ଲୋକଙ୍କୁ ସଙ୍ଗଠିତ କରିବା ଦିଗରେ ନେତୃବର୍ଗଙ୍କ ଅକ୍ଷମତା ହେତୁ ବିଫଳ ହୋଇଯାଇଥିଲା ।

 

କିନ୍ତୁ ଏହି ଯୋଜନା ଲିଆକତ ଅଲି ଖାଁଙ୍କ ପରି ପଶ୍ଚିମ ଉତ୍ତର–ପ୍ରଦେଶର ଧନଶାଳୀ ଭୂମ୍ୟାଧିକାରୀଙ୍କ ମନରେ ଏପରି ଭୟ ଜାତ କରିଥିଲା ଯେ ସେ ଅଚିରେ ଜିନ୍ନାଙ୍କର ଜଣେ ସଚ୍ଚା ସମର୍ଥକ ହୋଇପଡ଼ିଲେ । କଂଗ୍ରେସର କ୍ରାନ୍ତିକାରୀ କୃଷି ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ସେମାନଙ୍କ ସାମନ୍ତବାଦୀ ସିଂହାସନର ମର୍ଯ୍ୟାଦାହାନି କରିବ ଏବଂ ମୁସଲମାନମାନଙ୍କ ମଧ୍ୟରେ ସାମ୍ରାଜ୍ୟବାଦ ବିରୋଧୀ ଭାବଧାରାର ଅଭିବୃଦ୍ଧି ଫଳରେ ସାମ୍ପ୍ରଦାୟିକ ନେତାମାନଙ୍କ ପ୍ରତି ସରକାରଙ୍କ ଆଦର କମିଯିବ ବୋଲି ସେମାନେ ଏତେ ଭୟଭୀତ ହୋଇଯାଇଥିଲେ ।

 

କିନ୍ତୁ ସେହି ସାମ୍ପ୍ରଦାୟିକତାବାଦୀମାନେ ବାହାରକୁ ଏହି କାରଣ ଦର୍ଶାଇ କଂଗ୍ରେସର ବିରୋଧ କରି ନଥିଲେ । ସେମାନେ କେବଳ କଂଗ୍ରେସର ବିଫଳତା ସମ୍ପର୍କରେ ଅତିଶୟୋକ୍ତି ପ୍ରୟୋଗ କରିବାର ସୁଯୋଗ ନେଲେ । ବଙ୍ଗଳାରେ କୁହାଗଲା, କଂଗ୍ରେସ ଭୂମ୍ୟାଧିକାରୀଙ୍କ ସପକ୍ଷରେ ଦକ୍ଷିଣ–ପନ୍ଥୀ ନୀତି ଅବଲମ୍ବନ କରିଛି । ଉତ୍ତର–ପ୍ରଦେଶରେ କୁହାଗଲା, କଂଗ୍ରେସର ଗଣ–ସମ୍ପର୍କ ବୃଦ୍ଧି ଯୋଜନା ସଫଳ ହୋଇଛି ଏବଂ ଏହା କେବଳ ଧନୀକ ମୁସଲମାନଗୋଷ୍ଠୀକୁ ଦୁର୍ବଳ କରିଦେଇଛି । ୧୯୩୭ ଲକ୍ଷ୍ନୌ ଅଧିବେଶନରେ ସଭାପତି ଅଭିଭାଷଣରେ ଜିନ୍ନା ଘୋଷଣା କରିଥିଲେ ଯେ କଂଗ୍ରେସ ମନ୍ତ୍ରିମଣ୍ଡଳ ମୁସଲମାନମାନଙ୍କ ଅବିଚାର ଓ ଅତ୍ୟାଚାର କରୁଛି ।

 

ମୁସଲିମ ଲିଗ୍‍ ତା’ର ରାଜନୈତିକ କ୍ଷେତ୍ର ବିସ୍ତାରପାଇଁ ସକ୍ରିୟ କାର୍ଯ୍ୟକ୍ରମ ଗ୍ରହଣ କଲା-। ୧୯୩୮ ସୁଦ୍ଧା ୧୭୦ଟି ନୂଆ ଲିଗ୍ ଶାଖା ପ୍ରତିଷ୍ଠା କରାଯାଇଥିଲା । ସେଥିରୁ ୯୦ଟି ଥିଲା ଉତ୍ତର–ପ୍ରଦେଶରେ ଏବଂ ୪୦ଟି ଥିଲା ପଞ୍ଜାବରେ । କେବଳ ଉତ୍ତରପ୍ରଦେଶରେ ଲକ୍ଷେ ସଭ୍ୟ ସଂଗୃହୀତ ହୋଇଥିଲେ । ବାଙ୍ଗଳା ଦେଶର ଜଣେ ଐତିହାସିକ ପ୍ରଫେସର୍ ଏ. ଏଫ. ସଲାହୁଦ୍ଦିନ ୧୯୪୦ରେ ପାକିସ୍ଥାନ ଦାବି ପ୍ରସଙ୍ଗରେ ଏହି ସମୟରେ ମୁସଲିମ ଲିଗ୍ ରାଜନୀତିର ଏକ ଯଥାର୍ଥ ମୂଲ୍ୟାୟନ କରିଛନ୍ତି । ବାଙ୍ଗଳା ଦେଶ ସମ୍ପର୍କରେ ୧୯୭୨ ଏପ୍ରିଲରେ କଲିକତାଠାରେ ଅନୁଷ୍ଠିତ ହୋଇଥିବା ୟୁଜିସି ପକ୍ଷରୁ ଏକ ସେମିନାରରେ ଗୋଟିଏ ଗୋଟିଏ ପ୍ରବନ୍ଧ ଉପସ୍ଥାପନ କରି ଲେଖିଛନ୍ତି–“ଯେଉଁ ଆନ୍ଦୋଳନ ପାକିସ୍ଥାନ ସୃଷ୍ଟିପାଇଁ ଅଗ୍ରଣୀ ହୋଇଥିଲା, ତାହା ଆଦୌ ଏକ ଧାର୍ମିକ ଆନ୍ଦୋଳନ ନଥିଲା । …..ମନେ ହୁଏ ଏହି ଆନ୍ଦୋଳନକୁ ପ୍ରଭାବଶାଳୀ କରିବା ଦିଗରେ ଗୁରୁତ୍ଵପୂର୍ଣ୍ଣ କାରଣ ଥିଲା ରାଜନୀତି କ୍ଷେତ୍ରରେ ହିନ୍ଦୁମାନଙ୍କ ପ୍ରଭୁତ୍ଵ ଫଳରେ ମୁସଲମାନ ସମ୍ପ୍ରଦାୟର ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ସ୍ୱାର୍ଥ ବିଘ୍ନିତ ହେବାର ଆଶଙ୍କା । ଯଦିଓ ଇସଲାମ ପରମ୍ପରାରେ ରାଜନୀତି ଓ ଧର୍ମ ଅବିଚ୍ଛେଦ୍ୟ ରହିଥିଲା, କିନ୍ତୁ ସମସାମୟିକ ମୁସଲମାନ ସମାଜରେ ଏହା ଆଉ ସ୍ଵୀକୃତ ନୁହେଁ । ...ଆନ୍ଦୋଳନର ନେତାମାନଙ୍କ ମଧ୍ୟରୁ କାହାର ବୋଧେ ଇସଲାମ ପରମ୍ପରା ସହିତ ଗଭୀର ଯୋଗାଯୋଗ ନଥିଲା । ମୂଳତଃ ଏହି କାରଣରୁ ମଜଲିସ–ଇ–ଆହୂରର ଓ ଜମାଇତ ଉଲେମା–ଇ–ହିନ୍ଦ୍ ସଙ୍ଗଠନରେ ପ୍ରତିନିଧିତ୍ଵ କରିଥିବା ରକ୍ଷଣଶୀଳ ମୁସଲମାନଗୋଷ୍ଠୀ ଲିଗ୍‍କୁ ସମର୍ଥନ କରି ନଥିଲେ ଏବଂ ଏହାର ନେତୃବର୍ଗ ପ୍ରକୃତ ଇସଲାମ–ପନ୍ଥୀ ନୁହନ୍ତି ବୋଲି ମତ ପୋଷଣ କରିଥିଲେ । ଏହି ସବୁ ରକ୍ଷଣଶୀଳ ମୁସଲମାନ–ଧର୍ମଶାସ୍ତ୍ରଜ୍ଞଙ୍କ ବିରୋଧ ସତ୍ତ୍ୱେ (ଅବଶ୍ୟ ସବୁ ମୁସଲମାନ ଧର୍ମଶାସ୍ତ୍ରଜ୍ଞମାନେ ମୁସଲିମ ଲିଗ୍ ବିରୋଧୀ ନଥିଲେ) ମୁସଲିମ ଲିଗ୍ ମୁସଲମାନ ମଧ୍ୟ–ବିତ୍ତଶ୍ରେଣୀର ଏବଂ ତାଙ୍କ ଜରିଆରେ ସମଗ୍ର ମୁସଲମାନ ଜନତାର ସମର୍ଥନ ଲାଭ କରିଥିଲା । ସେମାନଙ୍କ ପକ୍ଷରେ ପାକିସ୍ଥାନ ଥିଲା ପ୍ରତିଦ୍ଵନ୍ଦ୍ୱିତାର ଭୟ ନଥାଇ ସର୍ବବିଧ ଉନ୍ନତିସାଧନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ।’’

 

ଦ୍ଵିତୀୟ ବିଶ୍ଵଯୁଦ୍ଧ

 

୧୯୩୯ ସେପ୍‍ଟେମ୍ବରରେ ଯେତେବେଳେ ଯୁଦ୍ଧ ଲାଗିଗଲା, ଭାରତୀୟ ନେତୃବର୍ଗ ମହାସଙ୍କଟରେ ପଡ଼ିଗଲେ । ସେମାନେ ଫାସିବାଦୀ ଦର୍ଶନ–ଯାହାକି ଜାତିଆଣ ମତାନ୍ଧତା ସହିତ ନିର୍ମାଣ ଏକଛତ୍ର ଶାସନ–କ୍ଷମତାର ପକ୍ଷପାତୀ, ତାହାର ସମ୍ପୂର୍ଣ୍ଣ ବିରୋଧୀ ଥିଲେ । ଏପରିକି ୧୯୩୯ ପୂର୍ବରୁ, ଯେତେବେଳେ ଫାସିବାଦ ତାହାର ଆକ୍ରମଣଶୀଳ ବିସ୍ତାରବାଦୀ କାର୍ଯ୍ୟକ୍ରମ ସହିତ ଏକ ରାଜନୈତିକ ଦର୍ଶନରୂପେ ଆତ୍ମପ୍ରକାଶ କରିଥିଲା, ଜବାହରଲାଲ ନେହେରୁଙ୍କ ପରି ଅନେକ ଭାରତୀୟ ନେତା ୟୁରୋପରେ ଏହାର ବିକାଶ ଦେଖି ବିବ୍ରତ ହୋଇପଡ଼ିଥିଲେ । କଂଗ୍ରେସ ସ୍ପଷ୍ଟ ଭାଷାରେ ଏହାର ନିନ୍ଦା କରିଥିଲା ଏବଂ ସ୍ପେନ, ଇଥିଓପିଆ ଓ ଜେକୋସ୍ଲୋଭାକିଆର ନିପୀଡ଼ିତ ଜନତାର ସପକ୍ଷରେ ସମର୍ଥ ଘୋଷଣା କଲେ । ଜାପାନର ଫାସିବାଦୀ ଆଭିମୁଖ୍ୟ ପ୍ରତି ମଧ୍ୟ ସେମାନେ ଅନୁରୂପ ଧାରଣା ପୋଷଣ କରିଥିଲେ ଏବଂ ଯେତେବେଳେ ଚୀନ ଆକ୍ରମିତ ହୋଇଥିଲା, ସେମାନେ ନ୍ୟାୟତଃ ଚୀନକୁ ସମର୍ଥନ କରି ଜାପାନକୁ ଆକ୍ରମଣକାରୀରୂପେ ଅଭିହିତ କରିଥିଲେ । ଅନ୍ୟପକ୍ଷରେ ସେମାନେ ମଧ୍ୟ ଥିଲେ ସାମ୍ରାଜ୍ୟବାଦ–ବିରୋଧୀ । ତେଣୁ ଯୁଦ୍ଧ ପ୍ରତି ସେମାନଙ୍କ ମନୋଭାବ ନିର୍ଭର କରିଥିଲା ଏହାର ଲକ୍ଷ୍ୟ ଓ ସାଧ୍ୟ ବସ୍ତୁ ଉପରେ । ସେମାନେ ବିଚାରିଥିଲେ ଯଦି ଏ ଯୁଦ୍ଧ ହୁଏ ଏସିଆ ଓ ଆଫ୍ରିକାର ରାଷ୍ଟ୍ରସମୂହ ଉପନିବେଶଗୁଡ଼ିକରେ ନିଜର ଭାଗ ଦାବି କରୁଥିବା ଫାସିବାଦୀ ନୂତନ ସାମ୍ରାଜ୍ୟବାଦୀଙ୍କ ମଧ୍ୟରେ; ତେବେ ଭାରତର ଏ ଯୁଦ୍ଧ ସହିତ କୌଣସି ସମ୍ପର୍କ ନାହିଁ । କିନ୍ତୁ ଯଦି ମିତ୍ରପକ୍ଷ ଫାସିବାଦୀଙ୍କ ବିରୁଦ୍ଧରେ ଯୁଦ୍ଧ କରିବାର ଆନ୍ତରିକ ସଦିଚ୍ଛା ଥାଏ ବିଶ୍ୱରେ ଗଣତନ୍ତ୍ରର ସୁରକ୍ଷା, ତେବେ ଭାରତ ତାହାର ସାଧ୍ୟମତେ ସମର୍ଥନ ପ୍ରଦାନ କରିବ । ଏଥିପାଇଁ ଅବଶ୍ୟ ମିତ୍ରପକ୍ଷ ଯାହା ପ୍ରଚାର କରୁଛନ୍ତି ତାହାର ବାସ୍ତବ ପ୍ରମାଣ ଦେବାକୁ ପଡ଼ିବ; ବିଶେଷଭାବେ, ବିଲାତ ଏହି ମୁହୂର୍ତ୍ତରେ ଭାରତକୁ ତାହାର ସାମ୍ରାଜ୍ୟବାଦୀ ଓ ଉପନିବେଶବାଦୀ ଶାସନରୁ ମୁକ୍ତି ଦେଇ ଏବଂ ସ୍ୱାୟତ୍ତ ଶାସନ ପ୍ରବର୍ତ୍ତନ ନିମନ୍ତେ ଯୁକ୍ତିଯୁକ୍ତ ଅନୁପାତରେ ଭାରତୀୟମାନଙ୍କ ହାତରେ ଶାସନ କ୍ଷମତା ପ୍ରଦାନ କରିବାକୁ ବ୍ୟବସ୍ଥା କରୁ ।

 

କିନ୍ତୁ ନେତୃବର୍ଗ ତଥା ଜନସାଧାରଣଙ୍କ ଏପରି ମନୋଭାବ ପ୍ରତି ବେଖାତିର କରି ଏହାର ସୁବିଚାର କରାଯାଇ ନଥିଲା । ୧୯୩୯ ସେପ୍‍ଟେମ୍ବର ୩ ତାରିଖରେ ଯୁଦ୍ଧ ଘୋଷିତ ହେବା ଫଳରେ ସ୍ଵାଭାବିକଭାବେ ଭାରତରେ ଯୁଦ୍ଧକାଳୀନ ଅବସ୍ଥା ସୃଷ୍ଟି ହୋଇଗଲା । ୧୯୩୫–ଭାରତ ଆଇନର କେନ୍ଦ୍ରୀୟ ଶାସନ ସଂକ୍ରାନ୍ତୀୟ ଅଂଶ କାର୍ଯ୍ୟକାରୀ ନ ହୋଇଥିବାରୁ ସାମ୍ବିଧାନିକ ଦୃଷ୍ଟିରୁ ଏହି ବ୍ୟାପାରରେ ବଡ଼ଲାଟଙ୍କ ସିଦ୍ଧାନ୍ତ ଆଇନସମ୍ମତ ଏବଂ ବୈଧ ହୋଇଥିଲା; କିନ୍ତୁ ଏହା ଆଦୌ ଭାରତୀୟ ଗଣ–ଚେତନାକୁ ସ୍ପର୍ଶ କରିପାରି ନଥିଲା । ଯାହାହେଲେବି ଏକ କେନ୍ଦ୍ରୀୟ ବିଧାନ ପରିଷଦ ଥିଲା ଏବଂ ପ୍ରଦେଶମାନଙ୍କରେ ଲୋକପ୍ରତିନିଧିମୂଳକ ସରକାର ଥିଲା । ଆଉ ମଧ୍ୟ ଦେଶରେ ସୁଗଠିତ ଓ ସ୍ଵୀକୃତ ରାଜନୈତିକ ଦଳମାନ ଥିଲା । ତା’ଛଡ଼ା ଏପରି କେତେକ ମାନ୍ୟଗନ୍ୟ ନେତା ଥିଲେ ଯେଉଁମାନଙ୍କ ସହିତ ପୂର୍ବେ ଅକାଳେ ସକାଳେ କୌଣସି ସମସ୍ୟା ଉପୁଜିଥିଲେ ସରକାର ପରାମର୍ଶ କରି ସମାଧାନର ଉପାୟ ସ୍ଥିର କରୁଥିଲେ । କିନ୍ତୁ ବର୍ତ୍ତମାନ ସରକାର କାହା ସହିତ ପରାମର୍ଶ କରି ନଥିଲେ । ଏହା ସବୁଠାରୁ ବେଶୀ ଦୁଃଖପ୍ରଦ ହେଉଥିଲା ଏଇଥିପାଇଁ ଯେ ଆଗତପ୍ରାୟ ଯୁଦ୍ଧ ପ୍ରତି ଭାରତୀୟ ନେତାମାନଙ୍କ ମତିଗତି ପୂର୍ବରୁ ଜାଣି ସୁଦ୍ଧା ସରକାର ସମ୍ପୂର୍ଣ୍ଣ ଅବହେଳା କରିଥିଲେ । ୧୯୩୯ରେ କେନ୍ଦ୍ରୀୟ ବିଧାନ ପରିଷଦର ଗ୍ରୀଷ୍ମକାଳୀନ ଅଧିବେଶନରେ ଏକ ନିରାପତ୍ତାମୂଳକ ବ୍ୟବସ୍ଥା ହିସାବରେ ମାଲୟ ଓ ଦୂର–ପ୍ରାଚ୍ୟକୁ ଭାରତୀୟ ସେନା ପ୍ରେରଣ ବିରୁଦ୍ଧରେ ପ୍ରତିବାଦ କରି କଂଗ୍ରେସଦଳ ସଭା ବର୍ଜନ କରିଥିଲେ ।

 

ତଥାପି ନେତାବର୍ଗ ଫାସିବାଦର ଦୃଢ଼ ବିରୋଧୀ ଥିବାରୁ ଯୁଦ୍ଧ ଘୋଷଣା ପ୍ରତି କଂଗ୍ରେସର ତାତ୍‍କ୍ଷଣିକ ପ୍ରତିକ୍ରିୟା ବିରୋଧହୀନ ହୋଇଥିଲା । ୧୯୩୯ ସେପ୍‍ଟେମ୍ବର ୧୪ରେ ଦଳର ଦୃଷ୍ଟିକୋଣ ସ୍ପଷ୍ଟଭାବେ ବ୍ୟାଖ୍ୟାନ କରି କଂଗ୍ରେସ ଏହିପରି ଏକ ଘୋଷଣା ଜାରି କରିଥିଲା :

 

“ଯଦି ଯୁଦ୍ଧର ଲକ୍ଷ୍ୟ ହୁଏ ସ୍ଥିତାବସ୍ଥାର ପ୍ରତିରକ୍ଷା; ଅର୍ଥାତ୍ ସାମ୍ରାଜ୍ୟବାଦୀଙ୍କ ଦଖଲ ସତ୍ତ୍ୱ, ଉପନିବେଶ, ସ୍ଵାର୍ଥ ଏବଂ ସ୍ୱାଚ୍ଛନ୍ଦ୍ୟରକ୍ଷା, ତେବେ ଭାରତର ଏହା ସହିତ କିଛି ସମ୍ବନ୍ଧ ରହିବ ନାହିଁ । କିନ୍ତୁ ଯଦି ଏହାର ସାଧ୍ୟ ହୁଏ ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ଭିତ୍ତିରେ ବିଶ୍ଵର ବିନ୍ୟାସକରଣ, ତେବେ ଭାରତ ଏଥିରେ ପ୍ରବଳଭାବେ ଆଗ୍ରହାନ୍ୱିତ ହେବ । ...ସ୍ଵାଧୀନ ଗଣତାନ୍ତ୍ରିକ ଭାରତବର୍ଷ ଆକ୍ରମଣ ବିରୁଦ୍ଧରେ ଏବଂ ଅର୍ଥନୈତିକ ସହଯୋଗିତା ପାଇଁ ଯେକୌଣସି ସ୍ଵାଧୀନ ରାଷ୍ଟ୍ର ସହିତ ପାରସ୍ପରିକ ପ୍ରତିରକ୍ଷା ବିଷୟରେ ଆନନ୍ଦର ସହିତ ଯୋଗଦାନ କରିବ । ...କିନ୍ତୁ ଏହି ସହଯୋଗିତା ପାରସ୍ପରିକ ମତ ବିନିମୟଦ୍ୱାରା ସମସ୍କନ୍ଧ ମଧ୍ୟରେ ପ୍ରତିଷ୍ଠା କରାଯିବ । ...ତେଣୁ କାର୍ଯ୍ୟକାରୀ କମିଟି ବ୍ରିଟିଶ ସରକାରଙ୍କୁ ଆହ୍ଵାନ ଜଣାଉଛି ଯେ ସେମାନେ ସ୍ପଷ୍ଟଭାଷାରେ ଗଣତନ୍ତ୍ର ଓ ସାମ୍ରାଜ୍ୟବାଦ ପ୍ରତି ଯୁଦ୍ଧର ଲକ୍ଷ୍ୟ କ’ଣ ଏବଂ ଏହାର ପୁରୋଦୃଷ୍ଟିରେ କି ନୂତନ ବ୍ୟବସ୍ଥା ବିଦ୍ୟମାନ; ବିଶେଷତଃ ଏହି ଲକ୍ଷ୍ୟ ଭାରତରେ କିପରିଭାବେ ପ୍ରଯୁଜ୍ୟ ହେବ ଏବଂ ବର୍ତ୍ତମାନ ପରିସ୍ଥିତିରେ କାର୍ଯ୍ୟକାରୀ କରାଯାଇପାରିବ, ତାହା ଘୋଷଣା କରନ୍ତୁ । ...କେବଳ ତାତ୍କାଳିକ ପ୍ରୟୋଗଦ୍ଵାରା ଯେକୌଣସି ଘୋଷଣାର ପ୍ରକୃତ ପରୀକ୍ଷା ସମ୍ଭବ ହୋଇଥାଏ….. ।’’

 

ଭାରତୀୟ ଦୃଷ୍ଟିକୋଣରୁ ବଡ଼ଲାଟଙ୍କ ଜବାବ ଆଦୌ ସନ୍ତୋଷଜନକ ହୋଇ ନଥିଲା । ମାସେ କାଳ ବେଳ ଗଡ଼ାଇ ୧୯୩୯ ଅକ୍‍ଟୋବର ୧୭ ତାରିଖରେ ବଡ଼ଲାଟ ଦୁଃଖ ପ୍ରକାଶପୂର୍ବକ ଜଣାଇଥିଲେ ଯେ ଯୁଦ୍ଧର ଲକ୍ଷ୍ୟ ସଂକ୍ରାନ୍ତରେ ବିଶଦ ବ୍ୟାଖ୍ୟା ପ୍ରଧାନମନ୍ତ୍ରୀଙ୍କଠାରୁ ଅଧିକ କିଛି ଦେବାକୁ ସେ ଅକ୍ଷମ । ତାତ୍କାଳିକ ପ୍ରମାଣସ୍ୱରୂପ ଶାସନ ପରିଷଦରେ ଅଧିକ ଭାରତୀୟ ସଦସ୍ୟ ଗ୍ରହଣ କରିବାକୁ ସେ ପ୍ରସ୍ତୁତ । ଯୁଦ୍ଧ ସମୟରେ ଭାରତୀୟମାନଙ୍କୁ ପ୍ରକୃତ କ୍ଷମତା ହସ୍ତାନ୍ତର କରିବା କାର୍ଯ୍ୟକାରୀ ହେବ ନାହିଁ ବୋଲି ପ୍ରଚାର କରାଯାଇଥିଲା । ଯାହାହେଉ, ନିଦାରୁଣଭାବେ ହତାଶ ଭାରତୀୟ ଜାତିପ୍ରତି କିଛି ସାନ୍ତ୍ଵନାପ୍ରଦ ବ୍ୟବସ୍ଥାର ପ୍ରତୀକସ୍ୱରୂପ ଗୋଟିଏ ଝୁଲନ୍ତ ମୂଳା ସେମାନଙ୍କ ଦୃଷ୍ଟି ସମ୍ମୁଖରେ ଏକ ନିରାପଦ ଦୂରତ୍ଵରେ ରଖାଯାଇଥିଲା । ଏହା ହେଲା–ଯୁଦ୍ଧ ପରେ ୧୯୩୫ ଆଇନରେ କି ସଂଶୋଧନ ଆବଶ୍ୟକ, ଯଦ୍ଦ୍ଵାରା ଭାରତ ବିଶାଳ ସାମ୍ରାଜ୍ୟ ମଧ୍ୟରେ ତା’ର ଉପଯୁକ୍ତ ସ୍ଥାନ ଗ୍ରହଣ କରିପାରେ, ତାହା ବିଭିନ୍ନ ଦଳ ଓ ଗୋଷ୍ଠୀ ସହିତ ପରାମର୍ଶ କରିବାକୁ ବିଲାତ ସରକାର ପ୍ରସ୍ତୁତ ରହିବେ ।

 

ଏଥିରୁ ଜଣାପଡ଼ିଥିଲା, କେବଳ ବର୍ତ୍ତମାନ ପରିସ୍ଥିତିରେ ବିଲାତ ସରକାର କ୍ଷମତା ହସ୍ତାନ୍ତର କରିବାକୁ ସମ୍ମତ ନୁହନ୍ତି, ସୁଦୂର ଭବିଷ୍ୟତରେ ମଧ୍ୟ ଭାରତ ପୂର୍ଣ୍ଣ ସ୍ଵାଧୀନତା ଲାଭ ନକରି ବ୍ରିଟିଶ ସାମ୍ରାଜ୍ୟ ମଧ୍ୟରେ ସ୍ଵୟଂ–ଶାସନ ଅଧିକାର ଲାଭ କରିପାରେ । ବଡ଼ଲାଟଙ୍କ ବିବୃତି କଂଗ୍ରେସଦ୍ଵାରା ଅଗ୍ରାହ୍ୟ ହୋଇଥିଲା, ଏବଂ, ତେଣୁ, କାର୍ଯ୍ୟକାରୀ କମିଟି ଅକ୍‍ଟୋବର ପୂର୍ବରୁ ଇସ୍ତଫା ଦେଇଦେବା ଲାଗି କଂଗ୍ରେସ ମନ୍ତ୍ରିମଣ୍ଡଳଗୁଡ଼ିକୁ ଆହ୍ଵାନ ଜଣାଇଥିଲା ।

 

ତଥାପି କଂଗ୍ରେସ ପକ୍ଷରୁ ସମ୍ପୂର୍ଣ୍ଣଭାବେ ଦ୍ଵାରରୁଦ୍ଧ କରାଯାଇ ନଥିଲା । ସେମାନଙ୍କ ବିବୃତିରେ ସୂଚିତ କରାଯାଇଥିଲା, ଯଦି ବିଲାତ ସରକାରଙ୍କ ନୀତି ଓ ମତିଗତି ପରିବର୍ତ୍ତିତ ହୁଏ, ପୁନରାୟ ସହଯୋଗିତାର ରାସ୍ତା ଖୋଲାରହିବ । ଏହି ବିବୃତିରେ କୁହାଯାଇଥିଲା–“ଏହି ପରିସ୍ଥିତିରେ କମିଟି ବିଲାତ ପ୍ରତି କୌଣସି ସମର୍ଥନ ପ୍ରକାଶ କରିବା ଅସମ୍ଭବ; କାରଣ ଏହାର ଅର୍ଥ ହେବ ସାମ୍ରାଜ୍ୟବାଦୀ ନୀତି ପ୍ରତି ଅନୁମୋଦନ... ।’’ ଏହିପରିଭାବେ ଭାରତ ପକ୍ଷରୁ ଏକ ସର୍ତ୍ତମୂଳକ ପ୍ରତିଶ୍ରୁତି ପ୍ରଦତ୍ତ ହୋଇଥିଲା ।

 

ଏପରିକି ବର୍ଷକ ପରେବି ଯେତେବେଳେ ୧୯୪୦ ଅକ୍‍ଟୋବରରେ ଗାନ୍ଧିଜୀ ପୁଣି ସତ୍ୟାଗ୍ରହ ଆନ୍ଦୋଳନ ଚଳାଇବାକୁ ବିଚାର କଲେ, ସେତେବେଳେ ସ୍ଥିର ହୋଇଥିଲା ଯେ ଏହି ଆନ୍ଦୋଳନ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସୀମିତ ରହିବ । ଏହା ମୂଳରେ ଉଦ୍ଦେଶ୍ୟ ଥିଲା ସରକାରଙ୍କ ଅନମନୀୟ ମନୋଭାବ ସତ୍ତ୍ୱେ ଗଣ–ଆନ୍ଦୋଳନଦ୍ଵାରା ଯୁଦ୍ଧ–ପ୍ରସ୍ତୁତିରେ ଗୁରୁତର ବ୍ୟାଘାତ ଘଟିବ ବୋଲି ଗାନ୍ଧିଜୀ ତଥା କଂଗ୍ରେସ ଏହା କରିବାକୁ ଚାହିଁ ନଥିଲେ । ସତ୍ୟାଗ୍ରହର ବାସ୍ତବ ଉଦ୍ଦେଶ୍ୟ ଥିଲା ଭାରତ ପୂର୍ଣ୍ଣପ୍ରାଣରେ ଯୁଦ୍ଧକୁ ସମର୍ଥନ କରୁଛି ବୋଲି ବ୍ରିଟିଶ ସରକାରଙ୍କ ଦାବିକୁ ଅସିଦ୍ଧ କରିବା । ବ୍ୟକ୍ତିଗତ ସତ୍ୟାଗ୍ରହର ଉଦ୍ଦେଶ୍ୟ ବୁଝାଇ ଗାନ୍ଧିଜୀ ବଡ଼ଲାଟଙ୍କ ପାଖକୁ ଲେଖିଥିଲେ–“ଯେକୌଣସି ବ୍ରିଟିଶ ନାଗରିକ ତୁଳନାରେ କଂଗ୍ରେସ ନାଜିବାଦର କମ୍ ବିରୋଧ କରେନା, କିନ୍ତୁ ନାଜିବାଦର ପରାଜୟ କାମନା ଚରିତାର୍ଥ କରିବାପାଇଁ କଂଗ୍ରେସକୁ ଏହି ଯୁଦ୍ଧ ସହିତ ଜଡ଼ିତ କରାଯାଇପାରେନା । ଯେହେତୁ ଆପଣଙ୍କ ଭାରତ ବ୍ୟାପାରର ସେକ୍ରେଟେରୀ ଅଫ୍ ଷ୍ଟେଟ୍‍ସ ଘୋଷଣା କରିଛନ୍ତି ଯେ ସମଗ୍ର ଭାରତ ସ୍ଵେଚ୍ଛାପ୍ରଣୋଦିତଭାବେ ଯୁଦ୍ଧ–ପ୍ରସ୍ତୁତିରେ ସାହାଯ୍ୟ କରୁଛି, ମୋ ପକ୍ଷରୁ ସ୍ପଷ୍ଟଭାବେ କହିଦେବା ଦରକାର ହେଉଛି ଯେ ଭାରତୀୟ ଜନତାର ଏକ ବୃହତ୍ ଅଂଶ ଏହି ବ୍ୟାପାରରେ ଆଦୌ ଆଗ୍ରହୀ ନୁହନ୍ତି । ସେମାନେ ନାଜିବାଦ ଏବଂ ଭାରତରେ ଚାଲିଥିବା ଦୋହରା ସ୍ୱୈରତନ୍ତ୍ର ମଧ୍ୟରେ କୌଣସି ପ୍ରଭେଦ ଦେଖନ୍ତି ନାହିଁ ।’’

 

୧୯୪୦ ଅକ୍‍ଟୋବରରେ ଏହି ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ପ୍ରଥମ ସତ୍ୟାଗ୍ରହୀ ନେତାରୂପେ ଗାନ୍ଧିଜୀ ବିନୋବା ଭାବେଙ୍କୁ ନିର୍ବାଚିତ କରିଥିଲେ ।

 

କ୍ରିପ୍‍ସ–ମିଶନ

 

୧୯୪୧ ସୁଦ୍ଧା ୟୁରୋପରେ ଯୁଦ୍ଧ ଚରମ ସୀମା ସ୍ପର୍ଶ କରିଥିଲା । ବ୍ରିଟେନ–ଯୁଦ୍ଧରେ ହାରିଲେ ସୁଦ୍ଧା ପୋଲାଣ୍ଡ, ବେଲଜିୟମ, ହଲାଣ୍ଡ, ନରଉଏ ଏବଂ ଫ୍ରାନ୍‍ସ ତଥା ପୂର୍ବ–ୟୁରୋପର ଅଧିକାଂଶ କ୍ଷେତ୍ର ଦଖଲ କରି ୧୯୪୧ ଜୁନ୍‍ରେ ଜର୍ମାନ ରୁଷିଆ ଆକ୍ରମଣ କଲା । ଡିସେମ୍ବର ମାସରେ ହଠାତ୍ ପାର୍ଲ ହାରବୋର ଉପରେ ଆକ୍ରମଣ ଚଳାଇ ଜାପାନ ଯୁଦ୍ଧରେ ଅବତୀର୍ଣ୍ଣ ହେଲା-। ଏହିପରିଭାବେ ୧୯୪୧ ଶେଷ ସୁଦ୍ଧା ଯୁକ୍ତରାଷ୍ଟ୍ର ଓ ସୋଭିଏଟ ସଂଘ ପୂର୍ଣ୍ଣମାତ୍ରାରେ ଜଡ଼ିତ ହୋଇ ମିତ୍ରପକ୍ଷ ତରଫରୁ ଯୁଦ୍ଧରେ ଯୋଗ ଦେବା ସଙ୍ଗେ, ପୃଥିବୀର ପ୍ରାୟ ସବୁ ପ୍ରାନ୍ତରେ ଆନୁପାତିକଭାବେ ଯୁଦ୍ଧର ପ୍ରଳୟାଗ୍ନି ଜଳିଉଠିଥିଲା । କିନ୍ତୁ ଏହାଦ୍ଵାରା ଯୁଦ୍ଧର ଆଶୁ ଅବସାନ ଘଟିବ ବୋଲି ଜଣାପଡ଼ି ନଥିଲା । ଅନ୍ୟପକ୍ଷରେ ଏସୀୟ ମଞ୍ଚରେ ସମସ୍ତ ପ୍ରାଥମିକ ସଫଳତା ଲାଭ କରିଥିଲା ଜାପାନ । ଦେଖୁଦେଖୁ ଫିଲିପିନସ, ଇଣ୍ଡୋଚୀନ, ଇଣ୍ଡୋନେସୀୟା, ମାଲୟ ଓ ବର୍ମା ପରାଜିତ ହୋଇଥିଲେ । ୧୯୪୨ ମାର୍ଚ୍ଚରେ ଜାପାନ–ବାହିନୀ ରେଙ୍ଗୁନ ଦଖଲ କଲେ-। ଭାରତର ସୀମାନ୍ତରେ ପ୍ରତ୍ୟକ୍ଷ ବିପଦ ଘନେଇ ଆସିଥିଲା ।

 

ବର୍ତ୍ତମାନ ବ୍ରିଟେନ କେବଳ ଜାପାନର ଗତି ପ୍ରତିରୋଧ କରିବାକୁ ନୁହେଁ, ଯୁଦ୍ଧର ସର୍ବାଙ୍ଗୀନ ସଫଳତା ପାଇଁ ଭାରତର ସମ୍ପୂର୍ଣ୍ଣ ଓ ସକ୍ରିୟ ସହଯୋଗ ପାଇବାକୁ ବ୍ୟାକୁଳ ହୋଇପଡ଼ିଲା । ଏହି ସହଯୋଗ ହାସଲ କରିବାପାଇଁ ଭାରତକୁ ଭବିଷ୍ୟତ ପାଇଁ କିଛି ନିଧାର୍ଯ୍ୟ ପ୍ରତିଶ୍ରୁତି ଏବଂ ବର୍ତ୍ତମାନ ପାଇଁ ଅଧିକ ପରିମାଣରେ ସ୍ୱାୟତ୍ତ– ଶାସନାଧିକାର ଦେବାର ଆବଶ୍ୟକତା ବ୍ରିଟିଶ ସରକାର ଉପଲବ୍ଧି କରିଥିଲେ । ସେହି ଅନୁସାରେ ବ୍ରିଟିଶ ସରକାର ଗୋଟିଏ ଚିଠା–ଘୋଷଣାପତ୍ର ସହିତ ସାମରିକ ମନ୍ତ୍ରିପରିଷଦର ସଦସ୍ୟ ସାର୍ ଷ୍ଟାଫୋର୍ଡ଼ କ୍ରିପ୍‍ସଙ୍କୁ ଭାରତୀୟ ସମସ୍ୟା ସଂକ୍ରାନ୍ତରେ ବହୁଦିନ ଧରି ନିଜକୁ ଅଭିନିବିଷ୍ଟ କରିଥିଲେ ଏବଂ ଭାରତୀୟଙ୍କ କାମନା ପ୍ରତି ପକ୍ଷପାତୀ ଥିଲେ ବୋଲି ପରିଚିତ ହୋଇଥିଲେ । ନେହେରୁ ତାଙ୍କୁ ବ୍ୟକ୍ତିଗତଭାବେ ଜାଣିଥିଲେ । କିନ୍ତୁ ସେ ଆଣିଥିବା ଚିଠା ଘୋଷଣାପତ୍ରରେ ଅନୁମୋଦନୀୟ ବିଷୟ–ବସ୍ତୁ ପ୍ରାୟ କିଛି ନଥିଲା । ଯୁଦ୍ଧପରେ ଭାରତକୁ ସ୍ଵୟଂ–ଶାସନ ମର୍ଯ୍ୟାଦା ଦାନ ଏବଂ ଇଚ୍ଛାନୁସାରେ ସାମ୍ରାଜ୍ୟରୁ ବିଚ୍ଛିନ୍ନ ହେବାର ଅଧିକାର ଏଥିରେ ବିହିତ ହୋଇଥିଲା । ଗଣ୍ଡଗୋଳ ମେଣ୍ଟିଗଲେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାପାଇଁ ଏକ ନିର୍ବାଚନ ପରିଷଦ ଗଠିତ ହେବାର ବ୍ୟବସ୍ଥା ଥିଲା । ଏହି ପରିଷଦ ଉଭୟ ବ୍ରିଟିଶ–ଭାରତ ଓ ଦେଶୀୟରାଜ୍ୟର ସଦସ୍ୟମାନଙ୍କୁ ନେଇ ଗଠିତ ହେବ । ବ୍ରିଟିଶ–ଭାରତର ସଦସ୍ୟମାନେ ପ୍ରାଦେଶିକ ବିଧାନସଭାର ନିମ୍ନକକ୍ଷଦ୍ଵାରା ନିର୍ବାଚିତ ହେବେ ଏବଂ ଦେଶୀୟ ରାଜ୍ୟର ପ୍ରତିନିଧିମାନେ ରାଜାମାନଙ୍କଦ୍ଵାରା ମନୋନୀତ ହେବେ । ପରିଷଦଦ୍ଵାରା ପ୍ରଣୀତ ସମ୍ବିଧାନ ସ୍ଵୀକାର କରିବାକୁ ଏବଂ ଭାରତ ସହିତ ଚୁକ୍ତିବଦ୍ଧ ହେବାକୁ ବ୍ରିଟିଶ ସରକାର ରାଜି ହୋଇଥିଲେ । କିନ୍ତୁ ସେଥିରେ ଗୋଟିଏ ବ୍ୟବସ୍ଥା ଥିଲା ଯେକୌଣସି ପ୍ରଦେଶ ଇଚ୍ଛା କଲେ ଭାରତଠାରୁ ବିଚ୍ଛିନ୍ନ ହୋଇ ସିଧାସଳଖ ବ୍ରିଟେନ ସହିତ ଆଲୋଚନା କରିପାରେ । ଯୁଦ୍ଧକାଳରେ ସମ୍ବିଧାନର ପରିବର୍ତ୍ତନ ପାଇଁ ପ୍ରସ୍ତାବ କରାଯାଇ ନଥିଲା; କିନ୍ତୁ ଆଶା କରାଯାଇଥିଲା ଯେ ଗୋଟିଏ ‘ଜାତୀୟ–ସରକାର’ ପ୍ରତିଷ୍ଠା ଦିଗରେ ଭାରତୀୟ ଦଳ ସମୂହ ଏବଂ ନେତୃବୃନ୍ଦ ସହଯୋଗିତା କରିବେ । ପ୍ରତିରକ୍ଷା ବ୍ୟାପାରରେ ସମସ୍ତ ସାମରିକ ବିଷୟ ପୂର୍ବବତ୍ ବ୍ରିଟିଶ ସେନାଧିନାୟକ ଦେଖାଶୁଣା କରିବେ; କିନ୍ତୁ ଜଣେ ଭାରତୀୟଙ୍କୁ ପ୍ରତିରକ୍ଷା ସଦସ୍ୟରୂପେ ଗ୍ରହଣ କରାଯିବ ।

 

ଏହି ଘୋଷଣାପତ୍ର ପ୍ରାୟ ପ୍ରତ୍ୟେକ ଦଳଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଥିଲା, ଯଦିଓ ଏହାର ହେତୁ ଥିଲା ସମସ୍ତଙ୍କଠାରେ ଭିନ୍ନ ଭିନ୍ନ ଏବଂ ଅନେକତ୍ର ପରସ୍ପର ବିରୋଧୀ । କଂଗ୍ରେସ କଦାପି କୌଣସି ପ୍ରଦେଶ ବିଚ୍ଛିନ୍ନ ରହିବା ନୀତିକୁ ସ୍ଵାଗତ କରି ନଥାନ୍ତା । ଯାହାର, କାର୍ଯ୍ୟକାରୀ କମିଟି ଗଣତାନ୍ତ୍ରିକ ଆତ୍ମ–ନିର୍ଦ୍ଧାରଣ ନୀତିକୁ ସ୍ଵୀକାର କରିଥିଲେ । ତେଣୁ କମିଟି ସୀମା–ବହିର୍ଭୂତ ହୋଇ ପ୍ରସ୍ତାବ ଆଣିଥିଲେ ଯେ–“କମିଟି ବିଚାର କରେନା ଯେକୌଣସି ଅଞ୍ଚଳର ଲୋକମାନଙ୍କ ଘୋଷିତ ପ୍ରତିଷ୍ଠିତ ମତର ବିରୁଦ୍ଧାଚରଣ କରି ସେମାନଙ୍କୁ ଭାରତୀୟ ସଂଘ ମଧ୍ୟରେ ରହିବାକୁ ବାଧ୍ୟ କରାଯିବା ବାଞ୍ଛନୀୟ ।’’ ଆହୁରି ମଧ୍ୟ କଂଗ୍ରେସ ନିର୍ବାଚକ–ପରିଷଦରେ ଅ–ପ୍ରତିନିଧିସ୍ଥାନୀୟ ବ୍ୟକ୍ତିମାନଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲା । କିନ୍ତୁ ସର୍ବତୋଭାବେ କଂଗ୍ରେସ କେବଳ ଭବିଷ୍ୟତ ପ୍ରତିଶ୍ରୁତି ଉପରେ ଆସ୍ଥା ସ୍ଥାପନ କରି ନଥିଲା, ରାଜନୈତିକ କ୍ଷମତାରେ ତତ୍କାଳିକ ବାସ୍ତବ ଭାଗ ଦାବି କରିଥିଲେ । ଅନ୍ୟ ଭୂଖଣ୍ଡରେ ଯାଇ ଯୁଦ୍ଧ କରିବା ପୂର୍ବରୁ ତତ୍‍କ୍ଷଣାତ୍ ଭାରତରେ ସ୍ଵାଧୀନ ସରକାର ବାଞ୍ଛନୀୟ ବୋଲି ଦାବି କରିଥିଲା । ଅନ୍ୟ ପକ୍ଷରେ ମୁସଲିମ ଲିଗ୍ ଇଚ୍ଛା କଲେ କୌଣସି ପ୍ରଦେଶ ଭାରତରୁ ବିଚ୍ଛିନ୍ନ ରହି ପାରିବା ସମ୍ଭାବନାକୁ ସ୍ଵାଗତ କରିଥିଲା । କାରଣ ସେମାନେ ବିଚାରିଥିଲେ ଆବଶ୍ୟକ ହେଲେ ମୁସଲମାନ ସଂଖ୍ୟାଗରିଷ୍ଠ ପ୍ରଦେଶଗୁଡ଼ିକୁ ନେଇ ସେମାନେ ଏକ ସ୍ଵତନ୍ତ୍ର ରାଷ୍ଟ୍ର ପ୍ରତିଷ୍ଠା କରିପାରିବେ । କିନ୍ତୁ ସମ୍ବିଧାନ ପ୍ରଣୟନ ବିଷୟଟି ଅସ୍ପଷ୍ଟ ଏବଂ ସରକାରଙ୍କ ଘୋଷଣାପତ୍ରରେ ପରିବର୍ତ୍ତନ ପାଇଁ ଶିଥିଳତା ନଥିବା କାରଣରୁ ସେମାନେ ଏହାର ସମାଲୋଚନା କରିଥିଲେ । ହିନ୍ଦୁ ମହାସଭା ଏହାଦ୍ଵାରା ଦେଶ ବିଭକ୍ତ ହୋଇଯିବାର ଆଶଙ୍କା କରି ପ୍ରସ୍ତାବର ବିରୋଧ କରିଥିଲା । ଶିଖ ସାମ୍ପ୍ରଦାୟିକତାବାଦୀମାନେ ମୁସଲମାନ ସଂଖ୍ୟାଗରିଷ୍ଠ ପଞ୍ଜାବ ଭାରତରୁ ବିଚ୍ଛିନ୍ନ ହୋଇଯିବ ବୋଲି ଆଶଙ୍କା କରିଥିଲେ । ଆମ୍ବେଦକରଙ୍କ ଆଶଙ୍କା ଥିଲା ଉଚ୍ଚ ଜାତୀୟ ହିନ୍ଦୁଙ୍କ ହାତରେ ହରିଜନଙ୍କ ଭାଗ୍ୟ ନିୟନ୍ତ୍ରିତ ହେବ । ସମସ୍ତେ ଉପଲବ୍ଧି କରିଥିଲେ ଅନ୍ତଃବର୍ତ୍ତୀ କାଳ ସମ୍ବନ୍ଧୀୟ ବ୍ୟବସ୍ଥା ଏକଦମ୍ ଅସ୍ପଷ୍ଟ ଏବଂ ଅସନ୍ତୋଷଜନକ; କାରଣ ଏଥିରେ ଶାସନକ୍ଷେତ୍ରରେ ଭାରତୀୟ ନିୟନ୍ତ୍ରଣ ପରିମାଣ ନିର୍ଦ୍ଧାରିତ ହୋଇନାହିଁ । କ୍ରିପ୍‍ସ ପ୍ରଥମେ ଯେଉଁ ‘ଜାତୀୟ–ସରକାର’ ଓ ‘ମନ୍ତ୍ରିପରିଷଦ’ କଥା ଉଠାଇଥିଲେ, ହଠାତ୍ ସେ ସଂକ୍ରାନ୍ତରେ ବ୍ୟାଖ୍ୟା କରି ଯେତେବେଳେ କହିଲେ ଯେ ତଦ୍ଦ୍ୱାରା ବଡ଼ଲାଟଙ୍କ ଶାସନ ପରିଷଦର ସଂପ୍ରସାରଣ କଥା ଲକ୍ଷିତ ହୋଇଥିଲା, ସେତେବେଳେ ସମସ୍ତେ ବୁଝିଥିଲେ ଯେ ସ୍ୱାୟତ ଶାସନ କଥାଟି ସମ୍ପୂର୍ଣ୍ଣ ଫମ୍ପା କଥା । ଅବଶେଷରେ, ପ୍ରସ୍ତାବଗୁଡ଼ିକ ଅଗ୍ରାହ୍ୟ ହୋଇଗଲା ଏବଂ ଅଚଳାବସ୍ଥାର ଗ୍ରନ୍ଥି ମୋଚନପାଇଁ କ୍ରିପ୍‍ସ ମିଶନ ବିଫଳ ହୋଇଗଲା ।

 

୧୯୪୨ ବିପ୍ଳବ

 

କ୍ରିପ୍‍ସ–ମିଶନର ବିଫଳତା ଦେଶରେ ପ୍ରବଳ ନୈରାଶ୍ୟ ଓ ବିରକ୍ତି ସୃଷ୍ଟି କରିଥିଲା । ଅଧିକାଂଶ କ୍ଷେତ୍ରରେ ଏକପ୍ରକାର ପରାଭୂତ ମନୋଭାବ ପରିଲକ୍ଷିତ ହେଲା । ଏହାର ଏକମାତ୍ର ବ୍ୟତିକ୍ରମ ଥିଲେ ମୁସଲିମ ଲିଗ୍ ଓ ମୁଷ୍ଟିମେୟ ବ୍ୟକ୍ତିବିଶେଷ, ଯେଉଁମାନେ କି ଯୁଦ୍ଧ ପରିସ୍ଥିତିରେ ସୃଷ୍ଟି ହୋଇଥିବା ଚାକିରି ଓ ବ୍ୟବସାୟଗତ ସୁଯୋଗ ମାନ ହାସଲ କରିଥିଲେ । କିନ୍ତୁ ସେତେବେଳେ ପ୍ରଶ୍ନ ଥିଲା, ଏହାପରେ କ’ଣ କରଣୀୟ ? ନିଶ୍ଚେଷ୍ଟତା କ୍ରମେ ଦୁର୍ବିସହ ହୋଇପଡ଼ିଲା ।

 

ଗାନ୍ଧିଜୀ କ୍ରିପ୍‍ସଙ୍କ ପ୍ରସ୍ତାବରେ ଖୁବ୍ ଆଗ୍ରହ ପ୍ରକାଶ କରି ନଥିଲେହେଁ ତାଙ୍କ ମିଶନ ବିଫଳ ହେବାର ଦେଖି ଅତ୍ୟନ୍ତ ନିରାଶ ଅନୁଭବ କରିଥିଲେ । ଦକ୍ଷିଣ–ପୂର୍ବ ଏସିଆର ଘଟଣାର ପରିବର୍ତ୍ତନ ଲକ୍ଷ୍ୟ କରି ସେ ମଧ୍ୟ ଖୁବ୍ ବିବ୍ରତ ହୋଇପଡ଼ିଲେ । ମାଲୟ, ସିଙ୍ଗାପୁର ଓ ବର୍ମାରୁ ବ୍ରିଟିଶ–ବାହିନୀ ଅପସୃତ ହେବା ସଙ୍ଗେ ସ୍ଥାନୀୟ ପ୍ରତିରୋଧଶକ୍ତି ଭାଙ୍ଗିପଡ଼ିଥିଲା ଏବଂ ଜାପାନ ନିକଟରେ ଲାଞ୍ଛିତଭାବେ ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲେ । ଏହିଭଳି ଦୁର୍ଦ୍ଦଶା ମଧ୍ୟ ଫିଲିପିନ୍‍ସ ଓ ଇଣ୍ଡୋନେସୀୟରେ ଘଟିଥିଲା । ତଥାକଥିତ ‘ପାତାଳୀ–ପ୍ରତିରକ୍ଷା’ ପଦ୍ଧତି ଅନୁସରଣରେ ଦେଶସମୂହ ପୂରାପୂରି ଛାରଖାର ହୋଇ ଯାଇଥିଲା । ଭବିଷ୍ୟତରେ ଭାରତ ଭାଗ୍ୟରେ କ’ଣ ଅଛି ତା’ର ସାମାନ୍ୟ ସ୍ଵାଦ ମିଳିଥିଲା ଗୋଟିଏ ଘଟଣାରୁ, ଯେତେବେଳେ କି ପୂର୍ବ ସୀମାନ୍ତରୁ ଆକ୍ରମଣ ଆଶଙ୍କା କରି ଶତ୍ରୁପକ୍ଷ ହାତରେ ପଡ଼ିଯିବା ଭୟରେ ବଙ୍ଗଳାରେ ହଜାର ହଜାର ଘରୋଇ ନୌକା ନଷ୍ଟ କରି ଦିଆଯାଇଥିଲା । ଏହା ଫଳରେ କେବଳ ବଙ୍ଗଳାରେ ଅର୍ଥନୀତି ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇ ନଥିଲା; ଖାଦ୍ୟଦ୍ରବ୍ୟ ସରବରାହ କ୍ଷେତ୍ରରେ ପ୍ରବଳ ଅସୁବିଧା ସୃଷ୍ଟି ହୋଇଥିଲା । ଗାନ୍ଧିଜୀ ଏବଂ କଂଗ୍ରେସ ନେତୃବର୍ଗ ମାଲୟ ଓ ବର୍ମା ଘଟଣା ଭାରତରେ ପୁନରାବୃତ୍ତି ହେବ ବୋଲି ଖୁବ୍ ଉଦ୍‍ଗ୍ରୀବ ହୋଇପଡ଼ିଥିଲେ । ସାମରିକ ଆକ୍ରମଣର ସମ୍ମୁଖୀନ ହୋଇ ଜନସାଧାରଣ ଆତଙ୍କରେ ଉନ୍ମତ୍ତ ହୋଇପଡ଼ୁଥିଲେ । ସେମାନେ ଆଦୌ ସାହସପୂର୍ଣ୍ଣଭାବେ ଏହାର ପ୍ରତିରୋଧ କରୁ ନଥିଲେ । ଭାରତରେ ଏହା ଯେପରି ନଘଟେ ତାହା ମଧ୍ୟ ଚିନ୍ତା କରିବାକୁ ହୋଇଥିଲା । ଏ ବିଷୟରେ ଗାନ୍ଧିଜୀଙ୍କ ସୁଚିନ୍ତିତ ସିଦ୍ଧାନ୍ତ ହୋଇଥିଲା, ଭାରତୀୟ ଲୋକମାନଙ୍କୁ ଭୟହୀନ କରି ଆକ୍ରମଣକାରୀଙ୍କ ସମ୍ମୁଖୀନ କରାଇବାର ଏକମାତ୍ର ପଥ ହେଉଛି, ସେମାନଙ୍କ ମନରେ ପ୍ରତ୍ୟୟ ଆଣିବାକୁ ପଡ଼ିବ ଯେ ସେମାନେ ନିଜେ ନିଜର ପ୍ରଭୁ ଏବଂ ଦେଶର ପ୍ରତିରକ୍ଷା ସେମାନଙ୍କ ଦାୟିତ୍ଵ-। ଏହା ବ୍ରିଟିଶମାନଙ୍କ କର୍ତ୍ତବ୍ୟ ବୋଲି ତାଙ୍କ ଉପରକୁ ଦାୟିତ୍ଵ ଖସାଇ ଦେବା ଅନୁଚିତ-। ତେଣୁ ଗାନ୍ଧିଜୀ ସ୍ଥିର କଲେ ଯେ ଏକ ଆନ୍ଦୋଳନ କରି ବ୍ରିଟିଶମାନଙ୍କୁ ଶାସନ ହସ୍ତାନ୍ତର କରି ଭାରତ ଛାଡ଼ି ଚାଲିଯିବାକୁ ଆହ୍ଵାନ ଜଣାଇବେ । ଗାନ୍ଧିଜୀ ବୁଝାଇଥିଲେ–“ମୁଁ ଜାଣେ ମୋ ଚିନ୍ତାଧାରାର ନୂତନତା ଏବଂ ତା’ ପୁଣି ଏପରି ଜଟିଳ ମୁହୂର୍ତ୍ତରେ ଅନେକ ଲୋକଙ୍କୁ ଖୁବ୍ ବିସ୍ମିତ କରିଛି-। ଲୋକେ ମୋତେ ପାଗଳ ବୋଲି ଭାବନ୍ତୁ ପଛେ, ମୁଁ ଯେଉଁ ସତ୍ୟ ଉପଲବ୍ଧି କରିଛି, ତାହା ପ୍ରକାଶ କରିବାରୁ ବିରତ ହେବି ନାହିଁ । ଯୁଦ୍ଧ ପ୍ରତି ଏବଂ ଭାରତୀୟମାନଙ୍କୁ ଧ୍ଵଂସମୁଖରୁ ଉଦ୍ଧାର କରିବାପାଇଁ ଏହା ମୋର ଏକ ନିଶ୍ଚିତ ଅବଦାନ ବୋଲି ମୁଁ ବିଚାର କରେ ।’’

 

ଅନେକ ନେତା ବିଚାରିଥିଲେ ଏପରି ଏକ କଠୋର ଦାବିପାଇଁ ଏହି ସମୟ ଉପଯୁକ୍ତ ନୁହେଁ । ଏହା ଫଳରେ ଏକ ପକ୍ଷରେ ଆତଙ୍କ ଓ ଅରାଜକତା ଏବଂ ଅନ୍ୟ ପକ୍ଷରେ ଜାପାନ ପରି ନିର୍ମମ ଶତ୍ରୁର ପାଦତଳେ ଜନସାଧାରଣଙ୍କ ନିଃସହାୟ ଆତ୍ମସମର୍ପଣ କଥା ଭାବି ସେମାନେ ଶଙ୍କିତ ହୋଇଯାଇଥିଲେ । ନେହେରୁ କିନ୍ତୁ ଅନ୍ୟ କଥା ଭାବିଥିଲେ । କ୍ରିପ୍‍ସ ମିଶନ ବିଫଳତା ହେତୁ ଦେଶର ନେତୃବର୍ଗ ପ୍ରତି ବ୍ୟାପାରରେ ପୂର୍ଣ୍ଣ ସହଯୋଗ ଦେବାର ସୁଯୋଗ ପାଇଲେ ନାହିଁ । ଏହି ଅବସ୍ଥାରେ ଦେଶରେ କ’ଣ ଏପରି ଏକ ଗଣ–ବିକ୍ଷୋଭ କରିବା ଉଚିତ ହେବ, ଯାହା ଫଳରେ ମିତ୍ରପକ୍ଷର ଫାସିବାଦବିରୋଧୀ ଅଭିଯାନ ପରାଜିତ ହୋଇଯିବ ? ସେ ଚାହିଁଥିଲେ ଗୋଟିଏ ଦ୍ଵନ୍ଦ୍ୱର ମୀମାଂସା–ଭାରତର ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଂଗ୍ରାମ ନା ଅକ୍ଷଶକ୍ତି ବିରୁଦ୍ଧରେ ଚୀନ ଓ ରୁଷିଆର ସଂଗ୍ରାମର ବିଫଳତା କେଉଁଟା ଶ୍ରେୟ ?

 

ଏହି ସଂକ୍ରାନ୍ତରେ ବିତର୍କ ଓ ଆଲୋଚନା ଦୀର୍ଘସ୍ଥାୟୀ ଓ ତିକ୍ତକର ହୋଇଥିଲା । ଗାନ୍ଧିଜୀ ଦୃଢ଼ ରହିଲେ, ଯଦିଓ ଅନ୍ୟମାନଙ୍କୁ ପ୍ରଭାବିତ କରିବାକୁ ଖୁବ୍ ଉଦ୍ୟମ କରୁଥିଲେ । ସେ କହିଥିଲେ, ବ୍ରିଟିଶ ସୈନ୍ୟବାହିନୀ ଭାରତରେ ରହିପାରନ୍ତି ଏବଂ ଏଠାରୁ ମଧ୍ୟ ଯୁଦ୍ଧ ଚଳାଇପାରନ୍ତି; କିନ୍ତୁ ତା’ର ଏକମାତ୍ର ସର୍ତ୍ତ ହେଉଛି ସେହି ମୁହୂର୍ତ୍ତରେ ଭାରତକୁ କ୍ଷମତା ହସ୍ତାନ୍ତରକରଣ । ଯଦି ଏହାବି ଅଗ୍ରାହ୍ୟ ହୁଏ, ସେ କଂଗ୍ରେସଦଳ ପରିତ୍ୟାଗ କରିବେ ଏବଂ ଭାରତର ଗୋଡ଼ି–ମାଟି ଭିତରୁ ସେ ଏପରି ଏକ ଆନ୍ଦୋଳନ ସୃଷ୍ଟି କରିବେ, ଯା ହେବ କଂଗ୍ରେସ ସଙ୍ଗଠନଠାରୁ ଆହୁରି ବଡ଼ ।

 

ଜୁଲାଇ ମାସର ପ୍ରାକ୍‍କାଳରେ ୱାର୍ଦ୍ଧାରେ କାର୍ଯ୍ୟକାରୀ କମିଟି ବସି ‘ଜାତୀୟ ଦାବିପତ୍ର’ ପ୍ରଣୟନ କଲେ । ଏଥିରେ ବିଲାତକୁ ଆହ୍ଵାନ କରାଗଲା–ଶୀଘ୍ର କ୍ଷମତା ହସ୍ତାନ୍ତର କର ଏବଂ ଭାରତ ଛାଡ଼ । ଏ ପ୍ରସ୍ତାବ ଅଗ୍ରାହ୍ୟ ହେଲେ ୧୯୨୦ରୁ ଏଯାବତ୍ ସଞ୍ଚିତ ତା’ର ସମସ୍ତ ଅହିଂସ ଶକ୍ତି ପ୍ରୟୋଗ କରିବାକୁ କଂଗ୍ରେସ ବାଧ୍ୟ ହେବ ଏବଂ ଏକ ପ୍ରତ୍ୟକ୍ଷ ପ୍ରତିବିଧାନମୂଳକ ଆନ୍ଦୋଳନ ଅନୁଷ୍ଠିତ ହେବ । ଏହି ନୀତିଗତ ସିଦ୍ଧାନ୍ତର ଅନୁମୋଦନ ପାଇଁ ଅଗଷ୍ଟ ୭ ତାରିଖରେ ବମ୍ବେଠାରେ ନିଖିଳ ଭାରତ କଂଗ୍ରେସ କମିଟିର ସଭା ଆହୂତ ହେଲା ।

 

ଇତ୍ୟବସରରେ ଚୀନର ମହାସେନାପତି ଚିଆଙ୍ଗ କାଇସେକ୍ ଏବଂ ଯୁକ୍ତରାଷ୍ଟ୍ର ସଭାପତି ରୁଜଭେଲ୍‍ଟ ଭାରତରେ ଅଚଳାବସ୍ଥା ବଢ଼ାଇ କିଛି ସମାଧାନ କରିବାପାଇଁ ବ୍ରିଟେନକୁ ପ୍ରବର୍ତ୍ତାଇଲେ । କିନ୍ତୁ ଚର୍ଚ୍ଚିଲ ସାଲିସ୍ କରିବାକୁ ମୋଟେ ଚାହିଁଲେ ନାହିଁ । ସେ ଖୋଲାଖୋଲିଭାବେ ଘୋଷଣା କଲେ ଯେ “ବ୍ରିଟିଶ ସାମ୍ରାଜ୍ୟକୁ ଦେଉଳିଆରେ ଉଠାଇଦେବାକୁ ଅଧ୍ୟକ୍ଷତା କରିବାପାଇଁ ସେ ସମ୍ରାଟଙ୍କର ପ୍ରଥମ ମନ୍ତ୍ରୀ ହୋଇ ନାହାନ୍ତି ।’’

 

୧୯୪୨ ଅଗଷ୍ଟରେ ବମ୍ବେର କଂଗ୍ରେସ ଅଧିବେଶନ ଏକ ଐତିହାସିକ ଘଟଣା । ଏହା ବିଖ୍ୟାତ ‘ଭାରତ ଛାଡ଼’ ପ୍ରସ୍ତାବ ଘୋଷଣା କରିଥିଲେ । ଏହା ଏକ ମିଳାମିଶା ବିରୋଧୀ ଥୁଣ୍ଟା ପ୍ରସ୍ତାବ ନଥିଲା; ଏଥିରେ ମଧ୍ୟ ଯୁଦ୍ଧ ବ୍ୟାପାରରେ ସହଯୋଗ କରିବାପାଇଁ ପ୍ରତିଶ୍ରୁତି ନିହିତ ଥିଲା । ଏହା ମଧ୍ୟ ସରକାରଙ୍କୁ ତୁରନ୍ତ ଓ ତୀବ୍ର ବେଗରେ କାର୍ଯ୍ୟାନୁଷ୍ଠାନ କରିବାକୁ ଆହ୍ଵାନ ଜଣାଇଥିଲେ । “ସ୍ଵାଧୀନତା ଘୋଷଣା ପରେ ଏକ ଅସ୍ଥାୟୀ ସରକାର ଗଠିତ ହେବ ଏବଂ ସ୍ଵାଧୀନ ଭାରତ ରହିବ ଜାତିସଂଘର ଏକ ସମର୍ଥକ ।’’ ମୁସଲିମ ଲିଗ୍‍କୁ ପ୍ରତିଶ୍ରୁତି ଦିଆଯାଇଥିଲା ସମ୍ବିଧାନରେ ପ୍ରତ୍ୟେକ ସଙ୍ଘୀୟ ଅଂଶର ସ୍ଵୟଂକ୍ରିୟତା ପାଇଁ ବ୍ୟାପକ ସୁବିଧା ରହିବ, ଏବଂ ଅବଶିଷ୍ଟ କ୍ଷମତା ପ୍ରତି ଅଂଶରେ ନିହିତ ରହିବ । ପ୍ରସ୍ତାବର ଉପସଂହାରରେ ସରଳଭାବେ ଉଲ୍ଲିଖିତ ଥିଲା–“ଏକ ସାମ୍ରାଜ୍ୟବାଦୀ ଏକଛତ୍ର ଶାସନ ବିରୁଦ୍ଧରେ ନିଜର ମତ ଜାହିର କରିବା ବିଷୟ ଗୋଟିଏ ଜାତିର ଉଦ୍ୟମକୁ ଆଉ ଅଧିକ କାଳ ଦବାଇ ରଖିବା ଅଯୌକ୍ତିକ, ତେଣୁ ଏହି କମିଟି ସିଦ୍ଧାନ୍ତ କରେ ଯେ ଅତ୍ୟନ୍ତ ବ୍ୟାପକଭାବେ ଅହିଂସା ମାର୍ଗରେ ଏକ ଗଣ–ବିକ୍ଷୋଭ ସୂତ୍ରପାତ କରିବାକୁ ଅନୁମୋଦନ କରାଯାଉ...ଏବଂ ଏହି ଆନ୍ଦୋଳନ ନିର୍ବିରୋଧରେ ଗାନ୍ଧିଜୀଙ୍କ ନେତୃତ୍ଵରେ ପରିଚାଳିତ ହେଉ ।’’

 

ପ୍ରସ୍ତାବ ସ୍ଵୀକୃତ ହୋଇଗଲା ପରେ ଗାନ୍ଧିଜୀ ପ୍ରତିନିଧିମାନଙ୍କୁ ଗୋଟିଏ ଭାଷଣ ଦେଇଥିଲେ । ସେତେବେଳେ ସେ କହିଥିଲେ ଯେ–“ପ୍ରକୃତ ସଂଗ୍ରାମ ଠିକ୍ ଏହି ମୁହୂର୍ତ୍ତରେ ଆରମ୍ଭ ହେଉନାହିଁ । ଆପଣମାନେ କେବଳ ମୋ ହାତରେ କିଛି କ୍ଷମତା ପ୍ରଦାନ କରିଛନ୍ତି । ମୋର ପ୍ରଥମ କାର୍ଯ୍ୟ ହେବ ମହାମାନ୍ୟ ବଡ଼ଲାଟଙ୍କୁ ସାକ୍ଷାତ କରି କଂଗ୍ରେସର ଦାବି ମାନି ନେବାକୁ ପ୍ରବର୍ତ୍ତାଇବା-। ଏହା ହୁଏତ ଦୁଇ ତିନି ସପ୍ତାହ ସମୟ ନେବ । ଏହି ସମୟରେ ଆପଣମାନେ କ’ଣ କରିବା ଉଚିତ ? ଚରଖା ଅବଶ୍ୟ ରହିଛି...କିନ୍ତୁ ତା’ଛଡ଼ା ଅଧିକା କିଛି ଆପଣମାନଙ୍କୁ କରିବାକୁ ହେବ...ଏହି ମୁହୂର୍ତ୍ତରୁ ଆପଣମାନେ ପ୍ରତ୍ୟେକେ ନିଜକୁ ସ୍ଵାଧୀନ ପୁରୁଷ ବା ସ୍ତ୍ରୀ ବୋଲି ବିଚାର କରନ୍ତୁ ଏବଂ ସାମ୍ରାଜ୍ୟବାଦର ପାଦତଳେ ଅବନତ ନୁହନ୍ତି ବୋଲି ଅନୁଭବ କରି ସ୍ଵାଧୀନଭାବେ କାର୍ଯ୍ୟ କରନ୍ତୁ...”

 

କିନ୍ତୁ ଗାନ୍ଧିଜୀ ବଡ଼ଲାଟଙ୍କୁ ଭେଟିବା ପର୍ଯ୍ୟନ୍ତ ସରକାର ଅପେକ୍ଷା କଲେ ନାହିଁ । ସରକାରୀ କଳ ନିଶ୍ଚୟ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା ଏବଂ ଏହା ବିଦ୍ୟୁତ୍‍ବେଗରେ କାର୍ଯ୍ୟକାରୀ ହେଲା । କଂଗ୍ରେସ ଅଧିବେଶନ ଅଗଷ୍ଟ ଆଠ ତାରିଖ ରାତିରେ ସମାପ୍ତ ହେବାର କେତେ ଘଣ୍ଟା ମଧ୍ୟରେ ଗାନ୍ଧିଜୀ ଏବଂ କାର୍ଯ୍ୟକାରୀ କମିଟିର ସମସ୍ତ ସଦସ୍ୟଙ୍କୁ ଗିରଫ୍ କରାଯାଇ ଏକ ସ୍ଵତନ୍ତ୍ର ରେଳଯୋଗ ତୁରନ୍ତ ବମ୍ବେଠାରୁ ଦୂରକୁ ପଠାଇ ଦିଆଯାଇଥିଲା । ଗାନ୍ଧିଜୀଙ୍କୁ ପୁନାରେ ଆଗା ଖାଁ ପ୍ରାସାଦରେ ବନ୍ଦୀ କରି ରଖାଯାଇଥିଲା; ଅନ୍ୟ ନେତାମାନଙ୍କୁ ଅହମ୍ମଦନଗର ଦୁର୍ଗକୁ ପଠାଇ ଦିଆଯାଇଥିଲା ।

 

ଅଗଷ୍ଟ ୯ ତାରିଖ ସକାଳେ ଲୋକମାନଙ୍କ ନିକଟରେ ଏକାବେଳକେ ପହଞ୍ଚିଲା ‘ଭାରତ ଛାଡ଼’ ପ୍ରସ୍ତାବ ଏବଂ ନେତୃବର୍ଗଙ୍କ ବନ୍ଦୀ ହେବାର ସମ୍ବାଦ । ସେମାନେ ବିସ୍ମୟ ବିମୂଢ଼ଭାବେ ସମ୍ପୂର୍ଣ୍ଣ ତଟସ୍ଥ ହୋଇଗଲେ । ଜନତାର ପ୍ରତିକ୍ରିୟା ହୋଇଥିଲା ତାତ୍କାଳିକ ଏବଂ ସ୍ଵେଚ୍ଛାପ୍ରବୃକ୍ତ । ସାଧାରଣ ଜୀବନଧାରା ସମ୍ପୂର୍ଣ୍ଣ ନିଷ୍ପନ୍ଦ ହୋଇଗଲା, ଦୋକାନ ବଜାର ବନ୍ଦ ହୋଇଗଲା । ପ୍ରତି ନଗର ଓ ସହରରେ ହରତାଳ ପାଳିତ ହେଲା । ଜାତୀୟ ସଙ୍ଗୀତ ଓ ନେତାମାନଙ୍କ ମୁକ୍ତି ଦାବି ସମ୍ବଳିତ ଧ୍ୱନିରେ ଗଗନ ଥରିଉଠିଲା । ତଥାପି କେଉଁଠି ହିଂସାତ୍ମକ ଘଟଣା ଘଟି ନଥିଲା । ବିକ୍ଷୁବ୍ଧ ଓ ଉତ୍ତେଜିତ ହେଲେହେଁ ଜନତା ସର୍ବତ୍ର ଶାନ୍ତିପୂର୍ଣ୍ଣ ଥିଲେ । କିନ୍ତୁ କିପରି ଏକ ଆତଙ୍କ ଅନୁଭୂତ ହୋଇଥିଲା ଓ ଜନତାର ବର୍ଦ୍ଧିତ କଳେବର ଦେଖି ସରକାର ଶଙ୍କିତ ହୋଇଥିଲେ । ଯେତେବେଳେ ଜନତା ସତର୍କବାଣୀ ନମାନି ସମାବେଶ ଭାଙ୍ଗିଲେ ନାହିଁ, ପୋଲିସ୍ କେତେ କ୍ଷେତ୍ରରେ ଗୁଳିଚାଳନା କରିଥିଲେ । କେବଳ ଦିଲ୍ଲୀରେ ଅଗଷ୍ଟ ୧୧ ଓ ୧୨ ତାରିଖ ଦୁଇଦିନରେ ନିରସ୍ତ୍ର ଜନତା ଉପରେ ପୋଲିସ୍ ୪୭ଥର ଗୁଳି ଚଳାଇଥିଲେ । ଏଥିରେ ୭୬ ଜଣ ନିହତ ହୋଇଥିଲେ ଏବଂ ୧୧୪ ଜଣ ଆହତ ହୋଇଥିଲେ । ସର୍ବତ୍ର ପ୍ରାୟ ଏହି ଏକା କଥା ଘଟିଥିଲା–ଜନତାର ବିକ୍ଷୋଭ ପ୍ରଦର୍ଶନ, ପୋଲିସ୍‍ର ଅତ୍ୟାଚାର, ଗୁଳିଚାଳନା ଓ ଗିରଫ୍‍ଦାରୀ ।

 

ପରିସ୍ଥିତି ଅଚିରେ ପୂର୍ଣ୍ଣତଃ ନିୟନ୍ତ୍ରଣ ବହିର୍ଭୂତ ହୋଇପଡ଼ିଲା । ଜନତାର ପରିଚାଳକ ନଥିଲେ, ଅଧିକାଂଶ ନେତା ଥିଲେ ଜେଲରେ; କେତେକବି ଆତ୍ମଗୋପନ କରିଥିଲେ । ଏଣେ ଉତ୍ତେଜନା ବଢ଼ିଉଠୁଥିଲା । ବ୍ୟକ୍ତିବିଶେଷ ଓ ଗୋଷ୍ଠୀବିଶେଷ ଏହି ପରିସ୍ଥିତିର ବିଚାର ନିଜ ଦୃଷ୍ଟିରୁ କଲେ ଏବଂ ସେହିରୂପେ ଇଚ୍ଛାନୁସାରେ କାର୍ଯ୍ୟ କଲେ । ପୋଲିସ୍‍ର ଅବିଶ୍ରାନ୍ତ ଅତ୍ୟାଚାର ଏବଂ ଆଦେଶ ପରେ ଆଦେଶ ଜାରି ଫଳରେ ଲୋକମାନେ ଆହୁରି ଉତ୍ତ୍ୟକ୍ତ ହୋଇପଡ଼ିଥିଲେ । ସେତେବେଳେ ଆଇନ ଅମାନ୍ୟପାଇଁ କଂଗ୍ରେସର ଆହ୍ଵାନ ନଥିଲା । ତେଣୁ ଯାହା ପ୍ରଥମେ ବ୍ୟକ୍ତିଗତ କ୍ରୁଦ୍ଧ ଅବଜ୍ଞାବଶତଃ ଆରମ୍ଭ ହେଲା, ତାହା ଶୀଘ୍ର ଆନ୍ଦୋଳନରୂପେ ସ୍ଫୀତ ହେଲା ଏବଂ ପରେ ସେହି ଆନ୍ଦୋଳନ ବିପ୍ଳବରେ ପରିଣତ ହେଲା ।

 

ଏହି ବିପ୍ଳବର ସମ୍ମୁଖ ଭାଗରେ ଥିଲେ ଛାତ୍ର, ଶ୍ରମିକ ଓ କୃଷକ । କଳକାରଖାନା, ସ୍କୁଲ୍ କଲେଜର ଧର୍ମଘଟ ଚାଲିଲା । ବ୍ରିଟିଶ ଶାସନର ପ୍ରତୀକସ୍ୱରୂପ ଦଣ୍ଡାୟମାନ ଥାନା, ଡାକଘର, ରେଳ ଷ୍ଟେସନ୍ ଇତ୍ୟାଦି ଉପରେ ଆକ୍ରମଣ କରି ପୋଡ଼ିଦେଲେ ବା ଭାଙ୍ଗିଦେଲେ । ପରେ କେତେକ ଅନ୍ତର୍ଘାତୀମୂଳକ କାର୍ଯ୍ୟ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଟେଲିଫୋନ୍ ତାର କାଟି ଦିଆଯାଇଥିଲା ଏବଂ ରେଳଗାଡ଼ିକୁ ଲାଇନ୍‍ଚ୍ୟୁତ କରିବାକୁ ଚେଷ୍ଟା କରାଯାଇଥିଲା । ଖଜଣା ନ ଦେବାପାଇଁ ଅବିରାମ କୃଷକମାନଙ୍କୁ ପ୍ରଭାବିତ କରାଗଲା । ଅନେକ କ୍ଷେତ୍ରରେ ଚାଷୀମାନେ ତାଙ୍କର ବିକଳ୍ପ ସରକାର ପ୍ରତିଷ୍ଠା କଲେ; ଯେଉଁଠି କି ଦିନଦିନ, ସପ୍ତାହ ସପ୍ତାହ ଧରି ସରକାରୀ ଆଇନ ରଦ୍ଦ ହୋଇଯାଇଥିଲା । ବାଲିଆରେ ସ୍ଥାନୀୟ ନେତୃବର୍ଗ ସହର ଦଖଲ କରିନେଇଥିଲେ ଏବଂ ପରେ ସେଠାରୁ ସେମାନଙ୍କୁ ସଶସ୍ତ୍ରବାହିନୀଦ୍ଵାରା ଘଉଡ଼ାଇ ଦିଆଗଲା । ସୂତାହାଟ, ସତରା ଓ କର୍ଣ୍ଣାଟକରେ ବ୍ରିଟିଶ ଶାସନ ବିରୁଦ୍ଧରେ ୧୯୪୪ ପର୍ଯ୍ୟନ୍ତ ଚାଷୀମାନେ ଗୋପନରେ ଗରିଲାଯୁଦ୍ଧ ଚଳାଇଥିଲେ । ଗୋପନ–ଆନ୍ଦୋଳନର ପ୍ରମୁଖ ନେତା ଥିଲେ ଜୟପ୍ରକାଶ ନାରାୟଣ, ରାମମନୋହର ଲୋହିଆ ଓ ଅରୁଣା ଆସଫ ଅଲି । ବିପ୍ଳବାତ୍ମକ ହିଂସାକାଣ୍ଡ ବହୁ ପରିମାଣରେ ସଂଘଟିତ ହୋଇଥିଲା । ଏହି ବିପ୍ଳବ କେବଳ ବ୍ରିଟିଶ–ଭାରତରେ ସୀମାବଦ୍ଧ ହୋଇ ରହିଲା ନାହିଁ; ଅନେକ ଦେଶୀୟ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା । ସରକାରଙ୍କ ପ୍ରତିକ୍ରିୟା ଖୁବ୍ ତୀବ୍ର ହେଲା ଓ ଚାରିଆଡ଼େ ଆତଙ୍କରାଜ ସୃଷ୍ଟି ହେଲା । ଲାଠି ମାଡ଼, ଗୁଳିଚାଳନା ଓ ସମୂହ ଗିରଫ୍‍ଦାରି ପରି ଏପରି ନିତ୍ୟନୈମିତ୍ତିକ ହୋଇଗଲା ଯେ ସମଗ୍ର ଦେଶ ଗୋଟିଏ ପୋଲିସ୍ ରାଜ୍ୟରେ ପରିଣତ ହେଲା । ନିରସ୍ତ୍ର ଜନତା ଉପରେ ଆକାଶରୁ ମେସିନ–ଗନ୍‍ରେ ଗୁଳି ବୃଷ୍ଟି ହେବାର ଦୃଷ୍ଟାନ୍ତ ମଧ୍ୟ ଦେଖାଯାଇଥିଲା । ପ୍ରତିଦିନ ପୋଲିସ୍‍ର ନୃଶଂସତା ବଢ଼ିଚାଲିଲା । ପିଟୁଣି ଜୋରିମାନା ଓ ବିନା ବିଚାରରେ ଜେଲ ସେ ସମୟର ନ୍ୟାୟ ହୋଇଗଲା । ବିପ୍ଳବ କ୍ଷଣସ୍ଥାୟୀ ହେଲେହେଁ ଖୁବ୍ ଶକ୍ତିଶାଳୀ ହୋଇଥିଲା । ସରକାର ଏହାକୁ ଦମନ କରିବାକୁ ସମର୍ଥ ହୋଇଥିଲେ ସତ, ମାତ୍ର ପୋଲିସ୍ ଓ ସାମରିକବାହିନୀର ଗୁଳିଚୋଟରେ ଦଶ ହଜାର ବ୍ୟକ୍ତି ଆତ୍ମୋତ୍ସର୍ଗ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା । ୧୮୫୭ ବିପ୍ଳବ ପରେ ଏପରି ବ୍ୟାପକ ଓ ପ୍ରଚଣ୍ଡ ଦମନଲୀଳା ଦେଶରେ କେବେ ଦେଖାଯାଇ ନଥିଲା ।

 

୧୯୪୨ ବିପ୍ଳବ ବ୍ୟର୍ଥ ହେବାର କାରଣ ହେଲା ଲୋକମାନେ ଥିଲେ ନିରସ୍ତ୍ର ଓ ଅଧିନାୟକହୀନ ଏବଂ ସର୍ବଶକ୍ତିମାନ ବ୍ରିଟିଶ ଶାସନ ବିରୁଦ୍ଧରେ ବିଜୟୀ ହେବାପାଇଁ ଉପଯୁକ୍ତ ସଂଗଠନର ଥିଲା ଅଭାବ । କିନ୍ତୁ ଏହି ବିପ୍ଳବ ଦୁଇଟି ଦିଗରୁ ଫଳପ୍ରଦ ହୋଇଥିଲା । ଏହାଦ୍ଵାରା ଗୋଟିଏ ଶାଣିତ ଓ ଅଭ୍ରାନ୍ତ ରୀତିରେ ସାମ୍ରାଜ୍ୟବାଦ ବିରୁଦ୍ଧରେ ଭାରତର କ୍ରୋଧ ଏବଂ ସ୍ଵାଧୀନତା ଲାଭପାଇଁ ତା’ର ଐକାନ୍ତିକ ପ୍ରଚେଷ୍ଟା ଅଭିବ୍ୟକ୍ତ ହୋଇଥିଲା । ସ୍ଵାଧୀନତା ଲାଭପାଇଁ ଦୁଃଖ ଓ ତ୍ୟାଗ ସହିବାକୁ ଲୋକମାନଙ୍କର ଦ୍ଵିଧାହୀନ ଜାତୀୟତାବାଦୀ ଭାବଧାରା କିପରି ଉତ୍ତୁଙ୍ଗ ସୀମା ସ୍ପର୍ଶ କରିଥିଲା, ଏହି ବିପ୍ଳବ ମଧ୍ୟ ତା’ର ଏକ ଜୀବନ୍ତ ପ୍ରମାଣ ପ୍ରଦାନ କରିଥିଲା । ଦ୍ଵିତୀୟରେ ୧୯୪୨ ବିପ୍ଳବ ପରେ ବ୍ରିଟିଶ ଶାସକଙ୍କ ମନରେ ନିଶ୍ଚିତଭାବେ ଅବଧାରିତ ହୋଇଥିଲା ଯେ ଭାରତରେ ତାଙ୍କ ସାମ୍ରାଜ୍ୟବାଦୀ ଶାସନର ଦିନକାଳ ସରିଆସୁଛି ।

 

ଗୋଟେ ଦୃଷ୍ଟିରୁ ୧୯୪୨ ବିପ୍ଳବ ଭାରତୀୟ ମୁକ୍ତି–ସଂଗ୍ରାମର ଚୂଡ଼ାନ୍ତ ସ୍ପର୍ଶ କରିଥିଲା । ୧୯୪୨ ଅଗଷ୍ଟ ଆନ୍ଦୋଳନ ପରେ ଦେଖିବାକୁ ବାକି ରହିଲା କେବେ, କେତେଦିନ ପରେ ଏବଂ କେଉଁ ରୀତିରେ କ୍ଷମତାର ହସ୍ତାନ୍ତର ହେବ ଏବଂ ସ୍ଵାଧୀନତା ପରେ ଦେଶରେ କି ରୂପ ସରକାରୀ ପ୍ରତିଷ୍ଠିତ ହେବ । ଅବଶ୍ୟ ଏ କଥା ସତ, ୧୯୪୨ରେ ବିପ୍ଳବ ଓ ୧୯୪୭ରେ ସ୍ଵାଧୀନତା ପ୍ରାପ୍ତି ମଧ୍ୟରେ ଅନେକ ରାଜନୈତିକ ଘନଘଟା ଓ ଅନେକ ବିଚାର–ପରାମର୍ଶ ଓ ଦିଆନିଆର ବିତର୍କ ଚାଲିଥିଲା । କିନ୍ତୁ ଏହି ସମୟରେ ନିଃସନ୍ଦେହରେ ପ୍ରମାଣିତ ହୋଇଥିଲା ଯେ ସ୍ଵାଧୀନତା ସଂଗ୍ରାମର ବିଜୟ ଅବଧାରିତ ।

 

ସିମଲା ସମ୍ମିଳନୀ

 

୧୯୪୫ ବସନ୍ତକାଳ ସୁଦ୍ଧା ୟୁରୋପରେ ଯୁଦ୍ଧର ଅବସାନ ପାଖେଇ ଆସିଥିଲା । ଭାରତରେ ଲିନଲିଥ୍‍ଗୋଙ୍କ ସ୍ଥାନରେ ବଡ଼ଲାଟ ହୋଇଥିଲେ ୱାଭେଲ । ସେ ଥିଲେ ଜଣେ ପେଶାଦାର ସୈନିକ ଏବଂ ଲିନଲିଥ୍‍ଗୋ ବଡ଼ଲାଟ ଥିଲାବେଳେ ସେ ଥିଲେ ଭାରତର ପ୍ରଧାନ ସେନାପତି । ସେତେବେଳେ ସାମରିକ ତତ୍ତ୍ଵବିଦ୍‍ମାନଙ୍କର ଗଣନା ଥିଲା ଜାପାନ ସହିତ ଯୁଦ୍ଧ ଆଉ କିଛି କାଳ, ଅନ୍ତତଃ ବର୍ଷେ ଖଣ୍ଡେ ଲାଗିରହିବ । ଜଣେ ସାମରିକ ବ୍ୟକ୍ତିଭାବେ ୱାଭେଲ ମଧ୍ୟ ଏହି ମତ ପୋଷଣ କରିଥିଲେ । (ଅବଶ୍ୟ ଅଦ୍ୟାବଧି ପରମାଣୁ ବୋମା ୧୯୪୫ ଅଗଷ୍ଟରେ ନିକ୍ଷିପ୍ତ ହେବାପରେ ଏସିଆରେ ନାଟକୀୟଭାବେ ଯୁଦ୍ଧର ଅବସାନ ହେବାର ପ୍ରକୃତ କାରଣ ନିର୍ଦ୍ଧାରିତ ହୋଇପାରିନାହିଁ ।) ଏସିଆରେ ଯୁଦ୍ଧ ଚାଲିଲେ ଭାରତୀୟ ଉପାଦାନ ଏବଂ ଘାଟିଗୁଡ଼ିକର ବ୍ୟାପକ ଓ ପୂର୍ଣ୍ଣ ବ୍ୟବହାର ଆବଶ୍ୟକ ହୋଇପାରେ । ୱାଭେଲ ଭାବିଲେ ଏହି ପରିସ୍ଥିତିରେ ରାଜନୈତିକ ଆବହାୱା । ଯେପରି ସରଗରମ, କିଛି ଗୋଟେ ଉପାୟରେ ଏହି ସ୍ଥିତାବସ୍ଥାକୁ ଭାଙ୍ଗି ଭାରତର ନେତୃବୃନ୍ଦ ଓ ଜନସାଧାରଣଙ୍କୁ ଜାପାନ ବିରୁଦ୍ଧରେ ସଂଗ୍ରାମୋନ୍ମୁଖ କରିବା ନିତାନ୍ତ ଆବଶ୍ୟକ ।

 

୧୯୪୫ ଏପ୍ରିଲରେ ୟୁରୋପରେ ଯୁଦ୍ଧର ଯବନିକା ପଡ଼ିଲା । ଚର୍ଚ୍ଚିଲ ପଦତ୍ୟାଗ କଲେ । ନୂତନ ନିର୍ବାଚନ ହୋଇ ନଥାଏ । ଜୁନ୍ ୧୪ ତାରିଖରେ ନୂତନ ପ୍ରସ୍ତାବ ଘୋଷିତ ହୋଇଥିଲା ଯେ ୧୯୩୫–ଭାରତ ଶାସନ ଆଇନର ଛାଞ୍ଚ ଭିତରେ ଆଉ କିଛି ସାମ୍ବିଧାନିକ ପରିବର୍ତ୍ତନ ସାଧିତ ହେବ । କଂଗ୍ରେସ କାର୍ଯ୍ୟକାରୀ କମିଟିର ସବୁ ସଦସ୍ୟଙ୍କୁ ମୁକ୍ତ କରିଦିଆଗଲା । ପୂର୍ବରୁ ଗାନ୍ଧିଜୀଙ୍କ ଉପରୁ ଅଟକ ଆଇନ ଉଠାଇ ନିଆଯାଇଥିଲା, ଏବଂ ସବୁ ପ୍ରତିନିଧି ସ୍ଥାନୀୟ ରାଜନୈତିକ ନେତାମାନଙ୍କର ଏକ ସମ୍ମିଳନୀ ଆହୂତ ହେଲା । ଏହା ଜୁନ୍ ୨୫ ତାରିଖରୁ ସିମଲାଠାରେ ବସିବାକୁ ସ୍ଥିର ହୋଇଥିଲା ।

 

ଉପସ୍ଥାପିତ ପ୍ରସ୍ତାବ ସମୂହ କେତେ ପରିମାଣରେ ସାଲିସ୍‍ମୂଳକ ହେଲେହେଁ ଗୋଟେ ଦୃଷ୍ଟିରୁ ଅସନ୍ତୋଷଜନକ ଏବଂ ଉତ୍ତ୍ୟକ୍ତ ହୋଇଥିଲା । ବଡ଼ଲାଟଙ୍କ ଶାସନ ପରିଷଦରେ ସ୍ଵୟଂ ବଡ଼ଲାଟ ଓ ବ୍ରିଟିଶ ସେନାଧିପତିଙ୍କ ବ୍ୟତୀତ ଅନ୍ୟ ସମସ୍ତେ ହେବେ ଭାରତୀୟ । ବଡ଼ଲାଟଙ୍କ ସ୍ଵତନ୍ତ୍ର କ୍ଷମତା ଆଇନ ଅନୁସାରେ ତାଙ୍କ ହାତରେ ନ୍ୟସ୍ତ ରହିଲେହେଁ ଅଯୌକ୍ତିକଭାବେ ସେ ଏହାର ପ୍ରୟୋଗ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏପର୍ଯ୍ୟନ୍ତ ସବୁ ଠିକ୍ ଚାଲିଲା । ତା’ପରେ ଦେଖାଦେଲା ବିଭେଦକ ନୀତି, ପରିଷଦରେ ରହିବେ ସମାନୁପାତିକଭାବେ ଉଚ୍ଚବର୍ଗୀୟ ହିନ୍ଦୁ ଏବଂ ମୁସଲମାନ ସଦସ୍ୟ । ଏହାର ତାତ୍ପର୍ଯ୍ୟ ହେଲା ସାମ୍ପ୍ରଦାୟିକ ଭିତ୍ତିରେ ସମାନ ଆସନପାଇଁ ମୁସଲିମ ଲିଗ୍‍ର ଦାବି ପ୍ରତି ପ୍ରଥମ ଥରପାଇଁ ନୀତିଗତଭାବେ ବ୍ରିଟିଶ ସରକାରଙ୍କ ଅନୁମୋଦନ ପ୍ରଦାନ । କିନ୍ତୁ ପ୍ରସ୍ତାବଗୁଡ଼ିକରେ କୌଣସି ସାମ୍ବିଧାନିକ ନିଷ୍ପତି ଗ୍ରହଣ କରିବା ବା ପ୍ରତିଷ୍ଠା କରିବାପାଇଁ ଚେଷ୍ଟା କରାଯାଇ ନଥିଲା । ସେସବୁ ସିମଲା ସମ୍ମିଳନୀରେ ଆଲୋଚନା ପାଇଁ ରହିଥିଲା ।

 

ସମ୍ମିଳନୀ ଆରମ୍ଭରେ ସମସ୍ତଙ୍କ ମନରେ ଅନେକ ଆଶା ଓ ବିଶ୍ଵାସ ଜାତ ହୋଇଥିଲା । ମାତ୍ର ଅଳ୍ପ ସମୟ ପରେ ସ୍ପଷ୍ଟ ହୋଇଯାଇଥିଲା ଯେ ସାମ୍ରାଜ୍ୟବାଦୀଙ୍କ ସପକ୍ଷରେ ଜିନ୍ନାଙ୍କର ଅବୁଝା ଓ ପଛପେଲା କାର୍ଯ୍ୟ ହେତୁ ଏହା ଆଦୌ ସଫଳ ହେବ ନାହିଁ । ଜିନ୍ନା ଯେତେବେଳେ ଦାବି କଲେ ଯେ ଶାସନ–ପରିଷଦର ସମସ୍ତ ମୁସଲମାନ ସଦସ୍ୟ ମୁସଲିମ ଲିଗ୍‍ଦ୍ଵାରା ମନୋନୀତ ହେବେ, ସେତେବେଳେ ସବୁ ଆଲୋଚନା ନିଷ୍ଫଳ ହୋଇଗଲା । ମୁସଲିମ ଲିଗ୍‍କୁ ବାଦ ଦେଇ କଂଗ୍ରେସ ସହିତ ଚୁକ୍ତିବଦ୍ଧ ହେବାକୁ ବ୍ରିଟିଶ ସରକାର ମଧ୍ୟ ସମ୍ମତ ହେଲେ ନାହିଁ । ଏଠାରେ ଭେଦ–ନୀତିର ଚରମ ପ୍ରକାଶ ଘଟିଥିଲା ।

Image

 

ଭାରତୀୟ ଜାତୀୟ ବାହିନୀ (I. N. A.)

 

୧୯୪୨ ବିପ୍ଳବ ଦଳିତ ଓ ଦମିତ ହେବାଠାରୁ ୧୯୪୫ରେ ଯୁଦ୍ଧର ଅବସାନ ପର୍ଯ୍ୟନ୍ତ ଦେଶରେ କ୍ଵଚିତ କୌଣସି ରାଜନୈତିକ ଘଟଣା ସୁଦୃଶ୍ୟ ହୋଇ ନଥିଲା । ସବୁ ବିଖ୍ୟାତ ନେତା କାରାରୁଦ୍ଧ ହୋଇଥିଲେ ଏବଂ ସେହି ପରିସ୍ଥିତିରେ ନୂତନ ନେତାଙ୍କର ଅଭ୍ୟୁଦୟ ସମ୍ଭବ ହୋଇ ନଥିଲା । ସମସ୍ତଙ୍କ ମନରେ କ୍ଳାନ୍ତି ଭରିଯାଇଥିଲା, ଯଦିଓ ଅନ୍ତରର ଅଗ୍ନି ତଥାପି ନିର୍ବାପିତ ହୋଇ ନଥିଲା । ଯୁଦ୍ଧ ଆଗେଇ ଚାଲିଲା, କିନ୍ତୁ ଜାତୀୟ ଆନ୍ଦୋଳନ ସ୍ତିମିତ ହୋଇ ରହିଗଲା ।

 

ସୁଭାଷଚନ୍ଦ୍ର ବୋଷ ସୋଭିଏଟ ସଂଘକୁ ଯାଇ ଭାରତର ସ୍ଵାଧୀନତା ସଂଗ୍ରାମପାଇଁ ସାହାଯ୍ୟ ସଂଘର୍ଷ କରିବେ ବୋଲି ୧୯୪୧ ମାର୍ଚ୍ଚରେ ଗୋପନରେ ଭାରତରୁ ଚାଲିଯାଇଥିଲେ । କିନ୍ତୁ ୧୯୪୧ ଜୁନ୍‍ରେ ସୋଭିଏଟ ସଂଘ ଜର୍ମାନୀ ପକ୍ଷରୁ ଆକ୍ରାନ୍ତ ହୋଇ ମିତ୍ରପକ୍ଷ ସହିତ ଯୋଗ ଦେଇଥିଲା । ବୋଷ ତେଣୁ ଜର୍ମାନ ପଳାଇ ସେଠାରୁ ସାହାଯ୍ୟ ପାଇବାର ଚେଷ୍ଟା କରିଥିଲେ । ଜର୍ମାନମାନଙ୍କଠାରୁ ପ୍ରତିଶ୍ରୁତି ଲାଭ କରି ଜାପାନୀଙ୍କ ସାହାଯ୍ୟରେ ଭାରତରେ ମୁକ୍ତି ସଂଗ୍ରାମ ସଙ୍ଗଠିତ କରିବାପାଇଁ ପୁଣି ଜାପାନ ଚାଲିଗଲେ । ଇତ୍ୟବସରରେ ଜାପାନ ଭାରତୀୟ ସୈନ୍ୟବାହିନୀର ଯେଉଁ ସୈନିକ ଓ କର୍ମଚାରୀବର୍ଗ ମାଲୟ ଓ ବର୍ମାରୁ ବ୍ରିଟିଶମାନଙ୍କ ପଳାୟନ ପରେ ରହିଯାଇଥିଲେ ଏବଂ ଯେଉଁମାନେ ଧରାପଡ଼ି ବନ୍ଦୀ ହୋଇଥିଲେ, ସେମାନଙ୍କ ସାହାଯ୍ୟରେ ଏକ ଭାରତୀୟ ଜାତୀୟବାହିନୀ ଗଠନ କରିବାକୁ ଚେଷ୍ଟା କରୁଥିଲେ । ଏମାନଙ୍କ ମଧ୍ୟରେ କେବଳ ମାଲୟରେ ଥିଲେ ୬୦୦୦୦ ସୈନିକ ଏବଂ ତା’ଛଡ଼ା ଥିଲେ ଅନେକ ଭାରତୀୟ ନାଗରିକ ଯେଉଁମାନେ ଦକ୍ଷିଣ–ପୂର୍ବ ଏସିଆର ଦେଶଗୁଡ଼ିକରେ ବସବାସ କରୁଥିଲେ ଏବଂ ଯୁଦ୍ଧ ସମୟରେ ପ୍ରତ୍ୟାବର୍ତ୍ତନ କରିବାକୁ ପଥ ପାଇ ନଥିଲେ । ସୁଭାଷ ବୋଷ ଏହି ବାହିନୀର ଅଧିନାୟକତ୍ଵ ଗ୍ରହଣ କଲେ ଏବଂ ଏହା ଜାପାନୀ ବାହିନୀ ସହିତ ମିଶି ଭାରତ ଅଭିମୁଖେ ଅଭିଯାନ ଆରମ୍ଭ କଲା । ଭା. ଜା. ବା.ର ସୈନିକଗଣ ଜାତୀୟତାବାଦରେ ଉଦ୍‍ବୁଦ୍ଧ ହୋଇଥିଲେ ଏବଂ ସେମାନେ ମୁକ୍ତିଦାତାରୂପେ ଭାରତରେ ପ୍ରବେଶ କରିବାକୁ ଆଗ୍ରହୀ ଥିଲେ । ସ୍ଵାଧୀନ ଭାରତର ଅସ୍ଥାୟୀ ସରକାରର ମୁଖ୍ୟ ପ୍ରଶାସକରୂପେ ବୋଷ ଗୃହୀତ ହୋଇଥିଲେ ।

 

ଭାରତୀୟ ଜାତୀୟ ବାହିନୀର ପରିକଳ୍ପନା ଜାପାନର ପରାଜୟ ଫଳରେ ପଥହରା ହୋଇପଡ଼ିଲା । ଟୋକିଓ ଯାତ୍ରାପଥରେ ବିମାନ ଦୁର୍ଘଟଣାରେ ସୁଭାଷ ବୋଷଙ୍କର ପ୍ରାଣହାନି ହେଲା । ଏ କଥା ସତ, ଜାପାନ ପରି ଏକ ଦେଶର ଏବଂ ତା’ର ଫାସିବାଦୀ ମିତ୍ରଙ୍କ ସହାୟତାରେ ଭାରତର ସ୍ଵାଧୀନତା ଲାଭ ଅନେକେ ପସନ୍ଦ କରି ନଥିଲେ । କିନ୍ତୁ ଯୁଦ୍ଧର ଅନ୍ତିମ କାଳରେ ନୈରାଶ୍ୟ–ଜର୍ଜରିତ ଭାରତୀୟ ଜାତୀୟତାବାଦୀଙ୍କ ଶିଥିଳ ଚେତନାକୁ ଜାଗ୍ରତ ରଖିବାରେ ସୁଭାଷ ବୋଷ ଓ ଭା. ଜା. ବା.ର ଅବଦାନ ଅବିସ୍ମରଣୀୟ । ସେମାନେ ସୈନ୍ୟ ବିଭାଗ ସମେତ ସବୁ ଶ୍ରେଣୀର ଲୋକମାନଙ୍କ ସମ୍ମୁଖରେ ସାହସିକତା ଓ ଦେଶାତ୍ମବୋଧର ଏକ ପ୍ରଭାବଶାଳୀ ଓ ମହୀୟାନ୍ ଦୃଷ୍ଟାନ୍ତ ଉପସ୍ଥାପନ କରିଥିଲେ ।

 

ତେଣୁ ଯେତେବେଳେ ସରକାର ଘୋଷଣା କଲେ ଯେ କେତେକ ଭା. ଜା. ବା.ର କର୍ମଚାରୀ ବ୍ରିଟିଶ ସରକାରଙ୍କ ସହିତ ବିଶ୍ଵାସ ଭଙ୍ଗ କରି ଶଠତା କରିଥିବାରୁ ସେମାନେ ଦଣ୍ଡନୀୟ, ସେତେବେଳେ ଜାତୀୟତାବାଦୀମାନେ ପ୍ରବଳ ପ୍ରତିବାଦ ଜଣାଇଥିଲେ । ସାରା ଦେଶରେ ବିପୁଳ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । କର୍ମଚାରୀମାନଙ୍କୁ ମୁକ୍ତି ଦେବାକୁ ଏକାଦିକ୍ରମେ ଦାବି କରାଯାଇଥିଲା । କେବଳ କଂଗ୍ରେସ ନୁହେଁ, ଦେଶର ପ୍ରାୟ ସମସ୍ତ ନେତୃମଣ୍ଡଳୀ ସେମାନଙ୍କ ବିଚାରର ପ୍ରତିବାଦ କରିଥିଲେ ଏବଂ କର୍ମଚାରୀମାନଙ୍କୁ ମୁକ୍ତି ଦେବା ସପକ୍ଷରେ ଗୁରୁତ୍ଵ ଦେଇ ମତ ପ୍ରକାଶ କରିଥିଲେ । କଂଗ୍ରେସ ଏକ ଭା. ଜା. ବା. ପ୍ରତିବାଦୀ ସମିତି ସ୍ଥାପନ କରିଥିଲା, ଯେଉଁଥିରେ ଥିଲେ ବିଖ୍ୟାତ ଆଇନଜ୍ଞ ବୁଲାଭାଇ ଦେଶାଇ, ତେଜ ବାହାଦୁର ସାପ୍ରୁ, କୈଳାସନାଥ କାଟଜୁ ଏବଂ ଆସ୍‍ଫ ଅଲି । ନେହେରୁ ମଧ୍ୟ ଏହି ସମିତିର ଜଣେ ସଦସ୍ୟ ଥିଲେ । ଏହି ଜାତୀୟନେତାମାନେ ଯେତେବେଳେ ଦିଲ୍ଲୀ ଲାଲକିଲ୍ଲାର ଐତିହାସିକ ଦରବାରରେ ଭା. ଜା. ବା.ର କର୍ମଚାରୀମାନଙ୍କ ସପକ୍ଷରେ ଦଣ୍ଡାୟମାନ ହେଲେ, ସାରା ଦେଶରେ ଏକ ନାଟକୀୟ ଉତ୍କଣ୍ଠା ସୃଷ୍ଟି ହୋଇଥିଲା । ସାମରିକ ଅଦାଲତ ସମସ୍ତ ଆସାମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ପ୍ରଦାନ କରିଥିଲେ; କିନ୍ତୁ ଜନମତ ଏପରି ଆବେଗପୂର୍ଣ୍ଣ ହୋଇଥିଲା ଯେ ସରକାର ନଇଁଯିବାକୁ ବାଧ୍ୟ ହୋଇଥିଲେ । ଦଣ୍ଡାଦେଶ ସ୍ଥଗିତ କରାଯାଇଥିଲା ଏବଂ ଭା. ଜା. ବା.ର କର୍ମଚାରୀମାନଙ୍କୁ ମୁକ୍ତି ଦିଆଯାଇଥିଲା ।

 

ସଂଗ୍ରାମର ସମାପ୍ତି

 

ଯୁଦ୍ଧ ଗଣ୍ଡଗୋଳ ମେଣ୍ଟିଗଲା ପରେ ସ୍ପଷ୍ଟରୂପେ ବୁଝାପଡ଼ିଥିଲା ଯେ ଭାରତର ସ୍ଵାଧୀନତା ଲାଭ ଆଉ ବିଳମ୍ବିତ ହେବ ନାହିଁ । ବିଦେଶରେ ତଥା ଦେଶରେ ଘଟନାର ବିବିଧ ବିକାଶ ଏ ବିଷୟରେ ବ୍ରିଟିଶ ସରକାରଙ୍କ ହୃଦ୍‍ବୋଧ ଜନ୍ମାଇଥିଲା । ପୃଥିବୀପୃଷ୍ଠରେ ବ୍ରିଟେନର ସ୍ଥାନ ଓ ସମ୍ମାନ ଯୁଦ୍ଧ ଫଳରେ ଅନେକ ବଦଳିଯାଇଥିଲା । ଦୁଇଟି ନୂତନ ବିରାଟ ଶକ୍ତିରୂପେ ଅଭ୍ୟୁଥିତ ସୋଭିଏଟ ରାଷ୍ଟ୍ରସଂଘ ଓ ଯୁକ୍ତରାଷ୍ଟ୍ର ଭାରତୀୟ ସ୍ଵାଧୀନତାର ପକ୍ଷପାତୀ ଥିଲେ । ଯୁଦ୍ଧରେ ବ୍ରିଟେନ ବିଜୟୀ ହେଲେହେଁ ତାହାର ଅର୍ଥନୈତିକ ଓ ସାମରିକ ଶକ୍ତି ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ପୁନର୍ନିର୍ମାଣ ଓ ପୂନର୍ବିନ୍ୟାସ ପାଇଁ ସମୟର ଲୋଡ଼ା ହୋଇଥିଲା । ତାହାର ଜନଗଣ, ବିଶେଷତଃ ସାମରିକ ବ୍ୟକ୍ତିଗଣ ଏପରି ରଣକ୍ଳାନ୍ତ ହୋଇଥିଲେ ଯେ ସାମ୍ରାଜ୍ୟର ସୁରକ୍ଷାପାଇଁ ସଂଗ୍ରାମ ଚଳାଇବାକୁ ସେମାନେ ଆଦୌ ଆଗ୍ରହୀ ନଥିଲେ । ନିର୍ବାଚନରେ ରକ୍ଷଣଶୀଳ ଗୋଷ୍ଠୀ ପରାଭୂତ ହେବାରୁ ଶ୍ରମିକଦଳ ଶାସନ କ୍ଷମତା ଲାଭ କରିଥିଲେ । ଏମାନେ ଭାରତୀୟଙ୍କ ଦାବି ମାନିନେବାର ପକ୍ଷପାତୀ ଥିଲେ । ଅବଶ୍ୟ ଏସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଘଟନା ଥିଲା, ଭାରତରେ ସେତେବେଳେ ପରିସ୍ଥିତି ଏପରି ଭିନ୍ନ ହୋଇଯାଇଥିଲା ଯେ ବ୍ରିଟିଶମାନଙ୍କ ପକ୍ଷରେ ଆଉ ଶାସନ ଚଳାଇବା ସମ୍ଭବ ହୋଇ ନଥିଲା । ଭା. ଜା. ବା. ର ବିଚାର ପ୍ରସଙ୍ଗରେ ପ୍ରମାଣିତ ହୋଇଥିଲା ଯେ ଦମନନୀତିରେ ଦେଶକୁ ଚାପି ରଖିବା ବା ଫମ୍ପା ପ୍ରତିଶ୍ରୁତିରେ ଶାନ୍ତ କରିବା ଆଉ ସମ୍ଭବ ନୁହେଁ । ଭାରତର ସଂଗ୍ରାମୀ ଚେତନା ଉଦ୍‍ବୁଦ୍ଧ ହୋଇଥିଲା ଏବଂ ଜାତୀୟତାବାଦୀଙ୍କ ଦାବିଗୁଡ଼ିକର ସୁବିଚାର ନହେଲେ ଅବସ୍ଥା ଯେକୌଣସି ମୁହୂର୍ତ୍ତରେ ଅସମ୍ଭାଳ ହୋଇଯିବାର ଆଶଙ୍କା ଥିଲା । ୧୯୪୬ ଫେବୃଆରୀରେ ବମ୍ବେର ଭାରତୀୟ ନୌସେନାଙ୍କ ବିଦ୍ରୋହ, ଭାରତୀୟ ବିମାନବାହିନୀରେ ବ୍ୟାପକ ଅସନ୍ତୋଷ ଓ ଧର୍ମଘଟ ଏବଂ ଜବଲପୁର ଭାରତୀୟ ସିଗନାଲ ବାହିନୀର ଧର୍ମଘଟ ଏହାର ନିଃସନ୍ଦେହ ପ୍ରମାଣ ପ୍ରଦାନ କରିଥିଲା-। ଏପରିକି ପୋଲିସ୍ ଓ ଅମଲାତନ୍ତ୍ର ଜାତୀୟତାବାଦ ଆଡ଼କୁ ଢଳିପଡ଼ିବାର ଅନୁଭୂତ ହୋଇଥିଲା-। ଜାତୀୟ–ଆନ୍ଦୋଳନକୁ ଦମନ କରିବାପାଇଁ ସେମାନଙ୍କର ଉପଯୋଗ କରିବା ଆଉ ନିରାପଦ ହୋଇ ନଥିଲା । ଏହାଛଡ଼ା ସମଗ୍ର ବ୍ରିଟିଶ ଭାରତରେ ତଥା ଦେଶୀୟ ରାଜ୍ୟଗୁଡ଼ିକରେ ମଧ୍ୟ ଧର୍ମଘଟ, ହରତାଳ, ବିକ୍ଷୋଭ ପ୍ରଦର୍ଶନ ଇତ୍ୟାଦି ଅନବରତ ଲାଗିରହିଥିଲା ।

 

ବ୍ରିଟିଶ ସରକାର ତେଣୁ ଭାରତକୁ କ୍ଷମତା ହସ୍ତାନ୍ତର କରିବାକୁ ସ୍ଥିର କଲେ ଏବଂ ସମସ୍ତ ପ୍ରକାର ଦୀର୍ଘମିଆଦୀ ତଥା କ୍ଷଣସ୍ଥାୟୀ ବ୍ୟବସ୍ଥାର ସୂକ୍ଷ୍ମାତିସୂକ୍ଷ୍ମ ଅନୁଧ୍ୟାନ କରିବାକୁ ମନ୍ତ୍ରିପରିଷଦର ଗୋଟିଏ ଦଳ ଭାରତକୁ ପଠାଇଲେ । ସବୁ ଦଳ ଓ ସଙ୍ଗଠନର ବିଭିନ୍ନ ନେତାମାନଙ୍କ ସହିତ ଦୀର୍ଘକାଳ ସୂକ୍ଷ୍ମାତିସୂକ୍ଷ୍ମ ପରାମର୍ଶ କରି ଶେଷରେ କ୍ୟାବିନେଟ ମିଶନ ତାଙ୍କର ଯୋଜନା ଘୋଷଣା କରିଥିଲେ ଏବଂ ଉଭୟ କଂଗ୍ରେସ ଓ ମୁସଲିମ ଲିଗ୍ ଏହାକୁ ସ୍ଵୀକାର କରିଥିଲେ । କିନ୍ତୁ ପରବର୍ତ୍ତୀ କାଳରେ ପରିକଳ୍ପନାର ବ୍ୟାଖ୍ୟାରେ ମତଦ୍ଵୈଧ ଦେଖାଦେଲା । ଯେତେ ଶୀଘ୍ର ସମ୍ଭବ ଏକ ଅନ୍ତଃବର୍ତ୍ତୀକାଳୀନ ସରକାର ପ୍ରତିଷ୍ଠା କରିବାକୁ ୱାଭେଲ ଖୁବ୍ ଉଦ୍‍ଗ୍ରୀବ ଥିଲେ । ଶେଷରେ ୧୯୪୬ ସେପ୍‍ଟେମ୍ବରରେ କଂଗ୍ରେସଦ୍ଵାରା ଏପରି ଏକ ସରକାର ଗଠିତ ହୋଇଥିଲା ଏବଂ ଜବାହରଲାଲ ନେହେରୁ ମନ୍ତ୍ରିମଣ୍ଡଳରେ ଯୋଗଦେଲେ; ମାତ୍ର ସେମାନେ ସମ୍ବିଧାନ ପ୍ରଣୟନ ବ୍ୟାପାରରେ ଯୋଗ ନ ଦେବାକୁ ସିଦ୍ଧାନ୍ତ କରିଥିଲେ । ବ୍ରିଟିଶ ପ୍ରଧାନମନ୍ତ୍ରୀ କ୍ଳେମେଣ୍ଟ ଅଟଲି ୧୯୪୭ ଫେବୃୟାରୀ ୨୦ରେ ଘୋଷଣା କରିଥିଲେ ଯେ ୧୯୪୮ ଜୁନ୍ ସୁଦ୍ଧା ବିଲାତ ଭାରତ ହସ୍ତରେ କ୍ଷମତା ଅର୍ପଣ କରିବ ।

 

କ୍ଷମତା ହସ୍ତାନ୍ତର ବିଷୟରେ ବ୍ୟବସ୍ଥା କରିବାପାଇଁ ଲର୍ଡ଼ ଲୁଇସ୍ ମାଉଣ୍ଟବେଟନଙ୍କୁ ଭାରତର ବଡ଼ଲାଟଭାବେ ପଠାଯାଇଥିଲା । କଂଗ୍ରେସ ଓ ମୁସଲିମ ଲିଗ୍ ମଧ୍ୟରେ ଗୁରୁତର ମତଦ୍ଵୈଧ ସତ୍ତ୍ୱେ ଲର୍ଡ଼ ମାଉଣ୍ଟବେଟନ ଗୋଟେ ପ୍ରକାରର ସାଲିସ୍‍ମୂଳକ ଯୋଜନା ପ୍ରଣୟନ କରିଥିଲେ ଏବଂ କ୍ଷମତାର ହସ୍ତାନ୍ତର ସମୟ ଏକବର୍ଷରୁ ବେଶୀ ସମୟ ଆଗେଇ ଆଣିଥିଲେ । ବର୍ତ୍ତମାନ ସ୍ଥିର ହୋଇଥିଲା ୧୯୪୭ ଅଗଷ୍ଟ ୧୫ ଦିନ ଭାରତ ସ୍ଵାଧୀନତା ଲାଭ କରିବ; କିନ୍ତୁ ଦେଶର ବିଭାଜନ ହେବ । ପଶ୍ଚିମରେ ପଞ୍ଜାବର ପଶ୍ଚିମାଞ୍ଚଳ, ଉତ୍ତର–ପଶ୍ଚିମ ସୀମାନ୍ତ–ପ୍ରଦେଶ, ସିନ୍ଧୁ ଓ ବେଲୁଚିସ୍ଥାନ ଏବଂ ପୂର୍ବରେ ବଙ୍ଗଳାର ପୂର୍ବଭାଗ ଓ ଆସାମର ସିଲହଟ୍‍ ଜିଲ୍ଲାକୁ ନେଇ ଗଠିତ ହେବ ନୂତନ ସ୍ଵାଧୀନ ରାଷ୍ଟ୍ର ପାକିସ୍ଥାନ ଏବଂ ଏହାର ଶୁଭାରମ୍ଭ ଭାରତ ସହିତ ଏକ ସମୟରେ ଅନୁଷ୍ଠିତ ହେବ । ଯାହାହେଉ ସେଥିରେ ବ୍ୟବସ୍ଥା ରହିଲା ଯେ ପରେ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ଓ ସିଲହଟ୍‍ ଜିଲ୍ଲାର ଲୋକମାନଙ୍କର ମନୋଭାବ ନିର୍ଦ୍ଧାରଣ କରିବାପାଇଁ ଗଣଭୋଟ ଗ୍ରହଣ କରାଯିବ ।

 

ସ୍ଵାଧୀନତାପ୍ରାପ୍ତିର ଗର୍ବ ଓ ଆନନ୍ଦବୋଧ ସହିତ ଦେଶ ବିଭାଗୀକରଣଜନିତ ଦୁଃଖ ଓ ଯନ୍ତ୍ରଣାବୋଧ ସମନ୍ଵିତ ହୋଇଗଲା । ତଥାପି ଜାତି ନୈରାଶ୍ୟରେ ନିଃସ୍ୱାଦ ହୋଇଯାଇ ନଥିଲା । ସ୍ଵାଧୀନତା ଲାଭ ଥିଲା ପ୍ରଥମ ପଦକ୍ଷେପ । ଆତ୍ମ–ପ୍ରତ୍ୟୟ, ଆଶା ଓ ବିଶ୍ଵାସର ସହିତ ସ୍ଵାଧୀନତା, ଗଣତନ୍ତ୍ର ଓ ସାମାଜିକ ନ୍ୟାୟର ସମ୍ମୁଖୀନ ହେବାପାଇଁ ଭାରତ ଆଗେଇଚାଲିଲା ।

 

ନାସ୍‍ନାଲ୍ ବୁକ୍ ଟ୍ରଷ୍ଟ୍, ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦୦ରୁ ଅଧିକ ପୁସ୍ତକ ଇଂରାଜୀ ଓ ବିଭିନ୍ନ ଭାରତୀୟ ଭାଷାର ପ୍ରକାଶ କରିସାରିଲେଣି । ଟ୍ରଷ୍ଟ୍‍ର ବର୍ତ୍ତମାନ ପ୍ରକାଶନ କାର୍ଯ୍ୟକ୍ରମ ମଧ୍ୟରେ ନିମ୍ନଲିଖିତ ପୁସ୍ତକମାଳା ଅନ୍ତର୍ଭୁକ୍ତ ।

୧. ଭାରତବର୍ଷ : ଦେଶ ଓ ଦେଶବାସୀ

ଆମର ସାଧାରଣ ଶିକ୍ଷିତ ବ୍ୟକ୍ତିମାନଙ୍କୁ ଦେଶର ଭୂଗୋଳ, କୃଷି, ଭାଷା, ସାହିତ୍ୟ, ସଂସ୍କୃତି ଓ ଜନ–ଜୀବନ ପ୍ରଭୃତି ବିଷୟରେ ସମ୍ୟକ ଧାରଣା ଦେବାହିଁ ଏହି ପୁସ୍ତକମାଳାର ଉଦ୍ଦେଶ୍ୟ । ସଂକ୍ଷେପରେ କହିବାକୁ ଗଲେ, ସରଳ–ସୁବୋଧ୍ୟ ଶୈଳୀରେ ଲିଖିତ ଏହି ପୁସ୍ତକମାଳା ଯେପରି ଏକ ବିଶ୍ଵକୋଷରେ ପରିଣତ ହେବ, ସେଥିଲାଗି ଆମେ ଆଶା ରଖିଛୁ ।

୨. ଜାତୀୟ ଜୀବନଚରିତମାଳା

ଏହି ପୁସ୍ତକମାଳାର ପ୍ରାୟ ଏକ ଶତ ପୁସ୍ତକରେ ଭାରତର ମହାନ୍ ସ୍ତ୍ରୀ–ପୁରୁଷମାନଙ୍କର ସଂକ୍ଷିପ୍ତ ଜୀବନୀ ଦେବାର ପ୍ରଚେଷ୍ଟା କରାଯାଉଛି ।

୩. ଲୋକପ୍ରିୟ ବିଜ୍ଞାନମାଳା

ଆଧୁନିକ ବିଜ୍ଞାନର ବିକାଶ ଓ ପ୍ରଗତି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇ ତଥା ଆଜିର ଜୀବନରେ ବିଜ୍ଞାନର ଉପଯୋଗିତା ଓ ଗୁରୁତ୍ଵ ବିଷୟରେ ସମ୍ୟକ୍ ଧାରଣା ଦେବାହିଁ ପୁସ୍ତକମାଳାର ଉଦ୍ଦେଶ୍ୟ ।

୪. ବିଶ୍ଵବିଖ୍ୟାତ ଗ୍ରନ୍ଥମାଳା

ବିଭିନ୍ନ ରାଷ୍ଟ୍ରର ଉନ୍ନତ ଚିନ୍ତାଧାରା ବହନ କରି ପ୍ରକାଶିତ ହୋଇଥିବା ପୁସ୍ତକାବଳୀକୁ ବିଭିନ୍ନ ଭାରତୀୟ ଭାଷାରେ ସରଳ ଅନୁବାଦ କରିବା ଏହି ଯୋଜନାର ଅନ୍ତର୍ଭୁକ୍ତ ।

 

୫. ଭାରତୀୟ ଲୋକସଂସ୍କୃତି

 

ଦେଶର ବିଭିନ୍ନ ପ୍ରାନ୍ତର ଲୋକସଂସ୍କୃତି ଉପରେ ଆଧାରିତ ଏହି ପୁସ୍ତକମାଳା ଜାତୀୟ ଏକତା ବୃଦ୍ଧିରେ ସାହାଯ୍ୟ କରିବ ବୋଲି ଆଶା ।

 

୬. ଆଜିର ଦୁନିଆ

 

ବିଭିନ୍ନ ଦେଶର ଇତିହାସ ବା ତଥ୍ୟମୂଳକ ବିଷୟବସ୍ତୁସମ୍ବଳିତ ଏହି ପୁସ୍ତକମାଳା ସୁବୋଦ୍ଧ ଭାଷାରେ ଲେଖାଯିବ ଓ ସାଧାରଣ ପାଠକଙ୍କୁ ଯୋଗାଇଦିଆଯିବ ।

 

୭. ତରୁଣ–ଭାରତୀ

 

ଭାରତର ତରୁଣ ଗୋଷ୍ଠୀର ଆବଶ୍ୟକତାକୁ ଆଖିଆଗରେ ରଖି ଏହି ପୁସ୍ତକମାଳା ଆରମ୍ଭ କରାଯାଇଛି । ଦେଶର ଗାରିମାମୟ ଅତୀତ ଓ ପ୍ରେରଣାଦାୟକ ଘଟନାବଳି ଏହି ପୁସ୍ତକଗୁଡ଼ିକୁ ସମୃଦ୍ଧ କରିବାର ଚେଷ୍ଟା କରାଯାଉଛି ।

 

ଜାତୀୟ ଏକତାରେ ସହଯୋଗ

 

୮. ନେହେରୁ ବାଳପୁସ୍ତକାଳୟ

 

ଶିଶୁର ହୃଦୟରେ ଏକତାର ଭାବନା ଉଦ୍ରେକ କରିବା ଲକ୍ଷ୍ୟ ନେଇ ଏ ସଚିତ୍ର ପୁସ୍ତକଗୁଡ଼ିକୁ ପାଠ୍ୟପୁସ୍ତକରୂପେ ପ୍ରସ୍ତୁତ କରାଯିବ । ଇଂରାଜୀ ଓ ସମଭାରତୀୟ ଭାଷାରେ ପୁସ୍ତକଗୁଡ଼ିକ ପ୍ରକାଶିତ ହେବ ।

 

୯. ଆଦାନ–ପ୍ରଦାନ

 

ପ୍ରତ୍ୟେକ ଭାରତୀୟ ଭାଷାର ଦଶଟି ବିଖ୍ୟାତ ପୁସ୍ତକ ଅନ୍ୟ ସମସ୍ତ ଭାରତୀୟ ଭାଷାରେ ଅନୁବାଦ କରିବା ଏହି ଯୋଜନାର ଅନ୍ତର୍ଭୁକ୍ତ ।

 

ବର୍ତ୍ତମାନ ଉପଲବ୍ଧି ହେଉ ନଥିବା ମହତ୍ୱପୂର୍ଣ୍ଣ ପୁରାତନ ପୁସ୍ତକ ଓ ଉପାଦେୟ ନୂତନ ପାଣ୍ଡୁଲିପିର ପ୍ରକାଶନ ଦାୟିତ୍ଵ ମଧ୍ୟ ଟ୍ରଷ୍ଟ୍ ବହନ କରିଥାଏ ।

 

ଉପରୋକ୍ତ ପୁସ୍ତକମାଳାର ପୁସ୍ତକାବଳୀ ସଂପୃକ୍ତ କ୍ଷେତ୍ରରେ ଗବେଷଣା କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କଦ୍ୱାରା ଲେଖାଯାଏ । ସୁନ୍ଦର ଓ ସଦୃଶ୍ୟ ମୁଦ୍ରଣ ସଙ୍ଗେ ସଙ୍ଗେ ଉଚିତ ମୂଲ୍ୟରେ ଯେପରି ପୁସ୍ତକ ଯୋଗାଇ ଦିଆଯାଇପାରିବ, ସେଥିପ୍ରତି ଲକ୍ଷ୍ୟ ରଖାଯାଏ ।

Image